Unknown

 

 

 

 

 

 

 

 

 

 

 

ଏ ମନ-ସେ ମନ

ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ

 

 

 

 

 

 

 

 

 

ସହଧର୍ମିଣୀ ଶୋଭାରାଣୀଙ୍କ କରକମଳରେ

 

ସମର

 

ସମର

 

ଦିନ ଦୁଇଟା । ହସ୍‌ପିଟାଲରୁ କାମ ସାରି ଫେରିଲି । ବସାରେ ପହଞ୍ଚି କାବା ହୋଇଗଲି-। ଗୋକୁଳି ମଉସାଙ୍କ ଦାଣ୍ଡଘରୁ ପାଟିତୁଣ୍ଡ ମୋଟେ ଶୁଭୁ ନାହିଁ । ଭାବିଲି, ସାଙ୍ଗେ ସାଙ୍ଗେ ଯାଇ ଘଟଣା କଣ ବୁଝି ଆସିବି । ପରମୁହୂର୍ତ୍ତରେ ମତ ବଦଳେଇଲି । ଭାରି ଭୋକ ଲାଗୁଥାଏ । ସ୍ଥିର କଲି ଖାଇସାରି ଯାଇ ବୁଝିବି ଘଟଣାଟା କଣ ।

 

ଏତିକିବେଳକୁ ନନ୍ଦ ମଉସା ଆସି ଖବର ଦେଲା, ‘‘ବାବୁ ରାଗିଚନ୍ତି, ଖାଇ ନାହାନ୍ତି ।’’

 

ବିରକ୍ତ ଲାଗିଲା । ତଥାପି ବିରକ୍ତି ପ୍ରକାଶ ନ କରି ପଚାରିଲି, ‘‘କାହିଁକି ?’’

 

‘‘ତରକାରୀ ଅଲଣା ଲାଗିଲା !’’

 

ପେଣ୍ଟ-ଜାମା ଚଉତି ରଖୁ ରଖୁ ପୁଣି ପଚାରିଲି, ‘‘କଣ କରୁଚନ୍ତି ?’’

 

‘‘ଗୁମ୍‌ମାରି ବସିଚନ୍ତି ଦାଣ୍ଡଘରେ ।’’

 

‘‘ଚାଲ ମଉସା, ମୁଁ ଯାଉଚି ।’’

 

ନନ୍ଦ ମଉସା ଚାଲିଗଲା । ମୁଁ ହାତ ମୁହଁ ଧୋଇ ବାହାରିଲି ।

 

ପୂଝାରୀ ଟୋକା ମଙ୍ଗୁଳି ପଚାରିଲା, ‘‘ଭାତ ବାଢ଼ିବି ବାବୁ ?’’

 

‘‘ଥାଉ ମୁଁ ଆସେ ।’’

 

ମୋ ପାଇଁ କିଛି ନୂଆ କଥା ନୁହେଁ ଏଇଟା । ମାସକୁ ଆଠ ଦଶ ଥର ଗୋକୁଳ ମଉସା ଏମିତି ରାଗନ୍ତି ନନ୍ଦ ମଉସା ଉପରେ । ମୁଁ ଏଠି ରହିବା ପରଠାରୁ ପ୍ରାୟ ସବୁଥର ମଉସାଙ୍କୁ ବୁଝେଇ ସୁଝେଇ ପୁଣି ଶାନ୍ତ କରିବାଟା ଏକପ୍ରକାର ଅଭ୍ୟାସରେ ପଡ଼ିଗଲାଣି ।

 

ସେପଟୁ ଗୋକୁଳି ମଉସାଙ୍କ ପାଟି ଶୁଭିଲା, ‘‘ସମରକୁ ଡାକି ଯାଇଥିଲୁ ନୁହେଁ । ଭାବିଚୁ, ମୁଁ ଗୋଟାଏ ବୋକା ମାଧିଆ ଏଠି ବସିଚି । କିଛି ଜାଣିପାରୁନି ! ଶୁଣ, ଶେଷ ଥର ପାଇଁ ତତେ କହି ରଖିଲି । ବହୁତ ହେଇଗଲା ଆଉ ନୁହେଁ । ଏଥର ତୁ ଯିବୁ ନ ହେଲେ ମୁଁ ।’’

 

ନନ୍ଦ ମଉସାକୁ ଏମିତିକା ମିଛିମିଛିକିଆ ଧମକ ଶୁଣେଇବା ଗୋକୁଳି ମଉସାଙ୍କ ପ୍ରକୃତି-। ରୋଜ କେଜାଣି ଦଶ କୋଡ଼ିଏଥର ଶୁଣାନ୍ତି । କିନ୍ତୁ କେବେ କାମରେ ଲଗେଇବାର ମୁଁ ଦେଖି ନାହିଁ । ସେକଥା କରି ବସିଲେ ଗୋକୁଳି ମଉସା ଘଣ୍ଟାଏ ଦି’ଘଣ୍ଟା ତିଷ୍ଠିପାରିବେ ନାହିଁ । ମୋଟ ଉପରେ ନନ୍ଦ ମଉସା ବିନା ଗୋକୁଳି ମଉସାଙ୍କ ଜୀବନ ଅଚଳ; ମୁଁ ଜାଣେ ।

 

ମଉସାଙ୍କ ବସା ବାରଣ୍ଡାକୁ ଉଠି ଚାହିଁଲି ଦାଣ୍ଡଘରକୁ ।

 

ସୁବିମଳବାବୁ ନିର୍ବିକାର ଦାବା ପାଲି ମେଲେଇ ବସିଚନ୍ତି । ଦୁଇପଟର ଗୋଟି ଚଳେଇ ସେ ଏକା ଏକା ଖେଳି ଚାଲିଛନ୍ତି ମନ ଧ୍ୟାନ ଲଗେଇ । ଆଉ ଗୋକୁଳି ମଉସା ମୁହଁକୁ ହାଣ୍ଡିପରି କରି ଦୁଇଗୋଡ଼ ଚୌକି ଉପରକୁ ଟେକି ଗାଲରେ ହାତ ଦେଇ ବସିଚନ୍ତି । ତାଙ୍କ ଚେହେରା ଦେଖି ମନେ ହେଲା, ଭୋକରେ ସେ ଆଉଟୁପାଉଟୁ ହେଲେଣି । ଖାଲି ଚାହିଁ ବସିଚନ୍ତି ନନ୍ଦ ମଉସା ଛଡ଼ା ଆଉ କିଏ ଜଣେ ଆସି ମଧ୍ୟସ୍ଥି କଲେ ସାଙ୍ଗେ ସାଙ୍ଗେ ରାଜି ହୋଇଯିବେ ।

 

ତଥାପି ମତେ ଦେଖି ସେ ପାଟି କରି ଉଠିଲେ, ‘‘ତୁମେ କୁଆଡ଼େ ? ମୁଁ ତ ତୁମକୁ ଡାକିନି !’’

 

ତାଙ୍କ କଥା ନ ଶୁଣିଲା ପରି ମୁଁ ଆଗେଇଗଲି । ହାତଟାକୁ ଧରି ନାଡ଼ୀ ପରୀକ୍ଷା କଲି ।

 

ସେ ସୁଧାର ପିଲାଟିଏ ପରି ବିନା ବାଧାରେ ହାତ ଦେଖେଇଲେ । ନାଁକୁ ନାଡ଼ୀ ପରୀକ୍ଷାର ଛଳନା କରି କହିଲି, ‘‘ଚାଲନ୍ତୁ ।’’

 

‘‘କୁଆଡ଼େ ?’’

 

‘‘ଭିତରକୁ ।’’

 

‘‘ମୁଁ ଖରାବେଳେ ବିଶ୍ରାମ ନେବିନି ।’’

 

‘‘Blood Pressure ସାମାନ୍ୟ ବଢ଼ିଲା ପରି ମନେ ହେଉଚି । ଆଉ ଉତ୍ତେଜିତ ହେବାଟା ଭଲ ହବନି । ଆପଣ ଏତକ ଅନ୍ତତଃ ବୁଝିବା ଉଚିତ ।’’

 

‘‘ଶୁଣ ସମର ।’’

 

‘‘ଆଜ୍ଞା ।’’

 

‘‘ଜଗୁର ସାଙ୍ଗ ବୋଲି ମୁଁ ତୁମକୁ କିଛି କହୁନି ସିନା !’’

 

‘‘ତା ଠିକ୍‌ ।’’

 

‘‘ଏଣିକି କିନ୍ତୁ ଅନ୍ୟ ଡାକ୍ତରର ବ୍ୟବସ୍ଥା କରିବାକୁ ହେବ ଦେଖୁଚି ।’’

 

‘‘ମୁଁ କି ଭୁଲ କଲି କି ?’’

 

‘‘ତୁମ ପରି ଅନାଡ଼ି ହାତରେ ପଡ଼ିଲେ ଶେଷକୁ ଜୀବ ଥାଉ ଥାଉ ମଲାଙ୍କ ପରି ଦିନରାତି ବିଛଣାରେ ପଡ଼ିରହିବା ହିଁ ସାର ହେବ ।’’

 

‘‘ଟିକିଏ କଥା ମାନି ଚଳିଲେ ବିଛଣାରେ ପଡ଼ିରହିବା ଦରକାର ପଡ଼ିବନି ।’’

 

‘‘ଏଇ ନନ୍ଦିଆ କଥା ମାନି ମୁଁ ଚଳିବି ! ସେଟା ଗୋଟାଏ ଗଜମୂର୍ଖ ।’’

 

‘‘ମୋଟେ ନୁହେଁ । ନନ୍ଦ ମଉସା କଣ ମଣିଷ ଯେ ତା କଥା ମାନି ଆପଣ ଚଳିବେ ?’’

 

‘‘ତେବେ କାହା କଥା ମାନି ଚଳିବି ? କିଏ ଅଛି ଆଉ ?’’

 

‘‘ଡାକ୍ତରଙ୍କ କଥା ।’’

 

‘‘ତା ମାନେ ତୁମ କଥା !’’

 

‘‘ଏଇନେ ମୋ କଥା ମାନି ଚଳିବାକୁ ହେବ । ତାପରେ ମୋ ବଦଳରେ ଯିଏ ଆପଣଙ୍କ ଚିକିତ୍ସା କରିବେ ତାଙ୍କ କଥା ।’’

 

‘‘ଡାକ୍ତର ଆଜିକାଲି ଆଉ କାହାନ୍ତି କହିଲୁ ! ସବୁ ତ କପି କରି ନ ହେଲେ ପରୀକ୍ଷକଙ୍କୁ ଛୁରା ଦେଖେଇ ପାଶ୍‍ କଲେ । ସେମାନଙ୍କ ପାଖେ ଚିକିତ୍ସିତ ହବା ଅପେକ୍ଷା କଂସେଇ ପାଖକୁ ଯିବଟା ଭଲ ।’’ ମନ୍ତବ୍ୟଟା ଦେଇସାରି ମଉସା ମୁଣ୍ଡ ହଲେଇ ମନା କଲେ, ‘‘କସ୍ମିନ୍‌ କାଳେ ନୁହେଁ । ମୁଁ ଆଉ କାହା କଥା ମାନି ଚଳିବାକୁ ପ୍ରସ୍ତୁତ ନୁହେଁ ।’’

 

‘‘ନିଜ ମନ କଥା ତ ପୁଣି ମାନିବେ ?’’

 

‘‘ନିଶ୍ଚୟ ।’’

 

‘‘ଖାଲି ମୁହଁରେ କହୁଚନ୍ତି ଆପଣ ଏକଥା । କାଇଁ ନିଜ ମନକଥା ଶୁଣିଲା ପରି ତ ମୋର ମନେ ହେଉନି ।’’

 

‘‘ତୁ କଣ ସର୍ବଜ୍ଞ ହେଉଚୁ ଯେ ମୋ ମନ କଥା ଜାଣି ପକେଇଲୁ ।’’

 

‘‘ଆଚ୍ଛା ମଉସା, ମୋ କଥାର ଜବାବ ଦେଲେ ।’’

 

‘‘ପଚାର ।’’

‘‘କେତେଟା ବାଜିଲାଣି ଏଇଲେ ?’’

‘‘ଦି’ଟା ପନ୍ଦର ।’’ କାନ୍ଥ ଘଣ୍ଟାକୁ ଚାହିଁ ସେ ଉତ୍ତର ଦେଲେ ।

‘‘ରୋଜ କେତେବେଳେ ଆପଣ ଖାଆନ୍ତି ?’’

‘‘ଦଶଟା ।’’

‘‘ତା ମାନେ ଏଗାର, ବାର, ଗୋଟେ, ଦି’ଟା-ଚାରିଘଣ୍ଟା ଗଡ଼ିଗଲାଣି ।’’ ଗଣି ଗଣି ମୁଁ ହିସାବ ଦେଲି ।

‘‘ହଁ ।’’ ସେ ମାନିଲେ ।

‘‘ଖୁବ୍‌ ଭୋକ ହବଣି ତାହେଲେ ଆପଣଙ୍କୁ ?’’

‘‘ଏଥିରେ ଆଉ ସନ୍ଦେହ ନାହିଁ !’’

‘‘ମନ ହେଲେ କଣ ହବ ! ଆଜି ନିରୂପାୟ ।’’

‘‘କାହିଁକି ?’’

‘‘ପ୍ରତିଜ୍ଞା କରିଚି ପରା ।’’

‘‘କି ପ୍ରତିଜ୍ଞା ?’’

‘‘ନନ୍ଦିଆ ଏଘରୁ ନ ଯିବାଯାଏ ଅନ୍ନ ଜଳ ସ୍ପର୍ଶ କରିବିନି ।’’

‘‘ନନ୍ଦ ମଉସାକୁ ଏଇଲେ ବାହାର କରିଦେଲେ ରାତିକୁ ରୋଷେଇ କରିବ କିଏ ?’’

‘‘ଆଉ ଗୋଟେ ପୂଝାରୀ ଆସିବ ।’’

‘‘କୋଉଠୁ ?’’

‘‘ତୁ ଗୋଟେ ଖୋଜି ଆଣିଲୁ ସାଙ୍ଗେ ସାଙ୍ଗେ । ମୁଁ ତାକୁ ସାଙ୍ଗେ ସାଙ୍ଗେ ନିକାଲି ଦେବି-।’’

‘‘ଖୋଜିଲେ ବି ହଠାତ୍‌ ମିଳିବେ କୋଉଠୁ ? ଦି’ ଚାରି ଦିନ ସମୟ ତ ପୁଣି ଲାଗିବ ।’’

‘‘ତେବେ ଉପାୟ ?’’

‘‘ନୂଆ ଲୋକ ମିଳିବାଯାଏ ନନ୍ଦ ମଉସା କାମ ଚଳେଇଯାଉ ।’’

‘‘ମୁଁ ତ ତାକୁ ଶୁଣେଇ ଦେଲେଣି ଯେ ଆଉ ତା ମୁହଁ ଚାହିଁବିନି ବୋଲି ।’’

‘‘ଠିକ୍‌ ଅଛି । ମୁଁ ନନ୍ଦ ମଉସାକୁ କହିଦଉଚି ସେ ଜାଗା କରି ଭାତ ବାଢ଼ି ଦେଇ ରୋଷେଇ ଘରେ ଲୁଚି ବସିବ । ଆପଣ ତା ମୁହଁ ଆଉ ଦେଖିବାକୁ ପାଇବେ ନାହିଁ । ଚୁପଚାପ ଯାଇ ଖାଇ ଦେଇ ଉଠି ଆସିବେ ।’’

‘‘ମନ୍ଦ ନୁହେଁ ।’’ ମଉସା ଟିକିଏ ଚିନ୍ତା କରି ସାରି କହିଲେ ।

‘‘ତେବେ ଉଠନ୍ତୁ ।’’

‘‘ଚାଲ । ତା ହେଲେ ତୁ ତାକୁ କହିବୁ ଭାତ ବଢ଼ିବାକୁ । ମୁଁ କଥା କହିବିନି ମୋଟେ ତାକୁ-।’’ ସେ ସର୍ତ୍ତ ରଖିଲେ ।

 

‘‘ହଉ ।’’

 

ଏମିତି ବକ ବକ ହେଇ ରାଜି କରେଇଲି ଗୋକୁଳି ମଉସାଙ୍କୁ । ମତେ ବି ସେଦିନ ତାଙ୍କ ସାଙ୍ଗେ ବସି ଖାଇବାକୁ ପଡ଼ିଲା ।

 

ନନ୍ଦ ମଉସା ବଢାବଢ଼ି କରିସାରି ଭିତରୁ ଡାକିଲା, ‘‘ଆସ ଖାଇବ ।’’

 

ଆମେ ଦୁହେଁ ଭିତରକୁ ଗଲୁ ।

 

ସୁବିମଳବାବୁ କିନ୍ତୁ ଏକଲୟରେ ନିର୍ବିକାର ଖେଳି ଲାଗିଲେ ଏକା ଏକା ଦି’ପଟର ଗୋଟି ଚଳେଇ । ଆମ କଥାଭାଷା ସେ ଶୁଣିଲାପରି ଲାଗିଲା ନାହିଁ ।

 

ଖାଇ ବସିବାମାତ୍ରେ ଗୋକୁଳି ମଉସା ଆରମ୍ଭ କଲେ, ‘‘ନନ୍ଦ.....ଏ ନନ୍ଦ ।’’

 

‘‘କଣ ?’’ ରୋଷେଇ ଘର ଭିତରୁ ନନ୍ଦ ମଉସା ଜବାବ ଦେଲା ।

 

‘‘ମାଇକିନାଙ୍କ ପରି କବାଟ କଣରେ ପଶିଚୁ କାହିଁକି ? ବାହାରକୁ ଆସି ଜବାବ ଦେଇ ପାରୁନୁ ।’’

 

‘‘ମୋ ମୁହଁ ପରା ଆଉ ଚାହିଁବନି !’’

 

‘‘ଖାଇବିନି କହୁଚି, ଉଠିଯିବି ।’’ ଗୋକୁଳି ମଉସା ଡରେଇଲେ ।

 

ନନ୍ଦ ମଉସା ମୁଚୁକି ହସି ବାହାରି ଆସି କହିଲା, ‘‘କଣ କୁହ ।’’

 

‘‘ତୋ ମୁଣ୍ଡରେ ବୁଦ୍ଧି ବୃତ୍ତି ଅଛି ନା ନାହିଁ ?’’ ଗୋକୁଳି ମଉସା ପଚାରିଲେ ।

 

‘‘ତୁମେ ଜାଣିଥିବ । ଏତେଦିନ ପରା ରହିଲିଣି ତୁମ ପାଖେ ।’’

 

‘‘ଥିଲା ପରି ତ ମୋର ମନେ ହେଉନି ।’’

 

‘‘ତେବେ ନ ଥିବ ।’’

 

‘‘Blood Pressure ଯୋଗୁ ମୁଁ ଅଲଣା ଖାଇବି ବୋଲି କଣ ସମର ବି ସେଇଆ ଖାଇବ !’’

 

‘‘ମୋର ସବୁ ଠିକ୍‌ ଅଛି ମଉସା !’’ ମୁଁ କହିଲି ।

 

‘‘କେମିତି ଠିକ୍‌ ରହିଲା ତୁମ ଡାଲି ତରକାରୀ ।’’

 

‘‘ତାଙ୍କ ପାଇଁ ଲୁଣ ଗୋଳେଇ ଦେଇଚି ।’’ ନନ୍ଦ ମଉସା ବୁଝେଇଦେଲା ।

 

‘‘କିଛି ନ କହିଲାରୁ ଦେଖୁଚି ଦିନକୁଦିନ ତୁ ବେଶି ବେଶି ଫାଜିଲ ହେଲୁଣି ।’’ ଗୋକୁଳି ମଉସା ହଠାତ୍‌ ବଦଳିଯାଇ ମତେ ଲକ୍ଷ୍ୟ କରି କହିଲେ, ‘‘ସମର ତୁ ଆଉ ଗୋଟେ ଲୋକ ମୋ ପାଇଁ ବୁଝିଦେଲୁ । ୟାକୁ ନେଇ ଆଉ ଚଳିବନି । ଦେଖ ନନ୍ଦ, ମତେ ଆଉ ଦୋଷ ଦବୁନି ! ଏତେକାଳର ପୁରୁଣା ଲୋକ ତୁ । କିନ୍ତୁ ଆଉ ତୋ ସାଙ୍ଗ ଚଳିବା ସମ୍ଭବ ନୁହେଁ ।’’

 

‘‘ଆଗ ଖାଇଦିଅ । ଖାଇଲାବେଳେ ଏତେ ବକବକ ହେଲେ ରକ୍ତ ଚହଟିଯିବ ମୁଣ୍ଡକୁ ।’’ ଗୋକୁଳି ମଉସାଙ୍କ ମନ୍ତବ୍ୟଗୁଡ଼ାକ ଦେହକୁ ନ ନେଇ ନନ୍ଦ ମଉସା ସାଧାରଣ ଭାବରେ ଉତ୍ତର ଦେଲା ।

 

‘‘ଦେଖିଲୁ ତ ସମର ତା ରଙ୍ଗଢ଼ଙ୍ଗ ।’’

 

‘‘ନନ୍ଦ ମଉସା ତ ଠିକ୍‌ କହୁଚି । ଆପଣ ଚୁପ୍‌ଚାପ୍‌ ଆଗ ଖାଇ ଦେଲେ ।’’ ମୁଁ ପରାମର୍ଶ ଦେଲି ।

 

‘‘ଖାଇ ବସିଲିଣି ଯେତେବେଳେ ଖାଇବି ତ ଯେମିତି ହେଲେ । ତେବେ ତୁ କହତ ସବୁ କଥାରେ ମତେ ଏମିତି ଅପଦସ୍ତ କରିବାର ମାନେ ?’’

 

‘‘ଅପଦସ୍ତ କଣ କଲା ସେ !’’

 

‘‘ତୁ ଘର ପୁଅ ବୋଲି ସିନା ତୋ ଆଗରେ ଏଇ ଲୁଣ ପକେଇବା କଥା ସହି ହେଇଗଲା । ଆଜି ତା ଜାଗାରେ ଆଉ କିଏ ବସିଥିଲେ ମତେ ଅପମାନ ଲାଗନ୍ତାନି ?’’

 

‘‘ଏଥିରେ ଅପମାନର କଥା କୋଉଠି ରହିଲା ?’’

 

‘‘ଅପମାନ ଲାଗିବାର ନାହିଁ ! ତୋ ଜାଗାରେ ଆଉ କିଏ ଥିଲେ ମତେ କଣ ବୋଲି ଭାବିଥାନ୍ତା ଜାଣୁ ?’’

 

ମୁଁ ଉତ୍ତର ନ ଦେଇ ତାଙ୍କୁ ଚାହିଁଲି ।

 

ସେ ନିର୍ବିକାର କହି ଚାଲିଲେ, ‘‘ସେ ନିଶ୍ଚୟ ଭାବିଥାନ୍ତା ମୁଁ ଗୋଟାଏ ବୋକା ।’’

 

‘‘କାହିଁକି ?’’ ମୁଁ କାବା ହୋଇ ପଚାରିଲି

 

‘‘ସେ ଭାବିଥାଆନ୍ତା ଏ ଲୋକଟା ବୋକା ବୋଲି ଚାଳିଶ ବର୍ଷକାଳ ଜଣକ ସାଙ୍ଗେ ରହିଲା ପରେ ବି ତାକୁ ଚିହ୍ନିପାରିନି । ଓଲଟି ପଚାରୁଚି ତରକାରୀରେ ଲୁଣ ପକେଇଚି କି ନାହିଁ ।’’

 

ଏକଥାର କଣ ଉତ୍ତର ଦେବି କିଛି ଭାବି ପାରିଲି ନାହିଁ । ବଡ଼ କଷ୍ଟରେ ହସ ସମ୍ଭାଳି ତଳକୁ ମୁହଁ ପୋତି ଖାଇବାରେ ମନ ଦେଲି ।

 

ନନ୍ଦ ମଉସା ଆଉ ଡଙ୍କିଏ ତରକାରୀ ପକେଇଦେଲା ଗୋକୁଳି ମଉସାଙ୍କ ତାଟିଆରେ ।

 

‘‘ଏଇ ବଦଗୁଣ ତୋର ଗଲାନି ନନ୍ଦ । ତୁ ତ ଜାଣିଚୁ ବେଶି ଖାଇଲାରୁ ମୋର Blood Pressure ବାହାରିଚି । ସେଥିପାଇଁ କେତେଥର କହିଲିଣି ଯେ ମୁଁ ତତେ ଅଧିକ ଖାଇବାକୁ ମାଗିଲେ ବି ତୁ ନାହିଁ କରିଦେବୁ ! ତୁ ଓଲଟି ମୁଁ ନ ମାଗିଲେ ବି ଆଣି ଢାଳି ଦଉଚୁ ।’’

 

‘‘ଖାଇଦେଲ ଆଗ । ପରେ ବକବକ ହବ ।’’ ନନ୍ଦ ମଉସା ଶାସନ କଲା ।

 

ଗୋକୁଳି ମଉସା ପାଟିକୁ ଗୁଣ୍ଡାଏ ଭାତ ନେଲେ । ଲାଗ ଲାଗ ଚାରିଗୁଣ୍ଡା ଖାଇଲା ପରେ ପାଣି ଢୋକେ ପିଇ ପୁଣି ବକରବକର ହେଲେ ।

 

ଚିଡ଼ି ମାଡ଼ୁଥିଲେ ବି ହସ ହସ ମୁହଁରେ ମୁଁ ବସି ରହିଲି ।

 

ପୂରା ପଇଁଚାଳିଶ ମିନିଟ ଲାଗିଥିଲା ସେଦିନ ଖିଆ ସରିବାକୁ । ତାପରେ ବସାକୁ ଫେରି ଟିକିଏ ବିଶ୍ରାମ ନେବାକୁ ଚେଷ୍ଟା କଲି । ଆଉ ଠିକ୍‌ ଛାଇ ନିଦଟାଏ ଲାଗି ଆସିଲା ବେଳକୁ ଗୋକୁଳି ମଉସାଙ୍କ ପାଟିରେ ଚମକିପଡ଼ି ଉଠି ବସିଲି ।

 

-ମଲା.....ମଲା...ଘୋଡ଼ା ମଲା...ଦେଖିଲେ କେମିତିକା ଚାଲଟାଏ ଚଳେଇଲି....ଆସନ୍ତୁ ଏଥର...ଆଉ ଗୋଟାଏ ଚାଲରେ ବାଜି ମାତ୍‌-ଗୋକୁଳି ମଉସାଙ୍କ ପାଟିରେ ଗଳିଟା କମ୍ପି ଉଠିଲା ।

 

ନିଦ ଭାଙ୍ଗି ଗଲାରୁ ମତେ ବଡ଼ ବିରକ୍ତ ଲାଗିଲା । ଭାବିଲି, ଏଠି ରହିବାଟା ହିଁ ମୋର ଭୁଲ ହୋଇଛି । କାହିଁକି ଭଲା ମୁଁ ରାଜି ହେଲି ଏବେ ଆଉ ଶହେଟଙ୍କା ଅଧିକ ଭଡ଼ା ଗଣି ବସାଘରଟାଏ ନେଇଥାନ୍ତି କୋଉଠି ।

 

ଛଅମାସ ତଳର କଥା ହେଲାଣି । ମୁଁ ବଦଳି ହୋଇ ଆସିଥାଏ ସିଟି ହସ୍‌ପିଟାଲକୁ । ରହୁଥାଏ ଗୋଟାଏ ସାଧାରଣ ଲଜିଂରେ । ଚିହ୍ନା ପରିଚୟ ସମସ୍ତଙ୍କୁ ରୋଜ ନେହୁରା ହେଉଥାଏ ସାଧାରଣ ଭଡ଼ାଘରଟିଏ ଯୋଗାଡ଼ କରି ଦବା ସକାଶେ ।

 

ବସାଘର ଦି’ ଚାରିଟାର ଖବର ଅବଶ୍ୟ ମାସେ ଦୁଇମାସ ଭିତରେ ପାଇଥିଲି । ତେବେ ଭଡ଼ାର ମାତ୍ରା ଶୁଣି ଆଖି ଖୋସି ହୋଇଯାଇଥିଲା ମୋର । ଏତିକିବେଳକୁ ଦିନେ ଜଗତ ସାଙ୍ଗେ ମୋର ଭେଟ ହୋଇଗଲା ହସ୍ପିଟାଲରେ । ସେ ଆସିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାକଙ୍କଠାରୁ ଫିଟନେସ୍‌ ସାର୍ଟିଫିକେଟ ନେବାକୁ । ସାର୍ଟିଫିକେଟ ନେଲା ପରେ ଯାଇ ଯୋଗଦେବ ଚାକିରିରେ ।

 

ଜଗତ ଓ ମୁଁ ଏକା ବର୍ଷ ରେଭେନ୍‌ସାରେ ନାମ ଲେଖେଇଥିଲୁ । ଖୁବ୍‌ ସାଙ୍ଗ ହେଇଥିଲୁ ସେତେବେଳେ ଆମେ ଦୁହେଁ ।

 

ଆଇ. ଏସ ସି. ପାଶ କରି ମୁଁ ଡାକ୍ତରୀ ପଢ଼ିବାକୁ ଚାଲିଗଲି ବୁର୍ଲା କଲେଜକୁ । ସେ କିନ୍ତୁ ରେଭେନ୍‌ସାରେ ବି. ଏ. ପଢ଼ିଲା । ତା ପରଠୁ ତା-ମୋ ଭିତରେ ସମ୍ପର୍କ ତୁଟି ଯାଇଥିଲା ଏକପ୍ରକାର-

 

ମତେ ଦେଖିବାମାତ୍ରେ ସେ ଖୁସି ହୋଇ କହିଲା, ‘‘ସମର, ତୁ ଏଠି !

 

‘‘ଚାରିମାସ ହେଲା ଆସିଚି ।’’

 

‘‘ରହୁଚୁ କୋଉଠି ?’’

 

‘‘କଟକ ଲଜିଂରେ ।’’

 

‘‘କ୍ୱାର୍ଟର ମିଳିନି ?’’

 

‘‘କାଇଁ ଯେ ମିଳିବ ?’’

 

‘‘ଭଡ଼ା ଘରଟାଏ ନଉନୁ । ଲଜିଂରେ ତ ବହୁତ ଖର୍ଚ୍ଚ ପଡ଼ୁଥିବ ।’’

 

‘‘ମିଳୁଚି କୋଉଠୁ ?’’

 

‘‘ତା ବି ସତ । କଟକ ସହରରେ ଆୟକୁ ଚାହିଁ ଭଲ ଭଡ଼ା ଘରଟାଏ ମିଳିବା କଷ୍ଟ ।’’ ଦେଇସାରି ସେ ଯୋଡ଼ିଲା, ‘‘ରହିବୁ ଗୋଟେ ଘରେ । ଆଜ୍‌ବେଷ୍ଟ୍‌ସ ଏକା ।’’

 

‘‘କୋଉଠି ?’’

 

‘‘ଆମ ବସା ଆଗରେ । ମୋଟେ ଦି’ବଖରା, ଛୋଟ ପରିବାରଟିଏ ପାଇଁ ଯଥେଷ୍ଟ ।’’

 

‘‘ପରିବାର ନାହିଁ । ମୁଁ ଏକା ।’’

 

‘‘ବାହା ହେଇନୁ ?’’

 

‘‘ନା, ଆଉ ତୁ ?’’

 

‘‘ସୁଯୋଗ ମିଳିନି ।’’

 

‘‘କେତେ ଭଡ଼ା ?’’

 

‘‘ଦେଲେ ଭଲ, ନ ଦେଲେ ବି ଚଳିବ ।’’

 

‘‘ମାନେ ?’’

 

‘‘ମୋ ଭିଣୋଇଙ୍କର । ଖାଲି ପଡ଼ିଚି । ଏଇଲାଗେ ଭଡ଼ାଦବାକୁ ଚାହାନ୍ତିନି । ପରେ କୋଠା ତୋଳିଲେ ଭଡ଼ା ଦେବେ ।’’

 

‘‘ନା ଭାଇ ଚଳିବନି । ବିନା ଭଡ଼ାରେ ରହିବାକୁ ସୁଖ ଲାଗିବନି ।’’

 

‘‘ହେଲା ଏବେ ପଚାଶ ଟଙ୍କା ଦବୁ ।’’

 

‘‘ଏତେ କମ୍‌ !’’

 

‘‘ସନ୍ଧ୍ୟାକୁ ଆ, ଘରଟା ଦେଖେଇ ଦେବି ।’’ ସେ ମୋ ପ୍ରତିବାଦକୁ ଭ୍ରୁକ୍ଷେପ କଲା ନାହିଁ-। ସେଇଠି ଠିଆ ଠିଆ ପକେଟର ଖଣ୍ଡେ ସାଦା କାଗଜ କାଢ଼ି ସେ ନକ୍‌ସା କାଟି ବତେଇଦେଲା ମତେ ଜାଗାଟା ।

 

ତା ମନ ରଖିବାକୁ କାଗଜ ଖଣ୍ଡକ ନେଇ ପକେଟରେ ରଖିଲି । ପୁରୁଣା ବନ୍ଧୁତା ନିଜ କାମ ପକେଇ ରଖି ତା ପାଇଁ ସବୁ ବ୍ୟବସ୍ଥା ମଧ୍ୟ ଲାଗିପଡ଼ି କରିଦେଲି । ଘଣ୍ଟାକ ଭିତରେ ତାକୁ ସାର୍ଟିଫିକେଟ ମିଳିଗଲା । ବିଦା ହେଲାବେଳେ ସେ ପୁଣି ଥରେ ମନେ ପକେଇ ଦେଇଗଲା-ସନ୍ଧ୍ୟାକୁ ତା ସାଙ୍ଗେ ଦେଖା କରିବାକୁ ।

 

ସନ୍ଧ୍ୟା ସାତଟାକୁ ମୁଁ ଖୋଜି ଖୋଜି ଯାଇ ତା ବସାରେ ପହଞ୍ଚିଲି । ନୂଆ କଲୋନୀର ଗଳିଟା ଅଣଓସାରିଆ ହେଲେ ମଧ୍ୟ ଅଞ୍ଚଳଟା ନିରୋଳା, ପରିଚ୍ଛନ୍ନ ଓ ଭଦ୍ରଲୋକ ପଡ଼ା । ସାମନାସାମନି ଚାରିଟା କରି ଆଠଟା ଘର ମୋଟେ ଅମୁହାଁ ଗଳିଟାରେ । ସେଥିରୁ ଶେଷଟା ହେଲା ଜଗତର । ଜାଗା ଚାରିଗୁଣ୍ଠ କି ତାଠୁ ବେଶି ହେବ । ପାଚେରୀ ବୁଲିଚି ଚାରିପଟେ । ରାସ୍ତାଠୁ ଆଠ-ଦଶ ଫୁଟଯାଏ ଛାଡ଼ି ଛୋଟ ଏକମହଲା କୋଠା ଘରଟାଏ । ଆୟୁଷ ବି ବେଶି ନୁହେଁ । ଅତି ଜୋର ଦଶ-ବାରବର୍ଷ ହେବ ବୋଧହୁଏ । ଦୁଆର, ଝରକା, କାନ୍ଥ ସବୁ ଏବେ ବି ଚକଚକ କରୁଚି । ମନେହେଲା ମାଲିକ ବେଶ ଯତ୍ନ ନେଉଚନ୍ତି ଘରଟାର ।

 

ମୁଁ ଦାଣ୍ଡ ଫାଟକ ପାଖେ ସ୍କୁଟର ରଖି ଡାକିଲି, ‘‘ବେହେରା ବେହେରା.....’’

 

ଦାଣ୍ଡଘର ଭିତରୁ ଜବାବ ମିଳିଲା, ‘‘କିଏ ! ଭିତରକୁ ଆସ ।’’

 

ଫାଟକ ଖୋଲି ଭିତରକୁ ପଶିଲି । ବାରଣ୍ଡାକୁ ଉଠି ଦାଣ୍ଡ ଘରଟାର ପରଦା ଟିକିଏ ଆଡ଼େଇ ଭିତରକୁ ଚାହିଁଲି । ଅନ୍ଦାଜ ବାର ଫୁଟରେ ଚଉଦ ଫୁଟର ଘର ବଖରାଏ । ମଝିରେ ଗୋଟାଏ ଟେବୁଲ ଓ ଦି’ଟା ଚୌକି । ଭିତର ଆଲୁଅ ଅତି ସାମାନ୍ୟ । ସାମନା କାନ୍ଥରେ ଝୁଲୁଛି ଜଣେ ମା ’ ବୟସର ନାରୀଙ୍କ ବନ୍ଧେଇ ଫଟୋ । ଅଳ୍ପ ଆଲୁଅରେ ମନେ ହେଉଚି ସତେ ଯେମିତି ଦେବୀ ମୂର୍ତ୍ତି । ଆଉ କେହି କୁଆଡ଼େ ଥିଲା ପରି ଲାଗୁନାହିଁ ।

 

‘‘କବାଟ କଣରେ ସୁଇଚ ଅଛି, ମାର’’ ଭିତରୁ ନିର୍ଦ୍ଦେଶ ମିଳିଲା ।

 

ମୁଁ ସୁଇଚ ଟିପିଲି । । ଘରସାରା ଆଲୁଅ ହୋଇଗଲା । ତାପରେ ଦେଖିଲି, ବାଁ କଡ଼କୁ କବାଟ ଆଢ଼ୁଆଳରେ ବାହାର ଝରକା ପାଖକୁ ଲାଗି ପଡ଼ିଚି ଖଣ୍ଡେ ବେତବୁଣା ଆରାମ ଚୌକି, ପୁରୁଣାକାଳିଆ । ତାରି ଉପରେ ବିଶ୍ରାମ ନଉଚନ୍ତି ଜଣେ ବୃଦ୍ଧ । ଉଚ୍ଚତା ସାଧାରଣ, ସ୍ୱାସ୍ଥ୍ୟ ଭଲ । ବୋଧହୁଏ ଛାଇ ଅନ୍ଧାରରେ ଶୋଇରହି ସାମନା କାନ୍ଥରେ ଝୁଲୁଥିବା ସେଇ ଦେବୀ ପ୍ରତିମାକୁ ଚାହିଁ ରହି ସମୟ କାଟୁଥିଲେ ପଛକଥା ମନେ ପକେଇ ।

 

ସେ କହିଲେ, ‘‘ବସ ।’’

 

ଚୌକିରେ ବସୁ ବସୁ ପଚାରିଲି, ‘‘ଜଗତ ନାହିଁ ?’’

 

ମୋ ପ୍ରଶ୍ନର ଉତ୍ତର ନ ଦେଇ ସେ ଓଲଟି ପଚାରିଲେ, ‘‘ତୁମ ନାଁ କଣ ?’’

 

‘‘ସମର ବଲ୍ଲଭ ଦାସ ।’’

 

‘‘ବାପାଙ୍କ ନାଁ ?’’

 

‘‘ରାଧାବଲ୍ଲଭ ଦାସ ।’’

 

‘‘ନିବାସ ?’’

 

‘‘ଦଶପଲ୍ଲା ।’’

 

‘‘କଣ କର ?’’

 

‘‘ଡାକ୍ତର ।’’

 

‘‘କୋଉଠି ?’’

 

‘‘ସିଟି ହସ୍ପିଟାଲରେ ।’’

 

ତାପରେ ସେ ମୋ ଉପସ୍ଥିତି ଭୁଲିଯାଇ ଡାକ ପକେଇଲେ, ‘‘ନନ୍ଦ..... ଏ ନନ୍ଦିଆ ।’’

 

‘‘ଯାଉଚି ।’’ ବୋଲି ଭିତରୁ ଜବାବ ଦେଇ ନନ୍ଦ ମଉସା ଟିକିଏ ପରେ ମୁହଁ ଦେଖେଇଲା, ‘‘କଣ କହୁଚ ?’’

 

‘‘ବୁଢ଼ାଟିଏ ହେଲୁ । ବୁଦ୍ଧି ଶୁଦ୍ଧି ତୋର ଆଉ କେବେ ହେବ ?’’

 

‘‘କାହିଁକି, କଣ ହେଲା ?’’

 

‘‘ଦେଖୁଚୁ ଭଦ୍ରଲୋକ ବସିଚନ୍ତି । ଚା’ ପାଣି ଟିକିଏ ଦବାର ନାଁ ଗାଁ ନାହିଁ ।’’

 

‘‘ମୁଁ ତ ରୋଷେଇଘରେ ଥିଲି । କେମିତି ଜାଣିବି ଭଦ୍ରଲୋକ ଆସିଚନ୍ତି ବୋଲି । ଡାକଟେ ମାରି ଦେଲନି ।’’ କହୁ କହୁ ନନ୍ଦ ମଉସା ପୁଣି ଭିତରକୁ ଚାଲିଗଲା ।

 

‘‘ଦେଖୁଚ ତ କେମିତିକା ଅଭଦ୍ର । ମୁହେଁ ମୁହେଁ ଜବାବ । ନା, ତାକୁ ନେଇ ଆଉ ଚଳି ହବନି ।’’ ମତେ ଶୁଣେଇ କହିଲା ପରେ ସେ କଥା ବୁଲେଇଲେ, ‘‘ଜଗୁ ପାଖେ ତୁମର କି କାମ ?’’

 

‘‘ସେ କହୁଥିଲା ଏଠି ବସାଘରଟାଏ ଖାଲି ଅଛି ବୋଲି ।’’

 

ହୋ ହୋ ହୋଇ ହସି ଉଠି ସେ ମନ୍ତବ୍ୟ ଦେଲେ, ‘‘ସେଇଟା ବି ଗୋଟେ ଗଜ । ସେ ଘରେ କଣ କିଏ ପରିବାର ନେଇ ଚଳି ପାରିବ ?’’

 

‘‘ପରିବାର ନାହିଁ, ମୁଁ ଏକୁଟିଆ ।’’

 

‘‘ଏଁ.....ପରିବାର ନାହିଁ ! ତେବେ ସହର-ବଜାରରେ ଚଳିବ କେମିତି ? ରୋଷେଇ କରି ଦବ କିଏ ?’’

 

‘‘ହୋଟେଲରେ ଖାଇବି ।’’

 

‘‘ତୁମେ ତ ତାହେଲେ ଭଲ ଡାକ୍ତର ନୁହଁ, ଦେଖୁଚି ।’’

 

ତାଙ୍କ ମନ୍ତବ୍ୟଟା ସୁଖ ଲାଗିଲାନି ମତେ । ତଥାପି ଚୁପ ରହିଲି । ମନେ ମନେ ଧରିନେଲି ଯେ ଭଦ୍ରଲୋକ ହୁଏତ ଆଡ଼ପାଗଳ ।

 

ସେ ତାଙ୍କ ମନକୁମନ କହି ଲାଗିଲେ, ‘‘ଠିକ ଡାକ୍ତର ହେଇଥିଲେ କହି ଥାଆନ୍ତ ଯେ ପାଣିଠୁ ନେଇ ଦୁନିଆଯାକର ସବୁ ଖାଇବା ଜିନିଷ ସିଝେଇ କରି ଖାଇବ । ହୋଟେଲ ଖିଆ ବାରଣ, ଲୁଣ ବି କମ୍‌...’’

 

‘‘କାହିଁକି ଭଲା ପିଲାଟା ସାଙ୍ଗେ ବକବକ ହଉଚି ଶୁଣେ ! ଦିନସାରା ବକରବକର ହୋଇ ତଥାପି ମନ ମାନୁନି ! ସିଏ ତ ଆସିଚନ୍ତି ଜଗୁ ପାଖକୁ କାମରେ । ତୁମର ଏତେ ଜେରା କରି ଲାଭ ?’’ କହୁ କହୁ ନନ୍ଦ ମଉସା ଚାହା ଧରି ଭିତରକୁ ପଶିଲା ।

 

‘‘ଆଉ କଣ ମୁହଁ ବନ୍ଦକରି ଦିନରାତି ପଡ଼ିଥିବି ଘରଟା ଭିତରେ !’’ ତାପରେ ନିଜ ଚାହା କପ୍‌ଟାକୁ କ୍ଷଣକାଳ ଚାହିଁ ରାଗିଲା ଭଳି ସ୍ୱରରେ ସେ କହିଲେ ‘‘ନନ୍ଦିଆ ।’’

 

‘‘କଣ !’’

 

‘‘ଇଏ କଣ ?’’ ସେ ନିଜ ଚାହା କପ୍‌ଟା ଇସାରାରେ ଦେଖେଇ ଦେଲେ ।

 

‘‘ଚାହା ।’’

 

‘‘ମୋ ପାଇଁ ଅଧକପେ କାହିଁକି ?’’

 

‘‘ଡାକ୍ତର ପରା ମନା କରିଚନ୍ତି ବେଶି ଚାହା ଖାଇବାକୁ ।’’

 

‘‘ସେ ସିନା ଏକା ବସି ଚାହା ପିଉଥିଲାବେଳେ । ତା ବୋଲି କଣ ଭଦ୍ରଲୋକଙ୍କ ସାଙ୍ଗେ ବସି ଏକାଠି ଚାହା ପିଇଲାବେଳେ ତୁ ଅଭଦ୍ରଙ୍କ ପରି ମତେ ତାଙ୍କ ଆଗରେ ଆଣି ଅଧକପେ ଚାହା ଦବୁ ! ଉଠେଇନେ ଚାହା, ମୁଁ ମୋଟେ ପିଇବିନି ।’’ ସେ ମୁହଁ ଫେରେଇ ଅଭିମାନ କଲେ ।

 

ନ ଶୁଣିଲା ଭଳି ନନ୍ଦ ମଉସା ଚାଲିଗଲା ସେଠୁ ଜବାବ ନ ଦେଇ ।

 

ଏତିକିବେଳକୁ ଜଗତ ଆସି ପହଞ୍ଚିଗଲା । ସାଇକେଲଟା ବାରଣ୍ଡାର ଗୋଟାଏ କୋଣକୁ ଉଠେଇ ରଖି ସେ ଘର ଭିତରକୁ ପଶି ଆସି ପଚାରିଲା, ‘‘କେତେବେଳୁ ଆସିଲୁଣି ସମର-?’’

 

‘‘ଏଇତ ଆସିଲି ।’’ ମୁଁ ଜବାବ ଦେଲି ।

 

‘‘ଜଗୁ’’ ମଉସା ପୁଅକୁ ଡାକିଲେ ।

 

‘‘କଣ ବାପା !’’

 

‘‘ନନ୍ଦକୁ ନେଇ ମୁଁ ତ ଆଉ ଚଳି ପାରିବିନି ଦେଖୁଚି ।’’ ସେ ପୁଅ ଆଗରେ ଅଭିଯୋଗ କଲେ ।

 

‘‘ନନ୍ଦ ମଉସା ପୁଣି କଣ କଲା ?’’

 

‘‘ଚାହାଁ ମୋ ଚାହା କପ୍‌କୁ ।’’

 

ଜଗତ ଚାହା କପଟାକୁ ଚାହିଁ ଉତ୍ତର ଦେଲା, ‘‘ଠିକ୍‌ ତ ସଫାସୁତୁରା ଅଛି ।’’

 

‘‘ମୁଁ କଣ ସେକଥା ଦେଖଉଚି ତତେ ?’’

 

‘‘ଆଉ ତେବେ ?’’

 

‘‘ତା ଅକଲ ଦେଖ । ଭଦ୍ରଲୋକ ବସିଚନ୍ତି । ସାଙ୍ଗ ହେଇ ଚାହା ପିଇବୁ । ତାଙ୍କୁ ଦେଲା କପେ । ମତେ ଦେଇଚି ଅଧକପେ । ସତେ ଯେମିତି ସେ ଘର ମାଲିକ, ଆଉ ମୁଁ ତା ଗୋଲାମ ।’’

 

‘‘ତୁମେ ପିଇଦିଅ ବାପା । ମୁଁ ନନ୍ଦ ମଉସାକୁ ତାଗିଦ କରିଦଉଚି । ଏଣିକି ଏମିତିକା କାମ କଲେ ମଉସାକୁ ନିକାଲିଦବା ।’’ ଅଝଟ ପିଲାଙ୍କୁ ମାଆ ବୁଝେଇଲା ପରି ଜଗତ ସାନ୍ତ୍ୱନା ଦେଲା ବାପାଙ୍କୁ ।

 

ଜଗତ ମତେ ଡାକିନେଲା ସେଠୁ । ଘରୁ ଭିତରକୁ ଯାଇ ଚାବି ଆଣି ତାଙ୍କ ଘର ସାମନା ଘରଟା ଖୋଲି ଦେଖେଇଲା ମତେ । ଆଜ୍‌ବେସଟସର ଘର ଦି’ବଖରା । ଆଲୁଆ ପାଣିର ବ୍ୟବସ୍ଥା ରହିଛି । ତଳ ପକ୍‌କା । କୂଅଟାଏ ବି ରହିଚି ବିପଦଆପଦକୁ । ଛୋଟ ପରିବାରଟିଏ ଚଳିବା ସକାଶେ ଅସୁବିଧା ତୁଳନାରେ ସୁବିଧା ଯଥେଷ୍ଟ ବେଶି ।

 

ଘରଟା ଦେଖିସାରି ପୁଣି ଥରେ ପଚାରିଲି, ‘‘କେତେ ଭଡ଼ା ?’’

 

‘‘ଯେତେ ଦେଇପାରିବୁ ।’’

 

‘‘ମାନେ ?’’

 

‘‘ନ ଦେଲେ କିଛି ବୁଝିପାରୁନି ତୋ କଥା ।’’

 

‘‘ଭଡ଼ା ନ ଦେଲେ ବି ଚଳିବ; କିନ୍ତୁ.....’’

 

‘‘କହୁନୁ ।’’

 

‘‘ଦେଖ ସମର, କହିବାକୁ ଗଲେ ଘରଟା ଆମ ବିମଳୀ ନାନୀର । ସନ୍ତୋଷ ଭାଇନା–ଏଇଲେ ଭବାନୀପାଟଣାରେ ଡି.ଏସ୍‌.ପି । ନନ୍ଦ ମଉସାର ଜୋଇଁ କଟକ ବଦଳି ହୋଇ ଆସିବାର ଥିଲା । ତେଣୁ ଖାଲି ପକେଇ ରଖାଯାଇଚି । ଏଇଲେ କିନ୍ତୁ ବଦଳି ହେବାର ଆଶା ଆଉ ନାହିଁ ।’’

 

‘‘ସେ ପୁଣି କେବେ ଆସିବେ ?’’

 

‘‘ସରକାରଙ୍କର ଯେବେ ଦୟା ହେବ ।’

 

‘‘କେତେ ଭଡ଼ା ଠିକ୍‌ ଠିକ୍‌ କହ ।’’

 

‘‘କହିଲି ପରା ଭଡ଼ା ନ ଦେଲେ ବି ଚଳିବ । ତେବେ ବାପାଙ୍କ ଭଲମନ୍ଦ ତତେ ରୋଜ ଖବର ନବାକୁ ପଡ଼ିବ ଏଠି ଥିବାତକ ।’’

 

‘‘ତାଙ୍କ ଭଲ ମନ୍ଦ ଆଉ କଣ ବୁଝିବି ?’’

 

‘‘ବାପାଙ୍କ ସାଙ୍ଗେ ତ ଏଇଲାଗେ ବସି ଗପୁଥିଲୁ । ସେଇଥିରୁ କଣ ବୁଝି ପାରିଲୁନି ସେ କେମିତିକା ଲୋକ ।’’

 

‘‘ପ୍ରକାରେ ବୁଝୁଚି ।’’

 

‘‘ସାଙ୍ଗକୁ Blood Pressure ବି ଅଛି । ତେଣୁ ନନ୍ଦ ମଉସା ସାଙ୍ଗେ ମିଶି ତତେ ତାଙ୍କୁ ଏକପ୍ରକାର ସମ୍ଭାଳିବାବୁ ପଡ଼ିବ ।

 

‘‘ଠିକ୍‌ ଅଛି । ତୋ ବନ୍ଧୁ ହିସାବରେ ଏତକ ଦାୟିତ୍ୱ ମୁଁ ମୁଣ୍ଡେଇବାକୁ ରାଜି । କିନ୍ତୁ ପ୍ରତି ମାସରେ ଶହେଟଙ୍କା କରି ଭଡ଼ା ଦେବି ।’’

 

‘‘ତୋ ଇଚ୍ଛା; କିନ୍ତୁ ମୁଁ ବାଧ୍ୟ କରିବିନି ।’’

 

‘‘ଆଗପଛ ନ ବିଚାରି ମୁଁ ରାଜି ହୋଇଗଲି ସେଦିନ ସେଠି ରହିବି ବୋଲି । ଆଉ ତା ପରଦିନ ଲଜିଂରୁ ବୋରାବିସ୍ତରା ଉଠେଇ ଚାଲି ଆସିଲି ସେଠିକୁ ।

 

ୟା ଭିତରେ ପାଞ୍ଚମାସ ବିତିଗଲାଣି । ବିଶେଷ କିଛି ଅସୁବିଧା ହୋଇନି ମତେ । ତେବେ ବେଳେ ବେଳେ ଗୋକୁଳି ମଉସା ମତେ ନାକେଦମ୍‌ କରି ଦଉଚନ୍ତି ଅକାରଣଟାରେ, ପିଲାଙ୍କପରି ଜିଦ୍‌ କରି । ପିଲାଳିଆ ଅଝଟ ପ୍ରକୃତି ତାଙ୍କର ଏଯାଏ ଯାଇନି । ରେଣୁ ବାହାସାହା ହୋଇ କେମିତି ଯେ ସେ ଘରସଂସାର ଚଳେଇ ସାମାନ୍ୟ କିରାଣୀରୁ ଉଠି ଉଠି ଏଡ଼େବଡ଼ ସରକାରୀ ଅଫିସର ଭାବରେ ଅବସର ନେଲେ, ସେକଥା ଭାବିଲାବେଳକୁ କାବା ଲାଗୁଚି ।

 

ଆକାରପ୍ରକାର ଦିଗରୁ ମୋଟା କିସମର ଲୋକ ଗୋକୁଳି ମଉସା । ଉଚ୍ଚତା ସାଢ଼େପାଞ୍ଚ ସେପାଖ, ରଙ୍ଗ ସାବନ, ମନଟା ବିବାକେ ଖୋଲା, ଖୁସମିଜାଜର ବି । ବେଶପୋଷାକ ପ୍ରତି ଟିକିଏ ବି ହେଲେ ଟାଣ ନାହିଁ । ଯାହାକିଛି ଆସକ୍ତି କେବଳ ଖାଇବା ନେଇ । ଆଉ ଦିନଯାକର ପ୍ରଧାନ କାମ ହେଲା ବକବକ ହବା ।

 

ଶ୍ରୋତା ଜଣେ ଚବିଶଘଣ୍ଟା ଦରକାର ତାଙ୍କ ବାଚଳତା ଶୁଣିବା ସକାଶେ । ସେଦିଗରେ ନନ୍ଦ ମଉସା ଓ ଧୁରନ୍ଧର । ଚାଳିଶବର୍ଷ ହେଲା ରହିଲାଣି ନନ୍ଦ ମଉସା ତାଙ୍କ ପାଖରେ । ତେଣୁ ଗୋକୁଳି ମଉସାଙ୍କ ନାଡ଼ିନକ୍ଷତ୍ର ତାକୁ ବେଶ୍‌ ଜଣା । ଘର କାମଦାମ କରୁ କରୁ ସେ ଗୋକୁଳି ମଉସାଙ୍କ ହଁରେ ହଁ ମିଳାଏ । ତେବେ କେତେବେଳେ କେମିତି ଅସାବଧାନତାରୁ ଅମତ ହେଲେ ଗୋକୁଳି ମଉସା ରାଗିଯାଆନ୍ତି । ତାପରେ ଆରମ୍ଭ ହୁଏ ମାନ ଅଭିମାନର ପର୍ବ । ପିଲାଙ୍କ ପରି ଗୋକୁଳି ମଉସା ନ ଖାଇ ନ ପିଇ ରୁଷି ବସନ୍ତି । ନନ୍ଦ ମଉସା ପାରୁପର୍ଯ୍ୟନ୍ତ ଚେଷ୍ଟା କରେ ତାଙ୍କ ଅଭିମାନ ଭାଙ୍ଗିବା ସକାଶେ ।

 

ରୋଜ ବଡ଼ିସକାଳୁ ଉଠନ୍ତି ଗୋକୁଳି ମଉସା । ତାପରେ ଆରମ୍ଭ ହୁଏ ନନ୍ଦ ମଉସା ସାଙ୍ଗେ ତାଙ୍କର ବାକଯୁଦ୍ଧ । ଏଥିରେ କୌଣସି ଦିନ ବ୍ୟତିକ୍ରମ ଘଟିବା ମୁଁ ରହିବା ଦିନଠାରୁ ଦେଖିନାହିଁ ।

 

ନନ୍ଦ ମଉସା ସାଙ୍ଗେ ସାଙ୍ଗେ ଦାନ୍ତଘଷିବା ସକାଶେ ବ୍ରସ ଇତ୍ୟାଦି ବଢ଼େଇଦେଇ ତାଗିଦ କରେ, ‘‘ଆଗ ଦାନ୍ତ ଘଷି ପକାଅ ।’’

 

‘‘ଆଉ ଟିକେ ଯାଉ ।’’

 

‘‘ବୁଲିଯିବନି କି ଆଜି ?’’

 

‘‘ଥାଉ । ଓଳିଟେ ଏବେ ନ ଗଲେ କ୍ଷତି କଣ ?’’

 

‘‘ଡାକ୍ତର କହିଚି ପରା ରୋଜ ଦିଓଳି ଚାଲିବାକୁ ।’’

 

‘‘ଡାକ୍ତରଗୁଡ଼ା ସେମିତି କୁହନ୍ତିମ । ଏମିତିକା କଥାଗୁଡ଼େ ନ କହିଲେ କିଏ କାହିଁକି ମାନିବ ସେଗୁଡ଼ାଙ୍କୁ ଡାକ୍ତର ବୋଲି ।’’

 

‘‘ଆଗ ଦାନ୍ତ ଘଷିଲ । ଚାଲ ମୁଁ ଯିବି ସାଙ୍ଗରେ ।’’

 

‘‘କଣ ତୋ ଅର୍ଡ଼ର ?’’

 

‘‘ହଁ ମୋ ଅର୍ଡ଼ର ।’’

 

‘‘ଦେଖ ନନ୍ଦ, ଶେଷଥର ପାଇଁ ତତେ ସାବଧାନ କରିଦେଲି । ମୋ ଉପରେ ଆଉ ଏମିତି ହାକିମୀ ଦେଖେଇଲେ ଭଲ ହବନି କହୁଚି ।’’

 

ନନ୍ଦ ମଉସା ଏ କଥାର ଆଉ ଉତ୍ତର ଦିଏନା । ପନ୍ଦର ମିନିଟ ପରେ ଦୁହେଁ ଏକାଠି ବାହାରନ୍ତି ବୁଲିବାକୁ । ସେତେବେଳକୁ ଅଧିକାଂଶଙ୍କ ଦାଣ୍ଡ ଦରଜା ଆହୁରି ଖୋଲି ନ ଥାଏ ।

 

ଅଧଘଣ୍ଟାକ ପରେ ଦୁହେଁ ଲେଉଟନ୍ତି ପାର୍କରେ ବୁଲାଚଲା କରି ।

 

ବସାରେ ବହଞ୍ଚିବାମାତ୍ରେ ଗୋକୁଳି ମଉସା ମତ ଦିଅନ୍ତି, ‘‘ଏତେ କଷ୍ଟ ସହି ବଞ୍ଚିବାରେ କି ଲାଭ କହିଲୁ ନନ୍ଦ !’’

 

‘‘ଆଉ କଣ ଶେଷକୁ ଦିନ ରାତି ଅଥର୍ବଙ୍କ ପରି ଶେଯରେ ପଡ଼ି ରହିବ ?’’

 

ଏ ପ୍ରଶ୍ନର ଉତ୍ତର ଗୋକୁଳି ମଉସା ଦେଇପାରନ୍ତି ନାହିଁ ।

 

ତାପରେ ଆରମ୍ଭ ହୁଏ ଗୋକୁଳି ମଉସାଙ୍କ ଖବରକାଗଜ ପଢ଼ା ପର୍ବ, ଚାହା ଖାଉ ଖାଉ-। ଦେଖିବାର ଜିନିଷ ଏଇଟା ଏକା । ପ୍ରାୟ ଦୁଇଘଣ୍ଟା ଲାଗେ ତାଙ୍କୁ ଖବରକାଗଜ ପଢ଼ିବାକୁ-

 

ଖବରକାଗଜଟାକୁ ଖୋଲିବା ମାତ୍ରେ ଗୋକୁଳି ମଉସା ଡାକ ଛାଡ଼ନ୍ତି, ଦେଖିଲୁଣିରେ ନନ୍ଦ.....’’

 

‘‘କୁହ ।’’ ଆଖପାଖରେ ନିଜ ଉପସ୍ଥିତିଟା ଜଣେଇ ଦେଇ ନନ୍ଦ ମଉସା ତା କାମ କରି ଚାଲେ ।

 

‘‘ଆଉ ଗୋଟାଏ ବିଶ୍ୱଯୁଦ୍ଧ ଲାଗିଯିବରେ ।’’

 

‘‘ଲାଗୁ, ତୁମର ସେଇଠୁ କଣ ଭାସିଗଲା !’’

 

‘‘କଣ କହିଲୁ, ଲାଗୁ । ମୁଁ ଜାଣେ ପରା ତୁ ଗୋଟାଏ ଗଜ । ମୁଣ୍ଡରେ ମେଞ୍ଚେ ଗୋବର ଛଡ଼ା ଆଉ କିଛି ନାହିଁ । ଆରେ ଲଢ଼େଇ ଲାଗିଗଲେ କେତେ ଲୋକ ଅକାରଣରେ ମରିବେ । କେତେ ଘର-ସଂସାର ଉଜୁଡ଼ିବ ଜାଣୁ ?’’

 

‘‘ହୁଁ’’ କହି ନନ୍ଦ ମଉସା ଚୁପ୍‌ ରହିଯାଏ । ସେ ଜାଣେ ଜବାବ ଦେଲେ କଥା ଛିଣ୍ଡିବନି ।

 

‘‘ଏ ରାଜନୈତିକ ନେତାଗୁଡ଼ାଙ୍କୁ ଗୁଳିକରି ମାରି ଦିଆଯିବା ଦରକାର । ଏ ବଦମାସଗୁଡ଼ାକ ପୃଥିବୀଟାକୁ ଧ୍ୱଂସ କରି ଦେବେ ।’’ ମତବ୍ୟକ୍ତ କରି ସାରି ସେ ପୁଣି ଲମ୍ବାନ୍ତି, ‘‘ଶୁଣିଲୁଣିରେ ନନ୍ଦ....’’

 

‘‘କୁହ ।’’

 

‘‘କାଲି ସନ୍ଧ୍ୟାବେଳେ ବିଚ ବଜାରରେ ଛୁରୀ ଦେଖେଇ ସ୍ୱାମୀ ଆଗରେ ସ୍ତ୍ରୀ ବେକରୁ ସୁନା ହାରଟାଏ କିଏ ଛିଣ୍ଡେଇ ନେଇଚି ।’’

 

‘‘ନଉ, ତୁମ ମୁଣ୍ଡ କାହିଁକି ବଥଉଚି ! ତାକୁ କିଏ କହୁଥିଲା ସୁନାହାର ପିନ୍ଧି ଦେଖେଇ ହବାକୁ !’’

 

‘‘ବିଚାରୀ କେତେ କାନ୍ଦି ନ ଥିବ କହିଲୁ ।’’

 

‘‘ଭାଗ୍ୟ ଖରାପ ପଡ଼ିଲେ ସୁନା ଚୋରିଯାଏ ।’’

 

‘‘ପୁଲିସ ତେବେ କଣ କରୁଚି !’’ ଗୋକୁଳି ମଉସା ଉତ୍ତେଜିତ ସ୍ୱରରେ ପାଟି କରି ଉଠନ୍ତି ।

 

‘‘ଦୁନିଆସାରା ତ ସମସ୍ତେ ଚୋର । ପୁଲିସ ଏବେ କାହାକୁ ଧରିବ ?’’

 

‘‘ସାବାସଏତେଦିନକେ ତତ୍ତ୍ୱ କଥାଟାଏ କହିଲୁ । ଏତେ ଜେଲ ଏବେ ଆସିବ କୋଉଠୁ ଦୁନିଆସାରା ଚୋରଙ୍କୁ ଢୁକେଇବାକୁ ।’’

 

ଏମିତି ସାଢ଼େ, ନଅଟା ବାଜେ । ତାପରେ ନନ୍ଦ ମଉସା ଜିଗର କରେ ଗାଧୋଇ ଯିବା ସକାଶେ । ପୁଣି ଚାଲେ ପନ୍ଦର ମିନିଟ ଯାଏ କଥା କଟାକଟି । ଗୋକୁଳି ମଉସା ଏଥର ଗୋଧୋଇବାକୁ ଯାଆନ୍ତି । ପ୍ରାୟ ଅଧଘଣ୍ଟାଏ ଲାଗେ ଏଇ ପର୍ବଟା ଶେଷ ହେବାକୁ । ସେଇଠୁ ସେ ଖାଇ ବସନ୍ତି ଘଣ୍ଟେ କି ଦେଢ଼ଘଣ୍ଟା ।

 

ପୂଜା ପାଠ କରିବାର ମୁଁ କେବେ ଦେଖିନାହିଁ ଗୋକୁଳି ମଉସାଙ୍କୁ । ତଥାପି ଏ ନିଃସଙ୍ଗ ଦୁନିଆରେ, ବିଶେଷ କରି ବୁଢ଼ା ବୟସରେ, ଠାକୁରଙ୍କ ଉପରେ ଲୟ ରଖିଲେ ଅନେକ ଦୁଃଖ ପାଶୋରି ହୋଇଯାଏ ବୋଲି ବୁଝେଇବାକୁ ଯାଇ ଥରେ ମୁଁ କଥା ଉଠେଇଲି, ‘‘ମଉସା, ଗୋଟେ କଥା କହିବି ?’’

 

‘‘କହୁନୁ ।’’

 

‘‘ଦିଓଳି ଘଣ୍ଟେ ଘଣ୍ଟେ ଗୀତା-ଭାଗବତ ଟିକିଏ ଟିକିଏ ପଢ଼ିଲେ କେମିତି ହୁଅନ୍ତା !’’

 

‘‘ଭାରି ଭଲ କଥା । ମୋ ମତରେ ସ୍କୁଲ କଲେଜ ପାଠ୍ୟକ୍ରମରେ ଏ ସବୁର ବ୍ୟବସ୍ଥା ହେବା ଉଚିତ ।’’

 

‘‘ଆଜି ତେବେ କିଣି ଆଣୁଚି ବହି କେତେଖଣ୍ଡ ।’’

 

‘‘କାହା ପାଇଁ ?’’

 

‘‘ଆପଣଙ୍କ ସକାଶେ ।’’

 

‘‘ସେଗୁଡ଼ାକୁ ଘରେ ଅଛି । ତୋ ମାଉସୀ ପୁରାଣ ପୋଥି ଆଲମାରୀଟାଏ ଜମେଇଚି ।’’

 

‘‘ପଢ଼ୁ ନାହାନ୍ତି–ଟିକିଏ ଟିକିଏ ସକାଳେ ସନ୍ଧ୍ୟାରେ ।’’

 

‘‘ସେଗୁଡ଼ାକ କଣ ଆଉ ବାକି ଅଛି ? ଜୀବନଟା ସାରା ରୋଜ ସନ୍ଧ୍ୟାରେ ସେଗୁଡ଼ାକ ପଢ଼ି ଶୁଣେଇ, ତା ଭିତରର ଗୁଢ଼ ତଥ୍ୟଗୁଡ଼ାକ ମତେ ବୁଝେଇ ବୁଝେଇ ତୋ ମାଉସୀ ମୋ ମୁଣ୍ଡଟାକୁ ବିଗାଡ଼ି ଦେଇଚି ।’’

 

‘‘ମୁଣ୍ଡ ବିଗାଡ଼ି ଦେଇଜନ୍ତି ମାଉସୀ !’’

 

‘‘ହଁ । ଏ ପୁରାଣରେ ଯଦି ଲେଖାଅଛି ମିଛ କହିବା ପାପ, ଆଉ କୋଉ ପୁରାଣ କହୁଚି ମତଲବ କରିବା ସକାଶେ ମିଛ କହିବାଟା ଅନ୍ୟାୟ ନୁହେଁ । କୋଉଥିରେ ଯଦି ଲେଖାଅଛି ଜଣେ ପୁରୁଷ ପାଖେ ବାନ୍ଧି ହୋଇ ରହିବା ସତୀ ନାରୀର ଲକ୍ଷଣ, ଆଉ କୋଉଠି ଲେଖାଅଛି ଯେ ବିବାହ ପୂର୍ବରୁ ସନ୍ତାନର ମା’ ହୋଇଥିଲେ ବି ନାରୀ ହେବାରେ ବାଧା ନାହିଁ । ଏମିତି ପୋଥି ପୁରାଣ ‘‘ସାରା ଯୋଉଠି ଦେଖ ଗଣ୍ଡଗୋଳ । ସେଗୁଡ଼ାକ ପଢ଼ିଲେ କାହା ମୁଣ୍ଡ ଠିକ୍‌ ରହିବ କହତ ! ମୋ ମତରେ ଏଇଥିରୁ ଗୁଡ଼େ ଅବାନ୍ତର କଥା ପଢ଼ି ପଢ଼ି ଦୁନିଆା ସାରା ଲୋକ ଅଧା ପାଗଳ ହୋଇଗଲେଣି । ପାର୍ଲାମେଣ୍ଟରେ ଆଇନ କରି ଏ ବହିଗୁଡ଼ାକୁ ବେଆଇନ ଘୋଷଣା କରି ଦିଆଯିବା ଉଚିତ । ତୋ ମତ କଣ ?’’

 

‘‘ଆପଣଙ୍କ କଥା ଏକବାରେ ଠିକ୍‌ ।’’ ମୁଁ ମାନିଗଲି, କାରଣ ବିରୋଧ ମତ ଦେଲେ କଥା ତୁଟିବନି । ତଥାପି ବୁଲେଇ କରି ତାଙ୍କୁ ପ୍ରବର୍ତ୍ତାଇଲି, ‘‘ସକାଳ ସନ୍ଧ୍ୟାରେ ଠାକୁରଙ୍କୁ ଟିକିଏ ଟିକିଏ ଆରାଧନା କରିବାଟା ଆପଣଙ୍କ ବୟସରେ ଭଲ ।’’

 

‘‘ଠାକୁରଙ୍କୁ ମୁଁ ଆଉ ଅଧିକ କଣ ମାଗିବି ! ଜୀବନଟା ସାରା ତ ତୋ ମାଉସୀ ବର୍ଷକୁ ଛଅ ମାସ ବ୍ରତ ଉପବାସ କରି ମୋ ପାଇଁ ଯାହା ମାଗିବାର ଠାକୁରଙ୍କୁ ଗୁଡ଼େଇତୁଡ଼େଇ ମାଗି ସାରିଚି । ଆଉ ଏମିତିକା କୋଟି କୋଟି ଦରଖାସ୍ତ ଭଗବାନ ନିଜେ ବା ତାଙ୍କ ଅଫିସ ଜରିଆରେ ବିଚାର କରି ଯାହା ଫଇସଲା କରିବାର କରି ସାରିଛନ୍ତି । ମୁଁ ଆଉ ଏ ବୟସରେ ଓଷା-ବ୍ରତ କରି ସାନି ଆବେଦନ କଲେ ତାଙ୍କୁ consider କରିବାକୁ ବେଳ କାଇଁ ? ଦେଖୁନୁ ଦିନକୁଦିନ ଜନସଂଖ୍ୟା କେମିତି ବଢ଼ିବାରେ କି ବିରାଟ ସଂଖ୍ୟାରେ ତାଙ୍କ ପାଖରେ ରୋଜ ଆପତ୍ତି ଅଭିଯୋଗର ଦରଖାସ୍ତ ପଡ଼ୁଥିବ ଭାବି ଦେଖ ତ !’’

 

ଏମିତି ଆହୁରି କେତେ କଣ ବକିଗଲେ ଗୋକୁଳି ମଉସା । ଶୁଣିବାକୁ ଭଲ ବି ଲାଗିଲା ତାଙ୍କ କଥାଗୁଡ଼ାକ । ଆଉ ମୁଁ ଚୁପ୍‌ଚାପ୍‌ ବସି ମଝି ମଝିରେ ହୁଁ ହାଁଟାଏ ମାରି ପ୍ରାୟ ଘଣ୍ଟାଏ କାଳ ତାଙ୍କ ଜୀବନ ଦର୍ଶନ ଶୁଣିବାକୁ ବାଧ୍ୟ ହେଲି ।

 

ଶେଷକୁ ନନ୍ଦ ମଉସା ଆସି ତାଙ୍କୁ ଖାଇବାକୁ ଡାକି ନେଇ ମତେ ବିପଦରୁ ଉଦ୍ଧାର କଲା-। ତାପରଠାରୁ ମୁଁ ଭୁଲରେ ବି ଏମିତିକା କଥା ଆଉ କେବେହେଲେ ଉଠେଇବାକୁ ସାହସ କରିନି ତାଙ୍କ ଆଗରେ ।

 

ଠିକ୍‌ ସକାଳ ଦଶଟାକୁ ଛତା ଖଣ୍ଡେ ମୁଣ୍ଡେଇ ସୁବିମଳ ବାବୁ ଆସି ପହଞ୍ଚନ୍ତି । ଖରା-ବର୍ଷା-ଶୀତ ସବୁ ଦିନ ତାଙ୍କ ପାଇଁ ସମାନ । କୋଉ ଯୁଗର ଲୁହା ବେଣ୍ଟ ଛତା ଖଣ୍ଡକର ରଙ୍ଗ ଛପଛାପିକା ହୋଇ ଗଲାଣି । ତଥାପି ସେଇଟି ତାଙ୍କର ଚିରସାଥୀ । ଆସିବା ସମୟରେ ବି ଟିକିଏ ଓଲମ ହୁଏନି ତାଙ୍କର ।

 

ଡେଙ୍ଗା ମଣିଷ ସୁବିମଳ ବାବୁ । ଛଅଫୁଟ କି ତା’ଠୁ ସାମାନ୍ୟ ଅଧିକ ହେବ । ଗୋରା ତକତକ ଦେହ । ମୁହଁ ଲାବଣ୍ୟରେ ଅମାବାସ୍ୟାର ଛାଇ ଦେଖି ମନେହୁଏ ଶରୀର ଟାଣୁଆ, ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମାପଚୁପରେ ଗଢ଼ା । ଯୁବାବୟସ ବେଳେ ନିଶ୍ଚୟ ଯୁବତୀ ତାଙ୍କୁ ଦେଖିବାମାତ୍ରେ ଚମକି ଉଠୁଥିବେ । ଆଖି ଫେରାଇ ପାରୁ ନ ଥିବେ ତାଙ୍କ ଉପରୁ ଏ ବୟସରେ ବି ସେ ରୂପ ଲୁଚିଯାଇନି ବିବାକେ । ତେଣୁ ଚେହେରା ଦେଖି କେହି କେବେ ମାନିବନି ଯେ ସେ ସତୁରି ପେଖାଇଲେଣି । ବରଂ କହିବ, ପଚାଶ ଯାଏ ହବ ଅତି ବେଶିରେ । ଖାଲି ବେଶ ପୋଷାକରୁ ମନେ ହେବ ସେ ପୁରୁଣା କାଳର । କାହିଁକିନା, ଏଡ଼େ ଲମ୍ବା ଶରୀରକୁ ଚାହିଁ ୪୪ଇଞ୍ଚିଆ ଧୋତି ସାଙ୍ଗକୁ ବେକଚିପା ଲମ୍ବା କୋଟ ଖଣ୍ଡକ ଏ ଯୁଗର ରୁଚିକୁ ଚାହିଁ ବିବାକେ ବେଖାପ ।

 

ପହଞ୍ଚିବା ମାତ୍ରେ ସେ ଚୁପ୍‌ଚାପ୍‌ ଦାଣ୍ଡଘର ଭିତରକୁ ଯାଇ ଚୌକିଟିଏ ଆବୋରି ବସି ପଡ଼ିନ୍ତି । ତାପରେ ଟେବୁଲ ଡ୍ରରୁ ଦାବା ପାଲିଟା ବାହାରି କରି ଦୁଇ ପଟର ଗୋଟି ସଜେଇ ନିଜେ ଖେଳ ଆରମ୍ଭ କରନ୍ତି । ଭୁଲରେ ବି ଗୋକୁଳି ମଉସାଙ୍କୁ ଖୋଜନ୍ତି ନାହିଁ ।

 

ଗୋକୁଳି ମଉସାଙ୍କ ସେଇଟା ଖାଇବା ବେଳ । ତେଣୁ ସୁବିମଳ ବାବୁ ପହଞ୍ଚିଲା ବେଳକୁ ସେ ଖାଇ ବସିଥାନ୍ତି । ପ୍ରାୟ ଅଧଘଣ୍ଟାଏ କି ପଇଁଚାଳିଶ ମିନିଟ ପରେ ସେ ଖାଇସାରି ଆସି ଯୁଟିଯାଆନ୍ତି ଦାବା ଖେଳିବାକୁ । ଘର ଭିତରକୁ ପଶୁ ପଶୁ କହିଉଠନ୍ତି, ‘‘ଆରେ, ତୁମେ କେତେବେଳୁ ଆସିଲଣି ? ଡାକଟେ ଦେଲେନି । ମୁଁ ଶୀଘ୍ର ଖାଇ ଉଠି ଆସି ଥାଆନ୍ତି ।’’

 

ସୁବିମଳ ବାବୁ ଏପ୍ରଶ୍ନର ଉତ୍ତର ଦେବାର ମୁଁ କେବେ ଶୁଣି ନାହିଁ ।

 

ଗୋକୁଳି ମଉସା ମଧ୍ୟ ଉତ୍ତରକୁ ଅପେକ୍ଷା କରନ୍ତି ନାହିଁ । କାରଣ ପ୍ରଶ୍ନଟା କରିବା ପରେ ସେ ଜାଣିବାକୁ ଚାହାନ୍ତି, ‘‘ମୋ ଚାଲ୍‌ ନା ତୁମର ?’’

 

ତଥାପି ସୁବିମଳ ବାବୁ ମୁହଁ ଖୋଲନ୍ତି ନାହିଁ ।

 

ପୁଣି ଶୁଭେ ଗୋକୁଳି ମଉସାଙ୍କ ସ୍ୱର, ‘‘ମୋର ତାହେଲେ । ହୁଁ.....ହୁଁ......ହୁଁ......ଏଇ ନିଅ । ଆସ ଏଥର ।’’ କିଛି ନ ଭାବି ଚଟାପଟ ଚାଲଟାଏ ଚଳେଇ ଦେଇ ସେ କୁଦି ପଡ଼ନ୍ତି ଲଢ଼େଇକୁ ।

 

ଆଉ ଟିକିଏ ପରେ ପୁଣି ଗୋକୁଳି ମଉସାଙ୍କ ପାଟି ଶୁଭେ, ‘‘ଆରେ....ଆରେ....ଭୁଲ ହୋଇଗଲା ରେ, ହଉ ଛାଡ଼ । ଗତସ୍ୟ ଶୋଚନା ନାସ୍ତି ।’’ ତାପରେ ବୋଧହୁଏ ଟିକିଏ ଭାବି ଚିନ୍ତି ଆଉ ଗୋଟାଏ ଚାଲ୍‌ ଚଳେଇ ନିଜେ ନିଜକୁ ପ୍ରଶଂସା କରି ବସନ୍ତି, ‘‘ଏଥର କୁଆଡ଼େ ଯିବ ଦେଖିବା-।’’

 

ଦିନ ସାଢ଼େଦଶରୁ ପାଞ୍ଚଟା ପର୍ଯ୍ୟନ୍ତ ସେମାନଙ୍କ ଖେଳ ଚାଲେ । ତେବେ ପାଟି ଶୁଭେ କେବଳ ଗୋକୁଳି ମଉସାଙ୍କ ମଝି ମଝିରେ । ତା ମଧ୍ୟ ଧୀରେ ନୁହେଁ, ବାଟ ମାଇଲି ଏଯାଏ ଶୁଭିଲା ପରି ଉଚ୍ଚ ସ୍ୱରରେ ।

 

ପ୍ରତି ଘଣ୍ଟେ ଦୁଇଘଣ୍ଟାରେ ଥରେ ଗୋକୁଳି ମଉସାଙ୍କ କଥା ଶୁଣି ହସମାଡ଼େ, ସେ ଯେତେବେଳେ ବାଜି ହାରି ପୋଷ୍ଟମର୍ଟମ କରି ବସନ୍ତି ତାଙ୍କ ହାରିବାର କାରଣଗୁଡ଼ାକ । ଆଉ ସବୁଠାରୁ ମଜାର କଥା ଆରବାଜିକୁ ସେ ପୁଣି ସେହି ଏକା ଭୁଲ କରି ହାରିଗଲା ପରେ ବାହୁନି ହୁଅନ୍ତି ପାଞ୍ଚମିନିଟ ପର୍ଯ୍ୟନ୍ତ । ଶପଥ ବି କରି ବସନ୍ତି ଆଉ ଏମିତିକା ଭୁଲ କେବେ କରିବେ ନାହିଁ ବୋଲି । ତଥାପି ନିଜ କଥା ନିଜେ ରଖିପାରନ୍ତି ନାହିଁ । ଭୁଲି ଯାଆନ୍ତି ପରକ୍ଷଣରେ । ପୁଣି ସେହି ଏକା ଭୁଲ କରି ହାରନ୍ତି ।

 

ସାଢ଼େଦଶରୁ ପାଞ୍ଚ ଭିତରେ ଅନ୍ତତଃ ଛଅ ଆଠ ଡାକ ପକାନ୍ତି ଗୋକୁଳି ମଉସା, ‘ନନ୍ଦ....ଏ ନନ୍ଦିଆ’ ବୋଲି ।

 

ନନ୍ଦ ମଉସା ଡାକ ଶୁଣିବାମାତ୍ରେ ଚାହା-ପାନ ଧରି ପହଞ୍ଚିଯାଏ ।

 

ନନ୍ଦ ମଉସାକୁ ଦେଖିବାମାତ୍ରେ ଗୋକୁଳି ମଉସା ଦୋଷ ଦିଅନ୍ତି, ‘‘ଜାଣିଲୁ ନନ୍ଦ ।’’

 

‘‘କଣ ?’’

 

‘‘ପୂର୍ବଜନ୍ମରେ ବୋଧହୁଏ ତୁ ମୋର ଶତ୍ରୁ ଥିଲୁ ।’’

 

‘‘ମୁଁ ତ ସର୍ବଜ୍ଞ ନୁହେଁ ଯେ ପୂର୍ବଜନ୍ମରେ କଣ ଥିଲି ଏ ଜନ୍ମରେ କହି ପାରିବି !’’

 

‘ତତେ କେତେ ହଜାର ଥର କହିଲିଣି ମୁଁ ମାଗିବା ଆଗରୁ ଆଣି ଚାହା-ପାନ ଦେଇ ଯିବାକୁ ! ଜାଣିଚୁ ତ ଏ ଦି’ଟା ମୋର ବଡ଼ ନିଶା । ଠିକ୍‌ ଦରକାରବେଳକୁ ସେତକ ନ ମିଳିଲାରୁ ମୋ ଲୟ ଭାଙ୍ଗିଯାଉଚି ଖେଳରୁ । ଚାଲ୍‍ ସବୁ ଭୁଲଭାଲ ହୋଇ ଯାଉଚି ।’’

 

ଏସବୁ ସତ୍ତ୍ୱେ ବି ସୁବିମଳ ବାବୁ ମୁହଁ ଖୋଲିବାର ମୁଁ କେବେ ଦେଖି ନାହିଁ । ପାନ-ବିଡ଼ି-ଚାହା-ସିଗାରେଟର ଭକ୍ତ ବି ସେ ନୁହନ୍ତି । ଏମିତିକା ଗୋକୁଳି ମଉସାଙ୍କ ଘରୁ ପାଣି ଗିଲାସେ ବି ମାଗି ପିଇବାରେ ମୋର ମନେ ପଡ଼ୁନି । ଓଲଟି ସେ ସାଙ୍ଗରେ ପାଣି ବୋତଲ ଧରି ଆସନ୍ତି । ଦରକାର ପଡ଼ିଲେ କେତେବେଳେ କେମିତି ସେଇଥିରୁ ଢୋକେ ପିଅନ୍ତି ।

 

ସୁବିମଳ ବାବୁଙ୍କର ଏଇ ଧର୍ମଛଡ଼ା ବ୍ୟବହାର ମୋ ମନରେ ଆଲୋଡ଼ନ ସୃଷ୍ଟି କରିଚି ଆରମ୍ଭରୁ । ସେଥିପାଇଁ ଥରେ ମୁଁ କୌତୁହଳ ସମ୍ଭାଳି ନ ପାରି ଗୋକୁଳି ମଉସାଙ୍କୁ ପଚାରିଲି, ‘‘ସୁବିମଳ ବାବୁଙ୍କର କଣ ହେଇଚି କି ?’’

 

‘‘କିଛି ହେଇନି ତ ?’’

 

‘‘ସବୁବେଳେ ସେ ଏମିତି ଚୁପ୍‌ଚାପ କାହିଁକି ? ତାଙ୍କର କଣ କେହି ନାହାନ୍ତି ଘରେ ?’’

 

ଉତ୍ତରଦେବା ବଦଳରେ ଗୋକୁଳି ମଉସା ମୂକ ପାଲଟିଗଲେ କେତେ ମିନିଟ । ତାପରେ କେମିତିକା ଦରଦଭରା ଉଦାସ ସ୍ୱରରେ କହିଲେ, ‘‘ଜଣେ ଜଣେ ଏ ସଂସାରକୁ ଆସନ୍ତି ପୂର୍ବଜନ୍ମର ପାପର ଫଳ ଭୋଗିବାକୁ ।’’

 

ବେଶ୍ ବୁଝି ପାରିଲି, ଗୋକୁଳି ମଉସାଙ୍କ ପରି ସଦାମୁଖର ଚରିତ୍ର ବି ଏ ନେଇ ଆଉ କିଛି କହିବାକୁ ନାରାଜ । ତେଣୁ ଚୁପ୍‌ ରହିଲି । ତାପରଠୁ ଆଉ କେବେ ଏକଥା ଉଠେଇବାକୁ ମୁଁ ମନ କରି ନାହିଁ ତାଙ୍କ ଆଗରେ । ତେବେ କଥାପ୍ରସଙ୍ଗରେ ନନ୍ଦ ମଉସାଠୁ ଶୁଣିଚି, ସୁବିମଳ ବାବୁ ଏମିତିକା ଖାପଛଡ଼ା ମଣିଷ, ମୂଳରୁ । ଏକପ୍ରକାର ପାଗଳ କହିଲେ ଚଳେ । ପୁଣି ଧନର ମୋହ ତାଙ୍କର ଅତ୍ୟଧିକ । ସେଥିପାଇଁ ବାହାସାହା ବି ହୋଇ ନାହାନ୍ତି । ଘରେ ଚାକର ବାକର ବି ମୁତୟନ କରି ନାହାନ୍ତି । ଭଲ ଖାଇଲେ ପଇସା ଖର୍ଚ୍ଚ ହୋଇଯିବ ବୋଲି ରୋଜ ହବିଷ୍ୟ କରନ୍ତି । ବାପ ମାଆ-ଭାଇ-ଭଉଣୀ କାହାରି ସାଙ୍ଗେ ସମ୍ପର୍କ ବି ନାହିଁ । ନିଜ ହାତରେ ନିଜେ ଫୁଟେଇ ମୁଠେ ଖାଇ ଏକା ଏକା ଦିନ କାଟନ୍ତି । ତାଙ୍କ ପଇସାତକ ସବୁ ଜମେଇ ରଖିଛନ୍ତି ବ୍ୟାଙ୍କରେ ଭୂତ ଖାଇବ ବୋଲି ।

 

ନନ୍ଦ ମଉସା କଥାରୁ ଆଉ ମଧ୍ୟ ଜାଣିଲି ଯେ ଗୋକୁଳି ମଉସା ନ ଥିଲେ ସୁବିମଳ ବାବୁ ହୁଏତ ବର୍ଷେ ଦି’ବର୍ଷ ହବ ବିଦାୟ ନିଅନ୍ତେଣି ଏ ସଂସାରରୁ । କେତେ ଥର ସେ ବେମାର ପଡ଼ି ଖସି ଯାଉ ଯାଉ ଗୋକୁଳି ମଉସା ହାତରୁ ପଇସା ଖର୍ଚ୍ଚ କରି ନିଜେ ଦିନରାତି ଜଗି ରହି ତାଙ୍କୁ ବଞ୍ଚେଇଲେଣି । ତଥାପି ଭୁଲରେ ବି ସୁବିମଳ ବାବୁ ଭଲ ହେଲା ପରେ ଧନ୍ୟବାଦଟାଏ ଦେଇ ନାହାନ୍ତି ଏଥିସକାଶେ । ଚିକିତ୍ସା ଖର୍ଚ୍ଚ ତ ଦେବା ଦୂରର କଥା !

 

ସନ୍ଧ୍ୟା ପାଞ୍ଚଟାକୁ ଖେଳ ଆସର ଭାଙ୍ଗେ । ଏଥର ଗୋକୁଳି ମଉସା ଓ ସୁବିମଳ ବାବୁ ଏକାଠି ବୁଲି ବାହାରନ୍ତି । ଚାଲି ଚାଲି ଦୁହେଁ ଯାଆନ୍ତି ଅଧ କିଲୋମିଟର ଦୂର ପାର୍କକୁ । ସେଇଠୁ ଗୋଟାଏ ନିରୋଳା ବେଞ୍ଚ ଉପରେ ମୂଳଙ୍କ ପରି ବସି ରୁହନ୍ତି ଅନ୍ଧାର ହେବାଯାଏ । ଦେଖିଲେ ମନେହୁଏ ସତେ ଯେମିତି ଦୁଇଜଣ ଅଚିହ୍ନା ଲୋକ କିଛି କାମଦାମ ନ ଥିବାରୁ କୁଆଡ଼ୁ ବୁଲି ବୁଲି ଆସି ବସି ପଡ଼ିଚନ୍ତି ଏକାଠି ।

 

ଅନ୍ଧାର ଘୋଟି ଆସିଲା ବେଳକୁ ଦୁହେଁ ଉଠନ୍ତି ସେଠୁ । ଚାଲି ଚାଲି ଯାଆନ୍ତି କାଳୀ ମନ୍ଦିରକୁ । ସେଇଠି ଆଳତି ସରିବାଯାଏ ସୁବିମଳ ବାବୁ ମୁହଁ ମାଡ଼ି ଅଧିଆ ପଡ଼ନ୍ତି ଅଧଘଣ୍ଟାଏ କି ତାଠୁ ବେଶି ସମୟ । ଆଉ ଗୋକୁଳି ମଉସା ବିଧି ରକ୍ଷା କରିବାକୁ ମା କାଳୀଙ୍କୁ ମୁଣ୍ଡିଆଟାଏ ମାରି ଦେଇ ଏଣେ ତେଣେ ୟାକୁ ତାକୁ ଚାହିଁ ସମୟତକ କଟାନ୍ତି କୌଣସିମତେ ।

 

ଆଳତି ସରିଲେ ସୁବିମଳ ବାବୁ ଉଠନ୍ତି । ସାଙ୍ଗ ହୋଇ ଦୁହେଁ ଏଥର ଫେରନ୍ତି ନିଜ ନିଜ ବସାକୁ । ଗଳିମୁଣ୍ଡ ପାଖରେ ଗୋକୁଳି ମଉସାଙ୍କୁ ଛାଡ଼ି ଦେଇ ସୁବିମଳ ବାବୁ ଆଗେଇ ଯାଆନ୍ତି । ଗୋକୁଳି ମଉସା ଲେଉଟି ଆସି ହାତ ଗୋଡ଼ ଧୋଇ ପଶନ୍ତି ଦାଣ୍ଡଘରେ । ଦୀପ ଜଳିଲା ଭଳି ଅଳ୍ପ ପାୱାରର ବିଜୁଳିବତୀଟାଏ ଜାଳିଦେଇ ସେ ନିଜ ଦେହଟାକୁ ମେଲେଇ ଦିଅନ୍ତି ଗଦିବିଛା ବେତବୁଣା ଆରାମ ଚୌକିଟା ଉପରେ । ତେଣିକି ଆଉ ତୁଣ୍ଡ ତାଙ୍କର ଖୋଲେ ନାହିଁ ଆର ଦିନ ସକାଳ ପର୍ଯ୍ୟନ୍ତ ।

 

ମାସେଯାଏ ଆଉ କିଛି ଅଘଟଣ ଘଟି ନାହିଁ । ପ୍ରତିଟି ଦିନ ସେହି ଏକା ରୀତିରେ ଗଡ଼ି ଚାଲିଚି ଆକାଶରେ ସୂର୍ଯ୍ୟ-ତାରା ଉଦୟ ଅସ୍ତ ହେଲା ପରି ।

 

ତାପରେ ଦିନେ ହସ୍ପିଟାଲରୁ ଫେରି ଲୁଗା ପାଲଟିଲାବେଳକୁ ମତେ କେମିତି ଟିକିଏ ଅଶ୍ୱସ୍ତି ଲାଗିଲା । ଗୋକୁଳି ମଉସାଙ୍କ ପାଟିତୁଣ୍ଡ ସେଦିନ କାନରେ ବାଜିଲା ନାହିଁ । ତେଣୁ ବେସୁରା ଲାଗିଲା ସବୁ କିଛି, ଆଶଙ୍କା କଲି ମଉସା କଣ ତେବେ ବେମାର ! ପରକ୍ଷଣରେ ଧାରଣାଟା ଭୂଲ ବୋଲି ଧରି ନେଲି । କାରଣ ମଉସାଙ୍କର କିଛି ହୋଇଥିଲେ ନନ୍ଦ ମଉସା ତ ମତେ ଯାଇ ଡାକି ଆଣିଥାଆନ୍ତା ହସ୍ପିଟାଲରୁ । ଆଗରୁ କେତେଥର ଏକଥା ଘଟିଛି । ଗୋକୁଳି ମଉସା ଦି’ଥର ଛିଙ୍କି ଦେଲେ ନନ୍ଦ ମଉସା ଲସରପସର ହୋଇ ଧାଇଁଯାଇ ମତେ ଡାକି ଆଣିଚି ସାଙ୍ଗେ ସାଙ୍ଗେ ।

 

ତେବେ କଣ ସୁବିମଳ ବାବୁ ଆଜି ଆସି ନାହାନ୍ତି ଆସରକୁ ! କଦବା କ୍ୱଚିତ୍‌ ଅବଶ୍ୟ ସେ ଦିନେ ଦିନେ ଆସନ୍ତି ନାହିଁ ପୂଜାପାଠରେ ବ୍ୟସ୍ତ ରହି । ତେବେ ସେଥିରେ ତ ଗୋକୁଳି ମଉସାଙ୍କ ଧରାବନ୍ଧା ଜୀବନରେ ଆଞ୍ଚ ଆସେ ନାହିଁ । ନନ୍ଦ ମଉସାକୁ ନାଁକୁ ମାତ୍ର ବସେଇ ସେ ତାଙ୍କ ଅଭ୍ୟାସ ମୁତାବକ ଖରାବେଳଟା ସାରା ଦାବା ଖେଳନ୍ତି । ବକବକ ବି ହୁଅନ୍ତି ପ୍ରକୃତି ଦୋଷରୁ । ଆଉ ସବୁ ଦିନ ପରି ପାଞ୍ଚଟା ବାଜିଲେ ବାହାରି ପଡ଼ନ୍ତି ପାର୍କକୁ ବୁଲିଯିବା ସକାଶେ । କେବଳ ସୁବିମଳ ବାବୁଙ୍କ ବଦଳରେ ନନ୍ଦ ମଉସା ତାଙ୍କ ସାଙ୍ଗ ହୁଏ ସେଦିନ । ପାର୍କରେ ଅବଶ୍ୟ ବେଶି ରୁହନ୍ତି ନାହିଁ ଗୋକୁଳି ମଉସା । ଅନ୍ଧାର ଘୋଟିବା ଆଗରୁ ଉଠି ପଡ଼ନ୍ତି ନନ୍ଦ ମଉସାର ତାଗିଦ ଫଳରେ । କାଳୀ ମନ୍ଦିରକୁ ବି ଯାଆନ୍ତି ତାପରେ । ଠିଆ ଠିଆ ଠାକୁରାଣୀଙ୍କୁ ମୁଣ୍ଡିଆଟାଏ ମାରି ସବୁ ଦିନ ତୁଳନାରେ ପ୍ରାୟ ଘଣ୍ଟାକ ଆଗରୁ ଫେରି ଆସନ୍ତି ।

 

ଭାବିଲି, ଆଗ ଯାଇ ବୁଝି ଆସିବି ପ୍ରକୃତ ଘଟଣାଟା । ପରକ୍ଷଣରେ ସେଥିରୁ କ୍ଷାନ୍ତ ହେଲି । କାହିଁକି ନା ଗୋକୁଳି ମଉସାଙ୍କ ହାବୁଡ଼ରେ ଦିନବେଳା ଥରେ ପଡ଼ିଗଲେ କିଏ ଜାଣେ କେତେ ସମୟ ଲାଗିବ ମୁକ୍ତି ପାଇବାକୁ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗପିବା ତାଙ୍କର ଅଭ୍ୟାସ । କେହି ନ ଥିଲେ ବି ପ୍ରକୃତି ମେଣ୍ଟାଇବାକୁ ସେ ମନକୁମନ ବକବକ ହୁଅନ୍ତି । ଆଉ ଶ୍ରୋତା ଜଣେ ଯୁଟିଗଲେ ତ ସରିଲା କଥା । ତେଣିକି ଆଉ ତାଙ୍କୁ ସମ୍ଭାଳେ କିଏ ! କୁଆଡ଼ୁ ଯେ ଏତେ କଥା ତାଙ୍କ ମୁଣ୍ଡକୁ ଆସେ ସେ କଥା ଭଗବାନଙ୍କୁ ହୁଏ ତ ଜଣାଥିବ ।

 

ଖାଇ ବସିଲି । ସ୍ଥିର କଲି ଖାଇ ସାରିଲା ପରେ ଯାଇ ବୁଝି ଆସିବି କଣ ହେଇଚି । ସେତେବେଳେ ପଛେ ମନ ଥାଉ ବା ନ ଥାଉ ଘଣ୍ଟେ ଦି’ଘଣ୍ଟା ବସି ଶୁଣି ହେବ ଗୋକୁଳି ମଉସାଙ୍କ ଉଦ୍‌ଭଟ ଦର୍ଶନ । କିନ୍ତୁ ପେଟରେ ଭୋକ ଥାଇ ଘଣ୍ଟା ଘଣ୍ଟା ଧରି ମୂକ ଶ୍ରୋତା ପାଲଟିବାକୁ ମତେ ବାଧିବ ନିଶ୍ଚୟ । ହୁଏତ କଥା ମଝିରେ ଏଣୁତେଣୁ ଆଳ ଦେଖେଇ ଉଠି ଆସିବାକୁ ପଡ଼ିବ ମତେ ଖାଇବା ସକାଶେ । ସେତିକିରେ ଗୋକୁଳି ମଉସାଙ୍କ ମତିଗତି ବିଗିଡ଼ି ଯିବାଟା କିଛି ବିଚିତ୍ର ନୁହେଁ । ଆଉ ଦିନର ଏଇ ସମୟଟାରେ ତାଙ୍କ ମତି ବିଗିଡ଼ିଲେ ବିଚରା ନନ୍ଦ ମଉସା ଘଣ୍ଟି ହେଇଯିବ ରାତି ହବା ପର୍ଯ୍ୟନ୍ତ । କାରଣ ମତେ ମିଶେଇ ଦୁନିଆ ସାରା ଉପରେ ଜମିଥିବା ମନର ସବୁତକ ରାଗ ଗୋକୁଳି ମଉସା ସୁଧ-ମୂଳ-କଳନ୍ତର ସମେତ ଶୁଝେଇବେ ତା ଉପରେ ।

 

ଖାଉ ଖାଉ ବସି ଭାବିଲି, ନନ୍ଦ ମଉସା କଥା । ଶୁଣିଚି, କାହିଁ କୋଉ କାଳରୁ ସେ ଗୋକୁଳି ମଉସାଙ୍କ ପାଖରେ ରହିଚି ଘର ଲୋକ ପରି । ପରିବାରର ସବୁ ଭଲ ମନ୍ଦ ତାରି ମୁଣ୍ଡରେ । କହିବାକୁ ଗଲେ ସେ ହିଁ ଏ ଘରର ସବୁ କିଛି । ଗୋକୁଳି ମଉସା ନାମକୁ ମାତ୍ର ମାଲିକ ।

 

ଚାରି ମାସ ତକ କଥା ମୋର ମନେ ପଡ଼ିଗଲା । ମୁଁ ଜମାପଟା ପିନ୍ଧି ହସପିଟାଲକୁ ବାହାରୁଥାଏ ।

 

ମୋ ଚାକର ଟୋକା ମଙ୍ଗୁଳି ବଜାର ସଉଦା କରି ଲେଉଟି ଆସି ଖବର ଦେଲା, ‘‘ନନ୍ଦ ମଉସାକୁ ଜର ।’’

 

‘‘ତୁ କେମିତି ଜାଣିଲୁ ?’’

 

‘‘ପରିବା କିଣୁ କିଣୁ ମୁଣ୍ଡ ବୁଲେଇ ଦେଲାରୁ ପରା ବସି ପଡ଼ିଲା ରାସ୍ତାଟାରେ ।’’

 

‘‘ସେଇଠୁ ?’’

 

‘‘ମୁଁ ତାଙ୍କୁ ଧରି ଧରି ଆଣି ଘରେ ଛାଡ଼ିଲି !’’

 

ଏତିକିବେଳକୁ ଗୋକୁଳି ମଉସା, ‘ସମର, ସମର ଅଛୁ କିରେ’ ବୋଲି ଡାକି ଡାକି ଆସି ପହଞ୍ଚି ଯାଇ କହିଲେ, ‘‘ନନ୍ଦକୁ ଜର ।’’

 

ଗୋକୁଳି ମଉସାଙ୍କ ଚେହେରା ଦେଖି ମନେ ହେଲା ସତେ ପରା ସେ କାନ୍ଦି ପକେଇବେ ଆଉ ଟିକକୁ । ମୁଁ କହିଲି, ‘‘ଚାଲନ୍ତୁ ।’’ ମନେ ମନେ ଡରିଗଲି ମଧ୍ୟ । ଅତି ମାତ୍ରାରେ ବିଚଳିତ ହୋଇ ମଉସାଙ୍କ ରକ୍ତଚାପ ବଢ଼ିଗଲେ ଅବସ୍ଥା ହୁଏତ ଅସମ୍ଭଳ ହୋଇ ପଡ଼ିବ ।

 

ପରୀକ୍ଷା କରି ଦେଖିଲି ବିଶେଷ କିଛି ନୁହେଁ, ସାମାଜ୍ୟ ସର୍ଦ୍ଦି ଜର । କହିଲି, ‘‘ବ୍ୟସ୍ତ ହବାର କିଛିନାହିଁ ମଉସା । ଟିକିଏ ଜୋର ଥଣ୍ଡା ହେଇ ଯାଇଚି । କାଲି ଆଡ଼କୁ ଛାଡ଼ିଯିବ । ମୁଁ ଔଷଧ ପଠେଇ ଦଉଚି ମଙ୍ଗୁଳି ହାତରେ ।’’

 

‘‘ଔଷଧ ଦରକାର ନାହିଁ । ପାଦରେ ଦି’ପଳା ଗରମ ସୋରିଷ ତେଲ ମାଲିସ କରି ଦେଲେ ସବୁ ଠିକ୍‍ ହୋଇଯିବ । ତୁମେ ଗଲ ବାବୁ ତୁମ କାମକୁ । ମୁଁ ଯାଏ ରୋଷେଇ ବସାଏଁ ।’’ ନନ୍ଦ ମଉସା ପ୍ରତିବାଦ କଲା ।

 

‘‘ଦେଖ ନନ୍ଦ, ମୁଁ କହୁଚି ତତେ ଶୋଇ ରହିବାକୁ ପଡ଼ିବ ଜର ଛାଡ଼ିବା ଯାଏ ।’’ ଗୋକୁଳି ମଉସା ଆଦେଶ କଲେ ।

 

‘‘ମୁଁ ତ ଶୋଇବି । ତମକୁ ରୋଷେଇ କରି ଦବ କିଏ ? ଓଳିଟାଏ ଓପାସ ରହିପାରିବ ନା ?’’ ନନ୍ଦ ମଉସା ଗୁମର ଖୋଲି ଦେଲା ।

 

‘‘କଣ କହିଲୁ ? ମୁଁ ପୁଣି ଓପାସ ରହି ପାରିବିନି ଓଳିଟାଏ । ହେଇଟି ଦେଖ ମୁଁ ସଂକଳ୍ପ କଲି ତୁ ଭଲ ନ ହବାଯାଏ ଅନ୍ନ-ଜଳ ସ୍ପର୍ଶ କରିବି ନାହିଁ । ସମର, ତୁ ସାକ୍ଷୀ ରହିଲୁ ।’’

 

‘‘ତୁମେ ଗଲ ଦାଣ୍ଡଘରେ ବସି ଖବରକାଗଜ ପଢ଼ିବ । ମୁଁ ଯାଏ ରୋଷେଇ ଘରକୁ ।’’

 

‘‘ଭଲ ହବନି ନନ୍ଦ ମୁଁ କହି ରଖୁଚି । ଏସବୁ ଢଙ୍ଗ ଛାଡ଼ । ଚୁପ୍‌ଚାପ ଶୋଇ ରହ । ଆଉ ମନେରଖ, ତୁ ଯଦି ମୋ କଥା ନ ମାନି ଯାଇ ରୋଷେଇ କରିବୁ, ତେବେ ମୁଁ ଆଜି ମୋଟେ ଖାଇବିନି କି ତୋ ସାଙ୍ଗେ କଥା କହିବିନି ।’’

 

ମୁଁ ଏଥର ଉପରେ ପଡ଼ି କହିଲି, ‘‘ନନ୍ଦ ମଉସା, ତୁମେ ଆଜିକ ଶୋଇ ରୁହ । ମୁଁ ମଙ୍ଗୁଳି ହାତରେ ଔଷଧ ପଠେଇ ଦଉଚି । ଆଉ ତାକୁ ବି କହି ଦଉଚି ତୁମେ ସୁସ୍ଥ ହବାଯାଏ ସେ ଦିଓଳି ରୋଷେଇ କରି ଦବ ।’’

 

‘‘ସେଇଟା ପିଲାଟାଏ । ସେ କଣ ୟାଙ୍କ ମନଲାଖି ରୋଷେଇ କରି ଜାଣିବ ! ଟିକିଏ କୋଉଠି ଓଲମବିଲମ ହୋଇଗଲେ ରୁଷି ଯିବେ । ସେଇଠୁ ଏ ଦୁଃଖରୁ ସେଦୁଃଖ ବଳିଯିବ ।’’ ନନ୍ଦ ମଉସା ବୁଝେଇଲା ।

 

‘‘ମୁଁ ଜବାବ ଦେଲି ତୁ ଭଲ ନ ହେବାଯାଏ ମୋଟେ ରୁଷିବେନି । ହେଇଟି ଦେଖ କାନମୋଡ଼ି ହେଲି ।’’ ସତକୁ ସତ ନିଜେ କାନ ମୋଡ଼ି ହୋଇ ଗୋକୁଳି ମଉସା ଜବାବ ଦେଲେ ।

 

‘‘କାହିଁକି ଗୁଡ଼େ ଏମିତି ହଲପ କରୁଚ ଶୁଣେ ? ଜୀବନରେ କେବେ ଏମିତିକା ହଲପ କରି କଥା ରଖିଚ ? ଏ ଘରେ ପରା ମୋର ଚାଳିଶ ବର୍ଷ ହେଲା । ଯାଅ ଖବରକାଗଜ ଧରି ବସିବ-। ମୁଁ ଅଧଘଣ୍ଟାକ ଭିତରେ ରୋଷେଇ ସାରି ତୁମ କଥା ମାନି ଶୋଇ ପଡ଼ିବି ।’’ ନନ୍ଦ ମଉସା ପୁଣି ବୁଝେଇଲା ।

 

‘‘ଏ ଘରର ମାଲିକ କିଏ ?’’ ଗୋକୁଳି ମଉସା ଗମ୍ଭୀର ସ୍ୱରରେ ପ୍ରଶ୍ନ କଲେ ।

 

‘‘ତୁମେ ।’’

 

‘‘ଘର ମାଲିକ ହିସାବରେ ମୋର ଆଦେଶ, ତତେ ଶୋଇ ରହିବାକୁ ପଡ଼ିବ ଭଲ ହେବାଯାଏ । ମୋ କଥା ନ ମାନିଲେ ଲୋକ ଲଗେଇ ତତେ ଆଜି ଖଟରେ ବାନ୍ଧିଦେବି । ତାପରେ ଦେଖିବି ତୁ ଖଟରୁ ଉଠିବୁ କେମିତି !’’

 

ସେଠି ଠିଆ ହୋଇ ଏ ନବରଙ୍ଗ ଆଉ ଦେଖିବାକୁ ସମୟ ନ ଥିଲା ମୋର; ଯଦିଓ ସେ ଦୁହିଁଙ୍କ କଥାବର୍ତ୍ତା ଶୁଣିବାକୁ ଆନନ୍ଦ ଲାଗୁଥାଏ । ତେଣୁ ଇଚ୍ଛା ବିରୁଦ୍ଧରେ କହିଲି, ‘‘ମୁଁ ମଙ୍ଗୁଳି ହାତରେ ଔଷଧ ପଠେଇ ଦଉଚି ଅଧଘଣ୍ଟାକ ଭିତରେ ।’’

 

‘‘ଟଙ୍କା ନେଇଯାଅ ।’’ ଗୋକୁଳି ମଉସା ଉତ୍ତର ଦେଲେ ।

 

‘‘ଟଙ୍କା କଣ ହବ ?’’

 

‘‘ଔଷଧ କଣ ଦୋକାନୀ ମାଗଣା ଦେଇ ପକେଇବ ?’’

 

‘‘ହସ୍ପିଟାଲରୁ ପଠେଇ ଦେବି ।’’

 

‘‘ମାଗଣା ଔଷଧରେ ରୋଗ ଭଲ ହୁଏନି ।’’ ଗୋକୁଳି ମଉସା ମତ ଦେଲେ ।

 

‘‘ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ତ ପୁଣି ସେଇ ମାଗଣା ଔଷଧ ଖାଇ ଭଲ ହେଉଚନ୍ତି !’’ ମୁଁ ଉତ୍ତର ଦେଲି ।

 

‘‘ଭଲ ଆଉ ହଉଚନ୍ତି କୋଉଠି ? ଭଲ ହଉଥିଲେ କଣ ଏତେ ରୋଗୀ ରୋଜ ଆସୁଥାନ୍ତେ ଡାକ୍ତରଖାନାକୁ ! ନା...ନା....ମାଗଣା ଔଷଧ ‘‘ନନ୍ଦ ଖାଇବନି । ରହ ମୁଁ ଟଙ୍କା ଦଉଚି-।’’ କହିସାରି ସେ ପଚାରିଲେ, ‘‘କୋଉଠି ଟଙ୍କା ରଖିଚୁରେ ନନ୍ଦ ?’’

 

‘‘ଆଲମାରୀ ଉପରେ ଥାକରେ ।’’ ନନ୍ଦ ମଉସା ବତେଇଦେଲା ।

 

ଗୋକୁଳି ମଉସା ଚାଲିଗଲେ । ଟଙ୍କା ଆଣିବାକୁ ।

 

ନନ୍ଦ ମଉସା ମତେ କହିଲା, ‘‘ତାଙ୍କୁ ବୁଝେଇ ଦଉନ ମୋର କିଛି ହେଇନି ବୋଲି ।’’

 

‘‘ଶହେ ଦୁଇ ଜର ପରା ତୁମକୁ ।’’

 

‘‘ବୁଝନୁରେ ପୁଅ ତୁ, ଲୋକଟା ଓଳିଏ ଓପାସ ରହି ପାରେନି ।’’

 

‘‘ମଙ୍ଗୁଳିକୁ କହିବି ଆସି ରାନ୍ଧି ଦେଇଯିବ ।’’

 

‘‘ସେ ପାରିବନି ତାଙ୍କ ଫରମାଶକୁ ।’’

 

‘‘ତୁମେ ବତେଇ ଦବନି ।’’

 

ଆମେ ଆଉ କଥା ହେଇ ପାରିଲୁ ନାହିଁ । ଗୋକୁଳି ମଉସା ଶହେଟଙ୍କିଆ ନୋଟ ଖଣ୍ଡେ ଧରି ପହଞ୍ଚିଯାଇ କହିଲେ, ‘‘ଏଇ ନିଅ ।’’

 

ପ୍ରତିବାଦ ନ କରି ନୋଟଖଣ୍ଡିକ ତାଙ୍କ ହାତରୁ ନେଇ ବାହାରିଲି । ମଙ୍ଗୁଳିକୁ ସାଙ୍ଗରେ ନେଇ ହସ୍ପିଟାଲରୁ ଔଷଧ କାଢ଼ି ପଠେଇଦେଲି ଖାଇବାର ବିଧି ବ୍ୟବସ୍ଥା ଲେଖି । ଠିକ୍‌ କଲି, ପରେ ସୁବିଧା ଦେଖି ନନ୍ଦ ମଉସାକୁ ନୋଟଖଣ୍ଡକ ଫେରେଇ ଦେବି ।

 

ଘଣ୍ଟାକ ଭିତରେ ମତେ ବାଧ୍ୟ ହୋଇ ଛୁଟି ନବାକୁ ପଡ଼ିଲା ସେଦିନ । କାରଣ ସେଇ ଘଣ୍ଟାକ ଭିତରେ ମଙ୍ଗୁଳିକୁ ଚାରି ଥର ବସାକୁ ଯାଇ ପୁଣି ଆସିବାକୁ ପଡ଼ିଲା ମୋ ପାଖକୁ । ପ୍ରତି ଥର ମଙ୍ଗୁଳି ହାତରେ ଗୋକୁଳି ମଉସା ମଗେଇ ପଠେଇଲେ ଔଷଧ, ନନ୍ଦ ମଉସାର ମୁଣ୍ଡବିନ୍ଧା, ଆଖି ପୋଡ଼ିବା, ଦେହ ହାତ ଘୋଳାବିନ୍ଧା ଇତ୍ୟାଦି କିଛି ନା କିଛି ବିକାର ପାଇଁ ।

 

ବ୍ୟତିବ୍ୟସ୍ତ ହୋଇ ଶେଷକୁ ମୁଁ ଛୁଟି ନେଲି ପେଟ ଖରାପ ବୋଲି ଆଳ ଦେଖେଇ । ପର ଦୁଇଦିନ ବି ମତେ ଛୁଟିରେ ରହିବାକୁ ପଡ଼ିଲା । ନନ୍ଦ ମଉସାର ଚିକିତ୍ସାର ଉଦ୍ଦେଶ୍ୟରେ ।

 

ଆଉ ଗୋକୁଳି ମଉସା, ସେଇ ତିନି ଦିନଯାକ ନନ୍ଦ ମଉସାର ବିଛଣା ପାଖରୁ ଉଠି ନାହାନ୍ତି କହିଲେ ଚଳେ । ଦିନରାତି ଯକ୍ଷଙ୍କ ଭଳି ଜଗି ବସିଚନ୍ତି ସେଇଠି । ମତେ ମଧ୍ୟ ଫୁରସତ୍‌ ଦେଇନାହାନ୍ତି ଶାନ୍ତିରେ ଟିକିଏ ବିଶ୍ରାମ ନବା ସକାଶେ ।

 

ଏ ତିନିଦିନ ଗୋକୁଳି ମଉସା ପ୍ରାୟ ଓପାସ ରହିଲେ । ଯେତେ ଚେଷ୍ଟା କଲେ ବି ଦୁଇ ଓଳି ଦି’ମୁଠା ତାଙ୍କୁ ଭଲ କରି ଖୁଆଇ ପାରିଲୁନି ଆମେ । ଏକେତ ମଙ୍ଗୁଳିର ରୋଷେଇ ତାଙ୍କୁ ରୁଚିକର ଲାଗିଲା ନାହିଁ । ସାଙ୍ଗକୁ ନନ୍ଦ ମଉସାକୁ ବି ସେ ଗୋଡ଼େ ଗୋଡ଼େ ଜଗି ବସି ଶେଯରୁ ମୋଟେ ଉଠିବାକୁ ସୁଯୋଗ ଦେଲେ ନାହିଁ । ତେଣୁ ମଙ୍ଗୁଳି ବି ନନ୍ଦ ମଉସାଠୁ ରୋଷେଇ କାଇଦାଟା ଶିଖି ପାରିଲା ନାହିଁ ଠିକ୍‍ ଭାବରେ ।

 

ସୁବିମଳ ବାବୁଙ୍କ କାର୍ଯ୍ୟକଳାପରେ ଅବଶ୍ୟ କୌଣସି ପରିବର୍ତ୍ତନ ମୁଁ ଲକ୍ଷ୍ୟ କରି ନାହିଁ । ଅଭ୍ୟାସ ମୁତାବକ ସେ ରୋଜ ଦଶଟାକୁ ଆସିଛନ୍ତି । ଏକୁଟିଆ ଦାଣ୍ଡଘରେ ବସି ଦି‘ପଟର ଗୋଟି ଚଳେଇ ଦାବା କେଳିଛନ୍ତି ଉପରଓଳି ପାଞ୍ଚଟାଯାଏ । ଭୂଲରେ ବି ଗୋକୁଳି ମଉସା କି ଆଉ କାହାରିକୁ ଖୋଜି ନାହାନ୍ତି । ମତେ ମଧ୍ୟ ପଚାରି ବୁଝିନାହାନ୍ତି ଦୁଇ ବୁଢ଼ାଙ୍କର ଏଇ ଛୋଟ ପରିବାରଟିରେ କଣ ଘଟିଛି, ଭଲ କି ମନ୍ଦ ।

 

ମଙ୍ଗୁଳିଠୁ ଶୁଣିଚି ପାଞ୍ଚଟା ପରେ ଦାବା ପାଲି ଓ ଗୋଟି ଗୋଟେଇ ରଖି ସୁବିମଳ ବାବୁ ପାର୍କରେ ଯାଇ ବସିଚନ୍ତି ଅନ୍ଧାର ହେବା ପର୍ଯ୍ୟନ୍ତ, ଗୋଟାଏ କୋଣକୁ ପଡ଼ିଥିବା ସେଇ ବେଞ୍ଚଟାରେ-। ତାପରେ କାଳୀ ମନ୍ଦିରକୁ ଯାଇ ଠାକୁରାଣୀଙ୍କ ପାଖେ ଅଭ୍ୟାସ ମୁତାବକ ଅଧିଆ ପଡ଼ି ପୁଣି ଫେରିଚନ୍ତି ତାଙ୍କ ବସାକୁ ଏଇ ଗଳିମୁଣ୍ତ ବାଟେ ।

 

ନନ୍ଦ ମଉସା ଉଠିଲା ପରେ ପୁଣି ଆରମ୍ଭ ହୋଇଗଲା ପୁରୁଣା କଥା ଗୋକୁଳି ମଉସାଙ୍କ ରାଗରୁଷା ବକବକ, ସବୁକିଛି, ଠିକ୍‌ ଆଗ ପରି ।

 

ତାପରେ ଦିନେ ମୁଁ କାମରୁ ଫେରି ଖରାବେଳେ ଖାଇ ସାରି ଉଠିଲାବେଳକୁ ନନ୍ଦ ମଉସା ପହଞ୍ଚି ଡାକିଲା, ‘‘ଆସିଲୁ ଟିକିଏ !’’

 

ହାତ ଧୋଉ ଧୋଉ ପଚାରିଲି, ‘‘କୁଆଡ଼େ ?’’

 

‘‘ବାବୁ ରୁଷିଚନ୍ତି ।’’

 

‘‘କାହିଁକି ?’’

 

‘‘ସୁବିମଳ ବାବୁଙ୍କର କଣ ହେଇଚି କେଜାଣି ଆଜି ଆସିନାହାନ୍ତି । ଖାଇ ସାରି ବାବୁ ମତେ ଡାକିଲେ ତାଙ୍କ ସାଙ୍ଗେ ବସି ଖେଳିବାକୁ ।’’

 

ଆଶ୍ଚର୍ଯ୍ୟ ହୋଇ ବାଧା ଦେଲି, ‘‘ଦାବା ଖେଳି ଆସେ ତୁମକୁ ମଉସା !’’

 

‘‘ମୁଁ କଣ ସେ ପୋଡ଼ା ଖେଳର ଗଣ୍ଡିମୁଣ୍ଡ କିଛି ବୁଝେ ?’’

 

‘‘ଆଉ ତେବେ ?’’

 

‘‘ଖାଲି ବସିବା କଥା ସୁବିମଳ ବାବୁ ନ ଥିଲାବେଳେ ।’’

 

‘‘ତେବେ ଖେଳ ଚାଲେ କେମିତି ?’’

 

‘‘ସେ କୁହନ୍ତି, ଏଇ ଗୋଟିଟା ଏଠି ରଖ । ମୁଁ ଥୋଇ ଦିଏ ।’’

 

‘‘ତା ହେଲେ ତୁମେ ଯାଇ ବସିପଡ଼ୁନ ।’’

 

‘‘ଏଇଲେ ମୁଁ ଯାଇ ବସିଲେ ଆଉ ହବନି ।’’

 

‘‘କାହିଁକି ?’’

 

‘‘ସିଏ ଡାକିଲାବେଳେ ଘର କାମଦାମ ସବୁ ସରି ନଥିଲା । ମୁଁ କାମଦାମ ତୁଟେଇ ଗଲାବେଳକୁ ସେ ଋଷି ଗଲେଣି ।’’

 

‘‘ହଉ ଚାଲ ।’’

 

ନନ୍ଦ ମଉସା ଆଗ ଚାଲିଗଲା ।

 

ମିନିଟକ ଭିତରେ ମୁଁ ବ୍ଲଡ଼ ପ୍ରେସର ମାପିବା ଯନ୍ତ୍ରଟା ଧରି ବାହାରିଲି ।

 

ମତେ ଦେଖିବାମାତ୍ରେ ଗୋକୁଳି ମଉସା ପାଟିକରି ଉଠିଲେ, ‘‘ତୁମକୁ କିଏ କହିଲା ଆସିବାକୁ ?’’

 

‘‘କେହି ନାହିଁ ।’’

 

‘‘କାହିଁକି ଆସିଚ ତେବେ ?’’

 

କପାଳକୁ ସେଦିନ ମଉସାଙ୍କର ରକ୍ତଚାପ ମାପି ଦେଖିବାର ପାଳି ତେଣୁ ଉତ୍ତର ଦେଲି, ‘‘ହସ୍ପିଟାଲରେ ଗୋଟାଏ ରୋଗୀ ବଡ଼ ସାଘାଂତିକ ଅବସ୍ଥାରେ ଢୁକିଚି ଆଜି । ବଞ୍ଚିବି କି ମରିବ । ତାକୁ ରାତି ଦିନ ପାଳି କରି ଜଗିବା ପାଇଁ ପଡ଼ୁଚି । ମୋ ପାଳି ପଡ଼ିଚି ଚାରିଟାଠୁ ରାତି ନଅଯାଏ । ତେଣୁ ଭାବିଲି, ଆପଣଙ୍କ ବ୍ଲଡ଼ ପ୍ରେସରଟା ଏତିକିବେଳୁ ମାପି ଦେଇ ଯାଏ ।’’

 

‘‘ହୁଁ ।’’ ଆଉ ପ୍ରତିବାଦ ନ କରି ସେ ସୁନା ପିଲାଟି ପରି ବସି ରହିଲେ ।

 

ମୁଁ ଧୀରେ ସୁସ୍ଥେ ତାଙ୍କ ରକ୍ତ ଚାପ ମାପିଲି ।

 

ଗୋକୁଳି ମଉସା ପଚାରିଲେ, ‘‘ବଢ଼ିଚି ନା କେମିଚି ?’’

 

‘‘ଏକବାରେ ଠିକ୍‌ ଅଛି’’ କହି ମୁଁ ଯନ୍ତ୍ରପାତି ଡବାରେ ବନ୍ଦ କରି ଆଡ଼େଇ ରଖି ତାଙ୍କ ସାମନା ଚୌକିରେ ବସି ପଡ଼ିଲି ।

 

ସେ ପଚାରିଲେ, ‘‘ଖେଳିବ ?’’

 

‘‘ଶିଖେଇ ଦେଲେ’’ ଉତ୍ତର ଦେଲି ।

 

‘‘ଜମା ଜାଣିନ ?’’

 

‘‘ନା !’’ ମିଛ କହିଲି ଜାଣିଶୁଣି ।

 

ପଢ଼ିଲାବେଳେ କଲେଜରେ ଦାବା ଖେଳ ପ୍ରତିଯୋଗିତାରେ କେତେ ଥର ଚମ୍ପିଆନ୍‌ ହେଇଚି । ଜଗତକୁ ଅବଶ୍ୟ ଏକଥା ଅଛପା ନୁହେଁ । ତେଣୁ ସେ ମତେ ଆରମ୍ଭରୁ ସତର୍କ କରି ଦେଇଚି ଏ ଖବର ମଉସାଙ୍କଠାରୁ ଲୁଚେଇ ରଖିବାକୁ କାରଣ ଥରେ ଗୋକୁଳି ମଉସା ଏ କଥା ଜାଣିଗଲେ ଆଉ ରକ୍ଷାରକ୍ଷଣ ନାହିଁ ।

 

‘‘ଗୁରୁଦକ୍ଷିଣା ଦବାକୁ ପଡ଼ିବ ତାହେଲେ ।’’

 

‘‘ରାଜି ।’’

 

‘‘ତେବେ କଥା ଦିଅ ମୋ ପାଇଁ ନୂଆ ଲୋକଟାଏ ଯୋଗାଡ଼ କରି ଦବ ।’’

 

‘‘କଣ କରିବ ?’’

 

‘‘ନନ୍ଦ ବଦଳରେ ମୋ ପାଖେ ରହିବ । ତାକୁ ମୁଁ ନିକାଲିବି ଯେମିତି ହେଲେ । ତା ମୁହଁ ବହୁତ ବଢ଼ିଗଲାଣି । ସେ ମୋ କଥାକୁ ଆଉ ଖାତିରେ କରୁନି ।

 

‘‘ହଉ ।’’

 

‘‘ପକ୍‌କା କଥା ଦେଲ !’’

 

‘‘ଏଥିରେ ଆଉ କଣ ସନ୍ଦେହ ଅଛି ?’’

 

‘‘ବସ ତାହେଲେ ।’’

 

ତାପରେ ଆରମ୍ଭ ହେଲା ଖେଳ । ମୁଁ ଅନାଡ଼ିଙ୍କ ପରି ପେଖନା ଦେଖେଇ ଖେଳି ଲାଗିଲି । ସେ ଦି’ପଟର ଚାଲ ଚଳେଇ ମତେ ଖେଳର ନିୟମ-କାନୁନ, କାଇଦା-କଟକଣା ସବୁ ବତେଇଲେ । ମୁଁ ବେଶ୍‌ ବୁଝିପାରିଲି ଯେ ଗୋକୁଳି ମଉସା ଦାବା ଖେଳରେ ଧୁରନ୍ଧର । ଅନ୍ତତଃ ମୋ ତୁଳନାରେ ସେ ନିଶ୍ଚିନ୍ତ ଭାବରେ ଉଚ୍ଚଶ୍ରେଣୀର । ତେବେ ଦାବା ଖେଳିବା ସକାଶେ ପ୍ରୟୋଜନୀୟ ଧୈର୍ଯ୍ୟ ଓ ଲୟ ତାଙ୍କର ବୋଧହୁଏ ଆଉ ନାହିଁ । ତେଣୁ ଜିଣିବା ବଦଳରେ ସେ ହାରନ୍ତି ସବୁବେଳେ ସୁବିମଳ ବାବୁଙ୍କଠାରୁ ।

 

ଖେଳ ଆରମ୍ଭ ହୋଇଗଲା ପରେ ପରେ ଗୋକୁଳି ମଉସାଙ୍କ ପ୍ରକୃତି ପୁଣି ବଦଳିଗଲା । ନନ୍ଦ ମଉସା ଉପରୁ ରାଗ-ଅଭିମାନ ଉଭେଇଗଲା କୁଆଡ଼େ । ପୁରୁଣା ଅଭ୍ୟାସ ମନେ ପଡ଼ିଗଲା ତାଙ୍କର । ପନ୍ଦର ମିନିଟ୍‌ ନ ଯାଉଣୁ ସେ ଡାକ ପକେଇଲେ, ‘‘ନନ୍ଦ....ଏ ନନ୍ଦ.... ’’

 

ବାସ ସେତିକି । ମିନିଟକ ପରେ ନନ୍ଦ ମଉସା ଚାହା କପେ ଆଉ ପାନ ଦି’ଖଣ୍ଡ ଧରି ଆସିଲା ।

 

ଗୋକୁଳି ମଉସା ଚାହା କପଟାକୁ ଚାହିଁ ଦେଇ ସାଙ୍ଗେ ସାଙ୍ଗେ କହି ଉଠିଲେ, ‘‘ତୋ ମୁଣ୍ଡରେ ବୁଦ୍ଧି ଶୁଦ୍ଧି ଆଉ କେବେ ହବ ଶୁଣେ ! ଦେଖୁଚୁ ଆମେ ଦି’ଜଣ ବସି ଖେଳୁଚୁ । ଆଉ ତୁ କପେ ଚାହା ଧରି ଆସିଲୁ କୋଉ ଅନ୍ଦାଜରେ ?’’

 

‘‘ସେ ପରା ଏଇଲେ ଭାତ ଖାଇ ଉଠିଲେ ।’’ ନନ୍ଦ ମଉସା ଜଣେଇଲା ।

 

‘‘କଣ ହେଲା ସେଇଠୁ ? ଜାଣୁ ସାହେବମାନେ ଖାଇବା ପରେ ପରେ ଚାହା ପିଅନ୍ତି !’’ ଗୋକୁଳି ମଉସା ସାହେବଙ୍କ ନଜରି ଦେଖେଇ ନିଜ ମତ ଜାହିର କରିବାକୁ ଚାହିଁଲେ ।

 

‘‘ସାଇବମାନେ ପରା ଆମ ଦେଶରୁ କେବେଠୁ ତଡ଼ା ଖାଇ ଗଲେଣି ।’’ ନନ୍ଦ ମଉସା ଭୂଲଟା ଦେଖେଇ ଦେଲା ।

 

‘‘ତା ବୋଲି ତ ଆଉ ଚାହା ଖାଇବାର ରୀତି ନୀତିଟାକୁ ସାଙ୍ଗରେ ନେଇଯାଇ ନାହାନ୍ତି ! ଯା, ଆଉ କପେ ଚାହା ଆଉ ପାନ ଦି’ଖଣ୍ଡ ସମର ପାଇଁ ନେଇଆ ।’’

 

‘‘ପାନ ସେ ଖାଆନ୍ତିନି ।’’

 

ଗୋଟିଟାଏ ଚଳଉ ଚଳଉ ମଉସା ହଠାତ୍‌ ରୋକିଯାଇ ଗୋଡ଼ ଦି’ଟା ଚୌକି ଉପରକୁ ଉଠେଇ ନେଇ କ୍ଷଣକାଳ ଦି’ଗାଲରେ ଦି’ ହାତ ରଖି ଚିନ୍ତା କରି ମତେ ଶୁଣେଇ କହିଲେ, ‘‘ତୋ ପରି ଗୋଟେ ଗଧ କଣ ମୋରି କପାଳରେ ଜୁଟିବାକୁ ଥିଲା ! ଆରେ ବୋକା, ପିଲାଲୋକ ସିନା ଗୁଣ୍ଡିପାନ ଖାଇବନି, ସାଧାପାନ ଖାଇବାରେ ଆପତ୍ତି କଣ ? ମତେ ଆଉ ରଗାନା କହୁଚି । ମୋ ବ୍ଲଡ଼ ପ୍ରେସର ପୁଣି ବଢ଼ିଯିବ । ଆର ପାଳିକୁ Blood pressure ମପା ହବାଯାଏ ମୁଁ ଯାହା କହୁଚି ସେଇଆ କର । ଆଜି ମପା ସରିଲାଣି । ଏଇଲେ ରକ୍ତଚାପ ବଢ଼ିଗଲେ ପୁଣି ସପ୍ତାହକ ପରେ ଯାଇ ଜଣାପଡ଼ିବ କେତେ ବଢ଼ିଛି, ବୁଝିଲୁ ।’’

 

କୌଣସି ମତେ ଦାନ୍ତରେ ଓଠ କାମୁଡ଼ି ଧରି ହସ ସମ୍ଭାଳିଲି ।

 

ନନ୍ଦ ମଉସା ଆଉ ଯୁକ୍ତି ନ କରି ଚାଲିଗଲା ହୁକୁମ ତାମିଲ କରିବାକୁ ।

 

ଅଭ୍ୟାସ ଓ ଇଚ୍ଛା ବିରୁଦ୍ଧରେ ମୁଁ ଚାହା ପିଇଲି ଓ ପାନ ବି ଖାଇଲି ଅବେଳଟାରେ ପାଞ୍ଚଟା ବାଜିଲା ପରେ ନନ୍ଦ ମଉସା ଆସି ମନେ ପକେଇଲା, ‘‘ଏଥର ଖେଳ ବନ୍ଦ କର ।’’

 

‘‘କଣ ତୋ କଥାରେ ?’’ ଗୋକୁଳି ମଉସା ଧମକ ଦେଲେ ।

 

ପାଞ୍ଚ ବାଜିଗଲାଣି । ଚାଲ ବୁଲି ଆସିବ ଟିକିଏ ପାର୍କରୁ ।’’ ନନ୍ଦ ମଉସା ଚେତାଇ ଦେଲା ।

 

‘‘ସୁବିମଳ ବାବୁ ତ ନାହାନ୍ତି, ଯିବି କାହା ସାଙ୍ଗରେ ?’’ ଗୋକୁଳି ମଉସା ପଚାରିଲେ ।

 

‘‘ମୁଁ ଯିବି ସାଙ୍ଗରେ । ଡାକ୍ତର ପରା କହିଚି, ରୋଜ ଦି ବେଳା ଚାଲିବାକୁ !’’

 

‘‘ତା ବୋଲି ଡାକ୍ତର କଣ କହିଚି ଓଡ଼ିଶା ସରକାରଙ୍କର ଜଣେ ଅବସରପ୍ରାପ୍ତ ଡେପୁଟି ସେକ୍ରେଟାରୀ ତାଙ୍କ ଘର ପୁଝାରୀ ସାଙ୍ଗେ ଦି’ବେଳା ବୁଲିବାକୁ ଯିବେ । ଦେଖୁଚ ତ ତା ଅକଲ, ସମର ।’’

 

‘‘ସକାଳେ ତ ପୁଣି ମୋ ସାଙ୍ଗେ ବୁଲି ଯାଉଚ !’’

 

ସେତେବେଳକୁ ତ ରାସ୍ତାକୁ ଲୋକ ବାହାରି ନ ଥାନ୍ତି । ଦେଖୁଚି କିଏ ? ଏଇଲେ ତ ରାସ୍ତାରେ ପଲପଲ ଲୋକ । ମୁଁ ଚିହ୍ନି ନ ଥିଲେ ବି ସେମାନଙ୍କ ଭିତରୁ କେତେ ମତେ ଚିହ୍ନିଥିବେ । ଏତିକି ବୁଝିପାରୁନୁ ତୁ !’’ ଗୋକୁଳି ମଉସା ନିଜ ପକ୍ଷ ସମର୍ଥନ କଲେ ।

 

‘‘ଚିହ୍ନିଲେ ବାକି ଭାସିଗଲା । ଉଠିଲ ଆଗ ।’’ ନନ୍ଦ ମଉସା ବାଧ୍ୟ କଲା ।

 

‘‘ତୁ ତେବେ ଯା, ଆଗ ସଫା ଧୋତି-କୁରୁତା ପିନ୍ଧି ଆ । ମୋ ସାଙ୍ଗେ ନାଲି ଗାମୁଛା ପିନ୍ଧି ବାହାରିଲେ ଚଳିବନି ।’’

 

ସେ ଦୁହିଁଙ୍କ କଥାରେ ବାଧା ଦେବାକୁ ମନ ହେଲା ନାହିଁ । ମୁଁ ଜାଣେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଅତି ନିଗୁଢ଼ । ଏ ବୟସରେ ଜଣେ ଜଣକ ବିନା ଚଳିବାଟା ଏକପ୍ରକାର ଅସମ୍ଭବ । ବିଶେଷ କରି ନନ୍ଦ ମଉସାକୁ ଛାଡ଼ି ମୁହୂର୍ତ୍ତେ ବି ଗୋକୁଳି ମଉସା ଚଳିପାରିବେ ନାହିଁ । ତେବେ ଦୁହିଁଙ୍କ ମଧ୍ୟରେ ଭାବ ଆଦାନପ୍ରଦାନର ଢଙ୍ଗ ଏଇଟା । ଅଜଣା କେହି ଦେଖିଲେ, ଶୁଣିଲେ, ମନେ କରିବ ଯେ ଦୁଇଜଣଯାକ ଆଡ଼ପାଗଳ ।

 

ମୁଁ ଛାଡ଼ ପାଇଲି । ସେମାନେ ଏଥର ବୁଲି ବାହାରିଲେ ।

 

ୱାର୍ଡ଼ରେ ବୁଲି ବୁଲି ରୋଗୀଙ୍କୁ ଦେଖୁଚି, ହଠାତ୍‌ କିଏ ଜଣେ ପଛରୁ ଡାକିଲା, ‘‘ସମର ନା ?’’

 

ବୁଲି ଚାହିଁଲି । ଯୁବକ ଜଣକ ଅତି ପରିଚିତ ପରି ମନେ ହେଲା । ହଠାତ୍‌ କିନ୍ତୁ ଠଉରେଇ ପାରିଲି ନାହିଁ ସେ କିଏ ।

 

‘‘ଚିହ୍ନି ପାରୁନୁ ! ମୁଁ ବିକାଶ ।’’

 

ଏଥର ମନେ ପଡ଼ିଲା, ‘‘ଆରେ ତୁ କୁଆଡ଼େ ?’’ ମନ ଭିତରେ ନାଚିଗଲା ସ୍କୁଲ ବେଳର କଥା । ବିକାଶ ଓ ମୁଁ ଏକା କ୍ଳାସରେ ପଢ଼ୁଥିଲୁ ବରଗଡ଼ ହାଇସ୍କୁଲରେ । ଚମତ୍କାର ଫୁଟବଲ ଖେଳୁଥିଲା ସେ ସେତେବେଳେ । ସ୍କୁଲ ସାରା ସମସ୍ତେ ତା ସାଙ୍ଗେ ସାଙ୍ଗେ ହେବାକୁ ମନ କରୁଥିଲେ । ତଥାପି ମୋ ବ୍ୟତୀତ ସେ ଆଉ କାହା ସାଙ୍ଗେ ସେମିତି ମିଳାମିଶା କରୁ ନଥିଲା । ସେଥି ସକାଶେ ସାଙ୍ଗ ସାଥୀ ସମସ୍ତେ ମତେ ଭାରି ହିଂସା କରୁଥିଲେ । ଆଉ ଦଶ ବର୍ଷ ପରେ ପୁଣି ତା ସାଙ୍ଗେ ଏଇ ପ୍ରଥମ ଦେଖା ।

 

‘‘ଡକ୍ଟର ମିଶ୍ରଙ୍କୁ କୋଉଠି ପାଇବି ?’’

 

ମୋ ଧ୍ୟାନ ଭାଙ୍ଗିଲା । ଉତ୍ତର ଦେଲି, ‘‘ସେ ତ ଦି’ ଦିନ ହେଲା ଛୁଟିରେ ।’’

 

‘‘କେବେ ଆସିବେ ?’’

 

‘‘ପନ୍ଦର ଦିନ ଛୁଟିରେ ଯାଇଚନ୍ତି ବୋଲି ଶୁଣିଚି ।’’

 

‘‘ତେବେ ତ ବଡ଼ ମୁସ୍‌କିଲ ହେଲା ।’’

 

‘‘କାହିଁକି ?’’

 

‘‘ମା’ର ପୁଣି ମାନସିକ ବିକାର ଦେଖା ଦେଇଚି ।’’

 

‘‘ମାନସିକ ବିକାର !’’

 

‘‘ହଁ ଦି’ ଚାରି ବର୍ଷରେ ଥରେ ଅଧେ ତାର ଏମିତି ମୁଣ୍ଡ ପାଗଳାମୀ ବାହାରେ ।’’

 

‘‘କେବେଠୁ ?’’

 

‘‘ପିଲାଦିନୁ ତ ଦେଖି ଆସୁଚି ।’’

 

‘‘ଚିକିତ୍ସା କରେଇନୁ ?’’

 

‘‘ସୁଯୋଗ କୋଉଠି ଥିଲା ?’’

 

‘‘ମାନେ ?’’

 

‘‘ମା’ ତ ସେଇ ଅଧା ମଫସଲରେ ରହିଲା ସବୁ ଦିନେ । ସେଠି କିଏ ସେମିତି ଆଉ ବଡ଼ ଡାକ୍ତର ଥିଲେ ଯେ ଦେଖେଇ ଥାଆନ୍ତି ! ଏଇ ଛଅ ମାସ ହେଲା ମୁଁ ଏଠିକୁ ବଦଳି ହୋଇ ଆସିଲା ପରେ, ଥରେ ଡାକ୍ତର ମିଶ୍ରଙ୍କ ସାଙ୍ଗେ ଘରୋଇ ଭାବରେ ପରାମର୍ଶ କରିଥିଲି । ସବୁ ଶୁଣି ସେ କହିଥିଲେ, ପୁଣି ଥରେ ବିକାର ଦେଖାଗଲେ ତାଙ୍କୁ ଆସି ଖବର ଦବାକୁ । ତାପରେ ସେ ନିଜେ ଦେଖି ଚାହିଁ ଚିକିତ୍ସାର ବ୍ୟବସ୍ଥା କରିବେ ।’’

 

‘‘ବୁଝିଲି ।’’

 

ମୋ ମନ ଭିତରେ ଭାସିଗଲା ଅତୀତର ଗୋଟାଏ ଛବି–ଖୁବ୍‌ ଝାପ୍‌ସା । ସେତେବେଳେ ମୁଁ ପ୍ରାୟ ବିକାଶ ଘରକୁ ଯାଉଥାଏ । ମା-ପୁଅର ଛୋଟିଆ ସଂସାରଟିଏ । ମାମୁଁ ଜଣେ ଛଅ ମାସ ବର୍ଷକୁ ଥରେ ଆସି କେତେବେଳେ କେମିତି ଖବର ଟିକିଏ ନଉଥାନ୍ତି ସେମାନଙ୍କର ।

 

ମାଉସୀ ମାଷ୍ଟ୍ରାଣୀ ଥିଲେ ବରବଡ଼ ସରକାରୀ ୟୁ. ପି. ସ୍କୁଲରେ । ରହୁଥିଲେ, ଆମ ବସାଠୁ ବାଟ ଅଧ କିଲୋମିଟର ଦୂର ବିଧବା ରାଧାନାନୀ ଘରେ, ଭଡ଼ାରେ ।

 

ଦିନେ ଖେଳଛୁଟି ବେଳେ ଆମ ସ୍କୁଲର ନବମ ଆଉ ଦଶମ ଶ୍ରେଣୀ ଭିତରେ ଜିଦାଜିଦ୍‌ରେ ଫୁଟବଲ ଖେଳ ଲାଗିଲା । କାହିଁକି କେଜାଣି ବିକାଶର ସେ ଦିନ ମନ ମୋଟେ ଭଲ ନ ଥାଏ । ଭାରି ଶୁଖିଲା ଦିଶୁଥାଏ ସେ । ଯେତେ ଖୋସାମତ କଲେ ବି ସେ ଖେଳିବାକୁ ମୋଟେ ରାଜି ହେଲା ନାହିଁ ଆଗ ଆଗ । ବହୁତ ନେହୁରା ହୋଇ ଶେଷକୁ ଆମେ ତାକୁ ରାଜି କରାଇଲୁ । ସେ ବି ସର୍ତ୍ତ ରଖିଥିଲା ଯେ ଭଲ ଖେଳି ନ ପାରିଲେ ତାକୁ ଯେମିତି କେହି ଦୋଷ ଦେବେ ନାହିଁ ।

 

ସତ କୁ ସତ ସେଦିନ ସେ ମୋଟେ ଦୌଡ଼ି ପାରି ନ ଥିଲା । କେତେବଳେ କେମିତି ବଲ ଧରି ଦି-ଚାରି ପାହୁଣ୍ଡ ଦୌଡ଼ିଗଲା ପରେ ହାଲିଆ ହୋଇ ପଡ଼ୁଥାଏ । ତାର ଏ ଅବସ୍ଥା ଦେଖି ଆମର ମୁହଁ ସବୁ କଳା ପଡ଼ିଗଲା । ମାନ ମହତ ରଖିବାକୁ ଆମେ ସବୁ ପ୍ରାଣପଣେ ଲାଗିଗଲୁ ଯେମିତି ହେଲେ ଡ୍ର ରଖିବା ସକାଶେ ।

 

ଖେଳଛୁଟି ଘଣ୍ଟାପଡ଼ି ଆାସିଲାବେଳକୁ ଆମ ଭିତରୁ ଜଣେ କିଏ ବଲଟା ଧରି ମାଡ଼ିଗଲା ଆର ପଟ ଗୋଲ ଆଡ଼କୁ । ସେମାନେ ସମସ୍ତେ ତ ଆଗେଇ ଆସିଥାଆନ୍ତି ଗୋଲ ଦେବେ ବୋଲି; ତେଣୁ ସିଧାସଳଖ ଗୋଲ ଆଡ଼କୁ ମାଡ଼ି ଯିବାର କୌଣସି ବାଧା ରହିଲା ନାହିଁ । ଏ ଅବସ୍ଥା ଦେଖି ତାଙ୍କ ପଟର ଗୋଲକିପର ଆଗେଇ ଆସିଲା ଗୋଲ ଛାଡ଼ି ମୁକାବିଲା କରିବାକୁ-। ବଲ ଗୋଲକିପରି ଗୋଡ଼ରେ ଲାଗି ଛିଟିକି ଆସିଲା । ଆଉଟ ହୋଇଯାଇ ଥାଆନ୍ତା । କିନ୍ତୁ ସେତିକିବେଳେ ବିକାଶ କୋଉଠି ଥିଲା କେଜାଣି ଦୌଡ଼ି ଆସି ବଲଟାକୁ ଆସ୍ତେ ପେଲି ଦେଲା ଗୋଲ ଭିତରକୁ ।

 

ଆମେ ଜିତିଲୁ ସେହି ଗୋଟାକ ଗୋଲରେ । କ୍ଲାସ ସାରା ସମସ୍ତେ ବିକାଶକୁ କାନ୍ଧରେ ବସେଇ ‘ହିପ୍‌ ହିପ୍‌ ହୁର୍‌ରେ’ କହି ପଡ଼ିଆ ସାରା ଘେରାଏ ଘୂରି ଆସିଲୁ । ଆକୁଣ୍ଠିତ ଅଭିନନ୍ଦନ ଜଣେଇଲୁ ତାକୁ ।

 

କିନ୍ତୁ ମୋର ମନେହେଲା ବିକାଶ କ୍ଳାନ୍ତ । ତାର ଲୋଡ଼ା ବିଶ୍ରାମ । ହୁଏତ ସେ ବେମାର-। ସେଦିନ ଛୁଟି ପରେ ଘରକୁ ଫେରିବା ବାଟରେ ମୁଁ ପଚାରିଲି, ‘‘ତୋ ଦେହ ଖରାପ ?’’

 

‘‘ମା’ର ।’’ ଅନ୍ୟମନସ୍କ ପରି ସେ ଉତ୍ତର ଦେଲା ।

 

‘‘କଣ ହେଇଛି ମାଉସୀଙ୍କର ?’’

 

‘‘ମୁଣ୍ଡ ବିଗିଡ଼ି ଯାଇଚି ଟିକିଏ ।’’

 

‘‘ମୁଣ୍ଡ ବିଗିଡ଼ିଚି ! କାହିଁକି ?’’

 

‘‘କେଜାଣି ! ଦି’ବର୍ଷ ତଳେ ଥରେ ଏମିତି ହୋଇଥିଲା ।’’

 

‘‘କାଲି ରାତିରୁ ।’’

 

ବାଟରେ ଆଉ କିଛି କଥା ହେଇନୁ ଆମେ । ତେବେ ବିକାଶକୁ ସମବେଦନା ଜଣେଇବାକୁ ହେଉ କି ନିଜ ମନର କୌତୂହଳ ମେଣ୍ଟାଇବାକୁ, ମଁ ସିଧାସଳଖ ତା ସାଙ୍ଗେ ଗଲି ବସାଯାଏ । ପହଞ୍ଚି ଦେଖିଲି, ମାଉସୀ ସନ୍ନ୍ୟାସୀନୀଙ୍କ ପରି ଚକାମାଲି ପକେଇ ଠାକୁର ଘରେ ବସି ଭାଗବତ ବୋଲୁଛନ୍ତି ଏକଲୟରେ । ତାଙ୍କର ଶାନ୍ତ, ନିର୍ମଳ, ସୌମ୍ୟରୂପ ଦେଖି ମୋ ମନ ଭକ୍ତିରେ ଭରିଗଲା । ମନେହେଲା, ସତେ ଯେମିତି ଜୀବନ୍ତ ଦେବୀ ପ୍ରତିମାଟିଏ ମୋ ଆଗରେ ଉଭା । ନାରୀର ସେଇ ଅପରୂପ ଲାବଣ୍ୟ ଆଜିଯାଏ ପୁଣି ଥରେ କୋଉଠି ଦେଖିଲା ପରି ମୋର ମନେ ହେଉନି । ତେବେ ମତେ ଲାଗିଲା, ମାଉସୀ ଯେମତି ଏ ଦୁନିଆରେ ନାହାନ୍ତି, ନିଜ ଐଶ୍ୱରିକ ଶକ୍ତି ବଳରେ ଆଉ ଗୋଟାଏ ଜଗତକୁ ଚାଲିଯାଇଛନ୍ତି । ଏମିତିକି ବିକାଶ ‘ମାଆ’ ବୋଲି ଡାକିଲା ପରେ ବି ତାଙ୍କ ଲୟ ଭାଙ୍ଗିଲା ନାହିଁ କି ସେ ମୁହଁ ଉଠେଇ ପୁଅକୁ ଚାହିଁଲେ ନାହିଁ ଟିକିଏ ।

 

ବିକାଶର ଆଖି ଦୁଇଟି ଛଳଛଳେଇ ଉଠିଲା । ଟିକିଏ ରହି ସେ ପୁଣି ତା ମା’ର ଲୟ ଭାଙ୍ଗିବାକୁ ‘‘ମାଆ..ମାଆଲୋ...’’ ଡାକି କାନ୍ଦି ପକାଇଲା ।

 

ପୁଅ ସ୍ୱରର କରୁଣତା ବୋଦହୁଏ ମା’ ମନକୁ ଦୋହଲେଇ ଦେଲା ।

 

ମାଉସୀ ଏଥର ମୁହଁ ଟେକି ଚାହିଁଲେ । ତାପରେ କେମିତିକା ବିରକ୍ତ ଟିକିଏ ପ୍ରକାଶ କରି କହିଲେ, ‘‘ତୋ ବାପା ଦେହ ଖରାପ ପରା ! ମତେ ଆଉ ବ୍ୟସ୍ତ କରନା । ମୁଁ ଠାକୁରଙ୍କୁ ଡାକୁଚି । ସେ ନିଶ୍ଚେ ଭଲ ହୋଇଯିବେ ରେ ।’’

 

ମୁଁ ରୀତିମତ ଡରିଗଲି ଏକଥା ଶୁଣି । ଇଏ ପୁଣି କି ଧର୍ମଛଡ଼ା କଥା ! ବିକାଶର ବାପାଙ୍କୁ ମୁଁ ତ କେବେ ଦେଖନି ଏଠି ! ବରଂ ବିକାଶଠୁ ଶୁଣିଚି ଯେ ସେ ମଧ୍ୟ ଜୀବନରେ ତା ବାପାଙ୍କୁ କେବେ ହେଲେ ଦେଖି ନାହିଁ । ମାଉସୀ ବି ପୁଅକୁ ବାପା କଥା କେବେ କିଛି କହି କୁହନ୍ତିନି । ପୁଅ ପଚାରିଲେ ଓଲଟି ବିରକ୍ତ ହୁଅନ୍ତି ତା ଉପରେ ଖାଲି ଯାହା ସେ ତା ମାମୁଙ୍କଠୁ ଶୁଣିଚି ଯେ ବାପା ତାର କାହିଁକି କେଜାଣି ପୁଅ ଜନ୍ମ ହବା ଆଗରୁ ବାବାଜୀ ହେଇ ହିମାଳୟକୁ ଚାଲି ଯାଇଛନ୍ତି ।

 

ଏତିକିବେଳକୁ ଘରବାଲୀ ରାଧାନାନୀ ଆସି କହିଲେ, ‘‘ଆସିଲୁ ରେ ପୁଅ ଆଗ କଣ ଟିକିଏ ପାଟିରେ ଦବୁ । କାଲିଠୁ ମଆଟା ଏମିତି ହେଲାଣି, ମତେ ଟିକିଏ କହିନୁ । ଓପାସ ଭୋକରେ ପଡ଼ି ରହିଚୁ ।’’ କହୁ କହୁ ସେ ବିକାଶକୁ ଏକପ୍ରକାରରେ ଜବରଦସ୍ତ ସେଠୁ ଉଠେଇ ଭିଡ଼ି ନଉ ନଉ ମତେ ଡାକିଲେ,‘‘ଆ’ ରେ ପୁଅ ତୁ । ‘‘

 

ତାଙ୍କ ପଟକୁ ଡାକି ନେଇ ରାଧାନାନୀ ଆମକୁ ଚୂଡ଼ା, ଗୁଡ଼, କ୍ଷୀର ଏକାଠି ଚକଟି ପେଟେ ଖୁଏଇଥିଲେ ।

 

ଆଉ ଖାଇ ବସୁ ବସୁ ପୁଣି ଥରେ କାନ୍ଦି ପକେଇ ବିକାଶ ପଚାରିଥିଲା, ‘‘ନାନୀ, ମାଆର କିଛି ହବନି ତ ?’’

 

‘‘ନାଇଁ ରେ ପୁଅ କିଛି ହବନି । ଯାହା ହବାର ହେଇ ସାରିଛି । କପାଳ ଲେଖନକୁ କିଏ ପୁଣି ପୋଛିବ ରେ ! ଆଉ ଦି’ ଦିନକୁ ତୋ ମା’ ପୁଣି ଉଠିବ ।’’ ରାଧାନାନୀ ସାନ୍ତ୍ୱନା ଦେଇଥିଲେ ।

 

‘‘କଣ ଭାବୁଚୁ ?’’ ବିକାଶ ପ୍ରଶ୍ନ କଲା ।

 

ମୁଁ ପୁଣି ପ୍ରକୃତିସ୍ଥ ହେଲି କହିଲି, ‘‘ଚାଲ ମୁଁ ଯିବି ।’’

 

‘‘ଡାକ୍ତର ମିଶ୍ରଙ୍କ ସାଙ୍ଗେ ତାହେଲେ ଦେଖା ହୋଇପାରିବନି ?’’

 

‘‘ବ୍ୟସ୍ତ କାହିଁକି ହଉଚୁ ? ଚାଲ, ମୁଁ ଯାଇ ଦେଖି ଆସିବି । ସାର ଛୁଟିରୁ ଫେରିଲେ ମୁଁ ତାଙ୍କ ସାଙ୍ଗେ ପରାମର୍ଶ କରିବି ତୋ ତରଫରୁ ।’’ ପିଲାବେଳ କଥା ମନେ ପଡ଼ିଗଲାରୁ ମୋ ମନରେ କୌତୁହଳ ହେଲା, ମାଉସୀଙ୍କର ଏଇ ମାନସିକ ବିକାରର ମୂଳ କୋଉଠି ଖୋଜି ବାହାର କରିବା ସକାଶେ ।

 

ମୋ ଉତ୍ତରଟା ତା ମନକୁ ପାଇଳା । ସେ କହିଲା,‘‘ହଉ ତେବେ ।’’

 

‘‘ପାଞ୍ଚ ମିନିଟ ଅପେକ୍ଷା କଲା । ଟିକିଏ ପରେ ଆମେ ଦୁହେଁ ଏକାଠି ବାହାରିଲୁ ।

 

ବାଟରେ ମୁଁ ପଚାରିଲି, ‘‘କଣ କରୂଚୁ ଏଇଲେ ?’’

 

‘‘ଷ୍ଟେଟ ବ୍ୟାଙ୍କରେ ପି.ଓ.ହେଇଚି ।’’

 

‘‘କେବେଠୁ ?’’

 

‘‘ଛମମାସ ହେଲା ।’’

 

‘‘ବାହା ହେଲୁଣି ?’’

 

‘‘ନା ।’’

 

‘‘ମାଉସୀ କଣ ଏଠିକି ବଦଳି ହୋଇ ଆସିଚନ୍ତି ।’’

 

‘‘ନା ଜୋର କରି ମା’କୁ retire କରେଇ ନେଇ ଆସିଚି ସାଙ୍ଗରେ ।’’

 

‘‘ଭଲ କରିଚୁ । ଆଉ ମାମୁଁ ?’’

 

ବିକାଶ ବସାରେ ପହଞ୍ଚି ଦେଖିଲି ମାଉସୀ ଠାକୁର ଘରେ ଅଖଣ୍ଡ ଦୀପ ଜାଳି ଭାଗବତ ବୋଲୁଛନ୍ତି ଏକଲୟରେ । ତାଙ୍କର ସୌମ୍ୟ ରୂପ ଦେଖି ପୁଣି ପିଲାଦିନର ସେଇ ଭାବନା ମୋ ମନରେ ନାଚିଗଲା । ମନେ ହେଲା ସେ ଆଉ ଏ ସଂସାରରେ ନାହାନ୍ତି, ଦୁନିଆ ବାହାରର ଅନ୍ୟ କୋଉ ରାଜ୍ୟରେ ଯାଇ ଅଛନ୍ତି । ପାର୍ଥିବ କୌଣସି କିଛି ସହିତ ତାଙ୍କର ଟିକିଏ ହେଲେ ସମ୍ପର୍କ ନାହିଁ ଏଇଲେ ।

 

ମୁଁ ବିକାଶକୁ ଦାଣ୍ଡଘରକୁ ଡାକିଆଣି ପଚାରିଲି, ‘‘କେବେଠୁ ଏମିତି ହେଲାଣି ?’’

 

‘‘କାଲି ରାତିରୁ ।’’

 

‘‘କଣ ହଠାତ୍‌ ?’’

 

‘‘ହଁ । ମତେ ଖାଇବାକୁ ଦେଇସାରି ନିଜେ ନ ଖାଇ ଚୁପ୍‌ଚାପ ଆଗ ବସି ରହିଲା ବାରଣ୍ଡାରେ । ପଚାରିଲାରୁ କହିଲା, ମନ ଭଲ ଲାଗୁନି ବୋଲି । ଏମିତି ଘଣ୍ଟାଏ ଖଣ୍ଡେ ବସିଲା ପରେ ମନକୁ ମନ ଚୁପ୍‌ଚାପ ଉଠିପଡ଼ି ମଠା ପାଲଟି ଯାଇ ଠାକୁର ଘରେ ପଶିଲା ।’’

 

‘‘କଣ ସେତିକି ବେଳୁ ଏମିତି ବସିଚନ୍ତି ?’’

 

‘‘ଏକପ୍ରକାର ।’’

 

‘‘ମାନେ ?’’

 

‘‘ସକାଳେ ଯାହା ଅଧଘଣ୍ଟାଏ ଉଠିଥିଲେ ନିତ୍ୟକର୍ମ ସାରିବାକୁ । ସେତେବେଳେ ବି ଅନର୍ଗଳ ଭାଗବତ ବୋଲି ଲାଗିଥାଏ ।’’

 

‘‘ଖିଆପିଆ ?’’

 

ପାଣି ଟିକିଏ ବି ପିଇନି ।’’

 

‘‘କେତେଦିନ ଏମିତି ବସି ଭାଗବତ ପଢ଼ିବେ ?’’

 

‘‘କିଏ କହି ପାରିବ ? ଚାରିବର୍ଷ ତଳେ ଥରେ ତ ସପ୍ତାହେକାଳ ଏମିତି ନ ଖାଇ ନ ପିଇ ଭାଗବତ ପଢ଼ିଥିଲେ ଦିନରାତି । ମୁଁ ତ ଡରିଯାଇ ମାମୁଁଙ୍କୁ ଟେଲିଗ୍ରାମ କରି ଡକେଇ ଆଣିଥିଲି ।’’

 

‘‘ପଚାରିଲେ କଥା କହିବେ ତ ?’’

 

‘‘କିଛି ଠିକଣା ନାହିଁ । ମନ ହେଲେ ଉତ୍ତର ଦେବ । ନହେଲେ କିଛି ନ ଜାଣିଲା ପରି ଟିକିଏ ଚାହିଁ ଦେଇ ପୁଣି ଭାଗବତ ବୋଲିବ ବସି ।’’

 

ଏଥର ଦମ୍ଭ ବାନ୍ଧି ମୁଁ ଉଠିଲି । ଠାକୁର ଘର ଦୁଆର ଆଗ ବାରଣ୍ଡାରେ ଚକାମାଲି ପକାଇ ବସିପଡ଼ି ଭକ୍ତଙ୍କ ପରି ହାତ ଯୋଡ଼ି ଡାକିଲି,‘‘ମାଉସୀ !’’

 

ମୋ ଡାକରେ ତାଙ୍କ ଧ୍ୟାନ ଭାଙ୍ଗିଲା ନାହିଁ । ମନେହେଲା, ସେ ବୋଧହୁଏ ଶୁଣି ପାରିଲେନି ।

 

ଦି’ ତିନି ମିନିଟ ଅପେକ୍ଷା କରି ମୁଁ ପୁଣି ଆଉ ଟିକିଏ ବଡ଼ ପାଟିରେ କହିଲି, ‘‘ମାଉସୀ, ଏଇଠି ମୁଣ୍ଡିଆ ମାରୁଚି ।’’

 

ଏଥର ମୁହଁ ଟେକି ଚାହିଁଲେ ମୋତେ, ଶୂନ୍ୟକୁ ଚାହିଁ ରହିଥିଲା ଭଳି ।

 

ପରିଚୟ ଦେଲି, ‘‘ମୁଁ ସମର ମାଉସୀ, ବିକାଶର ସାଙ୍ଗ ।’’

 

ମୋ କଥା ବୋଧ ହୁଏ ତାଙ୍କ କାନକୁ ଗଲା ନାହିଁ । ସେ ଉତ୍ତର ଦେଲେ, ‘‘ତାଙ୍କ ଦେହ ଭଲ ନାହିଁ ରେ ପୁଅ । ଭାରି କଷ୍ଟ ତାଙ୍କୁ । କେହି ବି ପାଖରେ ନାହାନ୍ତି, ପାଣି ଟୋପେ ମୁହଁରେ ଦବାକୁ ।’’

 

‘‘ସେ କୋଉଠି ଅଛନ୍ତି ?’’

 

‘‘କେଜାଣି !’’

 

‘‘କେମିତି ଜାଣିଲେ ତାହେଲେ ମଉସା ବେମାର ବୋଲି ?’’

 

‘‘ମୋ ମନ କହୁଚି ରେ ପୁଅ ।’’

 

‘‘ଓଷଦ ଟିକିଏ ଦବାକୁ ତ ପାଖରେ କେହି ନ ଥିବେ ?’’

 

‘‘କିଏ ଅଛି ଯେ ତାଙ୍କ ପାଖେ ଭଲମନ୍ଦ ବୁଝିବେ ? ଜୀବନସାରା ତ ଏକୁଟିଆ କାଟିଲେ-।’’

 

‘‘ଗୋଟେ କଥା କହିବି ମାଉସୀ ।’’

 

‘‘କଣ ?’’

 

‘‘ତୁମେ ଔଷଧ ଖାଇଦିଅ, ମଉସା ଭଲ ହୋଇଯିବେ ।’’

 

‘‘ମୁଁ ଔଷଧ ଖାଇଲେ ତାଙ୍କୁ କାଟୁ କରିବ ?’’

 

‘‘ଏଥିରେ ଆଉ କଣ ସନ୍ଦେହ ଅଛି ! ମୋ ମନ କହୁଚି ମାଉସୀ ତୁମେ ଔଷଧ ଖାଇଦେଲେ ସେ ନିଶ୍ଚେ ଭଲ ହୋଇଯିବେ ।’’

 

‘‘ତୁ ଜାଣୁ ସେ କୋଉଠି ଅଛନ୍ତି ?’’

 

‘‘ଆଉ ଜାଣି କି ଲାଭ ମାଉସୀ । ଦୂରରେ ତାଇ ସେ ବେମାର ପଡ଼ିଲେ ତୁମେ ତ ତାଙ୍କ କଥା ଜାଣିପାରୁଚ । ସେଇ କଣ ଯଥେଷ୍ଟ ନୁହେଁ ?’’

 

‘‘ହଁ ତାଙ୍କର କଣ ଟିକିଏ ହେଲେ ମୋ ମନଟା କେମିତି ହୋଇଯାଏ ।’’

 

‘‘ସେଥିପାଇଁ ତ କହୁଚି, ତୁମେ ଔଷଧ ଖାଇଦେଲେ ମଉସା ଉଠି ବସିବେ ।’’

 

‘‘ସତ କହୁଚୁରେ ପୁଅ ?’’

 

‘‘ପୁଅ କେବେ କଣ ମା-ମାଉସୀଙ୍କୁ ମିଛ କୁହେ !’’

 

ଉତ୍ତର ନ ଦେଇ ସେ ମୋ ମୁହଁକୁ କେତେ ସେକେଣ୍ଡ ଏକଲୟରେ ଚାହିଁ ରହିଲେ । ତା ପରେ ଭାବି ରାଜି ହେଲେ,‘ ‘ଆଣ ତେବେ ଔଷଧ ଦେ ।’’

 

ଆଶା କରି ନଥିଲି ଏଡ଼େ ସହଜରେ ସେ ମାନିଯିବେ ବୋଲି । ତେଣୁ ହଠାତ୍‌ ଭାବି ପାରିଲିନି କଣ କରିବି, କି ଔଷଧ ଦେବି; ତଥାପି ‘ଆଣୁଚି’ ବୋଲି କହି ମୁଁ ଉଠିଯାଇ ମୋ ବ୍ୟାଗରେ ଅଣ୍ଡାଳିଲି । ଭାଗ୍ୟକୁ ଔଷଧ କମ୍ପାନୀ ଏଜେଣ୍ଟ ଜଣେ ମତେ ଗୋଟାଏ ନୂଆ ଧରଣର ନିଦ ବଟିକା ରୋଗୀଙ୍କ ଉପରେ ପରୀକ୍ଷା କରିବାକୁ ସେ ଦିନ ସକାଳେ ଦେଇ ଯାଇଥାଏ । ମୁଁ ତରବରରେ ସେଥିରୁ ଗୋଟାଏ ନେଇ ମାଉସୀଙ୍କୁ ଦେଲି ।

 

ସେ ନିର୍ବିକାରରେ ବଟିକାଟି ଗିଳି ପାଣି ଟିକିଏ ପିଇ ପୁଣି ଭାଗବତ ପଢ଼ାରେ ମନ ଦେଲେ ।

 

ଆମେ ଦୁହେଁ ଦାଣ୍ଡଘରକୁ ଲେଉଟି ଆସିଲୁ ।

 

ବସୁ ନ ବସୁଣୁ ବିକାଶ କହିଲା,‘‘ବଡ଼ ଆାଶ୍ଚର୍ଯ୍ୟ !’’

 

‘‘କୋଉ କଥା ?’’

 

‘‘ଏ ଅବସ୍ଥାରେ ମା’ ଔଷଧ ଖାଇବାକୁ ମଙ୍ଗିଲା !’’

 

‘‘ଆଗରୁ କଣ ମାଉସୀ ଔଷଧ ଖାଇବାକୁ ରାଜି ହଉ ନ ଥିଲେ ?’’

 

‘‘ନା, ଏ ଅବସ୍ଥାରେ ଯେତେ ଚେଷ୍ଟା କଲେ ବି ସେ ଔଷଧ ଖାଇବାକୁ ରାଜି ହୁଏନି । କି ଔଷଧ ଦେଲୁ ?’’

 

‘‘ନିଦ ବଟିକା ।’’

 

‘‘କିଛି ଗଣ୍ଡଗୋଳ ହବନି ତ ?’’

 

‘‘ନା । ଏ ରୋଗ ପାଇଁ ଠିକ୍‌ ଔଷଧ ।’’ ତା ପରେ ମୁଁ ବୁଝେଇଲି, ‘‘ଦଶ ପନ୍ଦର ମିନିଟ୍‌ ଭିତରେ ମାଉସୀ ବୋଧହୁଏ ଶୋଇ ପଡ଼ିବେ ।’’

 

‘‘ତେବେ ତ ବଡ଼ ଅସୁବିଧା ।’’

 

‘‘କାହିଁକି ?’’

 

‘‘ଠାକୁରଘରୁ ସେ ମୋଟେ ବାହାରିବାକୁ ରାଜି ହବନି ।’’

 

‘‘ସେଇଠି ଶୁଅନ୍ତୁ ଏବେ । କ୍ଷତି କଣ ? ତେବେ ଆଉ ଗୋଟେ କଥା ମନେ ରଖିବୁ !’’

 

‘‘କଣ ?’’

 

‘‘ମାଉସୀଙ୍କ ଅଖଣ୍ଡ ଦୀପ ଯେମିତି ଲିଭି ନ ଯାଏ । ଦୀପ ଲିଭିଗଲେ ଏକା ସବୁ ବିଗିଡ଼ିଯିବ ।’’

 

‘‘ହଉ ।’’

 

‘‘ଏ ଔଷଧ ରଖ । ପୁଣି କାଲି ସକାଳେ ଗୋଟେ, ଖରାବେଳେ ଗୋଟେ ଆଉ ରାତିକୁ ଏମିତି ଦିନକୁ ତିନିଟା କରି ଦବୁ ।’’

 

‘‘ସେ କାଲି ଆଉ ଔଷଧ ଖାଇବ ବୋଲି ମୋର ବିଶ୍ୱାସ ହଉନି ।’’

 

‘‘ମାନେ ?’’

 

‘‘ତୋ କଥାରେ ରାଜି ହୋଇ ଯେତେବେଳେ ପ୍ରଥମ କରି ଔଷଧ ଖାଇଲା, କେଜାଣି ଅବା ତୁ ଆସି ପୁଣି ଥରେ ଔଷଧ ଦେଲେ ଖାଇ ପାରେ ।’’

 

‘‘ତେବେ ଉପାୟ ?’’

 

‘‘ତତେ ଆସି ଔଷଧ ଖୁଏଇବାକୁ ପଡ଼ିବ ।’’

 

‘‘ଠିକ୍‌ ଅଛି ମୁଁ ଆସିବି ।’’ ରାଜି ହୋଇସାରି ମୁଁ ପୁଣି କହିଲି, ‘‘ଚାଲ, ମୁଁ ମାଉସୀଙ୍କୁ କହିଦେଇ ଯାଏ ।’’

 

ଉଠି ଆସି ମୁଁ ଠାକୁରଘର ଦୁଆର ମୁହଁପାଖେ ଠିଆ ହୋଇ ଅନୁମତି ଲୋଡ଼ିଲେ,‘‘ମାଉସୀ, ମୁଁ ଏଥର ଆସେ ।’’

 

‘‘ମୋ ଆଖି ଦି’ଟା କାହିଁକି ମାଡ଼ି ମାଡ଼ି ପଡ଼ୁଚି ରେ ପୁଅ । ଅକ୍ଷରଗୁଡ଼ାକ ବି ଭଲ ଦିଶୁନି-।’’ ମାଉସୀ ଜବାବ ଦେଲେ ।

 

‘‘ତୁମେ ଔଷଧ ଖାଇଲାରୁ ମଉସାଙ୍କ କଷ୍ଟ ନିଶ୍ଚେ କମିଲାଣି । ସେ ବୋଧହୁଏ ଶାନ୍ତିରେ ଶୋଇବାକୁ ମନ କଲେଣି ଏଥର । ସେଥିପାଇଁ ତୁମକୁ ବି ମାଉସୀ ନିଦ ଘାରୁଛି ।’’ ତାଙ୍କୁ ଭୁଲେଇବା ସକାଶେ ମୁଁ ଜାଣିଶୁଣି ମିଛ କହିଲି ।

 

‘‘ହୋଇଥିବରେ ପୁଅ ।’’ ସେ ମାନିଗଲେ ।

 

‘‘ତୁମକୁ ମନେ ହେଉନି ମାଉସୀ ତାଙ୍କ କଷ୍ଟ କମି ଆସିଲା ଭଳି !’’ ତାଙ୍କ ମନରେ ଧାରଣାଟାକୁ ବଦ୍ଧମୂଳ କରିବାକୁ ମୁଁ ଚେଷ୍ଟା କଲି ।

 

‘‘ଟିକିଏ ଟିକିଏ ।’’ ନିଦବାଉଳା ସ୍ୱରରେ ମାଉସୀ କହିସାରି ପଚାରିଲେ,‘‘ଆଉ ଔଷଧ ଖାଇବି କେତେବେଳେ ?’’

 

‘‘କାଲି ସକାଳେ ।’’

 

‘‘ତୁ ଆସି ବାପା ଖୁଏଇ ଦେଇ ଯିବୁ ।’’

 

‘‘ହଉ ।’’ କହି ମୁଁ ପ୍ରସ୍ତାବ ଦେଲି, ‘‘ତୁମେ ସେଇଠି ଟିକିଏ ଗଡ଼ି ପଡ଼ୁନ ମାଉସୀ । ପୁଣି ତାଙ୍କ ନିଦ ଭାଙ୍ଗିଲା ବେଳକୁ ଉଠିବ ।’’

 

କଥା କହିବାର ଧୈର୍ଯ୍ୟ ସେତେବେଳକୁ ସେ ହରେଇ ସାରିଲେଣି । ତେଣୁ ମୋ କଥା ମାନି ସେ ସେଇଠି ଶୋଇ ପଡ଼ିଲେ ତଳେ ।

 

ମୁଁ ବିକାଶକୁ କହିଲି, ‘‘ଯାଉଚି ଏଥର । କାଲି ସକାଳ ଆଠଟାକୁ ଆସିବି ମାଉସୀଙ୍କୁ ଔଷଧ ଖୁଏଇ ଦେଇ ଯିବାକୁ । ତୁ କିନ୍ତୁ ମନେରଖ, ଏ ଦୀପ ଯେମିତି ନ ଲିଭେ । ମାଉସୀ ଉଠିଲା ପରେ ଯଦି ଦେଖିବେ ଯେ ଦୀପ ଲିଭି ଯାଇଚି, ତେବେ ତାଙ୍କ ମନରେ କି ପ୍ରତିକ୍ରିୟା ଯେ ହେବ, ସେ କଥା କହି ହବନି । ତାର ଫଳ ବି ଖରାପ ହୋଇପାରେ ।’’

 

ଆବାକାବା ହୋଇ ସେ ମୋ ମୁହଁକୁ ଟିକିଏ ସମୟ ଚାହିଁ ରହି କହିଲା, ‘ତୁ କମାଲ କରିଦେଲୁ ଭାଇ ।’’

 

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମନେରଖ ମାଉସୀଙ୍କ ମନ ଏଇଲେ ଅତି ଦୁର୍ବଳ । ଏ ଅବସ୍ଥାରେ ଧୈର୍ଯ୍ୟର ସହିତ କଅଁଳେଇ କରି ରୋଗୀ ମନକୁ ଛୁଇଁଲା ପରି ଦି’ପଦ କଥା ଭାରି କାମ ଦିଏ ।’’ ମୁଁ ତାକୁ ବୁଝେଇ ଦେବା ସହିତ ପୁଣି ଥରେ ଚେତେଇ ଦେଲି, ‘‘ଦେଖ ଦୀପଟା ଯେମିତି ଅନବରତ ଜଳି ରହିବ ସେ ପୁଣି ଦମ୍ଭ ହେଲାଯାଏ ।’’

 

‘‘ତୁ ନିଶ୍ଚିତ ରହ ସେ ନେଇ ।’’ ବିକାଶ ଜବାବ ଦେଲା ।

 

ମୁଁ ଏଥର ବିଦାୟ ନେଲି । ଆଉ ଦି’ଜାଗା ରୋଗୀ ଦେଖିବାର ଥିଲା । ତେଣୁ ସେଠୁ ସିଧାସଳଖ ବାହାରିଲି ପହଞ୍ଚିଲାବେଳକୁ ସମୟ ରାତି ନଅଟା ପାଖାପାଖି ।

 

ବସା ଦୁଆରେ ସ୍କୁଟରରୁ ଓହ୍ଲେଇବାମାତ୍ରେ ଦେଖିଲି ଗୋକୁଳି ମଉସା ଜାମାଯୋଡ଼ ହୋଇ ଅପେକ୍ଷା କରିଛନ୍ତି ।

 

ମତେ ଦେଖିବାମାତ୍ରେ ସେ କହିଲେ, ‘‘ଚାଲ ।’’

 

‘‘କୁଆଡ଼େ ?’’

 

‘‘ସୁବିମଳ ବାବୁଙ୍କ ବସାକୁ ।’’

 

‘‘କଣ ହେଇଛି ତାଙ୍କର ?’’

 

‘‘ମୁଁ ଜାଣିନି । ନିଶ୍ଚେ ଦେହ ଖରାପ ।’’ ଗୋକୁଳି ମଉସା ଆଶଙ୍କ କଲେ ।

 

‘‘ହଉ ତାହେଲେ । ମୁଁ ରିକ୍‌ସା ଖଣ୍ଡେ ଡାକି ଆଣେ ।’’ ରାଜି ହୋଇ ମୁଁ ସ୍କୁଟର ବୁଲେଇ ବସିଲି ।

 

‘‘ଡେରି ହୋଇଯିବ ।’’

 

‘‘ଆପଣ ଚାଲିଯାଇ ପାରିବେ ଏତେ ରାତିରେ ?’’

 

‘‘ତୋ ସ୍କୁଟର ପଛପଟେ ବସି ପଡ଼ିବି ।’’

 

ନନ୍ଦ ମଉସା ଠିଆ ହୋଇଥିଲା ପାଖକୁ ଲାଗି । ଏଇଠି ସେ କହିଲା, ‘‘ବେଶି ପୁଣି ଫାଜିଲାମୀ ବାହାରୁଚି ! ଏ ବୁଢ଼ା ବୟସରେ ସ୍କୁଟର ଚଢ଼ିବେ !’’

 

‘‘ତୁ କଣ ବୋଲି ଭାବିଚୁ କି ମୋତେ ! ମୁଁ ପୁଣି ସ୍କୁଟର ପଛପଟେ ବସି ଯାଇପାରିବିନି-! ଦେଖ, ତୋରି ଆଖି ଆଗରେ ଆଜି ସ୍କୁଟରରେ ବସି ଯିବି ।’’ ଗୋକୁଳି ମଉସା ଜିଦ ଧରିଲେ-

 

ମନେ ମନେ ନନ୍ଦ ମଉସା ଉପରେ ବିରକ୍ତ ହେଲି । କାହିଁକି ଭଲା ସେ ଉପରେ ପଡ଼ି ମତ ଦେଇ ବସିଲା ! ସେ ତୁନି ରହିଥିଲେ ତ ମୁଁ ମଉସାଙ୍କୁ ବୁଝେଇବୁଝେଇ ରିକ୍‌ସାରେ ନେଇଯାଇ ଥାଆନ୍ତି ! ଥରେ ଯେତେବେଳେ ସେ ଜିଦ୍‌ ଧରିଲେଣି ଆଉ ତାଙ୍କୁ ସେଥିରୁ ନିବୃତ୍ତ କରିବା ଅସମ୍ଭବ ।

 

ଅବସ୍ଥା ସମ୍ଭାଳିବାକୁ ମୁଁ କହିଲି,‘‘ତୁମେ ବ୍ୟସ୍ତ ହୁଅନି ନନ୍ଦ ମଉସା । ମୁଁ ଧୀରେ ଧୀରେ ମଉସାଙ୍କ ସ୍କୁଟରରେ ବସେଇ ନେଇଯିବି ।’’ ତାପରେ ସ୍କୁଟର ବୁଲେଇ ଷ୍ଟାର୍ଟ ଦେଇ ସାରି କହିଲି, ‘‘ଆପଣ ବସନ୍ତୁ । ଘୋଡ଼ାରେ ବସିଲା ଭଳି ଦି’ପଟକୁ ଗୋଡ଼ ଝୁଲେଇ ରଖନ୍ତୁ । ଦି’ ହାତରେ ଆାଣ୍ଟରେ ଧରନ୍ତୁ ଏଇ ଲୁହା ବଳାଟାକୁ । ପାଦ ଦି’ଟା ଏଇ ପା’ଦାନୀ ଉପରେ ରଖିବେ ।’’

 

ମଉସା କଷ୍ଟେମଷ୍ଟେ ମୋ ନିର୍ଦ୍ଦେଶ ଅନୁଯାୟୀ ସ୍କୁଟର ପଛ ସିଟ୍‌ରେ ବସିଲେ ।

 

‘‘ଠିକ୍‌ ବସିଲ ତ ? ଦେଖି ।’’ ନନ୍ଦ ମଉସା କହୁ କହୁ ଆଗେଇ ଆସିଲା ସ୍ୱଚକ୍ଷୂରେ ପରିଖିବାକୁ ।

 

‘‘ମୁଁ ଦେଖୁଚି ତୋ ଯୋଗୁ ମଣିଷ ଅକାରଣଟାରେ ଲୋକହସା ହବ । ମୁଁ ଗୋଟାଏ ଏଡ଼େବଡ଼ ସରକାରୀ ଅଫିସର ଥିଲି । ମୋ ତଳେ ହଜାର ହଜାର ଲୋକ କାମ କରୁଥିଲେ । ମୁଁ ପୁଣି ସ୍କୁଟର ପଛ ପଟେ ବସି ଯାଇ ପାରିବିନି ବୋଲି ତୁ କେମିତି ଯେ ଭାବିପାରିଲୁ ମୁଁ ବୁଝି ପାରୁନି-। ଜାଣିଲୁ, ତୋ ମୁଣ୍ଡରେ ଗୋବର ଛଡ଼ା ଆଉ କିଛି ନାହିଁ ।’’

 

‘‘ପଡ଼ି ହାତ ଗୋଡ଼ ଭାଙ୍ଗିଲେ ବଳେ ଜାଣିବ ଯେ ।’’ ନନ୍ଦ ମଉସା ଡରେଇଲା ।

 

‘‘ଭଲ କରି ଧରିଥାଅ ମଉସା ।’’ ମୁଁ ଧୀରେ ଧୀରେ ଆଗେଇବାକୁ ଆରମ୍ଭ କଲି ଗୋକୁଳି ମଉସାଙ୍କୁ ଆଉ ଜବାବ ଦବାର ସୁଯୋଗ ନ ଦେଇ ।

 

ସାଇକଲ ଚଳେଇଲା ଭଳି ଗତିରେ ସ୍କୁଟର ଚଳେଇ ଆମେ ପ୍ରାୟ ପାଞ୍ଚ ମିନିଟ ପରେ ପହଞ୍ଚିଲୁ ସୁବିମଳ ବାବୁଙ୍କ ବସାରେ ।

 

ସଦର ଦରଜା ସାମାନ୍ୟ ମେଲା ଅଛି ଦେଖିଲା ପରେ ବି ଗୋକୁଳି ମଉସା ଗାଡ଼ି ନ ଅଟକୁଣୁ ଗଉଡ଼ିଆ ଡାକଟେ ଛାଡ଼ିଲେ, ‘‘ସୁବିମଳ ବାବୁ, ହୋ ସୁବିମଳ ବାବୁ !’’

 

ଡାକଟା ଶୁଣି କିଏ ଜଣେ ପ୍ରୌଢ଼ ଭଦ୍ରଲୋକ ଭିତରୁ ବାହାରି ଆସି ଆମକୁ ଦେଖି କହିଲେ, ‘‘ଓହୋ, ଆପଣମାନେ ଆସିଗଲେ, ମଣିଷ ବଞ୍ଚିଲା କାଲି ରାତିଠୁ ଯାହା ହନ୍ତସନ୍ତ ହେଲେଣି ଆମେ !’’

 

‘‘କଣ ହେଇଚି ବିମ୍ବାଧର ବାବୁ ?’’ ଗୋକୁଳି ମଉସା କଷ୍ଟେମଷ୍ଟେ ସ୍କୁଟରରୁ ଓହ୍ଲଉ ଓହ୍ଲଉ ପଚାରିଲେ ।

 

‘‘କାଲି ରାତିଠୁ ଭୀଷଣ ଜର ସୁବିମଳ ବାବୁଙ୍କୁ । ମଝିରେ ମଝିରେ ବେହୋସ ହୋଇ ଯାଉଛନ୍ତି ବି ।’’ ବିମ୍ବାଧର ବାବୁ ବୁଝେଇଲେ ।

 

ଗୋକୁଳି ମଉସାଙ୍କ ମୁହଁ ଶୁଖିଗଲା । ସେ ଏକପ୍ରକାର ହତାଶ ସ୍ୱରରେ ମତେ ପଚାରିଲେ, ‘‘କଣ ହବ ଏଥର, ସମର ?’’

 

‘‘ସବୁ ଠିକ୍‌ ହୋଇଯିବ । ଏତେ ବ୍ୟସ୍ତ କାହିଁକି ?’’ ମୁଁ ସାନ୍ତ୍ୱନା ଦେଇ ସ୍କୁଟରରୁ ବ୍ୟାଗଟା ଉଠାଇ କହିଲି, ‘‘ଚାଲନ୍ତୁ ଦେଖିବା ।’’

 

‘‘ଡାକ୍ତର ଡାକିଆଣି ଭଲ କଲେ ।’’ ବିମ୍ବାଧର ବାବୁ ଆଗେ ଆଗେ ବାଟ କଢ଼େଇଲେ ।

 

ଏକମହଲା ହେଲେ କଣ ହବ ଘରଟା ବେଶ ପ୍ରଶସ୍ତ । ବଡ଼ ବଡ଼ ଚାରି ବଖରା ରହିବା ଘର । ଭିତରକୁ ଚଉଡ଼ା ବାରଣ୍ଡା । ଠାକୁର ଘରଟା ବି ଛୋଟକାଟର ମନ୍ଦିରଟାଏ କହିଲେ ଚଳେ । ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ । କୋଉଠି ହେଲେ ମଳିଧୂଳି ଟିକିଏ ନାହିଁ । ହେଲେ ସବୁ ଯେମିତି ଫାଙ୍କା, ଖାଲି ଖାଲି । ଘରଗୁଡ଼ାକରେ କେହି ରହୁଥିଲା ପରି ମନେ ହେଲା ନାହିଁ କି କୌଣସି କୋଠରୀରେ ଆସବାବର ସତ୍ତା ମୋ ଆଖିରେ ପଡ଼ିଲାନିବିଶ୍ୱାସ କରିବାକୁ ମନ ହେଲା ନାହିଁ ଯେ ଏଡ଼େ ବଡ଼ ଘରଟାରେ ସୁବିମଳ ବାବୁ ଏକା ରହୁଚନ୍ତି । ତାଙ୍କର କଣ ତେବେ ଏ ସଂସାରରେ ନିଜର ବୋଲି କେହି ନାହାନ୍ତି ! ଘରଟାକୁ ତାହେଲେ ସେ ଭଡ଼ା ଲଗେଇ ଦଉନାହାନ୍ତି କାହିଁକି ?

 

ଅନ୍ତତଃ ରୋଗ ବୈରାଗ ବେଳକୁ ଭଡ଼ାଟିଆ ତ ଆସି ପାଖରେ ଠିଆ ହୁଅନ୍ତେ ।

 

ଠାକୁର ଘରକୁ ଲାଗି ଘର ବଖରାକରେ ସୁବିମଳ ବାବୁ ପଡ଼ିଥାଆନ୍ତି ଖଣ୍ଡେ ମସିଣା ଉପରେ କମ୍ବଳଟାଏ ଘୋଡ଼ି ହୋଇ । ସେ ପୂର୍ଣ୍ଣ ସଚେତନ ଥିଲା ପରି ମତେ ଲାଗିଲା ନାହିଁ । ବେଳେ ବେଳେ ବାଚଳଙ୍କ ପରି କଣ ସବୁ ବକୁ ଥାଆନ୍ତି । ପରକ୍ଷଣରେ କଷ୍ଟରେ ମୁହଁ ତାଙ୍କର ବିକୃତ ହୋଇ ଉଠୁଥାଏ ଓ ସେ ପୁଣି ଅଚେତ ହୋଇ ପଡ଼ୁଥାଆନ୍ତି ।

 

ଗୋକୁଳି ମଉସା ବାରଣ୍ଡାରେ ଜୋତା ଖୋଲି ରଖି ଆଗ ଭିତରକୁ ପଶିଯାଇ ଡାକିଲେ, ‘‘ହୋ ସୁବିମଳ ବାବୁ, ଉଠ । ଆମେ ଆସିଚୁ ।’’ କିନ୍ତୁ ସେପଟରୁ କୌଣସି ଜବାବ ନ ପାଇଲାରୁ ତଳେ ବସିପଡ଼ି ସେ ସୁବିମଳ ବାବୁଙ୍କୁ ଉଠେଇବା ସକାଶେ ତାଙ୍କ ଦେହରେ ହାତ ଦେବାମାତ୍ରେ ବିଜୁଳି କରେଣ୍ଟ ମାରିଲା ଭଳି ଚମକି ଉଠି ପାଟି କଲେ, ‘‘ଇରେ ବାପ୍‌ରେ, ଦେହରେ ନିଆଁ ଜଳୁଚି-।’’ କହି ସାରି ସେ ମତେ ଚାହିଁଲେ । ଭୟରେ ମୁହଁଟା ତାଙ୍କର କଳା କାଠ ପଡ଼ି ଯାଇଥାଏ-

 

ମୁଁ କିଛି ନ କହି ପରୀକ୍ଷା କରି ବସିଲି ଏକପ୍ରକାର ଅଜ୍ଞାନ ସୁବିମଳ ବାବଙ୍କୁ । ଦେହରେ ଖଇଫୁଟା ତାତି । ଜର ଶହେ ପାଞ୍ଚ । ନାଡ଼ି ଯେମିତି ଦୌଡ଼ୁଚି । ରୋଗୀଠାରୁ କୌଣସି ଉତ୍ତର ମିଳିବାର ଆଶା ନ ଦେଖି ବିମ୍ବାଧର ବାବୁଙ୍କ ପଚାରିଲି, ‘‘କେବେଠୁ ଜର ହେଲାଣି ?’’

 

‘‘କାଲି ରାତିରେ ଏଘରୁ ଉଃ, ଆଃ, ବାପ୍‌ରେ, ମରିଗଲି ଆଦି ଶବ୍ଦ ଶୁଣି ମୋର ମନେ ହେଲା ସେ ବୋଧହୁଏ ବେମାର । ମୁଁ ତ ଜାଣେ ସେ ଏକୁଟିଆ ଲୋକ । ପାଖରେ କେହି ନାହାନ୍ତି-। ଆସି ସାଙ୍ଗେ ସାଙ୍ଗେ କବାଟ ବାଡ଼େଇଲି । କୌଣସିମତେ ଉଠିଆସି ସେ କବାଟ ଖୋଲିଲେ । ତାଙ୍କ ଅବସ୍ଥା ଦେଖି ମୁଁ ଡାକ୍ତର ଡାକିବାକୁ ବାହାରିଲି । ସେ ମନା କରି କହିଲେ ହୋମିଓପ୍ୟାଥି ଔଷଧ ଖାଇଚନ୍ତି ବୋଲି । ରାତିସାରା ମୋ ପୁଅ ଏଇଠି ଜଗି ଶୋଇ ରହିବାକୁ ବି ପ୍ରସ୍ତାବ ଦେଲି-। ସେ ରାଜି ହେଲେ ନାହିଁ । କହିଲେ, ସକାଳକୁ ବଳେ ଜର ଛଡ଼ିଯିବ ।’’ ଏକାଦମକେ ଏତକ କହି ସାରି ସେ ଲମ୍ବା ନିଃଶ୍ୱାସ ନେଲେ ।

 

ଗୋକୁଳି ମଉସା ପଚାରିଲେ, ‘‘ତାପରେ !’’

 

‘‘ମୁଁ ଯାଇ ଘରେ ଶୋଇଲି । ସକାଳୁ ତାଙ୍କ ଠିକା ଚାକରାଣୀ ଆସି କବାଟ ବାଡ଼େଇ ବାଡ଼େଇ କେହି ନ ଶୁଣିଲାରୁ ଯାଇ ମୋ ବସାରେ ଖବର ଦେଲା । ଅନ୍ୟ ବାଟ ନ ଦେଖି ମୁଁ ପୁଅକୁ କହିଲି ପାଚେରୀ ଡେଇଁ ଘରେ ପଣିବାକୁ । ସେ ପାଚେରୀ ଟପି ଭିତରପଟୁ କବାଟ ଖୋଲିଲା ପରେ ଯାଇ ଦେଖିଲି, ସୁବିମଳ ବାବୁ ଜରରେ ଅଚେତ । ମୁହଁରେ ପାଣି ଛିଞ୍ଚିଲାରୁ ତାଙ୍କ ଚେତା ଫେରିଲା । ମୁଁ ପୁଣି ପରାମର୍ଶ ଦେଲି ଡାକ୍ତର ଡାକିବା ସକାଶେ । ସେ ଓଲଟି ବିରକ୍ତ ହେଲେ ମୋ ଉପରେ । ତେଣୁ ଆମେ ବାପ-ପୁଅ ଚାଲି ଆସିଲୁ ସେଠୁ ।

 

‘‘ଉପରଓଳି ଅଫିସରୁ ଫେରି ମୁଁ ପୁଣି ତାଙ୍କ ଖବର ବୁଝିବାକୁ ବାହାରିଲି । ଦେଖିଲି ଦରଜା ଭିତରୁ ବନ୍ଦ କୋଠା ଛାତକୁ ଯାଇ କାନ ଡେରିଲି । ଏ ଘରେ କେହି ଥିଲା ପରି ମନେ ହେଲାନି ମତେ । ତାପରେ ମୁଁ ବଜାର କରିବାକୁ ଚାଲିଗଲି । ସଉଦାପତ୍ର କିଣି ଫେରିଲା ପରେ ପୁଣି କାନ ଡେରିଲି କୋଠାଛାତକୁ ଉଠି । କେତେ ସମୟ ପରେ ଗଁ ଗଁ ଶବ୍ଦ ଟିକିଏ ଶୁଭିଲା ଏ ପଟୁ । ସେଇଠୁ ପୁଅକୁ କହିଲି ପୁଣି ଥରେ ପାଚେରୀ ଟପି ପଶିବାକୁ । ତାପରଠୁ ତ ଦେଖୁଚି ସୁବିମଳ ବାବୁଙ୍କର ଏଇ ଅବସ୍ଥା । ପ୍ରାୟ ଅଚେତ । ମଝିରେ ମଝିରେ କେତେବେଳେ କେମିତି ଚେତା ଟିକିଏ ଫେରିଲେ ଖାଲି ପ୍ରଳାପ କରୁଚନ୍ତି ।’’

 

କାନରେ ଷ୍ଟେଥୋ ଲଗେଇ ମୁଁ ସୁବିମଳ ବାବୁଙ୍କ ଛାତି-ପିଠି ପରୀକ୍ଷା କରି ସାରି ପଚାରିଲି, ‘‘ଘରେ ଆଉ ଶେଯ ବିଛଣା କିଛି ନାହିଁ ?’’

 

ଗୋକୁଳି ମଉସା ଉତ୍ତର ଦେଲେ, ‘‘ମସିଣା ଖଣ୍ଡେ ପାରି ଶୋଇବା ତାଙ୍କ ଅଭ୍ୟାସ । ଶେଯ ଆସିବ କୋଉଠୁ ?’’

 

‘‘ତେବେ ତ ମୁସକିଲ୍‌ । ତାଙ୍କ ଭୀଷଣ ଥଣ୍ଡା । ନିମୋନିଆ ହୋଇଯିବା କିଛି ଅସମ୍ଭବ ନୁହେଁ ।’’ ମତ ଦେଇ ସାରି ମୁଁ ବିମ୍ବାଧର ବାବୁଙ୍କୁ ଅନୁରୋଧ କଲି, ‘‘ଆପଣ ଘଣ୍ଟାଏ ଖଣ୍ଡେ ଏଠି ଜଗି ରୁହନ୍ତୁ । ମୁଁ ଔଷଧପତ୍ର ଶେଯ-ବିଛଣା ଧରି ଆସୁଚି ।’’

 

‘‘ମୋର ଗୋଟାଏ ନିମନ୍ତ୍ରଣକୁ ଯିବାର ଅଛି ।’’ ବିମ୍ବାଧର ବାବୁ ଅନିଚ୍ଛା ପ୍ରକାଶ କଲେ ।

 

ଗୋକୁଳି ମଉସା ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ, ‘‘ତୁମେ ଯାଅ ସମର ଔଷଧପତ୍ର ଧରି ଆସ । ନନ୍ଦକୁ କହିବ ଘରୁ ଶେଯ ବିଛଣା ଆଉ ଫୋଲଡ଼ିଂ ଖଟଟା ରିକ୍‌ସାରେ ଲଦି ଆଣିବାକୁ । ମୁଁ ଏଇଠି ଜଗି ରହିଲି ।’’

 

ସବୁ କିଛି ଯୋଗାଡ଼ କରି ନନ୍ଦ ମଉସା ଓ ମୁଁ ଫେରିବାକୁ ଘଣ୍ଟାକ ଉପରେ ସମୟ ଲାଗିଲା । ତାପରେ ଶେଯ ବିଛଣା ପାରି ଔଷଧପତ୍ର ଖୁଏଇ ସୁବିମଳ ବାବୁଙ୍କୁ ଥଇଥାନ କରି ସାରି ମୁଁ ପରାମର୍ଶ ଦେଲି, ‘‘ଆପଣ ଏଥର ଯାଆନ୍ତୁ ମଉସା, ବିଶ୍ରାମ ନେବେ ।’’

 

‘‘ଏଠି କିଏ ରହିବ ?’’ ଗୋକୁଳି ମଉସା ଜାଣିବାକୁ ଚାହିଁଲେ ।

 

‘‘ମୁଁ ଅଛି’’

 

‘‘ତୁମେ କାହିଁକି ଅକାରଣରେ ଦଣ୍ଡ ଭୋଗିବ ରାତିସାରା ? ତାଙ୍କ ସାଙ୍ଗେ ତୁମରି ତ କିଛି ସମ୍ପର୍କ ନାହିଁ । ସେ ସିନା ମୋ ସାଙ୍ଗ ।’’ ଗୋକୁଳି ମଉସା ନାରାଜ ହେଲେ ।

 

‘‘ତୁମେ ଏଠି ଜଗି ରହି କଣଟା କରିବ ଶୁଣେ ? ତୁମେ କଣ ଡାକ୍ତର ? ରୋଗୀ ପାଖେ ନର୍ସ-ଡାକ୍ତର ସିନା ରହିବା କଥା !’’ ନନ୍ଦ ମଉସା ତାଙ୍କୁ ବୁଝାଇବାକୁ ଚେଷ୍ଟା କଲା ।

 

‘‘ନିର୍ଦ୍ଧୁମ ବୋକାଟେ ପରା ତୁ, ମୁଁ ଠିକ୍‌ ଜାଣେ । ଆରେ ଗଜ, ଡାକ୍ତର ସିନା ଔଷଧ ଦବ ରୋଗୀକୁ । ଏମିତିକା ରୋଗୀ ପାଖେ ତ ପୁଣି ସେବା ଯତ୍ନ କରିବା ସକାଶେ ଜଣେ ରହିବା ଦରକାର । ଏତିକି ତୋ ମୁଣ୍ଡରେ ପଶୁନି ?’’ ଅଭ୍ୟାସ ମୁତାବକ ଗୋକୁଳି ମଉସା ନନ୍ଦ ମଉସାର ଭୁଲ ବାଛି ବସିଲେ ।

 

‘‘ନିଜ ସେବା କରିବାକୁ ତ ପାଞ୍ଚଟା ଲୋକ ଦରକାର । ଇଏ ପୁଣି ପର ସେବା କରିବାକୁ ବାହାରି ପଡ଼ିଲେ ! ହୁଃ, ଚାଲ ଉଠ । ରାତି ଅନିଦ୍ରା ହେଇ କାଲିକୁ ତୁମେ ଶେଯରେ ପଡ଼ିଲେ ମଣିଷର ପ୍ରାଣ ଯିବ ।’’ ନନ୍ଦ ମଉସା ନିରାଟ ସତକଥାଟା କହିଦେଇ ଜୋର ଦେଲା ତାଙ୍କୁ ନେଇଯିବାକୁ ।

 

‘‘ମୁଁ ଯିବିନି କହିଲି ପରା । ଏଇଠି ଏମିତି ବସି ରହିବି ରାତିସାରା ।’’ ଗାକୁଳି ମଉସା ଜିଦ୍‌ କଲେ ।

 

ମୁଁ ବୁଝେଇଲି, ‘‘ଆପଣ ଯାଆନ୍ତୁ ମଉସା ଘରେ ଖାଇପିଇ ଶୋଇବେ । ମୁଁ ରାତିଟା ଏଠି ରହୁଚି । କାଲି ସକାଳେ ଆପଣ ଆସିଲେ ଏଠୁ ଯିବି । ଆପଣ ଦିନସାରା ଏଠି ରହିବେ । ପୁଣି ରାତିବେ ମୁଁ ଜଗିବି ।’’

 

‘‘ମୁଁ ରହିଲେ କ୍ଷତିଟା କଣ ?’’ ଗୋକୁଳି ମଉସା ତଥାପି ମାନିବାକୁ ନାରାଜ ହେଲେ ।

 

‘‘ଆପଣ ରାତି ଅନିଦ୍ରା ହେଲେ କାଲି ଦିନସାରା ପୁଣି ଜଗିବ କିଏ ? ମୋର ତ ପୁଣି ହସ୍‌ପିଟାଲ ଡିଉଟି ଅଛି ।’’

 

‘‘ତୁମେ ରାତି ଅନିଦ୍ରା ହେଲେ କାଲି ଡିଉଟି କରିବ କେମିତି ?’’ ସେ ଓଲଟି ପ୍ରଶ୍ନ କଲେ-

 

‘‘ମୁଁ ପରା ଡାକ୍ତର । ରାତିସାରା ଡିଉଟି ଦେବା ଅଭ୍ୟାସ ମୋର ଅଛି ।’’

 

ବଡ଼ କଷ୍ଟରେ କୌଣସିମତେ ବୁଝେଇ ସୁଝେଇ ଗୋକୁଳି ମଉସାଙ୍କୁ ବସାକୁ ପଠେଇଲି-। ଗଲାବେଳେ ସେ ମତେ ବାରମ୍ବାର ତାଗିଦ୍‌ କରିଗଲେ, ଟିକିଏ କିଛି ଓଲମ ହେଲେ ସାଙ୍ଗେ ଯାଇ ତାଙ୍କୁ ଖବର ଦବାକୁ ।

 

ଘଣ୍ଟାକ ପରେ ସୁବିମଳ ବାବୁଙ୍କ ତାତି କମିଲା । ସେ ଆଖି ମେଲେଇ ଚାହିଁଲେ ମତେ ପ୍ରଥମେ ବୋଧହୁଏ ସେ ମତେ ଠଉରେଇ ପାରିଲେ ନାହିଁ । ତାପରେ ଚିହ୍ନିପାରି ସେ ଉଠି ବସିବାକୁ ଚେଷ୍ଟା କଲେ ।

 

ମୁଁ ବାରଣ କଲି, ‘‘ଆପଣ ଶୋଇ ରୁହନ୍ତୁ । ଏ ଅବସ୍ଥାରେ ଉଠନ୍ତୁ ନାହିଁ ।’’

 

କଣ ଭାବି ସେ ମୋ କଥା ମାନିଲେ । ଆଉ ଦଶ ପନ୍ଦର ମିନିଟ ଭିତରେ ଶୋଇଗଲେ ନିଘୋଡ଼ ନିଦରେ ।

 

ଠିକ୍‌ ସକାଳ ଛଅଟାକୁ ଗୋକୁଳି ମଉସା ଆସିଲେ ରିକ୍‌ସା କରି । ପହଞ୍ଚିବାମାତ୍ରେ ଦାଣ୍ଡ ଦୁଆରୁ ଡାକ ଛାଡ଼ିଲେ, ‘‘ସମର......ଓ ସମର...... ।’’

 

ମୁଁ ଟିକିଏ ଘୂମେଇ ପଡ଼ିଥିଲି ପାହାନ୍ତା ପହରକୁ । ତାଙ୍କ ଡାକରେ ଧଡ଼ପଡ଼ ହେଇ ଉଠିପଡ଼ି ଯାଇ ଦରଜା ଖୋଲିଲେ । ସେତେବେଳକୁ ଆଉ ଦି ଡାକ ସେ ମାରି ସାରିଲେଣି । ତାଙ୍କ ପାଟିରେ ପାଖ ପଡ଼ିଶାରୁ ଜଣେ ଦି’ଜଣ ଉଠି ବି ପଡ଼ିଲେଣି ବାଧ୍ୟ ହୋଇ

 

ଗୋକୁଳି ମଉସାକୁ ଦେଖି ମତେ ଲାଗିଲା ରାତିସାରା ସେ ମୋଟେ ଶୋଇ ନାହାନ୍ତି । ଭାବଭଙ୍ଗୀ ବି ଜଣେଇ ଦେଲା ଯେ ସୁବିମଳ ବାବୁଙ୍କ ନେଇ ସେ ବଡ଼ ବିବ୍ରତ ।

 

ମତେ ଦେଖି ସେ ପଚାରିଲେ, ‘‘କେମିତି ଅଛନ୍ତି ?’’

 

‘‘ଭଲ । ଜର ପ୍ରାୟ ନାହିଁ ।’’ ମୁଁ ଉତ୍ତର ଦେଲି ।

 

‘‘ଏତେ କରି କହିଲି, ଡାକ୍ତରଟାଏ ଜଗି ବସିଚି । ଭାବିବାର କିଛି ନାହିଁ । ତଥାପି ରାତିସାରା ନ ଶୋଇ ‘ମୁଁ ଯିବି’, ‘ମୁଁ ଯିବି’ ଘୋଷି ହଉଚନ୍ତି ସକାଳଯାଏ ।’’ ନନ୍ଦ ମଉସା ରିକ୍‌ସାବାଲାକୁ ତୁଟେଇସାରି ବିରକ୍ତି ପ୍ରକାଶ କଲା ।

 

ଗୋକୁଳି ମଉସା ଯୁକ୍ତି ନ କରି ସିଧାସଳଖ ଭିତରକୁ ପଶିଯାଇ ସୁବିମଳ ବାବୁଙ୍କ ଉପରେ ବିରକ୍ତ ହେଲେ, ‘‘ଦେହ ଖରାପ ହବା ଆଗରୁ ଖବର ଟିକିଏ ଦେଇ ପାରିଲନି ?’’

 

‘‘ଶୁଣ କଥା ! ସେ କଣ ସର୍ବଜ୍ଞ ହେଇଚନ୍ତି ଯେ ଦେହ ଖରାପ ହବ ବୋଲି ଜାଣି ଆଗତୁରା ଖବର ପଠେଇ ଥାଆନ୍ତେ ତୁମ ପାଖକୁ ! ଦେଖିଲ ତ ଭଲ ଅଛନ୍ତି । ଏଥର ଚାଲ ନିତ୍ୟକର୍ମ ସାରି ଚାହା ପିଇ ଖବରକାଗଜ ପଢ଼ିବା ।’’ ନନ୍ଦ ମଉସା ଉପରେ ପଡ଼ି କହିଲା । ରାଗିଲା ଭଳି ଆଖିରେ ନନ୍ଦ ମଉସାକୁ ଚାହିଁ ଗୋକୁଳି ମଉସା କହିଲେ, ‘‘ମତେ ରଗାନା କହୁଚି ନନ୍ଦ । ଫଳ ଭଲି ହବନି । ମନେରଖ, ଆଜି ମୁଁ ଚାହା ଖାଇବିନି କି ଖବରକାଗଜ ପଢ଼ିବିନି ।’’

 

ତାଙ୍କ ନବରଙ୍ଗ ଦେଖିବାକୁ ଧୈର୍ଯ୍ୟ କି ବେଳ ନ ଥିଲା । ସେତେବେଳେ ତେଣୁ କହିଲି, ‘‘ମୁଁ ଏଥର ଆସେ ମଉସା । କାଲି ଅପେକ୍ଷା ଆଜି ଅବସ୍ଥା ଯଥେଷ୍ଟ ଭଲ ଅଛି ଆଠଟା ବେଳକୁ ମୁଁ ଏଇବାଟେ ଇଞ୍ଜେକ୍‌ସନ୍‌ ଦେଇ ହସ୍ପିଟାଲ ଯିବି ।’’

 

‘‘ହଉ ଯାଅ ।’’ ଗୋକୁଳି ମଉସା ଅନୁମତି ଦେଲେ ।

 

ମୁଁ ବସାକୁ ଆସି ନିତ୍ୟକର୍ମ ସାରି ପୁଣି ଫେରିଲି ସୁବିମଳ ବାବୁଙ୍କ ବସାକୁ । ଗୋକୁଳି ମଉସା ମତେ ଅପେକ୍ଷା କରି ବସି ଥାଆନ୍ତି ସେ ପର୍ଯ୍ୟନ୍ତ ।

 

ନନ୍ଦ ମଉସା ବି ଗାଲରେ ହାତ ଦେଇ ଖୁମ୍ୱକୁ ଆଉଜି ଜଗି ବସିଥାଏ ।

 

ଗୋକୁଳି ମଉସାଙ୍କ ହାବୁଡ଼େ ମୁଁ ପଡ଼ିବା ଆଗରୁ ନନ୍ଦ ମଉସା ମତେ ଠାରରେ ଉହାଡ଼କୁ ଡାକି ନେଇ ଚୁପଚାପ କହିଲା, ‘‘ମଉସାଙ୍କୁ ଟିକିଏ ବୁଝେଇ ସୁଝେଇ ଘରକୁ ପଠେଇ ଦେଲ ।’’

 

‘‘ସେ କଣ ମୋ କଥା ଶୁଣିବେ ?’’

 

‘‘କାଲି ରାତିଯାକ ଶୋଇ ନାହାନ୍ତି । ଆଜି ଏମିତି ଅଖିଆ ଅପିଆ ଜଗି ବସିଲେ ଶେଷକୁ ସେ ବିଛଣା ଧରିବେ । ତେଣିକି ତାଙ୍କୁ ସମ୍ଭାଳିବ କିଏ ?’’

 

‘‘ଚେଷ୍ଟା କରି ଦେଖେ ।’’ କହି ସାରି ପଚାରିଲି, ‘‘ସୁବିମଳ ବାବୁ ଆଉ ଆଖି ଖୋଲିଥିଲେ ?’’

 

‘‘ନା, ଆଖିବୁଜି ପଡ଼ି ରହିଚନ୍ତି ସେମିତି ।’’

 

ମୁଁ ଘର ଭିତରକୁ ଯାଇ ସୁବିମଳ ବାବୁଙ୍କ ନାଡ଼ି ପରୀକ୍ଷା କଲି । ତାପରେ ଷ୍ଟେଥୋ ଲଗେଇ ପରୀକ୍ଷା କରି ନିଃସନ୍ଦେହ ହେଲି ଯେ ଆଉ ଭୟର କିଛି କାରଣ ନାହିଁ । ଏଥର ଇଞ୍ଜେକ୍‌ସନ୍ ପ୍ରସ୍ତୁତ କରି, ଦେଲି ତାଙ୍କୁ । ତଥାପି ସେ ଆଖି ଖୋଲିଲେ ନାହିଁ । ନିର୍ଜୀବଙ୍କ ପରି ପଡ଼ି ରହିଲେ ।

 

ଇଞ୍ଜେକ୍‌ସନ୍ ଛୁଞ୍ଚି-ସିରିଞ୍ଜ ଡବାରେ ସଜାଡ଼ି ରଖୁ ରଖୁ ମୁଁ ଗୋକୁଳି ମଉସାଙ୍କୁ କହିଲି, ‘‘ଆପଣ ଏଥର ଯାଆନ୍ତୁ ବସାକୁ । ନିତ୍ୟକର୍ମ ସାରି ଖାଇପିଇ ପଛକୁ ଆସିବେ ।’’

 

‘‘ଏଠି ତ ଜଣେ କେହି ରହିବା ଦରକାର !’’

 

‘‘ବିମ୍ୱାଧର ବାବୁଙ୍କୁ ଅନୁରୋଧ କଲେ ସେ ଘଣ୍ଟେ ଦି’ ଘଣ୍ଟା ପାଇଁ କାହାକୁ ଜଣକୁ ବ୍ୟବସ୍ଥା କରି ଦେବେ ।’’ ମୁଁ ପ୍ରସ୍ତାବ ଦେଲି ।

 

‘‘ଚାଲ କହିବା ।’’ ଏକମତ ହୋଇ ସେ ଉଠିଲେ ।

 

ବିମ୍ୱାଧର ବାବୁ ଆମ କଥାରେ ରାଜି ହୋଇ ତାଙ୍କ କଲେଜ ପଢ଼ୁଆ ପୁଅକୁ କହିଲେ ଦି’ ଚାରି ଘଣ୍ଟା ଜଗି ବସିବାକୁ ସୁବିମଳ ବାବୁଙ୍କ ପାଖରେ ।

 

ଏଥର ଗୋକୁଳି ମଉସା ଓ ନନ୍ଦ ମଉସାଙ୍କୁ ରିକ୍‌ସାରେ ଉଠେଇ ମୁଁ ବାହାରିଲି ବିକାଶ ବସାକୁ ମାଉସୀଙ୍କ ଖବର ବୁଝିବା ସକାଶେ ।

 

ବିକାଶ ମତେ ଅପେକ୍ଷା କରି ବସିଥିଲା ଦାଣ୍ଡଘରେ । ଦେଖିବାମାତ୍ରେ ସମର

 

ଖବର ବେଲା, ‘‘ମା ତତେ ଖୋଜିଲାଣି କେତେବେଳୁ ।’’

 

‘‘କାହିଁକି ?’’

 

‘‘ପଚାରିଲାରୁ କିଛି କହୁନି ।’’

 

‘‘ଔଷଧ ଦେଲୁଣି ।’’

 

‘‘ଦେଲି ଯେ ମନା କଲା ।’’

 

‘‘ହଉ ଚାଲ ।’’

 

ଭିତରକୁ ଯାଇ ଦେଖିଲି, ମାଉସୀ ଗାଧୋଇ ପାଧୋଇ ଠାକୁରଘରେ ବସି ଭାଗବତ ବୋଲି ଲାଗିଚନ୍ତି । ଅଖଣ୍ଡ ଦୀପଟି ମିଟିମିଟି ଜଳୁଚି ।

 

ମୁଁ ଡାକିଲି, ‘‘ମାଉସୀ ।’’

 

ସେ ଘୁମନ୍ତ ଆଖିରେ ମୁହଁ ଟେକି ମତେ ଚାହିଁଲେ ।

 

ମୁଁ କଥା ପକେଇଲି, ‘‘ମଉସାଙ୍କ ଦେହ କେମିତି ଅଛି ବୋଲି ମନେ ହଉଚି ?’’

 

‘‘ଭଲ ।’’

 

‘‘ଏ ଓଳି ଆଉ ପାନେ ଔଷଧ ଖାଇଦିଅ । ଦେଖିବ, ସେ କେତେ ଭଲ ହୋଇଯିବେ ।’’

 

‘‘ଆଣ ଦେ ।’’

 

ମୁଁ ପୁଣି ଗୋଟେ ନିଦ ବଟିକା ତାଙ୍କୁ ଖୁଏଇ ଡାକ୍ତରଖାନାକୁ ଗଲି ।

 

ରାତି ଅନିଦ୍ରା ଯୋଗୁ ଢୁଳ ମାଡ଼ୁଥାଏ । ତଥାପି ଦିନ ଏଗାରଟାଯାଏ ନିର୍ଦ୍ୱନ୍ଦ୍ୱରେ କାମ କରିଗଲି ।

 

ଏତିକିବେଳକୁ ମଙ୍ଗୁଳି ଆସି ଖବର ଦେଲା, ‘‘ବୁଢ଼ାବାବୁ ଡାକୁଚନ୍ତି ।’’

 

‘‘କାହିଁକି ?’’

 

‘‘କେଜାଣି ! ନନ୍ଦ ମଉସା ପଠେଇଲେ ଆପଣଙ୍କୁ ଡାକି ନବାକୁ ।’’

 

‘‘ହଉ ତୁ ଯା । ମୁଁ ଯାଉଚି ।’’ କହି ତାକୁ ବିଦାକରି ପୁଣି କାମରେ ମନ ଦେଲି ।

 

ଗୋକୁଳି ମଉସା କିନ୍ତୁ ମତେ ବସେଇ ଉଠେଇ ଦେଲେ ନାହିଁ । ପନ୍ଦର ମିନିଟ ଭିତରେ ପୁଣି ମଙ୍ଗୁଳିକୁ ପଠେଇଲେ ମତେ ଡାକି ନେବାକୁ । ଏଥର ମଙ୍ଗୁଳିକୁ ବାରଣ୍ଡାରେ ଅପେକ୍ଷା କରିବାକୁ କହି ମୁଁ କାମରେ ମନ ଦେଲି ତଥାପି ନିସ୍ତାର ମିଳିଲା ନାହିଁ । ଆଉ କୋଡ଼ିଏ କି ପଚିଶ ମିନିଟ ପରେ ନନ୍ଦ ମଉସା ଖୋଦ ଆସି ପହଞ୍ଚିଗଲା । ଦେଖିଲି, ଏଥର ଆଉ ବସି ରହି କାମ କରିବା ସହଜ ନୁହେଁ । ପୁଣି ଟିକିଏ ଡେରି କଲେ ଗୋକୁଳି ମଉସା ହୁଏତ ନିଜେ ଆସି ପହଞ୍ଚିଯିବେ । ଅଗତ୍ୟା ସାଙ୍ଗ ଡାକ୍ତର ଜଣକ ଉପରେ ମୋ କାମତକ ଲଦିଦେଇ ମୁଁ ଉଠିଲି ।

 

ସେଠୁ ସିଧାସଳଖ ଗଲି ସୁବିମଳ ବାବୁଙ୍କ ବସାକୁ । ଦେଖିଲି, ଗୋକୁଳି ମଉସା ଚୁପଚାପ ଜଗି ବସିଚନ୍ତି ଖଟଦାଢ଼କୁ ଲାଗି ଖଣ୍ଡେ ଚୌକିରେ । ସୁବିମଳ ବାବୁ ଚେତା ଥିଲେ ବି ଆଖି ବୁଜି ପଡ଼ି ରହିଚନ୍ତି ଖଟ ଉପରେ ।

 

ମୁଁ ପଚାରିଲି, ‘‘କଣ ହେଲା ମଉସା ?’’

 

‘‘ସୁବିମଳ ବାବୁ ଆଜି କଣ ଖାଇବେ ?’’

 

‘‘ସାଗୁ-ବାର୍ଲି ଟିକିଏ ।’’

 

‘‘ସେଗୁଡ଼ାକ ତ ସେ ଛୁଇଁବେନି । ଖଳି ରୁଟି ଦି’ଖଣ୍ଡ ଦେଲେ କେମିତି ହୁଅନ୍ତା ?’’

 

‘‘ଆଜି ଦିନକ ଯାଉ’’ କହି ମୁଁ ଥର୍ମୋମିଟର ବାହାର କରି ଜର ମାପି ଦେଖିଲି, ଆଉ ନାହିଁ । ତାପରେ ସୁବିମଳ ବାବୁଙ୍କୁ କହିଲି, ‘‘ଫଳ ଟିକିଏ, ବିସ୍କୁଟ ଦି’ଖଣ୍ଡ ଦିଏ ।’’

 

ସୁବିମଳ ବାବୁ ମୁଣ୍ଡ ହଲେଇ ମନା କରୁ କରୁ ଉଚ୍ଚାରଣ କଲେ, ‘‘ନା ।’’

 

ଏଇ ପ୍ରଥମ ତାଙ୍କ ମୁହଁରୁ ପଦେ କଥା ଶୁଣିଲି । ବେଶ ଗମ୍ଭୀର ଏବଂ ଅଧିକାର ସାବ୍ୟସ୍ତ କଲା ଭଳି ସ୍ୱରରୁ ଜାଣିଲି, କାହା କଥାରେ ଭଳିଯିବାର ଲୋକ ସେ ନୁହନ୍ତି । ତଥାପି ଜିଗର କଲି, ‘‘କିଛି ଟିକିଏ ପେଟକୁ ନ ଗଲେ....’’

 

‘‘ନାହିଁ କଲି ପରା ।’’ ମତେ କଥା ସାରିବାକୁ ନ ଦେଇ ସେ ଦୃଢ଼ ସ୍ୱରରେ ମନା କଲେ ।

 

ଗୋକୁଳି ମଉସା ଏଥର ଉପରେ ପଡ଼ି ବୁଝେଇ ବସିଲେ, ‘‘ଟିକିଏ କିଛି ନ ଖାଇଲେ ଦେହରେ ବଳ ଆସିବ କେମିତି ? ଦେହ ବଳ କମିଗଲେ ରୋଗ ଆହୁରି ମାଡ଼ି ବସିବ ଯେ !’’

 

ଉତ୍ତର ନ ଦେଇ ସୁବିମଳ ବାବୁ ଆଖି ବୁଜି ଦେଲେ ।

 

ମତେ ଲାଗିଲା ସେ ଟିକିଏ ବିରକ୍ତ ହେଲା ପରି । ତେଣୁ ଅବସ୍ଥା ସମ୍ଭାଳିବାକୁ ମୁଁ ମତ ଦେଲି, ‘‘ଥାଉ, ମନ ନ ହଉଚି ଯଦି ନ ଖାଆନ୍ତୁ ।’’

 

ସୁବିମଳ ବାବୁ ଯେ କେବଳ ଖାଇବାକୁ ନାରାଜ ହେଲେ ନୁହେଁ, ପାଣି ପିଇବାକୁ ବି ମୋଟେ ମଙ୍ଗିଲେ ନାହିଁ । ବଡ଼ କଷ୍ଟରେ ଗୋକୁଳି ମଉସା ଓ ମୁଁ ତାଙ୍କୁ ଏକପ୍ରକାର ବାଧ୍ୟ କରି ମଝିରେ ମଝିରେ ଫୁଟାପାଣି ଟିକିଏ ଟିକିଏ ପିଏଇଲୁ ।

 

ସୁବିମଳ ବାବୁଙ୍କ ଅଝଟ ବ୍ୟବହାର ମତେ ଭାରି ଖରାପ ଲାଗିଲା । ମନ ହେଲା, ମଲେ ମରନ୍ତୁ ପଛେ ସେ, ଛାଡ଼ି ଚାଲିଯିବି । କାରଣ ପ୍ରଚୁର ପାଣି ନ ପିଇଲେ ଔଷଧର ପ୍ରକ୍ରିୟାରୁ ଶେଷକୁ ତାଙ୍କ ଜୀବନ ଉପରେ ଆଞ୍ଚ ଆସିବାର ଯଥେଷ୍ଠ ସମ୍ଭାବନା ଅଛି ବୋଲି କହିବା ସତ୍ୱେ ସେ ତାଙ୍କ ଜିଦ୍‌ରୁ ଟଳିଲେ ନାହିଁ । ବେଶି କହିଲାରୁ ଓଲଟି ଡାକ୍ତରୀ ଔଷଧ ବ୍ୟବହାର କରିବାକୁ ନାରାଜ ହେଲେ ।

 

ତାଙ୍କ ବ୍ୟବହାରରେ ଅପମାନିତ ବୋଧ କଲେ ମଧ୍ୟ ଛାଡ଼ି ଚାଲି ଆସି ପାରିଲି ନାହିଁ । କାରଣ ଗୋକୁଳି ମଉସା ଏକପ୍ରକାର ନ ଖାଇ ନ ପିଇ ସେଇଠି ବସି ରହିଲେ ରାତି ପର୍ଯ୍ୟନ୍ତ । ଖିଆପିଆରେ ବେନିୟମ କଲେ ଦେହ ଖରାପ ହେବ ବୋଲି ମୁଁ ଆଉ ନନ୍ଦ ମଉସା ତାଙ୍କୁ ଯେତେ ବୁଝେଇଲେ ବି ସେ ବୁଝିଲେ ନାହିଁ ।

 

ତେଣେ ମାଉସୀଙ୍କର କଣ ବିଗିଡ଼ିଲା କେଜାଣି ସେ ମଧ୍ୟ ଆଉ ଔଷଧ ବ୍ୟବହାର କରିବାକୁ ଆଗ୍ରହ ଦେଖେଇଲେ ନାହିଁ । ବହୁତ ନେହୁରା ହୋଇ ମୁଁ କୌଣସିମତେ ଖରାବେଳେ ଆଉ ରାତିରେ ତାଙ୍କୁ ନିଦ ବଟିକାରୁ ଆଉ ଗୋଟେ ଗୋଟେ ଖୁଏଇ ସୁବିମଳ ବାବୁଙ୍କ ବସାକୁ ଫେରିଲି ରାତିଟା ତାଙ୍କ ପାଖେ ଜଗି ବସିବି ବୋଲି ।

 

ସୁବିମଳ ବାବୁଙ୍କ ଜର ସେତେବେଳକୁ ବିବାକେ ଛାଡ଼ିଗଲାଣି କହିଲେ ଚଳେ, ଯଦିଓ ଦୁର୍ବଳତା କଟି ନ ଥାଏ । ତଥାପି ସେ ଉଠି ବସି ପାରିଲେନି । ତେଣୁ ସେ ମଧ୍ୟ ମୋର କି ଗୋକୁଳି ମଉସାଙ୍କର ସେବା ଶୁଶ୍ରୂଷା ଗ୍ରହଣ କରିବାକୁ ପସନ୍ଦ କଲେ ନାହିଁ । ଓଲଟି ଜିଦ୍ ଧରିଲେ ତାଙ୍କୁ ଏକୁଟିଆ ଛାଡ଼ି ଦେଇ ଚାଲିଯିବାକୁ ।

 

ଆଉ ଆମେ ତାଙ୍କୁ ବେଶି ବାଧ୍ୟ କଲାରୁ ହୃଦୟହୀନଙ୍କ ପରି ଜବାବ ଦେଲେ, ‘‘କାହାରି ସେବା ଯତ୍ନ ମୋର ଦରକାର ନାହିଁ । ମୋ କାମ ମୁଁ ବେଶ୍ ତୁଲେଇ ପାରିବି । ମୁଁ ମଲେ କି ବଞ୍ଚିଲେ କାହାର କି ଯାଏ ।’’

 

ସୁବିମଳ ବାବୁଙ୍କ କଥା କହିବାର ଢଙ୍ଗ ଓ ସ୍ୱର ମତେ ଭାରି ବାଧିଲା । ମନେ ମନେ ଭାବିଲି ଗଲା ରାତିରେ ଆସି ତାଙ୍କ ଚିକିତ୍ସା କରି ନ ଥିଲେ ଭଲ ହୋଇଥାନ୍ତା । ଭଦ୍ରଲୋକ ଏତେବେଳକୁ ହୁଏତ ବିଦାୟ ନବାକୁ ବସନ୍ତେଣି ଏ ଦୁନିଆରୁ । ତେଣୁ ଏ ରକମର ଉତ୍ତରଟା ଶୁଣିଲା ପରେ ତାଙ୍କୁ ଆଉ ବାଧ୍ୟ ନ କରି ଗୋକୁଳି ମଉସାଙ୍କୁ ଧରି ଲେଉଟି ଆସିଲି ।

 

ଗୋକୁଳି ମଉସା ବୋଧହୁଏ ମୋ ମନୋଭାବ ଠଉରେଇ ନେଲେ । ତେଣୁ ବାଟରେ ମତେ ବୁଝେଇଲେ, ‘‘କିଛି ଭାବିବୁନି ରେ ପୁଅ । ଦେହ ବ୍ୟସ୍ତ ବୋଲି ସେ ଏମିତି ଚିଡ଼ିମଡ଼ି ହଉଚନ୍ତି-। ନହେଲେ ବଡ଼ ନିର୍ମାୟା ଲୋକ ।’’

 

‘‘ୟା ବୋଲି ଯିଏ ପ୍ରାଣରକ୍ଷା କଲା ତାକୁ ଅପମାନ କରିବେ !’’ ମୁଁ ଟିକିଏ ରୁକ୍ଷ ସ୍ୱରରେ ଜବାବ ଦେଲି ।

 

‘‘ଜୀବନ ସାରା ବହୁ କଷ୍ଟ ଭୋଗିଚିରେ ଲୋକଟା । ଦୁନିଆସାରାର ଅନ୍ୟାୟ ମୁଣ୍ଡପାତି ସହିଚି କେବଳ । ଏକା ଏକା ନିଜ ମନଦୁଃଖ ମନରେ ମାରି ସେ ଜୀବନଟା କଟେଇଚି କହିଲେ ଚଳେ । ଭୁଲରେ ବି କାହା ଆଗେ ଫେରାଦ କରିନି । ଭାଇ-ବନ୍ଧୁ-କୁଟୁମ୍ୱ କେହିହେଲେ ତା ପିଠିରେ ପଡ଼ି ନାହାନ୍ତି । ରାଗିବୁନିରେ ତାଙ୍କ ଉପରେ, ପାପ ହବ ।’’ ସୁବିମଳ ବାବୁଙ୍କ ତରଫରୁ ଗୋକୁଳି ମଉସା କ୍ଷମା ଚାହିଁଲେ ।

 

କାବା ହୋଇଗଲି ଗୋକୁଳି ମଉସାଙ୍କ କଥା ଶୁଣି । ମଣିଷର ମନ ଗହୀରର ବ୍ୟଥା ବୁଝିବାର ଶକ୍ତି ଯେ ମଉସାଙ୍କର ଅଛି ଏକଥା ପ୍ରଥମ କରି ଜାଣିଲି ତାଙ୍କ କଥା କହିବା ଢଙ୍ଗ ଓ ସ୍ୱରରୁ । ଆଉ ମଧ୍ୟ ବୁଝିଲି ଯେ ସୁବିମଳ ବାବୁଙ୍କ ଜୀବନଟା ଅତି କରୁଣ ।

 

ହଠାତ୍ କାହିଁକି ମୋ ମନଟା ବଦଳିଗଲା । ଇଚ୍ଛା ହେଲା ଗୋକୁଳି ମଉସାଙ୍କୁ ଖୋଳିତାଡ଼ି ପଚାରି ସୁବିମଳ ବାବୁଙ୍କ ସମ୍ପର୍କରେ ସବୁ କଥା ଜାଣିବା ସକାଶେତେଣୁ ଆରମ୍ଭ କଲି, ‘‘କାହିଁକି ଏସଂସାରରେ ସେ ଏକୁଟିଆ ?’’

 

ଗୋକୁଳି ମଉସା ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ନାହିଁ । କେମିତି ଟିକିଏ ଅନ୍ୟମନସ୍କ ହୋଇ ପଡ଼ିଲେ ମୋ ପ୍ରଶ୍ନଟା ଶୁଣି । ତାପରେ ଦୀର୍ଘଶ୍ୱାସଟାଏ ନେଇ ସେ ଦାର୍ଶନିକଙ୍କ ଭଳି କହିଲେ, ‘‘ଭଗବାନ ଏ ଦୁନିଆକୁ ପଠେଇଲା ବେଳେ କେତେ ଲୋକଙ୍କ କପାଳରେ କେବଳ ଦୁଃଖର ଗାର ଟାଣିଦେଇ ପଠେଇ ଦିଅନ୍ତି । ସେ ସେହି ଗୋଷ୍ଠୀରୁ ଜଣେ । ସେ ନିର୍ଦ୍ଦୋଷ । ତଥାପି ଦୁନିଆର ସବୁ ଦାଉ ତାଙ୍କୁ ମୁଣ୍ଡପାତି ସହିବାକୁ ପଡ଼ିଚି । ଛାଡ଼, ସେସବୁ ଗଲା କଥା ଭାବି ଆଉ କି ଲାଭ ! ମନରେ ଖାଲି ଯାହା କଷ୍ଟ ହେବ ।’’

 

ମୁଁ ଠିକ୍ ବୁଝିଲି, ଏ ରହସ୍ୟ ମୋ ଆଗରେ ଖୋଲିବାକୁ ଗୋକୁଳି ମଉସା ଚାହାନ୍ତି ନାହିଁ-। ନ ହେଲେ ମୋ ପ୍ରଶ୍ନଟା ସରୁ ନ ସରୁଣୁ ସେ ଆପେ ଗଡ଼ଗଡ଼ ହୋଇ ଗାଇ ଯାଇଥାଆନ୍ତେ ଆମୂଳଚୂଳ ।

 

ବସାରେ ପହଞ୍ଚି ମୁଁ ଖାଇ ପିଇ ବିଶ୍ରାମ ନବାର ଆୟୋଜନ କଲି । ଭାରି ହାଲିଆ ଲାଗୁଥାଏ । ଗଲା ରାତିସାରା ଶୋଇ ନାହିଁ କି ଆଜି ଦିନଯାକ ବିଶ୍ରାମ ନବାର ସୁଯୋଗ ଟିକିଏ ଯୁଟିନାହିଁ ମୋ କପାଳରେ ।

 

ଦଇବ ପୁଣି ଦାଉ ସାଧିଲା । ନିଦଟା ଠିକ୍‍ ଲାଗି ଆସିଲାବେଳକୁ ମଙ୍ଗୁଳି

 

ମତେ ଉଠେଇ କହିଲା, ‘‘ନନ୍ଦ ମଉସା ଡାକୁଛନ୍ତି ।’’

 

‘‘କାହାକୁ ?’’ ନିଦ ବାଉଳାରେ ପଚାରିଲି ।

 

‘‘ଆପଣଙ୍କୁ ।’’

 

ମନ ନ ଥାଇ ବି ଉଠିବାକୁ ପଡ଼ିଲା ଏଥର ।

 

ନନ୍ଦ ମଉସା ମୁଁ ଉଠିଲା ପରେ କହିଲା, ‘‘ଯାହା ଭାବିଥିଲି ସେଇ ବିପତ୍ତି ପଡ଼ିଲା ।’’

 

‘‘କଣ ହେଲା କାହାର ?’’

 

‘‘ବାବୁଙ୍କ ମୁଣ୍ଡ କଣ ହେଇଯାଉଛି ?’’

 

‘‘ଚାଲ ମୁଁ ଯାଉଚି ।’’ କହୁ କହୁ ମୁଁ ଖଟରୁ ଓହ୍ଳେଇ ଠିଆ ହୋଇ ପଡ଼ିଲି । ସେମିତି ଲୁଙ୍ଗିପିନ୍ଧା ଅବସ୍ଥାରେ ମୁଁ ବ୍ୟାଗଟା ଧରି ଏକପ୍ରକାର ଦୌଡ଼ିଲି ଗୋକୁଳି ମଉସାଙ୍କ ପାଖକୁ । ତାଙ୍କୁ ଦେଖିଦବାମାତ୍ରେ ମନେ ହେଲା ରକ୍ତଚାପ ପୁଣି ବଢ଼ିଚି ।

 

ଧୀରେ ସୁସ୍ଥେ ଯନ୍ତ୍ର ଲଗେଇ ପରୀକ୍ଷା କଲା ପରେ ମନରେ ଟିକିଏ ଦମ୍ଭ ପଶିଲା ମୋର । ଭାଗ୍ୟ ଭଲ, ଅକ୍ତିଆର ବାହାରକୁ ଚାଲିଯାଇନି ଅବସ୍ଥା । ଗୋକୁଳି ମଉସାଙ୍କୁ ଔଷଧ ଦେଇ ରାତିସାରା ଆରାମ ଚୌକୀ ଉପରେ ପଡ଼ିରହି ଜଗି ରହିଲି । କାରଣ ଗୋକୁଳି ମଉସା ଯେମିତିକା ଲୋକ, କିଏ ଜାଣେ କୋଉ କଥା ଉଠେଇ ନନ୍ଦ ମଉସା ସାଙ୍ଗେ ବକବକ ଲଗେଇ ହୁଏତ ଅବସ୍ଥାକୁ ଆହୁରି ଜଟିଳ କରି ପକେଇବେ ! ତେଣୁ ଗୋଡ଼େ ଗୋଡ଼େ ତାଙ୍କୁ ଜଗି ରହିବା ଦରକାର ।

 

ନନ୍ଦ ମଉସା ବି ଜଗି ବସିଲା ଦୁଆର ମୁହଁରେ । ଟିକିଏବି ହେଲେ ନିଜେ ଆଖି ବୁଜିଲାନି କି ମତେ ଶୁଏଇ ଦେଲ ନାହିଁ । ସେ ପ୍ରତି ପାଞ୍ଚ ମିନିଟକୁ ଥରେ ମୋତେ ଚେତେଇ ଦବାରେ ଲାଗିଥାଏ, ଗୋକୁଳି ମଉସାଙ୍କ ଅବସ୍ଥା ଦେଖି ଭଲ ମନ୍ଦ କଥା ତାକୁ କହିବାକୁ ।

 

ଭାବିଥିଲି, ମଉସା ରାତିରେ ପଟାଏ ହଟହଟା କରିବେ ବୋଲି । ସେ କିନ୍ତୁ ଆଖିବୁଜି ପଡ଼ି ରହିଲେ ଶେଯରେ । ପାଟି ବି ଟିକିଏ ଫିଟେଇଲେନି ରାତିଟା ସାରା ।

ମୁଁ ଭାବିଚିନ୍ତି ଦେଖିଲି ମଉସାଙ୍କ ହେପାଜତ କରିବାକୁ ବୋହୂଟିଏ ଲୋଡ଼ା । ସମୟ କଟେଇବାକୁ ଦରକାର ନାତି ନାତୁଣୀ । ନ ହେଲେ ହୁଏତ ପଛ କଥା ମନେ ପକେଇ ସେ କୋଉ ଦିନ ଶେଯ ଧରିବେ ରକ୍ତଚାପ ଦାଉରୁ । ସେତେବେଳେ ସେବାଶୁଶ୍ରୂଷା କରି ତାଙ୍କୁ ସମ୍ଭାଳିବା ମୁସକିଲ ହୋଇ ପଡ଼ିବ । ଜଗତ ବି ଘାଣ୍ଟି ହୋଇଯିବ ତାଙ୍କ ପାଇଁ ।

ଅନେକ ଚିନ୍ତା କରି ସେହି ଦିନ ଠିକ୍ କଲି ସବୁ କଥା ଚିଠିରେ ଲେଖି ଜଣେଇବି ଜଗତକୁ । ସେ ଅନ୍ତତଃ ଘରକୁ ବୋହୂଟିଏ ନେଇ ଆସୁ । ବୋହୂ ଆସିଲେ ମଉସାଙ୍କ ମନ ହୁଏତ ଅନ୍ୟ ଆଡ଼କୁ ଚାଲିଯିବ । ମୁଁ ମଧ୍ୟ ଏକପ୍ରକାର ରକ୍ଷା ପାଇଯିବି ଏ ହରଡ଼ଘଣାରୁ ।

ପାହାନ୍ତା ପହରକୁ ନନ୍ଦ ମଉସା ଓ ମୁଁ ଆଉ ସମ୍ଭାଳି ପାରିଲୁ ନାହିଁ । ଦୁହେଁ ଟିକିଏ ଘୁମେଇ ପଡ଼ିଲୁ ।

ହଠାତ୍ ଗୋକୁଳି ମଉସାଙ୍କ ପାଟିରେ ଆମ ଦୁହିଁଙ୍କ ତନ୍ଦ୍ରା ଏକାବେଳକେ କଟିଗଲା । ଆଖି ମେଲି ଦେଖିଲି ବାହାରଟା ବେଶ ଫରଚା ହୋଇଗଲାଣି । ଗୋକୁଳି ମଉସା ବି ଉଠି ବସିଲେଣି ଖଟ ଉପରେ ।

‘‘ଆରେ ଏ ଗର୍ଦଭ ନନ୍ଦ, ଏତେବେଳଯାଏ କଣ ଶୋଇଚୁ, ଉଠ, ବୁଲି ଯିବାନି କି ଆଜି-?’’ ସେହି ପୁରୁଣା ବେପରୁଆ ସ୍ୱରରେ ଗୋକୁଳି ମଉସା ଡାକ ଛାଡ଼ିଲେ ।

‘‘ନା, ଆଜି ଆଉ ବୁଲିଯିବା ଦରକାର ନାହିଁ । ଆପଣଙ୍କୁ ଅନ୍ତତଃ ଦି’ ଦିନ ଯାଏ ବିଛଣାରେ ପଡ଼ି ରହିବାକୁ ହେବ । କଥାବାର୍ତ୍ତା ବି ବିଲକୁଲ ବନ୍ଦ ।’’ ମୁଁ ଜବାବ ଦେଲି ।

‘‘ଦି’ ଦିନ ବିଛଣାରେ ପଡ଼ି ରହିବି ! ତେବେ ତ ମୋ ଗୋଡ଼ ହାତ ରହିଯିବ । ତେଣିକି ହୁଏତ ମୁଁ ଆଉ ଉଠି ବସି ପାରିବି ନାହିଁ । ସେଥିପାଇଁ ତ ଡାକ୍ତର ପରାମର୍ଶ ଦେଇଚନ୍ତି ରୋଜ ସକାଳେ ସନ୍ଧ୍ୟାରେ ଚାଲିବାକୁ ।’’ ଗୋକୁଳି ମଉସା ପ୍ରତିବାଦ କଲେ ।

‘‘କାଲି ରାତିରେ ପରା ଆପଣଙ୍କ ରକ୍ତଚାପ ପୁଣି ବଢ଼ିଥିଲା । ତେଣୁ ଆଜି କାଲି ଦି’ ଦିନ ଅନ୍ତତଃପକ୍ଷେ ଆପଣଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ହବ ।’’ ମୁଁ ବୁଝେଇଲି ।

‘‘ଏଇଲେ ତ ମତେ ଲାଗୁନି Blood pressure ବଢ଼ିଲା ପରି ।’’

‘‘କାଲି ଔଷଧ ଦେଇଥିଲି, କମି ଯାଇଥିବ । ଚାଲବୁଲ କଲେ ପୁଣି ବଢ଼ିଯାଇ ପାରେ ।’’

‘‘ସମୟ କଟିବ କେମିତି ତା ହେଲେ ?’’

‘‘ଆଖିବୁଜି ପଡ଼ି ରହିଲେ ବଳେ ସମୟ କଟିଯିବ ଦେଖିବେ ।’’

‘‘ଏଇ ନନ୍ଦଟାକୁ ଧରି ତ ମୁଁ ପଡ଼ି ରହି ପାରିବିନି । ବେଳେ ବେଳେ କଥା କହିବାକୁ ତ ପୁଣି ଜଣେ କେହି ଦରକାର । ସେ ମୂର୍ଖଟା ସାଙ୍ଗେ କୋଉ ବିଷୟରେ କଥା ହେବି କହିଲୁ ଭଲା !’’ ପୁଣି ଫେରି ଆସିଲା ଗୋକୁଳି ମଉସାଙ୍କ ସ୍ୱରୂପ ।

‘‘ଯେମିତି ହେଲେ ପୂରା ବିଶ୍ରାମ ନବାକୁ ପଡ଼ିବ ଆପଣଙ୍କୁ ଦି’ ଦିନ ।’’ ମୁଁ ଜୋର କଲି ।

‘‘ସାମାନ୍ୟ, ନିହାତି ଦରକାର ହେଲେ ।’’

‘‘ତେବେ ତତେ ଏ ଦି’ ଦିନ ରହିବାକୁ ପଡ଼ିବ ମୋ ପାଖେ ।’’

‘‘ଖରା ବେଳଟା ସାରା ମୁଁ ରହିବି ପଛେ ।’’

‘‘କଥା ରହିଲା ତା ହେଲେ !’’

‘‘ହଁ,’’ ଜବାବ ଦେଇ ସାରି ମୁଁ ପୁଣି କହିଲି ନନ୍ଦ ମଉସାକୁ, ‘‘ମଉସାଙ୍କୁ ଏଇଠି ଦାନ୍ତ ଘଷିବାକୁ ସବୁ ଯୋଗାଡ଼ କରି ଦିଅ ।’’

‘‘ବାରଣ୍ଡାରେ ବସି ଦାନ୍ତ ଘଷି ପାରିବିନି !’’

‘‘ଉଠନ୍ତୁ, ତେବେ ମୁଁ ଧରୁଚି ।’’

‘‘ମୁଁ ନିଜେ ଚାଲିଯାଇ ପାରିବି ବେଶ ।’’

ମତେ ଅଟକିବାକୁ ପଡ଼ିଲା ପୁଣି ଘଣ୍ଟାଏ ଯାଏ । ଗୋକୁଳି ମଉସା ତାଙ୍କ ନିତ୍ୟକର୍ମ ଶେଷ କଲା ପରେ ଔଷଧପତ୍ର ଖୁଏଇ ମୁଁ ବସାକୁ ଫେରିଲି ।

ହସ୍ପିଟାଲକୁ ଯିବା ବାଟରେ ଆଗ ଗଲି ସୁବିମଳ ବାବୁଙ୍କ ବସାକୁ । ଦାଣ୍ଡ ଦରଜାରେ ସାମାନ୍ୟ ଟିକିଏ ଆଘାତ କଲାମାତ୍ରେ ସେ ନିଜେ ଆସି କବାଟ ଖୋଲି ପାଛୋଟି ନେଇଗଲେ ଭିତରକୁ । ଲକ୍ଷ୍ୟ କଲି, ତାଙ୍କ ଅବସ୍ଥା ଅନେକ ପରିମାଣରେ ବାଗେଇ ଗଲାଣି ।

ମୁଁ କହିଲି, ‘‘ଆଉ ଟିକିଏ ପରୀକ୍ଷା କରି ଦେଖିବି ଆପଣଙ୍କୁ ।’’

‘‘ଦେଖ ।’’ ସେ ରାଜି ହୋଇଗଲେ ।

ପନ୍ଦର ମିନିଟ କାଳ ଭଲ ଭାବରେ ପରୀକ୍ଷା କରି ସାରି ନିଶ୍ଚିତ ହେଲି ଯେ ସେ ସମୂର୍ଣ୍ଣ ସୁସ୍ଥ । ତଥାପି ଔଷଧ ଆଉ ଦୁଇ ଦିନ ଅନ୍ତତଃ ଖାଇବା ଉଚିତ ମନେ କରି ଆରମ୍ଭ କଲି, ‘‘ଗୋଟେ କଥା କହିବି !’’

‘‘କଣ ?’’

‘‘ଆପଣଙ୍କର ଅନ୍ତତଃ ଆଉ ଦୁଇ ଦିନ ଔଷଧ ବ୍ୟବହାର କରିବା ଉଚିତ । ନ ହେଲେ ଜର ପୁଣି ଲେଉଟିବାର ଆଶଙ୍କା ଅଛି । ଶେଷକୁ ଟାଇଫଏଡ଼ ପାଲଟିଯିବା କିଛି ଅସମ୍ଭବ ନୁହେଁ ।’’

‘‘ମତେ ଡାକ୍ତରୀ ଔଷଧ ଖାଇବାକୁ ଭଲ ଲାଗେନି । ହୋମିଓପାଥିରେ କିଛି ନାହିଁ ?’’

‘‘ଥିବ ନିଶ୍ଚୟ । ମୁଁ ଜାଣେନି । ତେବେ ମୋ ମତରେ ପଅର ଦିନ ରାତିରେ ମୁଁ ଆପଣଙ୍କର ଯୋଉ ଅବସ୍ଥା ଦେଖିଥିଲି, ସେଥିରେ ଆପଣ ଅନ୍ତତଃ ଆଜି ଦିନଟା ଡାକ୍ତରୀ ଔଷଧ ବ୍ୟବହାର କରିବା ଉଚିତ ବୋଲି ମୁଁ କହିବି । କାଲିଠୁ ପଛେ ହୋମିଓପାଥି କରିବେ ।’’

 

ଭାବି ନ ଥିଲି ସେ ରାଜି ହେବେ ବୋଲି । ତଥାପି ସେ ମାନିଲେ । ମୁଁ ନିଜେ ବଜାରକୁ ଯାଇ ତାଙ୍କ ସକାଶେ ଔଷଧ କିଣି ଆଣି ବ୍ୟବହାର ବିଧି ଲେଖି ଦେଲି । ପୁଣି ସନ୍ଧ୍ୟାରେ ଆସିବି ବୋଲି କହି ବିଦାୟ ନେଲି ତାଙ୍କଠୁ ।

 

ସେଠୁ ସିଧାସଳଖ ବିକାଶ ବସାରେ ପହଞ୍ଚି ଶୁଣିଲି, ମାଉସୀ ଆଉ ଔଷଧ ଖାଇବାକୁ ନାରାଜ । ଅଧିକନ୍ତୁ ସେ ଯିଦ୍ ଧରିଚନ୍ତି ଗାଧୋଇ ପାଧୋଇ ସାଧାରଣ ଦିନ ପରି ଘର କାମଦାମ ତୁଲେଇବେ । ବିକାଶ ମନା କଲାରୁ ମାଉସୀ ଚାହିଁ ବସିଚନ୍ତି ମତେ ।

 

ମତେ ଦେଖି ମାଉସୀ କହିଲେ, ‘‘ମୁଁ ଆଉ ଔଷଧ ଖାଇବିନିରେ ପୁଅ ।’’

 

‘‘କାହିଁକି !’’

 

‘‘ତାଙ୍କ ଦେହ ଭଲ ହୋଇଗଲାଣି ।’’

 

‘‘ଏଇ ଓଳିଟା ଖାଇ ଦିଅ ମାଉସୀ । ତାପରେ ପଛେ ଛାଡ଼ିଦବ ।’’

 

‘‘କାହିଁକି ଆଉ ଅକାରଣଟାରେ ଖାଇବି ! ସେ ତ ଭଲ ହେଇଗଲେଣି ବୋଲି ମୋ ମନ କହୁଚି ।’’

 

‘‘ରୋଗ କମିଗଲା ପରେ ବି ଦିନେ ଦି’ଦିନ ଔଷଧ ଖାଇବା ଦରକାର । ନ ହେଲେ ରୋଗଟା ପୁଣି ଲେଉଟି ଆସି ପାରେ ।’’

 

‘‘ଡାକ୍ତରୀ ଔଷଧ ମୁଁ ଆଉ ଖାଇବିନି । ବିକୁକୁ କହିବି ହୋମିଓପାଥି ଔଷଧ ଦି’ପାନ ଆଣି ଦବ ।’’

 

ମୁଁ ଆଉ ବାଧ୍ୟ କଲି ନାହିଁ । ମତେ ଲାଗିଲା, ମାଉସୀ ସୁସ୍ଥ ଅବସ୍ଥାକୁ ପୁଣି ଫେରି ଆସିଲେଣି ।

 

Unknown

ଜଗତ

 

କଚେରୀରୁ ଫେରି ବସାରେ ପହଞ୍ଚି ସମରର ଚିଠି ପାଇଲି । ଛଅ ମାସ ହେଲା ଏଠି ଆସି ଡେପୁଟି ମାଜିଷ୍ଟ୍ରେଟ ହେଲିଣି । ୟା ଭିତରେ କେତେ ଥର କଟକ ଯାଇ ଫେରିଲିଣି । ମୁଁ ଜାଣେ ବାପା ବେଶ୍ ଭଲ ଅଛନ୍ତି । ସମର ଉପରେ ବି ସେ ବଡ଼ ସନ୍ତୁଷ୍ଟ । ପୁଣି ନନ୍ଦ ମଉସା ପାଖେ ପାଖେ ଥିବାଯାଏ ଭୟର କିଛି ଆଶଙ୍କା ନାହିଁ । କାରଣ ବାପାଙ୍କ ନାଡ଼ିନକ୍ଷତ୍ର ତାକୁ ବେଶ୍ ମାଲୁମ ।

 

ତେବେ ଆଉ କଣ ଅଘଟଣ ଘଟିଲା ଯେ ସମର ମତେ ଚିଠି ଲେଖି ଜଣେଇଚି ! ବାପାଙ୍କ ଦେହ ସେମିତି କିଛି ଖରାପ ହୋଇଥିଲେ ତ ସେ ମତେ ଟେଲିଗ୍ରାମ କରିଥାଆନ୍ତା; ନ ହେଲେ ଫୋନରେ ଜଣେଇ ଥାଆନ୍ତା । ହୁଏତ ସାମାନ୍ୟ ଟିକିଏ ରକ୍ତଚାପ ବଢ଼ି ଯାଇଥିବ । ଆଉ ବାପାଙ୍କ ପ୍ରକୃତି ଯୋଗୁଁ କମୁ ନାହିଁ । ଥରେ ଅଧେ ଅବଶ୍ୟ ଏମିତିକା ଘଟିଛି । ଅକାରଣଟାରେ ନନ୍ଦ ମଉସା ସାଙ୍ଗେ ପିଲାଙ୍କ ପରି କଳିକରି ଦଶ ପନ୍ଦର ଦିନଯାଏ ରକ୍ତଚାପରେ ଭୋଗିଚନ୍ତି ।

 

ହଠାତ୍ କିଛି ଠଉରେଇ ନ ପାରି ଅଫିସ ପିନ୍ଧା ପୋଷାକରେ ତରବରରେ ଚିଠିଟା ଖୋଲି ପଢ଼ି ବସିଲି । ଛଅ ପୃଷ୍ଠାର ଲମ୍ୱା ଚିଠି । ଅନେକ କଥା ଲେଖିଚି ସେ ବାପାଙ୍କ ସମ୍ପର୍କରେ । ମୋପାଇଁ ଅବଶ୍ୟ ଏଗୁଡ଼ା କିଛି ନୂଆ ନୁହେଁ । ପିଲାଦିନୁ ବାପାଙ୍କ କାଣ୍ଡ କାରଖାନା ଦେଖି ଆସୁଚି । ଆଉ ଏତେ ଅଭ୍ୟସ୍ତ ହୋଇ ପଡ଼ିଚି ଯେ ସେଗୁଡ଼ାକ ନିତିଦିନିଆ କଥା ବୋଲି ଧରିନେଇଚି ପ୍ରାୟ ପିଲାବେଳୁ ।

 

ସମର ଲେଖିଚି, ବାପା କୁଆଡ଼େ ବେଳକୁବେଳ ବେଶି ବେଶି ଅଝଟ ହୋଇ ଉଠୁଛନ୍ତି । ବେଳେ ବେଳେ ନନ୍ଦ ମଉସା ବି ହାର ମାନିଯାଉଚି ତାଙ୍କୁ ସମ୍ଭାଳିବାକୁ । ତେଣୁ ମଝିରେ ମଝିରେ ଅକାରଣଟାରେ ତାଙ୍କ ରକ୍ତଚାପ ବଢ଼ି ଯାଉଛି । ତେବେ ଅକ୍ତିଆର ବାହାରକୁ ଚାଲିଯାଇନି କେବେହେଲେ । ତଥାପି ଏସବୁ ଭଲ ନୁହେଁ । କେତେବେଳେ ଅକ୍ତିଆର ବାହାରକୁ ଚାଲିଗଲେ ହୁଏତ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ । କାରଣ ବାପା କାହାରି କଥା ମାନି ଚଳିବାର ଲୋକ ନୁହନ୍ତି ।

 

ବାପାଙ୍କ ବିଚିତ୍ର ବ୍ୟବହାରର ଚାରି ଛଅଟା ଚାକ୍ଷୁଷ ନମୁନା ଦେଇ ଶେଷକୁ ସମର ସମାଧାନର ବାଟଟାଏ ବି ବତେଇଚି । ମୋଟ କଥା, ବାହାସାହା ହୋଇପଡ଼ି ମତେ ବାପାଙ୍କୁ ଆଣି ପାଖରେ ରଖିବାକୁ ପଡ଼ିବ । ପୁଅ-ବୋହୂଙ୍କ ସେବାଯତ୍ନ ଓ ନାତି-ନାତୁଣୀଙ୍କ ସାନିଧ୍ୟ ପାଇଲେ ନିଶ୍ଚୟ ବାପା ଟିକିଏ ଟିକିଏ କଥାରେ ଅକାରଣଟାରେ ଉତ୍ତେଜିତ ହେବେନି । ତାଙ୍କ ମନ ପ୍ରଫୁଲ୍ଲ ରହିବ । ଫଳରେ ତେଣିକି ଭୟର ବିଶେଷ କିଛି କାରଣ ରହିବ ନାହିଁ ।

 

ମନେ ମନେ ହସିଲି ମୁଁ, ସମର ବତେଇଥିବା ସମାଧାନର ପନ୍ଥାଟା ପଢ଼ିସାରି । କଣ ବା ସେ ଜାଣେ ଆମ ପରିବାର କଥା । କଲେଜରେ ଆଇ.ଏସସି. ପଢ଼ିଲାବେଳେ ତାର-ମୋର ସାଙ୍ଗ ହେଇଥିଲୁ । ସେ ଭଲ ପାଠ ପଢ଼ୁଥିଲା ବୋଲି ମୁଁ ଏକପ୍ରକାର ଉପରେ ପଡ଼ି ତା ସାଙ୍ଗେ ବନ୍ଧୁତା କରିଥିଲି । କହି ବସିଲେ, ସମର ଯୋଗୁଁ ମୁଁ କୌଣସିମତେ ତୃତୀୟ ଶ୍ରେଣୀର ଆଇ. ଏସସି. ଟପି ପାରିଥିଲି ଏକାଥରକେ । ତାପରେ ସେ ଚାଲିଗଲା ମେଡ଼ିକାଲ ପାଠ ପଢ଼ିବା ସକାଶେ । ଆଉ ମୁଁ ବି. ଏ. ପଢ଼ିଥିଲି ବିଜ୍ଞାନ ପାଠକୁ ଡରି ।

 

ସେତେବେଳେ ବି ମୁଁ ତାକୁ ଥରେ ହେଲେ ଆମ ଘରକୁ ଡାକିନି; ଯଦିଓ ମୋର ଆଉ କେତେ ଜଣ ସାଙ୍ଗକୁ ପର୍ବପର୍ବାଣୀରେ ଡାକିଆଣି ଖୁଏଇଚି ଘରେ । ସମରକୁ ଅବଶ୍ୟ ବେଶ କେତେ ଥର ହୋଟେଲରେ ଖୁଏଇ ନିଜ ସ୍ୱାର୍ଥହାସଲ କରିଚି । ମାନିବାକୁ ପଡ଼ିବ ସେତେବେଳେ ମୁଁ ଏକବାରେ ସ୍ୱାର୍ଥପରଙ୍କ ପରି ବ୍ୟବହାର କରିଚି ତା ସହିତ ।

 

ତେଣୁ ସେ କେମିତି ଜାଣିବ ବାପା ମୋର କେଡ଼େ ଦୁର୍ଦ୍ଦାନ୍ତ ଥିଲେ ! ବୋଉ ଆଉ ନନ୍ଦ ମଉସା ଦୁହେଁ କେତେ ଘାଣ୍ଟି ହଉଥିଲେ ତାଙ୍କୁ ସମ୍ଭାଳିବା ସକାଶେ ।

 

ମୁଁ ସେତେବେଳେ ଗଙ୍ଗାମନ୍ଦିର ମ୍ୟୁନିସିପାଲଟି ସ୍କୁଲର ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ ରାଜୁ ଭାଇନା ପଢ଼ୁଥାଏ ରେଭେନ୍‌ସା କଲେଜିଏଟର ଏକାଦଶ ଶ୍ରେଣୀରେ । ଆଉ ମାମୀ ନାନୀ ଗାର୍ଲ ସ୍କୁଲର ଅଷ୍ଟମରେ । ସେଇ ବର୍ଷେ ହେବ ବାପା ଗେଜେଟେଡ଼ ପାହିଆକୁ ଉଠିଥାଆନ୍ତି । ଆମେ ସବୁ ଏକାଠି ରହୁଥାଉ ପୈତୃକ ଘରେ; ବୁଢ଼ା ବାପା, ବୁଢ଼ୀମା, ଦଦା, ବାପା ଓ କକା ଓଗେର-

 

ଦେଠେଇ ଥିଲେ ବଡ଼ କୁଟିଳ ଓ ହିଂସକୁଟିଆ । ବୋଉକୁ ବାପା ଆମର ଟିକିଏ ବେଶି ସୁଖ ପାଉଥିଲେ ବୋଲି ସେ ମୋଟେ ସହିପାରୁ ନ ଥିଲେ । ଟିକିଏ ଟିକିଏ କଥାରେ ସବୁବେଳେ ନାକ ଛିଞ୍ଚାଡ଼ି ଟାଣ ଟାଣ କଥାମାନ କହୁଥିଲେ ବୋଉକୁ ଶୁଣେଇ ଶୁଣେଇ । କେତେ ଥର ମୁଁ ଦେଖିଚି, ବୋଉ ତାଙ୍କ କଥା ଶୁଣି କାନ୍ଦି ପକେଇଚି । ହେଲେ ଭୁଲରେ ବି ବାପା, ବୁଢ଼ା ବାପା କି ବୁଢ଼ୀ ମା’ ପାଖେ ଫେରାଦ ହୋଇନି । ଓଲଟି ନନ୍ଦ ମଉସା କେତେବେଳେ କେମିତି ସହି ନ ପାରି ବୋଉର ହୋଇ ଦେଠେଇଙ୍କ ସାଙ୍ଗେ ଜବାବସୁଆଲ କରିବାକୁ ବାହାରିଲେ, ହାତଗୋଡ଼ ଧରି ତାକୁ ବାରଣ କରିଚି । ରାଣ ନିୟମ ପକେଇ ନନ୍ଦ ମଉସାର ମୁହଁ ବାନ୍ଧିଚି ବାପାଙ୍କ ଆଗେ ଫେରାଦ ନ ହବା ସକାଶେ ।

 

ସେଦିନ ବାପାଙ୍କ ଅଫିସ ଫେରିବା ବେଳ ଉଣ୍ଡି ଦେଠେଇ ବୋଉକୁ ଲଗେଇ ଦେଲେ ଗହମ ବାଛିବା ସକାଶେ । ନନ୍ଦ ମଉସାକୁ ଜଗେଇ ରଖି ବୋଉ ଭିତର ପଟ ବାରଣ୍ଡାରେ ବସି ଗହମ ପାଛୁଡ଼ୁଥାଏ ।

 

ଏ କଥା ଦେଖି ଦେଠେଇ ଜାଣିଶୁଣି ବଜାରରୁ କଣ ଗୋଟାଏ ଜିନିଷ କିଣିବା ସକାଶେ ପଠେଇଦେଲେ ନନ୍ଦ ମଉସାକୁ । ଆଉ ଟିକିଏ ପରେ ଯିବ ବୋଲି ନନ୍ଦ ମଉସା ଯେତେ କହିଲେ ବି ଶୁଣିଲେ ନାହିଁ ।

 

ଏତିକିବେଳକୁ ବାପା ଫେରିଲେ ଅଫିସରୁ । ପହଞ୍ଚି ଦେଖିଲେ ବୋଉ କି ନନ୍ଦ ମଉସା କେହି ହେଲେ ଚାହିଁ ବସି ନାହାନ୍ତି ତାଙ୍କୁ । ବାସ, ସରିଗଲା କଥା । ସେମିତି ଜାମାଯୋଡ଼ ହେଇ ସେ ବସି ରହିଲେ ରାଗରେ ।

 

ଦେଠେଇ ଦେଖି ନ ଦେଖିଲା ଭଳି ମୁରୁକି ହସି ତାଙ୍କ ଘରେ ପଶି କବାଟ କିଳିଲେ । ଭୁଲରେ ବି ବୋଉକୁ କହିଲେନି, ବାପା ଅଫିସରୁ ଆସିଲେଣି ବୋଲି ।

 

ଟିକିଏ ପରେ ନନ୍ଦ ମଉସା ବଜାରରୁ ଫେରି ବାପାଙ୍କୁ କହିଲା, ‘‘ପେଣ୍ଟଜାମା ପାଲଟି ମୁହଁ ହାତ ଧୁଅ । ମୁଁ ଜଳଖିଆ ଆଣେ ।’’

 

ଗମ୍ଭୀର ସ୍ୱରରେ ବାପା ଜବାବ ଦେଲେ, ‘‘ମୁଁ ଖାଇବିନି ।’’

 

‘‘କାହିଁକି ?’’

 

‘‘ଭୋକ ନାହିଁ ।’’

 

ନନ୍ଦ ମଉସା ଠିକ ଠଉରେଇ ନେଲା ବାପାଙ୍କ ରାଗର କାରଣ । କଅଁଳ ସ୍ୱରରେ ବୁଝେଇ ବସିଲା, ‘‘ମା’ ତ ଏଇଠି ଜଗି ବସିଥିଲେ । ବଡ଼ ବୋହୂ ଜାଣିଶୁଣି ତାଙ୍କୁ ଗହମ ପୋଛୁଡ଼ିବାରେ ବସେଇ ଦେଲେ । ମତେ ବି ପଠେଇ ଦେଲେ ବଜାର ।’’ ସେ ଅଲଣାରୁ ସଫା ଲୁଙ୍ଗି ଆଉ ଗଞ୍ଜି ଆଣି ବାପାଙ୍କ ଆଗରେ ଥୋଇଲା ।

 

କ୍ଷଣକ ପାଇଁ ବାପା ଲାଲଲାଲ ଆଖିରେ ଦଦେଇଙ୍କ ଘରଆଡ଼େ ଚାହିଁ ସଫାଲୁଗା ଆଉ ଗଞ୍ଜି ବାହାରକୁ ଫୋପାଡ଼ି ଦଉଦଉ ପାଟିକଲେ ‘‘କହିଲି ପରା ମୁଁ ଏ ଘରେ ଅନ୍ନ ଜଳ ସ୍ପର୍ଶ କରିବି ନାହିଁ ।’’

 

ପାଟି ଶୁଣି ବୋଉ ଗହମ ପାଛୁଡ଼ା ବନ୍ଦ କରି ଉଠି ଆସିଲା । ଭୟରେ ତା ମୁହଁରୁ ରକ୍ତ ଶୁଖିଗଲାଣି ସେତେବେଳକୁ ।

 

‘‘ଅନ୍ନ-ଜଳ ଖାଇବାକୁ ତୁମକୁ କେହି କହୁନି ।’’ ନନ୍ଦ ମଉସା ଉତ୍ତର ଦେଲା ।

 

‘‘ଆଉ ତେବେ କଣ କହୁଚୁ ?’’

 

ଲୁଙ୍ଗି ଆଉ ଗଞ୍ଜି ଗୋଟେଇ ଆଣି ବାପାଙ୍କ ଆଗରେ ପୁଣି ରଖୁ ରଖ ନନ୍ଦ ମଉସା ଉତ୍ତର ଦେଲା, ‘‘ଚାହା-ଜଳଖିଆ ଖାଇବ ।’’

 

‘‘ପରିହାସ କରୁଚୁ ତୁ ମୋ ସାଙ୍ଗେ ! ଜାଣୁ, ମୋ ରାଗ କେଡ଼େ ଚଣ୍ଡାଳ ?’’ ବାପା ଡରେଇଲେ ।

 

ନନ୍ଦ ମଉସା ବାପାଙ୍କ ଧମକ ମନକୁ ନ ନେଇ କହିଲା, ‘‘ଅଫିସରେ ବଡ଼ ହାକିମଙ୍କଠାରୁ ଆଜି ଗାଳି ଶୁଣିଚ କି ?’’

 

‘‘କଣ କହିଲୁ ? ବଡ଼ ହାକିମ ଜିଭରେ ହାଡ଼ ଅଛି ମତେ ଗାଳି ଦବ ?’’

 

‘‘ନ ହେଲେ ଘରକୁ ଫେରି ଝଡ଼େଇ ହଉଚ କାହିଁକି ଶୁଣେ ?’’

 

‘‘ନନ୍ଦ !’’ ବାପା ଏକପ୍ରକାର ଚିତ୍କାର କରି ଉଠିଲେ ।

 

‘‘ମୁଁ କଣ କାଲ ହେଇଚି ଯେ ଏଡ଼େ ପାଟି କରୁଚ ! ଲୁଗା ପାଲଟିଲ ଆଗ ।’’ ନନ୍ଦ ମଉସା ଆଦେଶ ଦେଲା ଭଳି କହିଲା ।

 

‘‘ଦେଖୁଚି ତୋ ମୁହଁ ଭାରି ବଢ଼ିଗଲାଣି । ଆଉ ନୁହେଁ । ତତେ ଆଜି ମୁଁ ଏ ଘରୁ ଆଗ ବାହାର କରିବି । ତାପରେ ଯୋଉ କଥା । ଚାଲ ଆଗ ତତେ ମୁଁ ନେଇ ରାସ୍ତାରେ ଛାଡ଼ି ଦେଇ ଆସେ ।’’ ବାପା ଉଠି ଠିଆ ହେଲେ, ସତକୁ ସତ ଯେମିତି ନନ୍ଦ ମଉସାକୁ ନେଇ ବାହାରେ ଛାଡ଼ି ଦେଇ ଆସିଲା ଭଳି ଢଙ୍ଗ ଦେଖେଇ ।

 

ମୁଁ ଡରିଗଲି ବାପାଙ୍କ ରଙ୍ଗଢଙ୍ଗ ଦେଖି । ଆଖି ଛଳଛଳେଇ ଉଠିଲା ମୋର । ନନ୍ଦ ମଉସା ଚାଲିଗଲେ ଆମ ଭାଇ-ଭଉଣୀଙ୍କ କଥା ଭଲା ବୁଝିବ କିଏ ଏ ଘରେ ! କିଏ ମୋତେ ଗାଧୋଇ ଦବ, ପେଣ୍ଟ ପିନ୍ଧେଇ ଦବ, ସ୍କୁଲରେ ନେଇ ଛାଡ଼ିବ ପୁଣି ଛୁଟି ହେଲେ ଯାଇ ନେଇଆସିବ ଘରକୁ । ବହି ଖାତା ସିଲେଇ କରି ଦବ, ପେନସିଲ କାଟି ଦବ, ବାପା-ବୋଉଙ୍କୁ ଲୁଚେଇ ଆଇସ୍‌କ୍ରୀମ୍, ଦହି ବରା-ଆଳୁଦମ୍-ଚାଟ୍ କିଣି ଖୁଏଇବ ।

 

ନନ୍ଦ ମଉସା କିନ୍ତୁ ହସ ହସ ମୁହଁରେ ଠିଆ ହୋଇଥାଏ ଟିକିଏ ବି ହେଲେ ଭୟ ନ କରି-

 

ବୋଉ ଏତିକିବେଳକୁ ଗୋଟାଏ ଥାଳିଆରେ ଜଳଖିଆ ବାଢ଼ିଆଣି ଠିଆ ହେଲା ବାପାଙ୍କ ଆଗରେ ।

 

ବାପା ପାଟି କଲେ, ‘‘କହିଲି ପରା ମୁଁ ଖାଇବିନି ।’’

 

ଉତ୍ତର ନ ଦେଇ ବୋଉ ମୁହଁ ଟେକି ଚାହିଁଲା ବାପାଙ୍କୁ । ଆଖିରୁ ତାର ଦି’ ଟୋପା ଲୁହ ଗଡ଼ିପଡ଼ିଲା ।

 

‘‘ଖାଲି କାନ୍ଦି ଶିଖିଚ । ମଣିଷ ଦିନଯାକ ଖଟି ଖଟି ଆସିଲା ଘରକୁ । ତା କଥା କିଏ କାହିଁକି ବୁଝିବ ? ମାସ ଶେଷକୁ ଖାଲି ହାତ ପତେଇ ଠିଆ ହେଇଯିବ ଦିଅ ଟଙ୍କା ।’’ କହି ସାରି କଣ ମନେକରି ବାପା ଜାମା ପେଣ୍ଟ ପାଲଟି ମୁହଁ ହାତ ଧୋଇ ଖାଇ ବସିଲେ ।

 

ସାମାନ୍ୟ କଥାରେ ପାଟିତୁଣ୍ଡ କରିବାଟା ବାପାଙ୍କ ସ୍ୱଭାବ । ବିଶେଷ କରି ନନ୍ଦ ମଉସା ଉପରେ ଅକାରଣରେ ପାଟିତୁଣ୍ଡ କରିବାକୁ ସେ କେବେହେଲେ କୁଣ୍ଠାବୋଧ କରିନାହାନ୍ତି । କହି ବସିଲେ ପ୍ରାୟ ସବୁବେଳେ ସେ ମନରାଗ ମେଣ୍ଟେଇଛନ୍ତି ନନ୍ଦ ମଉସା ଉପରେ ତାଙ୍କର ଟିକିଏ କିଛି ବିଗିଡ଼ିଗଲେ । ନନ୍ଦ ମଉସା ବି କେବେ ହେଲେ ବାପାଙ୍କ ରାଗକୁ ଖାତିର ତଳେ ନେଇନିକାରଣ ସେ ଠିକ ଜାଣେ ବାପା ଖାଲି ଗର୍ଜନ କରିବେ, ବାସ ସେତିକି ।

 

ତା ବୋଲି ଯେ ବୋଉ ଉପରେ ବାପା ରାଗୁ ନ ଥିଲେ, ନୁହେଁ । ଅନେକ ସମୟରେ ଅକାରଣଟାରେ ବୋଉ ଉପରେ ବି ଗର୍ଜନ କରୁଥିଲେ ।

 

ବାପା ରାଗିଯାଇ ପାଟି କଲେ, ବୋଉ ଆଗ ତୁନୀ ହୋଇ ମୁହଁ ପୋତି ଶୁଣେ । ଆଉ ବାପା ଥୋଡ଼ାଏ ଗର୍ଜି ସାରିଲା ପରେ ମୁହଁ ଟେକି ଛଳଛଳ ଆଖିରେ ଚାହିଁ କୁହେ, କି ଦୋଷ କଲି ଯେ ମୋ ଉପରକୁ ଏତେ ପାଟି କରୁଚ ! ଆଉ ସେ ସ୍ୱରରେ କଣ ଥାଏ କେଜାଣି ନିଆଁରେ ପାଣି ପକେଇଲା ଭଳି ବାପାଙ୍କ ତେଜ ଦପ୍‌କରି ଲିଭିଯାଏ ।

 

ତେବେ ସବୁଥର ଯେ ବାପା ବୋଉ କଥାରେ ତୁନୀ ହୋଇଗଲା ପରେ ଅବସ୍ଥା ଶାନ୍ତ ପଡ଼ି ଯାଉଥିଲା, ତା ନୁହେଁ । କେତେ ଥର ବୋଉ କଥାରେ ପାଟିତୁଣ୍ଡ ବନ୍ଦ କରି ଦେଇ ସେ ରୁଷି ଯାଉଥିଲେ । ତାପରେ ବୋଉ ଯେତେ ନେହୁରା ହେଲେ ବି ସେ ତୁଣ୍ଡ ଖୋଲୁ ନ ଥିଲେ ମୋଟେ ।

 

ତେଣିକି ବାପାଙ୍କୁ ପୁଣି ବାଗେଇବାର ଭାର ପଡ଼ୁଥିଲା ନନ୍ଦ ମଉସା ଉପରେ । ଘଣ୍ଟାଏ କି ଦି’ ଘଣ୍ଟାକାଳ ଖୋସାମତ କରି, ହାତଗୋଡ଼ ଧରି, କେତେବେଳେ କେମିତି ଓଲଟି ମିଛିମିଛିଆ ଧମକେଇ ସେ ପୁଣି ବାପାଙ୍କୁ ଶାନ୍ତ କରୁଥିଲା ।

 

ସଂପର୍କ ଦିଗରୁ ଦେଖି ବସିଲେ ନନ୍ଦ ମଉସା ଆମର କେହି ନୁହେଁ । ବଡ଼ ହେଲା ପରେ ଶୁଣିଚି ବୋଉଠୁ, ନନ୍ଦ ମଉସା କେମିତି ଆମ ଘରକୁ ଆସିଲା । ଆମେ ଭାଇ-ଭଉଣୀ କେହି ସେତେବେଳକୁ ଜନ୍ମ ହୋଇ ନ ଥାଉ । ବାପା କମିଶନରଙ୍କ ଅଫିସରେ ମୋଟେ ବର୍ଷେ ହେବ କିରାଣୀ ହୋଇ ପଶି ଥାଆନ୍ତି । ବାହା ହୋଇ ଥାଆନ୍ତି ବି ଦି’ ମାସ ତଳେ ।

 

ଭାରି ଝଡ଼ତୋଫାନ ଉଠିଥାଏ ସେ ଦିନ ରାତିରେ । ସନ୍ଧ୍ୟା ପରେ ପରେ ସହର ବଜାର ଖାଲି ପଡ଼ିଯାଇଥାଏ । ଅନବରତ ଝରି ଚାଲିଥାଏ ମୂଷଳଧାରାରେ ବର୍ଷା । ରାତି ନଅଟା ହବ ସେତେବେଳକୁ । ବୁଢ଼ା ବାପାଙ୍କ ଆଦେଶରେ ରାତି ଆଠଟା ସୁଦ୍ଧା ଖିଆପିଆ ସାରି ଯିଏ ଯାହା ଘରେ ବିଶ୍ରାମ ନେଲେଣି କେତେବେଳୁ ।

 

ଏତିକିବେଳକୁ କଅଁଳା ପିଲାଟିଏ ଆମ ଦାଣ୍ଡପିଣ୍ଡାରେ କାନ୍ଦିଲା ଭଳି ମୋ ବୋଉକୁ ଶୁଭିଲା । ସେ ବାପାଙ୍କୁ ଉଠେଇଲା ଯାଇ ଦେଖି ଆସିବାକୁ । ବାପା ଉଠି କବାଟ ଖୋଲି ଦେଖିଲେ, କିଏ ଜଣେ ଝଡ଼ବର୍ଷାରୁ ରକ୍ଷା ପାଇବା ସକାଶେ ଆମ ଦାଣ୍ଡ ପିଣ୍ଡାର ଗୋଟାଏ କୋଣକୁ ଜାକିଜୁକି ହୋଇ ବସିଚି । କଅଁଳା ପିଲାଟିକୁ ଜାକି ଧରିଚି ଛାତିରେ ।

 

ବାପା ପଚାରିଲେ, ‘‘କିଏ ?’’

 

‘‘ଗରିବ ଆଜ୍ଞା ।’’

 

‘‘ଏଠି କାହିଁକି ବସିଚ ?’’

 

‘‘ପଡ଼ିଆ ପାଖ ଚାଳଘରେ ଥିଲି ଆଜ୍ଞା । ନାଳ ପାଣି ମାଡ଼ି ଆସିଲା । ଏଇଠିକି ଉଠି ଆସିଚି । ମେଘ ଛାଡ଼ିଗଲେ ଚାଲିଯିବି ।’’

 

‘‘ଛାତିରେ କଣ ଜାକି ଧରିଚ ?’’

 

‘‘ମୋ ଝିଅ ଆଜ୍ଞା ।’’

 

‘‘ତା ମା କାଇଁ ?’’

 

‘‘ପିଲା ଜନମ କରି ଚାଲିଯାଇଚି ବାବୁ ।’’

 

‘‘କୁଆଡ଼େ ?’’

 

‘‘ଯୋଉଠୁ ଆସିଥିଲା ସେଇଠିକୁ ।’’

 

‘‘ବାପଘରକୁ ?’’

 

ବୋଉ ଆସି ଠିଆ ହୋଇଥିଲା ବାପାଙ୍କ ପଛପଟେ । କହିଲା, ‘‘ତୁମ ମୁଣ୍ଡରେ ଗୋବର-। ଏଡ଼େ ବକଟେ ଛୁଆକୁ ବାପ ଛାଡ଼ି କୋଉ ମାଆ କେବେ ବାପଘରକୁ ଯିବାକୁ ମନ କରିବ-!’’

 

‘‘ଆଉ ତେବେ !’’

 

‘‘ଏ ସଂସାର ଛାଡ଼ି ଚାଲିଯାଇଚି ବାବୁ !’’ ନନ୍ଦ ମଉସା ବୁଝେଇ ଦେଲା ।

 

ବୋଉ ଡାକିଲା, ‘‘ଭିତରକୁ ଉଠି ଆସ ପିଲାକୁ ଧରି ।’’

 

‘‘ନାଇଁ ମା, ମୁଁ ଏଇଠି ବସି ବସି ରାତିଟା କଟେଇଦେବି । ଆପଣମାନେ ଯାଆନ୍ତୁ ଶୋଇବେ ।’’

 

‘‘ଭିତରକୁ ଉଠି ଆସ କହୁଚି ।’’ ବାପା ଆଦେଶ ଦେଲେ ।

 

ଯୁବକ ନନ୍ଦ ମଉସା ଭିତରକୁ ଉଠି ଆସିଲା ।

 

ବାପା ପଚାରିଲେ, ‘‘ତୁମ ନାଁ ?’’

 

‘‘ନନ୍ଦ କିଶୋର ଦାଶ ।’’

 

‘‘ଘର ?’’

 

‘‘ଢେଙ୍କାନାଳ ।’’

 

‘‘କଣ କର ?’’

 

‘‘ପୁଝାରୀ କାମ କରୁଚି ଗୋଟେ ହୋଟେଲରେ ।’’

 

‘‘କେବେଠୁ ?’’

 

‘‘ଛ’ ମାସ ହେଲା ।’’

 

ବୋଉ ବାଧା ଦେଇ କହିଲା, ‘‘ଗୋଟାସୁଦ୍ଧା ତ ତିନ୍ତିଯାଇଚ । ପିଲାର କନ୍ଥା ବି ଓଦା ।’’ ସେ ଭିତରକୁ ଯାଇ ଦେଠେଇଙ୍କୁ ଉଠେଇ ପିଲାଙ୍କ ଛିଣ୍ଡା କନ୍ଥା ଖଣ୍ଡେ ମାଗିଲା ସବୁ କଥା ବୁଝେଇ କହି ।

 

ଦେଠେଇ ସେଇଠୁ ନିଜେ ଉଠି ଆସି ସ୍ୱଚକ୍ଷୁରେ ସବୁ କଥା ଦେଖି ସାରି ପାଟିଟାଏ କଲେ, ‘‘କୋଉଠୁ ଗୋଟେ ଚୋରଚଣ୍ଡାଳକୁ ଆଣି ଘରେ ପୂରେଇଲ ଏ ଝଡ଼ ତୋଫାନ ରାତିରେ ? ବାହାର, ବାହାର, ଏଠୁ ବାହାର ।’’

 

‘‘କଅଁଳା ପିଲାଟାକୁ ନାନୀ ଦୟା କର ।’’ ବୋଉ ନେହୁରା ହେଲା ।

 

‘‘ଏତେ ଦୟା ଯଦି ନେଇ ଯା’ ତୋ ଘରେ ବିଛଣାରେ ଶୁଏଇବୁ ।’’ ଦେଠେଇ ନାକ ଛିଞ୍ଚାଡ଼ି କହିଲେ ।

 

ବୁଢ଼ା ବାପା, ବୁଢ଼ୀ ମା, ଦଦେଇ ସେତେବେଳକୁ ଉଠି ଆସିଲେଣି । ତେବେ ଦେଠେଇଙ୍କ ଡରରେ ସେମାନେ କେହି ତୁଣ୍ଡ ଖୋଲିଲେ ନାହିଁ ।

 

ଦେଠେଇ ପୁଣି ପାଟି କଲେ, ‘‘ଉଠିଲୁ ନା ଏଠୁ ।’’

 

‘‘ହଁ ମା ଯାଉଚି,’’ ନନ୍ଦ ମଉସା ଝିଅକୁ ଧରି ପଦାକୁ ଗୋଡ଼ ବଢ଼େଇଲା । ବାପା ଏଥର କହିଲେ, ‘‘ରୁହ । ରାତିଟାରେ କୁଆଡ଼େ ଯିବା ଦରକାର ନାହିଁ । କାଲି ସକାଳକୁ ଦେଖିବା ।’’

 

‘‘କଣ ତୁମ କଥାରେ ?’’ ଦେଠେଇ ଶାସନ କଲା ଭଳି ପଚାରିଲେ ।

 

‘‘ହଁ ।’’ ଉତ୍ତର ଦେଇ ବାପା ବୋଉକୁ କହିଲେ, ‘‘ଆଲମାରୀରୁ ଗୋଟେ ବିଛଣା ଚଦର ଆଉ ଧୋତି ନେଇ ଆସ ।’’

 

ଦେଠେଇ ରାଗିଯାଇ ଡରେଇଲେ, ‘‘ମୁଁ ଏ ଘରେ ଆଉ ରହିବିନି କହି ରଖିଲି ।’’ ତଥାପି ତାଙ୍କ ସପକ୍ଷରେ କେହି ତୁଣ୍ଡ ନ ଖୋଲିବାରୁ ସେ ଗୋଡ଼କୁ କଚାଡ଼ି କଚାଡ଼ି ସେଠୁ ଚାଲିଗଲେ ।

 

ଦଦେଇ ବି ଗଲେ ବାହାରି ତାଙ୍କ ପଛେ ପଛେ, ବାପାଙ୍କୁ ନୀରବରେ ସମର୍ଥନ ଜଣେଇ-

 

ବୋଉ ଧୋତି ଆଉ ଚାଦର ଆଣି ଦେଲା ।

 

ନନ୍ଦ ମଉସାକୁ ରାତିକ ସକାଶେ ଦାଣ୍ଡଘରେ ଥଇଥାନ କରି ବୁଢ଼ା ବାପା-ବୁଢ଼ୀ ମା, ବାପା ଓ ବୋଉ ଶୋଇବାକୁ ଗଲେ ।

 

ଟିକିଏ ପରେ ଟିକି ଝିଅଟା ପୁଣି କାନ୍ଦି ଉଠିଲା ।

 

ଦେଠେଇ ସେ ଘରୁ ପାଟି କଲେ, ‘‘ଏ ଘରେ ଦିନଟେ ବି ମଣିଷର ଶାନ୍ତି ନାହିଁ ଦେଖୁଚି-।’’

 

ବୋଉ ତା ପରେ ଉଠି ଆସି ପଚାରିଲା, ‘‘ପିଲାଟା ଖାଇନି କି ?’’

 

‘‘ଉଷୁମ ଗୁଡ଼ ପାଣି ଟିକିଏ ଦେଇଚି । କ୍ଷୀର ଟୋପାକରେ ପାଣି ପଶିଗଲା ମା’’

 

ବୋଉ ସାଙ୍ଗେ ସାଙ୍ଗେ ବାପାଙ୍କ ରାତି ଖାଇବା କ୍ଷୀରରୁ କପେ ଆଣି ଦେଇଗଲା ଗୋଟାଏ ପ୍ଳାଷ୍ଟିକ ଚାମୁଚା ସହ ।

 

ବଡ଼ିସକାଳୁ ନନ୍ଦ ମଉସା ଝିଅକୁ ଧରି ବାହାରିଲା ଚାଲିଯିବ ବୋଲି ।

 

ଆଉ ସେ ଠିକ୍‍ ବିଦାୟ ନେଲାବେଳକୁ ବୋଉ ତିନି ମାସର ସାନ ଝିଅଟି ଗାଲକୁ ଟିକିଏ ଛୁଇଁ ଦେଇ ଗେଲ କରିବାକୁ ଯାଇ ଚମକି ପଡ଼ି ଡାକ ଛାଡ଼ିଲା, ‘‘ଆଗୋ ଶୁଣୁଚ !’’

 

ବାପା ଶେଯରୁ ଧଡ଼ପଡ଼ ହେଇ ଉଠି ଆସି ପଚାରିଲେ, ‘‘କଣ ହେଲା ?’’

 

ପିଲାଟା ନେଳି ପଡ଼ିଯାଇଚି କାହିଁକି ?’’ ଦେହଟା ବି କାଲୁଆ ଲାଗୁଚି । ବୋଉ ଉତ୍ତର ଦେଲା ।

 

‘‘ମୁଁ କେମିତି ଜାଣିବି ?’’ ବାପା ଜବାବ ଦେଲେ ।

 

ବୁଢ଼ୀ ମା ଦାନ୍ତ ଘଷୁ ଘଷୁ ଉଠି ଆସି କହିଲା, ‘‘ଦେଖି ଦେଖି ।’’ ତା ପରେ ମତ ଦେଲା, ‘‘ଥଣ୍ଡାରେ ତ ପିଲାଟାର ନିଃଶ୍ୱସ ନନ୍ଦ ହେଇ ଆସିଲାଣି । ତାକୁ ଆଗ ଡାକ୍ତରଖାନାକୁ ନେଇଯାଅ-।’’

 

‘‘ଡାକ୍ତାଖାନା କୋଉଠି ମା ?’’ ନନ୍ଦ ମଉସା ପଚାରିଲା ।

 

ବାପା ଉପରେ ପଡ଼ି ବାହାରିଲେ, ‘‘ଚାଲ ମୁଁ ଯିବି ତୁମ ସାଙ୍ଗରେ ।’’

 

ପନ୍ଦର ଦିନ କାଳ ଡାକ୍ତରଖାନାରେ ରହିଲା ପରେ ନନ୍ଦ ମଉସା ଝିଅ ବିମଳୀ ନାନୀ ସୁସ୍ଥ ହୋଇ ଫେରିଲା । ଆଉ ତା’ ପରଠୁ ମଉସା ଆମଘରେ ପୂଝାରୀ ଭାବରେ ଯେ ରହିଲା ଆଜି ସୁଦ୍ଧା କୁଆଡ଼କୁ ଯାଇ ନାହିଁ ଦିନକ ସକାଶେ ।

 

ବିମଳୀ ନାନୀ-ଦେଖିବାକୁ ଯେମିତି ସୁନ୍ଦର, ଗୁଣରେ ବି କାହାରିଠୁ ଊଣା ନୁହେଁ । ମୁଁ ଜାଣେ ତାକୁ ବୋଉ ମୋର ପାଳିପୋଷି ମଣିଷ କରିଛି ଗୋଟାପଣେ । ପାଠ ବି ପଢ଼ାଇଥିଲା ମାଟ୍ରିକ୍‌ ପାସ କଲାଯାଏ । ତା’ ପରେ ବାପାଙ୍କୁ ଲଗେଇ ସନ୍ତୋଷ ଭାଇନାଙ୍କ ସାଙ୍ଗେ ବାହା ଦେଇଥିଲା ନିଜ ଆଡ଼ୁ ସବୁ ଦେଇ ନେଇ ।

 

ସନ୍ତୋଷ ଭାଇନା ସେତେବେଳେ ଥିଲେ ପୁଲିସ ଏସ. ଆଇ. । ଏଇଲାଗେ ଉଠି ଉଠି ହେଲେଣି ଡି. ଏସ.. ପି. ନିଜ ଗୁଣରୁ ।

 

ବୋଉ ସିନା ବିମଳୀ ନାନୀକୁ ପାଳିପୋଷି ମଣିଷ କଲା; ହେଲେ ଆମକୁ ସବୁ ମଣିଷ କରିଚି ନନ୍ଦ ମଉସା । ନନ୍ଦ ମଉସା ପିଲାଟିଦିନୁ ଆମକୁ ଗୋଡ଼େ ଗୋଡ଼େ ଜଗି ନ ଥିଲେ ଆମେ ଭାଇ-ଭଉଣୀ ତିନିହେଁ ହୁଏତ ମଣିଷ ହୋଇ ଥାଆନ୍ତୁ କି ନାହିଁ ସନ୍ଦେହ । ବାପା-ବୋଉ ଆମକୁ ଗଢ଼ି ତୋଳିପାରି ଥାଆନ୍ତେ ବୋଲି ମୋର ମନେ ହୁଏନା ।

 

ଅଫିସ କାମରେ ବାପାଙ୍କର ଦକ୍ଷତା ଥିଲା ଯଥେଷ୍ଟ । କିନ୍ତୁ ଘର କାମକୁ ସେ ଥିଲେ ସଂପୂର୍ଣ୍ଣ ଅପାରଗ । ଘରକୁ ଫେରିଲେ ତାଙ୍କର ବୋଲକରା ଜଣେ ସବୁବେଳେ ପାଖରେ ରହିବା ଦରକାର । ସେ କାମ ତୁଲାଉଥିଲା ବୋଉ ନିଜେ । ତେଣୁ ରୋଷେଇବାସ କି ପିଲାଙ୍କ ଯତ୍ନ ନେବାକୁ ତାର ସମୟ ନ ଥିଲା ମୋଟେ । ସୁଯୋଗ ବି ପାଉ ନ ଥିଲା ବାପା ଘରେ ଥିବାଯାକେ ।

 

ଅଫିସରେ ବାପାଙ୍କ, ରୂପ ଥିଲା ଭିନ୍ନ । ସେତେବେଳେ ସେ ଜଣେ ପକ୍‌କା ଅଫିସର, ଗମ୍ଭୀର, କାର୍ଯ୍ୟଦକ୍ଷ ଓ ନିରପେକ୍ଷ । ମୋର ଆଜି ସେ ବେଳର ଗୋଟେ କଥା ମନେ ପଡ଼ୁଚି ।

 

ମାଟ୍ରିକ୍‌ ପାସ କଲା ପରେ ବିଜ୍ଞାନ ପାଠ ପଢ଼ିବି ବୋଲି ମନ କଲି । ଦରଖାସ୍ତ କଲି ରେଭେନ୍‌ସା କଲେଜକୁ । ପ୍ରଥମ ବଛାବଛିରେ ସିଟ ପାଇଲି ନାହିଁ । ତେଣୁ ଷ୍ଟୁଆର୍ଟ କଲେଜରେ ସିଟ ମିଳିବାରୁ ସେଠି ନାଁ ଲେଖେଇ ପକେଇଲି ଆଗ । ତାର ପନ୍ଦର ଦିନ ପରେ ରେଭେନ୍‌ସାରୁ ଚିଠି ପାଇଲି ମତେ ସିଟଟାଏ ମିଳିଚି ବୋଲି । ମୁଁ ଜିଦ୍‌ ଧରିଲି ରେଭେନ୍‌ସାରେ ପଢ଼ିବି ବୋଲି । ବୋଉକୁ ଟଙ୍କା ମାଗିଲି ଆଉ ଥରେ ନାଁ ଲେଖାଇବାକୁ ।

 

ବୋଉ ମତେ ଟଙ୍କାତକ ଦେଇ କହିଲା, ‘‘ବାପାଙ୍କୁ ଯା ଅଫିସରେ କହି ଦେଇ ଯିବୁ ।’’

 

‘‘ବାପାଙ୍କୁ ଆଉ କଣ କହିବି ! ଆଗ ଯାଇ ନାଁ ଲେଖେଇ ଦେଇ ଆସେ । ବାପା ଅଫିସରୁ ଫେରିଲେ ରାତିକୁ କହିବି ।’’

 

‘‘ମୋ କଥା ମାନରେ ପୁଅ, ବାପା କେବେ ନାହିଁ କରିବେନି । ତେବେ ତାଙ୍କୁ କହି ନ ଗଲେ ଅଫିସରୁ ଫେରି ମତେ ବି ନନ୍ଦ ମଉସାକୁ ଆଉ ବସେଇ ଉଠେଇ ଦେବେନି ।’’ ସରଳ ମନରେ ବୋଉ ବୁଝେଇଲା ।

 

ମୁଁ ଜବାବ ନ ଦେଇ ଟଙ୍କାତକ ଧରି ବାହାରିଲି । ବାଟରେ ଚିନ୍ତା କରି ଦେଖିଲି, ସତ କଥା ତ, ବାପାଙ୍କୁ ଆଗରୁ ନ କହିଲେ ସେ ରାଗିଯିବେ । ଆଉ କୌଣସି କଥାରେ କାହା ଉପରେ ରାଗିଲେ ରାଗତକ ସୁଝେଇବେ ବୋଉ ନ ହେଲେ ନନ୍ଦ ମଉସା ଉପରେ । ଭୁଲରେ ବି ଆମ ଉପରେ ବିରକ୍ତ ହେବେନି-ଆମେ ଯେଡ଼େ ବଡ଼ ଦୋଷ କଲେବି ।

 

ଘରୁ ବାହାରି ମୁଁ ସିଧାସଳଖ ଅଫିସରେ ପହଞ୍ଚିଲି ।

 

ତାଙ୍କର ଖାସ ପିଅନ ଆଜି କିନ୍ତୁ ମତେ ଅକୁହା ଅପୋଛା ଘର ଭିତରେ ପଶିବାକୁ ଇସାରାରେ ବାରଣ କରି ଚୁପ ଚୁପ କହିଲା, ‘‘ବାବୁ ଆଜି ଭାରି ରାଗିଚନ୍ତି ଜଣକର ଚାକିରି ଆସି ଯିବା ଉପରେ ।’’

 

‘‘କାହିଁକି ?’’

 

‘‘ଫାଇଲରୁ ଜରୁରୀ ଚିଠିଟାଏ ମିଳୁନି ।’’

 

‘‘କୁଆଡ଼େ ଗଲା ?’’

 

‘‘ଏଇ ନୂଆ ବାବୁଙ୍କୁ ଦେଲେ ଫାଇଲରେ ରଖିବାକୁ । କୋଉଠି ଗଳେଇ ପକେଇଚନ୍ତି-।’’ କହି ବୁଢ଼ା ପିଅନ ପାଖରେ ପାଖରେ କାନ୍ଦୁଣୁ ମାନ୍ଦୁଣୁ ହେଇ ଠିଆ ହୋଇଥିବା କେଡ଼ିଏ-ବାଇଶ ବର୍ଷର ଯୁବକଙ୍କୁ ଉପଦେଶ ଦେଲା, ‘‘କାହିଁକି ଯାଉଚ ଆଉ ଦେଖା କରିବାକୁ ! ଆଜି ଛୁଟି ନେଇ ପଳାଅ, କାଲିକୁ ଦେଖାଯିବ । ଏଇନେ ତାଙ୍କ ପାଖକୁ ଗଲେ ଆଉ ଅବସ୍ଥା ରଖିବେନି-।’’

 

ମୁଁ ଓଲଟା ମତ ଦେଇ କହିଲି, ‘‘ଦେଖା ନ କରି ଚାଲିଗଲେ ଫଳ ଆହୁରି ଖରାପ ହବ-।’’

 

‘‘କଣ କରିବି ତା ହେଲେ ?’’ ଯୁବକ ମତେ ବୁଦ୍ଧି ମାଗିଲେ ।

 

‘‘ଆଗ ଯାଇ ସିଧାସଳଖ ଦୋଷ ମାନିଯାଅ । ତାପରେ ଆଖି କାନ ବୁଜି ଦବ । ଥୋଡ଼ାଏ ପାଟି କରିବେ, ବାସ । ଆଉ କିଛି କରିବେନି ।’’

 

‘‘ଚାର୍ଜସିଟ୍‌ କରିବାକୁ ଷ୍ଟେନୋଙ୍କୁ ଚିଠି ଡାକି ଦେଲେଣି ପରା !’’ ବୁଢ଼ା ପିଅନ ଆଶଙ୍କା ପ୍ରକାଶ କଲା ।

 

ମୁଁ ତା କଥାକୁ କାନ ନ ଦେଇ କହିଲି, ‘‘ଡରନି, ଯାଅ । ସବୁ କଥା ମାନିଯିବ । ମନେରଖ ଚାର୍ଜସିଟରେ ଥରେ ଦସ୍ତଖତ କରି ଦେଲେ ଆଉ ମୋଟେ କାହା କଥା ଶୁଣିବେନି ବାପା-।’’

 

ମୋ ଉପରେ ଭରସା ରଖି ଫାଶିଖୁଣ୍ଟକୁ ଗଲା ଭଳି ଡରିହରି ଯୁବକ ଜଣକ ବାପାଙ୍କ ଖାସ ଅଫିସ ଘରର ଝୁଲା କବାଟ ଖୋଲି ଭିତରକୁ ପଶିଲେ ।

 

ବାପା ସାଙ୍ଗେ ସାଙ୍ଗେ ଗର୍ଜି ଉଠିଲେ, ‘‘ମୁହଁ ଦେଖାଇବାକୁ କାହିଁକି ଆସିଚ ? ଆଜି ମୁଁ ତୁମକୁ ଆଗ ସସ୍‌ପେଣ୍ଡ କରିବି, ତା ପରେ ଡିସ୍‌ମିସ୍‌ । ଭଲ ଗତି ଅଛି ତ ମନ୍ତ୍ରୀଙ୍କ ଚିଠିଟା କୋଉଠି ରଖିଚ ଆଣି ଦିଅ ।’’

 

‘‘ଆଜ୍ଞା, କୋଉଠି ରଖି ଦେଇଚି ମନେ ପଡ଼ୁନି ।’’

 

‘‘ସେଇ କଥା ମତେ ଆଗରୁ କାହିଁକି କହିଲନି ? କାହିଁକି କହିଲ ଯେ ମୁଁ ତୁମକୁ ଚିଠିଟା ମୋଟେ ଦେଇନି ବୋଲି ?’’

 

‘‘ଆଜ୍ଞା ମତେ......’’ ପାଟିରୁ କଥା ବାହାରିଲାନି ଆଉ ଯୁବକଙ୍କର ।

 

‘‘କୁହ, ମତେ ସତ କଥା କୁହ ।’’

 

‘‘ଅଫିସରେ ମତେ ସମସ୍ତେ ଶିଖେଇଲେ ।’’

 

‘‘ସେମାନେ ଶିଖେଇଲେ ବୋଲି ତୁମେ ମୋ ଆଗରେ ମିଛ କହିବ ! ସପ୍ତାହେ ହେଲା କାମରେ join କରିଚ । କମ ସାହସ ତ ଦେଖୁନି ତୁମର ?’’

 

‘‘ସାର୍‌ ମୋର ଭୁଲ ହୋଇଚି । ଏଥରକ କ୍ଷମା କରି ଦିଅନ୍ତୁ । ଆଉ କେବେ ମିଛ କହିବିନି ।’’ ଯୁବକ କହୁ କହୁ କାନ୍ଦି ପକେଇଲେ ବୋଧହୁଏ ।

 

‘‘ଲୁହ ଗଡ଼ିପଡ଼ୁଚି ଆଖିରୁ ମାଇକିନାଙ୍କ ଭଳି । ଯାଅ, ଏଥରକ ତୁମକୁ ଛାଡ଼ି ଦେଲି । ଆଉ କେବେ ଏମିତିକା କାମ କଲେ ସିଧା ଚାର୍ଜସିଟ କରି ଡିସମିସ୍‌ କରି ଦେବି ।’’ ଟିକିଏ ରହି ବାପା ପୁଣି କହିଲେ, ‘‘ଶୁଣ, ମାଇକିନା ଝିଅ କଥା କଥାକେ କାନ୍ଦେ । ମରଦ ପୁଅ ଆଖିରୁ ଲୁହ ଗଡ଼ାଏ ନାହିଁ । ସବୁ ଝଡ଼ଝଞ୍ଜା ଛାତି ପତେଇ ସହିନିଏ । ଆଉ ନିଜେ ଯାହା କରେ ତାର ଭଲ ମନ୍ଦ ନିଜେ ମୁଣ୍ଡାଏ । ଆଉ କାହା ଉପରେ ଦୋଷ ଲଦେ ନାହିଁ । ମନେ ରହିଲା ତ ମୋ କଥା ?’’

 

‘‘ସାର !’’

 

‘‘ଯାଅ ଏଥର ଅମୂଲ୍ୟ ବାବୁଙ୍କୁ କହିବ ଚିଠିଟା କୋଉଠି misplaced ହୋଇଯାଇଚି ବୋଲି draftଟାଏ କରି ଆଣିବେ । ମୋଠୁ ଦସ୍ତଖତ କରେଇ ଆଜି କାହାକୁ ଭୁବନେଶ୍ୱର ପଠେଇ ଆଉ ଗୋଟେ କପି ମଗେଇ ଆଣିବେ ।’’

 

ଯୁବକ ଆଖି ପୋଛୁ ପୋଛୁ ଆନନ୍ଦ ମନରେ ଘର ଭିତରୁ ବାହାରି ଆସିଲେ । ଗଲାବେଳେ କୃତଜ୍ଞତାପୂର୍ଣ୍ଣ ଚାହାଣୀଟାଏ ପକେଇଗଲେ ମୋ ଉପରେ ।

 

ମୁଁ ତାପରେ ଭିତରକୁ ଯାଇ ମୋ କଥା କହିଲି ।

 

ସବୁ ଶୁଣି ସାରି ବାପା କହିଲେ, ‘‘ତୋ ବୋଉ କଣ କହୁଚି ?’’

 

‘‘ଟଙ୍କା ଦେଇଚି ଆଉ ଥରେ ନାଁ ଲେଖେଇବାକୁ ।’’

 

‘‘ଆଉ କଣ କହିଚି ?’’

 

‘‘ଆପଣଙ୍କୁ ଜଣେଇ ଦେଇ ଯିବାକୁ ।’’

 

‘‘ନନ୍ଦ ମଉସାକୁ ପଚାରିଛୁ ?’’

 

‘‘ନା ।’’

 

‘‘ଯା ତାକୁ ପଚାରିବୁ । ସେ ହଁ କଲେ ନାଁ ଲେଖେଇବୁ ।’’

 

ସେଠୁ ବାହାରି ମୁଁ ଅଫିସ ପାରି ହେଲାବେଳକୁ ଶୁଣିଲି ଯେ ବାପାଙ୍କ ପରି କଡ଼ା ହାକିମଙ୍କ କବଳରୁ ଏଡ଼େ ସହଜରେ ପାର ପାଇଯାଇ ଥିବାରୁ ଅଫିସ ସାରା ସମସ୍ତେ ଯୁବକ କପାଳିଆ ବୋଲି ମତ ଦେବାକୁ କୁଣ୍ଠାବୋଧ କରୁ ନାହାନ୍ତି । ସେତିକିରୁ ମୁଁ ବେଶ ବୁଝିଲି ସରକାରୀ ଅଫିସର ହିସାବରେ ବାପା ବଡ଼ ଦଣ୍ଠା । ଆଉ ମଧ୍ୟ ଜାଣିଲି ଯେ ବାପାଙ୍କ ପାଖେ ଏତେ ଦିନ କାମ କଲା ପରେ ବି ଅଫିସ ସାରା କେହି ତାଙ୍କୁ ଠିକ୍‌ ଚିହ୍ନିପାରି ନାହାନ୍ତି ।

 

ବାପା କିନ୍ତୁ ଆମ ବିଷୟରେ କି ଘରର କୋଉ ବ୍ୟାପାରରେ ନିଷ୍ପତ୍ତି ନେଲାବେଳେ ହଡ଼ବଡ଼େଇ ଯାଆନ୍ତି । ହଁ କି ନାହିଁ ନିର୍ଦ୍ଦିଷ୍ଟ ଜବାବ ଦେଇ ପାରନ୍ତି ନାହିଁ । ଆଉ ବୋଉ ତ ସହଜେ ନରମା, ସରଳ ଓ ଧୀରସ୍ଥିର । ଟାଣ କଥା ପଦେ କାହାକୁ କହିବା ତା ଜାତକରେ ଲେଖା ନ ଥିଲା । କିଏ ପଦେ କହି ଦେଲେ ବି ଲୁହ ଝରି ପଡ଼ୁଥିଲା ତା ଆଖିରୁ । ସାଙ୍ଗକୁ ବାପା ତାକୁ ଏତେ ବେଶି ନିଜ ପାଖେ ବସେଇ ରଖୁଥିଲେ ଯେ ସମୟ ବି ଟିକିଏ ମିଳୁ ନ ଥିଲା ତାକୁ ଆମ କଥା କି ନିଜ ସଂସାର କଥା ବୁଝିବାକୁ ।

 

ନନ୍ଦ ମଉସା ଓ ବିମଳୀ ନାନୀ ଥିଲେ ଆମର ସବୁ କିଛି । ଆମ ଭଲ ମନ୍ଦ ସବୁ ତାଙ୍କରି ଉପରେ ନ୍ୟସ୍ତ ଥିଲା । ଆଉ ନନ୍ଦ ମଉସା ଏକନିଷ୍ଠାରେ ତପସ୍ୟା କଲା ଭଳି ଭାଇନା, ମାମୀ ନାନୀ ଓ ମୋ ପିଛା ଦିନରାତି ଲାଗିଥିଲା ଓ ଏବେ ମଧ୍ୟ ଲାଗିଚି । ତା ଋଣ ଆମେ ହୁଏତ ଏ ଜୀବନରେ ଆଉ ସୁଝି ପାରିବୁ ନାହିଁ ।

 

ପିଲାଟିବେଳୁ ଦେଖି ଆସିଚି ବୋଉର ଦିନ ଯାକର କାମ ଥିଲା ବାପାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷଗୁଡ଼ାକୁ ରୋଜ ସଫାସୁତୁରା କରି ସଜେଇ ରଖି ଦରକାର ହେଲାମାତ୍ରେ ତାଙ୍କ ହାତକୁ ବଢ଼େଇଦବା । ବାପାଙ୍କୁ ଯିଏ ଜାଣେ, ସେ ନିଶ୍ଚୟ ମାନିବ ଯେ ସରକାରଙ୍କର ଜଣେ ବିଭାଗୀୟ ସେକ୍ରେଟାରୀଙ୍କ କାର୍ଯ୍ୟ ଓ ଦାୟିତ୍ୱଠାରୁ ଏ କାମ ଆହୁରି କଠିନ ।

 

ଏବେ ଘଟିଥିଲା ପରି ମୋର ସ୍ପଷ୍ଟ ମନେ ପଡ଼ୁଚି, ଦଶ କି ବାର ବର୍ଷ ତଳର ଘଟଣା ଯଦିଓ । ଭାଇନାର ସେ ଦିନ କୋଉ ସାଙ୍ଗର ଭଉଣୀ ବାହାଘରକୁ ଯିବାର ଥାଏ ସନ୍ଧ୍ୟାରେ । ବଡ଼ ଚୁପ୍‌ଚାପିଆ ସ୍ୱଭାବର ସେ । କେତେବେଳେ କଣ କରିବ, କାହାକୁ କୁହେ ନାହିଁ କି ତାର କୋଉ କାମ ପାଇଁ କାହା ଉପରେ ନିର୍ଭର କରେ ନାହିଁ । ବୋଉ କେତେ ଥର ମନ କରିଚି ଭାଇନାର ଜାମା-ପେଣ୍ଟ ସଫା କରି ଦବାକୁ, ଇସ୍ତ୍ରୀ କରିଦବାକୁ । ମୁହଁ ଖୋଲି କହିଚି ମଧ୍ୟ କେତେ ଥର; ବିଶେଷ କରି ଭାଇନାର ପରୀକ୍ଷାବେଳେ । ସବୁ ଥର ଭାଇନା ହଁ ହାଁ କହି କୋଉ ଖଞ୍ଜରେ ଯେ ନିଜ କାମ ନିଜେ କରି ନେଇଚି ସେ କଥା କେହି ଟେର ପାଇନାହାନ୍ତି ।

 

ସେଦିନ କିନ୍ତୁ ଭାଇନାର ଡେରିଯାଏ କଲେଜ ଥିଲା । ତେଣୁ ସେ କଲେଜରୁ ଫେରି ସକାଳେ ନିଜେ ଧୋଇଥିବା ଗଞ୍ଜି-ଜାମା-ପେଣ୍ଟ ବୋଉକୁ ଇସ୍ତ୍ରୀ କରିବାକୁ ଧରେଇ ଦେଇ ପଶିଲା ଗାଧୁଆ ଘରେ ।

 

ବାପାଙ୍କ ସଉକ ସବୁବେଳେ ସଫା ପିନ୍ଧିବେ । ଘରପିନ୍ଧା ବି ରୋଜ ସାବୁନରେ ସଫା ହବା ଦରକାର । ତେଣୁ ବୋଉର କାମ ହେଲା ଖରାବେଳେ ନିଜେ ଧୋଇଥିବା ବାପାଙ୍କ ଲୁଗାପଟା ଉପରଓଳିକୁ ଇସ୍ତ୍ରୀ କରି ରଖିବା ।

 

ସେତେବେଳେ ବୋଉ, ବାପାଙ୍କ ରାତିପିନ୍ଧା ଫତେଇଟାକୁ ଇସ୍ତ୍ରୀ କରୁଥିଲା । ଭାଇନା କହି ଦେଲା ପରେ ସେ ବାପାଙ୍କ ଫତେଇଟା ଆଡ଼େଇ ରଖି ଭାଇନାର ଜାମା ପେଣ୍ଟରେ ମନ ଦେଲା । ଭାଇନା ବାହାରିଗଲା ପରେ ପରେ ବାପା ଫେରିଲେ ଅଫିସରୁ । ବାପାଙ୍କ ଅଭ୍ୟାସ, ଘରକୁ ଫେରିବାମାତ୍ରେ ଆଗ ବାରଣ୍ଡାରେ ପଡ଼ିଥିବା ବେତବୁଣା ଆରାମ ଚୌକିଟା ଉପରେ ଗଡ଼ି ପଡ଼ିବେ । ବୋଉ ସେଇଠି ଅପେକ୍ଷା କରିଥାଏ ତାଙ୍କୁ । ସାଙ୍ଗେ ସାଙ୍ଗେ ତାଙ୍କ ଗୋଡ଼ରୁ ଜୋତା ଖୋଲି ରଖି ଦେଇ ଗାମୁଛାଟା ବଢ଼େଇ ଦିଏ । ଆଜି କିନ୍ତୁ ବାପା ଆସି ଆରାମ ଚୌକିରେ ମିନିଟିଏ କାଳ ବସିଲା ପରେ ବି ବୋଉ ଆସିଲାନି । ବାପାଙ୍କ ରାତିପିନ୍ଧା ଇସ୍ତ୍ରୀ କରିବାରେ ଲାଗି ରହିଲା । ଏମିତି କି ବାପା ଗଳା ଖଙ୍କାରି ନିଜର ଉପସ୍ଥିତିଟା ଜଣେଇଦେଲା ପରେ ବି ସେ କାମ ଛାଡ଼ିଚାଲି ନ ଆସି ଭିତରୁ ଜବାବ ଦେଲା, ‘‘ଆଉ ଟିକିଏ, ହେଇ ସଇଲା ।’’

 

ପ୍ରଣବ ଅଶୁଦ୍ଧ ହୋଇଗଲା ସେତିକିରେ । ବାପା ରାଗିଯାଇ ନିଜେ ଜୋତାର ଫିତା ଖୋଲିବାକୁ ଯାଇ ଫାଶଟାକୁ ଗଣ୍ଠି ପକେଇଦେଲେ । ତାପରେ କସରତ ଆରମ୍ଭ କଲେ ଗଣ୍ଠିଟା ଖୋଲିବା ସକାଶେ ।

 

ଏତିକିବେଳକୁ ବୋଉ ଆସି ବାପାଙ୍କ ଜୋତା ଖୋଲି ବସିଲା ।

 

ବୋଉ ହାତକୁ ଠେଲି ଦେଇ ବାପା ରାଗିଯାଇ କହିଲେ, ‘‘କାହାରି ସାହାଯ୍ୟ ମୋର ଲୋଡ଼ା ନାହିଁ । ଏଣିକି ମୋ କାମ ମୁଁ ନିଜେ କରିବି । ପର ଉପରେ ଆଉ କେବେ ନିର୍ଭର କରିବିନି ବୋଲି ଆଜିଠୁ ପ୍ରତିଜ୍ଞା କଲି ।’’

 

ବୋଉ ପୁଣି ହାତ ବଢ଼େଇଲା ଜୋତାର ଫିତା ଖୋଲିଦବା ସକାଶେ ।

 

ବାପା ଆଉ ଥରେ ବୋଉ ହାତଟାକୁ ଠେଲି ଦେଇ ପଡ଼ିଯାଇଥିବା ଗଣ୍ଠିଟାକୁ ଖୋଲିବା ସକାଶେ ଚେଷ୍ଟା କରୁ କରୁ କହିଲେ, ‘‘କହିଲି ପରା ଦରକାର ନାହିଁ କାହା ସେବା । ମୁଁ ନିଜେ ମୋ କାମ ବେଶ କରି ପାରିବି । ତୁମେ ଯାଅ ଖଟରେ ଶୋଇ ଆରାମ କରିବ ।’’ ସେ ଗଣ୍ଠିଟାକୁ ଆହୁରି ଟାଣ କରି ଦେଲେ ଢିଲା କରିବାକୁ ଯାଇ ।

 

ବୋଉ ଏଇଠି ବିରାଟ ଭୁଲଟାଏ କରି ବସିଲା ଅଜାଣତରେ । ବାପାଙ୍କ ଅସାମର୍ଥ୍ୟରେ ସେ ଟିକିଏ ହସି ଦେଲା ।

 

ବାପାଙ୍କୁ ବୋଧହୁଏ ଅପମାନ ଲାଗିଲା ବୋଉ ହସିଦେଲାରୁ । ସେ ଆହୁରି ରାଗିଯାଇ ଠିଆ ହୋଇପଡ଼ି ବୋଉ ଉପରେ ପାଟି କଲେ, ‘‘ଚାଲ ତୁମକୁ ନେଇ ଆଗ ତମ ବାପ ଘରେ ଛାଡ଼ି ଦେଇ ଆସେ । ତାପରେ ଯାଇ ଏ ଘରେ ଅନ୍ନ ଜଳ ସ୍ପର୍ଶ କରିବି ।’’

 

ନନ୍ଦ ମଉସା ଏଥର ରୋଷେଇଘରୁ ବାହାରି ଆସି କହିଲା, ‘‘ଦିନକୁଦିନ ବେଶି ବୁଦ୍ଧି ଗଜୁରିଚି ବୁଢ଼ା ହେଲାବେଳକୁ । କଣ ହେଲା ଯେ ଅଫିସରୁ ଆସି ନାଟ ଲଗେଇଚ ଶୁଣେ ?’’

 

‘‘ଶୁଣ୍ଢିର ସାକ୍ଷୀ ମାତାଲ ବାହାରି ପଡ଼ିଲେ ଏଥର । ମଣିଷ ଅଫିସରୁ ଖଟି ଖଟି ଫେରିଲାବେଳକୁ ଘରେ ବାବୁଆଣୀ ଖଟ ଉପରେ ନିଦ୍ରାମଗ୍ନଯୋଉ ଘରେ ଘର ମାଲିକ ପ୍ରତି ଖାତିର ନାହିଁ ସେଇଟା କି ଘର ?’’

 

‘‘ହେଲା ଏବେ ଆଜି ମିଣ୍ଟିଏ ଖଣ୍ଡେ ଡେରି ହେଇଗଲା ତୁମ ଲୁଗା ଇସ୍ତ୍ରୀ ସାରି ଆସୁ ଆସୁ...... ।’’

 

ନନ୍ଦ ମଉସାକୁ କୁହେଇ ନ ଦେଇ ବାପା କୈଫିୟତ ଦାବୀ କଲେ, ‘‘କାହିଁକି ଡେରି ହେଲା ଶୁଣେ ? କଣ ହଉଥିଲା ତେବେ ଦିନ ସାରା ?’’

 

‘‘ମୁଣ୍ଡ ବଥେଇଲା ଯେ ଟିକିଏ ଶୋଇ ପଡ଼ିଥିଲେ ମା ।’’ ନନ୍ଦ ମଉସା ଜାଣଶୁଣି ମିଛ କହିଲା ।

 

ନିଆଁରେ ପାଣି ପକେଇଲା ଭଳି ବାପାଙ୍କ ରାଗ ଲିଭିଗଲା । ସାଙ୍ଗେ ସାଙ୍ଗେ ସେ ଥଣ୍ଡା ପଡ଼ିଯାଇ ବୋଉକୁ ଚାହିଁ କହିଲେ, ‘‘ମୁଣ୍ଡ ବଥଉଚି ଯଦି ଉଠି କାମଦାମ କରୁଚ କାହିଁକି ଶୁଣେ ? ଆଜିକ ଏବେ ମୋ ରାତିପିନ୍ଧା ଇସ୍ତ୍ରୀ ନ ହେଲେ କଣ ଚଳି ନ ଥାନ୍ତା ! ତୁମେ ଚାଲ ଆଗ ଶୋଇବ-। ମୁଁ ଯାଏ ଡାକ୍ତର ଡାକି ଆଣେ ।’’

 

‘‘ମୁଣ୍ଡ ଟିକିଏ ମା’ଙ୍କର ବୁଲାଉଥିଲା ଖରାବେଳେ । ଶୋଇପଡ଼ିଲାରୁ ଭଲ ଲାଗିଲାଣି । ସନ୍ଧ୍ୟା ବେଳଟାରେ ଶୋଇଲେ ଲକ୍ଷ୍ମୀ ଛାଡ଼ିଯିବେ । ବସ ମୁଁ ଜୋତା ଖୋଲିଦିଏ ।’’ ବୋଲି କହୁ କହୁ ନନ୍ଦ ମଉସା ଜୋର କରି ପୁଣି ଆରାମ ଚଉକିରେ ବାପାଙ୍କୁ ବସେଇ ଦେଇ ଜୋତାରୁ ଫିତା ଖୋଲିବାକୁ ଆରମ୍ଭ କରି ଦେଲା ।

 

ବୋଉ ଏଥର ଚୁପ୍‌ଚାପ ଉଠିଗଲା ରୋଷଇଘରକୁ ବାପାଙ୍କ ପାଇଁ ଚାହା ଜଳଖିଆ ବାଢ଼ିଆଣିବା ସକାଶେ ।

 

ଏମିତି ବୋଉ ଆଉ ନନ୍ଦ ମଉସା ମିଳିମିଶି ବାପାଙ୍କୁ ସମ୍ଭାଳୁଥିଲେ । ଏକୁଟିଆ କେହି ଜଣେ ତାଙ୍କୁ ସମ୍ଭାଳିବା ସହଜ ନ ଥିଲା ।

 

ବିମଳୀ ନାନୀ ମାଟ୍ରିକ ପାସ କଲା ପରେ ବାପା କଲେଜରେ ତା ନାଁ ଲେଖେଇବାକୁ ବାହାରିଲେ । ବାପା ସେତେବେଳେ କୋରାପୁଟରେ ଏସ. ଡ଼ି. ଓ. ଥାଆନ୍ତି । ବୋଉ ବି ବାପାଙ୍କ କଥାରେ ରାଜି ହେଲା ।

 

ନନ୍ଦ ମଉସା ପ୍ରଥମେ କିଛି କହିଲାନି ଏ ବିଷୟରେ । କିନ୍ତୁ ବିମଳୀ ନାନୀର ନାଁ ଲେଖା ହେଲା ପରେ ବୋଉ ସାଙ୍ଗରେ ଲଗେଇଲା ତାକୁ ବାହା କରି ଦବା ସକାଶେ । ବଡ଼ କଷ୍ଟରେ ବୋଉ ରାଜି କରେଇଥିଲା ବାପାଙ୍କୁ । କପାଳକୁ ସନ୍ତୋଷ ଭାଇନା ବି ଯୁଟିଗଲେ । ତାଙ୍କ ବାପା ଆମ ବାପାଙ୍କ ଅଫିସରେ ପିଅନ କାମ କରୁଥିଲେ ସେତେବେଳେ ।

 

ବେଶ ଜାକଜମକରେ ବିମଳୀ ନାନୀର ବାହାଘର ହେଇଥିଲା । ବନ୍ଧୁବାନ୍ଧବ ସମସ୍ତଙ୍କୁ ବାପା ନିମନ୍ତ୍ରଣ କରିଥିଲେ । ଏକା ଦେଠେଇ ଆସି ନ ଥିଲେ ବାପା ଯେତେ ନେହୁରା ହେଲେ ମଧ୍ୟ-। ରୋକଠୋକ ଚିଠି ଲେଖି ଜଣେଇ ଦେଇଥିଲେ ଯେ ପର ଝିଅ ବାହାଘରରେ ସେ ଯୋଗ ଦେବେ ନାହିଁ । ବାପା କିନ୍ତୁ ସବୁଆଡ଼େ କହି ବୁଲିଥିଲେ, ସେ ତାଙ୍କ ବଡ଼ ଝିଅକୁ ବାହା ଦଉଚନ୍ତି ବୋଲି । ନିଜ ନାଁରେ ନିମନ୍ତ୍ରଣ ପତ୍ର ଛାପିଥିଲେ ବି ।

 

ଆଜି ବି ମୋର ସ୍ପଷ୍ଟ ମନେପଡ଼ୁଚି ଦେଠେଇଙ୍କ ରାଗର କାରଣ । ବିମଳୀ ନାନୀ ମାଟ୍ରିକ ପାସ କଲା ପରେ ଦେଠେଇ ତାଙ୍କର ଜଣେ ମାମୁଁପୁଅ ଭାଇଙ୍କ ପୁଅ ସାଙ୍ଗେ ପ୍ରସ୍ତାବ ପକେଇ ବୋଉକୁ ଚିଠି ଦେଇଥିଲେ । ବୋଉ ରାଜି ହେଇଥିଲା ଦେଠେଇଙ୍କ କଥାକୁ ବିଶ୍ୱାସ କରି ।

 

କାହିଁକି କେଜାଣି ବାପାଙ୍କ ମନକୁ ପାପ ଛୁଇଁଲା । ସେ ଭିତିରିଆ ଲୋକ ଲଗେଇ ଖବର ନେଲେ ଯେ ଦେଠେଇଙ୍କ ସେଇ ପୁତୁରାଟି ବୃଦ୍ଧ ବାଳୁଙ୍ଗାଟାଏ । ଚାରି ଥର ମାଟ୍ରିକ ପରୀକ୍ଷାରେ ବସିଲା ପରେ ଗଲା ଥର କୌଣସିମତେ ଖସିଚି । ସେଥିସହିତ ନିଶାପାଣି ଟିକିଏ ରୋଜ ନ ହେଲେ ନ ଚଳେ ।

 

ବାପା ଏସବୁ ଜାଣିଲା ପରେ ଭାରି ରାଗି ଯାଇଥିଲେ । ତେବେ କାଳେ ଘରେ କନ୍ଦଳ ଲାଗିବ ବୋଲି ପାଟି ଖୋଲି ନ ଥିଲେ କାହା ଆଗେ । ଏମିତିକି ବୋଉ ଆଉ ନନ୍ଦ ମଉସାଠୁ ବି କଥା ଲୁଚେଇ ରଖିଥିଲେ ବାହାଘର ଶେଷ ହେଲାଯାଏ । ପୁଣି କଟକରେ ପୈତୃକ ଘରେ ବାହାଘର କଲେ କାଳେ ଦେଠେଇ ଜାଣିଶୁଣି ବିଘ୍ନ ଘଟେଇବି ବୋଲି ଅଧିକ ଖର୍ଚ୍ଚାନ୍ତ ହୋଇ କୋରାପୁଟରେ କାମଟା ତୁଲେଇଥିଲେ ।

 

ସେହି ଗୋଟିକ ଶୁଭ କାମରେ ବାପା ମୁଣ୍ଡ ପୂରେଇଚନ୍ତି ତାଙ୍କ ଜୀବନରେ । ତା ପରେ ଆଉ କୌଣସି ସାମାଜିକ ଶୁଭକାର୍ଯ୍ୟ ସେ ତୁଲେଇ ନାହାନ୍ତି କହିଲେ ଚଳେ । ରାଜୁ ଭାଇନା ଓ ମାମୀ ନାନୀର ବାହାଘର ପ୍ରସ୍ତାବ ଖାଲି ଆସିଚି ବାପାଙ୍କ ପାଖକୁ । କଥାବାର୍ତ୍ତା ସବୁ ବି ସେ କରିଛନ୍ତି । ପ୍ରକୃତରେ କିନ୍ତୁ ସନ୍ତୋଷ ଭାଇନା ଓ ବିମଳୀ ନାନୀକୁ ଲଗେଇ ଭଲ-ମନ୍ଦ ଖବର ନନ୍ଦ ମଉସା ଯୋଗାଡ଼ କଲା ପରେ କେବଳ ଜବାବ ଦିଆଯାଇଚି ବାପାଙ୍କ ଜରିଆରେ । ଆଉ ମୂଳରୁ ଶେଷଯାଏ ସବୁ କାମ ଉଠେଇଚି ବିମଳୀ ନାନୀ ।

 

ବିମଳୀ ନାନୀର ବାହାଘର ପରେ ପରେ ଆମ ମୂଳ ପରିବାରରେ କନ୍ଦଳ ଦେଖାଦେଲା-। ଦେଠେଇ ରାଗରେ ଏମିତିକା ଅବସ୍ଥା ସୃଷ୍ଟି କଲେ ଯେ ଆଉ ଏକାଠି ଚଳିବା ଅସମ୍ଭବ ହୋଇ ପଡ଼ିଲା । ଦୂରରେ ଥିବାରୁ ବାପା ଅବଶ୍ୟ ଦେଠେଇଙ୍କ କୋପରୁ ରକ୍ଷାପାଇ ଯାଇଥିଲେ । କକେଇ କିନ୍ତୁ ଅତିଷ୍ଟ ହୋଇ ଉଠିଥିଲେ କଟକରେ ।

 

ବୁଢ଼ା ବାପା ଓ ବୁଢ଼ୀ ମା ସେତେବେଳକୁ ସଂସାର ଛାଡ଼ି ଚାଲିଗଲେଣି । ତେଣୁ ଭାଗ ବଣ୍ଟୁଆରା କରିବା ସକାଶେ ଆଉ କିଛି ବାଧା ନ ଥିଲା । ଖାଲି କିଏ ଜଣେ କଥା ଉଠେଇଲେ ହେଲା ।

 

ଦେଠେଇଙ୍କ ପ୍ରକୋପ ସହି ନ ପାରି କକେଇ ଆଗ ଚିଠି ଲେଖିଲେ ବାପାଙ୍କ ପାଖକୁ ଭିନ୍ନ ହେବା ସକାଶେ । ବାପା କକେଇଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପରାମର୍ଶ ଦେଲେ । କିନ୍ତୁ ଦଦେଇ ଯେତେବେଳେ ସେଇ କଥା ଲେଖିଲେ ସେତେବେଳେ ଆଉ ଉପାୟ ରହିଲାନି ।

 

ବୁଢ଼ା ବାପା ଥିଲାବେଳେ କୋଉ ପୁଅ କଣ ନବ ତାର ଗୋଟାଏ ଚିଠା କରି ଯାଇଥିଲେ-। ତେଣୁ ସୁରୁଖୁରୁରେ ଭାଗ ବଣ୍ଟୁଆରା ହୋଇଗଲା ।

 

ଏପର୍ଯ୍ୟନ୍ତ ବାପା କଟକ ଘର କଥାରେ ବେଶ୍‌ ଆଗ୍ରହ ପ୍ରକାଶ କରୁଥିଲେ । ପ୍ରୟୋଜନ ପଡ଼ିଲେ ପୈତୃକ ସମ୍ପତ୍ତିର ରକ୍ଷଣାବକ୍ଷଣ ପାଇଁ ଆଗ ଗୋଡ଼ ଟେକି ବାହାରି ପଡ଼ୁଥିଲେ । ଚାକରି ଯୋଉଠି କରନ୍ତୁ ନା କାହିଁକି ପ୍ରତି ବର୍ଷ ଦଶହରାକୁ ଅନ୍ତତଃ ପନ୍ଦରଦିନଯାଏ ଆସି କଟକ ଘରେ ରହୁଥିଲେ ସମସ୍ତଙ୍କୁ ଧରି । ଏ ବିଷୟରେ ସେ ଆମ କାହାରି ସୁବିଧା ଅସୁବିଧା ପ୍ରତି ଆଦୌ ସଚେତନ ନ ଥିଲେ ।

 

ତେବେ ସମ୍ପତ୍ତି ଭାଗ ବଣ୍ଟୁଆରା ହେଲା ପରଠାରୁ ପୈତୃକ ସମ୍ପତ୍ତି ପ୍ରତି ତାଙ୍କ ମୋହ କୁଆଡ଼େ ଉଭେଇଗଲା । କଟକ ଯାଇ ଭାଗ ବଣ୍ଟୁଆରା ଦଲିଲ ରେଜେଷ୍ଟ୍ରୀ କରି ଫେରିଆସିବା ପରଠୁ ସେ ଆଉ କେବେ ଭଲରେ କି ମନ୍ଦରେ ସେ ଘରକୁ ଯିବାର ମୁଁ ଦେଖି ନାହିଁ । ବିବାହ ବ୍ରତରେ ବି ନନ୍ଦ ମଉସା ଓ ବୋଉ ସାଙ୍ଗେ ଆମକୁ ପଠେଇ ଦେଇ ସେ ନିଜକୁ ଅଲଗା ରଖିଛନ୍ତି ।

 

ଏମିତି ଦି’ବର୍ଷ କଟିଲା ପରେ ଥରେ କକେଇ ନିଜେ ଆସିଲେ ବାପାଙ୍କ ପାଖକୁ । ବାପା ସେତେବେଳେ ବ୍ରହ୍ମପୁରରେ ଥାଆନ୍ତି ।

 

ଅଫିସରୁ ଫେରି କକେଇଙ୍କୁ ଦେଖି ବାପା ପଚାରିଲେ, ‘‘କୁଆଡ଼େ ଆସିଲୁ ?’’

 

‘‘ତୁମ ସାଙ୍ଗେ ଟିକିଏ କଥା ଅଛି ।’’

 

‘‘ଚିଠି ଲେଖି ଦେଲୁନି ।’’

 

‘‘ମୁହେଁ ମୁହେଁ କଥା ହେଇଯିବାଟା ଭଲ ।’’

 

‘‘କହ ତାହେଲେ ।’’

 

‘‘ରାତିରେ କଥା ହବା ନିରୋଳାରେ ।’’

 

ସେଦିନ ରାତିରେ ଦୁଇ ଭାଇ ନିଜ ନିଜ ଭିତରେ ଆଲୋଚନା କରିଥିଲେ ନିରୋଳାରେ-। କଣ ସେମାନେ କଥାଭାଷା ହୋଇଥିଲେ ଆମେ କେହି ଜାଣିନୁ । ତେବେ ଚାରି ମାସ ପରେ ବାପା କଟକ ଯାଇ ତାଙ୍କ ସମ୍ପତ୍ତିତକ ଅଧା ଅଧା ଭାଗ କରି ଦଦେଇ ଓ କକେଇଙ୍କ ନାଁରେ ରେଜେଷ୍ଟ୍ରୀ କରି ଦେଇଥିଲେ ମୋଟେ କୋଡ଼ିଏ ହଜାର ଟଙ୍କାକୁ ।

 

ବୋଉ ଅବଶ୍ୟ ଏକଥା ଜାଣିଲା ପରେ କିଛି କହି ନ ଥିଲା ବାପାଙ୍କୁ । ନନ୍ଦ ମଉସା କିନ୍ତୁ ତାତି ଉଠିଥିଲା ସବୁକଥା ଶୁଣିସାରି । ରାଗିଯାଇ ସେ ଆମ ସମସ୍ତଙ୍କ ଆଗରେ ବାପାଙ୍କୁ ଗାଳି ଦେଇଥିଲା, ‘‘ତୁମଠୁ ମୂର୍ଖ ଏ ଦୁନିଆରେ ଆଉ କିଏ ଅଛି ? ସମ୍ପତ୍ତି ବିକିବାକୁ ଯଦି ମନ ଥିଲା, ତେବେ....କହିଲନି ସେକଥା । ବଜାରରେ ଯଚେଇ ଥାଆନ୍ତେ । ଅତି କମ୍‌ରେ ଟଙ୍କା ପଚାଶ ହଜାର ତ ମିଳିଥାଆନ୍ତା ।’’

 

ବାପା ଜବାବ ନ ଦେଇ ବୋକାଙ୍କ ଭଳି ଖାଲି ନନ୍ଦ ମଉସାକୁ ଚାହିଁ ରହିଲେ ।

 

ନନ୍ଦ ମଉସା ତାପରେ ବୋଉକୁ ଚାହିଁ କହିଲା, ‘‘ତୁମେ ବି ବୋକୀ । ବାବୁ ସମ୍ପତ୍ତି ବିକିବାକୁ ଯାଉଚନ୍ତି ବୋଲି ଜାଣି ପାରିଲନି ! ଦେଖୁଚି, ଶେଷକୁ ପିଲାଛୁଆଙ୍କୁ ନେଇ ଦାଣ୍ଡରେ ବସେଇବ ।’’

 

ଏଥର ବାପା ଦୋଷୀଙ୍କ ଭଳି ଉତ୍ତର ଦେଲେ, ‘‘ଟଙ୍କା ସିନା କମ ପାଇଲି । ଘର ସମ୍ପତ୍ତି ତ ଘରେ ରହିଲା ।’’

 

‘‘ଦଶ ବର୍ଷ ତଳେ ପରା ହାତରୁ ପାଞ୍ଚହଜାର ଦେଇ ଘର ମରାମତି କରିଥିଲ ଏମୁଣ୍ଡରୁ ସେମୁଣ୍ଡ । ତାଙ୍କ ଦୁହିଁଙ୍କ ଭାଗ ସେ ତୁମକୁ ସୁଝିଛନ୍ତି ?’’ ନନ୍ଦ ମଉସା ଓଲଟି ପଚାରିଲା ।

 

ବାପା ଏଥର ବୋଉକୁ ଚାହିଁ ସମର୍ଥନ ଲୋଡ଼ିଲେ, ‘‘ତୁମେ କୁହ ମୁଁ କଣ ଭୁଲ କଲି ?’’

 

ବୋଉ ବାପାଙ୍କୁ ଚାହିଁ ହସି ଦେଇ କହିଲା, ‘‘କିଏ କହୁଚି ତୁମେ ଭୁଲଏ କଲ ବୋଲି ? ମୁଁ ସେ ଘରେ ମୋ ପିଲାଙ୍କୁ ଧରି କେବେ ରହି ନ ଥାନ୍ତି ।’’

 

ବୋଉର ଜବାବ ଶୁଣି ବାପା ଖୁସି ହୋଇ ତାକୁ ଚାହିଁ ରହିଲେ କେତେକ୍ଷଣ । ବୋଧହୁଏ ବୋଉର ଆଉ ଗୋଟାଏ ନୂଆ ରୂପ ସେ ଦେଖିଲେ ଏତେବର୍ଷ ତା ସାଙ୍ଗେ ଘର କଲା ପରେ ।

 

‘‘ତୁମେ ଯୋଡ଼ାକଯାକ ନିପଟ ବୋକା । ପିଲା ତିନିଟାଙ୍କୁ କେମିତି ମଣିଷ କରିବ କେଜାଣି ?’’ ମନ୍ତବ୍ୟ ଦେଇ ନନ୍ଦ ମଉସା ମତେ ଶାସନ କଲା, ‘‘ତୁ ଏଠି ଠିଆ ହେଇ କଣ ଶୁଣୁଚୁ-? ଯା ପଢ଼ିବୁ ।’’

 

କଥା କହିବା ଢଙ୍ଗରୁ ବୁଝିଲି, ବାପା ତାଙ୍କ ଅଂଶ ଦି’ଭାଇଙ୍କୁ ବିକି ଦେଲେ ବୋଲି ନନ୍ଦ ମଉସା କ୍ଷୁବ୍‌ଧ ନୁହେଁ ବରଂ ଖୁସି । ପୈତୃକ ଘରଟା ବି ଯେମିତି ଭାବରେ ବଣ୍ଟୁଆରା ହୋଇଥିଲା, ସେଥିରେ ଭାଇମାନଙ୍କୁ ବିକିବା ଛଡ଼ା ଅନ୍ୟ ଉପାୟ ମଧ୍ୟ ନ ଥିଲା ବାପାଙ୍କର । ଖାଲି ଯାହା ବାପା କମ୍‌ ଟଙ୍କାକୁ ବିକି ଦେଲେ ବୋଲି ସେ ମର୍ମାହତ ।

 

ନନ୍ଦ ମଉସା ବାପାଙ୍କ ଉପରେ ଭାରି ରାଗିଥିଲା ଏଇ କଥାରେ । ଦି’ ଦିନଯାଏ ବାପାଙ୍କ ସାଙ୍ଗେ କଥା କହିଲାନି । ବାପା-ବୋଉ ଓ ଆମେ କେତେ ଖୋସାମତ କଲୁ ତାକୁ, ସବୁ ଭୁଲିଯିବା ସକାଶେ । ତଥାପି ନନ୍ଦ ମଉସାର ରାଗ କମିଲାନି ।

 

ଶେଷକୁ ବାପା ବୁଦ୍ଧି ବତେଇଲେ ଆମକୁ । ତୃତୀୟ ଦିନ ସକାଳୁ ଉଠି ଆମେ ଭାଇ-ଭଉଣୀ ତିନିହେଁ ଘୋଷଣା କଲୁ ଯେ ବାପା ଓ ନନ୍ଦ ମଉସା ଭିତରେ ସାଲିସ ନ ହେଲାଯାଏ ଆମେ ସବୁ ଅନଶନ କରିବୁ । ସେଦିନ ସକାଳେ ନନ୍ଦ ମଉସା ଆମକୁ ଯେତେ ଲୋଭ ଦେଖେଇଲେ ବି ଆମେ ଜଳଖିଆ ଖାଇଲୁ ନାହିଁ ।

 

ଶେଷକୁ ନନ୍ଦ ମଉସା ଧମକେଇଲା ଯେ ଆମେ ଜଳଖିଆ ନ ଖାଇଲେ ସେ ଘର ଛାଡ଼ି ଚାଲିଯିବ । ମୁଁ ଆଉ ମାମୀ ନାନୀ ତା ଧମକରେ ଛାନିଆ ହୋଇଗଲୁ । ରାଜୁ ଭାଇନା କିନ୍ତୁ ଆଣ୍ଟରେ ବସି ରହିଲା । ଭୋକରେ ପେଟ ଜଳୁଥିଲେ ବି ଆମେ ଦୁହେଁ ବାଧ୍ୟ ହୋଇ ଭାଇନାର ନେତୃତ୍ୱ ମାନି ଚଳିଲୁ ।

 

ଦଶଟାବେଳକୁ ମୁଁ ଆଉ ସମ୍ଭାଳି ପାରିଲିନି । ବେଶି ଭୋକ କଲାରୁ କାନ୍ଦି ପକେଇଲି ।

 

ନନ୍ଦ ମଉସା ପଚାରିଲା, ‘‘କାହିଁକି କାନ୍ଦୁଚୁ ?’’

 

‘‘ଭୋକ ।’’

 

‘‘ଖାଉନୁ ତା ହେଲେ ।’’

 

‘‘ଆମେ ପରା ଅନଶନ କରିଚୁ ।’’

 

‘‘ସେଇ ବାପଟା ଶେଷକୁ ତୁମକୁ ସବୁ ନେଇ ରାସ୍ତାରେ ଠିଆ କରେଇବ । ପିଲାଗୁଡ଼ାଙ୍କୁ ମତେଇ ଦଉଚି ଖାଅନି ବୋଲି ।’’ କହି ସେ ଗୋଟିଏ ଥାଳୀରେ ଉପମା ବାଢ଼ିଆଣି ଛୋଟ ପିଲାଙ୍କୁ ମା’ ଜବରଦସ୍ତି ଖୁଆଇଲା ଭଳି ଆମ ଭାଇଭଉଣୀଙ୍କୁ ଖୁଆଇଦେଲା । ଆଉ ସେଥି ସହିତ ବାପାଙ୍କୁ ଶୁଣେଇଦେଲା, ‘‘ସେ ଟଙ୍କାତକ ନେଇ ଆଜି ବ୍ୟାଙ୍କରେ ଥୋଇ ଦେଇ ଆସ । କଟକରେ ଜମି କିଣା ହେଲେ ଘରତୋଳା ହବ ।’’

 

ବାପା ସାଙ୍ଗେ ସାଙ୍ଗେ ଅଫିସ ଘରୁ ବାହାରି ଆସି ଜବାବ ଦେଲେ, ‘‘ଆଜି ମୁଁ ଅଫିସ ଗଲାବେଳେ ତୁ ମୋ ସାଙ୍ଗେ ଯିବୁ ବ୍ୟାଙ୍କକୁ । ତୋରି ଆଗରେ ଟଙ୍କା ରଖି ପାସବୁକ୍‌ ତତେ ଦେଇ ଦେବି ।’’

 

ମାନ ଅଭିମାନ ତୁଟିଲା । ଆମେ ସବୁ ଖାଇପିଇ ସ୍କୁଲ-କଲେଜ ବାହାରିଲୁ । ବାପା ବି ତାଙ୍କ କଥା ରଖିଲେ । ଅଫିସ ଗଲାବେଳେ ନନ୍ଦ ମଉସାକୁ ସାଙ୍ଗରେ ନେଇ ଟଙ୍କାତକ ବ୍ୟାଙ୍କରେ ଜମା କରି ଦେଲେ ।

 

ତେଣିକି ଦିନ ରାତି ମଉସା ରୋଜ ଲାଗିଲା ବାପାଙ୍କ ସାଙ୍ଗେ କଟକରେ ଜମି କିଣିବା ସକାଶେ । ବାପା-ବୋଉ ନନ୍ଦ ମଉସା ମିଶି ରୋଜ ରାତିରେ ଏ ନେଇ କେତେ ଆଲୋଚନା କଲେ-। ବାପା ତାଙ୍କ ଚିହ୍ନାଜଣା କେତେ ଲୋକଙ୍କୁ ଚିଠି ଦେଲେ ଜମି କଥା ବୁଝିବାକୁ । ତଥାପି କିଛି ବ୍ୟବସ୍ଥା ହୋଇ ପାରିଲା ନାହିଁ ବର୍ଷକଯାଏ ।

 

ଏତିକିବେଳକୁ ସନ୍ତୋଷ ଭାଇନା ବଦଳି ହେଲେ କଟକକୁ ଇନ୍‌ସପେକ୍ଟର ହୋଇ । ତାଙ୍କୁ ଧରି ନନ୍ଦ ମଉସା ଏକରେ ଖାଲୁଆ ଜମି ଟଙ୍କା ପନ୍ଦରହଜାରକୁ ଯୋଗାଡ଼ କଲା । କିନ୍ତୁ ଘର ତୋଳା ହୋଇ ପାରିଲାନି ଦଶ ବର୍ଷଯାଏ । ବାପା ଅବଶ୍ୟ ଘର କରିବାକୁ ବାହାରି ପଡ଼ିଥିଲେ ସାଙ୍ଗେ ସାଙ୍ଗେ । ମଉସା ରାଜି ହେଲାନି । ବତେଇଲା ଜମି ପଡ଼ିଥାଉ । ପରେ ଦାମ୍‌ ବଢ଼ିଲେ ସେଇଥିରୁ ଅଧେ ବିକି ଘରତୋଳା ହେବ ।

 

ଥାର୍ଡ଼ ଇୟରରେ ପଢ଼ିଲାବେଳେ ମାମୀ ନାନୀର ବାହାଘର ହେଲା । ସେ ଦେଖିବାକୁ ସୁନ୍ଦର ଥିଲା ବୋଲି ଚାରି ଛଅ ଜାଗାରୁ ପୁଅଘର ତରଫରୁ ପ୍ରସ୍ତାବ ଆସିଲା । ବାପା ମନେ ମନେ କାହାକୁ ନ ପଚାରି ତାଙ୍କ ଉପର ହାକିମଙ୍କ ପୁଅ ସାଙ୍ଗେ ମାମୀ ନାନୀର ବାହାଘର କରିବେ ବୋଲି ଠିକଣା କରି ପକେଇଲେ । ପିଲା ଇଞ୍ଜିନିୟର । ରାଉରକେଲାରେ କାମ କରେ । ତେବେ ଜବାବ ଦବାକୁ ଯାଇ ସେ ଯେତେବେଳେ ବୋଉ ଆଉ ମଉସାର ମତ ଲୋଡ଼ିଲେ, ସେତେବେଳେ ନନ୍ଦ ମଉସା ଅଡ଼ି ବସିଲା । ସ୍ପଷ୍ଟ ଶୁଣେଇଦେଲା ଯେ ପିଲାର ବାପା ସାକ୍ଷାତ ଭଗବାନ ହେଲେ କଣ ହେଲା, ଆଜିକାଲିକା ପିଲାଙ୍କ ଗୁଣଗ୍ରାମ ନ ଜାଣି ଜବାବ ଦବାଟା ବୋକାମୀ ।

 

ବାପା କିନ୍ତୁ ଉପର ହାକିମଙ୍କ କଥାରେ ଏତେ ଭଳି ଯାଇଥିଲେ ଯେ ବୋଉକୁ ପଟାପଟି କରି ସେଇଠି ଜବାବ ଦେଇଦେବେ ବୋଲି ସ୍ଥିର କଲେ । ଏମିତିକି ନନ୍ଦ ମଉସାକୁ ବୋକା, ଗଧ, ମୂର୍ଖ ବୋଲି କହି ଦବେଇଦବାକୁ ବାହାରିଲେ ।

 

ତଥାପି ମଉସା ହାର ମାନିଲା ନାହିଁ । ଭାଇନା ଆଉ ମତେ ଶିଖେଇ ଦଳ ଗଢ଼ିଲା । ଆମେ ଦୁଇଭାଇ ପ୍ରକାଶ୍ୟରେ ବାପାଙ୍କ ବିରୁଦ୍ଧରେ ଠିଆ ହେଲୁ ।

 

ଏ ନେଇ କନ୍ଦଳ କ୍ରମେ ବଢ଼ିଲା ଆମଘରେ । ଶେଷକୁ ବାପା ଦିନେ ରାଗରେ ନ ଖାଇ ନ ପିଇ ଅଫିସକୁ ଗଲେ ଚାଲି । ଫଳରେ ବୋଉ ଓ ନନ୍ଦ ମଉସା ଓପାସ ରହିଲେ ଦିନସାରା । ଖରାବେଳଟାଯାକ ବାପାଙ୍କର ହୋଇ ବୋଉ କେତେ ବୁଝେଇଲା ନନ୍ଦ ମଉସାକୁ ରାଜି ହୋଇଯିବା ସକାଶେ । ତଥାପି ମଉସା ମଙ୍ଗିଲା ନାହିଁ । ପିଲାର ସ୍ୱଭାବ ଚରିତ୍ର ନ ଜାଣିବାଯାଏ ପ୍ରସ୍ତାବ ଗ୍ରହଣ କରିବା ଅସମ୍ଭବ ବୋଲି ସେ ତାର ଶେଷକଥା ଶୁଣେଇଦେଲା ପୁଣି ଥରେ ।

 

ବାପା ଅଫିସରୁ ଫେରିଲା ପରେ ପୁଣି କଥା ଉଠିଲା ବୋଉଆଡ଼ୁ ।

 

ବାପା ରାଗିଯାଇ ପାଟି କଲେ, ‘‘ଘରର ମାଲିକ ମୁଁ ନା ନନ୍ଦ ? ସବୁ କଥାରେ ତା ଜିଦ ରହିବ । ମୁଁ ତାହେଲେ ଏ ଘରେ କେହି ନୁହେଁ ?’’

 

ମଉସା ରୋଷେଇଘରୁ ବାହାରିପଡ଼ି ମୁହେଁ ମୁହେଁ ଜବାନ ଦେଲା, ‘‘କିଏ ମନା କଲା ଏ ଘରର ମାଲିକ ତୁମେ ନୁହଁ ବୋଲି ! ତେବେ ଖାଲି ମାଲିକ ବୋଲେଇଲେ କାମ ଚଳିବନି । ମାଲିକର ଦାୟିତ୍ୱ ବି ତୁଲେଇବାକୁ ପଡ଼ିବ ।’’

 

‘‘ଚାଲିଲୁ ପାଞ୍ଚ ଜଣଙ୍କୁ ପଚାରିବା, କୋଉ ଖରାପ ଜାଗାରେ ମୁଁ ମାମୀର ବାହାଘର ଠିକଣା କରିବାକୁ ଯାଉଚି ! ପିଲା ଇଞ୍ଜିନିୟର । ଦେଖିବାକୁ ରଜାଛୁଆ ପରି । ଲୋକେ ତାକୁ ଜୋଇଁ କରିବେ ବୋଲି ଟଙ୍କାଥଳି ଧରି ଗୋଡ଼େଇଚନ୍ତି । ଖାଲି ତା ବାପା ମତେ ଭଲ ପାଆନ୍ତି ଆଉ ମାମୀ ଆମର ସୁନ୍ଦର ଓ ଗୁଣର ବୋଲି ସେ ବିନା ଯୌତୁକରେ ତାକୁ ବୋହୂ କରିବାକୁ ନିଜଆଡ଼ୁ ପ୍ରସ୍ତାବ ଦେଇଛନ୍ତି । ୟାଠୁ କୋଉ ଭଲଟା ଖୋଜିଲେ ମିଳିବ ?’’

 

ବାପା ହୁଏତ ଆହୁରି କେତେ କଣ ଗାଇ ଥାଆନ୍ତେ । ନନ୍ଦ ମଉସା ବାଧା ଦେଇ କହିଲା, ‘‘ସବୁ ମାନିଲି ଯେ ପୁଅର ଅନ୍ୟ ଗୁଣଗ୍ରାମ କିଛି ଖବର ନେଇଚ ?’’

 

‘‘ବାପକୁ ତ ବର୍ଷ ବର୍ଷ ଧରି ଦେଖୁଚି । ଏମିତିକା ବାପର ପୁଅ କଣ କେବେ ଖରାପ ହୋଇପାରେ ?’’

 

‘‘ମୁଁ ତ କହୁନି ପୁଅ ଖରାପ ବୋଲି । ତେବେ ପିଲାର ଗୁଣଗ୍ରମା କଥା ଭଲ ରୂପେ ବୁଝିଲା ପରେ ଯାଇ ଜବାବ ଦିଆଯିବ ।’’ ନନ୍ଦ ମଉସା ତା ଜିଦରେ ଅଟଳ ରହିଲା ।

 

ବୋଉ ବି ବାପାଙ୍କୁ ବୁଝେଇଲା, ‘‘ନନ୍ଦ ତ କିଛି ଖରାପ କହୁନି । ତାଙ୍କୁ କୁହ ଆଉ କିଛିଦିନ ଅପେକ୍ଷା କରିବେ । ଆମେ ୟା ଭିତରେ ପୁଅ କଥା ଆଉ କାହାଠୁ ପଚାରି ବୁଝିବା । ତାପରେ ତାଙ୍କୁ ଜବାବ ଦବା ।’’

 

‘‘ସେ ଭାବିବେନି ମୋର ତାଙ୍କ କଥାକୁ ବିଶ୍ୱାସ ନାହିଁ ବୋଲି ।’’ ବାପା ଉତ୍ତର ଦେଲେ ।

 

‘‘ଭାବନ୍ତୁ, ସେଇଠୁ କଣ ବୋହିଗଲା !’’ କହି ସାରି ନନ୍ଦ ମଉସା ମତ ଦେଲା, ‘‘ଏ ଦୁନିଆରେ ଭେକ ଦେଖି କାହାକୁ ବିଶ୍ୱାସ କରିବାଟା ସବୁଠୁ ବଡ଼ ବୋକାମୀ । କେତେ ଲୋକଙ୍କ ଭେକ ଦେଖି ବିଶ୍ୱାସ କରି ଠକିଚ ମନେ ପକେଇଲ !’’

 

‘‘ସେଗୁଡ଼ାକ ଛୋଟଲୋକ ବୋଲି ସିନା ଠକିଗଲି ।’’ ବାପା ନିଜ ପକ୍ଷ ସମର୍ଥନ କଲେ-

 

‘‘ଆଉ ଇଏ ବଡ଼ ଅଫିସର ବୋଲି ଏକବାରେ ସାଧୁ ।’’ ନନ୍ଦ ମଉସା ହାଣିଲା ପରି କହିଲା ।

 

‘‘ତୁ କଣ ଜାଣୁ ତାଙ୍କ ବିଷୟରେ ?’’

 

‘‘ଜାଣିନି ବୋଲି ତ ସବୁ ବୁଝିସୁଝି କାମ କରିବାକୁ କହୁଚି । ନ ହେଲେ ମାଆ ମୋର ତ ସାରା ଜୀବନ ଆଖିରୁ ଲୁହ ଗଡ଼େଇବ ।’’

 

‘‘ଠିକ୍‌ ଅଛି । ତତେ ମୁଁ ସାତଦିନ ସମୟ ଦେଲି, କାହାଠୁ ବୁଝିବୁ ବୁଝ । ତେବେ ମନେରଖ ସାତଦିନ ଟପିଲାମାତ୍ରେ ମୁଁ ସିଧାସଳଖ ଜବାବ ଦେଇଦେବି । ଆଉ କାହା କଥା ଶୁଣିବନି-’’ ବାପା ତାଙ୍କ ଶେଷ ସିଦ୍ଧାନ୍ତ ଶୁଶେଇଲେ ।

 

ସାମୟିକ ସମାଧାନ ହୋଇଗଲା । ବାପା ଏ ଏଥର ମୁହଁ ହାତ ଧୋଇ ଖାଇ ବସିଲେ-

 

ବାପାଙ୍କୁ ଖାଇବାକୁ ଦଉ ଦଉ ନନ୍ଦ ମଉସା କହିଲା, ‘‘ଚିଠି ଖଣ୍ଡେ ଆଜି ଲେଖ-।’’

 

‘‘କାହା ପାଖକୁ ।’’

 

‘‘ବିମଳୀ ।’’

 

‘‘କାହିଁକି ?’’

 

‘‘ସନ୍ତୋଷକୁ ଲଗେଇ ସେ ପିଲାର ସ୍ୱଭାବ-ଚରିତ୍ର କଥା ବୁଝିବ ।’’

 

‘‘ତୁ କଥା ଉଠେଇଚୁ । ସେ କାମ ତୋର ।’’ ବାପା ଅସହଯୋଗ ଘୋଷଣା କଲେ ।

 

‘‘ଜନମ ହେଲା ପରେ ପିଲାଗୁଡ଼ାଙ୍କୁ ତଣ୍ଟି ଚିପି ମାରି ଦେଲନି ! ଦିନେ ତ ପିଲାଛୁଆଙ୍କ ଭଲମନ୍ଦ ବୁଝିଲନି । ଶେଷକୁ ଜୀବନସାରା ସେମାନଙ୍କୁ କନ୍ଦେଇବାର ବାଟ ସଫା ନ କଲେ କଣ ତୁମ ମନ ମାନିବ ?’’ ମଉସା ବିରକ୍ତ ହେଲା ।

 

ବାପା ଜୀବନରେ କେବଳ ଯୋଡ଼ାଏ କାମରେ ଧୁରନ୍ଧର ଥିଲେ । ଅଫିସରେ ମନ ଲଗେଇ କାମ କରିବେ ଆଉ ଘରକୁ ଫେରିଲେ ବୋଉ ଓ ନନ୍ଦ ମଉସା ଉପରେ ହାକିମୀ ଦେଖେଇବେ । ଆମ ଉପରେ ବି କେବେ ବିରକ୍ତ ହେବାର ଆମେ ଦେଖିନୁ । ବଦଳରେ ଆମ କାହାରି ଉପରେ ରାଗିଲେ ସେ ନନ୍ଦ ମଉସାକୁ ଶୋଧନ୍ତି । ମୂଳରୁ ଆମ ଭଲମନ୍ଦ ନନ୍ଦ ମଉସା ଉପରେ ଲଦି ଦେଇ ସେ ନିଜକୁ ଦାୟିତ୍ୱ-ମୁକ୍ତ ବୋଲି ଧରି ନେଇଛନ୍ତି ।

 

ପନ୍ଦରଦିନ ଭିତରେ ସନ୍ତୋଷ ଭାଇନା ସବୁ ଖବର ଯୋଗାଡ଼ କରି ନିଜେ ଆସିଲେ ବିମଳୀ ନାନୀକୁ ଧରି । ସେଦିନ ରାତିରେ ବାପା, ବୋଉ, ନନ୍ଦ ମଉସା, ସନ୍ତୋଷ ଭାଇନା ଓ ବିମଳୀ ନାନୀଙ୍କ ଭିତରେ କଣ ସବୁ ଆଲୋଚନା ହେଲା ଗୁପ୍ତରେ ।

 

ପରଦିନ ବାପା ଅଫିସରୁ ଫେରି ବୋଉ ଆଉ ନନ୍ଦ ମଉସାକୁ ଡାକି କହିଲେ, ‘‘ଝିଅ ଏଇଲେ ବାହା ହବାକୁ ମଙ୍ଗୁନି ବୋଲି କହିଦେଲି । ସେ ଆହୁରି ପଢ଼ିବ ବୋଲି କହୁଚି ।’’

 

ଏଇ ପ୍ରଥମ ଜାଣିଲି, ବାପାଙ୍କୁ ମିଛ କହି ଆସେ । ତେବେ ଏକଥା କହିଲାବେଳେ ତାଙ୍କ ପାଟି ଖନି ମାରି ଯାଇଥିବ ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ ।

 

ତା ପରଠୁ ଭାଇନା କି ମାମୀ ନାନୀର ବାହାଘର ନେଇ ବାପା ଆଉ ଆଗେଇ ନାହାନ୍ତି ତାଙ୍କଆଡ଼ୁ । ପ୍ରସ୍ତାବ କେହି ଦେଲେ ସେ ନନ୍ଦ ମଉସାକୁ କହିଛନ୍ତି । ମଉସା, ସନ୍ତୋଷ ଭାଇନା ଓ ବିମଳୀ ନାନୀ ଜରିଆରେ ସବୁ ବୁଝିସୁଝି ଠିକଣା କଲା ପରେ ନିର୍ଭର ଜବାବ ଦବା ସକାଶେ ତାଙ୍କୁ ପରାମର୍ଶ ଦେଇଚି ।

 

ଶେଷକୁ ମାମୀ ନାନୀର ବାହାଘର ହେଲା ବିଜୁ ଭାଇନାଙ୍କ ସାଙ୍ଗେ । ବିଜୁ ଭାଇନା ସେତେବେଳକୁ ଡାକ୍ତରୀ ପାଶ କରି ଚାକିରିକୁ ଅପେକ୍ଷା କରି ବସି ଥାଆନ୍ତି । ତାଙ୍କ ବାପା ଏକାଡ଼େମୀ ସ୍କୁଲରେ ଶିକ୍ଷକତା କରୁଥାଆନ୍ତି । ଘରେ ବାପ-ମା, ଭାଇ-ଭଉଣୀ ମିଶି ଚାରିଜଣ । ମେରିଆବଜାରରେ ଛଅଗୁଣ୍ଠ ଜମି ଉପରେ ବଗିଚା-ପୋଖରୀ ସହ ଛୋଟ ଏକମହଲା ଘର ।

 

ଏ ବାହାଘରର ବ୍ୟବସ୍ଥା ସନ୍ତୋଷ ଭାଇନା ଆଉ ବିମଳ ନାନୀ କରିଥିଲେ ।

 

ରାଜୁ ଭାଇନା ଯେତେବେଳେ ନିଖିଳ ଭାରତ ବଛାବଛି ପରୀକ୍ଷାରେ ବସି ମାତ୍ର ପଚିଶ ବର୍ଷ ବୟସରେ ବଡ଼ଚାକିରି ପାଇ ରାଉରକେଲାର ଇଞ୍ଜିନିୟର ହେଲା, ସେତେବେଳେ ବାପା ବଡ଼ ହଇରାଣରେ ପୁଣି ପଡ଼ିଗଲେ । କେତେ ବଡ଼ବଡ଼ିଆ ଭାଇନାକୁ ଝିଅ ଦେବେ ବୋଲି ଅଣ୍ଟାଭିଡ଼ି ବାହାରି ପଡ଼ିଲେ । ଘରେ କି ଅଫିସରେ ବାପାଙ୍କୁ ବସେଇ ଉଠେଇ ଦେଲେ ନାହିଁ ସେମାନେ । ଶେଷକୁ ବାପା ବ୍ୟତିବ୍ୟସ୍ତ ହୋଇ ଭାଇନାର ମତାମତ ଲୋଡ଼ିଲେ । ନନ୍ଦ ମଉସା ଉପରେ ସବୁ ଭାର ଲଦିଦେଇ ଭାଇନା ଚୁପଚାପ ଖସିଗଲା ।

 

ଆଉ ନନ୍ଦ ମଉସା ରୋଜଠୋକ ବାପାଙ୍କୁ ଶୁଣେଇଦେଲା ଯେ ବଡ଼ଘରର ଅଲିଅଳ ଝିଅ ଦରକାର ନାହିଁ । ପୁଣି ଭାଇନା ଏଇଲେ ପିଲେ । ଆଉ ଦି’ବର୍ଷ ଯାଉ ବାହାଘର କଥା ଉଠିବ-

 

ସେତିକିବେଳକୁ ବାପା କଟକକୁ ବଦଳି ହେଲେ । ବୋଉ ଏଥର ମନ କଲା ଘର ତୋଳିବ ବୋଲି । ସନ୍ତୋଷ ଭାଇନାଙ୍କ ଜରିଆରେ ବାରଗୁଣ୍ଠ ଜମି ବିକ୍ରୀ କରି କଟକରେ ଘରତୋଳା ଆରମ୍ଭ ହେଲା । ମାସ ଛଅଟାରେ ଆମ ଘରଟା ଠିଆ ହେଲା । ସାଙ୍ଗକୁ ସନ୍ତୋଷ ଭାଇନାଙ୍କ ପାଇଁ ବି ଦି’ ବଖରା ଆଜବେସଟସ ଘର ଠିଆ କଲା ବୋଉ ଦି’ଗୁଣ୍ଠ ଜମି ଉପରେ ଠିକ୍‌ ଆମ ଘର ସାମନାକୁ, ସେଇ ଜମିବିକା ପଇସାରେ । ସେଇଟା ଖାଲି ପଡ଼ିଥିବାରୁ ମୁଁ ସମରଙ୍କୁ ରଖେଇ ଦେଇଚି ସେଠି ।

 

ଘର ତୋଳା ସାରି ବୋଉ ମନ କଲା ବୋହୂଟିଏ ଘରକୁ ଆଣିବ ବୋଲି । ବାପାଙ୍କୁ କେତେଥର ମନକଥା କହିଲା ମଧ୍ୟ । ବାପା ସବୁ ଶୁଣ ଅସହାୟଙ୍କ ପରି ନନ୍ଦ ମଉସା ମୁହଁକୁ ଚାହିଁଲେ ।

 

ବିଚରା ନନ୍ଦ ମଉସା କଣ କରିବ କିଛି ଠିକ୍‌ କରିପାରିଲା ନାହିଁ । ଜୀବନଟାଯାକ ତାର ଆମ ଘରେ ରୋଷେଇ କରି କରି କଟିଚି । ଏ ସଂସାରଟାରେ ସେ କେବଳ ଆମକୁ ଜାଣିଚି, ଚିହ୍ନିଚିବି ଭଲ ଭାବରେ । ଜୀବନର ସବୁ ସ୍ନେହ-ସୋହାଗ ଆମ ତିନି ଭାଇ-ଭଉଣୀଙ୍କ ଉପରେ ଢାଳି ଦେଇ ମଣିଷ କରିଚି ଆମକୁ ଜନ୍ମ ହେଲାଦିନୁ । ଆଉ କାହାକୁ ସେ ଜାଣେ ଯେ ମୋ ବୋଉ ପରି ବୋହୂଟିଏ ଖୋଜି ଲୋଡ଼ି ଆଣିବ ଭାଇନା ପାଇଁ ।

 

ମୁଁ ସେଇବର୍ଷ କଲେଜରେ ନାଁ ଲେଖେଇଥାଏ । ମଉସା ବୋଧେ ଭାବିଲା ମୁଁ ବଡ଼ ହୋଇଗଲିଣି ବୋଲି । ତେଣୁ ଦିନେ ମତେ ଖାଇବାକୁ ବାଢ଼ି ଦେଇ କହିଲା, ‘‘ଆରେ ଜଗୁ, ଭାଇନା କଣ ଆଉ ବାହା ହବନି ?’’

 

‘‘ସେ କଣ ମନା କରୁଚି ?’’

 

‘‘ନାଇଁ ଯେ, କୋଉଠି ବାହା ହବ ?’’

 

‘‘ତୁ ଗୋଟେ ଠିକଣା କରି ଦଉନୁ ।’’

 

‘‘ମୁଁ କାହାକୁ ଜାଣେ ଯେ କହିବି ?’’

 

‘‘ବାପାଙ୍କ ପାଖକୁ ତ କେତେ ଲୋକ ଆସୁଚନ୍ତି ପ୍ରସ୍ତାବ ନେଇ । ତାଙ୍କରି ଭିତରୁ କାହାକୁ ଜଣକୁ ଠିକଣା କରି ଦଉନୁ ବାପାଙ୍କୁ ପଚାରି ?’’

 

‘‘ମତେ ପସନ୍ଦ ନୁହେଁ ସେ କଲେଜ ପଢ଼ା ବଡ଼ଲୋକିଆ ଝିଅ ।’’

 

‘‘ତେବେ ସାଧାରଣ ଘରୁ ଜଣକୁ ଦେଖ ।’’

 

‘‘ତୋ ବୋଉ ପରି ସୁନ୍ଦର ଆଉ ସୁଧାର ପିଲାଟିଏ ମିଳିଲେ ତ !’’

 

କଥାରୁ ମନ ଭାଙ୍ଗିଗଲା ମୋର । କଳ୍ପନାରେ କଳନା କରିଗଲି ବୋଉକୁ । ଏଡ଼େ ସରଳ, ଏତେ ଶାନ୍ତଶିଷ୍ଟ ଝିଅ କଣ ମିଳିବା ସହଜ ପଡ଼ିଚି ! ଭାଗ୍ୟ ଜୋର ଥିଲେ ଅବା ମିଳିପାରେ-

 

‘‘କଣ ଭାବୁଚୁ ?’’ ମଉସା ପଚାରିଲା ।

 

‘‘ବୋଉ ପରି ଝିଅଟେ ଖୋଜିଲେ କୋଉଠୁ ମିଳିବ !’’ ମୁଁ ଉତ୍ତର ଦେଲି ।

 

‘‘ତୋ ସାଙ୍ଗମାନଙ୍କର ଭଉଣୀ ନାହାନ୍ତି ?’’

 

‘‘ଥିବେ । ମୁଁ କଣ ସେମାନଙ୍କୁ ଜାଣିଚି ?’’

 

‘‘ଆଖି ପକଉନୁ ଟିକିଏ ।’’

 

ବୋଧହୁଏ ଏକବାରେ ହତାଶ ହୋଇ ପଡ଼ିଥିଲା ନନ୍ଦ ମଉସା । ନ ହେଲେ ମତେ ଏତେକଥା କୁହନ୍ତାନି ସେ ଭାଇନା ବାହାଘର ନେଇ । ତେଣୁ ତା ମନବଳ ଅତୁଟ ରଖିବାକୁ ପରାମର୍ଶ ଦେଲି, ‘‘ବିମଳୀ ନାନୀ, ମାମୀ ନାନୀକୁ ଚିଠି ଲେଖୁନୁ ।’’

 

‘‘ସେକଥା କଣ ଆଉ ବାକି ରଖିଚି ? ତତେ ବି କହି ରଖିଲି । ତୁ ଟିକିଏ ଆଖି ପକଉଥା ।’’

 

ତାପରେ ବେଶି ଦିନ ଅବଶ୍ୟ ଗଲା ନାହିଁ । ହଠାତ୍‌ ଦିନେ ସନ୍ତୋଷ ଭାଇନା, ବିମଳୀ ନାନୀ ତାଙ୍କ ପୁଅ-ଝିଅ ଓ ସାଙ୍ଗରେ ଅଠର କୋଡ଼ିଏ ବର୍ଷର ଝିଅଟିଏ ଧରି ଆସି ପହଞ୍ଚିଗଲେ ଖରାବେଳଟାରେ ।

 

ମୁଁ ସେଇ ମାତ୍ର ସକାଳୁଆ କ୍ଳାସ ସାରି କଲେଜରୁ ଫେରି ଖାଇ ବସିଥାଏ । ବୋଉ ପାଖରେ ବସି ମାଛି ଘଉଡ଼ଉଥାଏ ବିଞ୍ଚଣାରେ । ସେମାନଙ୍କୁ ଦେଖିବାମାତ୍ରେ ସେ ଡାକିଲା, ‘‘ନନ୍ଦ....ଏ ନନ୍ଦ....ପିଲାଏ ଆସିଲେଣି । ଅରୁଆ ଚାଉଳ ଗଣ୍ଡେ ବସେଇ ଦେ ତ ।’’

 

ସମସ୍ତେ ଆଗ ବୋଉକୁ ମୁଣ୍ଡିଆ ମାରିଲା ପରେ ବିମଳୀ ନାନୀ ସାଙ୍ଗେ ଆସିଥିବା ଝିଅଟି ବୋଉକୁ ମୁଣ୍ଡିଆ ମାରିଲା ।

 

ବୋଉ ବିଞ୍ଚଣାଟା ଥୋଇ ଦେଇ ଝିଅଟିର ମୁହଁକୁ ଟେକି ଧରି କ୍ଷଣକାଳ ଚାହିଁ ପଚାରିଲା, ‘‘ନା କଣ ଲୋ ମା ?’’

 

‘‘କାବେରୀ ।’’

 

‘‘ହସିଲୁ ଟିକିଏ ।’’

 

କାବେରୀ ସାମାନ୍ୟ ହସିଦେଲା ଲାଜରେ ।

 

ମତେ ଲାଗିଲା ସତେ ଯେମିତି ହସି ଦେଲେ ସେ ମୋ ବୋଉ ପରି ଦିଶୁଚି ।

 

‘‘ଅହି ସୁଲକ୍ଷଣି ହେଇଥା ଲୋ ମା ।’’ ବୋଉ ଆଶୀର୍ବାଦ କଲା ।

 

ବାପା ସେଦିନ ଅଫିସରୁ ଫେରି କାବେରୀ ଭାଉଜଙ୍କୁ ଦେଖି ଅଭିଭୂତ ହୋଇ ପଡ଼ିଲେ-। ପାଖରେ ବସେଇ ଦି’ଘଣ୍ଟାକାଳ ଏଣୁତେଣୁ ଗପିଲେ ତାଙ୍କ ସାଙ୍ଗେ । ଅଭ୍ୟାସ ଅନୁଯାୟୀ ବୋଉ ବି ବସି ରହିଲା ତାଙ୍କ ପାଖେ । ବାପା କେତେକଥା ପଚାରିଗଲେ । ଭାଉଜ ନରମ ସ୍ୱରରେ ଉତ୍ତର ଦେଇଗଲେ ଗୋଟିକ ପରେ ଗୋଟିଏ । ବୋଉଠୁ ପାନ ବାକ୍‌ସ ଛଡ଼େଇ ନେଇ କଥା ମଝିରେ ପାନ ଖଣ୍ଡେ ଖଣ୍ଡେ ଭାଙ୍ଗି ବଢ଼େଇଦେଲେ ବି ବାପାଙ୍କୁ ।

 

ତାର ମାସକ ପରେ ଭାଇନାର ବାହାଘର ହେଲା । ଭାଉଜଙ୍କ ବାପା ଛଅମାସ ସମୟ ମାଗିଲେ ସବୁ ସଜବାଜ କରି ଝିଅକୁ ବାହା ଦବା ସକାଶେ ।

 

ବାପା କିନ୍ତୁ ରାଜି ହେଲେ ନାହିଁ । ନିଜେ ଦି’ତରଫର ଖର୍ଚ୍ଚ ପ୍ରାୟ ତୁଲେଇ ନୂଆବୋଉଙ୍କୁ ନେଇ ଆସିଲେ ।

 

ବାହାଘର ପରେ ଭାଉଜ ଛଅମାସଯାଏ କଟକରେ ରହିଲେ । ଭାଇନା କ୍ୱାର୍ଟର ପାଇ ନ ଥିବାରୁ ସାଙ୍ଗରେ ନେଇ ପାରିଲାନି । ଆଉ ସେ ଛଅମାସ ବୋଉ କି ମଉସା କାହାରିକୁ ରୋଷେଇଘରେ ପୂରେଇ ଦେଲେ ନାହିଁ ଭାଉଜ; ମେସିନ ପରି ହସ ହସ ମୁହଁରେ ଦିନରାତି ଘରର ଯାବତୀୟ କାମ ନିଜେ ତୁଲେଇ ନେଲେ ।

 

ଭାଇନା ବାହାଘରର ଦି’ବର୍ଷ ପରେ ଆମ ଘରେ ଚଡ଼କ ପଡ଼ିଲା । ହଠାତ୍‌ ବୋଉକୁ ଜର ମାଡ଼ିଆସିଲା ଦିନେ ରାତିରେ । ଘଣ୍ଟାକ ଭିତରେ ସେ ଅଜ୍ଞାନ ହୋଇ ପଡ଼ିଲା । ମୁଁ ଯାଇ ଡାକ୍ତର ବାବୁଙ୍କୁ ଡାକି ଆଣିଲି । ସାରା ରାତି ଡାକ୍ତର ବାବୁ ବୋଉ ପାଖେ ଜଗି ବସିଲେ । ତଥାପି ବୋଉର ଜ୍ଞାନ ଫେରିଲା ନାହିଁ । ସକାଳେ ବଡ଼ ଡାକ୍ତରଖାନାକୁ ନେଇଗଲୁ ବୋଉକୁ । ସେଠି ଆଉ ଦୁଇଦିନକାଳ ଅଜ୍ଞାନ ଅବସ୍ଥାରେ ପଡ଼ିରହିଲା ପରେ ବୋଉ ଆମକୁ ଛାଡ଼ି ଚାଲିଗଲା ସବୁଦିନ ପାଇଁ ।

 

ବାପା ତାପରେ ମୂଳ ପାଲଟିଗଲେ ମାସେ ପର୍ଯ୍ୟନ୍ତ । ସନ୍ତୋଷ ଭାଇନା-ବିମଳୀ ନାନୀ, ଭାଇନା-ଭାଉଜ, ବିଜୁ ଭାଇନା-ମାମୀ ନାନୀ ସମେତ ଆମେ ସମସ୍ତେ ଡରିଗଲୁ ବାପାଙ୍କ ଅବସ୍ଥା ଦେଖି । ଏକପ୍ରକାର ଆଶା ଛାଡ଼ି ଦେଇଥିଲୁ ବି ତାଙ୍କର । ତେଣୁ ମନ ଥିଲେ ବି ଜାକଜମକରେ ବୋଉର ଶୁଦ୍ଧିକ୍ରିୟା ନ କରି ଘର ଭିତରେ ସାଧାରଣ ଭାବରେ ସବୁକିଛି ତୁଲେଇନେଲୁ ।

 

ବିମଳୀ ନାନୀ ଓ ଭାଉଜଙ୍କୁ ଛାଡ଼ି ଆଉ ସମସ୍ତେ ଶୁଦ୍ଧିଘର ପରେ ନିଜ ନିଜ ଜାଗାକୁ ଚାଲିଗଲେ । ବାପା ବି ଅଫିସ ଗଲେ ମାସକ ପରେ । ତେବେ ମୁହଁରୁ ତାଙ୍କର ହସଟିକକ କୁଆଡ଼େ ଉଭେଇଗଲା । ଏମିତିକି ନନ୍ଦ ମଉସା ସାଙ୍ଗେ ସାମାନ୍ୟ କଥାରେ ନିତିଦିନିଆ କଳିତକରାଳ କରିବାକୁ ବି ସେ ଭୁଲିଗଲେ ।

 

ନନ୍ଦ ମଉସାର ଏଣିକି ମୁଖ୍ୟ କାମ ହେଲା ଦିନ ରାତି ବାପାଙ୍କ ପାଖେ ପାଖେ ରହି ତାଙ୍କ ଭଲମନ୍ଦ ବୁଝିବା । ପିଲାଦିନେ ମତେ ରୋଜ ସ୍କୁଲରେ ନେଇ ଛାଡ଼ିଦେଇ ଆସିଲା ପରି ବାପାଙ୍କୁ ବି ନେଇ ଅଫିସରେ ଛାଡ଼ିବା ଓ ପୁଣି ଉପରଓଳିକୁ ଯାଇ ଘରକୁ ଆଣିବାଟା ହେଲା ତାର ନିତିଦିନିଆ କାମ ।

 

ପୁଣି ଦୁଇ ମାସ ବିତିଲା । ଶେଷକୁ ବାଧ୍ୟ ହୋଇ ବିଜୁ ଭାଇନାଙ୍କୁ ଡକେଇଲୁ । ସେ ମାସେ ଛୁଟି ନେଇ ମାମୀ ନାନୀକୁ ଧରି ଆସିଲେ । ମାନସିକ ବ୍ୟାଧି ଡାକ୍ତରଙ୍କ ସାଙ୍ଗେ ଯାଇ ପରାମର୍ଶ କଲେ ବାପାଙ୍କ ସମ୍ପର୍କରେ । ଶେଷକୁ ସ୍ଥିର ହେଲା ଆଉ ମାସେ ଦୁଇ ମାସ ଅପେକ୍ଷା କରିବାଟା ଭଲ ହେବ । କାରଣ ବାପା ଯଦି ଅଫିସ କାମଦାମ ଠିକଣା ଭାବରେ ତୁଲେଇ ପାରୁଚନ୍ତି, ତେବେ ଭୟ କରିବାର କୌଣସି କାରଣ ନାହିଁ । ଆଉ କିଛି ଦିନ ଗଡ଼ିଗଲେ ବଳେ ବାଗକୁ ଆସିଯିବେ ।

 

ଚାରି ମାସକାଳ ରହିଲା ପରେ ବମଳୀ ନାନୀ ଚାଲିଗଲା । ତେଣିକି ରହିଗଲେ ଭାଉଜ ଏକା ।

 

ତାପରେ ଦିନେ ଅଫିସରୁ ଫେରି ଦାଣ୍ଡଘରେ ତାଙ୍କର ସେଇ ପୁରୁଣା ବେତବୁଣା ଆରାମଚୌକିରେ ବସି ବିଶ୍ରାମ କରୁଥିଲାବେଳେ ନନ୍ଦ ମଉସାକୁ ବାପା କହିଲେ, ‘‘ବୋହୂଟା ବଡ଼ କଲବଲ ହେଲାଣି । ରାଜୁକୁ ଚିଠି ଲେଖିଦେ ଆସି ନେଇଯିବ ।’’

 

‘‘ଯାଉ ଆଉ ମାସେ ଖଣ୍ଡେ ।’’ ମଉସା ମତ ଦେଲା ।

 

‘‘ନାହିଁ ରେ, ପିଲାଟା ହଇରାଣ ହଉଥିବ ତେଣେ ।’’

 

‘‘ହଉ,’’ ବାପଙ୍କ ମନ ରଖିବାକୁ ମଉସା ରାଜି ହୋଇଗଲା ସିନା; କିନ୍ତୁ ମତେ କହି ଭାଇନା ପାଖକୁ ଚିଠି ଲେଖେଇଲା ନାହିଁ ।

 

ପନ୍ଦର ଦିନ ପରେ ଭାଇନା କୋଉ ଗୋଟେ ଅଫିସ କାମରେ କଟକ ଆସିଲା । ତାକୁ ଦେଖି ମନେହେଲା, ସେ କେମିତି ଟିକିଏ ଝଡ଼ିଗଲା ଭଳି ।

 

ବାପା ଦେଖିଦବାମାତ୍ରେ ପଚାରିଲେ, ‘‘ଶୁଖିଲା ଦିଶୁଚୁ ?’’

 

‘‘ଜର ଟିକିଏ ହେଇଥିଲା ।’’

 

ବାପ-ପୁଅରେ ବାସ ସେତିକି କଥାବାର୍ତ୍ତା । କାମ ସାରି ଦି’ଦିନ ପରେ ଭାଇନା ଗଲାବେଳକୁ ବାପା ଜୋର କରି ପଠେଇଦେଲେ ଭାଉଜଙ୍କୁ ତା ସାଙ୍ଗେ । ଭାଇନା ଓ ମଉସା ଯେତେ ମନା କଲେ ବି ମୋଟେ ଶୁଶିଲେ ନାହିଁ

 

ଭାଉଜ ଗଲାପରେ ନନ୍ଦ ମଉସା ପୁଣି ଆଗ ପରି ସବୁ କଥା ତୁଲେଇଲା । ଅବଶ୍ୟ ଏଣିକି ଖଟଣି ବଢ଼ିଗଲା ତାର । ରୋଷେଇବାସ ସାଙ୍ଗକୁ ବାପାଙ୍କ ଲୁଗାପଟା ସଫାକରିବା, ଅଧଘଣ୍ଟାକୁ ଅଧଘଣ୍ଟା ପାନ-ଚାହା ଯୋଗାଇବା, ତାଙ୍କ ପାଖେ ବସି ରାଜ୍ୟଯାକର କଥା ତାଙ୍କଠୁ ଶୁଣିବା ଆଦି ବୋଉର ନିତିଦିନିଆ କାମଗୁଡ଼ାକ ବି ତାକୁ ତୁଲେଇବାକୁ ପଡ଼ିଲା ।

 

ଧୀରେ ଧୀରେ ବାପାଙ୍କ ସ୍ୱଭାବ ବଦଳିବାକୁ ଆରମ୍ଭ କଲା । ସେ ପୁଣି ଆଗ ପରି ଛୋଟ ଛୋଟ କଥାରେ ମଉସା ସାଙ୍ଗେ ଝଗଡ଼ା ଲଗେଇଲେ । ଘରେ ଥିଲାବେଳେ ଦିନଯାକ ଏଣୁତେଣୁ କଥା କହି ଆଗ ଅପେକ୍ଷା ବେଶି କବବକ ହେଲେ । ଆଉ ମଉସା ତାଙ୍କ ଅବାନ୍ତର କଥାଗୁଡ଼ା ମନ ଦେଇ ନ ଶୁଣିଲେ, ରାଗିଲେ, ରୁଷିଲେ, ଅଭିମାନ କଲେ ପିଲାଙ୍କ ପରି । କିନ୍ତୁ ସନ୍ଧ୍ୟା ଗଡ଼ିଗଲା ପରେ ଆଉ ପାଟି ଫିଟେଇଲେ ନାହିଁ କାହାକୁ । ଦାଣ୍ଡଘରେ ତାଙ୍କର ସେଇ ପୁରୁଣା ବେତବୁଣା ଆରାମ ଚୌକିଟା ଉପରେ ଚୁପ୍‌ଚାପ ଆଖିବୁଜି ପଡ଼ି ରହିଲେ, ଘରେ ଗୋଟାଏ ଅତି ଅଳ୍ପ ପାଓ୍ୱାରର ଆଲୁଅ ଜାଳି, ଠିକ୍‍ ଆଗ ସାମନା କାନ୍ଥରେ ଝୁଲୁଥିବା ବୋଉର ସୁନା ରଙ୍ଗ ଫ୍ରେମରେ ବନ୍ଧା ଫଟୋଟାକୁ ଚାହିଁ ।

ଭାଇନା ଉଠେଇଥିଲା ବୋଉର ଏ ଛବିଟା ନୂଆ ନୂଆ ଫଟୋ ଉଠେଇ ଶିଖୁଥିଲାବେଳେ । ସତରେ ଭାରି ସୁନ୍ଦର ଲାଗେ ବୋଉର ସେ ଛବିଟା ଆମକୁ । ଆଉ ବାପାଙ୍କୁ ତ ଏତେ ଭଲ ଲାଗିଥିଲା ଯେ ସେ ପଚାଶ ଟଙ୍କା ଖର୍ଚ୍ଚ କରି ସେଥିରୁ ଚାରିଟା ବଡ଼ ମାପର କରେଇ ଆଣି ଝୁଲେଇ ଦେଇଥିଲେ ଘର ସାରା । ତା ଭିତରୁ ଆଉ ଏଇ ଗୋଟାକ ବାକି ରହିଚି । ବିମଳୀ ନାନୀ, ଭାଇନା ଓ ମାମୀ ନାନୀ ଗୋଟେ ଗୋଟେ ନେଇଗଲେଣି କେବେଠୁ ।

ବାପା ପୁଣି ଏପ୍ରକାର ପୂର୍ବ ଅବସ୍ଥାକୁ ଫେରି ଆସିବାରୁ ଆମେ ସବୁ ଆଶ୍ୱସ୍ତ ହେଲୁ । ତେବେ ଗୋଟାଏ କଥା ଲକ୍ଷ୍ୟ କଲୁ ସମସ୍ତେ । ଆଗ ତୁଳନାରେ ସେ ଯେମିତି ବେଶି ଗପୁଡ଼ି ପାଲଟି ଯାଇଛନ୍ତି ।

ଏଣିକି ଛୁଟି ଦିନଗୁଡ଼ାକ କାଳ ହେଲା ନନ୍ଦ ମଉସାକୁ । ସେଇ ଦିନଗୁଡ଼ାକରେ ବାପା ତାକୁ ଘଡ଼ିକୁଘଡ଼ି ଡାକି ଏମିତି ହଇରାଣ କଲେ ଯେ ସେ ଘର ସଉଦାପତ୍ର କିଣିଯିବାକୁ ବି ବେଳ ଟିକିଏ କରି ପାରିଲାନି । ବାଧ୍ୟ ହୋଇ ମତେ କହିଲା ତାକୁ ସଉଦାପତ୍ର କିଣିବାରେ ବେଳେ ବେଳେ ସାହାଯ୍ୟ କରିବାକୁ ।

ଏତିକିବେଳକୁ କୋଉ ଗୋଟେ ଅଫିସ କାମରେ ଭୁବନେଶ୍ୱର ଆସି ବିଜୁ ଭାଇନା କଟକରେ ଦି’ଚାରି ଦିନ ଅଟକିଗଲେ । ମୁଁ ତାଙ୍କୁ ବାପାଙ୍କ ସ୍ୱଭାବ ପରିବର୍ତ୍ତନ କଥା ଟିକିନିଖି ସବୁ କହିଲି । ଶୁଣି ସାରି ସେ ମତ ଦେଲେ ଯେ ଭାବିବାର କିଛି ନାହିଁ । ବାପା ଯେତେ ବକବକ ହେବେ ସେତେ ଭଲ । ଅନ୍ତତଃ ବୋଉ କଥା ତାଙ୍କର ମନେ ପଡ଼ିବ ନାହିଁ ସେତକ ସମୟ ।

 

ସେତିକିବେଳେ ବିଜୁ ଭାଇନା ଦିନେ ସକାଳେ ବାପାଙ୍କ ସାଙ୍ଗେ ବସି ଗପ କରୁ କରୁ ଆଦାୟ କଲେ ଯେ ଆଗେ କୁଆଡ଼େ ବାପା ଦାବା ଖେଳୁଥିଲେ ଖୁବ୍‍ । ରେଭେନ୍‌ସାରେ ପଢ଼ିଲାବେଳେ ଦି’ଥର ଦାବା ଖେଳରେ ଚମ୍ପିୟାନ୍‌ ହୋଇଛନ୍ତି ମଧ୍ୟ । ଚାକିରି ଗଲା ପରେ ବି ରୋଜ ସନ୍ଧ୍ୟାରେ ଦାବା ଖେଳିବା ଥିଲା ତାଙ୍କ ପେଶା । ବାହା ହେଲା ପରେ ଦାବା ଖେଳିବା ନିଶାଟା ଧୀମେଇଗଲା ତାଙ୍କ ଯୋଡ଼ି ଦାବା ଖେଳିବା ଛାଡ଼ି ଦେଲାରୁ । ଶେଷକୁ ସେ ଏକପ୍ରକାର ଅଭ୍ୟାସଟାକୁ ଛାଡ଼ି ଦେଲେ କହିଲେ ଚଳେ ।

 

ବିଜୁ ଭାଇନା ତ ଡାକ୍ତର । ତେଣୁ ଏତକ ଖବର ବାପାଙ୍କଠୁ ଆଦାୟ କଲା ପରେ ସେହି ଦିନ ଖରାବେଳେ ବଜାରକୁ ଯାଇ ବଢ଼ିଆ ଦାବା ପାଲିଟାଏ କିଣି ଆଣିଲେ । ଖରାବେଳଟା ସାରା ବି ବସିଗଲେ ବାପାଙ୍କ ସାଙ୍ଗେ ଦାବା ଖେଳରେ ।

 

ଏଥର ବାପାଙ୍କୁ ପୁରୁଣା ନିଶା ପୁଣି ଘାରିଲା । ଫଳରେ ନନ୍ଦ ମଉସା ଓ ମୁଁ ଆହୁରି ଅବସ୍ଥା ଭୋଗିଲୁ । ବିଶେଷ କରି ଛୁଟି ଦିନ ଖରାବେଳେ ବାପା ଦାବା ପାଲି ମେଲେଇ ବସିଲେ । ଖେଳର କାଇଦା କଟକଣା ମାଲୁମ ନ ଥିଲେ ବି ମଉସା, ନ ହେଲେ ମତେ ବାଧ୍ୟ ହୋଇ ବସିବାକୁ ପଡ଼ିଲା ତାଙ୍କ ସାଙ୍ଗେ ଖେଳିବା ସକାଶେ । ଆମେ ଅବଶ୍ୟ ଥୁଣ୍ଟା ଜଗନ୍ନାଥ ପରି ବସି ରହୁ ଖାଲି । ବାପା ଆମକୁ ଖେଳର କାଇଦାତକ ଶିଖେଇବା ଚେଷ୍ଟାରେ ନିଜେ ନିଜେ ଦୁଇପଟର ଗୋଟି ଚଳେଇ ଖେଳନ୍ତି ।

 

ବିଜୁ ଭାଇନାଙ୍କ ବୁଦ୍ଧିଟା କେତେକ ପରିମାଣରେ କାମ ଦେଲା ଅବଶ୍ୟ । ଦିନେ ଦିନେ ଆମେ କେହି ଖେଳି ନ ବସିଲେ ବି ବାପା ଏକୁଟିଆ ଦୁଇପଟର ଗୋଟି ଚଳେଇ ସମୟ କାଟିଲେ । ତେବେ କବକବ ହବାଟା ତାଙ୍କର କମିଲା ନାହିଁ । ଏକୁଟିଆ ବସି ଖେଳିଲାବେଳେ ବି ମଝିମଝିରେ ଡାକ ପକେଇଲେ ମଉସାକୁ ନ ହେଲେ ମତେ । ଆଉ ଭିତରୁ କେହି ଜଣେ ତାଙ୍କ ଡାକର ଜବାବରେ ପାଖକୁ ଗଲାମାତ୍ରେ କୋଉ ଅବସ୍ଥାରେ କୋଉ ଗୋଟି ଚଳେଇବା ଦରକାର ଓ କାହିଁକି ସେ କଥା ପ୍ରାଞ୍ଜଳ ଭାବରେ ବୁଝେଇ ବସିଲେ ।

 

ଦେଢ଼ବର୍ଷକାଳ ବାପା ଲାଗିପଡ଼ି ମଉସାକୁ ଓ ମତେ ପୋଖତ ଦାବା ଖେଳାଳୀ ପାଲଟେଇ ଦବାକୁ ଆପ୍ରାଣ ଚେଷ୍ଟା କଲେ । ମୁଁ ଅବଶ୍ୟ ଖେଳର ନିମ୍ନ ପ୍ରାଇମେରୀ ଯାଏ କୌଣସିମତେ ଘୋଷାଡ଼ି ହୋଇଗଲି । ମଉସା କିନ୍ତୁ ଯୋଉଠି ସେଇଠି ରହିଗଲା । ଶେଷକୁ ଦିନେ ବାପା ରାଗିଯାଇ ଦାବା ପାଲି ଆଉ ଗୋଟି ଫୋପାଡ଼ି ଦେଇ ମତବ୍ୟକ୍ତ କଲେ ଯେ ମୁଁ ଅଯୋଗ ଓ ମଉସା ଗୋଟାଏ ପ୍ରଥମ ଶ୍ରେଣୀର ଗଜ ।

 

ବୋଉ ଚାଲିଯିବାର ଦି’ବର୍ଷ ପରେ ବାପା ଡେପୁଟୀ ସେକ୍ରେଟାରୀ ପାହିଆକୁ ଉଠିଲେ । ଆଉ ତାର ଠିକ ଦୁଇ ମାସ ପରେ କୋଉ ଗୋଟାଏ ନୂଆ ବିଭାଗର ଡିରେକ୍ଟର ରୂପେ ବଦଳି ହେଲେ ରାଉରକେଲା ।

 

ଖବରଟା ଶୁଣି ମଉସା ଓ ମୁଁ ଭାରି ଖୁସି ହେଲୁ । ଯାହା ହେଉ, ଶେଷକୁ ଆମେ ସବୁ ପୁଣି ଏକାଠି ରହିବୁ । ଆଉ ଭାଉଜ ଦେଖାଚାହାଁ କରିବାକୁ ପାଖରେ ରହିଲେ ବାପାଙ୍କୁ ବି ଭଲ ଲାଗିବ । ବୋଉ ଦୁଃଖ ସେ ଭୁଲିଯିବେ ।

 

ବାପା କିନ୍ତୁ ଆମକୁ ଖବରଟା ଦେଇସାରି ଏକବାର ନୀରବ ହୋଇ ବସିଗଲେ ଦି’ଦିନ ଯାଏ । ଖିଆପିଆରେ କିଛି ଠିକଣା ରହିଲା ନାହିଁ । ଅଫିସକୁ ଗଲେ ନାହିଁ । ଏମିତିକି ଛୁଟି ଦରଖାସ୍ତ ପଠେଇବାକୁ ବି ଭୁଲିଗଲେ ।

 

ତୃତୀୟ ଦିନ ବାପା ତାଙ୍କ ଚିର ପରିଚିତ ଆରାମଚୌକିରୁ ଉଠୁ ଉଠୁ ହଠାତ୍‌ ଚୌକି ଉପରେ ପୁଣି ଗଡ଼ିପଡ଼ିଲେ ମୁଣ୍ଡ ବୁଲେଇ ଦେଲାରୁ । ଏ କଥା ଦେଖି ମଉସା ଓ ମୁଁ ଭୟ ପାଇଗଲୁ-। ସାଙ୍ଗେ ସାଙ୍ଗେ ମୁଁ ଡାକ୍ତରଙ୍କୁ ଯାଇ ଡାକି ଆଣିଲି । ଡାକ୍ତର ବାବୁ ଆସି ପରୀକ୍ଷା କରି କହିଲେ ଯେ ବାପାଙ୍କ ରକ୍ତଚାପ ବଢ଼ିଛି । ଅନ୍ତତଃ ପକ୍ଷେ ସନ୍ଦର ଦିନକାଳ ଶେଯରେ ଶୋଇ ରହିବା ଆବଶ୍ୟକ !

 

ପୁଣି ଖବର ଦବାକୁ ପଡ଼ିଲା ମତେ ସମସ୍ତଙ୍କୁ । ଦୁଇଦିନ ଭିତରେ ସନ୍ତୋଷ ଭାଇନା-ବିମଳୀ ନାନୀ, ଭାଇନା-ଭାଉଜ, ବିଜୁ ଭଇନା-ମାମୀ ନାନୀ ଅସ୍ତବ୍ୟସ୍ତ ହୋଇ ଦୌଡ଼ି ଆସିଲେ । ଦି’ଚାରି ଦିନ ରହି ବାପା ଟିକିଏ ସୁସ୍ଥ ହେଲା ପରେ ପୁଣି ସମସ୍ତେ ଫେରିଗଲେ ।

 

ସେମାନେ ଗଲା ପରେ ଦିନେ ରାତିରେ ନନ୍ଦ ମଉସା ବାପାଙ୍କୁ ପଚାରିଲା, ‘‘ରାଉରକେଲା କେବେ ଯିବା ?’’

 

‘‘ଉଁ...ରାଉରକେଲା !’’ ବାପା କେମିତି ଅନ୍ୟମନସ୍କ ହୋଇ ପଡ଼ିଲେ ।

 

‘‘ବଦଳି ହେଇଚି ପରା ତୁମର । ସେଠି ଯାଇ ପୁଅ-ବୋହୂ ପାଖେ ରହିବାକୁ ମନ ହଉନି-?’’

 

‘‘ନାହିଁରେ ।’’

 

‘‘କାହିଁକି ?’’

 

‘‘କେତେ ଆଶାରେ ଏ ଘର ଖଣ୍ଡିକ ସେ ଖରାତରାରେ ଠିଆ ହୋଇ ନିଜେ ଗଢେଇଥିଲା ଶେଷ ଜୀବନଟା ମତେ ଧରି ଏଇଠି ରହିବ ବୋଲି । ଦେଖୁନୁ, ମତେ ଚଳିବାକୁ ସୁବିଧା ହବ ବୋଲି ମୋ ସକାଶେ ଅଲଗା ବୈଠକଖାନା, ଶୋଇବା ଘର, ଆଉ ତା ଠାକୁର ଘର କରିଚି ।’’ ବାପାଙ୍କ ସ୍ୱରଟା କରୁଣ ହୋଇ ଉଠିଲା କହୁ କହୁ ।

 

‘‘ଆଉ ସେ କଥା ଭାବି ଲାଭ କଣ ? ଚାଲ ରାଉରକେଲା ଯିବା ଚାଲି । ସେଠି ପୁଅ-ବୋହୂ-ନାତିକୁ ପାଇଲେ ସବୁ ଭୁଲିଯିବ ପୁଣି ।’’

 

‘‘ଏ ଘର କଥା କିଏ ବୁଝିବ ?’’

 

‘‘ଭଡ଼ା ଲଗେଇଦବା ।’’

 

‘‘ମୁଁ ବଞ୍ଚିଥିଲା ଯାଏ ନୁହେଁରେ । କେତେ କଳ୍ପନା କରି ସେ ଘର ତୋଳେଇଥିଲା ଶେଷ ଜୀବନରେ ଶାନ୍ତିରେ ରହିବ ବୋଲି ।’’ ବାପା ଦୀର୍ଘ ନିଃଶ୍ୱାସ ପକେଇଲେ ।

 

‘‘ନ ହେଲେ ତାଲା ପକେଇ ଦେଇ ଯିବା ।’’

 

‘‘ନାହିଁ । ସେଠିକି ଗଲେ ସେ ଆହୁରି ବେଶି ମନେ ପଡ଼ିବ ।’’

 

‘‘ଏଡ଼େ ସୁନ୍ଦର ଆଉ ଗୁଣର ବୋହୂ ପାଖେ ରହିଲେ ସବୁ ଭୁଲିଯିବ ।’’

 

‘‘ବୋହୂ ପାଖେ ରହିବାକୁ ମନ ହଉନିରେ, ଡର ଲାଗୁଚି ।’’

 

‘‘କାହିଁକି ?’’

 

‘‘କଥା କହୁ କହୁ ସେ ହସି ଦେଲେ ତୋ ମା’ କଥା ମନେ ପଡ଼ିଯିବ । ତା ପାଖେ ଆଉ ରହି ପାରିବିନିରେ ଜୀବନ ସାରା ।’’ ସ୍ୱରରୁ ମନେ ହେଲା ବାପା ଯେମିତି କାନ୍ଦି ପକେଇଲେ କହୁ କହୁ ।

 

ତା ପରେ କେତେ ସେକେଣ୍ଡ କେହି କଥା ହେଲେ ନାହିଁ ।

 

ମଉସା ପୁଣି କହିଲା, ‘‘ତେବେ ନ ଯାଅ ।’’

 

‘‘ଭାବୁଚି...... ।’’

 

‘‘କଣ ଭାବୁଚ ?’’

 

‘‘ଆଉ ଏ ଘର ଛାଡ଼ି କୁଆଡ଼େ ଯିବାକୁ ମନ ହଉନି । ସରକାର ଯଦି ବଦଳି ନନ୍ଦ କରି ଦେବେ ତ ଭଲ କଥା, ନ ହେଲେ ରିଟାୟାର କରି ଯିବି ।’’

 

ସତକୁ ସତ ବାପା ଚାରି ମାସ ଭିତରେ ଚାକିରିରୁ ଅବସର ନେଲେ । ସେତେବେଳକୁ ଆହୁରି ଦେଢ଼ବର୍ଷ ବାକି ଥିଲା ତାଙ୍କର ଅବସର ନବା ସକାଶେ । ବଡ଼ ହାମିକ ବି ବତେଇଥିଲେ ସ୍ୱାସ୍ଥ୍ୟଗତ କାରଣ ଦେଖେଇ ବଦଳି ବନ୍ଦ ପାଇଁ ଉପରକୁ ଲେଖିବା ସକାଶେ । ବାପା କିନ୍ତୁ ସିଧାସଳଖ ସତ କଥା ଲେଖି ଜଣେଇ ଦେଲେ ଯେ ତାଙ୍କ ସହଧର୍ମିଣୀ ପ୍ରାଣତ୍ୟାଗ କରିଥିବା ଘର ଛାଡ଼ି ଏ ବୟସରେ ସେ ଆଉ କୋଉଠିକୁ ଯିବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ ଯଦି ଚାକିରି ଶେଷ ଯାଏ ତାଙ୍କୁ କଟକରେ ରଖିବା ସମ୍ଭବ ନ ହୁଏ, ତେବେ ସେ ସ୍ୱଇଚ୍ଛାରେ ଅବସର ଗ୍ରହଣ କରିବାକୁ ରାଜି-

 

ଅବସର ନେଇ ଘରେ ବସିବା ପରେ ବାପାଙ୍କ ପ୍ରକୃତି ଆହୁରି ବଦଳି ଗଲା । ଏଣିକି ସେ ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ବକବକ ହେଲେ । ଦିନକୁ ଦଶଥର ନନ୍ଦ ମଉସା ସାଙ୍ଗେ କଳି କଲେ; ରାଗିଲେ, ରୁଷିଲେ ଟିକିଏ ଟିକିଏ କଥାରେ । ଆଉ ସନ୍ଧ୍ୟା ପରେ ମୂକଙ୍କ ପରି ବସି ରହିଲେ ଦାଣ୍ଡଘରେ ତାଙ୍କ ଆରାମ ଚୌକିଟା ଉପରେ ଅଳ୍ପ ଟିକିଏ ଆଲୁଅ ଜଳେଇ । ସେଇ ଟିକକ ଆଲୁଅକୁ ବି ମିସ୍ତ୍ରୀ ଡକେଇ ଏମିତି ଖଞ୍ଜିଦେଲେ ଯେ ହଠାତ୍‌ କେହି ଦାଣ୍ଡ ଘରକୁ ପଶିଗଲେ ବାପା ଅଛନ୍ତି ବୋଲି ଜାଣିପାରିବ ନାହିଁ । ଓଲଟି ତାଙ୍କ ଆଖିରେ ଆଗ ପଡ଼ିବ ବୋଉର ସେଇ ହସ ହସ ବନ୍ଧେଇ ଫଟୋଟା । ମନେହବ ସତେ ଯେମିତି ଅନ୍ଧାର ଘରେ ସେଇଟା ଦାଉଦାଉ ଜଳୁଚି । ତାପରେ ସେ ଜାଣିବେ ଯେ ବାପା ସେହି ଫଟୋକୁ ଚାହିଁ ଧ୍ୟାନମଗ୍ନ

 

ସେତେବେଳେ ବାପା କଣ ଭାବନ୍ତି ତାଙ୍କୁ ଜଣା ।

 

ଅବସର ନବାର ଚାରିମାସ ପରେ ପୁଣି ଥରେ ବାପାଙ୍କ ରକ୍ତଚାପ ବଢ଼ିଲା । ଡାକ୍ତର ବାବୁ ସବୁ ପରୀକ୍ଷା କଲା ପରେ ସାବଧାନରେ ଚଳିବାକୁ ସତର୍କ କରି ଦେଇ ଗଲେ । କୌଣସି କଥାରେ ଉତ୍ତେଜିତ ନ ହେବା ସକାଶେ ବାରବାର ତାଗିଦ କରି ଦେଲେ । ସାଙ୍ଗକୁ ଖାଦ୍ୟପେୟର ରୁଟିନ ବାନ୍ଧି ଦେଇ ଗଲେ । ଆଉ କହିଗଲେ ଦୈନିକ ସକାଳେ ଓ ସନ୍ଧ୍ୟାରେ ଅନ୍ତତଃ ଅଧଘଣ୍ଟାଏ କରି ପାଦରେ ଚାଲିବାକୁ ।

 

ଡାକ୍ତର ବାବୁଙ୍କ ଆଗରେ ବାପା ସବୁ କଥା ଅକ୍ଷରେ ଅକ୍ଷରେ ପାଳିବେ ବୋଲି ଜବାବ ଦେଲେ । କିନ୍ତୁ ସେ ଚାଲିଗଲା ପରେ ଖୋଲାଖୋଲି ଘୋଷଣା କଲେ ଯେ ଏ ବୟସରେ ଏତେ କଟକଣା ମାନି ଚଳିବା ତାଙ୍କ ପକ୍ଷରେ ଅସମ୍ଭବ । ସେଥି ସହିତ ମତବ୍ୟକ୍ତ କଲେ ଯେ ମେଡ଼ିକାଲ କଲେଜର ପ୍ରଫେସର ହେଲେ କଣ ହେଲା, ଡାକ୍ତର ବାବୁ ସମ୍ପୂର୍ଣ୍ଣ ଅନାଡ଼ୀ ଓ କପି କରି ପାସ କରିଛନ୍ତି ।

 

ନନ୍ଦ ମଉସାର କାମ ଏଥର ଆହୁରି ବଢ଼ିଗଲା । ବିଶେଷ କରି ବାପାଙ୍କୁ ପଥ୍ୟରେ ରଖିବା ଓ ସକାଳେ ସନ୍ଧ୍ୟାରେ ବୁଲେଇବାକୁ ନେବା ତା ପାଇଁ ଗୋଟାଏ ସମସ୍ୟ ପାଲଟିଗଲା । ତଥାପି ସେ ହାର ମାନିଲା ନାହିଁ । ଅଝଟ ପିଲାଙ୍କୁ ମାଆ ବୁଝେଇ ସୁଝେଇ ପଥ୍ୟରେ ରଖିଲା ଭଳି ସେ ବାପାଙ୍କ ପାଟିତୁଣ୍ଡକୁ ଖାତିର ନ କରି ଜୋକଙ୍କ ପରି ଦିନ ରାତି ଲାଗି ରହିଲା ତାଙ୍କ ପଛରେ । ମୁଁ ଘରେ ରହୁଚି ବୋଲି ବି ସେ ଭୁଲିଗଲା ଏକପ୍ରକାର ।

 

ଶେଷକୁ ଦିନେ ଖାଇବସି ରୋଷେଇରେ ନାନା ପ୍ରକାର ଦୋଷତ୍ରୁଟି ଦେଖେଇ ବାପା ଏମିତି ପାଟିତୁଣ୍ଡ ଲଗେଇଲେ ଯେ ନନ୍ଦ ମଉସାର ବି ଧୈର୍ଯ୍ୟ ତୁଟିଗଲା । ସେ ରାଗିଯାଇ କହିଲା, ‘‘ଚାକିରିକୁ ଯାଉଥିଲ ଭଲ ଥିଲା । ଘରେ ବସି ରୋଜ ସବୁ କଥାରେ ନାଟ ଲଗେଇଚ । ଡାକ୍ତର ଯେମିତି କହିଚି ସେମିତି ରାନ୍ଧି ଖାଇବାକୁ ଦେବି ନା ଆଗ ପରି ତେଲ ମସଲା ଦେଇ ରୋଗ ଆହୁରି ବଢ଼େଇବି !’’

 

ବାପା ଜବାବ ଦେଲେ, ‘‘ତତେ ପରା ସେ ଦିନ କହିଥିଲି, ସେଟା ‘‘ଡାକ୍ତର ନୁହେଁ ଅନାଡ଼ୀଟାଏ । କପି କରି ପାସ କରିଚି । ତା କଥା ଶୁଣି ଲାଭ ନାହିଁ । ମୁଁ ଯେତେବେଳେ ଖାଇବି, ମତେ ଯେମିତି ଭଲ ଲାଗିବ, ସେମିତି ରାନ୍ଧିବାକୁ ପଡ଼ିବ ତତେ । ମୋ ହୁକୁମ ।’’

 

‘‘ଖାଇବ ନା ମୁଁ ଏ ଘର ଛାଡ଼ି ଚାଲିଯିବି ?’’ ମଉସା ଏଥର ଧମକ ଦେଲା ।

 

‘‘ତୁ ଏ ଘରେ ରହ ବା ଯା’ ମୁଁ ଏସବୁ ଅଲଣା ପରିବା ସିଝାଗୁଡ଼ା କସ୍ମିନ୍‌କାଳେ ଖାଇବିନି, ଖାଇବିନି, ଖାଇବିନି । ତ୍ରିବାର ସତ୍ୟ କଲି ମନେରଖ ।’’

 

‘‘ବେଶ ମୁଁ ଗଲା ପରେ ଦେଖିବି, କିଏ ତୁମକୁ ମନ ମୁତାବକ ରୋଷେଇ କରି ଖାଇବାକୁ ଦବ !’’

 

‘‘କେହି ଦେବେନି ମତେ ତୁ ଗଲା ପରେ ।’’

 

‘‘ତେବେ ଖାଇବ କଣ ?’’

 

‘‘କିଛି ଖାଇବିନି ।’’

 

‘‘ବଞ୍ଚିବ କେମିତି ?’’

 

ବାପା ଏଥର ମଉସାକୁ ଛଳଛଳ ଆଖିରେ ଚାହିଁ କହିଲେ, ‘‘ଆଉ ବଞ୍ଚି ରହିବାକୁ ସୁଖ ଲାଗୁନିରେ !’’

 

କହି ସାରି ବାପା ଉଠି ଯାଉଥିଲେ । ନନ୍ଦ ମଉସା ତାଙ୍କୁ ଜୋର କରି ବସେଇ ଛୋଟ ଛୁଆଙ୍କୁ ମା’ ଖୁଏଇ ଦେଲା ପରି ଜବରଦସ୍ତ ଖୁଏଇଲା ।

 

ଖାଉ ଖାଉ ବାପାଙ୍କ ଆଖିରୁ ଦି’ ଟୋପା ଲୁହ ଗଡ଼ିପଡ଼ିଲା ସେ ଦିନ ।

 

ପଢ଼ାଘରେ ବସି ପଢ଼ୁଥିଲେ ବି ଝରକା ବାଟେ ଚାହିଁ ରହି ସେମାନଙ୍କ କଥା ଶୁଣୁଥିଲି । ଶୁଣି ସାରି ମନେ ମନେ ଭାବିଲି କି ଦୁର୍ଦ୍ଦାନ୍ତ ଅଫିସର ନ ଥିଲେ ବାପା ! ଅଫିସ ସାରା ସମସ୍ତେ ଥରହର ହଉଥିଲେ ତାଙ୍କ ପ୍ରତାପରେ । ସେ ପୁଣି ବୋଉ ପରି ନିରୀହ, ଗାଉଁଲୀ, ସରଳ ଗୃହିଣୀଟିଏ ଛାଡ଼ି ଚାଲି ଯିବାରୁ ଏମିତି ଭାଙ୍ଗି ପଡ଼ିଲେ; ଆଶ୍ଚର୍ଯ୍ୟର କଥା । ସମ୍ରାଟ ଶାହାଜାହାନ ସିନା ମମତାଜ ମହଲଙ୍କ ପାଇଁ ଲୋକଦେଖାଣିଆକୁ ତାଜମହଲ ଗଢ଼ି ଯାଇଛନ୍ତି; ନିଶ୍ଚୟ ବାପାଙ୍କ ଭଳି ଏତେ ଭଲ ପାଉ ନ ଥିବେ ତାଙ୍କ ସହଧର୍ମିଣୀଙ୍କୁ । ତା ହୋଇଥିଲେ ଆଗ୍ରା ଦୁର୍ଗରେ ବନ୍ଦୀ ଜୀବନ କାଟି ନ ଥାନ୍ତେ ଚଉଦ ବର୍ଷ କାଳ; ନ ଖାଇ ନ ପିଇ ଝୁରି ଝୁରି ଜୀବନ ହାରି ଦେଇ ଥାଆନ୍ତେ ।

 

ଆଉ ଗୋଟେ କଥା ବି ସେ ଦିନ ମୁଁ ବେଶ ବୁଝି ପାରିଥିଲି ଏଇ କଥାଭାଷାରୁ । ବାପା ତାଙ୍କର ମାନସିକ ଭାରସାମ୍ୟ ଏକପ୍ରକାର ହରେଇ ସାରିଲେଣି ବୋଉ ଚାଲିଯିବା ପରଠୁ । ଏଣିକି ନନ୍ଦ ମଉସା ହିଁ ତାଙ୍କର ଏକମାତ୍ର କର୍ଣ୍ଣଧାର । ଉପରୁ ଡାକରା ଆସିବା ପର୍ଯ୍ୟନ୍ତ ସେଇ ଏକା ତାଙ୍କୁ ବାଟ କଢ଼େଇ ନେଇପାରିବ ଆମ ଭିତରୁ । ଆଉ ଯଦି ସେ ତା ଆଗରୁ ଖସି ଯାଏ, ତେବେ ବେଳ ଆସିବା ଆଗରୁ ବାପା ନିଜେ ନିଜକୁ ଶେଷ କରି ଦେବେ । ଆମେ କେହି ତାଙ୍କୁ ରଖି ପାରିବୁ ନାହିଁ ଯେତେ ଚେଷ୍ଟା କଲେ ବି ।

 

ବାପା ଅବସର ନେଇ ଘରେ ବସିବାର ଛଅମାସ ପରେ ମୁଁ ସୁବିମଳ ବାବୁଙ୍କୁ ପ୍ରଥମେ ଭେଟିଲି ଆମ ଘରେ । ମୁଁ ସେତେବେଳକୁ କଲେଜ ବାହାରୁଥାଏ । ସମୟ ଦିନ ଦଶ । ସେ ଫାଟକ ଖୋଲି ବାରଣ୍ଡାକୁ ଉଠିବାମାତ୍ରେ ମୁଁ ପଚାରିଲି, ‘‘କାହାକୁ ଖୋଜୁଛନ୍ତି ?’’

 

କିଛି ବୁଝି ନ ପାରିଲା ପରି ସେ ମତେ ଚାହିଁଲେ ।

 

କେବଳ ଅମାପ ଦୁଃଖର ଛାପ ଦେଖିଲି ତାଙ୍କ ଆଖିରେ । ପଚାରିଲି, ‘‘ବାପାଙ୍କୁ ଖୋଜୁଛନ୍ତି ?’’

 

ଉତ୍ତର ନ ଦେଇ ସେ ଠିଆ ହୋଇ ରହିଲେ ଆଗ ପରି ।

 

ମତେ ମନେହେଲା ସେ ବୋଧହୁଏ ବାପାଙ୍କ ପାଖକୁ ଆସିଛନ୍ତି କିଛି ସାହାଯ୍ୟ ଭିକ୍ଷା କରିବା ସକାଶେ । କହିଲି, ‘‘ଆପଣ ଅପେକ୍ଷା କରନ୍ତୁ ଏଇ ଘରେ, ବାପା ଖାଇ ବସିଚନ୍ତି ।’’ ମୁଁ ଦାଣ୍ଡଘରର ଆଉଜା କବାଟଟା ଖୋଲି ଦେଲି ।

 

ସେ କିଛି ନ କହି ତାଙ୍କ ଛତାଟିକୁ କବାଟ କୋଣରେ ଡେରି ଦେଇ ଯାଇ ଚୌକିରେ ବସିଲେ ।

 

ମୁଁ ଭିତରକୁ ଯାଇ କହିଲି, ‘‘ବାପା ଆପଣଙ୍କୁ କିଏ ଖୋଜୁଚନ୍ତି । ଦାଣ୍ଡ ଘରେ ବସେଇଚି-।’’

 

‘‘ସୁବିମଳ ବାବୁ !’’ ବୋଲି ବାପା ଅଧା ଖିଆରୁ ଉଠି ପଡ଼ୁଥିଲେ ।

 

ନନ୍ଦ ମଉସା ଟାଣିଧରି ବସେଇ ଦେଇ କହିଲା, ‘‘ଆଗ ଖାଇସାର ।’’

 

‘‘ଓ ହୋ....ତୁ ଆଉ ମଣିଷକୁ ଶାନ୍ତିରେ ରହିବାକୁ ଦବୁନି !’’ କହି ବାପା ପୁଣି ଖାଇ ବସିଲେ ।

 

ମୁଁ କଲେଜ ଚାଲିଗଲି ।

 

ଛଅବର୍ଷ ତଳର ଘଟଣା ହେଲାଣି । ସେହି ଦିନଠୁ ଦେଖି ଆସୁଚି ନିହାତି ଅଘଟଣ ନ ଘଟିଲେ ସୁବିମଳ ବାବୁ ଠିକ ଦଶଟାକୁ ଆସି ପହଞ୍ଚନ୍ତି ଆମ ବସାରେ । ଖରା-ବର୍ଷା-ଝଡ଼-ତୋଫାନ ସବୁ କିଛି ତାଙ୍କ ସକାଶେ ସମାନ । ଭେକ ବି ସେଇ ଏକା । ଧୋତି ଉପରେ ଗଳାବନ୍ଦ ଲମ୍ବା କୋଟ । ଆଖିରେ ଦୁଃଖ ଭରା ଚାହାଣୀ । ହାତରେ କୋଉ ମାନ୍ଧାତା ଅମଳର ଲୁହାବେଣ୍ଟ ଛତା । ବୟସ ଅନ୍ଦାଜ କରିବା ରୀତିମତ କଷ୍ଟ । ତେବେ ପଞ୍ଚଷଠି ସେପାଖ ନିଶ୍ଚୟ; ଯଦିଓ ଦେଖିବାକୁ ପଚାଶ ବାବନ ପରି । ଛଅଫୁଟ ଲମ୍ବ ଶରୀରର ଗଢ଼ଣଟା ଦେଖିଦେଲାମାତ୍ରେ ଯେ କେହି ଜାଣିଯିବ ଯେ ଆଗେ ନିଶ୍ଚୟ ଖେଳ କସରତରେ ଭାଗ ନେଉଥିଲେ ।

 

ପହଞ୍ଚିବାମାତ୍ରେ ସୁବିମଳ ବାବୁ ଚୁପ୍‌ଚାପ୍‌ ଦାଣ୍ଡଘରେ ଚୌକି ଖଣ୍ଡେ ଦଖଲ କରି ଟେବୁଲ ଉପରେ ଡ୍ରରୁ କାଢ଼ି ମେଲେଇ ଦିଅନ୍ତି ଦାବା ପାଲିଟା । ତା ପରେ ନିଜେ ଦୁଇପଟର ଗୋଟି ଚଳେଇ ଖେଳି ଲାଗନ୍ତି ମନକୁ ମନ ।

 

ଟିକିଏ ପରେ ବାପା ଖାଇସାରି ଆସି ବସନ୍ତି ଆର ଚୌକିଟାରେ ଠିକ ତାଙ୍କ ସାମନାକୁ-। ତା ପରେ ଖେଳ ଚାଲେ ଦୁହିଁଙ୍କ ଭିତରେ । ଆଉ ନନ୍ଦ ମଉସା ଘର କାମଦାମ ତୁଟାଉ ତୁଟାଉ ଘଣ୍ଟାକୁ ଘଣ୍ଟା ଚାହା-ପାନ ଯୋଗେଇଦିଏ ବାପା ମୁହଁ ଖୋଲି ମାଗିବା ପୂର୍ବରୁ । କେତେବେଳେ କେମିତି ଅନିବାର୍ଯ୍ୟ କାରଣରୁ ଏଇ ଯୋଗାଣରେ ସାମାନ୍ୟ ଓଲମବିଲମ ହେଲେ ବାପାଙ୍କ ମୁଣ୍ଡ ସାଙ୍ଗେ ସାଙ୍ଗେ ବିଗିଡ଼ିଯାଏ । ନନ୍ଦ ମଉସା ଜାଣିଶୁଣି ତାଙ୍କ ଧ୍ୟାନ ଭାଙ୍ଗିଦେଇ ତାଙ୍କୁ ଖେଳରେ ବଦନାମ କରିବାକୁ ଚାହୁଁଚି ବୋଲି ଦୋଷ ଲଦନ୍ତି ।

 

ଅଫିସରେ କାମ କଲା ଭଳି ଦୈନିକ ଉପରଓଳି ପାଞ୍ଚଟା ଯାଏ ଖେଳ ଚାଲେ ରୀତିମତ-। ଏତକ ସମୟ ବାପା ଅବିରାମ ବକବକ ହୁଅନ୍ତି । ଆଉ କେତେବେଳେ କେମିତି ବଢ଼ିଆ ଚାଲଟାଏ ଚଳେଇଦେଲା ପରେ ନିଜ ଦକ୍ଷତାକୁ ନିଜେ ପ୍ରଶଂସା କରି ଖୁସିରେ ଜୋର ଚିତ୍କାର କରି ଉଠନ୍ତି । ସେ କଥା ଶୁଣିଲେ ଯେ କେହି ଭାବିବ ଯେ ବାପା ହୁଏତ ଜଣେ ଆନ୍ତର୍ଜାତିକ ସ୍ତରର ଦାବା ଖେଳାଳୀ-ନ ହେଲେ ପାଗଳ । ପ୍ରକୃତରେ କିନ୍ତୁ ବାପା ରୋଜ ହାରନ୍ତି ଖେଳରେ । କାରଣ ଦାବା ଖେଳିବା ସକାଶେ ପ୍ରୟୋଜନୀୟ ମାନସିକ ଧୈର୍ଯ୍ୟ ତାଙ୍କର ଆଉ ନାହିଁ ।

 

ଅନ୍ୟ ପକ୍ଷରେ ସୁବିମଳ ବାବୁ ନୀରବ ସାଧକ । ମୂଳରୁ ଶେଷଯାଏ ସେ ତୁଣ୍ଡ ଖୋଲିବାର ମୁଁ କେବେ ଦେଖି ନାହିଁ । ବାଜି ଜିତିଲା ପରେ ମଧ୍ୟ ତାଙ୍କ ହାବଭାବରେ କୌଣସି ପରିବର୍ତ୍ତନ ମୁଁ ଲକ୍ଷ୍ୟ କରି ନାହିଁ । କେବଳ ଏତିକି ଦେଖିଛି ଯେ ସେ ଏପରି ମନ ଧ୍ୟାନ ଲଗେଇ ଖେଳନ୍ତି, ମନେହେବ ସତେ ଯେମିତି ଦାବା ଖେଳିବାଟା ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ଆଉ ଖାସ ସେଇଥି ପାଇଁ ସେ ଏ ସଂସାରକୁ ଆସିଛନ୍ତି ।

 

ବାପାଙ୍କର ସେଦିନ ରକ୍ତଚାପ ସାମାନ୍ୟ ବଢ଼ିଥାଏ । ଡାକ୍ତର ବାବୁ ପରାମର୍ଶ ଦେଇ ଯାଇ ଥାଆନ୍ତି-ସମ୍ପୂର୍ଣ୍ଣ ବିଶ୍ରାମ ନେବା ସକାଶେ । ବିଶେଷ କରି ତାଙ୍କୁ ଦାବା ଖେଳି ବସିବାକୁ ବାରଣ ହୋଇଥାଏ । ତେଣୁ ନନ୍ଦ ମଉସା ବାପାଙ୍କୁ ଜୋର କରି ଘରେ ଶୁଆଇ ରଖି ଜଗି ବସିଥାଏ ଯକ୍ଷଙ୍କ ଭଳି ।

 

ଠିକ ଦଶଟାକୁ ସୁବିମଳ ବାବୁ ଆସି ପହଞ୍ଚି ଗଲେ । ଅଭ୍ୟାସ ମୁତାବକ ଦାଣ୍ଡଘରେ ବସି ଚେସ ପାଲି ମେଲେଇ ଏକା ଏକା ଖେଳି ଲାଗିଲେ ଉପରଓଳି ପାଞ୍ଚଟା ଯାଏ । ଭୁଲରେ ବି ବାପାଙ୍କ ଭଲ ମନ୍ଦ କଥା କାହାକୁ ପଚାରି ବୁଝିଲେ ନାହିଁ; ଯଦିଓ ମଝିମଝିରେ ଘର ଭିତରୁ ସେ ବାପାଙ୍କ ପାଟି ଶୁଣିଚନ୍ତି କେତେ ଥର । ଆଉ ଦାବା ଖେଳି ବସିବାକୁ ଡାକ୍ତରଙ୍କ ମନା ବୋଲି ମଉସାର ଉତ୍ତର ବି ତାଙ୍କ କାନରେ ବାଜିଛି ନିଶ୍ଚୟ ।

 

ଉପରଓଳି ଠିକ ପାଞ୍ଚଟାକୁ ସୁବିମଳ ବାବୁ ଉଠିଲେ ସବୁଦିନ ପରି । କାହାକୁ କିଛି ନ କହି ସେ ନୀରବରେ ତାଙ୍କ ଛତା ଖଣ୍ଡିକ ଧରି ବାହାରିଗଲେ ।

 

କାହିଁକି କେଜାଣି ତାଙ୍କ ହାବଭାବ ଦେଖି ମୋ ମନରେ କୌତୁହଳ ଜାଗିଲା । ମୁଁ ଟିକିଏ ପରେ ତାଙ୍କ ପଛେ ପଛେ ଚାଲିଲି । ସବୁ ଦିନ ପରି ସେ ଆମ ଘରୁ ବାହାର ସିଧାସଳଖ ଚାଲିଲେ ପାର୍କକୁ । ସେଇଠି ଗୋଟାଏ କୋଣକୁ ପଡ଼ିଥିବା ବେଞ୍ଚଟା ଉପରେ ନିରୋଳାରେ ଏକା ବସି ରହିଲେ ରାତି ସାତଟା ଯାଏ । ତାପରେ ଚୁପଚାପ ଉଠି ଚାଲିଲେ କାଳୀ ମନ୍ଦିରକୁ । ସେଠି ଅଧିଆ ପଡ଼ିଲେ ଆଳତି ସାରିବାଯାଏ । ସେଇଠୁ ସେ ଗୋଟିଏ ଗୋଟିଏ ଫେରିଲେ ତାଙ୍କ ବସାକୁ ।

 

ସେହି ଦିନ ରାତିରେ ମୁଁ ଖାଇବସି ମଉସାକୁ ପଚାରିଲି, ‘‘ସୁବିମଳ ବାବୁ ପାଗଳ କି ?’’

 

‘‘ଏଥିରେ ଆଉ କଣ ସନ୍ଦେହ ଅଛି ?’’

 

‘‘ବାପାଙ୍କ ସାଙ୍ଗେ ତାଙ୍କର ଚିହ୍ନା ହେଲା କେମିତି ?’’

 

‘‘ଆଗେ ଏକା ଅଫିସରେ କାମ କରୁଥିଲେ ।’’

 

‘‘କେବେ ?’’

 

‘‘ତୋ ବାପା ଯେତେବେଳେ ପ୍ରଥମେ ଚାକିରି କଲେ ।’’

 

‘‘କାଇଁ ମୁଁ ତ ତାଙ୍କୁ କେବେ ବାପାଙ୍କ ଅଫିସରେ କି ଆମ ଘରେ ଦେଖି ନାହିଁ ।’’

 

‘‘ମୁଁ ବି ତ ଜାଣି ନ ଥିଲି ସେ ବାପାଙ୍କ ସାଙ୍ଗେ କାମ କରୁଥିଲେ ବୋଲି । ଏବେ ପଚାରିଲାରୁ ଜାଣିଲି ।’’

 

‘‘ବାପାଙ୍କ ସାଙ୍ଗେ ତାଙ୍କର ଏବେ ଭେଟ ହେଲା କେମିତି ?’’

 

‘‘ପାର୍କରେ ।’’ କହି ସାରି ମଉସା ଶାସନ କଲା, ‘‘ତୁ ଖାଇଲୁ ଆଗ । ଖାଇଲା ବେଳେ ବକର ବକର ହବା ଭଲ ନୁହେଁ ।’’

 

ତଥାପି ମନର କୌତୂହଳ ମୁଁ ଚାପିପାରି ନ ଥିଲି । ପୁଣି ମଉସାକୁ ଖୋଳିତାଡ଼ି ପଚାରି ବୁଝିଥିଲି ସବୁ କଥା ତା ପରଦିନ ।

 

ଦିନେ କୁଆଡ଼େ ବାପା ଉପରଓଳିକୁ ବୁଲି ବାହାରି ମନ କଲେ ପାର୍କରେ ଯାଇ ଟିକିଏ ବସିବାକୁ । ଆଉ ପାଞ୍ଚ ଦଶ ମିନିଟ ବସିଲା ପରେ କଣ ଭାବି ବାପା ପାର୍କଟା ସାରା ବୁଲି ଦେଖିବାକୁ ବାହାରିଲେ । ବୁଲୁବୁଲୁ ହଠାତ୍‌ ତାଙ୍କ ଆଖି ପଡ଼ିଗଲା ଗୋଟାଏ କୋଣକୁ ଗଛ ଆଢ଼ୁଆଳରେ ପଡ଼ିଥିବା ବେଞ୍ଚଟା ଉପରେ ।

 

ସାଙ୍ଗେ ସାଙ୍ଗେ ବାପା ଚିହ୍ନିପାରି ଖୁସିରେ ଚିତ୍କାର କରି ଉଠିଲେ, ‘‘ସୁବିମଳ ବାବୁ ନା !’’ ତା ପାରେ ଯାଇ ବସିପଡ଼ିଲେ ତାଙ୍କ ପାଖକୁ ଲାଗି । ଆଉ ପ୍ରକୃତି ଦୋଷରୁ ଗପି ଲାଗିଲେ ଗଲା ଦିନ କଥା । ଅଧଘଣ୍ଟାଏ ଯାଏ ବାପା ସେଦିନ ସେଇଠି ଦୁନିଆର କଥା ଗପିଛନ୍ତି କୁଆଡ଼େ । ସୁବିମଳ ବାବୁ ସବୁ ଶୁଣିଛନ୍ତି କେବଳ; ପଦେ ହେଲେ ଉତ୍ତର ଦେଇ ନାହାନ୍ତି ।

 

ରାତି ସାତଟାକୁ ସୁବିମଳ ବାବୁ ଉଠିଲେ ସେଠୁ । ବାପା ବି ଉଠିଲେ ତାଙ୍କ ସହିତ । କାଳୀ ମନ୍ଦିର ଯାଏ ବାପା ସେଦିନ ଯାଇଥିଲେ ତାଙ୍କ ପଛେ ପଛେ । ସେଠି ଠାକୁରାଣୀଙ୍କୁ ମୁଣ୍ଡିଆଟାଏ ମାରି ଦେଇ ଚୁପଚାପ ଠିଆ ହୋଇ ରହିଲେ ଆଳତି ସରିବା ଯାଏ । ନନ୍ଦ ମଉସା ଯେତେ କହିଲେ ବି ସୁବିମଳ ବାବୁଙ୍କୁ ଛାଡ଼ିଦେଇ ସେ ଘରକୁ ଫେରିଲେ ନାହିଁ । ସୁବିମଳ ବାବୁ ବି ଫେରିଲା ବେଳେ ଆମ ଗଳିମୁଣ୍ଡଯାଏ ଆସିଥିଲେ ବାପା ଅନୁରୋଧ କରିଥିବାରୁ । କିନ୍ତୁ ବାପା ଯେତେ ଡାକିଲେ ବି ଘରଯାଏ ଆସିଲେ ନାହିଁ । ଶେଷକୁ ବାପା ସେଇଠୁ ଘରଟା ଚିହ୍ନାଇ ଦେଇ ରୋଜ ଦାବା ଖେଳି ଆସିବା ସକାଶେ ଅନୁରୋଧ ଜଣେଇ ବିଦାୟ ନେଲେ ତାଙ୍କଠୁ ।

 

ଖେଳିବାକୁ ଆସିବେ କି ନାହିଁ, ସୁବିମଳ ବାବୁ ଜବାବ ଦେଇ ନ ଥିଲେ ସେଦିନ । କିନ୍ତୁ ପର ଦିନ ଦଶଟାକୁ ଠିକ ଆସି ପହଞ୍ଚି ଯାଇଥିଲେ ଓ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦୈନିକ ଆସୁଛନ୍ତି ।

 

ସୁବିମଳ ବାବୁ ଆସିବା ପରଠାରୁ ମଉସାର ବୋଝ ବହୁ ପରିମାଣରେ କମିଗଲା । ଏଣିକି ଘର କାମଦାମ ଏକପ୍ରକାର ସୁରୁଖୁରୁରେ ତୁଲେଇବାକୁ ସେ ଖରାବେଳେ ଟିକିଏ ସମୟ ପାଇଲା । ବାପା ବି ଆଗ ତୁଳନାରେ କେତେ ପରିମାଣରେ ଶାନ୍ତଶିଷ୍ଟ ହୋଇଗଲେ । କେବେଳ ସୁବିମଳ ବାବୁଙ୍କ ପରି ଜଣେ ନିଃସ୍ୱାର୍ଥ ନୀରବ ଶ୍ରୋତା ପାଇ ବାପାଙ୍କ ବକବକ ହବା ଅଭ୍ୟାସଟା ଆହୁରି ବଢ଼ିଗଲା ଯାହା ।

 

ପ୍ରଥମରୁ ପ୍ରାୟ ଛଅମାସ ଯାଏ ଦୈନିକ ସବୁ ବାଜିରେ ହାରିଲା ପରେ ଦିନେ ହଠାତ୍‌ ଅବସ୍ଥା ଓଲଟାଗଲା । ସୁବିମଳ ବାବୁ ଲାଗଗାଗ ଦି’ ଥର ହାରିଗଲେ ବାପାଙ୍କଠୁ । ସ୍ୱଭାବ ଗୁଣରୁ ବାପା ପାଟିକରି ସାଇଟା ସାରା ଥରେଇ ଦବା ସାଙ୍ଗେ ସାଙ୍ଗେ ସୁବିମଳ ବାବୁ କେମିତି ଖେଳର ସାଧାରଣ କାଇଦାରେ ଭୁଲ କଲେ ସେ କଥା ବି ଦର୍ଶେଇ ଦେବାକୁ ଭୁଲିଲେ ନାହିଁ ।

 

ତୃତୀୟବାର ହାରିଗଲା ପରେ ସୁବିମଳ ବାବୁ ଉଠିଲେ ଖେଳରୁ ।

 

ବାପା ଚିତ୍କାର ବନ୍ଦ କରି ପଚାରିଲେ,’‘କଣ ହେଲା ?’’

 

‘‘ସକାଳୁ କାହିଁକି ଦେହଟା ଭଲ ଲାଗୁନି’’ ବୋଲି ଉତ୍ତର ଦେଇ ସେ କବାଟ କୋଣରୁ ତାଙ୍କ ଛତାଟା ଧରି ବାହାରିଗଲେ ।

 

ବାପାଙ୍କ ଚାହାଣୀରୁ ମନେହେଲା, ସେ ସୁବିମଳ ବାବୁଙ୍କ ଦୁଃଖଟା ବୁଝିପାରି ନିଜେ ଭାଙ୍ଗି ପଡ଼ିଲେ ।

 

ମୁଁ ଜାଣିଲି, ସୁବିମଳ ବାବୁ ବୋକା ନୁହନ୍ତି । ଅନୁଭବ କରିବାର ଶକ୍ତ ଓ ପ୍ରକାଶ କରିବାର ଭାଷା ତାଙ୍କର ଅଛି ।

 

ବାପାଙ୍କ ପାଟି ହଠାତ୍‌ ବନ୍ଦ ହୋଇଯିବାରୁ ମଉସା ଆଶଙ୍କାର ଘରୁ ବାହାରି ଆସି ପଚାରିଲା, ‘‘କୁଆଡ଼େ ଗଲେ ସେ ?’’

 

ଅନ୍ୟମନସ୍କଙ୍କ ପରି ବାପା ଉତ୍ତର ଦେଲେ, ‘‘ଲୋକଟା ଏଇଲେ କେତେ ଦିନ ଯେ ଠାକୁର ଘରେ ପଶି ଦିନ ରାତି ଗୀତା-ଭାଗବତ ବୋଲିବ କିଏ ଜାଣେ ?’’

 

ବାପାଙ୍କ ରଙ୍ଗଢଙ୍ଗ ଦେଖି ମଉସା ଆଉ କିଛି ପଚାରିଲେ ନାହିଁ ।

 

ତା ପରେ ବାପାଙ୍କ ମୂକଙ୍କ ପରି ବସି ରହିଲେ ସେଇଠି ସନ୍ଧ୍ୟା ହବାଯାଏ । ବୁଲିବାକୁ ବି ବାହାରିଲେ ନାହିଁ ସେଦିନ ।

 

ନନ୍ଦ ମଉସା କି ମୁଁ କେହି ହେଲେ ସାହସ କଲୁ ନାହିଁ ତାଙ୍କ ଧ୍ୟାନ ଭାଙ୍ଗିବା ସକାଶେ ।

 

ରାତି ଆଠଟାକୁ ବାପା ଡାକିଲେ, ‘‘ଆରେ ଜଗୁ !’’

 

‘‘ଆଜ୍ଞା ।’’ ମୁଁ ପଢ଼ାଘରୁ ଉଠି ଆସିଲି ।

 

‘‘ମୋ ସାଙ୍ଗେ ଟିକେ ଆ’ତ ସୁବିମଳ ବାବୁଙ୍କ ବସାକୁ ଯିବା ।’’

 

‘‘ମଉସାକୁ ଡାକି ଦଉଚି ।’’ ମୋ ମନେ ହେଲା ବାପା ଭୁଲରେ ମତେ ଡାକୁଚନ୍ତି ବୋଲି-

 

‘‘ନା,ସେ ରୋଷେଇ କରୁ, ତୁ ଆ’ ’’

 

ବାପା ଓ ମୁଁ ବାହାରିଲୁ । ଯେତେ କହିଲେ ବି ବାପାଙ୍କ ରିକ୍‌ସା କରିବାକୁ ମନା କଲେ । ଅଧ କିଲୋମିଟର ବାଟ ମୋ ସାଙ୍ଗେ ଧୀରେସୁସ୍ଥେ ସେ ଚାଲିଗଲେ ସୁବିମଳ ବାବୁଙ୍କ ଘରଯାଏ ।

 

କଡ଼ା ଖଟଖଟ କଲାରୁ ସୁବିମଳ ବାବୁ ନିଜେ ଆସି କବାଟ ଖୋଲିଲେ । ଆମକୁ ଦେଖି ସେ ରୀତିମତ ଆଶ୍ଚର୍ଯ୍ୟ ହୋଇଗଲା ପରି ମନେହେଲା ।

 

ବାପା ପଚାରିଲେ, ‘‘କେମିତି ଲାଗୁଚି ?’’

 

‘‘ସେତେ ଭଲ ନାହିଁ ।’’ ଉତ୍ତର ଦେଇ ସେ ଟିକିଏ କଡ଼େଇଯାଇ ବାଟ ଛାଡ଼ିଲେ ।

 

ମଠା ଲୁଗା ପରିହିତ ସୁବିମଳ ବାବୁଙ୍କ ସ୍ୱର ଓ ହାବଭାବରୁ ମନେହେଲା ସେ ବର୍ତ୍ତମାନ ଏ ରାଜ୍ୟରେ ନାହାନ୍ତି । ଆଉ କୋଉ ଦୁନିଆକୁ ଚାଲିଗଲେଣି ।

 

ଭିତରକୁ ଯାଇ ଦେଖିଲି, ସତକୁ ସତ ଠାକୁର ଘରେ ଦୀପଟାଏ ମିଟିମିଟି ଜଳୁଚି । ଭାବଗତ ବି ମେଲା ହୋଇ ପଡ଼ିଚି ଆସନ ଆଗରେ ।

 

ବାପା ପୁଣି କହିଲେ,‘‘ନନ୍ଦ ହାତରେ ଫଳମୂଳ କିଛି ପଠେଇଦିଏ ।’’

 

‘‘ନା, ଭୋକ ନାହିଁ ।’’

 

ସେ ଏତେ କଥା କହିବାର ମୁଁ କେବେ ଦେଖିନାହିଁ । ତେଣୁ ଧରି ନେଲି ବୋଧହୁଏ ତାଙ୍କ ଧ୍ୟାନରେ ବାଧା ଉପୂଜାଉଥିବାରୁ ସେ ଆମକୁ ଶୀଘ୍ର ବିଦାୟ ଦବାକୁ ବ୍ୟସ୍ତ । କହିଲି, ‘‘ମଉସା ତ ଭଲ ଅଛନ୍ତି, ଆସ ଏଥର ଯିବା ଆମେ ।’’

 

‘‘ଚାଲ ।’’

 

ଆମେ ଦୁହେଁ ବାହାରିଲୁ । ସେ ମଧ୍ୟ ଆମକୁ ଆଉ ରହିବା ସକାଶେ କହିଲେ ନାହିଁ ।

 

ଫେରିବାବେଳେ ବି ବାପା ରିକ୍‌ସା କରିବାକୁ ମନା କଲେ । ଅନ୍ୟ ମନସ୍କଙ୍କ ପରି ବାଟ ଚାଲିଲାରୁ ମୁଁ ତାଙ୍କ ହାତ ଧରି ବାଟ କଢ଼େଇ ନଉ ନଉ କଥା ଉଠେଇଲି,‘‘ସୁବିମଳ ମଉସାଙ୍କର କଣ କେହି ନାହାନ୍ତି ।’’

 

‘‘ନା ।’’

 

‘‘ଚାକରବାକର ବି ରଖିନାହାନ୍ତି ?’’

 

‘‘ନା ।’’

 

‘‘ସବୁ କାମ ତା ହେଲେ କଣ ସେ ନିଜେ କରନ୍ତି ?’’

 

‘‘ହଁ ।’’

 

‘‘କାହାକୁ ଜଣକୁ ପାଖରେ ରଖୁ ନାହାନ୍ତି ?’’

 

‘‘ପୁଅକୁ ଚାହିଁ ବସିଛନ୍ତି କୋଉ କାଳରୁ ।’’

 

‘‘ପୁଅ କଣ ଘରୁ ପଳେଇଚି ?’’

 

‘‘ସେ ସବୁରେ ତୋର କଣ ଅଛି !’’ ବାପା ବିରକ୍ତ ହେଲା ପରି ମନେହେଲା ।

 

ମୁଁ ଆଉ କିଛି ପଚାରିଲି ନାହିଁ । ତେବେ ଲକ୍ଷ୍ୟ କଲି ଯେ ଜଳକାଙ୍କ ଭଳି ଆଗକୁ ଚାହିଁ ବାପା ମନେ ମନେ କଣ ଭାବି ବାଟ ଚାଲୁଛନ୍ତି । ବୋଧହୁଏ ସେତେବେଳେ ସେ ଆଉ ଗୋଟାଏ ଅଲଗା ଦୁନିଆକୁ ଚାଲିଗଲେଣି ।

 

ବାପାଙ୍କ ଅବସ୍ଥା ଦେଖି ମତେ ଡର ଲାଗିଲା । ଭାବିଲି, ଅତ୍ୟଧିକ ଚିନ୍ତାରୁ ପୁଣି ତାଙ୍କର ରକ୍ତଚାପ ବାହାରି ପଡ଼ିଲେ ଫଳ ଭଲ ହେବ ନାହିଁ । ଏଇ ମାସେ ହେଲା ତ ଭଲ ହେଇଚନ୍ତି ସେଥିରୁ । ତେଣୁ ତାଙ୍କ ଲୟ ଭାଙ୍ଗି ବାକୁ କଥା ବଦଳେଇଲି,‘‘ଭାଉଜଙ୍କୁ ଲେଖୁଚି, କୁନୁକୁ ଧରି ଖରା ଛୁଟିରେ ଆସିବାକୁ ।’’

 

‘‘ଜୀବନଟା ସାରା ନିର୍ଦ୍ଦୋଷରେ ଏଡ଼େ ଭଲ ମଣିଷଟା ଖାଲି ଦୁଃଖ ଭୋଗିଗଲା । ଭଗବାନ ଏଇ କଣ ତୁମର ନ୍ୟାୟ ବିଚାର !’’ ବାପା ମନକୁ କହି ଉଠିଲେ । ମୋର କଥା । କାନକୁ ନବା ଅବସ୍ଥାରେ ସେ ବୋଧହୁଏ ନ ଥିଲେ ସେତେବେଳକୁ ।

 

ବାଟରେ ଆମେ ଆଉ କିଛି କଥା ହୋଇ ନାହୁଁ ।

 

ପରଦିନ ସକାଳକୁ ବାପା ପୁଣି ଠିକ୍‍ ହୋଇଗଲେ । ମଉସା ସାଙ୍ଗେ ଯାଇ ବୁଲାଚଲା କରି ଫେରି ଆସିବାମାତ୍ରେ ପାଟିତୁଣ୍ଡ ଆରମ୍ଭ କରି ଦେଲେ ଆଗ ପରି । ଖବରକାଗଜଟା ମେଲେଇ ବସି ଚାହା ଖାଉ ଖାଉ ନନ୍ଦ ମଉସାକୁ ଶୁଣେଇ ଲାଗିଲେ ଦୁନିଆଯାକର ଖବର ନିଜ ଟୀକା ଟିପଣୀ ସହ । ଆନ୍ତର୍ଜାତିକ ରାଜନୀତିଠୁ ନେଇ ଗାଁ ଗହଳରେ ପାନୀୟ ଜଳର ସମସ୍ୟା ପଯ୍ୟନ୍ତ କିଛି ବାଦ ଗଲା ନାହିଁ ।

 

ମଉସା ଘର କାମ କରୁ କରୁ କେବଳ ଛୋଟ ହୁଁ ହାଁଟାଏ ମାରୁଥାଏ କେତେବେଳେ କେମିତି । କିନ୍ତୁ ବାପାଙ୍କ କଥାରେ ତା ମନ ଥିଲା ପରି ଲାଗୁ ନ ଥାଏ ମତେ ।

 

ହଠାତ୍‌ ମଉସା କୋଉ ଗୋଟାଏ କଥାରେ ଆଓ୍ୱାଜ ନ ଦେଲାରୁ ବାପା ପାଟି କଲେ, ‘‘ଶୁଭୁଚି ନା !’’

 

ନନ୍ଦ ମଉସା ରୋଷେଇ ଘର ଭିତରୁ ଜବାବ ଦେଲା, ‘‘ହଁ କୁହ ମୁଁ ଶୁଣୁଚି ।’’

 

ସତରେ ବାପା ଖବର କାଗଜରୁ ଯେତେ ଖବର ଟୀକା ଟିପଣୀ ସହ ମଉସାକୁ ରୋଜ ସକାଳେ ଶୁଣାନ୍ତି, ସେଥିରୁ ଶତକଡ଼ା ପାଞ୍ଚ ସେ ମନେ ରଖୁଥିଲେ ସାଧାରଣ ଜ୍ଞାନ ପରୀକ୍ଷାରେ ହୁଏତ ସାରା ଭାରତରେ ପ୍ରଥମ ହୁଅନ୍ତା । କିନ୍ତୁ ମଉସା ମତରେ ଏଗୁଡ଼ାକ ଅତି ଅବାନ୍ତର, ମୂଲ୍ୟହୀନ । ତେଣୁ ବାପାଙ୍କ ମନ ରଖିବାକୁ ସେ ଶୁଣିବାର ଛଳନା କରେ କେବଳ ।

 

ବୋଉ କିନ୍ତୁ ବାପାଙ୍କର ଏଇ ବାଚାଳତାଙ୍କୁ ମନ ଦେଇ ଶୁଣୁଥିଲା; ମନେ ରଖୁଥିଲା ବି ଅନେକ କଥା । ମୁଁ କେତେ ଥର ଦେଖିଚି, ଭାଇନା ସାଧରଣଜ୍ଞାନ ପରୀକ୍ଷା ଦବାକୁ ଗଲାବେଳେ ବୋଉକୁ କେତେ କଥା ପଚାରିବାର । ବୋଉ ଅବଶ୍ୟ ପାଠ ପଢ଼ିଥିଲା ମୋଟେ ମାଇନର ଯାଏ ।

 

ତାପରେ କଥାଲହସରେ ଦି’ଚାରି ଥର ସୁବିମଳ ମଉସାଙ୍କ କଥା ଉଠେଇଛି ବାପାଙ୍କ ଆଗରେ । ପ୍ରାୟ ସବୁ ଥର କଥା ଶୁଣିଲା ପରେ ସେ କେମିତିକା ଅନ୍ୟମନସ୍କ ହୋଇ ପଡ଼ିଛନ୍ତି । ମୋ କଥାର ଜବାବ ପ୍ରାୟ ଦେଇ ନାହାନ୍ତି । କେବଳ ଥରେ ତାଙ୍କ ତୁଣ୍ଡରୁ ବାହାରିଛି-ଯିଏ ସବୁ ସାହାଯ୍ୟର ବାହାରେ ତା ମନର ଦୁଃଖ କଥା ଶୁଣି ଲାଭ କଣରେ ପୁଅ ! ଖାଲି ଯାହା ନିଜେ ଗୁଡ଼ାଏ ମାନସିକ ଯନ୍ତ୍ରଣା ଭୋଗିବୁ ସିନା ।

 

ତେଣିକି ଆଉ କେବେ ହେଲେ ବାପାଙ୍କ ଆଗରେ ମୁଁ ଏ କଥା ଉଠେଇ ନାହିଁ । ତେବେ ବାପାଙ୍କ ନିର୍ଦ୍ଦେଶରେ ଦୁଇ ଚାରି ଥର ସୁବିମଳ ମଉସା ଅସୁସ୍ଥ ଥିଲାବେଳେ ଯାଇ ତାଙ୍କ ଭଲମନ୍ଦ ଖବର ବୁଝିଚି । ଆଉ ସେତିକିବେଳେ ବେଶ ବୁଝିଚି ଯେ ସେ ଜଣେ ଦୁନିଆ ବାହାରେ ମଣିଷ । ଏକ ପ୍ରକାର ବିକୃତ ସ୍ୱଭାବର କହିଲେ ଚଳେ ।

 

ଅସୁସ୍ଥ ଅବସ୍ଥାରେ ମଧ୍ୟ ସୁବିମଳ ମଉସା କାହାରି ସାହାଯ୍ୟ ଲୋଡ଼ିବା ମୁଁ ଦେଖିନାହିଁ । ସେ ଅବସ୍ଥାରେ ବି ସେ ଡାକ୍ତରଙ୍କ ଦ୍ୱାରସ୍ଥ ହେବା ମୋ ନଜରରେ ପଡ଼ିନାହିଁ । ନିଜ ଚିକିତ୍ସା ନିଜେ କରିଛନ୍ତି ତାଙ୍କ ହୋମିଓପ୍ୟାଥି ବାକ୍‌ସରୁ ଔଷଧ ଖାଇ । ଥରେ କେବଳ ଔଷଧ ସରିଯାଇ ଥିବାରୁ ଓ ନିଜେ ବଜାରକୁ ବାହାରିବା ଅସମ୍ଭବ ହୋଇ ପଡ଼ିଥିବାରୁ ମୋ ହାତରେ ଔଷଧ ମଗେଇଛନ୍ତି-ସେତିକି ।

 

ସୁବିମଳ ମଉସା ନିଜର ସବୁ କାମ ନିଜେ ତୁଲାନ୍ତି । ସକାଳୁ କେବଳ ଠିକା ବୁଢ଼ୀଟିଏ ଆସି ଘରଦ୍ୱାରା ହାଣ୍ତି କୁଣ୍ଡେଇ ସଫାସୁତୁରା କରି ଦେଇଯାଏ । ଅକାଳେସକାଳେ ଦରକାର ପଡ଼ିଲେ ବଜାରସଉଦା ବି ଆଣି ଦେଇ ସେ ତାର ଚାଲିଯାଏ ବାଡ଼ି ଦରଜାବାଟେ ।

 

ସେତେବେଳେକୁ ସୁବିମଳ ମଉସା ଠାକୁର ଘରେ ପୂଜାପାଠରେ ବ୍ୟସ୍ତ ଥାଆନ୍ତି । ତେଣୁ ଠିକା ବୁଢ଼ୀଟିକୁ ଚୁପଚାପ କାମ ସାରି ଗଲାବେଳେ କାହାରିକୁ କହି ଦେଇ ଯିବାର ପ୍ରୟୋଜନ ପଡ଼େ ନାହିଁ । ସେମିତି କିଛି ଦରକାର ଥିଲେ ସୁବିମଳ ମଉସା ନିଜେ ଉଠି ଆସି ବରାଦ କରନ୍ତି ।

 

ଦୈନିକ ରାତି ଚାରିଟାରୁ ଉଠନ୍ତି ସୁବିମଳ ମଉସା । ତାପରେ ନିତ୍ୟକର୍ମ ଶେଷକରି ରାନ୍ଧି ବସନ୍ତି । ସାମାନ୍ୟ ରାନ୍ଧଣା; ଅରୁଆ ଭାତ-ଡାଲମା । ସବୁଦିନେ ସେଇ ଏକା ବ୍ୟବସ୍ଥା । ରୋଷେଇ ସରିଲାବେଳକୁ ଠିକା ବୁଢ଼ୀଟି ଆସି ପହଞ୍ଚେ କୋଉ ଦିନ କେମିତି ସେ ନ ଆସିଲେ ବି ମଉସା ବ୍ୟସ୍ତ ହୁଅନ୍ତି ନାହିଁ । ନିଜେ ଘରଦ୍ୱାର ଓଳେଇ ସବୁ କାମ ହାତେ ହାତେ ତୁଲେଇ ନିଅନ୍ତି ଅଠୁ କ୍ଷ ଯାଏ ।

 

ଏ କାମତକ ଶେଷ କରି ସେ ପଶନ୍ତି ଠାକୁର ଘରେ । ପ୍ରାୟ ଦୁଇଘଣ୍ଟା ବିତେ ତାଙ୍କର ସେଇଠି ଗୀତା-ଭାଗବତ ପଢ଼ିବାରେ । ଶେଷକୁ ଭଗବାନଙ୍କ ପାଖେ ସେଇ ଗୋଟିଏ ଗୁହାରି ଜଣାନ୍ତି-‘ଠାକୁରେ ତାକୁ ସୁଖରେ ରଖ । ତା ଦୁଃଖ କଷ୍ଟତକ ମତେ ଦିଅ । ସହି ସହି ମୁଁ ତୁମରି ପରି ପଥର ପାଲଟି ଗଲିଣି । ମତେ ଆଉ ବାଧିବ ନାହିଁ ।’

 

କାହାର ସୁଖ ସେ ରୋଜ ମନାସନ୍ତି ମୁଁ ଜାଣେ ନା । ହୁଏତ ଜାଣି ବି ପାରିବିନି ଏ ଜୀବନରେ । ବାପାଙ୍କୁ କେଜାଣି ଅବା ଜଣାଥିବ !

 

ରାତିକୁ କିଛି ଫଳ ଆଉ କ୍ଷୀର ପିଇ ସୁବିମଳ ମଉସା ବିଶ୍ରାମ କରନ୍ତି । କେବେ କୁଆଡ଼େକୁ ଯାଆନ୍ତି ନାହିଁ କି କେହି ତାଙ୍କ ପାଖକୁ ଆସିବାର ମୁଁ ଦେଖି ନାହିଁ । ଦୁଃଖୀରଙ୍କୀଙ୍କୁ ବି ଦାନ କରିବା ତାଙ୍କ ପ୍ରକୃତି ବାହାରେ । କାରଣ ପଇସା ପ୍ରତି ତାଙ୍କ ମାୟାଟା ଅତ୍ୟଧିକ । ସେଥିପାଇଁ ସବୁ କ୍ଷେତ୍ରରେ ସେ କଡ଼ା ଗଣ୍ଡା ହିସାବ କରି ବସନ୍ତି । ବାପା ଓ ନନ୍ଦ ମଉସାଙ୍କ କଥାରୁ କେବଳ ଏତିକି ବୁଝିଚି ଯେ ବ୍ୟାଙ୍କରେ ଟଙ୍କା ଦି’ ତିନି ଲକ୍ଷଯାଏ ତାଙ୍କର ଜମା ରହିଲାଣି । ସେତକ ଶେଷକୁ ଭୂତ ଖାଇବ ।

 

କେତେଥର ଅବଶ୍ୟ ନନ୍ଦ ମଉସା ସାଙ୍ଗେ କଥାଭାଷା ହେଇଚି ସୁବିମଳ ମଉସାଙ୍କ ସମ୍ପର୍କରେ । ବାପାଙ୍କଠାରୁ ନନ୍ଦ ମଉସା କେତେବଳେ କେମିତି ଯାହା ଶୁଣିଚି ମତେ କହିଚି । ସେଥିରୁ ଏତିକି ଜାଣେ ଯେ ସୁବିମଳ ମଉସା ଆଗେ ଏମିତି ନ ଥିଲେ । ବଡ଼ ଦିଲସାରିଆ ଲୋକ ଥିଲେ ସେ । କିନ୍ତୁ କୋଉ ଗୋଟେ ଝିଅକୁ ବାହା ହବାକୁ ଯାଇ ସେଥିରେ ଅସଫଳ ହେଲାରୁ ସେ ଏମିତ ହୋଇ ଯାଇଛନ୍ତି । ଆଉ ଜୀବନଟା ସାରା ଅଭିଆଡ଼ା ରହିଯିବାରୁ ତାଙ୍କ ମୁଣ୍ଡ ଟିକିଏ ବିଗିଡ଼ି ଯାଇଚି । ସେ ମନେ ମନେ ଧରି ନେଇଛନ୍ତି ଯେ ତାଙ୍କର ପୁଅଟି ଅଛି । ଆଉ ସେଇ ପୁଅର ମଙ୍ଗଳ କାମନା କରିବା ସହ ଦୁନିଆର ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି ତା ସକାଶେ । ଯିଏ ଯେତେ ବୁଝେଇେ ବି ସେ ବୁଝିବାକୁ ନାରାଜ ଯେ ଅବିବାହିତ ପୁଣି ପୁଅ ଆସିବ କୁଆଡ଼େ !

 

ଧନ ପ୍ରତି ସୁବିମଳ ମଉସାଙ୍କର ଲୋଭ ସମ୍ପର୍କରେ ମୁଁ ଚାକ୍ଷୁଷ ପ୍ରମାଣ ପାଇଚି ଥରେ । ଭୀଷଣ ଜର ହୋଇଥାଏ ତାଙ୍କୁ । ବାପାଙ୍କ ନିର୍ଦ୍ଦେଶରେ ଡାକ୍ତର ବାବୁଙ୍କ ଧରି ମୁଁ ପହଞ୍ଚିଲି ତାଙ୍କ ପାଖେ । ଡାକ୍ତର ବାବୁ ପିସ ନେବେ ବୋଲି ସେ ତାଙ୍କ ଚିକିତ୍ସା ରହିବାକୁ ମୋଟେ ରାଜି ହେଲେ ନାହିଁ । ବାପା ଆଉ ମୁଁ ତାଙ୍କୁ ବୁଝେଇ ବୁଝେଇ ଥକିଗଲୁ ଏକପ୍ରକାର । ଶେଷକୁ ଡାକ୍ତରୀ ଚିକିତ୍ସାରେ ରହିବାକୁ ତାଙ୍କୁ ବେଶୀ ବାଧ୍ୟ କଲାରୁ ସେ ସିଧାସଳଖ ଜବାବ ଦେଲେ ଯେ ତାଙ୍କ ଯିବାବେଳ ଆହୁରି ଆସି ନାହିଁ । ପୁଅ ସିନା ତାଙ୍କ ପାଖକୁ ଆସିଲା ପରେ ତାକୁ ଥଇଥାନ କରି ସେ ଏ ସଂସାରରୁ ବିଦାୟ ନେବେ !

 

ତାଙ୍କ କଥା ଶୁଣି ବାପା ମଧ ସ୍ତବ୍‌ଧ ହୋଇ ଯାଇଥିଲେ ସେଦିନ । ତାଙ୍କ ପରି କଥା କୁହାଳିଆ ଲୋକ ମୁହିଁରୁ ବି ଉତ୍ତର ପଦେ ବାହାରି ନ ଥିଲା ।

 

ଆଉ ସେହି ଦିନ ମୁଁ ନିଶ୍ଚିତ ହେଲି ଯେ ସୁବିମଳ ମଉସା ବଦ୍ଧପାଗଳ ।

 

ଭାବୁ ଭାବୁ ଅନେକ ରାତି ହୋଇଗଲା । ହାତ ଘଣ୍ଟାକୁ ଚାହିଁ ଦେଖିଲ ଏଗାରଟା ବାଜିବ ଆସି । ହୋଟେଲକୁ ଯିବା ସକାଶେ ଆଉ ମନ ହେଲା ନାହିଁ । ପାଉଁରୁଟି ଓ କ୍ଷୀର ଟିକିଏ ଖାଇ ବିଶ୍ରାମ ନବାରେ ବ୍ୟବସ୍ଥା କରୁ କରୁ ଭାବିଲ କିଏ ଅଛି ଯେ ମୋ ବାହାଘର କଥା ନେଇ ଆଣି ଥୋଇବ !

 

ରାଜୁ ଭାଇନା ବର୍ଷେ ହେଲା ରାଉରକେଲାରୁ ବଦଳି ହୋଇ ମହାରାଷ୍ଟ୍ରର କୋଉ ଗୋଟାଏ ରାଷ୍ଟ୍ରାୟତ୍ତ କାରଖାନାକୁ ଚିଫ୍‌ ଇଞ୍ଜିନିୟର ହେଇ ଗଲାଣି କାବେରୀ ଭାଉଜ ଓ ପୁଅ-ଝିଅଙ୍କୁ ଧରି ।

 

ବିଜୁ ଭାଇନା ବି ଏମ .ଡ଼ି. କଲା ପାରେ ମେଘାଳୟକୁ ଗଲେଣି ଗୋଟାଏ ବଡ଼ ଚାକିରି ପାଇ ।

 

ସନ୍ତୋଷ ଭାଇନା ଓ ବିମଳୀ ନାନୀ ଏଇଲାଗେ କୋରାପୁଟରେ ।

 

ଘରେ କେବଳ ଅଧା ପାଗଳ ବାପା ଓ ନନ୍ଦ ମଉସା । ସେଇ ମଉସା ଏକା ମତେ ହାତକରୁ ଦି’ ହାତ କରିବାକୁ ଦିନରାତି ଚିନ୍ତା କରୁଥିବ । ତେବେ ନନ୍ଦ ମଉସା ମନକୁ ପାଇଲା ଭଳି ଝିଅଟିଏ ଯୋଗାଡ଼ କରି ଦେବ ବା କିଏ ! ପୁଣି ବାହାଘର ପରେ ଯେ ବାପା କଟକ ବସା ଛାଡ଼ି ମୋ ପାଖେ ରହିବାକୁ ରାଜି ହେବେ ତାର କୋଉ ଠିକଣା ବା ଅଛି ?

 

ଶୋଉ ଶୋଉ ଭାବିଲି ଏ ବିଷୟ ମୁଁ ସମରକୁ ଚିଠିରେ କଣ ବା ଲେଖି ଜଣେଇବି ! ବରଂ ସୁବିଧା ଦେଖି କଟକ ଯାଇ ତା ସହିତ ଆଲୋଚନା କରି କିଛି ଗୋଟାଏ ବାଟ କାଢ଼ିବାକୁ ଚେଷ୍ଟା କରିବି ।

 

Unknown

ସମର

 

ମୋ ଚିଠିର ଉତ୍ତର ମାସେ ବିତିଗଲା ପରେ ବି ନ ଯାଇ ଧରିନେଲି ବୋଧହୁଏ ଚିଠିଟା ଜଗତ ପାଇଲାନି । ଡାକ ଘରେ କୋଉଠି ହୁଏତ ହଜିଗଲା । ତେଣୁ ଠିକ କଲି ଆଉ ଥରେ ତାକୁ ସବୁ କଥା ଲେଖି ଜଣେଇବି । ସନ୍ଧ୍ୟାରେ ବସାକୁ ଫେରି କାଗଜ କଲମ ଧରି ଚିଠିଟା ଆରମ୍ଭ କରିବାକୁ ଯାଉଚି ହଠାତ୍‌ ଦାଣ୍ଡଦୁଆରେ ଗୋଟାଏ ଜିପ ଆସି ଅଟକିଲା । ଝରକାବାଟେ ଚାହିଁଲି କିଏ ଆସିଲା ପୁଣି ସେଇଟାରେ ।

 

ଜିପରୁ ଜଗତ ଓହ୍ଲେଇ ଗାଡ଼ିରୁ ତା ବ୍ୟାଗଟା କାଢ଼ି ଅନ୍ୟ ଆରୋହୀଙ୍କୁ କହିଲା, ‘‘ଆପଣ ମତେ ଗେଷ୍ଟ ହାଉସରେ ଅପେକ୍ଷା କରିଥିବେ । ମୁଁ ଠିକ ଏଗାରଟାକୁ ପହଞ୍ଚିବିତାପରେ ସେକ୍ରେଟାରିଏଟ ଯିବା ।’’

 

‘‘ହଉ,’’ କହି ଅନ୍ୟ ଜଣକ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ,’‘ଚାଲ ଏଥର ଭୁବନେଶ୍ୱର ।’’

 

ଡ୍ରାଇଭର ଗାଡ଼ି ବୁଲେଇଲା ।

 

ଜଗତ ଫାଟକ ଖୋଲି ବାରଣ୍ଡାକୁ ଉଠିଲାବେଳେକୁ ନନ୍ଦ ମଉସା ଆସି ଠିଆ ହେଲାଣି ତାକୁ ଅପେକ୍ଷା କରି ।

 

ନନ୍ଦ ମଉସା ବ୍ୟାଗଟା ଜଗତ ହାତରୁ ନେଇ ଖୁସିରେ ପଚାରିଲା, ‘‘ରହିବୁଟି ପାଞ୍ଚ ସାତ ଦିନ ।’’

 

‘‘ଉଁ ହୁଁ .... । ପଅରଦିନ ସକାଳେ ବାହାରିବି ।’’ ଜଗତ ଦାଣ୍ଡଘରକୁ ଯାଇ ଗୋକୁଳି ମଉସାଙ୍କୁ ପ୍ରଣାମଟାଏ କରି ଦେଇ ବାହାରି ଆସି କହିଲା,‘‘ମଉସା ଚା,’ ମୁଁ ଟିକିଏ ସମର ପାଖରୁ ଆସୁଚି ସାଙ୍ଗେ ସାଙ୍ଗେ ।’’

 

ତା ପରେ ଜଗତ ମୋ ବସାକୁ ଆସି କହିଲା, ‘‘ଚିଠି ପାଇଚି । ରାତିକୁ କଥାଭାଷା ହବା-। ହଁ ରାତିରେ ଖାଇବା ଆମ ବସାରେ ।’’ ସେ ମୋ ଉତ୍ତରକୁ ଅପେକ୍ଷା ନ କରି ଚାଲିଗଲା-

 

ରାତିରେ ଖାଇ ସାରି ମୋର ବସାରେ ଅଧରାତିଯାଏ ଆଲୋଚନା କଲୁ ସେ ଓ ମୁଁ । ସେ ମତେ ଟିକିନିଖି ତା ପରିବାରର ସବୁ କଥା ଖୋଲି କହିଲା । ମୁଁ ବି ତାଙ୍କୁ ଗୋକୁଳି ମଉଷାଙ୍କର ଦି’ ଚାରିଟା ଆଡ଼ପାଗାଳମୀ ଘଟଣା ଶୁଣେଇଲି । ଶେଷକୁ ସ୍ଥିର ହେଲା ଯେ ପରିଦିନ ସନ୍ଧ୍ୟାରେ ନନ୍ଦ ମଉସା ସାଙ୍ଗେ କଥାଭାଷା ହେଲା ପରେ ମୁଁ ଜଗତ ବାହାଘରର ବ୍ୟବସ୍ଥା କରିବି । ଆଉ ସେ ଚେଷ୍ଟା କରିବ ଚାରିଛଅ ମାସ ଭିତରେ କଟକ ବଦଳି ହେବା ସକାଶେ ।

 

ସେଦିନ ଫୁଟବଲ ଲିଗର ଗୁରୁତ୍ୱପୂର୍ଣ୍ଣ ଖେଳଟାଏ ଥାଏ । ଦୁଇ ଦଳ ଭିତରୁ ଯିଏ ସେଇ ଖେଳରେ ଜିତିବ ସେ ଲିଗ ବିଜେତା ହେବା ଏକପ୍ରକାର ସୁନିଶ୍ଚିତ । ବିକାଶର ଦଳ ସେଥିମଧ୍ୟରୁ ଗୋଟିଏ । ସେ ମତେ ଖେଳ ଦେଖିଯିବା ସକାଶେ ପାସଟାଏ ଆଣି ଦେଇଥାଏ । ବହୁତ କରି କହିଥାଏ ଯେମିତି ହେଲେ ଦେଖିଯିବା ସକାଶେ ।

 

କୋଉ କାଳରେ ସ୍କୁଲର ପଢ଼ୁଥିଲାବେଳେ ବିକାଶର ଖେଳ ଦେଖିବା ପାଇଁ ଖିଆପିଆ ଭୁଲି ଯାଉଥିଲି । କଲେଜକୁ ଆସିଲ ପରଠାରୁ ଖେଳ ଦେଖିବାଟା ଅନେକ ପରିମାଣରେ କମିଯାଇଛି । ଆଉ ଏବେ ସେ ନିଶା ପ୍ରାୟ ନାହିଁ କହିଲେ ଚଳେ । ତେବେ ଆଜି ପୁଣି ବିକାଶର ଖେଳ ଦେଖିବାକୁ ମିଳିବ ! ସେ ନିଶ୍ଚୟ ୟା ଭିତର ଆହୁର ଭଲ ଖେଳିବଣି । ଗଲା ଚାରିବର୍ଷ ଧରି ରୀତିମତ ରାଜ୍ୟ ଦଳର ସେଣ୍ଟର ଫରଓ୍ୱାର୍ଡ଼ ଭାବରେ ସେ ଖେଳ ଆସୁଚି । ତେଣୁ ହସପିଟାଲରେ କହି ଆସିଥାଏ ଉପରଓଳି ଟିକିଏ ଡେରିରେ ଯିବି ବୋଲି । ଆରଓଳି ଅନେକ କାମ ବି ଶେଷ କରି ଦେଇଥାଏ ଅଧିକା ଘଣ୍ଟାଏ ଖଣ୍ଡେ ରହି ।

 

ଅପରାହ୍ନ ତିନିଟାକୁ କାମରୁ ଫେରି ଖାଇ ବସୁବସୁ ଆଉ ଗୋଟାଏ କଥା ମନେ ପଡ଼ିଗଲା । ଆଜି ଶନିବାର । ଗୋକୁଳି ମଉସାଙ୍କର ସାପ୍ତହିକ ରକ୍ତଚାପ ପରୀକ୍ଷାର ପାଳି । ଏଇ ଗୋଟାକ କଥାରେ ମଉସା ବେଶୀ ତତ୍ପର । ବାର କି ସମୟରେ ଟିକିଏ ଏପଟ ସେପଟ ହେଲେ ତାଙ୍କ ମୁଣ୍ଡ ବିଗିଡ଼ିଯାଏ । ଆଉ ଡାକ୍ତରର ଏଇ ଭୁଲ ପାଇଁ ଶାସ୍ତି ପାଏ ନନ୍ଦ ମଉସା ।

 

ଗୋକୁଳି ମଉସା ଅବଶ୍ୟ ନିଜକୁ ବି ଏଥିରୁ ବାଦ ଦିଅନ୍ତି ନାହିଁ । ନନ୍ଦ ମଉସା ବୋକାମୀରୁ ଡାକ୍ତର ଆସିଲେ ନାହିଁ ବୋଲି ପ୍ରକାଶ୍ୟରେ ଦୋଷାରୋପ କରି ପାଟିତୁଣ୍ଡ କରିବା ସାଙ୍ଗକୁ ସେଦିନ ରାତିରେ ସେ ନିଜେ ପ୍ରାୟଶ୍ଚିତ୍ତ ସ୍ୱରୂପ ଓପାସ ରୁହନ୍ତି । ଫଳରେ ନନ୍ଦ ମଉସା ବି ବାଧ୍ୟ ହୁଏ ଉପବାସ କରିବାକୁ ସେ ରାତିକ ।

 

ତେଣୁ ଖେଳ ଦେଖିଯିବା ଆଗରୁ ଗୋକୁଳି ମଉସାଙ୍କୁ ଯେମିତି ହେଲେ ରାଜି କରେଇ ରକ୍ତଚାପ ମାପିବା କାମ ସାରି ଦେଇ ଯିବାକୁ ହେବ । ନ ହେଲେ ମୋ ହେଳା ପାଇ ଦୁହେଁଯାକ ରାତିଟା ଉପବାସରେ କଟାଇବେ ।

 

ଏକୁଟିଆ ଗୋକୁଳି ମଉସାଙ୍କୁ ନିର୍ଦ୍ଦିଷ୍ଟ ସମୟର ଦୁଇଘଣ୍ଟା ଆଗରୁ ରକ୍ତଚାପ ମାପିବା ସକାଶେ ରାଜି କରେଇବା ମୋ ଅକ୍ତିଆର ବାହାରେ । କେଜାଣି ଅବା ନନ୍ଦ ମଉସା ସାହାଯ୍ୟ କଲେ କାମଟା ହାସଲ ହୋଇ ପାରିବ ! ତେଣୁ ଖାଇସାରି ମଙ୍ଗୁଳି ହାତରେ ଚୁପ୍‌ଚାପ ନନ୍ଦ ମଉସାକୁ ଡକେଇ ପଠେଇଲି ପରାମର୍ଶ କରିବା ସକାଶେ ।

 

ପନ୍ଦର ମିନିଟ ପରେ ନନ୍ଦ ମଉସା ଆସି ପଚାରିଲା, ‘‘କାହିଁକି ଡାକିଲୁ ରେ ପୁଅ ?’’

 

‘‘ବସ ମଉସା ।’’

 

‘‘କଣ କୁହନୁ ?’’ କହୁ କହୁ ସେଇଠି ତଳଟାରେ ସେ ବସି ପଡ଼ିଲା ।

 

‘‘ମୁଁ ଆଜି ଫୁଟବଲ ଖେଳ ଦେଖିଯିବି ବୋଲି ଭାବୁଚି ।’’

 

‘‘କେତେବେଳେ ?’’

 

‘‘ଚାରିଟା ବେଳକୁ ।’’

 

‘‘ଯାଉନୁ ।’’

 

‘‘ଫେରୁ ଫେରୁ ଛଅଟା ହୋଇଯିବ ।’’

 

‘‘ହଉ ।’’

 

‘‘ଗୋକୁଳି ମଉସାଙ୍କ ରକ୍ତଚାପ ମାପିବା ପାଳି ପରା ଆଜି ।’’ ମୁଁ ମନେ ପକେଇ ଦେଲି-

 

‘‘ଆରେ ସତ ତ ।’’ ବୋଲି ମାନିଯାଇ ଟିକିଏ ଚିନ୍ତା କରି ସେ କହିଲା, ‘‘ଆଉ ଟିକିଏ ପରେ ଆ ଯନ୍ତ୍ର ଧରି । ମୁଁ ଯାଉଚି ଚାହା କରିବି । ଚାହା-ପାନ ଦେଲାବେଳେକୁ ଠିକ ପହଞ୍ଚି ଯିବୁ ।’’

 

‘‘ହଉ ।’’

 

ନନ୍ଦ ମଉସା ଚାଲିଗଲା ।

 

ଟିକିଏ ପରେ ଗୋକୁଳି ମଉସାଙ୍କ ଚିତ୍କାର ଶୁଭିଲା ସେପଟୁ । ନିଶ୍ଚୟ ସାମାନ୍ୟ ଚିନ୍ତା କରି ଚାଲଟାଏ ଚଳେଇ ସେ ଆନନ୍ଦରେ ଅଭିଭୂତ ହୋଇ ପଡ଼ିଛନ୍ତି ।

 

ତାର କେତେ ମିନିଟ ପରେ ନନ୍ଦ ମୁଉସାର ସ୍ୱର ଶୁଭିଲା,‘‘ନିଅ, ଚାହା ଟିକିଏ ଆଗ ଖାଇଦେଲ ।

 

ମୁଁ ପ୍ରସ୍ତୁତ ହୋଇ ରହିଥିଲି । ସାଙ୍ଗେ ସାଙ୍ଗେ ଯନ୍ତ୍ରପାତି ଧରି ବାହାରି ପଡ଼ିଲି ।

 

ମତେ ଦେଖିବାମାତ୍ର ନନ୍ଦ ମଉସା କହିଲା, ‘‘ଆ ।’’

 

ଗୋକୁଳି ମଉସା କାନ୍ଥ ଘଣ୍ଟାଟାକୁ ଚାହିଁ ଦେଇ କହି ଉଠିଲେ, ‘‘ଏତେବେଳେ କୁଆଡ଼େ-? ସମୟ ତ ହେଇନି ।’’

 

‘‘ସମର ଟିକିଏ ଆଜି ଖେଳ ଦେଖିଯିବ ।’’ ନନ୍ଦ ମଉସା କହିଲା ।

 

‘‘କି ଖେଳ ?’’

 

‘‘ଫୁଟବଲ ।’’ ମୁଁ ଉତ୍ତର ଦେଲି ।

 

ଗୋକୁଳି ମଉସା ଏଥର ସୁବିମଳ ବାବୁଙ୍କୁ ଚାହିଁ କହଲେ, ‘‘ଆମେ ଯିବା ଚାଲନ୍ତୁ ।’’

 

ସୁବିମଳ ବାବୁ ମୁହିଁ ଟେକି ଆଗ ଗୋକୁଳି ମଉସା ଓ ତା ପରେ ମତେ ଟିକିଏ ଚାହିଁ ପୁଣି ଖେଳରେ ମନ ଦେଲେ ।

 

ଗୋକୁଳି ମଉସା ପ୍ରବର୍ତ୍ତାଇଲେ,‘‘ଚାଲନ୍ତୁନା ସୁବିମଳ ବାବୁ । ତୁମେ ଆଗେ ଭଲ ଫୁଟବଲ ଖେଳୁଥିଲ ’’

 

ନ ଶୁଣି ପାରିଲା ଭଳି ସୁବିମଳ ବାବୁ ଗୋଟିଟାଏ ଚଳେଇବାକୁ ହାତରେ ଉଠେଇ କଣ ଭାବି ପୁଣି ଯଥା ସ୍ଥାନରେ ଥୋଇ ଦେଇ ଆଉ ଟିକିଏ ଚିନ୍ତା କଲେ ।

 

ଗୋକୁଳି ମଉସା ଉତ୍ସାହର ସହିତ କହିଗଲେ ‘‘ଆମେ ବେଳର ଖେଳ,ଏବକା ଖେଳ ଭିତର ତଫାତଟା ଚାଲନ୍ତୁନା ଦେଖି ଆସିବା ।’’

 

ଉତ୍ତର ଦେବା ବଦଳରେ ସୁବିମଳ ବାବୁ ଗୋଟିଟାଏ ଚଳେଇଲେ ।

 

‘‘ଆରେ ବାଃ, ଏମିତିକା କଥା ।’’ ବୋଲି ଉଚ୍ଚାରଣ କରି ଗୋକୁଳି ମଉସା ଖେଳ ଦେଖିଯିବା ପ୍ରସଙ୍ଗ ଭୁଲିଯାଇ ପାଲିର ଗୋଟିଗୁଡ଼ାକୁ ଚାହିଁ ବଡ଼ ପାଟିରେ ଚିନ୍ତା କଲେ, ‘‘ଏଇଟା ଏଠି....ନା, ମରିଯିବ । ଏଇଟା ତାହଲେ...ନା...ହବନି ସୁବିଧା । ହୁଁ...ହୁଁ...ହୁଁ..ହୁଁ...ଏଇ ନିଅନ୍ତୁ । ଆସନ୍ତୁ, ଏଥର କୁଆଡ଼େ ଯିବେ ଦେଖିବି ।’’ ପନ୍ଦର କୋଡ଼ିଏ ସେକେଣ୍ଡ ଭିତରେ ଗୋଟିଟାଏ ଚଳେଇ ଦେଇ ସେ ନନ୍ଦ ମଉସା ହାତରୁ ପାନ ଖଣ୍ଡେ ନେଇ ପାଟିରେ ପୂରେଇଲେ ।

 

ନନ୍ଦ ମଉସା ମତେ ଇସାରାରେ ବତେଇ ଦେଲା । ମୁଁ ଆଗେଇଯାଇ ରକ୍ତଚାପ ମାପି ବସିଲି ।

 

ଗୋକୁଳି ମଉସା ମତେ ଲକ୍ଷ୍ୟ କରି କହିଲେ, ‘‘ତୁମେ ଯାଅ ଖେଳ ଦେଖି ଆସ ସମର-। ମୋର ଯିବାକୁ ମନ ହଉଥିଲା ଯେ ଯିବି କାହା ସାଙ୍ଗେ ? ସୁବିମଳ ବାବୁଙ୍କର ତ ମନ ନାହିଁ । ତୁମେ ତ ପିଲାଲୋକ । ତୁମ ସାଙ୍ଗେ ଆଉ ସାଙ୍ଗ ହବାକୁ ବଳ ବୟସ କାଇଁ ମୋର । ଆଉ ନନ୍ଦଟା ତ ଗଜଟାଏ । ଫୁଟବଲ କଣ ଜାଣେନି; ଖେଳ ଦେଖିବା ତ କାହିଁ କେତେ ବାଟରେ ।’’

 

ଏଡ଼େ ସହଜରେ କାମଟା ହାସଲ ହୋଇଯିବ ବୋଲି କଳ୍ପନା କରି ନ ଥିଲି । କାମ ସାରି ବାହାରି ଗଲି ଖେଳ ଦେଖି, ଆଉ ବିଳମ୍ୱ ନ କରି ।

 

କ୍ଳବ ହାଉସର ଅଧା ଜାଗା ଏକପ୍ରକାର ଖାଲି ପଡ଼ିଥାଏ, ଯଦିଓ ଗାଲେରୀରେ ବେଶ କେତେ ଜଣ ଦର୍ଶକ ଥାଆନ୍ତି । ମୁଁ ଏକା ହୋଇ ଥିବାରୁ ବାଛି ବାଛି ଯାଇ ଗୋଟାଏ କଡ଼କୁ ନିରୋଳାରେ ବସିଲି । ଆଉ ଠିକ ଖେଳ ଆରମ୍ଭ ହେଲା ବେଳକୁ ମୋ ପାଖକୁ ଲାଗି ପଡ଼ିଥିବା ଚୌକିରେ ଦୁଇଜଣ ବୟସ୍କ ଦର୍ଶକ ଆସି ବସିଲେ ।

 

ଖେଳ ଆରମ୍ଭ ହେଲା ପରେ ସେ ଦୁହିଙ୍କ କଥାଭାଷାରୁ ଜାଣିଲି ଯି ସେମାନେ ପୁରୁଣା ନିଶାଖୋର । ଯୁବାବେଳ କଥା ମନେ ପକେଇ ଆଜି ଆସିଛନ୍ତି ଖେଳ ଦେଖି ।

 

ବେଶ ପାଟିତୁଣ୍ଡ ଭିତରେ ଖେଳ ଚାଲିଲା । ତଥାପି ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରିଲେ ନାହିଁ । ମତେ ମନେ ହେଲା ଦୁଇପକ୍ଷ ଯେମିତି ଗୋଲ ଦେବା ବଦଳରେ ଗୋଲ ନ ଖାଇବା ସକାଶେ ବେଶୀ ତତ୍ପର । ତେଣୁ ପ୍ରତିଯୋଗିତାଟି ନୀରସ ଲାଗୁଥାଏ ।

 

ମଧ୍ୟାହ୍ନ ବିରତିବେଳେ ମୋ ପାଖକୁ ଲାଗି ବସିଥିବା ବୁଢ଼ାଙ୍କ ଭିତରୁ ଜଣେ କହିଲେ,‘‘ଉଠନ୍ତୁ, ରମାନାଥ ବାବୁ ।’’

 

‘‘କୁଆଡ଼େ ?’’

 

‘‘ଭଲ ଲାଗୁନି ଏ ଖେଳ ।’’

 

‘‘ବସନ୍ତୁ ନା ନିଶାମଣି ବାବୁ । ଦେଖିବେ, ସେକେଣ୍ଡ ହାଫ୍‌କୁ ବେଶ୍‌ ଜମିବ ।’’

 

‘‘ଯେତେ ହେଲେ ଆମ ବେଳ ଖେଳ ପରି ନୁହେଁ ।’’

 

‘‘ଏବେ ଖେଳ ପଦ୍ଧତି ବଦଳିଗଲାଣି ପରା !’’

 

‘‘ମନେ ପଡ଼ୁଚି, ଆମ ବେଳର ଅଖତର କଥା । ଏ ବ୍ୟାକ ଏରିଆରୁ ବଲ ମାରିଲେ ଯାଇ ପଡ଼ୁଥିଲା ଆରପଟ ବ୍ୟାକ ଏରିଆରେ ।’’

 

‘‘ଚେହେରାଟା ତାର କେମିତି ଷଣ୍ଢାମାର୍କା ଥିଲା !’’

 

‘‘ତା ସତ । ଗୋଟାଏ ପହିଲମାନତ ।’’ କହିସାରି ସେ ଖବର ଦେଲେ ‘‘ବର୍ଷକ ତଳେ ତା ସାଙ୍ଗେ ଦେଖା ହୋଇଥିଲା ।’’

 

‘‘କୋଉଠି ?’’

 

‘‘ବାଲେଶ୍ୱରରେ ।’’

 

‘‘କେମିତି ଅଛି ?

 

‘‘ଆଉ ସେ ଆଗ ଚେହେରା ନାହିଁ । ବେମାରିଆ ହେଇଗଲାଣି ଏକବାରେ ’’

 

‘‘ସତୁରି ଟପି ଯିବିଣି । ଆମଠୁ ବଡ଼ ନୁହେଁ କି ?’’

 

‘‘ତିନି ଚାରି ବର୍ଷ ବଡ଼ ହବ ।’’

 

ଆର ଅଧକ ଖେଳ ଆରମ୍ଭ ହେଲା । ପୁଣି ଦି’ ପକ୍ଷ ଯାକ ମାନ୍ଦା ଖେଳ ଖେଳି ଲାଗିଲେ-। କେହି ହେଲେ ଗୋଲ ଦେବାକୁ ଚେଷ୍ଟା କଲା ଭଳି ମନେ ହେଲା ନାହିଁ ମତେ । କେବଳ ନିଜ ଉପରେ ଗୋଲ କେମିତି ନ ହେବ ସେହି ଚେଷ୍ଟା ରହିଲେ ଖେଳାଳୀମାନେ ।

 

ଏ ଅଧିକର ଅଧା ସମୟ ଏମିତି ବିତିଗଲା । ହଠାତ୍‌ ବିକାଶ ଅପର ପକ୍ଷର ଜଣକଠୁ ବଲଟା ଛଡ଼େଇ ନେଇ ନିଜ ପଟ ଲେଫ୍‍ଟ ଆଉଟଙ୍କୁ ପାସ କରି ଦେଲା । ସେ ଟିକିଏ ବାଟ ବଲ ଧରି ଆଗେଇ ଯାଇ ଅସୁବିଧାରେ ପଡ଼ିଯିବାରୁ ପୁଣି ପାସ କରି ଦେଲେ ବିକାଶକୁ । ଆଉ ଆଖି ପିଛୁଳାକେ ବିକାଶ ବିପକ୍ଷ ବ୍ୟାକ ଦୁହିଁଙ୍କୁ ଚିତାକାଟି ବଲ ଧରି ଆଗେଇ ଯାଇ ବ୍ୟାକ ଏରିଆ ଉପରୁ ମାରିଲା ଗୋଲକୁ ।

 

ଦେଖିଣହାରୀଙ୍କ ଭିତରୁ ଅଧେ ଆନନ୍ଦରେ ଗୋଲ ବୋଲି ଚିତ୍କାର କରି ନାଚି ଉଠିଲେ-

 

ମୋ ପାଖକୁ ଲାଗି ବସିଥିବା ରମାନାଥ ବାବୁ ସ୍ମରଣ କଲେ,‘‘ଦେଖିଲୁ ନିଶାମଣି ।’’

 

‘‘କଣ ?’’

 

‘‘ଆମ ବେଳେ ବିମଳ ଏମିତି ଆଖିପିଛୁଳାକେ ବଳ କଟେଇ ନେଇ ଗୋଲ ଦଉ ନ ଥିଲା ।’’

 

‘‘ୟାଠୁ ଆହୁରି ତେଜ ଥିଲା ବିମଳ ।’’ କହି ନିଶାମଣି ବାବୁ ପଚାରିଲେ, ‘‘ସେ ଏଇଲାଗେ କୋଉଠି ?’’

 

‘‘କଟକରେ ଅଛି ।’’

 

‘‘କଣ କରୁଚି ?’’

 

‘‘ଘରେ ବସିଚି ଏକୁଟିଆ । ତେବେ ସେ ଆଉ ମଣିଷ ଅବସ୍ଥାରେ ନାହିଁ ।’’

 

‘‘ମାନେ ?’’

 

‘‘ଅନେକ ଦିନରୁ ପ୍ରାୟ ପାଗଳ ହେଇ ଗଲାଣି କହିଲେ ଚଳେ ।’’

 

‘‘କାହିଁକି ?’’

 

‘‘ଠିକ ଜାଣେନି । ବହୁତ ଦିନ ତଳେ ଥରେ ଶୁଣିଥିଲି ଯେ କୋଉ ପ୍ରେମ ଫ୍ରେମ ବ୍ୟାପାରରେ ପଡ଼ି ତାର କୁଆଡ଼େ ଏ ଅବସ୍ଥା ହେଲା ।’’

 

ଏମିତି ସେମାନେ ତାଙ୍କ ଅମଳର ନାନା କଥା ମନେ ପକଉ ପକଉ ଶେଷ ଯାଏ ଖେଳ ଦେଖିଲେ ।

 

ଗୋଲଟା ହେଲା ପରେ ଅବଶ୍ୟ ଖେଳ ଟିକିଏ ଜମିଲା । ତଥାପି ଆଉ ଗୋଲ ହେଲା ନାହିଁ କାହା ପଟେ ।

 

ସେଦିନ କଣ ଗୋଟାଏ ପର୍ବ ଯୋଗୁ ଛୁଟିଥାଏ । ମନେ ମନେ ସ୍ଥିର କରିଥାଏ ଦିନଟା ସାରା ବିଶ୍ରାମ ନେବି ବୋଲି । ଉପରଓଳିକୁ ମନ ହେଲେ ବିକାଶ ଘରକୁ ଯିବି ବୁଲିବାକୁ । ମାଉସୀଙ୍କ ଭଲ ମନ୍ଦ ବି ବୁଝି ଆସିବି । ଆଉ ବିକାଶ ରାଜି ହେଲେ ସିନେମା ଦେଖି ଆସିବୁ ଏକାଠି ।

 

ମାଉସୀ ଭଲ ହେବା ପରଠାରୁ ଅବଶ୍ୟ ବିକାଶ ସାଙ୍ଗେ ମୋର ଆଉ ଦେଖା ହୋଇନି କହିଲେ ଚଳେ । ସେହି ଯାହା ଲିଗ ଫୁଟବଲ ଖେଳ ଦେଖିଯିବା ସକାଶ; ସେ ଆସି ମତେ ହସପିଟାଲରେ ପାସଟାଏ ଦେଇ ଯାଇଥିଲା, ସେତିକି । ତା ପରଠୁ ବିଭିନ୍ନ ଫୁଟବଲ ପ୍ରତିଯୋଗିତା ସକାଶେ ଓଡ଼ିଶା ଦଳ ପକ୍ଷରୁ ବଛା ହୋଇ ସେ ଏତେ ବ୍ୟସ୍ତ ରହିଲା ଯେ ମୋ ସହିତ ଆଉ ଦେଖା ହେବାର ଅବକାଶ ନ ଥିଲା । ଆଜି ସକାଳ କାଗଜରୁ ପଢ଼ିଲି, ଓଡ଼ିଶା ଦଳ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ଫେରିଲେଣି । ତେଣୁ ସେ ନିଶ୍ଚୟ ଘରେ ଥିବ ।

 

ଖରାବେଳେ ଖାଇସାରି ଟିକିଏ ବିଶ୍ରାମ ନେବାର ଉପକ୍ରମ କରୁଚି, ଗୋଟାଏ ସ୍କୁଟର ଆମ ଗଳି ଭିତରକୁ ପରି ମନେ ହେଲା । ଇଚ୍ଛା ହେଲା ବାହାରକୁ ଯାଇ ଦେଖିବି ଏ ଅମୁହାଁ ଗଳିକୁ ସ୍କୁଟର ଚଢ଼ି ଆସିଲା କିଏ । ଏ ଗଳିର ଏକା ମତେ ଛାଡ଼ି ଦେଲେ ଆଉ କାହାରି ଗାଡ଼ି କି ସ୍କୁଟର ନାହିଁ । ତେଣୁ ହଠାତ୍‌ ଖିଆଲ ହେଲା ହୁଏତ ମୋ ପାଖକୁ କିଏ ଆସୁଚି । ତଥାପି ଶେଯରୁ ଉଠିବାକୁ ମନ ହେଲା ନାହିଁ । ମୋ ପାଖକୁ ଆସିଥିଲେ ବଳେ ଡାକିବ । ମଙ୍ଗୁଳି ଦାଣ୍ଡଘରେ ଶୋଇଚି; ଡାକ ଶୁଣି ଉଠି ପଚାରି ବୁଝି ମତେ ଖବର ଦେବ ।

 

ସ୍କୁଟରଟା ଠିକ୍‌ ମୋ ବସା ଆଗ ସାମନାରେ ରହିଲା । ମୁଁ କାନ ଡେରିଲି । ଅଳସୁଆମିରୁ ଉଠି ଝରକା ବାଟେ ଚାହିଁ ଦେଖିବାକୁ ମନ ହେଲା ନାହିଁ । ଓଲଟି କେମିତି ଟିକିଏ ବିରକ୍ତ ଲାଗିଲା । ତଥାପି ମନେ ମନେ ପ୍ରସ୍ତୁତ ହେଲି କିଏ ଡାକୁଥିଲେ ଉଠିବି ବୋଲି । କାରଣ ସ୍କୁଟରଟା ଯେତେବେଳେ ମୋରି ଘର ଆଗ ସାମନାରେ ଆସି ଅଟକିଛି ନିଶ୍ଚୟ ଭଦ୍ରଲୋକ ମତେ ଖୋଜୁଛନ୍ତି । ଗୋକୁଳି ମଉସାଙ୍କ ପାଖକୁ କେହି ଏ ସମୟରେ ଆସିବାର ପ୍ରଶ୍ନ ହିଁ ନାହିଁ ।

 

‘‘ଡକ୍ଟର ସମର ମହାପାତ୍ରଙ୍କ ଘର କେଉଁଟା କହି ପାରିବେ କି ?’’

 

କଥା ପଦକ କାନରେ ବାଜିବାମାତ୍ରେ ମୁଁ ଧଡ଼ପଡ଼ ହୋଇ ଉଠି ବସି ଦାଣ୍ଡ ଝରକା ବାଟେ ଚାହିଁଲି । ବିକାଶ ହାତରେ ଟିଫିନ୍‌ କ୍ୟାରିଅରଟାଏ ଧରି ଗୋକୁଳି ମଉସାଙ୍କ ଦାଣ୍ଡଘର ଦୁଆର ମୁହଁରେ ଠିଆ ହୋଇଚି । ଭାବି ପାରିଲି ନାହିଁ କାହାକୁ ପଚାରି ମୁଁ ଏଇ ଗଳିରେ ରହୁଚି ବୋଲି ସେ ଜାଣିଲା ! ମୁଁ ତାକୁ କେବେ ବତେଇ ନାହିଁ ମୋ ବସା ଠିକଣା । ସେ ବି ମତେ ପଚାରି ନାହିଁ ଥରେ ହେଲେ । ଦେଖାସାକ୍ଷାତ, କଥାବାର୍ତ୍ତା ସବୁ ସେଇ ହସପିଟାଲରେ ।

 

‘‘ଉଁ....ଡକ୍ଟର ସମର ମହାପାତ୍ର....’’ ଗୋକୁଳି ମଉସା ଉତ୍ତରରେ ଉଚ୍ଚାରଣ କଲେ ଘର ଭିତରୁ, ସ୍ୱର ବେଶ ଗମ୍ଭୀର ।

 

‘‘ଆଜ୍ଞା ।’’

 

‘‘ଭିତରକୁ ଆସ ।’’

 

ବିକାଶ ଭିତରକୁ ଗଲା ।

 

‘‘ଚୌକିଟା ସେଠୁ ଟାଣିଆଣି ବସ । କିଛି ମନେ କରିବିନି । ଆମେ ବୁଢ଼ା ଲୋକ । ଉଠି ତୁମ ପାଇଁ ଚୌକି ଟେକିଆଣି ପକେଇବାକୁ କଷ୍ଟ ହେବ ।’’ ଗୋକୁଳି ମଉସା ସ୍ପଷ୍ଟ ବୁଝେଇ ଦେଲେ-

 

ମୁଁ ଜାଣିଲି, ଗୋକୁଳି ମଉସା ଆଜି, ସମ୍ପୂର୍ଣ୍ଣ ତେଜ ଅଛନ୍ତି । ତେଣୁ କାନ ଡେରିଲି ଉପଭୋଗ କରିବାକୁ ।

 

ଚୌକିଟା ଟାଣିଆଣି ବସୁ ବସୁ ବିକାଶ ପୁଣି ପଚାରିଲା, ‘‘ଡକ୍ଟର ସମର ମହାପାତ୍ର... ।’’

 

‘‘ଭୁଲ କହୁଚ ବାବୁ । ଡକ୍ଟର ନୁହେଁ ଡାକ୍ତର । କେବଳ ଯେଉଁମାନେ ଗବେଷଣା କରି ଡିଗ୍ରୀ ପାଆନ୍ତି ସେମାନଙ୍କୁ ଡକ୍ଟର କୁହାଯାଏ । କଣ ବୁଝିଲ ଏଥର ।’’ ମଉସା ପାଠ ପଢ଼େଇଲେ ।

 

‘‘ଆଜ୍ଞା ।’’

 

‘‘ତୁମ ନାଁ କଣ ?’’

 

‘‘ବିକାଶ ଦାଶ’’

 

‘‘ମଝିରେ ଚନ୍ଦ୍ର, କୁମାର କି ଚରଣ କିଛି ନାହିଁ ?’’

 

‘‘ନା ।’’

 

‘‘ଦେଖିଲେ ସୁବିମଳ ବାବୁ, ଆଜିକାଲି ପିଲାଙ୍କ ଚେହେରା ସାଙ୍ଗେ ନାଁଗୁଡ଼ାକ ବି ଏକବାରେ ଆଧୁନିକ ହୋଇ ଗଲାଣି । ନାଁ ଅଛି ଆରମ୍ଭରେ ଶ୍ରୀ କି ମଝିରେ ଆଉ କିଛି । କାନକୁ ଅବଶ୍ୟ ଭଲ ଶୁଭୁଚି ଆମ ବେଳର ନାଁଗୁଡ଼ାକ ତୁଳନାରେ ।’’ ମନ୍ତବ୍ୟ କରି ସାରି ସେ ପୁଣି ପଚାରିଲେ, ‘‘ଘର କୋଉଠି ବାବୁ ତୁମର ?’’

 

‘‘ଥୋରିଆ ସାଇ ।’’

 

‘‘ପୈତୃକ ଘର ?’’

 

‘‘ନା, ଭଡ଼ା ।’’

 

‘‘ପୈତୃକ ଭିଟା କୋଉଠି ତା ହେଲେ ?’’

 

‘‘ବଳରାମପୁର ।’’

 

‘‘କୋଉ ବଳରାମପୁର ?’’

 

‘‘କେନ୍ଦୁଝର ଜିଲା ।’’

 

‘‘ଗାଁରେ କିଏ ସବୁ ଆଛନ୍ତି ?’’

 

‘‘କେହି ନାହାନ୍ତି ।’’

 

‘‘ଘର ତା ହେଲେ ଖାଲି ପଡ଼ିଚି ?’’

 

‘‘ମୁଁ ଜାଣେନି ।’’

 

‘‘ଆଉ ଜାଣିବାର ଏଥିରେ କଣ ରହିଲା ? କେହି ଯେତେବେଳେ ରହୁ ନାହାନ୍ତି, ନିଶ୍ଚୟ ସାପ, ମୂଷା ବସା ବାନ୍ଧିବେଣି ।’’ ମତ ପ୍ରକାଶ କରି ସାରି ଗୋକୁଳି ମଉସା ପୁଣି ପଚାରିଲେ; ‘‘କୋଠା ନା ଚାଳ ?’’

 

‘‘ମୁଁ ଦେଖିନି ।’’

 

‘‘ତୁମ ଘର ତୁମେ ନିଜେ ଦେଖିନ ! ଏ ପୁଣି କେମିତିକା କଥା ?’’

 

‘‘ମା’ ଠୁ ଶୁଣିଚି ।’’

 

‘‘ବାପା ?’’

 

‘‘ନାହାନ୍ତି ।’’

 

‘‘କୁଆଡ଼େ ଗଲେ ?’’

 

‘‘ମୁଁ ଜନ୍ମ ହେବା ଆଗରୁ ସଂସାର ଛାଡ଼ି ଚାଲି ଯାଇଛନ୍ତି ।’’

 

‘‘ବଡ଼ ଦୁଃଖର କଥା । .....’’

 

ଏତିକି ବେଳକୁ ଚାହା-ଜଳଖିଆ ଟିକିଏ ଧରି ପ୍ରବେଶ କରୁ କରୁ ନନ୍ଦ ମଉସା କହିଲା, ‘‘ସଂସାରରେ ରହିବା ଯିବା କଣ କାହା ହାତ କଥା ! ସବୁ ସେଇ ଭଗବାନଙ୍କ ଲୀଳା ।’’

 

‘‘ସତେ ଯେମିତି ରୋଜ ଟେଲିଫୋନରେ ତୁ ଭଗବାନଙ୍କ ସାଙ୍ଗେ କଥାଭାଷା ହଉଚୁ ! ଜାଣିଲୁ ନନ୍ଦ, ତୋ ପରି ଚରମ ବୁଦ୍ଦୁ ଏ ସଂସାରରେ ଆଉ ଦ୍ୱିତୀୟଟିଏ ଜନ୍ମ ହୋଇନି ।’’ ଗୋକୁଳି ମଉସାଙ୍କ ଲୟ ବଦଳି ଗଲା ।

 

‘‘ନଅ ଟିକିଏ ଖାଇଦିଅ ଆଗ ।’’

 

‘‘ଜାଣିଲୁ, ଏଇଥି ପାଇଁ ମୁଁ ତୋ ଉପରେ ବିରକ୍ତ ହୁଏ ସିନା ! ନ ହେଲେ ତୋର ବଦଗୁଣ ତୁଳନାରେ ସୁଗୁଣ ଅନ୍ୟମାନଙ୍କଠୁ ଯଥେଷ୍ଟ ବେଶି ।’’

 

‘‘ମୁଁ ପୁଣି କଣ କଲି ? ନନ୍ଦ ମଉସା କାବା ହୋଇ ପଚାରିଲା ।

 

‘‘ଦେଖୁଚୁ ଜଣେ ଭଦ୍ରଲୋକ ବସିଚନ୍ତି । କୋଉ ବୁଦ୍ଧିରେ ତୁ ଏକା ମୋରି ପାଇଁ ଚାହା ଧରି ଆସିଲୁ ଶୁଣେ ? ପୁଣି ଯଦିବା ଭୁଲରେ ନେଇ ଆସିଲୁ ତେବେ ଆଗ ସିନା ଭଦ୍ରଲୋକଙ୍କୁ ଯାଚି ଥାଆନ୍ତୁ !’’ ନନ୍ଦ ମଉସା ଉପରେ ଅକାରଣରେ ବିରକ୍ତ ହୋଇ ସାରି ସେ ବିକାଶକୁ କହିଲେ, ‘‘ନିଅ, କିଛି ଭାବିବନି ବାବୁ । ମୋ ପାଇଁ ସେ ଆଉ ଆଣିବ ।’’

 

‘‘ଦେଖୁଚି, ତୁମ ମୁଣ୍ଡ ବିଗିଡ଼ି ଗଲାଣି ।’’ ନନ୍ଦ ମଉସା ଓଲଟି ଦୋଷ ଦେଲା ।

 

‘‘ପୁଣି ମତେ ବାହାର ଲୋକଙ୍କ ଆଗରେ ଅପମାନ କଲୁ ! ଏ ସବୁ ଗୁଣ ତୋର ଭଲ ନୁହେଁ, କହୁଚି ।’’

 

‘‘ସେ ଚାହାରେ ଚିନି ଅଛି ?’’ ନନ୍ଦ ମଉସା ଜେରା କଲା ।

 

‘‘ନା ।’’

 

‘‘ଭଦ୍ରଲୋକଙ୍କୁ ଯାଚୁଚ କେମିତି ତା ହେଲେ ? ସେ କଣ ତୁମ ବୟସର ହେଇଚନ୍ତି ଯେ ବେଗର ଚିନିର ଚାହା ଖାଇବେ ?’’

 

‘‘ତୁ ପଛରେ ଚିନି ଟିକିଏ ଆଣି ଚାମୁଚରେ ଗୋଳେଇ ଦେଇଥିଲେ ହେଇ ନ ଥାନ୍ତା ?’’

 

‘‘ଖାଇଲ ତୁମ ଚାହା । ମୁଁ ତାଙ୍କ ପାଇଁ ଆଉ କପେ କରି ଆଣୁଚି ।’’ ନନ୍ଦ ମଉସା ବାହାରି ଆସିଲା ।

 

‘‘ନା, ନା ଥାଉ । ମୁଁ ଏଇଲେ ଘରୁ ଖାଇ ଉଠିଲି ।’’ ବିକାଶ ଆପତ୍ତି କଲା ।

 

‘‘ତୁମେ ନ ଖାଇଲେ ମୁଁ ବି ଖାଇବିନି କହି ରଖୁଚି ।’’

 

‘‘ଆପଣଙ୍କର ଚାହା ଖାଇବା ବେଳ, ଆପଣ ଖାଇବେନି କାହିଁକି ? ମୋର ସିନା ଚାହା ଖାଇବା ବେଳ ନୁହେଁ ଏଇଟା ।’’

 

‘‘କହିଲି ତ ଖାଇବିନି । ତା ପରେ ବି ରୋଜ ଏଇ ଶୁଖିଲା ଚୂଡ଼ାଭଜା ଗୁଡ଼ା ଖାଇ ଖାଇ ବିରକ୍ତ ଲାଗିଲାଣି ।’’ ହଠାତ୍‌ କଥା ବୁଲେଇ ଗୋକୁଳି ମଉସା ପଚାରିଲେ, ‘‘ସେ ଟିଫିନ୍‌ ବାଟିରେ କଣ ଅଛି ?’’

 

‘‘ପିଠା ।’’

 

‘‘ଦେଖି ଦେଖି ? ଟିକିଏ ପରେ ପୁଣି ଶୁଭିଲା, ‘‘ଭାରି ବଢ଼ିଆ ଲାଗୁଚିତ । କିଏ କରିଚି-?’’

 

‘‘ମା ।’’

 

‘‘ଚମତ୍‌କାର । ସୁବିମଳ ବାବୁ ଗୋଟାଏ ଖାଆନ୍ତୁ ନା । ନିଅନ୍ତୁ ନିଅନ୍ତୁ ।’’ ପୁଣି ଟିକିଏ ପରେ ଗୋକୁଳି ମଉସା କହି ଉଠିଲେ, ‘‘ବଢ଼ିଆ ହେଇନି ସୁବିମଳ ବାବୁ ?’’

 

ଏଥର ଜାଣିଲି, ସୁବିମଳ ବାବୁ ପିଠା ଖଣ୍ଡେ ନେଇ ଖାଇଲେଣି ବୋଲି । ତଥାପି ବିଶ୍ୱାସ କରିବାକୁ ସାହସ ହେଲା ନାହିଁ । ଏଡ଼େ ନିଷ୍ଠାପର ଲୋକର ନିଷ୍ଠା ତେବେ ଭାଙ୍ଗିଗଲା ସାମାନ୍ୟ ଖଣ୍ଡେ ପିଠା ଲୋଭରେ ! ମନର କୌତୂହଳ ଶାନ୍ତ କରିବାକୁ ବାହାରି ପଡ଼ିଲି ଘରୁ ନିଜ ଆଖିରେ ଦେଖି ଆସିବାକୁ ସୁବିମଳ ବାବୁ ସତରେ ପିଠା ଖାଇଲେ କି ନାହିଁ । କିନ୍ତୁ ଦୁଆର ମୁହଁରେ ଅଟକି ଗଲି ନନ୍ଦ ମଉସା ପାଟିରେ ।

 

‘‘ତୁମର କିଏ କହିଲା ପିଠା ଖାଇବାକୁ ? ଡାକ୍ତର ପରା ମନା କରିଚି ?’’ ନନ୍ଦ ମଉସା ଆଉ କପେ ଚାହା ଧରି ଆସି ପାଟି କରି ଉଠିଲା ।

 

‘‘ଭାରି ବଢ଼ିଆ ଲାଗୁଚିରେ ନନ୍ଦ । ନେ, ତୁ ଗୋଟେ ଖା’ ’’ ଗୋକୁଳି ମଉସା ଲୋଭ ଦେଖେଇଲେ ।

 

‘‘ଦେହ ପୁଣି ଖରାପ ହେଲେ କଣ ହବ କହିଲ ?’’ ନନ୍ଦ ମଉସା ବ୍ୟସ୍ତ ହୋଇ ପଡ଼ିଲା-

 

‘‘ସମରକୁ କହି ଔଷଧ ନେଇ ଆ । ପିଠା ଖାଇସାରି ଔଷଧ ଖାଇ ଦେବି । ଆଉ କିଛି ହବନି । ନେ ତୁ ଗୋଟେ ନେ ଚାଖ ।’’ ଗୋକୁଳି ମଉସା ଆନନ୍ଦରେ ପିଠା ଖାଉ ଖାଉ ସମାଧାନରେ ସହଜ ସୂତ୍ରଟାଏ ବତେଇ ଦେଲେ ।

 

‘‘କଣ ଆଉ କହିବି ତୁମକୁ ! ପିଲା ଲୋକ, କାହା ପାଇଁ ପିଠା ଧରି ଆସିଥିଲେ କେଡ଼େ ସରଧାରେ । ଆଉ ତୁମେ କୁହାନାହିଁ, ବୋଲାନାହିଁ, ସେଥିରୁ ଗୋଟେ ଖାଇ ଦେଲ । ପୁଣି ସୁବିମଳ ବାବୁଙ୍କ ପ୍ରକୃତି ବି ଆଜି ବିଗିଡ଼ି ଗଲା । ସେ ବି ଗୋଟେ ଖାଇଲେ । ଏଇଟା କଣ ଭଲ କାମ କଲ-?’’ ନନ୍ଦ ମଉସା ନାପସନ୍ଦ କଲା ।

 

‘‘ସତ କଥାତରେ ନନ୍ଦ । ତାଙ୍କ ଅନୁମତି ନବା ମୋର ଉଚିତ ଥିଲା । କଣ ଏବେ କରାଯିବ କହିଲୁ ?’’

 

ଏତିକିବେଳକୁ ମୁଁ ପହଞ୍ଚି ଯାଇ କହିଲି, ‘‘କିଛି କରିବା ଦରକାର ନାହିଁ ମଉସା । ଆଉ ଗୋଟେ ନେଇ ଖାଆନ୍ତୁ ।’’ ମୁଁ ଟିଫିନ୍‌ ବାଟିରୁ ଆଉ ଗୋଟେ ଗୋଟେ ପିଠା କାଢ଼ି ଦୁହିଁଙ୍କୁ ଦେଲି । ଆଶ୍ଚର୍ଯ୍ୟ ବି ହୋଇଗଲି ଯେତେବେଳେ ସୁବିମଳ ବାବୁ ମୋ ହାତରୁ ଆଉ ଖଣ୍ଡେ ପିଠା ନେଇ ଖାଇଲେ ।

 

ଗୋକୁଳି ମଉସା କିନ୍ତୁ ଏତିକିରେ ଛାଡ଼ିଲେ ନାହିଁ ଆମକୁ । ପ୍ରାୟଶ୍ଚିତ୍ତ ସ୍ୱରୂପ ବଜାରରୁ ସନ୍ଦେଶ-ରସଗୋଲା-ଚମଚମ ମଗେଇ ପେଟେ ଲେଖାଁ ଗିଳେଇଲେ ମତେ ଆଉ ବିକାଶକୁ, ଏକପ୍ରକାର ବାଧ୍ୟ କରି ।

 

ତାଙ୍କ କବଳରୁ ମୁକ୍ତ ହୋଇ ଆମେ ଦୁହେଁ ମୋ ବସାରେ ଗୋଡ଼ ଦେବାମାତ୍ରେ ବିକାଶ ମତ ଦେଲା, ‘‘ବଡ଼ ବିଚିତ୍ର ଭଦ୍ରଲୋକତ !’’

 

‘‘ଅଧା ପାଗଳ କହିଲେ ଚଳେ ।’’

 

‘‘ତୁ ତ ତା ହେଲେ ନାକେଦମ ହୋଇ ଯାଉଥିବୁ ।’’

 

‘‘ଟିକିଏ ବୁଦ୍ଧି ଖର୍ଚ୍ଚ କରି ସମ୍ଭାଳିବାକୁ ପଡ଼ୁଚି ।’’

 

‘‘ଆମେ ବି ସେ ବୟସରେ ପହଞ୍ଚିଲେ କଣ ହବା କିଏ କହି ପାରିବ ?’’

 

‘‘ତା ବି ଠିକ ।’’ କହି ମୁଁ ଯୋଡ଼ିଲି, ‘‘ବୁଢ଼ା ବୟସରେ ବୁଢ଼ୀ ଆଗ ଚାଲିଗଲେ ବୋଧହୁଏ ସବୁ ପୁରୁଷଙ୍କ ମୁଣ୍ଡ ଏମିତି ବିଗିଡ଼ି ଯାଏ ।’’

 

‘‘ଛାଡ଼ ଭାଇ, ଯାହା ଭାଗ୍ୟରେ ଥିବ ଘଟିବ ।’’

 

‘‘ବଡ଼ ଭାଗ୍ୟବାଦୀ ହେଇ ଗଲୁଣି ତ ଦେଖୁଚି ।’’

 

‘‘ନିରୂପାୟ ।’’

 

‘‘ମାନେ ?’’

 

‘‘ଦେଖ ସମର, ନିଜ ଅଭିଜ୍ଞତାରୁ ଜାଣୁଚି ଏ ଦୁନିଆଟା ଗୋଟାଏ ଭେଳିକି । ଏଠି ସମସ୍ତେ ଜନ୍ମ ହବା ପରଠୁ ସତ୍‌-ଅସତ୍‌ ଯେକୌଣସି ବାଟରେ ନିଜ ଆତ୍ମୀୟ ସ୍ୱଜନଙ୍କଠାରୁ ନେଇ ଅନ୍ୟମାନଙ୍କୁ ପଛରେ ପକେଇ ଆଗକୁ ମାଡ଼ିଯିବା ସକାଶେ ବ୍ୟଗ୍ର ଆଉ ଯିଏ ଯେତେ ଆଗକୁ ଯାଉନା କାହିଁକି, ଦୁନିଆଟାକୁ ଛାଡ଼ି ଯିବାର ବେଳ ଆସିଲା ବେଳକୁ ମନେ କରେ ଯେ ଆହୁରି ଅନେକ କିଛି ଆଶା ନ ମେଣ୍ଟି ରହିଗଲା । ତେଣୁ ମୁଁ ଭାବୁଚି, ଭାଗ୍ୟ ଉପରେ ପ୍ରକୃତରେ ଯଦି ପୂର୍ଣ୍ଣ ବିଶ୍ୱାସ ରଖିବାଟା ସମ୍ଭବ ହୁଏ, ତେବେ ଜୀବନରେ ହୁଏତ ଶାନ୍ତି ମିଳିପାରେ ।’’

 

ଆଶ୍ଚର୍ଯ୍ୟ ହୋଇ ଚାହିଁଲି ବିକାଶକୁ । ମନେହେଲା, ବିଧବା ମା’ର କଷ୍ଟ ଦେଖି ଦେଖି ସେ ବୋଧହୁଏ ପଥର ପାଲଟି ଗଲାଣି ।

 

ସେ ପଚାରିଲା, ‘‘କଣ ଭାବୁଚୁ ?’’

 

‘‘କିଛି ନାହିଁ ।’’ ଉତ୍ତର ଦେଇ ସାରି ପ୍ରସ୍ତାବ କଲି, ‘‘ସିନେମା ଯିବା ?’’

 

‘‘କୋଉ ଶୋ ।’’

 

‘‘ଫାଷ୍ଟ ।’’

 

‘‘ଚାଲ । ଗଲାବେଳେ କିନ୍ତୁ ଘରବାଟ ଦେଇ ଯିବା । ମା’କୁ କହି ଦେଇ ଯିବି ।’’

 

‘‘ହଉ ।’’

 

ଟିକିଏ ପରେ ଆଉ ଗପିବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଲା ତେଣେ କଣ ହେଲା କେଜାଣି, ଗୋକୁଳି ମଉସା ପ୍ରତି ଅଧଘଣ୍ଟାକୁ ଥରେ କିସ୍ତିମାତ୍‌ କରି ଖୁସିରେ ନାଚିଲେ ପଡ଼ି । ତାଙ୍କ ପାଟିରେ ଆଖପାଖ କମ୍ପିଗଲା ।

 

ନନ୍ଦ ମଉସା ଘର କାମଦାମ ପକେଇ ଦେଇ ଆସି ଠିଆ ହେଲା ପାଖରେ । ପାରୁପର୍ଯ୍ୟନ୍ତ ଚେଷ୍ଟା କଲା ଗୋକୁଳି ମଉସାଙ୍କ ପାଟିକୁ ଅକ୍ତିଆର ଭିତରେ ରଖିବାକୁ ।

 

ପ୍ରାୟ ଦେଢ଼ଘଣ୍ଟା ଯାଏ ଏମିତି ଚାଲିଲା ପରେ ନିଆଁରେ ପାଣି ପକେଇଲା ଭଳି ଗୋକୁଳି ମଉସା ହଠାତ୍‌ ଥଣ୍ଡା ପଡ଼ିଗଲେ । ସେତେବେଳକୁ ସେ ତିନିଥର କିସ୍ତିମାତ୍‌ କରି ସାରିଲେଣି । ମୋ ଜାଣିବାରେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବ୍ୟାପାର ଏଇଟା । କାରଣ ଥରେ ହେଲେ ଗୋକୁଳି ମଉସା ବାଜି ଜିତିବାର ମୁଁ ଦେଖିନାହିଁ ଏଠି ରହିବା ଦିନଠାରୁ ।

 

ପାଟି ବନ୍ଦ ହୋଇ ଯିବାରୁ ମୁଁ ଝରକା ବାଟେ ଚାହିଁ ଦେଖିଲି । ସୁବିମଳ ବାବୁ ତାଙ୍କ ଛତାଟି ଧରି ଖେଳରୁ ଉଠି ବାହାରି ଯାଉଛନ୍ତି ଦୈନିକ ଯିବା ସମୟ ଘଣ୍ଟାକ ଆଗରୁ । ବୋଧହୁଏ ଆଜି ସେ ଗୋକୁଳି ମଉସାଙ୍କ ବ୍ୟବହାରରେ କ୍ଷୁବ୍‌ଧ ।

 

ସେଇଠୁ ଯେ ଗୋକୁଳି ମଉସାଙ୍କ ପାଟି ବନ୍ଦ ହେଲା ଆଉ ଖୋଲିଲା ନାହିଁ ସନ୍ଧ୍ୟା ଯାଏ-। ଏମିତି କି ପାଞ୍ଚଟା ବାଜିଗଲା ପରେ ବି ସେ ବୁଲି ବାହାରିଲେ ନାହିଁ । ନନ୍ଦ ମଉସା କେତେ ଥର ଆସି ମନେ ପକେଇ ଦେଇ ଗଲା ବୁଲି ଯିବା ସକାଶେ । ତଥାପି ଗୋକୁଳି ମଉସା ଉତ୍ତର ନ ଦେଇ ଚୁପଚାପ ଗାଲରେ ହାତ ରଖି ଦାବା ପାଲିକୁ ଚାହିଁ ରହିଲେ ପଥର ପରି ।

 

ନନ୍ଦ ମଉସା ଆସି ମତେ ସବୁ କଥା ଜଣେଇ ଦେଇ ଗଲା । ମୁଁ ତାକୁ ବୁଝେଇ ଦେଲି ଯେ ଏଥିରେ ବ୍ୟସ୍ତ ହବାର କିଛି ନାହିଁ । ବଳେ ଗୋକୁଳି ମଉସାଙ୍କ ଧ୍ୟାନ ଭାଙ୍ଗିବ । କାରଣ ସେତେବେଳେ ଆଉ ଗୋକୁଳି ମଉସାଙ୍କ ପାଖକୁ ଯିବା ପାଇଁ ମନ ହେଲା ନାହିଁ । ଭୟ ଲାଗିଲା, ଥରେ ଏ ଅବସ୍ଥାରେ ତାଙ୍କ ହାବୁଡ଼େ ପଡ଼ିଗଲେ ହୁଏତ ରାତି ପର୍ଯ୍ୟନ୍ତ ଆଉ ରକ୍ଷାମିଳିବ ନାହିଁ ।

 

ନନ୍ଦ ମଉସାକୁ ବୁଝେଇ ସୁଝେଇ ବିଦାକରି ମୁଁ ଓ ବିକାଶ ବାହାରିଲୁ । ତା ବସାରେ ପହଞ୍ଚି ଦରଜା ଖୋଲିବା ସକାଶେ ଘଣ୍ଟି ବଜେଇବା ପୂର୍ବରୁ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲୁ ଏକବାରେ-। ଦରମେଲା ଝରକାବାଟେ ଭିତରକୁ ଚାହିଁଲୁ । ମାଉସୀ ଭିତର ବାରଣ୍ଡାରେ ବସି ଅଭ୍ୟାସ ମୁତାବକ ତାଙ୍କ ଠାକୁରଙ୍କ ପାଇଁ ଫୁଲହାର ଗୁନ୍ଥୁଗୁନ୍ଥୁ ଭଜନଟାଏ ଗାଉଛନ୍ତି ମନଖୁସିରେ । ବେଶ ମୋଲାୟମ ସ୍ୱର । ମୁହଁରେ ତାଙ୍କର ଆନନ୍ଦରେ ଢେଉ । ଭଲ ବି ଲାଗୁଥାଏ ଶୁଣିବାକୁ ।

ଏ କଥା ଦେଖି ବିକାଶ ମତେ ଚାହିଁଲା । ମୋର ମନେ ହେଲା ସେ ଏକପ୍ରକାର ବିଚଳିତ ହୋଇ ପଡ଼ିଚି । ତା ହାବଭାବରୁ ଜାଣିଲୁ, ଏ ରୂପରେ ସେ ତା ମା’ କୁ ବୋଧହୁଏ ପ୍ରଥମ କରି ଦେଖୁଚି । ତେଣୁ ମନରେ ଛନକା ପଶି ଗଲାଣି ଯେ ପୁଣିତ ବୋଧହୁଏ ମାଉସୀଙ୍କର ପାଗଳାମୀ ବାହାରିବ ।

ମୋ ମନରେ ଭୟର ସଞ୍ଚାର ହୋଇ ନ ଥିଲା ତା ନୁହେଁ, ତଥାପି ମନ ଭିତରଟା କହି ଉଠିଲା, ଡରିବାର କିଛି କାରଣ ନାହିଁ । କୋଉ ଗୋଟେ କଥାରୁ ମାଉସୀ ଆଜି ଖୁସି ଅଛନ୍ତି । ସତେ ଯେମିତି ବହୁ ଦିନର ଆଶାଟାଏ ଆଜି ତାଙ୍କର ମେଣ୍ଟିଚି । ହସ ହସ ମୁହଁରେ ମୁଁ ବିକାଶକୁ ଇଶାରା ଦେଲି ଘଣ୍ଟି ଟିପିବା ସକାଶେ ।

ମାଉସୀ ଫୁଲ ଗୁନ୍ଥା ବନ୍ଦ କରି ଉଠି ଆସି ଦରଜା ଖୋଲି ପଚାରିଲେ, ‘‘ଏତେବେଳଯାଏ କୁଆଡ଼େ ଯାଇଥିଲୁ ?’’

‘‘ସମର ବସାରେ ଥିଲି ।’’

‘‘ଭୋକ କରିବଣି । ଆ ଖାଇବୁ ।’’

‘‘ନା ଭୋକ ନାହିଁ ।’’ ତାପରେ ନିଜକୁ ସମ୍ଭାଳି ନ ପାରି ସେ ପଚାରି ଦେଲା, ‘‘ତୋ ଦେହ ଭଲ ଅଛି ତ ମା’ ??

‘‘ଆଜି କାହିଁକି ଭାରି ଭଲ ଲାଗୁଚିରେ ମତେ ।’’ ଉତ୍ତର ଦେଇ ମାଉସୀ ପୁଣି ଯାଇ ଗୁଣୁ ଗୁଣୁ ସ୍ୱରରେ ଭଜନ ଗାଉ ଗାଉ ଫୁଲଗୁନ୍ଥାରେ ମନ ଦେଲେ ଆମ ଉପସ୍ଥିତିକୁ ଅବଜ୍ଞା କରି ।

‘‘କଣ ଭାବୁଚୁ ?’’ ବିକାଶ ପଚାରିଲା ।

‘‘ମୁଁ କିଛି ଠଉରେଇ ପାରୁନି ।’’ ପ୍ରକୃତରେ ମାଉସୀଙ୍କର ଏଇ ଅଭିନବ ବ୍ୟବହାରର କୂଳ-କିନାରା କିଛି ଖୋଜି ପାଇଲି ନାହିଁ ଯେତେ ଚିନ୍ତା କଲେ ମଧ୍ୟ ।

‘‘ଆଉ କାହାକୁ ଡାକିବା ?’’

‘‘ସେମିତି କିଛି ସାଂଘାତିକ ପରି ମନେ ହଉନି ମତେ ।’’

‘‘ଏଇ ପ୍ରଥମ ମା’କୁ ମୁଁ ଖୁସିରେ ଗୀତ ଗାଇବାର ଦେଖିଲି ।’’

‘‘ମୁଁ କହିବି ଭଜନ ଗାଇବାର ଅଭ୍ୟାସ ଅଛି ମାଉସୀଙ୍କର । ବୋଧହୁଏ ତୁ ଘରେ ଥିଲାବେଳେ କେବେ ଗାଇ ନାହାନ୍ତି ବୋଲି ଶୁଣିପାରି ନାହୁଁ । ଅଭ୍ୟାସ ନ ଥିଲେ କଣ ଏଡ଼େ ସୁନ୍ଦର ଗାଇ ପାରନ୍ତେ !’’ ମତାମତ ଦେଇ ସାରି କହିଲି, ‘‘ସିନେମା ଯିବାନି ଆଜି ।’’

 

‘‘ଆଉ ?’’

 

‘‘ଏଇଠି ବସି ଗପିବା । ମାଉସୀଙ୍କର ସେମିତି କିଛି ହୋଇଥିଲେ ବଳେ ଜଣାପଡ଼ିଯିବ । ତେଣିକି ଯାହା କରିବାର କରିବା ପଛେ ।’’

 

‘‘ଠିକ୍‌ ଅଛି ।’’ ସେ ରାଜି ହେଲା ।

 

ଆମେ ଦୁହେଁ ଗପସପ କରି ସମୟ କାଟିବାକୁ ଚେଷ୍ଟା କଲୁ । ତେବେ ଆନନ୍ଦ ପାଇଲୁ ନାହିଁ ଆଗ ପରି । କାରଣ ଗପ କଲାବେଳେ ବି ଦୁହେଁ ନଜର ରଖିଥାଉ ମାଉସୀଙ୍କ ଉପରେ । ମନରୁ ଆଶଙ୍କା ସହଜେ ଦୂର ହେଉ ନ ଥାଏ ଯେତେ ଚେଷ୍ଟା କଲେ ବି ।

 

ଆମ ବ୍ୟବହାର ବୋଧହୁଏ ମାଉସୀଙ୍କ ଆଖିକୁ ଭଲ ଦିଶିଲା ନାହିଁ । ସେ ତାଙ୍କ ନିଜ ଆଡ଼ୁ ଦି’ଚାରି ଥର କହିଲେ, ‘‘ଘରଟା ଭିତରେ କାହିଁକି ବସିଚ ସଞ୍ଜବେଳଟାରେ ! ପିଲା ଲୋକ, ଯାଉନ କୁଆଡ଼ୁ ଟିକିଏ ବୁଲାବୁଲି କରି ଆସିବ ।’’

 

ତଥାପି ଆମେ ଉଠିଲୁ ନାହିଁ । ମାଉସୀଙ୍କୁ ଏଣୁତେଣୁ ଆଳ ଦେଖେଇ ବସି ରହିଲୁ ଦାଣ୍ଡଘରେ ।

 

ମାଉସୀ ମନଖୁସିରେ ସନ୍ଧ୍ୟାବତୀ ଦେଇ, ଠାକୁର ପୂଜା ସାରି ରୋଷେଇରେ ଲାଗିଲେ-। ମତେ ବି କହିଗଲେ ରାତିରେ ଖାଇବାକୁ ସେଇଠି ନଅଟା ବେଳକୁ ସେ ରୋଷେଇ ସାରି ଆମକୁ ଖାଇବାକୁ ଦେଲେ ।

 

ଖାଇ ସାରି ମୁଁ କଥାପ୍ରସଙ୍ଗରେ ପ୍ରସ୍ତାବ କଲି ଏତେ ସମୟ ବସିଲିଣି ଯେତେବେଳେ ମାଉସୀଙ୍କ ସ୍ୱାସ୍ଥ୍ୟ ଟିକିଏ ପରୀକ୍ଷା କରିଯାଏ । ମନେ ମନେ ସ୍ଥିର କରିଥାଏ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାହାନାରେ ସୁବିଧା କରି ନିଦ ବଟିକାଟାଏ ଖୁଏଇ ଦେଇ ଯିବି ତାଙ୍କୁ । ଫଳରେ ରାତିକ ସେ ଶୋଇଯିବେ । ସକାଳକୁ ଯାହା ହବାର ହବ ।

 

ମାଉସୀ ମୋଟେ ରାଜି ହେଲେ ନାହିଁ ମୋ ପ୍ରସ୍ତାବରେ । ଓଲଟି ସର୍ବଜ୍ଞାନ ପରି ବୁଝେଇ ଦେଲେ, ‘‘ବ୍ୟସ୍ତ କାହିଁକି ହଉଚି ରେ । କହିଲି ପରା ମୋର କିଛି ହେଇନି । ଆଜି ମତେ ଭାରି ଆନନ୍ଦ ଲାଗୁଚି ।’’

 

ବିଦାୟ ନେଲାବେଳକୁ ମୁଁ ବିକାଶକୁ ସାନ୍ତ୍ୱନା ଦେଲି, ‘‘ମୋର ମନେହୁଏ ମାଉସୀ ଠିକ୍‌ ଅଛନ୍ତି । ତାଙ୍କର କିଛି ହୋଇ ନାହିଁ । ତେବେ ଏ କଥା ସତ କୌଣସି କାରଣରୁ ତାଙ୍କ ମନ ପ୍ରଫୁଲ୍ଲ ଅଛି ଆଜି । ମାନସିକ ବିଷାଦଗ୍ରସ୍ତ ରୋଗୀଙ୍କର ଅବଶ୍ୟ ବେଳେ ବେଳେ ଏମିତି ଉପସର୍ଗ ଦେଖାଦିଏ । ଆପାତତଃ ଚିନ୍ତିତ ହେବାର କିଛି ନାହିଁ ।’’ ସ୍କୁଟରରେ ଷ୍ଟାର୍ଟ ଦଉ ଦଉ ମୁଁ ଯୋଡ଼ିଲି, ‘‘ମୁଁ ଘରେ ରହିବି ରାତି ସାରା । ସେମିତି କିଛି ଅସୁବିଧା ହେଲେ ମତେ ଯାଇ ଉଠେଇବୁ ।’’

 

ବିକାଶଠାରୁ ବିଦାୟ ନେଇ ଘରେ ପହଞ୍ଚିବାମାତ୍ରେ ମଙ୍ଗୁଳି ଖବର ଦେଲା, ‘‘ନନ୍ଦ ମଉସା ଖୋଜି ଗଲେଣି କେତେ ଥର ।’’

 

‘‘କାହିଁକି ?’’

 

‘‘କେଜାଣି ?’’

 

ମନରେ ଆଶଙ୍କା ହେଲା, ବୋଧହୁଏ ଗୋକୁଳି ମଉସାଙ୍କ ରକ୍ତଚାପ ପୁଣି ବଢ଼ିଲାଣି । ଖରାବେଳେ ସେ ଉତ୍ତେଜିତ ହୋଇ ଯେତେ ପାଟି କରିଚନ୍ତି, ସେଥିରେ ଅବଶ୍ୟ ରକ୍ତଚାପ ବଢ଼ିଯିବାଟା କିଛି ଅସମ୍ଭବ ନୁହେଁ । ଅଗତ୍ୟା ମୁଁ ତରବରରେ ଗୋକୁଳି ମଉସାଙ୍କ ଘର ଫାଟକ ଖୋଲି ବାରଣ୍ଡାକୁ ଉଠିଲି ।

 

ଘର ଭିତରକୁ ପଶିବାକୁ ଯାଉଚି ଗୋକୁଳି ମଉସା ଦାଣ୍ଡଘର ଭିତରୁ ଡାକିଲେ, ‘‘ସମର-!’’

 

‘‘ଆଜ୍ଞା ।’’ ମୁଁ ବୁଝିଲି ସେ ମତେ ଅପେକ୍ଷା କରିଛନ୍ତି । ଜାଣିଲି, ତାଙ୍କ ରକ୍ତଚାପ ବଢ଼ି ନାହିଁ ।

 

‘‘ଶୁଣ ।’’

 

ମୁଁ ଘର ଭିତରକୁ ଗଲି ।

 

ସେ କହିଲେ, ‘‘ବସ, କୁଆଡ଼େ ଯାଇଥିଲ ?’’

 

ବସୁ ବସୁ ଉତ୍ତର ଦେଲି, ‘‘ବିକାଶ ଘରେ ବସିଥିଲୁ ।’’

 

‘‘ଟିକିଏ ସୁବିମଳ ବାବୁଙ୍କ ଘରକୁ ଯାଇ ପାରିବ ?’’

 

‘‘ତାଙ୍କର ପୁଣି କଣ ହେଲା ?’’

 

‘‘ବୋଧହୁଏ ଦେହ ଖରାପ । ଖରାବେଳେ ଅଧା ଖେଳରୁ ଉଠିଗଲେ ।’’

 

‘‘ହଉ । ମୁଁ ସାଙ୍ଗେ ସାଙ୍ଗେ ଯାଉଚି ।’’

 

ସେଦିନ ଗୋକୁଳି ମଉସା ମୋ ସାଙ୍ଗେ ଯିବାକୁ ବାହାରି ନାହାନ୍ତି । ତେଣୁ ମୁଁ ମୋ ବ୍ୟାଗଟା ଧରି ଏକୁଟିଆ ଗଲି ।

 

ସଦର ଦରଜା କଡ଼ା ଖଟ ଖଟ କରିବାମାତ୍ରେ ସୁବିମଳ ବାବୁ ଦରଜା ଖୋଲି ଧରି ମତେ ଡାକିଲେ, ‘‘ଆସ ।’’

 

ଅସୁସ୍ଥତାର ଚିହ୍ନ ବର୍ଣ୍ଣ ଦେଖିବାକୁ ପାଇଲି ନାହିଁ ତାଙ୍କଠାରେ । ମୁଁ ଘର ଭିତରକୁ ପଶିଲି-। ସେ ଦରଜାରେ ଭିତରୁ ଛିଟିକିଣୀ ଲଗେଇ ମତେ ବାଟ କଢ଼େଇ ନେଲେ । ତାଙ୍କ ରଙ୍ଗଢଙ୍ଗରୁ ମୋର ମନେହେଲେ ସେ ଆଜି ଭାରି ଖୁସି । ମତେ ଆଶ୍ୱସ୍ଥି ଲାଗିଲା ସେ ସୁସ୍ଥ ଥିବାରୁ । ନ ହେଲେ ହୁଏତ ରାତିସାରା ଅନିଦ୍ରା ହୋଇ ତାଙ୍କୁ ଜଗିବାକୁ ପଡ଼ିଥାଆନ୍ତା ।

 

ମଶିଣା ପାରିଦେଇ ମତେ ବସିବାକୁ କହି ସେ ପଚାରିଲେ, ‘‘ତୁମର ସେଇ ସାଙ୍ଗଟି କଣ କରେ ?’’

 

‘‘ଷ୍ଟେଟ ବ୍ୟାଙ୍କରେ ପ୍ରୋବେଶନ ଅଫିସର ଅଛି ।’’

 

‘‘କେବେଠୁ ?’’

 

‘‘ଅଢ଼େଇ ବର୍ଷ ହବ ।’’

 

‘‘ତୁମେ ତାକୁ କେବେଠୁ ଜାଣିଲୁ ?’’

 

‘‘ପିଲାଦିନେ ବରଗଡ଼ରେ ଏକାଠି ସ୍କୁଲରେ ପଢ଼ୁଥିଲୁ । ମାଟ୍ରିକ ପରେ ଆଉ ଦେଖାସାକ୍ଷାତ ହୋଇ ନ ଥିଲା । ଏବେ ପୁଣି ଭେଟ ହେଲା ଏଇଠି ।’’ ମୁଁ ବୁଝେଇଦେଲି ।

 

‘‘ଘରେ କିଏ କିଏ ଅଛନ୍ତି ତାର ?’’

 

‘‘ମା’ ଏକା ।’

 

‘‘କଣ କରନ୍ତି ?’’

 

‘‘ଆଗେ ଶିକ୍ଷୟିତ୍ରୀ ଥିଲେ । ଏବେ ଅବସର ନେଇ ଘରେ ବସିଛନ୍ତି !’’

 

‘‘ଏତେ ଦିନ ପରେ ସେ କଣ ତା ଆଡ଼ୁ ମନେ ପକେଇ ତୁମ ପାଖକୁ ଆସିଲା ?’’

 

‘‘ନା, ତା ମା’ ଦେହ ଖରାପ ଥିଲା ବୋଲି ହସପିଟାଲକୁ ଆସିଥିଲା ଛଅମାସ ତଳେ । ସେଇଠି ପୁଣି ଭେଟ ହେଲା ।’’

 

‘‘ତୁମ ବସାକୁ କେବେ ଆସିବାର....’’ କହୁ କହୁ ସେ ଅଟକିଗଲେ ।

 

‘‘ଫୁଟବଲ ଖେଳ ଚାଲିଥିଲାନା । ସେଇଥିରେ ବ୍ୟସ୍ତ ଥିଲା ଗଲା ଚାରି ମାସ ଧରି ।’’

 

‘‘କୋଉ ପୋଜିସନରେ ଖେଳେ ?’’

 

‘‘ସେଣ୍ଟର ଫରଓ୍ୱାର୍ଡ଼ । ରାଜ୍ୟ ଦଳରେ ଖେଳୁଚି ଚାରିବର୍ଷ ହବ ।’’

 

‘‘କଣ ହେଇଛି ତା ମା’ର ?’’ ସେ କଥା ବଦଳେଇଲେ ।

 

‘‘ମାନସିକ ବିଷାଦ ।’’

 

‘‘କାହିଁକି ?’’ ଟିକିଏ କେମିତି ବିଚଳିତ ହେଲା ପରି ସେ ଜଣାଗଲେ ।

 

‘‘ବାହାଘରର ମୋଟେ ସାତ ଦିନ ପରେ ସ୍ୱାମୀ ଗତ ହୋଇଗଲେ ଦୁର୍ଘଟଣାରେ । ସେହିଠାରୁ ସେ ଏକପ୍ରକାର ଆଡ଼ବାୟାଣୀ ହୋଇଗଲେ ।’’

 

‘‘ମାନେ ପାଗଳୀ !’’

 

‘‘ଠିକ୍‌ ତା ନୁହେଁ । ସାଧାରଣଙ୍କ ପରି ସବୁ କାମଦାମ କରୁଥିଲେ ବି ବିଶ୍ୱାସ କରିବାକୁ ନାରାଜ ବିଧବା ବୋଲି । ସେଥିସହିତ ଦି’ତିନି ବର୍ଷରେ ବେଳେ ବେଳେ ହଠାତ୍‌ ତାଙ୍କ ମନରେ ବିଷାଦ ଭାବ ଦେଖାଦିଏ । ସେ ଭାବନ୍ତି ଯେ ତାଙ୍କ ସ୍ୱାମୀ ଅସୁସ୍ଥ । ସେତେବେଳେ ସେ ଏକମାତ୍ର ସନ୍ତାନର ଭଲମନ୍ଦ ଭୁଲିଯାଇ ଠାକୁର ଘରେ ଅଖଣ୍ଡ ଦୀପ ଜାଳି ନ ଖାଇ ନ ପିଇ ବସି ଭାଗବତ ପଢ଼ନ୍ତି ଦିନ ରାତି ।’’

 

ଆଉ କଣ ପଚାରିବାକୁ ଯାଇ ହଠାତ୍‌ ସେ ପୁଣି ଗମ୍ଭୀର ହୋଇ ଉଠି ଗଲେ ।

 

ମତେ ଲାଗିଲା, ସେ ବିକାଶ ସମ୍ପର୍କରେ ଟିକିନିଖି ସବୁ କଥା ବୁଝିବାକୁ ବ୍ୟଗ୍ର; କିନ୍ତୁ କାଳେ ମୁଁ କିଛି ଭାବିବି ବୋଲି ପଛେଇ ଯାଉଛନ୍ତି ।

 

ଥାଳିଆରେ କଟା ଫଳ କେତୋଟି ଓ ଗିଲାସେ କ୍ଷୀର ଆଣି ମୋ ଆଗରେ ଥୋଇ କହିଲେ, ‘‘ଖାଅ ।’’

 

ମନା ନ କରି ଖାଇଲି କାଳେ ତାଙ୍କ ମନରେ କଷ୍ଟ ହେବ ବୋଲି । ସେ ବିକୃତ ମସ୍ତିଷ୍କ ବୋଲି ବିଶ୍ୱାସ କରିବାକୁ ମନ ଡାକିଲା ନାହିଁ । ଦେଖିଲି, ତାଙ୍କୁ ତ ବେଶ କଥା କହି ଆସେ ମାନସମ୍ଭ୍ରମ ରଖି । ତେବେ କୋଉ ଦୁଃଖରୁ ସେ ଏତେ ଘାଣ୍ଟି ହେଉଛନ୍ତି ଜୀବନ ସାରା ! କାହିଁକି ସେ ମୂକ ସନ୍ୟାସୀଙ୍କ ପରି ଜୀବନ କାଟୁଚନ୍ତି ?

 

ଖାଇ ସାରି ନିଜେ ସାବୁନରେ ଥାଳିଆ ଓ ଗିଲାସ ଧୋଇ ରଖି ଦେଇ କହିଲି, ‘‘ମୁଁ ଏଥର ଆସେ ।’’

 

ମୋ କଥାର ଉତ୍ତର ନ ଦେଇ ସେ ପ୍ରଶ୍ନ କଲେ, ‘‘ଆଉ କେବେ ସେ ଆସିବ ?’’

 

‘‘କିଏ ?’’

 

‘‘ତୁମର ସେଇ ସାଙ୍ଗ ।’’

 

‘‘ବିକାଶ ତ ଏଇଠି ଅଛି । ଯେତେବେଳେ ମନ ହବ ଆସିବ ।’’

 

‘‘ହୁଁ ।’’ ବୋଲି କହି ସେ ମତେ କେତେକ୍ଷଣ ଚାହିଁ ରହିଲେ ।

 

ଭାବିଲେ, ମୋଠୁ ଆଉ କଣ ପଚାରି ବୁଝିବାକୁ ସେ ଚାହାନ୍ତି; କିନ୍ତୁ ସ୍ଥିର କରିପାରୁ ନାହାନ୍ତି ପଚାରିବେ କି ନାହିଁ । ମୁଁ କହିଲି, ‘‘କଣ କୁହନ୍ତୁ ?’’

 

‘‘ରାତିଟା ଆଜି ଆଉ ନିଦ ହବନି ଦେଖୁଚି ।’’ ସେ ଅନ୍ୟମନସ୍କ ପରି କହି ଉଠିଲେ ।

 

‘‘ନିଦ ବଟିକା ଦେବି, ଖାଇ ଶୋଇ ପଡ଼ିବେ ?’’ ମୁଁ ପରାମର୍ଶ ଦେଲି ।

 

‘‘ନିଶା ମୁଁ ଖାଏନି ।’’ ସେ ଉତ୍ତର ଦେଲେ ।

 

‘‘ନିଶା ବଟିକା ନୁହେଁ । ଶିରା-ପ୍ରଶିରାଗୁଡ଼ାକୁ ସାମାନ୍ୟ ଅବଶ କରି ଦେଇ ମାନସିକ ଉତ୍ତେଜନାରୁ ମୁକ୍ତ କରି ଦେବ ।’’

 

‘‘ସତ କହୁଚ ?’’

 

‘‘ଆପଣଙ୍କୁ ମିଛ କହି ଲାଭ ?’’

 

‘‘ଦିଅ ତା ହେଲେ ।’’

 

ମୁଁ ବ୍ୟାଗରୁ ଗୋଟାଏ ବଟିକା ବାହାର କରି ତାଙ୍କୁ ଦେଲି ।

 

ସେ ପଚାରିଲେ, ‘‘କେମିତି ଖାଇବି ?’’

 

‘‘ସବୁ କାମଦାମ ସାରି ଶୋଇବାକୁ ଗଲାବେଳକୁ ଗିଳି ଦେଇ ପାଣି ଦି’ଚାରି ଢୋକ ପିଇ ଦେବେ ।’’

 

‘‘ତୁମେ ଟିକିଏ ରୁହ ।’’ ସେ ସୁରେଇରୁ ପାଣି ଗିଲାସେ ଆଣି ମୋରି ଆଗରେ ବଟିକାଟା ଗିଳି ଦି’ଢୋକ ପିଇ ସାରି କହିଲେ, ‘‘ହେଲା ?’’

 

‘‘ହଁ, ମୁଁ ଏଥର ଆସେ । ଆପଣ କବାଟ ଲଗେଇ ଶୋଇ ପଡ଼ନ୍ତୁ ।’’ କହି ମୁଁ ବିଦାୟ ନେଲି ।

 

ବସା ଦୁଆରେ ପହଞ୍ଚି ଦେଖିଲି, ବିକାଶର ସ୍କୁଟର ଥୁଆ ହୋଇଚି । ମୋର ଆଉ ସନ୍ଦେହ ରହିଲା ନାହିଁ ଯେ ମାଉସୀଙ୍କ ପାଗଳାମୀ ପୁଣି ବାହାରିଲାଣି ବୋଲି । ତେଣୁ ସ୍କୁଟର ଭିତରକୁ ନ ନେଇ ରାସ୍ତା ଉପରେ ରଖି ଦେଇ ଯାଇ ପଚାରିଲି, ‘‘କଣ ହେଲା ?’’

 

‘‘ମା’କୁ ନିଦ ହଉନି । କଣ ଔଷଧ ଅଛି ଦେ ।’’ ବିକାଶ ଜବାବ ଦେଲା ।

 

‘‘ମାଉସୀ ତୋ ହାତରୁ ଔଷଧ ଖାଇବେ ନା ମୁଁ ଯିବି ?’’

 

‘‘ମତେ ତ ପଠେଇଲେ ତୋ ପାଖକୁ ଔଷଦ ପାଇଁ, ବୋଧେ ଖାଇବ ।’

 

‘‘ନେ ତେବେ ।’’ ମୁଁ ତାକୁ ବ୍ୟାଗ ଖୋଲି ବଟିକାଟାଏ ଦେଲି ।

 

ସେ ବଟିକାଟା ପକେଟରେ ରଖି ଉଠିଲା ।

 

ଗଲାବେଳକୁ ମୁଁ କହିଲି, ‘‘କିଛି ଅସୁବିଧା ହେଲେ ମତେ ଡାକିବୁ ।’

 

‘‘ହଁ ।’’ କହି ସେ ସ୍କୁଟର ବୁଲେଇ ବାହାରିଗଲା ।

 

ମୁଁ ଏଥର ଗୋକୁଳି ମଉସାଙ୍କ ପାଖକୁ ଚାଲିଲି ସୁବିମଳ ବାବୁଙ୍କ ଖବର ଜଣେଇବାକୁ ।

 

ମଉସା ସେତେବେଳକୁ ମୋ ପାଟି ଶୁଣି ଦାଣ୍ଡବାରଣ୍ଡାକୁ ବାହାରି ଆସିଲେଣି । ମତେ ଦେଖି ସେ ପଚାରିଲେ, ‘‘କେମିତି ଅଛନ୍ତି ?’’

 

‘‘ଖୁବ ଭଲ । କିଛି ହେଇନି ତାଙ୍କର ।’’

 

‘‘ତେବେ ଅଧା ଖେଳରୁ ଉଠିଗଲେ କାହିଁକି ?’’

 

‘‘ସେ କଥା ତ ମୁଁ ପଚାରି ବୁଝିନି ।’’ କହି ସାରି ଅନୁମାନ କଲି, ‘‘ସେତେବେଳେ ହୁଏତ କଣ ଟିକିଏ ଖରାପ ଲାଗିଥିବ ।’’

 

ତା ପରେ ମୁଁ ଆମୂଳଚୂଳ ବର୍ଣ୍ଣନା କରିଗଲି ତାଙ୍କ ଆଗରେ ।

 

ସବୁ ଶୁଣିସାରି ସେ ଅବିଶ୍ୱାସ କଲା ଭଳି ଜାଣିବାକୁ ଚାହିଁଲେ ‘‘ଔଷଧ ତୁମକୁ ମାଗିଲେ-!’’

 

‘‘ହଁ । ଖାଇଲେ ବି ମୋ ଆଗରେ ।’’

 

‘‘ତୁମେ ଠିକ ଦେଖିଚ ?’’

 

‘‘ହଁ ।’’

 

‘‘ଅସମ୍ଭବକୁ ସମ୍ଭବ କଲ ତୁମେ ସମର !’’ ମନକୁମନ ମନ୍ତବ୍ୟଟା ଦେଇ ସେ ତୁନୀ ହୋଇଗଲେ ।

 

ମୁଁ ଜାଣେ, ରାତିରେ ଗୋକୁଳି ମଉସା ବେଶି କଥା କହିବାକୁ ଭଲ ପାଆନ୍ତି ନାହିଁ । ତେଣୁ ଉଠି ଆସିଲି ସେଠୁ ସେ ବିଶ୍ରାମ ନେବେ ବୋଲି ।

 

Unknown

ଗୋକୁଳି

 

ସମର ଚାଲିଗଲା ପରେ ମୁଁ ଶୋଇବାକୁ ଚେଷ୍ଟା କଲି । କାହିଁକି କେଜାଣି ମୋଟେ ନିଦ ହେଲା ନାହିଁ । ଶେଯରେ ପଡ଼ିରହି ଏପଟସେପଟ ଗଡ଼ିଲି କେତେ ସମୟ । ତା ପରେ ଭାବିଲି ଉଠିଯାଇ ଦାଣ୍ଡଘରେ ବସିବି ମୋ ଆରାମ ଚୌକିରେ ।

 

ନନ୍ଦ ମତେ ଜଗି ଶୁଏ ଆଉ ଗୋଟେ ଖଟରେ ସେଇ ଏକା କୋଠରୀରେ ରାଜୁ ବୋଉ ଛାଡ଼ି ଚାଲିଯିବା ପରଠାରୁ । ତାକୁ ବୋଧହୁଏ ନିଦ ହୋଇ ନ ଥିଲା ସେଯାଏ ।

 

ହଠାତ୍‌ ସେ ଚେତେଇ ଦେଲା, ‘‘ନିଦ ଲାଗୁନି କି ?’’

 

‘‘ଶୋଉଚି,’’ କହି ହଲଚଲ ନ ହୋଇ ଚୁପ୍‌ଚାପ ପଡ଼ି ରହିଲି, ସତେ ଯେମିତି ମତେ ନିଦ ଲାଗିଗଲାଣି ।

 

ଟିକିଏ ପରେ ନନ୍ଦ ଲମ୍ବା ଲମ୍ବା ନିଃଶ୍ୱାସ ନବାକୁ ଲାଗିଲା । ଜାଣିଲି, ସେ ଶୋଇ ପଡ଼ିଲାଣି । ତଥାପି ଶେଯରୁ ଉଠିବାକୁ ସାହସ ପାଇଲାନି । ନନ୍ଦର ନିଦ ଭାରି ପତଳା । ମୁଁ ଉଠିବାକୁ ଚେଷ୍ଟା କଲେ ନିଶ୍ଚୟ ଜାଣିପାରି ଉଠି ପଡ଼ିବ ।

 

ଚିତ୍‌ ହୋଇ ଶେଯରେ ପଡ଼ିରହି ଭିବିଲି । ସୁବିମଳ ଆଜି ନିଜେ ଡାକ୍ତରୀ ଔଷଧ ମାଗି ଖାଇଚନ୍ତି । ତାଙ୍କୁ ଜାଣିବା ପରଠୁ ଡାକ୍ତରୀ ଔଷଧ, ତା ପୁଣି ଇଚ୍ଛା କରି, କେବେ ହେଲେ ଖାଇବାର ଦେଖି ନାହିଁ । ମୁଁ ଜାଣେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ନେଇ ସେ ମୂଳରୁ ବଡ଼ ସଚେତନ । ସେଥିପାଇଁ ସେ ନିଜ ପାଖରେ ହୋମିଓପ୍ୟାଥି ଔଷଧର ବାକ୍‍ସଟାଏ ସବୁବେଳେ ରଖିଥାଆନ୍ତି । ଚିକିତ୍ସା ବହିଟାଏ ବି ଦେଖିଚି ତାଙ୍କ ପାଖେ । ଦେହ କଣ ଟିକିଏ ଖରାପ ହେବାମାତ୍ରେ ବହି ପଢ଼ି ସାଙ୍ଗେ ସାଙ୍ଗେ ଔଷଧ ଦି’ଚାରି ପାନ ଖାଇବା ତାଙ୍କର ଅଭ୍ୟାସ । ସେଥିସକାଶେ ସେ କ୍ୱଚିତ ବିଛଣାରେ ପଡ଼ି ରୁହନ୍ତି । ବେଶି ହେଲେ ପରାମର୍ଶ କରନ୍ତି ହୋମିଓପାଥ ଡାକ୍ତରଙ୍କ ସାଙ୍ଗେ ।

 

ଆଜି କିନ୍ତୁ ତାଙ୍କର ଏପ୍ରକାର ମତିଭ୍ରମ ଘଟିଲା କେମିତି ? ସେ ପୁଣି ଡାକ୍ତରୀ ଔଷଧ ନିଜେ ମାଗି ଖାଇଲେ ? ସତରେ ତା ହେଲେ କଣ ତାଙ୍କ ମୁଣ୍ଡ ବିଗିଡ଼ି ଗଲାଣି ? ଏକେ ତ ବଡ଼ ଦୁଃଖମୟ ତାଙ୍କ ଜୀବନ । ତା ଉପରକୁ ଯଦି ପାଗଳ ହୋଇଯିବେ ତେବେ ତାଙ୍କୁ ଦେଖାଚାହାଁ କରିବ କିଏ ଏ ସଂସାରରେ !

 

ଇଂରେଜ ଅମଳ ସେତେବେଳେ । ମତେ ମୋଟେ ତେଇଶ ବର୍ଷ । ଦ୍ୱିତୀୟ ମହାସମର ପ୍ରାୟ ଲାଗେ ନ ଲାଗେ । ଦୁଇଥର ଚେଷ୍ଟା କଲା ପରେ ମୁଁ ବି.ଏ.ପାଶ କଲି । ତାପରେ ଚାକିରିଟାଏ ଧରିବାକୁ ସମସ୍ତେ କହିଲେ । ମୋର କିନ୍ତୁ ମନ ନ ଥାଏ । ଅଭାବ ବି ନ ଥିଲା ଆମ ପରିବାରରେ ଯେ ଚାକିରି କରିବି । ପିଲାବେଳୁ ଫୁଲାଫାଙ୍କିଆ ଜୀବନ ବିତେଇ ଆସିଚି । ପରିବାର ବୋଝ ବି ନ ଥାଏ । ମନେ ମନେ ଭାବୁଥାଏ ଏମିତି ହସି ଖେଳି ଜୀବନଟା ବିତେଇ ଦେବି ବାପ-ବୁଢ଼ାବାପାଙ୍କ ଅର୍ଜିତ ସମ୍ପତ୍ତି ଉପରେ ନିର୍ଭର କରି । ଘରେ ଚାକିରି ଧରିବାକୁ ବେଶି ଲଗେଇଲେ ପଛେ ଆଇନ କଲେଜରେ ଢୁକିଯିବି । ତେଣିକି ଦେଖାଯିବ ।

 

ଏତିକି ବେଳକୁ ମଝିଆଁ ମାମୁଁ ଦିନେ ଅଚାନକ ଆସି ପହଞ୍ଚିଗଲେ । ବାପାଙ୍କ ସାଙ୍ଗେ କଣ ପରାମର୍ଶ କରି ଖଣ୍ଡେ ଦରଖାସ୍ତରେ ଦସ୍ତଖତ କରେଇ ନେଲେ ମୋଠୁ । ଦରଖାସ୍ତଟାରେ କଣ ଲେଖାଥିଲା ପଢ଼ିଲି ନାହିଁ । ଧୈର୍ଯ୍ୟ ବି ନଥିଲା ପଢ଼ିବା ସକାଶେ, ଲେଖିଜାଣିବା ତ ଦୂରର କଥା ।

 

ମାମୁଁ ସେତେବେଳେ ଥିଲେ ଡେପୁଟି କଲେକ୍ଟର । ଭାରି ସୁନାମ ଥାଏ ସରକାରୀ ଚାକିରିଆ ମହଲରେ । ଇଂରେଜ ସରକାରଙ୍କ ଖାସ ବିଶ୍ୱସ୍ତ କର୍ମଚାରୀ । ଉପରୁ ଇଶାରା ପାଇବାମାତ୍ର; ମୁନିବଙ୍କୁ ସୁଖୀ କରିବା ସକାଶେ ନିଜ ଜ୍ଞାତି କୁଟୁମ୍ବଙ୍କୁ ବି ଫାଶି ଖୁଣ୍ଟରେ ଝୁଲେଇ ଦେବାକୁ ପଛେଇବେ ନାହିଁ ।

 

ସେଥର ମାମୁଁ ପ୍ରାୟ ସପ୍ତାହେକାଳ ଆମ ଘରେ ରହିଲେ । ଦରଖାସ୍ତରେ ମୋଠୁ ଦସ୍ତଖତ କରେଇ ନେବାର ଦି’ଦିନ ପରେ ମତେ ଦିନେ ସାଙ୍ଗରେ ଡାକି ନେଲେ କଲେକ୍ଟରଙ୍କ ଅଫିସରକୁ । ସେଠି ସାହେବଙ୍କ ଆଗରେ ନେଇ ଠିଆ କରେଇଲେ ମତେ । ପରିଚୟ ଦେଲେ ଯେ ମୁଁ ତାଙ୍କ ନିଜ ଭଣଜା ଓ ହାଲ ବି.ଏ.ପାଶ କରିଚି । ସାହେବ ମତେ ତଳିପାରୁ ମୁଣ୍ଡଯାଏ ଆଗ ଦେଖି ନେଇ ନାଁ ଗାଁ ପଚାରି ଛାଡ଼ିଦେଲେ ।

 

ତାର ଦୁଇଦିନ ପରେ ମାମୁଁ ନିଜେ ଆଣି ମତେ ନିଯୁକ୍ତି ପତ୍ରଟା ଦେଲେ । ତାଗିତ କରି ଦେଲେ ଠିକ ପରଦିନ ଯାଇ ସାଢ଼େ ଦଶଟାକୁ କାମରେ ଯୋଗ ଦେବାକୁ ।

 

ମାମୁଁଙ୍କ ଯୋଗୁ ଅତି ସହଜରେ ଚାକିରି ଖଣ୍ଡକ ପାଇଗଲି ସିନା, ଆରମ୍ଭରୁ ମାସେ ପର୍ଯ୍ୟନ୍ତ ବେଶ କଷ୍ଟ ଭୋଗିବାକୁ ପଡ଼ିଥିଲା ଅଫିସରେ । ହେଡ଼ କିରାଣୀ ମୋଟେ ସନ୍ତୁଷ୍ଟ ନ ଥିଲେ ମୋ ଉପରେ । କାରଣ ମୁଁ ଯୋଉ ଜାଗାରେ ଢୁକିଲି, ସେଠି ସେ ତାଙ୍କର ଜଣେ ଆତ୍ମୀୟଙ୍କୁ ରଖିବେ ବୋଲି ଉପର ହାକିମଙ୍କୁ ଅନୁରୋଧ କରିଥିଲେ । ଦେଶୀ ହାକିମ ଜଣକ ବି ଯୋଗାଡ଼ଯନ୍ତ୍ର ଚଳାଇଥିଲେ । ହେଲେ ମାମୁଁ ଧରିଲେ ଖୋଦ ବଡ଼ ସାହେବଙ୍କୁ ।

 

ମାସେ ଯାଏ ହେଡ଼ କିରାଣୀ ମହାଶୟ ମତେ କାଇଦା କଟକଣା କିଛି ନ ଶିଖେଇ ଫାଇଲ ଧରେଇ ଦେଲେ କାମ କରିବାକୁ । ଫାଇଲ କାମ କରିବା ପଦ୍ଧତି ତ କଲେଜରେ ପଢ଼ା ହୋଇ ନ ଥିଲା ! ତେଣୁ ମୁଁ ପାରିଲିନି । ସାଙ୍ଗସାଥୀ କର୍ମଚାରୀଙ୍କୁ ପଚାରିଲେ ବି କେହି ମୋ ପିଠିରେ ପଡ଼ିଲେ ନାହିଁ ହେଡ଼ କିରାଣୀଙ୍କ ଡରରେ । ମୁଁ ମଧ୍ୟ ବେପରୁଆଙ୍କ ଭଳି ଖାତିର ନ କରି ଖେଳ ବୁଲି ସମୟ କଟେଇଲି ଅଫିସରେ ।

 

ତାପରେ ଦିନେ ଅଫିସର ବୁଢ଼ା ପିଅନ ନସୀର ମତେ ଅଫିସ ବାହାରକୁ ଡାକି ନେଇ କହିଲା, ‘‘ହଇଓ ବାବୁ, ଏ କଣ କରୁଚ ? କାମଦାମରେ ମନ ଦିଅ । ବଡ଼ ସାଇବର ଅଫିସ ବୁଲି ଦେଖିବା ସମୟ ପରା ହୋଇଗଲା’’

 

‘‘ହଉ, ମୁଁ କଣ କରିବି ?’’ ମୁଁ ଉତ୍ତର ଦେଲି ।

 

‘‘କାମଦାମ ବସି କରୁନ କାହିଁକି ?’’

 

‘‘କେହି ତ କିଛି ବତଉ ନାହାନ୍ତି, କରିବି କଣ ?’’

 

‘‘ସେମାନେ ବତେଇବାକୁ ଡରୁଚନ୍ତି ।’’

 

‘‘କାହିଁକି ?’’

 

‘‘ହେଡ଼ କିରାଣୀ ତାଙ୍କ ଉପରେ ଅକଶ ରଖିବେ ।’’

 

‘‘ତେବେ ସେ ନିଜେ ମତେ ଶିଖେଇ ଦଉ ନାହାନ୍ତି ?’’

 

‘‘କେଡ଼େ ନିରୀହ ହୋ ବାବୁ ତୁମେ ! ଶୁଣ, ବଡ଼ ସାହେବଙ୍କ ପାଖେ ବଦନାମ କରି ତୁମକୁ ଏଠୁ ତଡ଼ିବାକୁ ସେ ଲାଗିଚନ୍ତି ପରା ।’’

 

‘‘ମୁଁ ତ ତାଙ୍କର କିଛି ଦୋଷ କରିନି ।’’

 

‘‘କଣ ହେଲା ନସୀର ?’’ ସେଇ ବାଟ ଦେଇ ଯାଉ ଯାଉ ସୁବିମଳ ପଚାରିଲେ ।

 

ଚାହିଁ ଦେଖିଲି, ପ୍ରାୟ ଛଅଫୁଟ ଉଚ୍ଚ ସୁପୁରୁଷ ଯୁବକ ଜଣେ । ବୟସରେ ବୋଧହୁଏ ମୋଠୁ ଦି’ଚାରି ବର୍ଷ ବଡ଼ ହେବେ । ରୂପ ଦେଖି ଯେ କେହି କହିଦବ ଯେ ସେ ଜଣେ ଖେଳଓ୍ୱାର୍ଡ଼; ପୌରୁଷତ୍ୱର ଏକ ନିଖୁଣ ଉଦାହରଣ ।

 

ନସୀରଠୁ ସବୁ କଥା ଶୁଣି ସାରି ସେ ମତେ କହିଲେ, ‘‘ବ୍ୟସ୍ତ ହୁଅନି । ଚାଲ, ମୁଁ ତୁମକୁ ଫାଇଲ କାମ ଆଜିଠୁ ଶିଖେଇ ଦେବି ।’’

 

‘‘ହଁ ବାବୁ, ଆପଣ ଏକା ପାରିବେ । ସାହେବ ଆପଣଙ୍କ ଉପରେ ଭାରି ଖୁସ୍‌ ନା । ଆପଣଙ୍କୁ ଡରି ହେଡ଼ କିରାଣୀ ଚୁପ ରହିଯିବ । ବଡ଼ ଛୋଟ ଲୋକଟାଏ ।’’ ନସୀର ମତ ଦେଲା ।

 

ସେହି ଦିନଠାରୁ ସୁବିମଳଙ୍କ ସାଙ୍ଗେ ମୋର ପରିଚୟର ସୂତ୍ରପାତ ହେଲା ଏଣିକି ସେ ମତେ ଖୋଲାଖୋଲି ସାହାଯ୍ୟ କଲେ । ଅଫିସର ଅନ୍ୟ କିରାଣୀଙ୍କ ପରି ଭୟ କଲେ ନାହିଁ ହେଡ଼ କିରାଣୀ ମହାଶୟଙ୍କୁ ।

 

ପରେ ଜାଣିଲି, ସୁବିମଳ ଥିଲେ କମିଶନର ସାହେବଙ୍କ ପ୍ରିୟପାତ୍ର । ସେ ଭଲ ଫୁଟବଲ ଖେଳାଳୀ ବୋଲି ସାହେବ ନିଜେ ତାଙ୍କୁ ଡାକି ଆଣି ଚାକିରି ଦେଇଛନ୍ତି । ପୁଣି ବ୍ୟବସ୍ଥା ବି କରି ଦେଇଛନ୍ତି ଯେ ଦୈନିକ ଅଫିସ ଛୁଟିର ଘଣ୍ଟାକ ଆଗରୁ ଫୁଟବଲ ଖେଳ ଅଭ୍ୟାସ କରିବାକୁ ସେ ଅଫିସ ଛାଡ଼ି ଚାଲିଯାଇ ପାରିବେ ।

 

ସୁବିମଳଙ୍କ ସାଙ୍ଗେ ମୋର ବନ୍ଧୁତ୍ୱ ଘନିଷ୍ଠ ହୋଇଗଲା ଦିନ କେତେଟା ଭିତରେ । ହୋଟେଲ ଖିଆ, ସିନେମା ଦେଖାଠୁ ନେଇ ନିଜ ନିଜର ଗୋପନ କଥା ବି ଆଲୋଚନା କରିବାକୁ ଆମେ କୁଣ୍ଠାବୋଧ କଲୁ ନାହିଁ ।

 

ଏମିତିକି ଦୈନିକ ସନ୍ଧ୍ୟା ପରେ ସୁବିମଳଙ୍କ ବସାରେ ଆମେ ଦୁହେଁ ଦାବା ଖେଳିବା ଆରମ୍ଭ କରିଦେଲୁ ମାସେ ନ ବିତୁଣୁ । ଯଦିଓ ମୁଁ ତାଙ୍କୁ ପ୍ରଥମେ ଦାବା ଖେଳ ଶିଖେଇଲି, ତଥାପି ମାସ ଚାରିଟା ଭିତରେ ଦେଖିଲି, ସେ ମତେ ଅନାୟାସରେ ହରେଇ ଦଉଛନ୍ତି ଅନେକ ସମୟରେ । ପ୍ରକୃତରେ ଯେକୌଣସି ଖେଳକୁ ସହଜରେ ଆୟତ୍ତ କରି ନେବାର ଜନ୍ମଗତ ଗୁଣ ତାଙ୍କଠି ରହିଛି ।

 

ଚାହା-ପାନ-ସିଗାରେଟ ଆଦି ବଦଭ୍ୟାସ ମୁଁ କେବେ ଦେଖି ନାହିଁ ତାଙ୍କର । ଓଲଟି ମୋର ଚାହା–ପାନଖିଆ ଅଭ୍ୟାସ ବନ୍ଦ କରିବାକୁ ସେ ବହୁ ଚେଷ୍ଟା କରିଛନ୍ତି । କିନ୍ତୁ ମୁଁ ସେତେବେଳକୁ ଏତେ ଦୂର ଅଭ୍ୟାସର ଦାସ ହୋଇ ସାରିଥିଲି ଯେ ତାଙ୍କ ସଦୁପଦେଶ କିଛି ଖଟିଲା ନାହିଁ ମୋଠାରେ ।

 

ହଠାତ୍‌ ଦିନେ ଦାବା ଖେଳିବା ସକାଶେ ପହଞ୍ଚି ଦେଖିଲି, ସେ ଘର ଅନ୍ଧାର କରି ବାରଣ୍ଡାରେ ଚିନ୍ତାମଗ୍ନ । ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘‘କଣ ହେଲା କି ସୁବିମଳ ! ଆଲୁଅ ଜାଳିନ-?’’

 

ସେ ମତେ ଟିକିଏ ସମୟ ଚାହିଁ ରହି ଉତ୍ତର ଦେଲେ, ‘‘କଣ କରିବି କିଛି ଭାବି ପାରୁନି-।’’

 

‘‘କୋଉ କଥାରେ ?’’

 

‘‘ବଡ଼ ଜଟିଳ ସମସ୍ୟା ଗୋକୁଳି !’’

 

‘‘ସବୁ ସମସ୍ୟାର କିଛି ନା କିଛି ସମାଧାନ ରହିଛି । ଖାଲି ଖୋଜି ବାହାର କରିବା କଥା-।’’

 

‘‘ହୋଇଥିବ ।’’ ସେ ମୋ କଥାକୁ ବିଶ୍ୱାସ ନ କଲା ଭଳି ଉତ୍ତର ଦେଲେ ।

 

ମୁଁ ଆଉ ଟିକିଏ ଅପେକ୍ଷା କରି ପଚାରିଲି, ‘‘କଣ ହେଇଚି ଶୁଣେ ?’’

 

‘‘ଆଗ କୁହନ୍ତୁ ନା । ତାପରେ ଉପାୟ ଖୋଜି ବାହାର କରିବା ।’’

 

ଦୀର୍ଘଶ୍ୱାସଟାଏ ନେଇ ସେ ଆରମ୍ଭ କଲେ, ‘‘ମୋ ବାପା ଆମ ଗାଁ ମହାଜନଙ୍କ ପାଖେ ଗୁମାସ୍ତା କାମ କରନ୍ତି । ମହାଜନ ଲୋକ ଭଲ । ଆଉ ମତେ ଏକଥା ସ୍ୱୀକାର କରିବାକୁ ପଡ଼ିବ ଯେ ତାଙ୍କରି ଦୟାରୁ ମୁଁ ମଣିଷ ହେଇଚି ।’’ ତାପରେ ମୋ ଆଗରେ ସେ ଗାଇଗଲେ ତାଙ୍କ ପରିବାରର ଇତିହାସ ।

 

ଆଜି ମୋର ତାଙ୍କ ପରିବାରର ସମସ୍ତଙ୍କ ନାଁ ଗାଁ ଆଉ ମନେ ନାହିଁ । ତେବେ ତାଙ୍କ ସମ୍ପର୍କରେ ସେ ମତେ କହିଥିବା ଘଟଣାଗୁଡ଼ାକ ବେଶ ମନେ ଅଛି ମୋର ଏବେ ବି ।

 

ମହାଜନଙ୍କର ସବୁଠାରୁ ବିଶ୍ୱସ୍ତ କର୍ମଚାରୀ ଥିଲେ ସୁବିମଳଙ୍କ ବାପା । ଆଉ ମହାଜନଙ୍କ କୃପାରୁ ଅଭାବ ଅସୁବିଧା ବି କିଛି ନ ଥିଲା ତାଙ୍କର, ଇଞ୍ଚେ ବୋଲି ଚାଷ ଜମି ନ ଥିଲେ ମଧ୍ୟ ।

 

ବାପା-ମା ଆଉ ଦି’ ପୁଅ ଗୋଟିଏ ଝିଅର ସଂସାରରେ ସୁବିମଳ ଥିଲେ ସବୁଠୁ ସାନ । ରୂପ-ଗୁଣ ଦୃଷ୍ଟିରୁ ଘରେ ବାହାରେ ସବୁଠି ତାଙ୍କର ଆଦର ଥିଲା ଯଥେଷ୍ଟ ।

 

ଗାଁ ପ୍ରାଇମେରୀ ସ୍କୁଲରୁ ପାସ କଲା ପରେ ସେ ଦେଢ଼ ମାଇଲ ଦୂର ହାଇସ୍କୁଲର ଷଷ୍ଠ ଶ୍ରେଣୀରେ ଯାଇ ପଢ଼ିଲେ । ଆଉ ସେ ଦଶମ ଶ୍ରେଣୀରେ ପଢ଼ିଲା ବେଳେ ମହାଜନଙ୍କର ଏକମାତ୍ର ଝିଅ ନିରୁ ଗାଁ ସ୍କୁଲରୁ ପାସ କରି ଯାଇ ନାଁ ଲେଖେଇଲା ସେହି ସ୍କୁଲର ଷଷ୍ଠ ଶ୍ରେଣୀରେ ।

 

ମହାଜନଙ୍କ ଘରେ କେହି ରାଜି ନ ଥିଲେ ଝିଅକୁ ଅଧିକ ପାଠ ପଢ଼େଇବା ସକାଶେ । କିନ୍ତୁ ନିରୁ ଜିଦ କଲା ପଢ଼ିବ ବୋଲି । କାହିଁକି ଯେ ସେ ଜିଦ ଧରିଲା କେହି କହି ପାରିବେ ନାହିଁ । ତେବେ ଗୋଟିଏ ବୋଲି ଝିଅ ହୋଇଥିବାରୁ ପରିବାରର ସମସ୍ତେ ମୁଣ୍ଡ ନୁଏଁଇ ଦେଲେ ତା ଆଗରେ ।

 

ସୁବିମଳ ଓ ନିରୁ ରୋଜ ଏକାଠି ସ୍କୁଲକୁ ଯାଆନ୍ତି । ସ୍କୁଲ ଛୁଟି ପରେ ଏକାଠି ଫେରନ୍ତି ମଧ୍ୟ । ଗଲା ଅଇଲାବେଳେ ନିରୁ ବାଟରେ କୋଳି ତୋଳି ଆଣି ଦବାଠୁ ନେଇ ଫାସ ପକେଇ ଠେକୁଆ ଛୁଆ ଧରି ଦବାଯାଏ କେତେ ଫରମାସ କରେ । ନିଜର ସାନ ଭଉଣୀ ବୋଲି ମନେ କରି ସୁବିମଳ ମନ ଖୁସିରେ ସବୁ କରି ଦିଅନ୍ତି ।

 

ଏମିତି ଦି’ ବର୍ଷ କଟିଗଲା । ସୁବିମଳ ମାଟ୍ରିକ ପାସ କରି ସହରକୁ ଚାଲି ଗଲେ ପଢ଼ିବେ ବୋଲି କଲେଜରେ । ଛୁଟିରେ ଅବଶ୍ୟ ସେ ଗାଁକୁ ଯାଆନ୍ତି । ନିରୁ ସାଙ୍ଗେ ଦେଖା ହୁଏ । ଆଗ ପରି ନିରୁ ଦୁନିଆଯାକର ଫରମାସ କରେ । ସୁବିମଳ ତାର ସବୁ କଥା ରଖନ୍ତି ବିନା ଦ୍ୱିଧାରେ ।

 

ସୁବିମଳ ବି.ଏ ପାସ କଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ଚାକିରିଟାଏ ମିଳିଗଲା । ଚାକିରି କରିବାକୁ ଅବଶ୍ୟ ତାଙ୍କର ମନ ନ ଥିଲା । ଏମିତି ଖବରକାଗଜରୁ ବିଜ୍ଞାପନଟାଏ ପଢ଼ି ସେ ଦରଖାସ୍ତ ପକେଇ ଦେଇଥିଲେ । କିନ୍ତୁ ଇଣ୍ଟରଭ୍ୟୁରେ ଗୋରା କମିଶନର ଯେତେବେଳେ ଜାଣିଲେ ଯେ ସେ ଭଲ ଫୁଟବଲ ଖେଳାଳୀ, ସାଙ୍ଗେ ସାଙ୍ଗେ ତାଙ୍କୁ ମୁକରିର କରିବାକୁ ସ୍ଥିର କଲେ । କହି ବି ଦେଲେ ତା ପରଦିନ କାମରେ ଯୋଗଦେବାକୁ ।

 

ସୁବିମଳ ସାହେବଙ୍କ କଥା ରଖି କାମରେ ଯୋଗ ଦେଲେ ନାହିଁ ପ୍ରଥମେ । ଏମିତି କି ଦୁଇ ମାସ ଯାଏ ଚାକିରି କରିବେ କି ନାହିଁ ସ୍ଥିର କରିପାରିଲେ ନାହିଁ । ତାଙ୍କ ପରିବାରର ସମସ୍ତେ ଅବଶ୍ୟ ଚାପ ଦେଲେ ଚାକିରିଟାଏ ଧରି ନେବା ସକାଶେ । ସେ କିନ୍ତୁ ବିଚାରୁଥାଆନ୍ତି ଆଉ ପାଠପଢ଼ି ଓକିଲାତି କରିବେ ।

 

ଗୋରା ସାହେବ କିନ୍ତୁ ଧୈର୍ଯ୍ୟ ହରେଇଲେ ନାହିଁ । ଆଉ ଦି’ଖଣ୍ଡ ଚିଠି ପଠେଇ ତାଙ୍କୁ ଡକେଇଲେ । ଲୋଭ ବି ଦେଖେିଲେ ଶୀଘ୍ର ଚାକିରିରେ ଉପରକୁ ଉଠିବାର ବାଟ କରି ଦେବେ ବୋଲି । ମଝିମଝିରେ ଖବର ଦେଲେ ଅଫିସର ଜଣେ ଚିହ୍ନାପରିଚୟଙ୍କ ହାତରେ ।

 

ତଥାପି ସୁବିମଳ ସାଙ୍ଗେ ସାଙ୍ଗେ ରାଜି ହୋଇ ନ ଥିଲେ । ଆଉ କିଛି ଦିନ ସମୟ ମାଗି ଗଲେ ଗାଁକୁ । ଘରେ ଅବଶ୍ୟ ବାପ-ଭାଇଙ୍କୁ ସେ ରାଜି କରେଇ ନେଲେ ଓକିଲାତି ପାଠ ପଢ଼ିବେ ବୋଲି ।

 

କିନ୍ତୁ ନିରୁ ବିଗାଡ଼ି ଦେଲା ସବୁ ଆଶା ଭରସା ।

 

ନିରୁ ସେଇ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥାଏ । ଘରେ ତା ବାହାଘରର ସବୁ ବ୍ୟବସ୍ଥା ପ୍ରାୟ ପକ୍‌କା । ପାତ୍ର ବିରାଟ ଧନୀ ପରିବାରର ଗୋଟିଏ ବୋଲି ପୁଅ । ଆଇ.ଏ. ପାସ । ଦେଖିବାକୁ ସୁନ୍ଦର; ତେବେ ସୁବିମଳଙ୍କ ପରି ନୁହେଁ । ପହଞ୍ଚିବା ଦିନ ସନ୍ଧ୍ୟାକୁ ନିରୁ ଡକେଇ ପଠାଇଲା ତାଙ୍କୁ ବୁଲା ମା’ ହାତରେ । ଦୁହେଁ ଦୁହିଁଙ୍କୁ ଭେଟିଥିଲେ ମହାଜନ ଘର ବାଡ଼ିପଟ ବଗିଚାରେ ନିପଟ ଅନ୍ଧାରରେ । ବୁଲା ମା’ ଜଗି ରହିଥାଏ ଟିକିଏ ଦୂରକୁ ।

 

ନିରୁ ପଚାରିଲା, ‘‘ଚାକିରି କରିବନି ?’’

 

‘‘ଭାବୁଚି ଓକିଲାତି ପାଠ ପଢ଼ିବି ବୋଲି ।’’ ସେ ଉତ୍ତର ଦେଲେ ।

 

‘‘କେତେ ବର୍ଷ ଲାଗିବ ?’’

 

‘‘ଦି’ ବର୍ଷ ।’’

 

‘‘ଏତେ ଦିନ ମୁଁ ଅପେକ୍ଷା କରିବି କେମିତି ?’’

 

‘‘କାହାକୁ ଅପେକ୍ଷା କରିବ ?’’

 

‘‘ବୁଝି ପାରୁନ ଯେ ଆହୁରି ବୁଝେଇବି ।’’ ଧିକ୍‌କାରିଲା ପରି କହି ସାରି ନିରୁ ସ୍ପଷ୍ଟ ଶୁଣେଇ ଦେଲା, ‘‘ତୁମ ଛଡ଼ା ମୁଁ ଆଉ କାହା ସାଙ୍ଗେ ଘର କରିବିନି କହି ରଖିଲି ।’’

 

‘‘ନିରୁ, ତୁମେ କଣ କହୁଚ !’’

 

‘‘ମନେରଖ, ଠାକୁରଙ୍କ ଆଗେ ପଣ କରି ସାରିଚି ।’’

 

‘‘ଇଏ ତୁମେ କଣ କଲ ନିରୁ ! ଏ କଥା ଚିନ୍ତା କରିବା ବି ପାପ ।’’

 

‘‘କାହିଁକି ?’’

 

‘‘ମୁଁ ତୁମ ବାପାଙ୍କ ପଇସାରେ ମଣିଷ । ଓକିଲାତି ବି ପଢ଼ିବି ତାଙ୍କରି ଦୟାରୁ ।’’

 

‘‘ନାହିଁ ତୁମେ ଓକିଲାତି ପଢ଼ିବନି । ଚାକିରି କରି ମତେ ନେଇଯାଅ ।’’

 

‘‘ମୋ ବାପା ତୁମ ଘରେ ଗୁମାସ୍ତା ପରା !’’

 

‘‘ଗୁମାସ୍ତା ହେଲେ ବୋଲି କଣ ସେ ମଣିଷ ନୁହନ୍ତି ?’’

 

‘‘ସେ କଥା ନୁହେଁ ଯେ, ତୁମ ଘରେ କେହି ରାଜି ହେବେନି ।’’

 

‘‘ମୁଁ ଜିଦ ଧରିବି ।’’

 

‘‘ତୁମେ ବୁଝିବାକୁ ଚେଷ୍ଟା କର ନିରୁ । ମତେ ବାହା ହେଇ କି ସୁଖ ପାଇବ ? ଦିନ ରାତି ପେଟ ଚିନ୍ତା କରୁ କରୁ ସିନା ବେଳ ଯିବ ତୁମର ।’’

 

‘‘ମଣିଷର କଣ ଖାଲି ଧନ ଲୋଡ଼ା ? ମନ କଣ କିଛି ନୁହେଁ ?’’

 

ସୁବିମଳ ଏ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ।

 

ନିରୁ ଶେଷ କଥା ଶୁଣେଇ ଦେଲା, ‘‘କହି ରଖିଲି, ଆଗ ଚାକିରି କରି ମତେ ଏଠୁ ନେଇଯାଅ ଯଦି ସତରେ ମୋ ଭଲ ଚାହୁଁଥାଅ ।’’ ଉତ୍ତରକୁ ଅପେକ୍ଷା ନ କରି ସେ ଚାଲିଗଲା ।

 

ସୁବିମଳଙ୍କ ମୁଣ୍ଡ ଘୂରିଗଲା । ଏ ପୁଣି କି କଠିନ ପରୀକ୍ଷା ତାଙ୍କ ଜୀବନରେ ! ନିରୁକୁ ଆପଣାର କରିବାର ସ୍ୱପ୍ନ ତ ସେ କେବେ ଦେଖି ନାହାନ୍ତି । ସବୁ ଦିନେ ସାନ ଭଉଣୀ ପରି ଦେଖି ଆସିଛନ୍ତି ତାକୁ । ଆଉ ଖାସ ସେଇ ଦୁର୍ବଳତାରୁ ସବୁକାଳେ ତା କଥା ରଖି ଆସିଚନ୍ତି ଯେଡ଼େ କଷ୍ଟକର ହଉ ପଛେ । ନିରୁ ବି ତାଙ୍କୁ ଭୁଲରେ କେବେ ହେଲେ ତ ଏ ମନୋଭାବର ସୂଚନା ଦେଇ ନାହିଁ । କାହିଁକି ତେବେ ସେ ଏତେ କଳ୍ପନା କରିଗଲା ମନେ ମନେ ନିଜ ଆଡ଼ୁ ! ଏ କଥା ଯେ ଅସମ୍ଭବ । ମହାଜନ ଘରେ ତ କେହି ରାଜି ହେବେ ନାହିଁ । ଆଉ ନିଜ ମନକୁମନ କିଛି କରି ବସିଲେ ସେମାନେ ଭିଟାମାଟି ଉଠେଇ ଦେବେ ଗାଁରୁ । ତେବେ କିଏ ବୁଝେଇବ ନିରୁକୁ । ବଡ଼ ଟାଣୁଆ ପ୍ରକୃତିର ସେ; ଭାଙ୍ଗିଯିବ ପଛେ ନଈଁବନି ମୋଟେ ।

 

ଘରୁ ଫେରି ସୁବିମଳ ଚାକିରି ଧରିଲେ । ତେବେ ସେଇ ଦିନଠୁ ଗାଁକୁ ଯିବା ପ୍ରାୟ ବନ୍ଦ କରି ଦେଲେ । ମନେ ମନେ ଭାବିଲେ, ଦୂରେଇ ରହିଲେ ନିରୁର ମନ ବଳେ ବଦଳିଯିବ । ସେ ତାଙ୍କୁ ଭୁଲିଯାଇ ଆପେ ସଂସାର କରିବ ଆଉ କାହା ସାଙ୍ଗେ । ଏଇଲେ ପିଲାମନ । ବଳେ ବୁଝିପାରିବ ନିଜ ଭୁଲ ଆଉ ଟିକିଏ ବଡ଼ ହୋଇଗଲେ । ନିଜଆଡ଼ୁ ଏ କଥା ଠିକ କରିସାରି ଲୋକ ଦେଖାଣିଆକୁ ସେ ଏକପ୍ରକାର ପରିବାର ସହ ସମ୍ପର୍କ ବି ତୁଟେଇ ଦେଲେ । ଚିଠି ଖଣ୍ଡେ ବି ଦେଲେନି ଘରେ କାହା ପାଖକୁ ।

 

ତେଣେ ନିରୁ ବାହାଘର ନେଇ କନ୍ଦଳ ଉପୁଜିଲା ମହାଜନଙ୍କ ପରିବାରରେ । ଯେତେ ଯିଏ କହିଲେ ବି ସେ ମୋଟେ ରାଜି ହେଲା ନାହିଁ ବାହା ହବାକୁ । ଓଲଟି ବେଶି ବାଧ୍ୟ କଲାରୁ ଆତ୍ମହତ୍ୟା କରି ଦେବ ବୋଲି ଧମକ ଦେଲା । ସେଥିସହିତ କଲେଜରେ ପଢ଼ିବ ବୋଲି ଜିଦ ଧରିଲା ବି ।

 

ଏମିତି ବିତିଲା ଦୁଇବର୍ଷ । ଶେଷକୁ ତା ବାପା ଗୋଟାଏ ନୂଆ ଫିକର କଲେ । ନିରୁକୁ ଡାକି କହିଲେ ଯେ ସେ ଯାହାକୁ କହିବ, ତା ସାଙ୍ଗେ ତାକୁ ବାହା କରେଇ ଦେବେ । ଆଗ ଆଗ ସେ ଏ କଥା ବିଶ୍ୱାସ କଲା ନାହିଁ । କିନ୍ତୁ ବାପା ଯେତେବେଳେ ଠାକୁରଙ୍କ ରାଣ ଖାଇ ଜବାବ ଦେଲେ, ସେ ସୁବିମଳଙ୍କ ନାମ ପ୍ରକାଶ କରି ଦେଲା ।

 

ତାପରେ ଲାଗିଲା ତୁମୁଳ କାଣ୍ଡ । ମହାଜନଙ୍କ ଘରେ ସମସ୍ତେ ଧରି ନେଲେ ଯେ ସମ୍ପତ୍ତି ଲୋଭରେ ସୁବିମଳ ଜାଣିଶୁଣି ନିରୁକୁ ପାଲରେ ପକେଇ ଦେଇଛନ୍ତି । ତେଣୁ ସେମାନଙ୍କର ସବୁ କ୍ରୋଧ ଯାଇ ପଡ଼ିଲା ସୁବିମଳଙ୍କ ବାପା-ମା, ଭାଇ-ଭାଉଜଙ୍କ ଉପରେ ।

 

ଏ କଥା ଜାଣିଲା ପରେ ତାଙ୍କ ବାପା କଟକ ଦୌଡ଼ି ଆସି ପୁଅକୁ ଜେରା କଲେ, ‘‘ଇଏ ତୁ କଣ କଲୁ ?’’

 

‘‘କୋଉ କଥା ବାପା ?’’

 

‘‘ନିରୁ ସାଙ୍ଗେ ସମ୍ପର୍କ ଗଢ଼ିବାକୁ ତୋ ମନ ଗଲା କେମିତି ? ତତେ ଟିକିଏ ସଂକୋଚ ଲାଗିଲାନି ? ଏତିକି ଭାବି ପାରିଲୁନି ଯେ ତାଙ୍କରି ଦୟାରୁ ତୁ ମଣିଷ ହେଇଚୁ ବୋଲି ?’’ କିଛି ନ ବୁଝି ସେ ପୁଅକୁ ଭର୍ତ୍ସନା କଲେ ।

 

ସୁବିମଳ ଉତ୍ତର ଦେଲେ, ‘‘ବାପା ମୁଁ ନିର୍ଦ୍ଦୋଷ ।’’

 

‘‘ତେବେ ନିରୁ କାହିଁକି ତା ବାପାଙ୍କୁ କହିଲା, ତତେ ବାହା ହବାକୁ ତା ମନ ?’’

 

ଏ ପ୍ରଶ୍ନର ଉତ୍ତର ସୁବିମଳ ଦେଲେ ନାହିଁ ।

 

‘‘ପୁଅ ହୋଇ ତୁ ବାପାକୁ ମିଛ କହିଲୁ ! ଧିକ ତୋ ପାଠପଢ଼ା । ତୋ ମୁହଁ ଚାହିଁବା ବି ପାପ ।’’ କହି ବାପା ତାଙ୍କର ଅଖିଆଅପିଆ ଚାଲିଯିବାକୁ ବାହାରିଲେ ।

 

‘‘ମତେ ବିଶ୍ୱାସ କର ବାପା, ମୁଁ ନିର୍ଦ୍ଦୋଷ ।’’

 

‘‘ତେବେ ସତ କଥା କହୁନୁ କାହିଁକି ?’’

 

‘‘ବିଶ୍ୱାସ କରିବେ ତ ?’’

 

‘‘ଶୁଣି ସାରେ ।’’

 

ତାପରେ ସୁବିମଳ ଆମୂଳଚୂଳ ସବୁ କଥା ଖୋଲି ଦେଲେ ବାପାଙ୍କ ଆଗରେ ।

 

ଶୁଣି ସାରି ବାପା ତାଙ୍କର ମତ ଦେଲେ, ‘‘ପୁଣି ମତେ ମିଛ କହିଲୁ ? ତୁ କିଛି କରିନୁ, ନିରୁ ମନକୁ ମନ ତତେ ବାହା ହବ ବୋଲି କହୁଚି ! ମୁଁ କଣ ଏଡ଼େ ବୋକା ବୋଲି ଭାବିଚୁ !’’

 

ବାପା ତାଙ୍କର ଫେରିଗଲେ ସେମିତି ଅଖିଆ ଅପିଆ ।

 

ପରିବାର ସହିତ ସୁବିମଳଙ୍କ ସମ୍ପର୍କ ଏହିଠାରୁ ତୁଟିଗଲା କହିଲେ ଚଳେ ।

 

ଏମିତି ଆଉ ବର୍ଷେ ବିତିଗଲା ପରେ ଦିନେ ଭାଇନା ତାଙ୍କର ଆସିଲେ । ଆମେ ଦୁହେଁ ସେତେବେଳକୁ ବସି ଦାବା ଖେଳୁଥାଉ ।

 

ଭାଇନାଙ୍କୁ ପ୍ରଣାମ କରି ସୁବିମଳ କହିଲେ, ‘‘ଆପଣ ମୁହଁ ହାତ ଧୁଅନ୍ତୁ । ମୁଁ ବଜାରରୁ କଣ ଟିକିଏ ଜଳଖିଆ କିଣି ଆଣେ ।’’

 

‘‘ନା, ଆଗ ମୋ କଥାର ଜବାବ ଦେଇସାର । ତାପରେ ଯାଇ ଯାହା ।’’ କହିବା ଢଙ୍ଗରୁ ମନେହେଲା ସେ ପୂର୍ବରୁ କିଛି ଗୋଟାଏ ନିଷ୍ପତ୍ତି ଗ୍ରହଣ କରିସାରି ଆସିଛନ୍ତି ।

 

‘‘କୁହନ୍ତୁ ତା ହେଲେ ।’’

 

‘‘ତୋ ବାହାଘର ଆମେ ଠିକ୍‌ କରିଚୁ ।’’

 

‘‘ମୁଁ ବାହା ହେବିନି ଭାଇନା ।’’

 

‘‘ବାପା ଜବାବ ଦେଇ ସାରିଲେଣି ।’’

 

‘‘ମନା କରି ଦିଅ ।’’

 

‘‘କାହିଁକି ବାହା ହବୁନି ଶୁଣେ ?’’

 

ସୁବିମଳ ମୁହଁ ପୋତି ଠିଆ ହୋଇ ରହିଲେ; ଉତ୍ତର ଦେଲେ ନାହିଁ ।

 

‘‘ଶୁଣ ତେବେ, ନିରୁ ରାଜି ହେଇଚି ଯେ ତୁ ଆଗ ବାହା ହେଇଗଲେ ସେ ବାହା ହବାକୁ ହଁ କରିବ । କିନ୍ତୁ ତୁ ଅବିବାହିତ ଥିବାଯାଏ ସେ ଆଉ କାହାକୁ ବାହା ହବ ନାହିଁ ।’’ ଭାଇନା ବୁଝେଇଲେ ।

 

‘‘ମୁଁ ଚିନ୍ତା କରି ପରେ କହିବି ।’’ ଆପାତତଃ ସୁବିମଳ କଥାଟା ଏଡ଼େଇ ଦେବାକୁ ଚେଷ୍ଟା କଲେ ।

 

‘‘ଆଉ ଚିନ୍ତା କରିବୁ କଣ ? ତୁ ହଁ କଲେ ମୁଁ ଆଜି ଫେରିଯାଇ କାଲିକୁ ସବୁ ବ୍ୟବସ୍ଥା କରି ତତେ ଟେଲିଗ୍ରାମ କରିବି ।’’

 

‘‘ମୁଁ ଭାବିଚିନ୍ତି ପରେ କହିବି ।’’

 

‘‘କେତେ ଦିନ ଭିତରେ ?’’

 

‘‘ସପ୍ତାହେ ।’’

 

‘‘ତେବେ ମୁଁ ଯାଉଚି ।’’

 

‘‘ଏଠି ରହିବେନି ?’’

 

‘‘ନା, ତୁ ଆମ କଥାରେ ରାଜି ହେଲେ ତୋ ସାଙ୍ଗେ ସମ୍ପର୍କ ରଖିବି; ନଚେତ୍‌ ନାହିଁ ।’’ ଶେଷ ସିଦ୍ଧାନ୍ତଟା ଶୁଣେଇ ଦେଇ ସେ ଯୋଉ ବେଶରେ ଆସିଥିଲେ ସେହି ବେଶରେ ଫେରିଗଲେ-

 

ଭାଇନା ତାଙ୍କର ଗଲା ପରେ ମୁଁ କହିଲି, ‘‘ତୁମେ ବାହା ହୋଇଗଲେ ଯଦି କଥା ତୁଟିଯିବ ତେବେ ରାଜି ହୋଇ ଗଲନି କାହିଁକି ?’’

 

‘‘ବଡ଼ ସରଳ ତୁମେ ଗୋକୁଳି । ଏ ଦୁନିଆଟାକୁ ଚିହ୍ନିପାରିନ ଏଯାଏ ।’’

 

‘‘ତା ମାନେ ?’’

 

‘‘ତା ଉପରେ ବଡ଼ ଅକଶ ସାଧୁଚନ୍ତି ତା ବାପ-ଭାଇ । ସହି ନ ପାରି ସେ ବାଧ୍ୟ ବୋଇ ଏ କଥା କହୁଚି । ଆଉ ମନରେ ଆଶା ବାନ୍ଧିଚି ଯେ ମୁଁ କେବେ ତା ଛଡ଼ା ଆଉ କାହାକୁ ବାହା ହବାକୁ ରାଜି ହେବି ନାହିଁ ।’’

 

‘‘ତୁମେ କେମିତି ଜାଣିଲ ?’’

 

‘‘ଖବର ନେଇଚି ।’’

 

‘‘ଚିଠି ଦିଏ ତେବେ ସେ ତୁମକୁ ?’’

 

‘‘ନା, ଆଉ ଜଣକ ଜରିଆରେ କେତେବେଳେ କେମିତି ଖବର ଟିକିଏ ଯୋଗାଡ଼ କରେ-।’’

 

‘‘ଆଉ ତୁମ କଥା ?

 

‘‘ଜଣେଇବାର ବାଟ ନାହିଁ ।’’

 

ତାକୁ ଘରୁ ଲୁଚେଇ ନେଇ ଆସୁନ ?’’

 

‘‘ଚେଷ୍ଟା କରିଚି; କିନ୍ତୁ ପାରିନି । ତାକୁ ଏକପ୍ରକାର ତାଲା ପକେଇ ବନ୍ଦ କରି ଦିନ ରାତି ଜଗିଚନ୍ତି ସମସ୍ତେ । ତାପରେ ବି.....’’

 

‘‘ମାରପିଟ କରୁଚନ୍ତି ?’’

 

‘‘ଏଡ଼େ ନିଷ୍ଠୁର ସେମାନେ ଯେ ମଝିରେ ମଝିରେ ତାକୁ ଦିନ ଦିନ ଧରି ଓପାସ ରଖଇ ଦଉଚନ୍ତି ।’’

 

‘‘କାହିଁକି ?’’

 

‘‘ସେ ଓଳିଏ ବି ଓପାସ ରହି ପାରେନି, ତେଣୁ ସେମାନେ ଭାବୁଚନ୍ତି କେତେ ଦିନ ଓପାସ ରଖି ଦେଲେ ଅବା ତାଙ୍କ କଥାରେ ରାଜି ହେଇଯିବ ।’’ ଟିକିଏ ରହି ସେ ମନକୁମନ କହିଗଲେ, ‘‘ବଡ଼ ଜିଦ୍‌ଖୋର ଝିଅ ସେ । ଅତ୍ୟାଚାର କରି ତାକୁ କୋଉ କଥାରେ ରାଜି କରେଇବା ଅସମ୍ଭବ ।’’

 

‘‘କଣ କରିବ ତେବେ ?’’

 

‘‘କରିବି ଆଉ କଣ ? ଭାଗ୍ୟରେ ଯାହା ଲେଖାଥିବ, ତାପରେ ଯାହା ବା ଚେଷ୍ଟା କରନ୍ତି....’’

 

‘‘କହୁ ନାହାନ୍ତି ।’’

 

‘‘ମହାଜନଙ୍କ ଦି’ପୁଅ ବାପାଙ୍କଠୁ ଦଶହଜାର ଟଙ୍କାର ତମସୁକ ଲେଖେଇ ନେଇଚନ୍ତି ବର୍ଷକ ତଳେ । ଧମକ ବି ଦେଇଚନ୍ତି, ମୁଁ କିଛି କଲେ ସେମାନେ ତାଙ୍କ ନାଁରେ ନାଲିସ କରି ଜେଲ ପଠେଇ ଦେବେ ।’’

 

’’ତେବେ ତ ମୁସ୍‌କିଲ ।’’

 

‘‘ଜୀବନରେ ଏତେ ଅସହାୟ ଅବସ୍ଥାରେ ପଡ଼ିବି ବୋଲି କଳ୍ପନା କରି ନ ଥିଲି ଗୋକୁଳି-। ବେଳେ ବେଳେ ମନ ହଉଚି ଆତ୍ମହତ୍ୟା କରି ଏ ମାନସିକ ଦ୍ୱନ୍ଦ୍ୱରୁ ମୁକ୍ତି ପାଇବାକୁ । ହେଲେ ସେ ବଞ୍ଚି ଥାଉ ଥାଉ ମୁଁ ସେମିତି କିଛି କରି ବସିଲେ ସେ ବି ସେଇ ବାଟ ଧରିବ, ଏଥିରେ ସନ୍ଦେହ ନାହିଁ-।’’

 

‘‘ଏ ସବୁ ଖରାପ କଥା ମୁଣ୍ଡରେ ପୂରାନ୍ତୁ ନାହିଁ । ଦେଖିବେ, ବଳେ ସବୁ ଠିକ ହୋଇଯିବ ।’’

 

ମୋ କଥା ବୋଧହୁଏ ତାଙ୍କ କାନକୁ ଗଲା ନାହିଁ । ସେ ନିଶାଖୋରଙ୍କ ଭଳି କହିଗଲେ, ‘‘ବିଚିତ୍ର ! ତାକୁ ଜାଣିବା ଦିନଠୁ କାହିଁକି ଯେ ସବୁ କଥାରେ ମୁଁ ତା ପାଖେ ହାର ମାନି ଆସୁଚି, ବୁଝିପାରୁନି ।’’

 

‘‘ପ୍ରେମର ଲକ୍ଷଣ ।’’ ମୁଁ ଜବାବ ଦେଲି ।

 

ସେହିଠାରୁ ତାଙ୍କ ପ୍ରକୃତିରେ ଏକ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କଲି । ସବୁ ପ୍ରକାର ଖେଳାଖେଳିରୁ ସେ ଏକରକମ ଓହରିଗଲେ । ଅଫିସ ବେଳତକ ଛାଡ଼ି ଦେଲେ ଦିନ ରାତି ଗୀତା-ଭାଗବତ-ପୁରାଣ ପଢ଼ି ଠାକୁର ଘରେ ସେ ପ୍ରାୟ ପଡ଼ିରହିଲେ ।

 

ବାପା କୋର୍ଟକୁ ଯାଇ ସୁବିମଳଙ୍କୁ ତ୍ୟାଜ୍ୟପୁତ୍ର ବୋଲି ଘୋଷଣା କଲେ କିଛି ଦିନ ପରେ । ଭାଇ-ବନ୍ଧୁ-କୁଟୁମ୍ୱ ସମସ୍ତେ ଦୂରେଇଗଲେ ତାଙ୍କଠାରୁ; ଭୁଲି ବି ଗଲେ ତାଙ୍କୁ ପ୍ରାୟ । ସଂସାରଟାରେ ସେ ହେଲେ ଏକୁଟିଆ; ଆଗକୁ କି ପଛକୁ କେହି ରହିଲେନି ସାହାରା ଟିକିଏ ଦେବାକୁ ।

 

ଏମିତି ପ୍ରାୟ ଦଶବର୍ଷ କଟିଗଲା । ମତେ ମନେ ହେଲା ସେ ନିରୁର ଆଶା ସମ୍ପୂର୍ଣ୍ଣ ତ୍ୟାଗ କରି ଦେଲେଣି । ନିରୁ ବି କୂଳରେ ଲାଗି ଗଲାଣି କୋଉଠି । କାହିଁକନା ଆଉ ତା କଥା ସେ ଉଠାନ୍ତି ନାହିଁ କି ପଚାରିଲେ କିଛି କୁହନ୍ତି ନାହିଁ । ଓଲଟି ବିରକ୍ତ ହୁଅନ୍ତି, କେବେ କେମିତି ମୁଁ ପ୍ରସଙ୍ଗ ଉଠେଇଲେ ।

 

ହଠାତ୍‌ ଦିନେ ସୁବିମଳଙ୍କ ପତ୍ତା ମିଳିଲା ନାହିଁ । କାହାକୁ କିଛି ନ କହି ଏମିତି କି ଅଫିସରେ ଦରଖାସ୍ତ ନ ଦେଇ ସେ ବସାଘରେ ତାଲା ପକାଇ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଆମେ ସବୁ ମିଳିମିଶି ଚେଷ୍ଟା କଲୁ ତାଙ୍କ ପତ୍ତା ଲଗେଇବା ସକାଶେ । କିନ୍ତୁ ପୁଲିସରେ ଖବର ଦେଲୁ ନାହି: ଅକାରଣରେ ଗୁଜ୍ଜବ ରଟିବ ବୋଲି । ତଥାପି କେହି କିଛି କିନାରା କରିପାରିଲୁ ନାହିଁ ଦୁଇମାସଯାଏ । ଶେଷକୁ ଅଫିସ ସାରା ମନ୍ତ୍ରଣା କରି ସ୍ଥିର କଲୁ ପୁଲିସର ସାହାଯ୍ୟ ନେବା ସକାଶେ ।

 

ପୁଲିସରେ ଖବର ଦେବାଯାଏ ଅବଶ୍ୟ କଥା ଗଲା ନାହିଁ । ଯୋଉ ଦିନ ଅଫିସରୁ ତାଙ୍କ ସକାଶେ ହୁଲିଆଜାରି ପାଇଁ ପୁଲିସକୁ ଚିଠି ଯିବା କଥା, ସେହି ଦିନ ସେ ପୁଣି ଆସି ଅଚାନକ ହାଜର ହୋଇଗଲେ ।

 

ସେଦିନ ସନ୍ଧ୍ୟାରେ ମୁଁ ତାଙ୍କୁ ବସାରେ ପଚାରିଲି, ‘‘କୁଆଡ଼େ ଥିଲ ?’’

 

‘‘ଶେଷ ଚେଷ୍ଟା କରି ଆସିଲି ।’’

 

ମୁଁ ବେଶ ବୁଝିଲି ନିରୁକୁ ସେ ଭୁଲିନାହାନ୍ତି ଏଯାଏ । ଆଉ ନିରୁ ମଧ୍ୟ ବାହା ନ ହେଇ ବସି ରହିଚି ଅପେକ୍ଷା କରି । ପଚାରିଲି, ‘‘ସଫଳତାର ଆଶା ?’’

 

ପୁଣି ପୁରୁଣା ବେଳର ବେପରୁଆ ସ୍ୱରରେ ସେ ଉତ୍ତର ଦେଲେ, ‘‘ଏଥର ଆଉ ସେମାନଙ୍କ ପାଇଁ ବାଟ ନାହିଁ ଗୋକୁଳି । ହୁଏତ ତାକୁ ମୋ ହାତରେ ସମ୍ପି ଦେବେ ନ ହେଲେ ଘରୁ ବାହାର କରିଦେବାକୁ ବାଧ୍ୟ ହେବେ ।’’

 

‘‘କାହିଁକି ?’’

 

‘‘ତା ଗର୍ଭରେ ବର୍ତ୍ତମାନ ମୋ ସନ୍ତାନ ବଢ଼ୁଚି ।’’ ଗର୍ବର ସହିତ ସେ ଘୋଷଣା କଲେ ।

 

ସତକୁ ସତ ନିରୁ ସାଙ୍ଗେ ତାଙ୍କ ବାହାଘର କଥା ସ୍ଥିର ହୋଇଗଲା ମାସକ ଭିତରେ । ଏକା ମତେ ଛାଡ଼ି ସେ ଅଫିସରେ କାହାକୁ ବି କହିଲେନି ଏ କଥା । ମତେ ମଧ୍ୟ ବାରଣ କଲେ ପ୍ରକାଶ କରିବାକୁ । ଶରୀର ଅସୁସ୍ଥ ବୋଲି ଦରଖାସ୍ତ ଦେଇ ସେ ମତେ ସାଙ୍ଗରେ ଧରି ଦିନେ ରାତି ଦଶଟାକୁ ଜିପଟାଏ ଭଡ଼ା କରି ବାହାରିଲେ ବାହା ହବା ସକାଶେ ।

 

ହାତରେ ଯଥେଷ୍ଟ ସମୟ ଥାଇ ଆମେ ବାହାରିଲୁ । ସାଧାରଣ ବେଗରେ ଗାଡ଼ି ଚଳେଇଗଲେ ବି ପାହାନ୍ତିଆକୁ ପହଞ୍ଚିଯାଇ ଥାଆନ୍ତୁ ତାଙ୍କ ଗାଁପାଖ ଥାନାରେ । ସେଠୁ ଦାରୋଗା ଓ ଦି’ଚାରି ଜଣ ମୁଖିଆଙ୍କୁ ଧରି ବାହାରି ଥାଆନ୍ତୁ ବାହାଘରକୁ । କାରଣ ସେମାନଙ୍କ ଉପସ୍ଥିତିରେ ବିବାହସମ୍ପନ୍ନ ହେବ ବୋଲି ସେ ଆଗରୁ ସ୍ଥିର କରି ସାରିଥିଲେ ।

 

ଈଶ୍ୱରଙ୍କ ଇଚ୍ଛା ବୋଧହୁଏ ଅନ୍ୟରୂପ । ବାଟରେ ଜଙ୍ଗଲ ମଝିରେ ଜିପ ବିଗିଡ଼ିଗଲା । ଡ୍ରାଇଭର ବିଚାରା ବହୁ ଚେଷ୍ଟା କଲା ସଜାଡ଼ିବା ସକାଶେ; କିନ୍ତୁ ପାରିଲା ନାହିଁ । ସେଇଠି ଆମର ରାତି ପାହିଲା । କଣ କରିବୁ ସ୍ଥିର କରି ପାରିଲିନି ମୁଁ । ସୁବିମଳ ସେତେବେଳକୁ କାଠ ପାଲଟିଗଲେଣି । ଗାଁ ଆହୁରି ପଚାଶ ମାଇଲ ବାଟ ସେଠୁ । ଆଖପାଖରେ ଗାଁଗଣ୍ଡା ବି ନାହିଁ ଯେ କୋଉଠୁ ସାହାଯ୍ୟ ଟିକିଏ ମିଳିବ ।

 

ଦିନ ଦଶଟାକୁ କାଠ ବୋଝେଇ ଟ୍ରକଟାଏ ସେଇ ବାଟ ଦେଇ ଗଲା । ତାକୁ ଅଟକେଇ ଆମ ଦୁଃଖ ବଣାଣିଲୁ । ଡ୍ରାଇଭର ଟ୍ରକ ରଖି ଆମକୁ ସାହାଯ୍ୟ କଲା । କୌଣସିମତେ କାମ ଚଳେଇଲା ଭଳି ଜିପଟାକୁ ସଜାଡ଼ି ଆମେ ଘଣ୍ଟାକୁ ଦଶ-ପନ୍ଦର ମାଇଲ ବେଗରେ ପୁଣି ଆଗେଇଲୁ ଦିନ ବାରଟାବେଳକୁ । ଆଉ ସୁବିମଳଙ୍କ ଗାଁ ପାଖାଆଖି ହେଲା ବେଳକୁ ସୂର୍ଯ୍ୟ ଅସ୍ତ ହେବା ଉପରେ ।

 

ସେଇଠି ଜିପଟା ରଖି ମୁଁ ବାଟୋଇଙ୍କଠୁ ଖବର ନେଇ ଜାଣିଲି ଯେ ସୁବିମଳଙ୍କୁ ଅପେକ୍ଷା କରି କରି ଲଗ୍ନ ଗଡ଼ିଯିବାରୁ ପାଖ ଗାଁରୁ ଆଉ ଗୋଟେ ବର ଯୋଗାଡ଼ କରି ନିରୁକୁ ବାହା କରି ବିଦାୟ କରି ଦେଲେଣି ତା ବାପ-ଭାଇ । ଖବରଟା ପାଇ ସୁବିମଳ ହତାଶ ଆଖିରେ ଶୂନ୍ୟକୁ ଚାହିଁ ରହିଲେ କେତେ ସମୟ । ତାପରେ ଏକପ୍ରକାର ମୂକଙ୍କ ପରି ସେ ବସି ରହିଲେ ଜିପଟା ଭିତରେ ।

 

ଘଣ୍ଟାକ ପରେ ସୁବିମଳ କହିଲେ, ‘‘ଚାଲ ଫେରିଯିବା ।’’

 

ମୁଁ ଯେତେ ବୁଝେଇଲେ ବି ସେ ଆଉ ତାଙ୍କ ଗାଁଯାଏ ଯିବାକୁ ରାଜି ହେଲେ ନାହିଁ । ମୋ କଥା ମାନି ଯାଇଥିଲେ ଅବା ସମସ୍ତଙ୍କୁ କୁହାବୋଲା କରି କିଛି ଗୋଟାଏ ବ୍ୟବସ୍ଥା ହୋଇପାରି ଥାଆନ୍ତା ।

 

ତେଣିକି ସୁବିମଳ ଏକପ୍ରକାର ପାଗଳ ହୋଇଗଲେ କହିଲେ ଚଳେ । ଭୁଲରେ ବି ଘରେ ବାହାରେ କାହା ସାଙ୍ଗେ କଥାଭାଷା ହେଲେ ନାହିଁ । ମୋ ସହିତ ବି ସେତେ ନୁହେଁ । ଅଫିସକୁ ଅବଶ୍ୟ ଠିକ ସମୟରେ ଆସିଲେ ଓ ଗଲେ । କାମରେ ବି ଖଇଚା କଲେ ନାହିଁ । ତେବେ କେବଳ ଅଫିସ ରହଣିତକ ଛାଡ଼ି ଦେଲେ ବାକିତକ ସମୟ ତାଙ୍କର କଟିଲା ପୂଜା-ପାଠରେସେଥି ସହିତ ଆଉ ଗୋଟାଏ ଉପସର୍ଗ ବି ଦେଖାଦେଲା ତାଙ୍କଠାରେ । ଏଣିକି ଦୈନିକ ସନ୍ଧ୍ୟା ପରେ କାଳୀ ମନ୍ଦିରକୁ ଯାଇ ସେ ଘଣ୍ଟାଏକାଳ ସେଠି ଅଧିଆ ପଡ଼ିବାକୁ ଭୁଲିଲେ ନାହିଁ । ମୋର ବି ତାଙ୍କ ସହିତ ଅଭ୍ୟାସ ପଡ଼ିଗଲା ରୋଜ କାଳୀ ମନ୍ଦିରକୁ ଯିବାଟା । ତେବେ ଭକ୍ତିଭାବ ଉପୁଜିଲା ନାହିଁ ମୋ ମନରେ ତାଙ୍କ ପରି ।

 

ଚଳଣି ତାଙ୍କର ଏକପ୍ରକାର ବଦଳିଗଲା ଏହିଠାରୁ । ଏଣିକି ସେ ରାତି ଚାରିଟାରୁ ଉଠି ନିତ୍ୟକର୍ମ ଶେଷ କରି ଆଗ ରୋଷେଇ କରି ବସନ୍ତି ନିଜେ । ସବୁଦିନେ ସେଇ ଏକା ରାନ୍ଧଣା-ଅରୁଆ ଭାତ-ଡାଲମା । ରାତିକୁ କିଛି ଫଳ ଓ କ୍ଷୀର ଖାଇ ଶୁଅନ୍ତି । ବାକିତକ ସମୟ ପୂଜାପାଠାରେ ବିତିଯାଏ ।

 

ସାତ ଆଠ ମାସ ପରେ ଦିନେ ତାଙ୍କ ମସ୍ତିଷ୍କ ବିକୃତିର ଆଉ ଗୋଟାଏ ଚାକ୍ଷୁଷ ନାମୁନା ପାଇଲି । ସବୁଦିନ ପରି ସେ ଓ ମୁଁ କାଳୀ ମନ୍ଦିରକୁ ଯାଇଥାଉ । ପୂର୍ଣ୍ଣମୀ ତିଥି । ଆଳତି ଆରମ୍ଭ ହେଲା । ସେ ଲମ୍ୱ ହୋଇ ମୁହଁମାଡ଼ି ଅଧିଆ ପଡ଼ିଲେ । ମୁଁ ଠାକୁରାଣୀଙ୍କୁ ମୁଣ୍ଡିଆଟାଏ ମାରି ଦେଇ ଚକାପକେଇ ଭକ୍ତଙ୍କ ପରି ହାତ ଯୋଡ଼ି ଏଣେତେଣେ ଚାହିଁ ଦେଖୁଥାଏ ଅନ୍ୟ ଭକ୍ତମାନଙ୍କ କାରବାର ।

 

ଠାକୁର-ଠାକୁରାଣୀଙ୍କ ପ୍ରତି ମୋର ଅବଶ୍ୟ ମନଟାଣ କେବେ ନ ଥିଲା । ପିଲାଦିନେ ମା’ ମୋ ପାଇଁ ଠାକୁରଙ୍କ ଆଗେ ଗୁହାରି ଜଣାଉଥିଲା । ବାହା ହେଲା ପରେ ସେ ଭାର ରାଜୁ ବୋଉ ତୁଲେଉଚି । ତେବେ ମନ୍ଦିରକୁ ଗଲେ ଠାକୁର-ଠାକୁରାଣୀଙ୍କୁ ମୁଣ୍ଡିଆଟାଏ ମାରେ; ବୋଧହୁଏ ପରମ୍ପରାଗତ ଶିକ୍ଷାଦୀକ୍ଷାର ପ୍ରଭାବରୁ

 

ଆଳତି ଶେଷରେ ସୁବିମଳ ବିଡ଼ବିଡ଼ ହୋଇ ନିଜ ମନକୁମନ କହି ଉଠିଲେ, ‘‘ମାଆ, ମୋ ପୁଅକୁ ସୁଖ-ଶାନ୍ତିରେ ରଖ । ମୋ ପରି ଅଭାଗା କରନା ତାକୁ । ତ ଭଲ ପାଇଁ ସବୁ କିଛି କଷ୍ଟ ସହିବାକୁ ମୁଁ ପ୍ରସ୍ତୁତ ।’’

 

ଠାକୁରାଣୀଙ୍କ ପାଖେ ତାଙ୍କ ଗୁହାରି ଶୁଣି ମୁଁ ଭୟ ପାଇଗଲି । ତେବେ କଣ ସୁବିମଳ ବିବାକେ ପାଗଳ ହୋଇଗଲେ !

 

ବାହାରକୁ ଆସି ସେ ଆହୁରି ଅସମ୍ଭବ କାଣ୍ଡଟାଏ କରି ବସିଲେ । ଯେତେ ଦୁଃଖୀରଙ୍କୀ ବସିଥିଲେ ସମସ୍ତଙ୍କୁ ଗୋଟିଏ କରି ଟଙ୍କା ଦେଇ ସେହି ମାତ୍ର ଜନ୍ମଲାଭ କରିଥିବା ତାଙ୍କ କାଳ୍ପନିକ ପୁତ୍ରର ମଙ୍ଗଳକାମନା କରିବାକୁ କହିଲେ । ଟଙ୍କାଟିଏ ଲେଖା ପାଇ ମନ ଥାଉ କି ନ ଥାଉ ସେମାନେ ସୁବିମଳଙ୍କ ପୁଅର ମଙ୍ଗଳ କାମନା କରି-‘ଆନନ୍ଦେ ଏକବାର ହରିବୋଲ’-କହି ଏକାଠି ଚିତ୍କାର କରି ଉଠିଲେ । ଦେଖାଣାହାରୀ କେତେ ଜଣ ବି ଜମିଗଲେ ସେଠି ।

 

କୌଣସିମତେ ତାଙ୍କୁ ସେଠୁ ଭିଡ଼ିଓଟାରି ନେଇ ଯାଉ ଯାଉ ମୁଁ ବାଟରେ ପଚାରିଲି, ‘‘କୋଉ ପୁଅର ମଙ୍ଗଳକାମନା କରୁଥିଲେ ।’’

 

‘‘ଠାକୁରାଣୀଙ୍କ ପାଖେ ଅଧିଆ ପଡ଼ିଥିଲାବେଳେ ମୋ ପୁଅ ଜନ୍ମ ହେଲା ପରା !’’ ସେ ଦୃଢ଼ବିଶ୍ୱାସ ସହ ଉତ୍ତର ଦେଲେ ।

 

‘‘ଆପଣ ଜାଣିଲେ କେମିତି ?’’

 

‘‘ଠାକୁରାଣୀଙ୍କ କୃପାରୁ ।’’

 

‘‘କୋଉଠି ଜନ୍ମ ହେଲା ?’’

 

‘‘ଡାକ୍ତରଖାନାରେ ।’’

 

ମୁଁ ନିଃସନ୍ଦେହ ହେଲି ଯେ ତାଙ୍କ ମୁଣ୍ଡ ଏକବାରେ ବିଗିଡ଼ଗଲାଣି ନ ହେଲେ ବାହା ନ ହୋଇ ବି ତାଙ୍କର ପୁଅ ହେଲା ବୋଲି ସେ ସର୍ବସାଧାରଣରେ ଗାଇ ବୁଲନ୍ତେ ନାହିଁ ! ମନେ ମନେ ସ୍ଥିର କଲି ପରଦିନ ସକାଳେ ଆଗ ଯାଇ ପାଗଳ ଡାକ୍ତରଙ୍କ ସାଙ୍ଗେ ପରାମର୍ଶ କରିବି ତାଙ୍କ ସମ୍ପର୍କରେ ।

 

ତା ପରଦିନ ସେ ଅଫିସକୁ ଆସିଲେ ସବୁଦିନ ପରି । କାମ ବି କଲେ ଠିକ ରୂପ । ଟିକିଏ ହେଲେ ବେଆଡ଼ା ବ୍ୟବହାର ମୁଁ ଦେଖିଲି ନାହିଁ ତାଙ୍କଠାରେ ।

 

ପରେ ଦିନେ ସନ୍ଧ୍ୟାରେ କାଳୀ ମନ୍ଦିରରୁ ଫେରିବା ବାଟରେ ସେ ମତେ କହିଲେ, ‘‘ଭାବୁଚି ପୁଅ ନାଁରେ ଗୋଟାଏ ବ୍ୟାଙ୍କ ଆକାଉଣ୍ଟ ଖୋଲିବି ବୋଲି ।’’

 

‘‘ପୁଅ ନାଁରେ ବ୍ୟାଙ୍କ ଆକାଉଣ୍ଟ !’’ ବିଶ୍ୱାସ କରିପାରିଲି ନାହିଁ ତାଙ୍କ କଥା ।

 

‘‘ହଁ ।’’ ଟିକିଏ ରହି ସେ ଯୋଡ଼ିଲେ, ‘‘ଟଙ୍କାର ମାନମହତ ଏ ଦୁନିଆରେ ସବୁଠୁ ବେଶି ଗୋକୁଳି । ମୋ ବାପାଙ୍କର ଟଙ୍କା ଥିଲେ କଣ ମୁଁ ଏତେ ଦୁଃଖ ପାଇଥାଆନ୍ତି ଜୀବନରେ !’’

 

ସତକୁ ସତ ତାଙ୍କର ସେହି କାଳ୍ପନିକ ପୁଅଟିର ମଙ୍ଗଳ ଉଦ୍ଦେଶ୍ୟରେ ସେ ତହିଁ ପରଦିନ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ମତେ ସାଙ୍ଗରେ ଡାକି ନେଇ । କିରାଣୀ ଜଣକ ଯେତେବେଳେ ଉତ୍ତରାଧିକାରୀଙ୍କ ପୂର୍ଣ୍ଣ ନାମ ଓ ଠକଣା ଫର୍ମରେ ପୂରଣ କରିବାକୁ କହିଲେ, ସେତେବେଳେ ସ୍ପଷ୍ଟ ଲେଖିଦେଲେ ଯେ ସେକଥା ସେ ତାଙ୍କ ଉଇଲରେ ଦର୍ଶାଇ ଦେଇ ଯିବେ ।

 

ତାପରେ ଦିନେ ମୁଁ ନିଜେ ଯାଇଥିଲି ମାନସିକ ଡାକ୍ତରଙ୍କ ସାଙ୍ଗେ ପରାମର୍ଶ କରିବାକୁ ତାଙ୍କ ସମ୍ୱନ୍ଧରେ । ସବୁ କଥା ଟିକିନିଖି ବର୍ଣ୍ଣନା କଲା ପରେ ଡାକ୍ତର ବାବୁ ମତ ଦେଲେ ଯେ ଏଇଟା ଏକପ୍ରକାର ପାଗଳାମୀ । ତେବେ ସାମନ୍ୟ ଧରଣର । ତେଣୁ ବ୍ୟସ୍ତ ହେବାର କିଛି ନାହିଁ । ଅନେକ ସୁସ୍ଥ ଲୋକଙ୍କଠାରେ ଏମିତିକା ବିକୃତି ଅଳ୍ପବହୁତେ ଦେଖା ଦେଇଥାଏ । ଏ କ୍ଷେତ୍ରରେ ମାତ୍ରାଟା ଟିକିଏ ଅଧିକ ହୋଇଥିଲେ ବି ସମୟକ୍ରମେ କମିଯିବ ।

 

ଏଣିକି ସେ ପ୍ରତି ମାସରେ ଦରମାର ଅଧାଅଧି ବ୍ୟାଙ୍କରେ ନିୟମିତ ଜମେଇଲେ ପୁଅ ନାଁରେ । ଏବେ ମଧ୍ୟ ସେ ପାଗଳାମୀ ତାଙ୍କର ଯାଇ ନାହିଁ । ନିଜ ଖର୍ଚ୍ଚ ବାଦ ପେନସନରୁ ଯାହା ବଳୁଚି ତାକୁ ସେ ବ୍ୟାଙ୍କରେ ଜମେଇ ଚାଲିଛନ୍ତି । କେତେ ନା କେତେ ଟଙ୍କା ତାଙ୍କର ରହିବଣି ମୁଁ ଜାଣେ ନାହିଁ । ପଚାରିବି ନାହିଁ କେବେ ହେଲେ ତାଙ୍କୁ ଏ ସମ୍ପର୍କରେ । କେବଳ ଏତିକି ନିଶ୍ଚିତ ଜାଣେ ତାଙ୍କର ସେହି କାଳ୍ପନିକ ପୁଅ କଳ୍ପନାରେ ହିଁ ରହିଯିବ । ହୁଏତ ପୁଅ ଅଭାବରୁ ଉଇଲଟା ବି ସେ କରିପାରିବେ ନାହିଁ ମୃତ୍ୟୁ ପୂର୍ବରୁ ।

 

କେତେ ମାସ ତଳେ ମୁଁ ଦିନେ ପାର୍କରେ ବସିଥିଲାବେଳେ ପୁଣି ସେ କଥା ଉଠେଇଥିଲି, ‘‘ବ୍ୟାଙ୍କ ଜମା ବିଷୟରେ କଣ କଲେ ?’’

 

‘‘ସମୟ ହେଇଗଲା, ଏଥର ଗୋଟାଏ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ।’’

 

‘‘ପୁତୁରା-ଝିଆରୀ କାହାକୁ ନ ହେଲେ....’’

 

ଅସହିଷ୍ଣୁଙ୍କ ପରି ବାଧା ଦେଇ ସେ ମତ ଦେଲେ, ‘‘ଦରକାର ପଡ଼ିବ ନାହିଁ । ମୋ ମନ କହୁଚି ବେଳ ହୋଇଗଲା । ପୁଅ ଏଥର ଆସିଯିବ । ମନେରଖ, ମୋ ଝାଳବୁହା ଧନ ଭୂତ ଖାଇବନି ।’’

 

କଥାରୁ ଜାଣିଲି ଯେ ପାଗଳାମୀ ତାଙ୍କର ଏବେ ବି ଯାଇ ନାହିଁ ଓ ଶେଷକୁ ଦି’ଚାରି ଲକ୍ଷ ଟଙ୍କା ହୁଏତ ଦାବିଦାର ଅଭାବରୁ ସରକାରଙ୍କ ତହବିଲକୁ ଚାଲି ଯିବ ।

 

ବେଶ କେତେ ବର୍ଷ ତଳର କଥାଟାଏ ମନେ ପଡ଼ୁଚି । ଆଗ ତାଙ୍କୁ ତ୍ୟାଜ୍ୟପୁତ୍ର କରେଇ ସାରି ଭାଇନା ତାଙ୍କର ଶେଷକୁ ଆସିଥିଲେ ବୁଝେଇ ସୁଝେଇ ପୁଣି ବାଗକୁ ଆଣିବେ ବୋଲି । ମୂଳ ଲକ୍ଷ୍ୟ ଥିଲା, ତାଙ୍କରି ପୁଅ ଭିତରୁ ଜଣକୁ କୌଣସିମତେ ସୁବିମଳଙ୍କ ପୋଷ୍ୟପୁତ୍ର କରେଇ ଦେଇପାରିଲେ ଜମା ଟଙ୍କାତକ ଘରେ ରହିଯିବ । ମୁଁ ମଧ୍ୟ ତାଙ୍କ ଭାଇନାଙ୍କୁ ଏଥିରେ ସହଯୋଗ କଲି ଟଙ୍କାଟା ଅକାରଣରେ ବୁଡ଼ି ନ ଯାଉ ବୋଲି ।

 

ସେ କିନ୍ତୁ କାନ ଦେଲେ ନାହିଁ ଆମ ପରାମର୍ଶକୁ । ବାଧ୍ୟ କଲାରୁ ଓଲଟି ଉତ୍ତର ଦେଲେ, ‘‘ପୁଅ ମୋର ଦିନେ ନା ଦିନେ ନିଶ୍ଚୟ ମୋ ପାଖକୁ ଫେରି ଆସିବ । ତେଣୁ ଆଉ କାହାକୁ ପୋଷ୍ୟପୁତ୍ର କରିବାର ପ୍ରଶ୍ନ ନାହିଁ । ପୋଷ୍ୟପୁତ୍ର କଲେ ଆଗକୁ କନ୍ଦଳ ଲାଗିବ ସେ ଦୁହିଁଙ୍କ ଭିତରେ ।’’

 

ଖାଲି ଯେ କାଳ୍ପନିକ ପୁଅଟି ନାଁରେ ଅପର୍ଯ୍ୟାପ୍ତ ଟଙ୍କା ରଖି ସେ ନିଶ୍ଚିନ୍ତି ହେଲେ ତାହା ନୁହେଁ । ପୁଅ-ବୋହୂଙ୍କ ପାଇଁ ଘରଟାଏ ବି ତୋଳେଇଲେ । ଆଉ ସେଇ ଛଅ ବଖୁରିଆ ଘରଟାରେ ଏକୁଟିଆ ଦୁଃଖ କଷ୍ଟସହି ଏବେ ବି ଚାହିଁ ବସିଛନ୍ତି ତାକୁ । ଆଶା ଛାଡ଼ି ନାହାନ୍ତି; ଆଉ ଛାଡ଼ିଲା ପରି ବି ଦିଶୁ ନାହିଁ ।

 

ସୁବିମଳ ଯେତେବେଳେ ପୁଅ-ବୋହୂଙ୍କ ପାଇଁ ଘର କିଣିବାକୁ ମନ କଲେ, ସେତେବେଳେ ମୁଁ ତାଙ୍କୁ କହିଲି, ‘‘ଏତେ ତରବର କାହିଁକି ? ପୁଅ ଆସୁ । ତାକୁ ପଚାରି ତା ମନଲାଖି ଘର କରିବେ ।’’

 

ସେ ଉତ୍ତର ଦେଲେ, ‘‘ସେତେବେଳକୁ ଘର ଦାମ ବହୁତ ବଢ଼ିଯିବ ।

 

‘‘ବଢୁ, କଣ ହେଇଗଲା ସେଇଠୁ ?’’

 

‘‘ତାପରେ ବି ଘରଟା ଖସିଯିବ ମୋ ହାତରୁ ।’’

 

‘‘କୋଉ ଘର ?’’

 

‘‘ଏଇ ଯୋଉଟାରେ ମୁଁ ରହୁଚି । ଘର ମାଲିକ ଦବାକୁ ବାହାରିଚି । ମତେ କେତେ ଥର କହିଲାଣି ମୁଁ ଉଠିଗଲେ ବିକିଦବ ବୋଲି ।’’

 

‘‘କେତେ ଟଙ୍କା ମାଗୁଚି ?’’

 

‘‘କୋଡ଼ିଏ ହଜାର ।’’

 

‘‘ଏଇ ଦି’ବଖରା ପୁରୁଣା ଘରକୁ ? ପାଗଳ ହେଲା ତୁମେ ! ଟଙ୍କା ଆଠ-ଦଶ ହଜାରକୁ କେହି ନେବେ ନାହିଁ !’’

 

‘‘ପଛକୁ ଚାରି ଗୁଣ୍ଠ ପଡ଼ିଆ ଅଛି ପରା ।’’

 

‘‘ଥାଉ, ଗଳି ଭିତରେ ଘର । କିଏ କିଣିବାକୁ ମନ କରିବ ?’’

 

ବୋଧହୁଏ ଏ ବିଷୟରେ ସେ ମୋ ସହିତ ଯୁକ୍ତି କରିବାକୁ ଆଉ ମନ କଲେ ନାହିଁ । ତେଣୁ କିଛି ନ କହି ତୁନୀ ହୋଇଗଲେ ।

 

ମୁଁ ମନେକଲି ସେ ବୁଝିଗଲେ, ଆଉ ଏ ଦୁର୍ବୁଦ୍ଧି କରିବେ ନାହିଁ ।

 

ମାସକ ପରେ କିନ୍ତୁ ସେ ସେଇ ଘରଟାକୁ ଷୋଳ ହଜାର ଦେଇ କିଣି ପକେଇଲେ ଚୁପଚାପ । ତାପରେ ଅଧିକ କୋଡ଼ିଏ ହଜାର ଖର୍ଚ୍ଚ କରି ସେ ତାକୁ ନୂଆ କରି ଗଢ଼ି ତୋଳିଲେ । ଆଉ ସେହି ଦିନଠାରୁ ସେ ନିଜେ ଏକୁଟିଆ ରହି ଆସୁଚନ୍ତି ସେଠି । ଯିଏ ଯେତେ କହିଲେ ବି ଦିନକ ସକାଶେ ଭଡ଼ା ଲଗେଇ ନାହାନ୍ତି ।

 

ଘର କିଣିବାର ଅଳ୍ପ କେତେ ମାସ ପରେ ମୁଁ ତାଙ୍କର ଏଇ ପାଗଳାମୀର କାରଣଟା ଜାଣିଲି ।

 

ଦେଶ ସେତେବେଳକୁ ସ୍ୱାଧୀନ ହେଲାଣି । ଜାତୀୟ ସରକାର ଦେଶର ଉନ୍ନତି ପାଇଁ କେତେ ନୂଆ ନୂଆ କରିକଳ୍ପନା ହାତକୁ ନେଲେଣି । ତେଣୁ ଗୋଟାକ ପରେ ଗୋଟାଏ ନୂଆ ନୂଆ ଦପ୍ତର ଗଢ଼ି ଉଠୁଥାଏ । ଫଳରେ ଆମ ପରି ତଳପାହିଆ କର୍ମଚାରୀମାନେ ରାତାରାତ ଅଫିସର ହୋଇ ଏହି ସବୁ ଦପ୍ତରର ଭାର ନେଉ ଥାଆନ୍ତି ।

 

ସୁବିମଳ ସେତେବେଳେକୁ ଆମ ଅଫିସରେ ସିନିୟର ଆସିଷ୍ଟାଣ୍ଟ । ତାଙ୍କ ପାଳି ପଡ଼ିଗଲା ଅଫିସର ହେବା ସକାଶେ । ସେ କିନ୍ତୁ ମନାକଲେ ଗେଜେଟେଡ଼ ପଦବୀ ଗ୍ରହଣ କରିବାକୁ । ଫଳରେ ହାତୀ ସୁନାକଳସ ଢାଳିଲା ମୋ ମୁଣ୍ଡରେ ।

 

ତାଙ୍କର ଏପରି ନିଷ୍ପତ୍ତିରେ ଅବଶ୍ୟ ଆମ ଅଫିସରୁ କେହି ଆଶ୍ଚର୍ଯ୍ୟ ହେଲେ ନାହିଁ । ବରଂ ଧରି ନେଲେ ଯେ ଲୋକଟା ପାଗଳ ହେଲେ କଣ ହେଲା, ନିଜ ଶକ୍ତି ସାମର୍ଥ୍ୟ ନେଇ ସଚେତନ । କାରଣ ସେ ବେଶ ଜାଣନ୍ତି ଯେ ଅଫିସର ଭାବରେ କାମ ତୁଲେଇବା ଅବସ୍ଥାରେ ନିଜେ ଆଉ ନାହାନ୍ତି ।

 

ମୁଁ କିନ୍ତୁ ସେମାନଙ୍କ ସହିତ ଏକମତ ହେଲି ନାହିଁ । ତେଣୁ କାଳୀ ମନ୍ଦିରରୁ ସେଦିନ ଫେରିବା ବାଟରେ କଥା ପକେଇଲି, ‘‘ତୁମେ ଏସବୁ କଣ କରୁଚ କହିଲ ?’’

 

‘‘କୋଉ କଥା ?’’ ସେ ଜାଣିବାକୁ ଚାହିଁଲେ ।

 

‘‘ଗେଜେଟେଡ଼ ଅଫିସର ହବାକୁ ମନା କରୁଚ କାହିଁକି ଶୁଣେ ?’’

 

‘‘ମୁଁ ନିରୁପାୟ ଗୋକୁଳି !’’

 

‘‘ତୁମେ କଣ ଭାବୁଚ କରମ ତୁଲେଇ ପାରିବନି ?’’

 

‘‘ସେ କାମ ତ କିରାଣୀ କାମଠୁ ସହଜ ।’’

 

‘‘ତେବେ ନାହିଁ କରୁଚ କାହିଁକି ?’’

 

ଟିକିଏ ସମୟ ଗମ୍ଭୀର ହୋଇ ଅନ୍ୟମନସ୍କ ଭାବରେ ବାଟ ଚାଲୁ ଚାଲୁ ସେ ଉତ୍ତର ଦେଲେ, ‘‘ଗେଜେଟେଡ଼ ହେଲେ ତ କଟକରେ ରହିପାରିବି ନାହିଁ । ସରକାର ରାଜ୍ୟସାରା ଯୋଉଠିକି ପଠେଇବେ ସେଠାକୁ ଯିବାକୁ ପଡ଼ିବ ବାଧ୍ୟ ହୋଇ ।’’

 

‘‘କଣ ହେଇଗଲା ସେଇଠୁ, ଯିବ ।’’

 

‘‘ତା ସତ ଯେ; ମୁଁ ବାହାରେ କୋଉଠି ଥିଲାବେଳେ ପୁଅ ଯଦି ଆସି ମତେ ଏଠି ନ ପାଇ ଚାଲିଯାଏ !’’

 

ଏ କଥାର ଜବାବ ମୁଁ ଖୋଜି ପାଇଲି ନାହିଁ । ନିଜେ ନିଜ ମନକୁ ବୁଝେଇଲି ଯେ ଏ ନେଇ ତାଙ୍କୁ ଅଧିକ କିଛି କହି ଲାଭ ନାହିଁ । କାହିଁକିନା, କଳ୍ପନାପ୍ରସୂତ ପୁଅଟିର ଭଲମନ୍ଦ ସମସ୍ୟାରେ ସେ କାହା ପରାମର୍ଶ ଶୁଣିବେନି ମୁଁ ଜାଣେ ।

 

ଘଟଣାଟି ପରେ ପରେ ମୁଁ ସୁବିମଳଙ୍କ ବଦଳରେ ଗେଜେଟେଡ଼ ପାହିଆକୁ ପ୍ରମୋଶନ ପାଇ ବଦଳି ହେଲି କୋରାପୁଟକୁ ।

 

ସେହିଠାରୁ ତାଙ୍କ ମୋ ଭିତରେ ସମ୍ପର୍କ ପ୍ରାୟ ତୁଟିଗଲା । ଧୀରେ ଧୀରେ ମୁଁ ତାଙ୍କୁ ପାଶୋରିଗଲି ବି ନିଜ ଜଞ୍ଜାଳରେ ବୁଡ଼ିରହି । ଏମିତିକି କୋଡ଼ିଏ ବର୍ଷ ବାଦ କଟକକୁ ବଦଳି ହୋଇ ଆସିଲା ପରେ ମଧ୍ୟ ତାଙ୍କୁ ଖୋଜି ନାହିଁ ।

 

ଛଅବର୍ଷ ତଳେ ସେଦିନ ନନ୍ଦ ସାଙ୍ଗେ ଉପରଓଳି ପାର୍କକୁ ବୁଲିଯାଇ ତାଙ୍କୁ ଦେଖିବା ପରେ ମୋର ପଛ କଥାଗୁଡ଼ାକ ପୁଣି ମନେପଡ଼ିଗଲା । ମୁଁ ତାଙ୍କ ନାଁ ଧରି ଡାକିଲାରୁ ସେ ମତେ ଚିହ୍ନିଲେ । ଆମେ ଆଉ ଥରେ ସାଙ୍ଗ ହେଲୁ ଆଗ ପରି ।

 

ତଥାପି ଦେଖୁଚି ତାଙ୍କ ଦୁଃଖ ଆହୁରି ଘୁଞ୍ଚିନାହିଁ । ଏବେ ମଧ୍ୟ ସେ ତାଙ୍କ ପୁଅକୁ ଚାହିଁ ବସିଛନ୍ତି । ହୁଏତ ଏ ସଂସାରରୁ ବିଦା ହେବାଯାଏ ଏମିତି ଚାହିଁ ବସିଥିବେ ।

 

ଭାବି ପାରୁନିଏ ଅଭିଶପ୍ତ ଜୀବନର ସମାପ୍ତି କୋଉଠି ? କେବେ ସେ ଏଥିରୁ ମୁକ୍ତି ପାଇବେ ? ମଣିଷ ଯେ ଏତେ କଷ୍ଟ କରି ବଞ୍ଚି ରହିପାରେ, ଏ କଥା ତାଙ୍କୁ ଜାଣି ନ ଥିଲେ ମୁଁ ବିଶ୍ୱାସ କରି ନ ଥାନ୍ତି ଜୀବନରେ !

 

ସମର

 

ଉପରଓଳି ହସପିଟାଲରୁ କାମ ସାରି ଫେରୁ ଫେରୁ ରାତି ଆଠଟା ହେଲା । ବସାରେ ପହଞ୍ଚି ଚିଠି ଖଣ୍ଡେ ଲେଖିବସିଲି ଘରକୁ । ଦୁଇ ମାସ ହବ ଚିଠି ଦେଇନି କାହାକୁ । ବୋଉ ତେଣେ ବ୍ୟସ୍ତ ହଉଥିବ ।

 

ଏତିକିବେଳକୁ ବିକାଶ ଆସି ପହଞ୍ଚିଲା ।

 

ସାଙ୍ଗେ ସାଙ୍ଗେ ଧରି ନେଲି ଯେ ମାଉସୀଙ୍କର ବୋଧହୁଏ ପୁଣି ମୁଣ୍ଡ ଗଣ୍ଡଗୋଳ ଆରମ୍ଭ ହେଲାଣି । ପଚାରିଲି, ‘‘ମାଉସୀ ଠିକ ଅଛନ୍ତି ତ ?’’

 

‘‘ହଁ । ମା’ ଭଲ ଅଛି ।’’

 

‘‘ବସ । ଆରେ ମଙ୍ଗୁଳି ଚାହା ଦି’କପ ଆଣତ ।’’ କହି ସାରି ଜାଣିବାକୁ ଚାହିଁଲି, ‘‘ହଠାତ୍‌ ରାତିଟାରେ ?’’

 

‘‘ତୋ ସହିତା ଗୋଟାଏ ବିଷୟରେ ପରାମର୍ଶ କରିବାକୁ ଆସିଲି ।’’

 

‘‘କଣ କହୁନୁ ।’’

 

‘‘ଆଜି ଆମ ରିଜିଓନାଲ ମ୍ୟାନେଜରଙ୍କଠୁ ଶୁଣିଲି ଯେ ଇଣ୍ଟରନ୍ୟାସନାଲ ବ୍ୟାଙ୍କିଙ୍ଗ ବିଷୟରେ ଟ୍ରେନିଂ ନବା ସକାଶେ ମୁଁ ବଛା ହେଇଚି ।’’

 

‘‘କୋଉଠି ଟ୍ରେନିଂ ନବୁ ?’’

 

‘‘ଆମେରିକା ।’’

 

‘‘ବଢ଼ିଆ......ଏ ମଉକା ଆଉ ଛାଡ଼ିବାର ଅଛି !’’

 

‘‘ତା ଠିକ ଯେ କିନ୍ତୁ ଯିବି କେମିତି ?’’

 

‘‘କଣ ତତେ ହାତରୁ ଖର୍ଚ୍ଚ କରି ଯିବାକୁ ପଡ଼ିବ ?’’

 

‘‘ତା ନୁହେଁ ଯେ, ମା’କୁ କାହା ପାଖେ ରଖି ଯିବି ? ତା ପାଖେ ତ ନିଜର ଲୋକ ଜଣେ କେହି ରହିବା ପୁଣି ଦରକାର । ନ ହେଲେ କୋଉ ଦିନ ଯେ ମୋ ବାପା ବେମାର ବୋଲି କହି ନ ଖାଇ ନ ପିଇ ଠାକୁର ଘରେ ପଡ଼ିରହି ଗୀତା ଭାଗବତ ବୋଲୁ ବୋଲୁ ଅନାହାରରେ ଶେଷ ପାଇଯିବ, ତାର କୋଉ ଠିକଣା ଅଛି ?’’

 

‘‘ତୋର କଣ ଆଉ କେହି ଆତ୍ମୀୟସ୍ୱଜନ ନାହାନ୍ତି ?’’

 

‘‘ମୋ ଜାଣିବାରେ ମାମୁଁ ଜଣେ ଅଛନ୍ତି, ମା’ର ମାଉସୀ ପୁଅ ସାନ ଭାଇ । ଆଉ କାହା ସାଙ୍ଗେ ଆମର ସମ୍ପର୍କ ନାହିଁ ।’’

 

‘‘କଣ କରନ୍ତି ସେ ?

 

‘‘ଟାଟା କମ୍ପାନୀରେ କୋଉ ଗୋଟାଏ ବଡ଼ ଚାକିରିରେ ଅଛନ୍ତି ।’’

 

‘‘ତାଙ୍କ ପାଖେ ତାହେଲେ ମାଉସୀଙ୍କୁ ଛାଡ଼ିଦେଇ ଯିବୁ ।’’

 

‘‘ସମ୍ଭବ ନୁହେଁ ।’’

 

‘‘କାହିଁକି ?’’

 

‘‘ଏକେତ ସେ ଅବିବାହିତ । ସାଙ୍ଗକୁ ଚାକିରିଟା ଏମିତିକା ଯେ ମାସକୁ କୋଡ଼ିଏ ଦିନ Foreign Tour ।’’

 

‘‘ତେବେ ତ ଅସୁବିଧା ।’’ ଟିକିଏ ଚିନ୍ତା କରି ସାରି କହିଲି, ‘‘ଆଉ ଗୋଟାଏ କାମ କରିପାରୁ ।’’

 

‘‘କଣ ?’’

 

‘‘ତୁ ବାହା ହେଇ ପଡ଼ ।’’

 

‘‘ସେ କଥା ବି ଚିନ୍ତା କରିଚି । ଏଡ଼େ ସହଜ ପାଠ ନୁହେଁ, ମୋ ପାଇଁ ।’’

 

‘‘କାହିଁକି ?’’

 

‘‘ମା’କୁ ରାଜି କରାଇବ କିଏ ?’’

 

ମଙ୍ଗୁଳି ଚାହା ଦି’କପ ଆଣି ଦେଇଗଲା ।

 

‘‘ତୁ ଯଦି ରାଜି, ତେବେ ମୁଁ ମାଉସୀଙ୍କ ପାଖେ କଥା ଉଠେଇବି ।’’

 

‘‘ଆପତ୍ତି ନାହିଁ; କିନ୍ତୁ ଫଳ କିଛି ହବନି ।’’

 

‘‘ମାଉସୀ କଣ ତତେ ବାହା କରେଇବାକୁ ମନା କରୁଚନ୍ତି ?’’

 

‘‘ସେ କାହିଁକି ମନା କରିବ ! କନ୍ୟା ପସନ୍ଦ କରିବାଟା ହେଲା ସମସ୍ୟା ।’’

 

‘‘ତୁ ଯଦି ରାଜି, ମୁଁ ସେକଥା ସମ୍ଭାଳି ନେବି ।’’

 

‘‘ଚେଷ୍ଟା କରି ଦେଖ ।’’

 

ତାପରେ ଏଣୁ ତେଣୁ ଅଧଘଣ୍ଟାଏ ଗପ କରି ସେ ବିଦାୟ ନେଲା ।

 

ପରଦିନ ସନ୍ଧ୍ୟାରେ ମୁଁ ବିକାଶ ବସାକୁ ଯାଇ ମାଉସୀଙ୍କୁ ସବୁ ଘଟଣା ବୁଝେଇ କହିଲି-। ସେ ସ୍ଥିର ମନରେ ମୋ କଥାତକ ଶୁଣିସାରି କହିଲେ, ‘‘ଏଇ କଥାରେ ଏତେ ଭାବିବାର କଣ ଅଛି-? ମୋଟେ ବର୍ଷକର କଥା ତ । ସେ ଚାଲି ଯାଉନି । ମୁଁ କଣ ବର୍ଷଟାଏ ଏକା ରହି ପାରିବିନି !’’

 

‘‘ବାହା ହୋଇ ବୋହୂର ଆପଣଙ୍କ ପାଖେ ରଖିଯିବା ତା ମନ । ଭଲମନ୍ଦକୁ ତ ପୁଣି କିଏ ଜଣେ ଆପଣଙ୍କ ପାଖେ ପାଖେ ରହିବା ଦରକାର ।’’ ମୁଁ ବୁଝେଇଲି ।

 

‘‘କିଏ ତା ବାହାଘର ଠିକଣା କରିବ ?’’

 

‘‘କେତେ ଲୋକ ତ ତାକୁ ଝିଅ ଦବାକୁ ଗୋଡ଼ ଟେକି ବସିଚନ୍ତି । ଆପଣ ରାଜି ହେଲେ କଥା ଉଠେଇବା ।’’

 

‘‘ମନ ଯଦି ହଉଚି ଉଠାଅ । କିନ୍ତୁ ମୋ ଅନ୍ତର କହୁଚି, ତୁମେ ସବୁ ପାରିବନି ।’’

 

‘‘ତେବେ କଣ ବିକାଶ ଅଭିଆଡ଼ା ରହିଯିବ ?’’

 

‘‘ମୋ ପୁଅ କାହିଁକି ଅଭିଆଡ଼ା ରହିବ ? ସମୟ ହେଲେ ଦେଖିବ, ତା ବାପା ତା ପାଇଁ ବଢ଼ିଆ ଝିଅଟିଏ ଯୋଗାଡ଼ କରିଦେବେ । ଆଉ କାହାକୁ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ ।’’ ଅଟଳ ବିଶ୍ୱାସର ସହିତ ମାଉସୀ ମତେ ବୁଝେଇଲେ ।

 

ମାଉସୀ ତାଙ୍କ ମୃତସ୍ୱାମୀଙ୍କ କଥା ଉଠେଇବାମାତ୍ରେ ମୁଁ ଚୁପ ହୋଇଗଲି । ଭାବିଲି, ପୁଣି ଯଦି ମଉସାଙ୍କୁ ମନେ ପକେଇ ତାଙ୍କ ମନରେ ଅବସାଦ ଦେଖାଦିଏ, ତେବେ ବିକାଶ ବିଚରା ଅସୁବିଧାରେ ପଡ଼ିଯିବ । ତେଣୁ ଆଉ କଥା ନ ବଢ଼େଇ କହିଲି, ‘‘ଗୋଟେ ଯୋଡ଼େ ଜାଗାରେ କଥା ଉଠେଇ ଦେଖୁଚି, ହେଲେ ହବ ନ ହେଲେ ନାହିଁ ।’’

 

‘‘ତୋ ମନ ।’’

 

ରାତି ନଅଟାକୁ ବିକାଶ ଆସିଲା ମୋ ପାଖକୁ ଆଲୋଚନାର ଫଳାଫଳ ବୁଝିବା ସକାଶେ ।

 

ତାକୁ ଦେଖି ମୁଁ କହିଲି, ‘‘ତୁ ଯାହା ଆଶଙ୍କା କରୁଥିଲୁ, ଏକପ୍ରକାର ସତ ।’’

 

‘‘ମା’ କଣ କହିଲା ଶୁଣେ ?’’

 

‘‘କଥା ଉଠେଇଲାରୁ ରାଜି ହେଲେ । ତେବେ.....’’

 

‘‘କହୁନୁ । ଲୁଚେଇବା କିଛି ଦରକାର ନାହିଁ ।’’

 

‘‘ମଉସୀଙ୍କର ମନ ଥିଲା ପରି ମୋର ମନେ ହେଲା ନାହିଁ । ମୋ କଥାକୁ ରାଜି ହବା ସାଙ୍ଗେ ସାଙ୍ଗେ ଏକଥା ବି କହିଲେ ଯେ ତାଙ୍କ ମନ କହୁଚି ଆଉ କେହି ଏ କାମକୁ ପାରିବେ ନାହିଁ । ଠିକଣାବେଳେ ତୋ ବାପା କୁଆଡ଼େ ଭଲ ଝିଅଟିଏ ତୋ ପାଇଁ ଯୋଗାଡ଼ କରିଦେବେ ବୋଲି ତାଙ୍କ ମନ କହୁଚି ।’’ ମୁଁ ସିଧାସଳଖ ଖୋଲି କହିଲି ।

 

‘‘ସେ ପାଗଳାମୀ ତାର ଆଉ ଯିବନି ।’’

 

‘‘କିଛି କମ ଧକ୍‌କା ନୁହେଁ ରେ, ବାହା ହବାର ସାତଦିନ ପରେ ସ୍ୱାମୀ ସଂସାରରୁ ଚାଲିଯିବାଟା । ମୁଁ ତ କହିବି ଖୁବ ସମ୍ଭାଳିଛନ୍ତି ମାଉସୀ ।’’

 

‘‘ତେବେ ମନା କରିଦଉଚି ରିଜିଓନାଲ ମ୍ୟାନେଜରଙ୍କୁ ।’’

 

‘‘ଏତେ ଭାଙ୍ଗି ପଡ଼ିଲେ କଣ ଚଳିବ ?’’

 

‘‘ଅନ୍ୟ ଉପାୟ ଯେତେବେଳେ ନାହିଁ, ଆଉ କଣ କରାଯାଇ ପାରିବ ?’’

 

‘‘ଉପାୟ ଅଛି ।’’ ମୁଁ ସାମାନ୍ୟ ଭାବି ଉତ୍ତର ଦେଲି ।

 

‘‘କଣ କରିବି ତେବେ କହ ?’’

 

‘‘ଶୁଣ ଝିଅଟିଏ ଯୋଗାଡ଼ କରିବା କିଛି କଷ୍ଟ ପଡ଼ିବନି । ତେବେ କଥା ହେଲା ମାଉସୀ ତାକୁ ବୋହୂ ବୋଲି ଗ୍ରହଣ କରିବେ କି ନାହିଁ ! ସେ ଯଦି ମନେ କରିବେ ଯେ ଝିଅଟିକୁ ତୋ ବାପା ଯେହେତୁ ଯୋଗାଡ଼ କରି ଦେଇନାହାନ୍ତି, ତେଣୁ ସେ ତାଙ୍କର ଠିକ୍‌ ବୋହୂ ନୁହେଁ, ତେବେ ତ କିଛି ଲାଭ ହବନି, ତୁ ବାହା ହେଇ ତାଙ୍କ ପାଖେ ତୋ ବୋହୂକୁ ଛାଡ଼ିଦେଇ ଗଲେ ବି । ତେଣୁ ଏମିତି ଗୋଟାଏ କିଛି ଫିକର କରିବାକୁ ପଡ଼ିବ; ଯାହାଫଳରେ କି ତାଙ୍କ ମନରେ ଧାରଣା ଜନ୍ମିବ ଯେ ଏଇ ବୋହୂଟିକୁ ପ୍ରକୃତରେ ତୋ ବାପା ଯୋଗାଡ଼ କରି ଦେଇଚନ୍ତି ତୋ ସକାଶେ ।’’

 

‘‘ଇଏ ଏକପ୍ରକାର ଅସମ୍ଭବ କଥା ।’’

 

‘‘ହତାଶ ହୋଇଗଲେ ଚଳିବନିରେ ଭାଇ । ଏକ୍ଷେତ୍ରରେ ଧୈର୍ଯ୍ୟ ଧରିବାକୁଇ ପଡ଼ିବ ।’’ ସାନ୍ତ୍ୱନା ଦେଇସାରି ପ୍ରସ୍ତାବ ଦେଲି, ‘‘ମାମୁଁଙ୍କୁ ଲେଖିଲେ କେମିତି ହବ ?’’

 

‘‘ସେ ତ ଆଉ ମା’ର ପାଗଳାମୀ ଭଲ କରି ଦେଇ ପାରିବେନି !’’

 

‘‘ଶୁଣ, ବାହାଘର ପ୍ରସଙ୍ଗ ସେ ଉଠେଇବେ ମାଉସୀଙ୍କ ପାଖେ । ଆଉ ମାଉସୀଙ୍କର ସାମାନ୍ୟ ବିଶ୍ୱାସ ଜନ୍ମିଲା ପରେ ବାକି କଥା ମୁଁ ବୁଝିବି ।’’ କହୁ କହୁ ମନେ ମନେ ସ୍ଥିର କରିନେଲି ଯେ ପରଦିନ ଏବିଷୟରେ ମାନସିକ ବ୍ୟାଧି ବିଶାରଦ ଡାକ୍ତର ମିଶ୍ରଙ୍କ ସହ ପରାମର୍ଶ କରିବି ମୋ ନିଜଆଡ଼ୁ ।

 

‘‘ତୋ ଇଚ୍ଛା ।’’

 

ତାପରେ ଆଲୋଚନା କରି ସ୍ଥିର କଲୁ ଯେ ବିକାଶ ପରଦିନ ଚିଠି ଲେଖିବ ତା ମାମୁଁଙ୍କ ପାଖକୁ ସବୁକଥା ପରିଷ୍କାର ବୁଝେଇ । ଆଉ ସେ ଆସିଲା ପରେ ତେଣିକି ତାଙ୍କ ସହିତ ପରାମର୍ଶ କରି ଯାହା କିଛି ବ୍ୟବସ୍ଥା କରାଯିବ । ଦୁହେଁ ମିଶି ଚିଠିର ନକଲଟାଏ ବି ପ୍ରସ୍ତୁତ କରିଦେଲୁ ସେଇଠି-। ମନେ ମନେ ଆଶା ବାନ୍ଧିଲୁ ଯେ ଏଥର କାମଟା ସୁରୁଖୁରୁରେ ହାସଲ ହୋଇଯିବ ।

 

ଚିଠି ଲେଖା ହେଲା ସତ; କିନ୍ତୁ ଡାକଘରକୁ ଗଲା ନାହିଁ । ସେହିଦିନ ବିକାଶର ମାମୁଁ ନିଜେ ଆସି ପହଞ୍ଚି ଗଲେ ।

 

ମାଉସୀ ତାଙ୍କୁ ଦେଖି ପଚାରିଲେ, ‘‘ଏତେଦିନଯାଏ କୋଉଠି ଥିଲୁ ? ମୋ ଚିଠି ଦି’ଖଣ୍ଡ ପାଇଚୁ ?’’

 

‘‘ମାଳୟେସିଆରୁ କଲିକତା ଫେରି ଆସିଲା ପରେ ପାଇଲି ନାନୀ ।’’

 

‘‘କାଇଁ ଉତ୍ତର ତ ଦେଲୁନି ।’’

 

‘‘ଫେରିବାମାତ୍ରେ ତ ଛୁଟି ନେଇ ଆସିଲି ବାହାରି । ଉତ୍ତର ଆଉ ଦେଇଥାନ୍ତି କାହିଁକି ?’’

 

‘‘ଆସିଲୁ ଭଲ କଲୁ । ନ ହେଲେ ମୁଁ ତତେ ଡକେଇ ଥାଆନ୍ତି ।’’

 

‘‘କାହିଁକି ?’’

 

‘‘ବିକୁ କୋଉ ଟ୍ରେନିଂରେ ଆମେରିକା ଯିବ ବୋଲି କହୁଚି ।’’

 

‘‘ଶୁଣିଲିଣି ତାଠୁ । ଗଲେ ଭଲ ହୁଅନ୍ତା ।’’

 

‘‘ଯାଉନି କିଏ ନାହିଁ କରୁଚି ?’’

 

‘‘ତୋ ପାଖେ କିଏ ରହିବ ?’’

 

‘‘ଜୀବନଟା ସାରା ତ ଏକୁଟିଆ କଟେଇଲି । ବର୍ଷଟାଏ ରହି ପାରିବିନି ?’’

 

‘‘କିଏ କହୁଚି ତୁ ରହି ପାରିବୁନି ? ତେବେ ମୋ ନିଜ ଅଭିଜ୍ଞତାରୁ କହିବି, ସେସବୁ ଦେଶକୁ ବାହାସାହା ହେଇ ଯିବାଟା ଭଲ ।’’

 

‘‘କାହିଁକି ?’’

 

‘‘ନ ହେଲେ ସେଠିକା ଝିଅ ପାଲରେ ପକେଇ ଜବରଦସ୍ତ ବେକରେ ଝୁଲି ପଡ଼ିବେ ।’’

 

‘‘ମୋ ବିକୁ ସେମିତି ନୁହେଁ ରେ । ଦେଖିବୁ, ତା ବାପା ଯୋଉଠି ଠିକଣା କରିବେ ସେ ସେଇଠି ବାହା ହବ ।’’

 

ମାଉସୀଙ୍କଠୁ ଏକଥା ଶୁଣିଲା ପରେ ମାମୁଁ ଆଉ ଆଗେଇଲେ ନାହିଁ ସେଦିନ । ପରଦିନ ପୁଣି ସୁଯୋଗ ଦେଖି ସେ କଥା ଉଠେଇଲେ । ଏମିତି ଭାଇ-ଭଉଣୀଙ୍କ ଭିତରେ ପ୍ରାୟ ଚାରି ଦିନକାଳ ଆଲୋଚନା ଚାଲିଲା ମଝିମଝିରେ ।

 

ଶେଷକୁ ମାଉସୀ ଖୁସି ମନରେ ରାଜି ହୋଇ କହିଲେ, ‘‘ତୋ ମନ ଯଦି ହଉଚି ଚେଷ୍ଟା କରି ଦେଖ । ତେବେ ସୁନ୍ଦର ଆଉ ଗୁଣର ଝିଅଟିଏ ହବା ଦରକାର । ତା ବାପାଙ୍କ ମନଲାଖି ଯେମିତି ହବ ।’’ ତାପରେ ନିଜ ମନକୁ ମନ ମତ ଦେଲେ, ‘‘କିନ୍ତୁ ମୋ ଅନ୍ତର କହୁଚି, ତୁମେ ସବୁ ଯେତେ ଲାଗିଲେ ବି କିଛି କରିପାରିବ ନାହିଁ । ଶେଷକୁ ଦେଖିବୁ, ତା ବାପା ହିଁ ତା ପାଇଁ ସବୁ ଠିକଣା କରି ଦେବେ । କାହାରିକି କିଛି ଭାବିବାକୁ ପଡ଼ିବ ନାହିଁ । ସାକ୍ଷାତ ଲକ୍ଷ୍ମୀଟିଏ ସେ ଯୋଗାଡ଼ କରି ଦେବେ ମୋ ବିକୁ ପାଇଁ ।’’

 

ନରୁ ମାମୁଁ ଆଗରୁ ଏ ବିଷୟରେ ଏକପ୍ରକାର ପ୍ରାରମ୍ଭିକ ବ୍ୟବସ୍ଥା କରି ଆସିଥିଲେ ତାଙ୍କୁ ଅଫିସରେ କାମ କରୁଥିବା ଆଉ ଜଣେ ବଡ଼ ଅଫିସରଙ୍କ ଝିଅ ସହିତ । ବି. ଏ. ପାସ କରିଚି-। ଦେଖିବାକୁ ସୁନ୍ଦର । ଝିଅର ଫଟୋଟାଏ ବି ଧରି ଆସିଥିଲେ ସାଙ୍ଗରେ । ମାଉସୀ ଏକପ୍ରକାର ରାଜି ହେବାମାତ୍ରେ ସେ ପକେଟରୁ ଫଟୋଟି କାଢ଼ି ଦେଖେଇ ପଚାରିଲେ, ‘‘କେମିତି ଲାଗୁଚି ?’’

 

ହାତ ବଢ଼େଇ ଫଟୋଟି ନବା କଥା ଦୂରେଥାଉ ଭଲ ରୂପେ ଥରେ ଦେଖିବାକୁ ବି ଚେଷ୍ଟା ନ କରି ମାଉସୀ କହିଲେ, ‘‘ବିକୁକୁ ଦେଖା । ତା ମନ ମାନିଲେ ହେଲା ।’’

 

‘‘ତୁ ଦେଖିବୁନି ତୋ ବୋହୂର ଫଟୋ ।’’

 

‘‘ବୋହୂ ବୋଲି କାହିଁକି କହୁଚୁ ରେ ! ବାହାଘର ଠିକଣା କରିସାର, ଦେଖିବି ।’’

 

‘‘ତାଙ୍କ ଘରେ ପରା ଗୋଡ଼ ଟେକି ବସିଚନ୍ତି । ଆମେ ହିଁ କଲେ ସାଙ୍ଗେ ସାଙ୍ଗେ କରିବେ-। ଭଲ ସୁଧାର ଓ ଗୁଣର ଝିଅଟିଏ ।’’

 

‘‘ଚେଷ୍ଟା କରି ଦେଖ । ହେଲେ ମୋ ମନ କହୁଚି, ତା ବାପାଙ୍କ ମନକୁ ଏ ଝିଅ ବୋଧେ ପାଇବନି ।’’

 

‘‘ନ ଦେଖି କରି ତୁ କେମିତି ଏ କଥା କହୁଚୁ ?’’

 

‘‘ମତେ ଲାଗୁଚି ତୁମେ ସବୁ ଯେତେ ଲାଗିଲେ ବି ଏଠି କଥା ରହିବନି । ଶେଷକୁ ଦେଖିବୁ ଭାଣ୍ଡିଆ ହବ ସମସ୍ତେ ।’’ କହି ଦେଇ ମାଉସୀ ଉଠିଗଲେ ରୋଷେଇ ଘରକୁ ।

 

ନରୁ ମାମୁଁ ଏଥର ଆମ ପାଖକୁ ଉଠି ଆସି କହିଲେ, ‘‘ନାନୀ ତ ରାଜି ହେଲା । ଏ ଫଟୋ ଦେଖ । ତୋର ଯଦି ପସନ୍ଦ ତେବେ କହ । ମୁଁ ଆଗଇବି ।’’

 

‘‘ମୁଁ ଆଉ ମତ ଦେବି କଣ ! ଆପଣ ଯାହା ଭଲ ମନ କରିବେ ।’’ ବିକାଶ ଉତ୍ତର ଦେଲା ।

 

‘‘ଠିକ ଅଛି । ମୁଁ ତେବେ ଟେଲିଗ୍ରାମ କରି ଡାକି ଆଣୁଚି ତାଙ୍କୁ ।’’ ସେ ଝିଅର ଫଟୋଟି ଟେବୁଲ ଉପରେ ରଖି ଦେଇ ଚାଲିଗଲେ ।

 

ତାପରେ ଆମେ ଦୁହେଁ ଫଟୋଟିକୁ ଗୁଡ଼େଇତୁଡ଼େଇ ଦେଖିଲୁ । ଯେତେ ଦେଖିଲୁ ଝିଅଟି ଆମ ଆଖିକୁ ସେତେ ଅଧିକ ସୁନ୍ଦର ଦିଶିଲା ।

 

ନରୁ ମାମୁଁ ତାଙ୍କ ଠିକଣା ରଖିଲେ । ଚାରି ଦିନ ପରେ ସୁଶୀଳାଙ୍କୁ ଧରି ତାର ବାପା-ବୋଉ ଆସି କଟକରେ ପହଞ୍ଚିଗଲେ । ବିକାଶ ଓ ମୁଁ ଯାଇ ତାଙ୍କର ଜଣେ ଆତ୍ମୀୟଙ୍କ ଘରେ ଝିଅ ଦେଖି ଆସିଲୁ । ଆମକୁ ବେଶ ଭଲ ଲାଗିଲା ସବୁ ଦିଗରୁ ।

 

ଯେତେ କହିଲେ ବି ମାଉସୀ ଗଲେ ନାହିଁ ଝିଅ ଦେଖିବା ସକାଶେ । ବେଶି କହିଲାରୁ ଉତ୍ତର ଦେଲେ, ‘‘ଏଠି ମୋ ବାହାଘର ହେଲା ଭଳି ମତେ ଲାଗୁନି । ଏ ଝିଅ ତା ବାପାଙ୍କର ପସନ୍ଦ ହେବନି । ସେ ୟାଠୁ ଆହୁରି ସୁନ୍ଦର ଓ ଗୁଣର ଝିଅ ଯୋଗାଡ଼ କରି ଦେବେ ।’’

 

ମାଉସୀଙ୍କ କଥାରେ କନା ନ ଦେଇ ନରୁ ମାମୁଁ ଆଗେଇ ଚାଲିଲେ । ନିର୍ବନ୍ଧର ଦିନ ଓ ମୁହୂର୍ତ୍ତ ଠିକ ହେଲା । କଥା ରହିଲା, କାଳୀ ମନ୍ଦିରରେ ଆଉ ଦୁଇଦିନ ପରେ ନିର୍ବନ୍ଧ ପର୍ବ ଅନୁଷ୍ଠିତ ହେବ ଓ ସେତିକିବେଳେ ବାହାଘରର ତିଥି ବାର ଠିକଣା ହୋଇ ମାସକ ଭିତରେ କାମ ବଢ଼ିଯିବ ।

 

ପ୍ରାଥମିକ କଥାବାର୍ତ୍ତା ପରେ ସୁଶୀଳାଙ୍କ ବାପା କରୁଣାକର ବାବୁ ଗାଁକୁ ବାହାରିଗଲେ ବନ୍ଧୁବାନ୍ଧବ କେତେଜଣଙ୍କୁ ଡାକିଆଣିବା ସକାଶେ । ଝିଅର ମାମୁଁ ପୁରୀରେ ଚିଫ ମେଡ଼ିକାଲ ଅଫିସର । ତାଙ୍କ ପାଖକୁ ବି ଲୋକ ଖବର ନେଇ ଗଲା ।

 

ନରୁ ମାମୁଁ ମତେ ଧରି ଏପଟେ ଯୋଗାଡ଼ଯନ୍ତ୍ରରେ ଲାଗିଗଲେ । ନିର୍ବନ୍ଧ ପୂର୍ବଦିନ ସେ ମତେ ଡାକି କହିଲେ, ‘‘ସମର, ଆଉ ଗୋଟେ କଥା ।’’

 

‘‘କଣ କୁହନ୍ତୁ ?’’

 

‘‘ଆମ ତରଫରୁ ତ ପୁଣି ଚାରି ପାଞ୍ଚଜଣ ସେଠି ଉପସ୍ଥିତ ରହିବା ଦରକାର ।’’

 

‘‘ନିଶ୍ଚୟ ।’’

 

‘‘ମୁଁ ତ ଏଠି କାହାକୁ ସେମିତି ଜାଣେ ନାହିଁ । ବିକୁ ସାଙ୍ଗେ କଥାଭାଷା କରି ତୁମେ ଟିକିଏ ସେ ବ୍ୟବସ୍ଥା କର ।’’

 

ମୁଁ ଆଉ ବିକାଶ ମିଶି ସ୍ଥିର କଲୁ ଯେ ବିକାଶ ତା ଅଫିସରୁ ଦି’ଚାରିଜଣ ବୟସ୍କ ଲୋକଙ୍କୁ ନିମନ୍ତ୍ରଣ କରିବ । ଆଉ ମୁଁ ଗୋକୁଳି ମଉସା ଓ ସୁବିମଳ ବାବୁଙ୍କୁ ନେବାର ବ୍ୟବସ୍ଥା କରିବି ।

 

ରାତିରେ ବସାକୁ ଫେରି ମୁଁ ଗୋକୁଳି ମଉସାଙ୍କୁ ଦେଖାକରି, କହିଲି, ‘‘ମଉସା କାଲି ବିକାଶର ନିର୍ବନ୍ଧ ହଉଚି ।’’

 

‘‘କୋଉ ବିକାଶ !’’

 

‘‘ସେଦିନ ଯିଏ ପିଠା ଧରି ଖୋଜି ଆସିଥିଲା । ଆପଣ ତାକୁ ନ ପଚାରି ପିଠା ଖାଇଦେଲେ... ।’’ ମୁଁ ଉଦାହରଣସହ ମନେ ପକେଇ ଦେଲି ।

 

‘‘ପିଲାଟା ବି ସେମିତି ବଢ଼ିଆ, ପିଠା ଆହୁରି ବଢ଼ିଆ ଲାଗିଲା ତାଠୁ । ଆରେ ସମର !’’

 

‘‘ଆଜ୍ଞା ।’’

 

‘‘ଆଉ ପିଠା ଆଣୁନି ସେ ତୁମ ପାଇଁ; ସେ ପିଠା ଖାଇବାକୁ ଭାରି ମନ ହଉଚି ।’’

 

‘‘ମୁଁ ମାଉସୀଙ୍କୁ କହିବି, କରି ପଠେଇ ଦେବେ ।’’ କଥା ଦେଇଦେଲି ।

 

‘‘କୋଉଠି ବାହାଘର ହଉଚି ?’’

 

‘‘କରୁଣାକର ବାବୁଙ୍କ ଝିଅ ସୁଶୀଳା ସାଙ୍ଗେ ।’’

 

‘‘ମୁଁତ ତାଙ୍କୁ ଚିହ୍ନିନି ! କଣ କରନ୍ତି ସେ ?’’

 

‘‘ଟାଟା କମ୍ପାନୀରେ ଅଫିସର ।’’

 

‘‘ଝିଅ କେମିତି ?’’

 

‘‘ସୁନ୍ଦର । ବି. ଏ.ପାଶ ।’’

 

‘‘ବୟସ ?’’

 

‘‘ଏକୋଇଶ ।’’

 

ତାପରେ କ୍ଷଣେକାଳ ଆଖିବୁଜି କଣ ଭାବି ସେ ମତେ କହିଲେ, ‘‘ଜଗୁକୁ ବାହା କରିଦେଲେ କେମିତି ହୁଅନ୍ତା ?’’

 

‘‘ବଢ଼ିଆ ହବ ।’’ ମୁଁ ପ୍ରବର୍ତ୍ତାଇଲି ।

 

‘‘ଗୁଣର ଝିଅଟିଏ କୋଉଠି ଅଛି ଆଖି ପକାଅ । ଏକବାର ସୁନ୍ଦରୀ ନ ହେଲେ ବି ଚଳିବ ।’’ ପୁଣି ସେକେଣ୍ଡ ସେ ଚୁପ ରହି ଯୋଡ଼ିଲେ, ‘‘ନନ୍ଦଟାକୁ ପଚାରିବୁ ତା ମତ କଣ ?’’

 

‘‘ହଉ ।’’ କହି ମୁଁ ପ୍ରସ୍ତାବ କଲି, ‘‘ଆପଣ ଟିକିଏ କାଲି ସନ୍ଧ୍ୟାକୁ କାଳୀ ମନ୍ଦିରକୁ ଯିବେ-!’’

 

‘‘କେତେଟାବେଳେ ।’’

 

‘‘ସାତ ସାଢ଼େ ସାତ ଭିତରେ ।’’

 

‘‘ସେତେବେଳକୁ ତ ମୁଁ ରୋଜ ସେଠି ।’’

 

‘‘କାଲି ନିର୍ବନ୍ଧ ଶେଷଯାଏ ରହିବାକୁ ହେବ ।’’

 

‘‘ହଉ ।’’

 

‘‘ସୁବିମଳ ବାବୁଙ୍କୁ କହିଲେ କେମିତି ହେବ ?’’

 

‘‘କିଛି ଲାଭ ନାହିଁ । ପାଗଳ ଲୋକ । କୌଣସି ସାମାଜିକ ଉତ୍ସବରେ ତାଙ୍କୁ ଯୋଗଦେବାର ମୁଁ ଦେଖିନାହିଁ କେବେ । କହି ଦେଖ । କାଳୀ ମନ୍ଦିରକୁ ତ ସେ ଯେମିତି ହେଲେ ଯିବେ । ତେବେ ନିର୍ବନ୍ଧ ଶେଷଯାଏ ରହିବେ କି ନାହିଁ କିଏ କହିବ ?’’

 

ପରଦିନ ସକାଳେ ଯାଇ ସୁବିମଳ ବାବୁଙ୍କୁ ନିମନ୍ତ୍ରଣ କଲି । ମୁଁ କହିଲାବେଳେ ସେ ମୋ ମୁହଁକୁ ବି ଚାହିଁଲେ ନାହିଁ, ଉତ୍ତର ଦେବା ତ ଦୂରର କଥା । ଜାଣିଲି, ଏସବୁରେ ତାଙ୍କର ଉତ୍ସାହ ନାହିଁ । ତେଣୁ ଥରେ ଶୁଣେଇ ଦେଲା ପରେ ଆଉ ବାଧ୍ୟ କଲି ନାହିଁ ।

 

ସନ୍ଧ୍ୟା ସାତଟାକୁ ଆମ ତରଫରୁ ସମସ୍ତେ ଏକାଠି ହୋଇ କାଳୀ ମନ୍ଦିରକୁ ଗଲୁ । ପୂର୍ବରୁ ସବୁ ବ୍ୟବସ୍ଥା ସରିଥାଏ । କେବଳ କନ୍ୟା ପକ୍ଷର ଲୋକଙ୍କୁ ବସି ବସି ଅପେକ୍ଷା କରିବା କଥା ।

 

ଆମେ ସେଠି ପହଞ୍ଚିବାର ପାଞ୍ଚ ଦଶ ମିନିଟ ପରେ ଗୋକୁଳି ମଉସା ଓ ସୁବିମଳ ବାବୁ ସେମାନଙ୍କ ନିତିଦିନିଆ ଅଭ୍ୟାସ ବଜାୟ ରଖି ଆସି ପହଞ୍ଚିଗଲେ । ପହଞ୍ଚିବାମାତ୍ରେ ସୁବିମଳ ବାବୁ ମୁହଁମାଡ଼ି ଅଧିଆ ପଡ଼ିଗଲେ ଲମ୍ବ ହୋଇ ଚଟାଣଟା ଉପରେ । ଗୋକୁଳି ମଉସା ସାଧାରଣ ଭାବରେ ମୁଣ୍ଡିଆଟାଏ ମାରିଦେଇ ଆସି ଜୁଟିଗଲେ ଆମ ଦଳରେ ଗପ ଜମେଇବାକୁ ।

 

ଆଳତି ସରିଲା ପରେ ସୁବିମଳ ବାବୁ ଉଠିଲେ । କିନ୍ତୁ ସବୁଦିନ ପରି ଉଠିବାମାତ୍ରେ ବସାକୁ ଫେରିବାର କୌଣସି ଲକ୍ଷଣ ମୁଁ ଦେଖିଲି ନାହିଁ ତାଙ୍କଠାରେ । ତେଣୁ ସୁଯୋଗ ନ ହରେଇ ତାଙ୍କୁ ଥରେ ଉଠିଯାଇ ଆମନ୍ତ୍ରଣ ଜଣେଇଲି, ‘‘ଆସନ୍ତୁ ବସିବେ । ସେମାନେ ଆସିଗଲେ ଅଧକଘଣ୍ଟାକ ଭିତରେ କାମ ସରିଯିବ ।’’

 

ସେ ଆପତ୍ତି ନ କରି ଚୁପଚାପ ଆସି ବସିଲେ ଆମ ଦଳରେ ଗୋଟିଏ କଡ଼କୁ ।

 

ତାପରେ ପ୍ରାୟ ଘଣ୍ଟାଏକାଳ ଆମେ ଅପେକ୍ଷା କରି ବସି ରହିଲୁ । ତଥାପି ପନ୍ୟାପକ୍ଷରୁ କାହାରି ଦେଖାଦର୍ଶନ ମିଳିଲା ନାହିଁ । ନରୁମାମୁଁ ଶେଷକୁ ଆଉ ସମ୍ଭାଳି ନ ପାରି ମତେ ପଠେଇଲେ ଘଟଣା କଣ ବୁଝି ଆସିବା ସକାଶେ ।

 

କରୁଣାକର ବାବୁ ତେଲେଙ୍ଗା ବଜାରରେ ତାଙ୍କ କକା ଝିଅ ଭଉଣୀଙ୍କ ଘରେ ଉଠିଥିଲେ-। ସେଠି ପହଞ୍ଚି ଦେଖିଲି, ଘର ଏକପ୍ରକାର ଅନ୍ଧାର । କେହି ଥିଲା ପରି ମନେହେଲା ନାହିଁ । ଘଣ୍ଟି ଦେଲାରୁ ଚାକର ପିଲାଟିଏ ଆସି ଖୋଲିଲା । ତାକୁ ପଚାରିଲି, ‘‘କରୁଣାକର ବାବୁ କୁଆଡ଼େ ଗଲେ-?’’

 

‘‘ଷ୍ଟେସନକୁ ।’’

 

ବିଶ୍ୱାସ ହେଲା ନାହିଁ ତା କଥା । ପୁଣି ପଚାରିଲି, ‘‘ଷ୍ଟେସନକୁ ନା କାଳୀ ମନ୍ଦିରକୁ ?’’

 

‘‘ଷ୍ଟେସନକୁ ତ ବାବୁ-ବାବୁଆଣୀ ସମସ୍ତେ ଗଲେ ।’’ ସେ ଟିକିଏ ବିରକ୍ତ ହେଲା ପରି ମନେ ହେଲା ।

 

‘‘କୁଆଡ଼େ ଯିବେ ?’’

 

‘‘ଯୋଉ ବାବୁ ଆଇଥେଲେ ତାଙ୍କୁ ଛାଡ଼ି ଯାଇଛନ୍ତି ।’’

 

ଆଉ ଅଧିକ ପଚାରି ବୁଝିବାକୁ ମନ ହଉଥିଲେ ବି ନିଜକୁ ସଂଯତ କରି ଫେରିଲି । ବୁଝିପାରିଲି ନାହିଁ, କରୁଣାକର ବାବୁ କାହିଁକି ଏମିତି ଧୋକା ଦେଲେ । ଲୁଚି ପଳେଇଲେ କାହିଁକି ? ମନରେ ତାଙ୍କ ପ୍ରତି ଘୃଣା ଆସିଲା । ପ୍ରସ୍ତାବ ଭାଙ୍ଗିଦେବାକୁ ମନ ଥିଲା ଯଦି ଆମକୁ ତ ସକାଳେ ଜଣେଇଦେଇ ପାରିଥାଆନ୍ତେ । ଏମିତି ଲୋକହସା କରି ଖସି ପଳେଇବାଟା ତ ଭଦ୍ରଲୋକର କାମ ନୁହେଁ ।

 

ମନ୍ଦିର ଫେରି ନରୁ ମାମୁଁଙ୍କୁ ଡାକି ନେଇ ନିରୋଳାରେ ସବୁକଥା କହିଲି ।

 

ଶୁଣିସାରି ସେ ଆଗ ପଥର ପାଲଟିଗଲେ ମିନିଟିକାଳ । ତାପରେ ନିଜକୁ ସମ୍ଭାଳି ନେଇ ପଚାରିଲେ, ‘‘କଣ କରିବା ତାହେଲେ ?’’

 

‘‘ସତ କଥାଟା ସମସ୍ତଙ୍କୁ ଜଣେଇଦେଇ ଫେରିଯିବା ।’’

 

‘‘ଆଉ କିଏ ରାଜି ହେବେ ନାହିଁ ?’’

 

‘‘କୋଉଥିପାଇଁ ?’’

 

‘‘ନିର୍ବନ୍ଧ କରିବା ସକାଶେ ।’’

 

‘‘ପୁଅ କଣ ଆମର ପଚିସଢ଼ି ଯାଉଚି କି ?’’

 

‘‘ସେକଥା ନୁହେଁ ଯେ, ନାନୀ ଶୁଣିଲେ ତା ମୁଣ୍ଡ ଆହୁରି ବିଗିଡ଼ିଯିବ ।’’

 

‘‘ତା ବୋଲି ଯୋଉଠୁ ସେଇଠୁ ଝିଅଟାଏ ଯୋଗାଡ଼ କରି ନିର୍ବନ୍ଧ କରି ବିସିବା ! ଅସମ୍ଭବ, ଫେରିଯିବା ଚାଲନ୍ତୁ ।’’

 

‘‘ସେ ଏମିତି ଲୁଚି ପଳେଇଲେ ଯେ କାହିଁକି......’’ ନରୁମାମୁଁ ମନକୁମନ କହି ଉଠିଲେ ।

 

‘‘ସେ କଥା ପରେ ବିଚାର କରିବା । ଆଉ ଏଠି ଅକାରଣଟାରେ ବସି ରହି ଅଧିକ ଅପମାନିତ ହେବାର କୌଣସି ଅର୍ଥ ନାହିଁ ।’’

 

ତେଣିକି ସମସ୍ତଙ୍କୁ ଜଣେଇ ଆମେ ଫେରିବାର ଆୟୋଜନ କଲୁ । ଖାଦ୍ୟପେୟ ସବୁ ବାଣ୍ଟିଦେଲୁ ଦୁଃଖୀ ରଙ୍କୀକୁ । ଏସବୁ କାମ ତୁଟେଇ ମୁଁ ବାହାରିଲାବେଳକୁ ଦେଖିଲି, ସୁବିମଳ ବାବୁ କେତେବେଳୁ ଉଠିଯାଇ ପୁଣି ଅଧିଆ ପଡ଼ିଛନ୍ତି ଠାକୁରାଣୀଙ୍କ ପାଖେ । ଆଉ ଗୋକୁଳି ମଉସା ତାଙ୍କରି ପାଖରେ ଠିଆ ହୋଇ ବୋକାଙ୍କ ଭଳି ଏଣେତେଣେ ଚାହିଁ ଲକ୍ଷ୍ୟ କରୁଛନ୍ତି ଅନ୍ୟମାନଙ୍କୁ ।

 

ମୁଁ ଯାଇ ଗୋକୁଳି ମଉସାଙ୍କ ପାଖେ ଠିଆ ହେଲି ।

 

ସେ ପଚାରିଲେ, ‘‘ନିର୍ବନ୍ଧ କାହିଁକି ଭାଙ୍ଗିଲା ?’’

 

‘‘ମୁଁ ଜାଣେନା ।’’

 

‘‘ଭଲ ହେଲା । ଲୋକଟା ଭଦ୍ର ମନେ ହଉନି । ଭାଙ୍ଗିଦବାକୁ ମନ ଥିଲା ତ ଆଗରୁ ଆସି କହିଥାଆନ୍ତା ।’’ ମଉସା ବିରକ୍ତି ପ୍ରକାଶ କଲେ ।

 

ସୁବିମଳ ବାବୁ ଚଟାଣରେ ମୁଣ୍ଡଟାକୁ ଢୁ ଢୁ ବାଡ଼େଇ ଗୁହାରି ଜଣେଇଲେ, ‘‘ମା’ ମତେ ଶକ୍ତି ଦେ । ମୁଁ ଯୋଉଠୁ ହେଲେ ଭଲ ଝିଅଟିଏ ଯେମିତି ତା ପାଇଁ ଯୋଗାଡ଼ କରି ପାରିବି !’’ ଆଉ ଚାରି ଛଅ ଥର ତଳେ ମୁଣ୍ଡ ପିଟି ସେ ଉଠିଲେ । ତାପରେ ଆଉ କୁଆଡ଼ୁକୁ ନ ଚାହିଁ ସେ ତାଙ୍କ ଛତାଖଣ୍ଡଙ୍କ ଧରି ଘରମୁହାଁ ଆଗେଇ ଚାଲିଲେ । ପଛେ ପଛେ ଗୋକୁଳି ମଉସା ।

 

ସୁବିମଳ ବାବୁଙ୍କ ମାଗୁଣି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଆଡ଼ବାୟା ଲୋକ । କେଜାଣି କୋଉ କାଳରୁ କୌଣସି ସାମାଜିକ ଅନୁଷ୍ଠାନରେ ଯୋଗ ଦେବା ପ୍ରବୃତ୍ତି ଛାଡ଼ିଛନ୍ତି । ଆଜି କେମିତି ମନ ହେଲାରୁ ସେ ବିକାଶର ନିର୍ବନ୍ଧରେ ଯୋଗ ଦେଇଥିଲେ । ସେଥିପାଇଁ ବୋଧେ ଲୋକହସା ହେଲାରୁ କଥାଟା ତାଙ୍କୁ ଭାରି ବାଧିଚି ।

 

ମନ୍ଦିରରୁ ନରୁ ମାମୁଁ, ବିକାଶ ଓ ମୁଁ ସିଧାସଳଖ ବିକାଶ ବସାକୁ ଗଲୁ ।

 

ବାଟରେ ମାମୁଁ ମତେ ପଚାରିଲେ, ‘‘ନାନୀକୁ ଏ ଖବରଟା ଦେଲେ କିଛି ଖରାପ ହେବନି ତ ?’’

 

‘‘ଆଡ଼ପାଗଳୀ ଲୋକ । ହଠାତ୍‌ ତାଙ୍କୁ ଏ ଖବରଟା ଦେବା ଭଲ ହବନି ମୋ ମତରେ-।’’ ମୁଁ ଉତ୍ତର ଦେଲି ।

 

‘‘ଦିନେ ନା ଦିନେ ତ ପୁଣି ସେ ଜାଣିବ ?’’

 

‘‘ମୋ ମତରେ ଏଇଲାଗେ ମୋଟେ କହିବାନି । ପରେ ସେ ତାଙ୍କଆଡ଼ୁ ପଚାରିଲେ କହିବା ଯେ ଝିଅର ପ୍ରକୃତି ସତେ ଭଲ ନୁହେଁ ବୋଲି ଖବର ପାଇଲୁ । ତେଣୁ ଆମଆଡ଼ୁ ଆମେ ମନା କରିଦେଲୁ । ଆଉ କାଳେ ଏକଥା ଶୁଣି ତାଙ୍କ ମନ ଖରାପ ହବ ବୋଲି ତାଙ୍କୁ କହିନାହୁଁ ।’’ ମୁଁ ବାଟ ବତେଇଲି ।

 

ମୋ ଉତ୍ତରଟା ମାମୁଁଙ୍କ ମନକୁ ପାଇଲା । ସେ ପ୍ରଶଂସା କଲେ, ‘‘ଠିକ୍‌ କହିଚ ।’’

 

ଆମେ ଦାଣ୍ଡ ଦରଜା ପାଖେ ଠିଆ ହୋଇ ଘଣ୍ଟି ଦେଲୁ ।

 

ମାଉସୀ ଠାକୁରଘରୁ ବାହାରିଆସି ଦରଜା ଖୋଲିଦେଇ ଆମେ କିଛି କହିବା ଆଗରୁ ହସି ହସି କହିଲେ, ‘‘ମନ ମାନିଲାଟି ଏଥର । ମୁଁ କଣ କହୁଥିଲି । ମୋକଥା ଶୁଣିଥିଲେ କଣ ଏମିତି ଲୋକହସା ହୋଇଥାନ୍ତ ? କହୁଚି ପରା ତୁମେ କେହି ତା ବାହାଘର ଠିକଣା କରିପାରିବ ନାହିଁ । ଦେଖିବନି ତା ବାପା ଶେଷକୁ ସାକ୍ଷାତ୍‌ ଲକ୍ଷ୍ମୀଟିଏ ଯୋଗାଡ଼ କରିଦେବେ ତା ପାଇଁ ।’’ ଏକା ନିଃଶ୍ୱାସକେ କହିସାରି ସେ ଡାକିଲେ, ‘‘ଆସ ଏଥର ଖାଇବ ।’’ ସେ ରୋଷେଇ ଘରଆଡ଼େ ଆଗେଇଲେ ।

 

ଆମେ ସବୁ ପରସ୍ପରକୁ କାବା ହୋଇ ଚାହିଁଲୁ । ମାଉସୀ ଯେ ସବୁକଥା କେମିତି କଳ୍ପନା ବି କରିପାରିଲୁ ନାହି । ଖାଲି ଏତିକିରେ ସନ୍ତୁଷ୍ଟ ହେଲୁ ଯେ ଘଟଣାଟା ମାଉସୀଙ୍କୁ ମୋଟେ ବିଚଳିତ କରିପାରି ନାହିଁ ।

 

ମାସକ ପରେ ଦିନେ ହଠାତ୍‌ ମୋ ମାମୁଁ-ମାଇଁ ତାଙ୍କ କଲେଜ ପଢ଼ୁଆ ଝିଅ ସୁମୀକୁ ଧରି ପହଞ୍ଚିଲେ ମୋ ବସାରେ । ମାମୁଁଙ୍କୁ ଦେଖିବାମାତ୍ରେ ମୋର ମନେ ହେଲା ସେ ଅସୁସ୍ଥ । ମୁଁ ସାଙ୍ଗେ ସାଙ୍ଗେ ପଚାରିଲି, ‘‘କଣ ହେଇଚି ମାମୁଁ ? ଏତେ ରୋଗା ଦିଶୁଚନ୍ତି ଯେ !’’

 

ମାଇଁ ଉତ୍ତର ଦେଲେ, ‘‘ଛଅମାସ ହେଲା ପେଟ ଦରଜ । ଯାହା ଖାଇଲେ କିଛି ହଜମ ହେଉନି । କେବେଠୁ କହିଲିଣି ଚାଲ ସମର ପାଖକୁ । ସେଠି ବଡ଼ ଡାକ୍ତରଙ୍କୁ ଦେଖେଇବା, ମୋକଥା କଣ ଶୁଣିଲେ ! ଏବେ ଦିନରାତି ସବୁବେଳେ କଷ୍ଟ ହେଲାରୁ ଜୋର କରି ତାଙ୍କୁ ଧରି ଆସିଲି ।’’

 

ପଚାରି ବୁଝି, ଉପରୁ ଉପରୁ ପରୀକ୍ଷା କରି ଯାହା ଦେଖିଲି, ସେଥିରୁ ଅନୁମାନ କଲି ଯେ ମାମୁଁଙ୍କ ପେଟରେ ଘା’ ହୋଇଛି । ଅଖାଡ଼ୁଆ ବେମାରୀ । ଶୀଘ୍ର ଚିକିତ୍ସାର ବ୍ୟବସ୍ଥା କରିବାକୁ ହେବ । ନ ହେଲେ ଶେଷକୁ ଆଉ କୁଆଡ଼କୁ ଗତି କରିବ ହୁଏତ । ଆଶ୍ଚର୍ଯ୍ୟ ହେଲି, ଉଚ୍ଚଶିକ୍ଷିତ ହୋଇ ମାମୁଁ କେମିତି ଏତେଦିନଯାଏ କାହାକୁ କିଛି ନ କହି ବସି ରହିଛନ୍ତି ।

 

ପଚାରିଲି, ‘‘କେତେଦିନ ଛୁଟି ଆଣିଚନ୍ତି ମାମୁଁ ?’’

 

‘‘ଚାରିଦିନ ।’’

 

‘‘ମାସକ ପାଇଁ ଦରଖାସ୍ତ ପକେଇ ଦିଅନ୍ତୁ ।’’

 

‘‘ଅଫିସରେ ତେଣେ ବହୁତ କାମ ।’’

 

‘‘ବଞ୍ଚିଲେ ତ ଅଫିସ କାମ କରିବେ ?’’

 

‘‘କଣ ହେଇଚି ତାଙ୍କର କହିଲୁ ?’’ ମାଇଁ ବ୍ୟସ୍ତ ହୋଇ ପଡ଼ିଲେ ।

 

‘‘ମୋର ଅନୁମାନ ପେଟରେ ଘା’ ହେଇଚି ।’’

 

‘‘କଣ କହୁଚୁ ତୁ ?’’ ମାଇଁ ଭୟରେ ଶେତା ପଡ଼ିଗଲେ ।

 

‘‘ଭୟ କରିବାର କିଛି ନାହିଁ ମାଇଁ । କାଲି ସକାଳେ ମାମୁଁ ମୋ ସାଙ୍ଗେ ଯିବେ । ସେଠି ସବୁକଥା ପରୀକ୍ଷା କଲା ପରେ ଯଦି ଦରକାର ପଡ଼େ ତେବେ ସାଙ୍ଗେ ସାଙ୍ଗେ ଅପରେସନ କରିବାକୁ ପଡ଼ିବ ।’’

 

‘‘ଏଁ..ଅପରେସନ !’’ ମାଇଁ ଆହୁରି ଛାନିଆ ହୋଇଗଲେ ।

 

‘‘ମୁଁ ଅଛି । ଏତେ ବ୍ୟସ୍ତ କାହିଁକି ?’’ ମୁଁ ଆଶ୍ୱାସନା ଦେଲି ।

 

ମାମୁଁଙ୍କର ପେଟ ଅପରେସନ ହେବ ବୋଲି ସ୍ଥିର ହେଲା ପରଦିନ । ଫଳରେ ପନ୍ଦରଦିନକାଳ ମତେ ହିଁ ଦିନରାତି ରହିବାକୁ ହେଲା ତାଙ୍କ ପାଖେ ହସ୍ପିଟାଲରେ । ଗୋକୁଳି ମଉସା, ନନ୍ଦ ମଉସା, କି ବିକାଶ କାହାରି ସାଙ୍ଗେ ମିଳାମିଶା କରିବାକୁ ସମୟ ବା ସୁଯୋଗ ଟିକିଏ ପାଇଲି ନାହିଁ ।

 

ପନ୍ଦରଦିନ ପରେ ମାମୁଁଙ୍କୁ ଧରି ଲେଉଟିଲି ହସ୍ପିଟାଲରୁ । ଫେରିବା ସାଙ୍ଗେ ସାଙ୍ଗେ ମାମୁଁ ବାହାରିଲେ ଚାଲିଯିବେ ବୋଲି । ମୁଁ କିନ୍ତୁ ରାଜି ହେଲି ନାହିଁ । ତାଙ୍କୁ ବାଧ୍ୟ କଲି ଆହୁରି ମାସେ ମୋ ପାଖେ ରହିବା ସକାଶେ । କାରଣ ଫେରିଗଲା ପରେ ପୁଣି ଯଦି କିଛି ବିଗିଡ଼େ, ତେବେ ମତେ ଆହୁରି ଘାଣ୍ଟି ହେବାକୁ ପଡ଼ିବ ।

 

ଏଇ ପନ୍ଦରଟା ଦିନ ଭିତରେ ନନ୍ଦ ମଉସା ସାଙ୍ଗେ ମାମୁଁଙ୍କ ଝିଅ ସୁମୀର ଭାରି ସମ୍ପର୍କ ଗଢ଼ି ଉଠିଥାଏ । ଅବଶ୍ୟ ସୁମୀକୁ ଯିଏ ଜାଣେ ସେ ଏ କଥାରେ ଆଶ୍ଚର୍ଯ୍ୟ ହେବ ନାହିଁ । କାରଣ ଛୋଟଠୁ ବଡ଼ଯାଏ ସମସ୍ତଙ୍କୁ ନିମିଷକେ ଆପଣାର କରି ନେବାର ଗୁଣ ତାର ଜନ୍ମଗତ । ସେଥିପାଇଁ ଚିହ୍ନାପରିଚୟ ସବୁଠି ତାର ଆଦର ଅଧିକ ।

 

ମାମୁଁ ହସ୍ପିଟାଲରୁ ଫେରିବା ପରଦିନ ଏ କଥା ଲକ୍ଷ୍ୟ କରି ପଚାରିଲେ, ‘‘ସ୍ୱାମୀ କାଇଁ ? ଘରେ ଦେଖୁନି ତ ତାକୁ ।’’

 

ମାଇଁ ଉତ୍ତର ଦେଲେ, ‘‘ଆଗସାମନା ବୁଢ଼ାବାବୁଙ୍କ ଘରକୁ ଯାଇଥିବ । ତାଙ୍କ ବୁଢ଼ା ପୂଝାରୀ ଖୋଜୁଥିଲା ତ । ’

 

‘‘ତାର ଏଇ ବଦଗୁଣ ଗଲାନି ଦେଖୁଚି । ଯୋଉଠିକୁ ଗଲା ସେଠି ଚିହ୍ନାଅଚିହ୍ନା ବାରଣ ରଖିଲାନି । ସହର ଜାଗା, କିଏ କେମିତିକା ଲୋକ ନ ବୁଝି ଏତେ ମିଳିମିଶି ଯିବାଟା ଭଲ ନୁହେଁ ।’’

 

‘‘ସିଏ ପରା ଆମ ସମରର ସାଙ୍ଗ ଘର । ଭାରି ଭଲ ମଣିଷ ସେମାନେ ।’’ ମାଇଁ ବୁଝେଇଲେ ।

 

‘‘ତଥାପି ସବୁକଥାର ଗୋଟାଏ ସୀମା ଅଛି ।’’ କହିସାରି ମାମୁଁ ଯୋଡ଼ିଲେ, ‘‘ସେଠି ତା ବୟସର କିଏ ଅଛି ଯେ ଏତେ ଦୌଡ଼ୁଚି ?’’

 

‘‘ସମର ସାଙ୍ଗଙ୍କ ବାପା ତ ଦିନରାତି ତାକୁ ଡକେଇ ପଠଉଚନ୍ତି । ସେ ଏବେ କଣ କରିବ ?’’

 

ତୁମେ ମନା କରିଦଉନ !’’

 

‘‘ବୁଢ଼ାଲୋକ ସେ । ସୁମୀକୁ ଆମର ଟିକିଏ ଦେଖି ପାରୁଚନ୍ତି ବୋଲି ଡାକି ପଠଉଚନ୍ତି । ପାଖରେ ବୁଢ଼ା ପୂଝାରୀଟି ଛଡ଼ା ଆଉ ନାହାନ୍ତି କିନା ! ସେଥିପାଇଁ ମନା କରିଦବାକୁ ଜିଭ ଲୋଉଟୁନି ।’’

 

ମାମୁ-ମାଇଁଙ୍କ କଥା ବସି ବସି ଶୁଣିବାକୁ ବେଳ ନ ଥିଲେ । ‘ମାଇଁ ମୁଁ ହସ୍ନିଟାଲ ଯାଉଚି’ ବୋଲି ଶୁଣେଇଦେଇ ସ୍କୁଟର କାଢ଼ିଲି କାମକୁ ଯିବା ସକାଶେ । ରାସ୍ତାରେ ସ୍କୁଟରଟା ଷ୍ଟାର୍ଟ କରିବା ଆଗରୁ ଭାବିଲି ଯାଏ ସୁମୀକୁ ଡାକିଦିଏ । ପରେ ସୁବିଧା ଦେଖି ପଛେ ତାକୁ ବୁଝେଇଦେବି ଗୋକୁଳି ମଉସାଙ୍କ ଘରକୁ ଯିବାଟା ଟିକିଏ କମେଇ ଦବାକୁ ।

ବାରଣ୍ଡାରେ ଗୋଡ଼ ଦେଇଚି କି ନାହିଁ ଗୋକୁଳି ମଉସାଙ୍କ ପାଟି ଶୁଭିଲା ଭିତରୁ ।

‘‘ଶୁଣିଲୁଣି ରେ ନନ୍ଦ ।’’

‘‘ପୁଣି କଣ ହେଲା ?’’

‘‘ଉତ୍ତର ପ୍ରଦେଶର ଗୋଟାଏ ଗାଁରେ ଡକାୟତମାନେ ଚବିଶ ଜଣଙ୍କୁ ଗୁଳି କରି ମାରି ଦେଇଚନ୍ତି ।’’

‘‘ପୁଲିସ କଣ କରୁଚି ?’’

‘‘ଆଉ କରିବ କଣ । ଡକାୟତଙ୍କ ସାଙ୍ଗେ ହାତ ମିଳେଇ ସେମାନଙ୍କୁ ଚାରିଆଡ଼େ ଖୋଜୁଚି ।’’

‘‘କେତେ ଟଙ୍କା ଲୁଟି ନେଇଛନ୍ତି ?’’ ନନ୍ଦ ମଉସା ପଚାରିଲା ।

‘‘କହିଲି ପରା ଖାଲି ଗୁଳିକରି ମାରି ପକେଇଚନ୍ତି ।’’

‘‘ଟଙ୍କା ଲୁଟି ନେଇ ନାହାନ୍ତି ?’’

‘‘ଲେଖା ତ ନାହିଁ ।’’

‘‘ତେବେ ମିଛ କଥା । ଡକାୟତମାନେ ପରା ଟଙ୍କା ସୁନା ଲୁଟି ନିଅନ୍ତି !’’

‘‘ଖବରକାଗଜରେ ବାହାରିଚି । ଆଉ ତୁ କହୁଚୁ ମିଛକଥା–ତୋର ଆଉ ବୁଦ୍ଧିଶୁଦ୍ଧି ମୋଟେ ହବନି ଦେଖୁଚି । ଯୋଉ ବୋକାକୁ ସେଇ ବୋକା ରହିଗଲୁ ।’’ ତାପରେ ହଠାତ୍‌ କଥାର ସୁଅ ବଦଳେଇ ଗୋକୁଳି ମଉସା କହିଲେ, ‘ଇଏତ ବଡ଼ ଅସମ୍ଭବ କଥା ଦେଖୁଚି ।’’

 

‘‘ପୁଣି କଣ ହେଲା ?’’

 

‘‘ପକୋଡ଼ି ତ ମୋଟେ ଖଣ୍ଡେ ଥିଲା ଥାଳିଆଟାରେ । ପୁଣି ମେଜିକ କଲା ଭଳି ଏତେଗୁଡ଼ାଏ ହୋଇଗଲା କେମିତି ?’’

 

‘‘ଖାଇଦିଅ ସବୁତକ । ଝିଅଟା ଖାସ ତୁମରି ପାଇଁ ଆସି ସକାଳ ପହରୁ ଲାଗିଚି ।’’

 

‘‘କେତେଟା ବାଜିଲା ?’’

 

‘‘ସାଢ଼େ ଆଠଟା ।’’

 

‘‘ସାତଟା ପଇଁଚାଳିଶରୁ ସାଢ଼େଆଠ । ମାନେ ପଇଁଚାଳିଶ ମିନିଟ ଧରି ମୁଁ ଜଳଖିଆ ଖାଉଚି ।’’ ଗୋକୁଳି ମଉସା ସମୟଟା ହିସାବ କରିସାରି ପଚାରିଲେ, ‘‘ଆଗରୁ ମତେ ହାରାହାରି କେତେ ସମୟ ଲାଗୁଥିଲା ରେ ନନ୍ଦ ଜଳଖିଆ ଖାଇବାକୁ ?’’

 

‘‘ମୁଁ କଣ ହିସାବ ରଖିଚି ?’’

 

‘‘ତାହେଲେ ତୁ ମୋ ପାଖେ ରହିଚୁ କାହିଁକି ଶୁଣେ ? କିଛି ତ ହିସାବ ରଖିବୁନି । ଘର ଚଳିବ କେମିତି ?’’

 

‘‘ବୋହୂ ଆଣ, ଏଥର ସେ ଘର ଚଳେଇବ । ମୋର ଆଉ କିଛି ସ୍ମରଣ ରହୁନି ।’’

 

‘‘ଦେଖୁଚି ସମରକୁ କହି ତୋ ମସ୍ତିଷ୍କ ଉର୍ବର କରିବାକୁ କିଛି ଫର୍ଟିଲାଇଜର ବ୍ୟବସ୍ଥା କରିବାକୁ ପଡ଼ିବ । ଆରେ ଗଜ, ଏତିକି ତୋ ମୁଣ୍ଡରେ ପଶୁନି ! ବୋହୂ ତ ଆମ ପାଖେ ରହି ଘର ଚଳେଇବ । ତେଣେ ପୁଅ କଣ ଖଞ୍ଜଣି ବଜେଇ ଭଜନ କରିବ ବସି ବସି ।’’

 

‘‘ଖାଇଲାବେଳେ ଏତେ ବକରବକର ହବାଟା ଭଲ ନୁହେଁ । ହଜମ ହବନି ।’ ସୁମୀ ଚେତେଇ ଦେଲା ।

 

‘‘ସିଏ ପୁଣି କଣ ?’’

 

‘‘ରସାବଳୀ ଟିକିଏ ।’’ ସୁମୀ ଉତ୍ତର ଦେଲା ।

 

‘‘କିଏ ଆଣିଲା ?’’

 

‘‘ମୁଁ କରିଚି ।’’

 

‘‘ଅଳ୍ପ ଟିକିଏ ଦେଲୁ ମା । ମୁଁ ପାଟିରେ ପକେଇ ଦେଖେ । ଡାକ୍ତର ମନା କରିଚି ପରା ମିଠା ଖାଇବାକୁ ।’’ ଚାଖିସାରି ସେ କହିଲେ, ‘‘ଭଲ ଲାଗୁଚି । ସବୁତକ ଦେଇଦେ । ଖାଇଦିଏ, ଦେହ ଖରାପ ହେଲେ ପଛେ ସମରକୁ କହି ଔଷଧ ଖାଇଦେବି । ଆଲୋ ମା’ ମଉ ଗୋଟେ କାମ କରିଦେବୁ ତ !’’

 

‘‘କଣ ମଉସା ?’’

 

‘‘ଏଇ ଗଜଟାକୁ ଟିକିଏ ରୋଷଇ ଶିଖେଇ ଦବୁଟି ।’’ ଶିଖିବି ! ଶୁଣ, ଏସବୁ ରୋଷଇବାସ କାମ ଆଉ ମୋ ଦ୍ୱାରା ହବନି । ମୁଁ ଏଥର ଅବସର ନେବି ।’’

 

‘‘ତେବେ ମୁଁ ଖାଇବି କଣ ?’’

 

‘‘ସେଇଥିପାଇଁ ତ କହୁଚି ଶୀଘ୍ର ବୋହୂ ନେଇ ଆସ । ନ ହେଲେ ଶେଷକୁ ମୁଁ ଧର୍ମଘଟ କରିବି ।’’

 

‘‘କଣ କହିଲୁ, ତୁ ଧର୍ମଘଟ କରିବୁ !’’

 

‘‘ସେଥିରେ କିଛି ଲାଭ ହବନି କାହାର । ଆରେ ବୋକା, ଏତିକି ବୁଝି ପାରୁନୁ, ତୁ ଧର୍ମଘଟ କଲେ ଘରେ ରୋଷେଇ ହବନି । ଫଳରେ ତୁ ଆଉ ମୁଁ ଦୁହେଁ ବାଧ୍ୟ ହୋଇ ଅନଶନ କରିବା ।’’

 

ହସ ମାଡ଼ିଲା ଗୋକୁଳି ମଉସାଙ୍କ କଥା ଶୁଣି । ତେଣୁ କାହାକୁ କିଛି ନ କହି ଚୁପଚାପ ସ୍କୁଟର ଧରି ହସ୍ପିଟାଲ ଚାଲିଗଲି । ମନେ ମନେ ଠିକଣା କଲି ଖରାବେଳେ କାମରୁ ଫେରି ସୁମୀକୁ ବୁଝେଇଦେବି ।

 

ଖରାବେଳେ କାମରୁ ଫେରି ମନେ ମନେ ସୁମୀକୁ ଖୋଜିଲି କଥାଭାଷା ହବା ପାଇଁ । ଘରେ କିନ୍ତୁ ତାକୁ ଦେଖିଲି ନାହିଁ । ତେଣୁ ଧରିନେଲି ଯେ ସେ ଗୋକୁଳି ମଉସାଙ୍କ ଘରେ । ସୁତରାଂ ରାତିଯାଏ ଅପେକ୍ଷା କରିବାକୁ ପଡ଼ିବ ତା ସାଙ୍ଗେ କଥା ହବାକୁ ।

 

ମୁଁ ଲୁଗା ବଦଳି ଖାଇ ବସିଲି ।

 

ମାଇଁ ମୋ ପାଖରେ ବସି ମାଛି ଅଡ଼ଉ ଅଡ଼ଉ ଆରମ୍ଭ କଲେ, ‘‘ଆରେ ସମର, ମୋ ସୁମୀପାଇଁ ଭଲ ପାତ୍ରଟିଏ ଦେଖି ଦଉନୁ । ତୋର ତ କେତେ ସାଙ୍ଗ ଥିବେ ।’’

 

ବିକାଶ କଥା ମନେ ପଡ଼ିଗଲା । ଉତ୍ତର ଦେଲି, ‘‘ମୋର ଜଣେ ସାଙ୍ଗ ଅଛି । ଷ୍ଟେଟ ବ୍ୟାଙ୍କରେ ବଡ଼ ଅଫିସର । ଆଜି ତାକୁ ପଚାରିବି ।’’

 

‘‘ଆମେ ଏକା ସେମିତି କିଛି ଦେଇ ନେଇ ପରିବୁନି’’

 

‘‘ଦିଆନିଆ କଥା ଉଠିବନି ।’’

 

‘‘ଆଜି ତାହେଲେ କଥା ପକେଇବୁ ।’’

 

‘‘ହଁ, ମାଇଁ ।’’

 

‘‘ତୋ ମାମୁଁ ଏଇଠି ଥିଲାବେଳେ କଥା ଛିଣ୍ଡିଯାମନ୍ତା କି ?’’

 

‘‘କପାଳରେ ଥିଲେ ।’’

 

‘‘ଯାହା କହିଲୁରେ ପୁଅ । ସବୁ କପାଳ ଲିଖନ ।’’

 

ଖାଇସାରି ଘଣ୍ଟାଏ ଖଣ୍ଡେ ବିଶ୍ରାମ ନେଇଚି କି ନାହିଁ ନନ୍ଦ ମଉସା ମତେ ଉଠେଇ କହିଲା, ‘‘ବାବୁ ଡାକୁଚନ୍ତି ।’’

 

‘‘କାହିଁକି ?’’

 

‘‘ପିଠା ଖାଇବାକୁ ।’’

 

‘‘ପିଠା କୋଉଠୁ ଆସିଲା ?’’

 

‘‘ସୁମୀ ମା ମୋର କରିଚି ।’’

 

ଖାଇବାକୁ ପେଟରେ ଜାଗା ନ ଥିଲେ ବି ବାଧ୍ୟ ହୋଇ ଉଠିଲି । କାରଣ ଗୋକୁଳି ମଉସାଙ୍କ ମୁଣ୍ଡକୁ ଯେତେବେଳେ କଥାଟା ଢୁକିଲାଣି, ଆଉ ରକ୍ଷା ନାହିଁ ।

 

ଗୋକୁଳି ମଉସାଙ୍କ ଦାଣ୍ଡଘରେ ପହଞ୍ଚି ଦେଖିଲି, ସୁବିମଳ ବାବୁଙ୍କ ଧ୍ୟାନ ଚେସପାଲି ଉପରେ । ଆଉ ଗୋକୁଳି ମଉସା ଅସ୍ଥିର ମନରେ ମତେ ଅପେକ୍ଷା କରି ବସିଚନ୍ତି ।

 

ତେଣୁ ମତେ ଦେଖିବାମାତ୍ରେ ଗୋକୁଳି ମଉସା କହି ଉଠିଲେ, ‘‘ଆସ ସମର ଆସ ! ସାଙ୍ଗ ହେଇ ଆଜି ପିଠା ଖାଇବା । ସୁମୀ କରିଚି । ମୁଁ ଗୋଟାଏ ଚାଖି ସାରିଲାଣି । ବଢ଼ିଆ ଲାଗୁଚି-। ଆରେ ନନ୍ଦ ଆଣରେ ଚଞ୍ଚଳ ।’’

 

କଥା ସରିଲାବେଳକୁ ସୁମୀ ତିନିଟା ପ୍ଲେଟରେ ପିଠା ବାଢ଼ିଆଣି ଥୋଇଲା ।

 

ଗୋକୁଳି ମଉସା ଆଗ ଖାଇବା ଆରମ୍ଭ କରିଦେଇ କହିଲେ, ‘‘ଏଥର ପାଟିଚାଲୁ ।’’

 

ମୁଁ ପିଠାରୁ ଖଣ୍ଡେ ଭାଙ୍ଗି ପାଟିରୁ ନେଲି ।

 

ସୁବିମଳ ବାବୁ ଆଡ଼ଆଖିରେ ପ୍ଲେଟକୁ ଚାହିଁଲେ ବି ନାହିଁ । ନିଜ ପଟର ଗୋଟିଟାକୁ ଚଳେଇଲା ପରେ ସେ ଆରପଟରୁ କି ଚାଲ ଦେବେ, ସେଥିରେ ମନ ଦେଲେ । କାରଣ ଗୋକୁଳି ମଉସା ଏଇଲେ କୋଡ଼ିଏ ତିରିଶ ମିନିଟ ଖାଇବାରେ ବ୍ୟସ୍ତ ରହିବେ । ଖେଳ ଉପରକୁ ଧ୍ୟାନ ଦେବାର ସମ୍ଭାବନା କ୍ଷୀଣ ।

 

ଗୋକୁଳି ମଉସା ଅନୁରୋଧ କଲେ ‘‘ସୁବିମଳ ଖାଅ । ବଢ଼ିଆ ହେଇଚି, ଠିକ ସେଦିନ ପିଠା ପରି । ସୁମୀ କରିଚି ପରା ।’’

 

ତଥାପି ସୁବିମଳ ବାବୁ ଆଖି ଫେରେଇ ଚାହିଁଲେନି ବି ପ୍ଲେଟଟାକୁ, ଖାଇବା ତ ଦୂରର କଥା ।

 

ତାପରେ ଗୋକୁଳି ମଉସା ଆଉ ବାଧ୍ୟ କଲେ ନାହିଁ । ଅଭଦ୍ର ପେଟୁଙ୍କ ପରି ସୁବିମଳ ବାବୁଙ୍କ ପ୍ଲେଟଟା ଟାଣି ନେଲେ ନିଜ ପାଖକୁ ।

 

ଅଭ୍ୟାସ ମୁତାବକ ବକର ବକର ହେଇ ପିଠାଖିଆ ପର୍ବ ସାରିବାକୁ ଅଧଘଣ୍ଟାଏ ଲାଗିଗଲା ଗୋକୁଳି ମଉସାଙ୍କୁ । ମୁଁ ଯେତେ ନାହିଁ କଲେ ବି ମତେ କାକାରା, ନାନମାନ, କରଞ୍ଜ ମିଶେଇ ଚାରିଟା ଗିଳେଇଲେ ଜୋରଜବରଦସ୍ତ ।

 

ତାପରେ ମତେ ପଚାରିଲେ, ‘‘ହଜମୀ ବଟିକା ରଖିଚ ?’’

 

‘‘ଅଛି ।’’

 

‘‘ପଠେଇ ଦବଟି ଦି’ଚାରିଟା ମୁଁ ଗିଳିଦିଏ ।’’

 

‘‘କାହିଁକି ?’’

 

‘‘ପଚାରୁଚ ଆଉ କଣ ? ରାତିକୁ ବଦହଜମ ହେଲେ ଗବା ନନ୍ଦ ମତେ ଖାଡ଼ା ଉପାସ ରଖିଦବ ଚବିଶ ଘଣ୍ଟା । ଚୂଲୀରେ ହାଣ୍ଡି ବସେଇବନି ନିଜେ ଉପାସ ରହିବ, ମତେ ବି ଉପାସ ରଖିବ ।’’

 

ବସାକୁ ଆସି ଗୋଟାଏ ବଟିକା ନିଜେ ଖାଇ ଆଉ ଗୋଟାଏ ତାଙ୍କ ପାଇଁ ଧରି ଗଲି ।

ମୋ ହାତରୁ ବଟିକାଟା ନେଇ ଗୋକୁଳି ମଉସା ଦୁଃଖ କଲେ, ‘‘ମୋଟେ ଗୋଟେ !’’

‘‘ଗୋଟାଏ ଖାଇବା କଥା ।’’

‘‘ତେବେ ତ କିଛି ଲାଭ ହେଲାନି ।’’

‘‘ମାନେ ?’’

‘‘ଗୋଟାଏ ଖାଇଲେ କେତେ ସମୟ ଲାଗିବ ହଜମ ହବାକୁ ?’’

‘‘ଆଠ ଘଣ୍ଟା ।’’

‘‘ତେବେ ଆଉ ତିନିଟା ଆଣିଦିଅ ।’’

‘‘କାହିଁକି ?’’

‘‘ଚାରିଟା ଏକାବେଳକେ ଖାଇ ଦେଲେ ଦି’ଘଣ୍ଟାରେ ହଜମ ହେଇଯିବ । ତାହେଲେ ରାତିକୁ ପୁଣି ବାକିତକ ପିଠା ଖାଇ ଦେବି ।’’

‘‘ନାଇଁ, ସେଇ ଗୋଟାକ ଯଥେଷ୍ଟ । ଚାରିଟା ଏକାବେଳକେ ଖାଇଲେ ପେଟ ବିଗିଡ଼ିଯିବ । ବାନ୍ତି ବି ହବାର ସମ୍ଭାବନା ଅଛି ।’’

‘‘ରାତିକୁ ଯଦି ପିଠା ଖାଇବି, ତେବେ ସେତେବେଳେ ତ ପୁଣି ଦରକାର ପଡ଼ିବ ଆଉ ଗୋଟେ ବଟିକା ।’’

‘‘ମୁଁ ନିଜେ ଆସି ଦେଇଯିବି ।’’

‘‘ହଉ ତେବେ । କହି ଗୋକୁଳି ମଉସା ବଟିକାଟା ଗିଳିଲେ ।

ବସାକୁ ଆସି ଭାବିଲି, ସୁବିମଳ ବାବୁ ଆଜି ପିଠା ଖାଇଲେନି ତ ଯେତେ ଯାଚିଲେ ବି ! ସେଦିନ କିନ୍ତୁ ବିକାଶ ଯୋଉ ପିଠା ଧରି ଆସିଥିଲା, ତାକୁ ସେ ଆଗ୍ରହରେ ଖାଇଚନ୍ତି । ଆଜି ତେବେ ମନା କଲେ କାହିଁକି ? ସୁମୀ ତ ବଢ଼ିଆ ପିଠା କରିଥିଲା, କୌଣସି ଗୁଣରେ ମାଉସୀଙ୍କଠୁ କମ ନୁହେଁ । ବରଂ ଗରମ ଥିବାରୁ ଆହୁରି ଭଲ ଲାଗିଲା ସେ ଥରଠୁ । ଚିନ୍ତା କଲି କେତେ ସମୟ; କିନ୍ତୁ ମନଲାଖି ଉତ୍ତରଟାଏ ଖୋଜି ପାଇଲି ନାହିଁ । ଶେଷକୁ ନିଜ ମନକୁ ସାନ୍ତ୍ୱନା ଦେଲି ଯେ ପାଗଳଙ୍କ ମାନସିକ ସ୍ଥିତି ଠଉରେଇବା ଅସମ୍ଭବ ।

ସୁମୀ ଦେଖିବାକୁ ସାଧାରଣ ହେଲେ ବି ବଡ଼ କପାଳିଆ ବୋଲି ଜାଣିଲି ସେହି ଦିନ ସନ୍ଧ୍ୟାକୁ । ମତେ କି ମାମୁଁ କାହାକୁ ତା ବାହାଘର ନେଇ କଥା ଉଠେଇବାକୁ ପଡ଼ିଲା ନାହିଁ କୋଉଠି ହେଲେ ରାତି ଆଠଟାକୁ ନିଜେ ଗୋକୁଳି ମଉସା, ନନ୍ଦ ମଉସାକୁ ସାଙ୍ଗରେ ଧରି ଆସି ହାଜର ହୋଇଗଲେ ମୋ ବସାରେ । ମୁଁ ସେତିକିବେଳକୁ ବିକାଶ ବସାକୁ ସୁମୀର ପ୍ରସଙ୍ଗ ପକେଇବା ସକାଶେ ଯିବାକୁ ବାହାରୁଥାଏ ।

ମୁଁ ଘରେ ଥିଲେ ବି ପହଞ୍ଚିବାମାତ୍ରେ ଗୋକୁଳି ମଉସା ନିଜ ପରିଚୟ ନିଜେ ଦେଇ ସାରି ମାମୁଁଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଆପଣଙ୍କୁ ଗୋଟେ କଥା କହିବାକୁ ଆସିଲି ।’’

 

‘‘କୁହନ୍ତୁ ।’’ ମାମୁଁ ଉତ୍ତର ଦେଲେ ।

 

ଗୋକୁଳି ମଉସା ଏଥର ନନ୍ଦ ମଉସାକୁ ଚାହିଁଲେ କିଛି ନ କହି ।

 

ନନ୍ଦ ମଉସା ଉତ୍ସାହ ଦେଲା, ‘‘କହୁନ କାହିଁକି ?’’

 

‘‘ତୁ କହ ।’’ ମଉସା ଓଲଟି ଅନୁରୋଧ କଲେ ।

 

‘‘ଆମ ଜଗୁର ସୁମୀ ସାଙ୍ଗେ ପ୍ରସଙ୍ଗ ପକେଇବାକୁ....’’

 

ନନ୍ଦ ମଉସାକୁ ବାଧା ଦେଇ ଗୋକୁଳି ମଉସା ପ୍ରକୃତି ଦୋଷରୁ କହି ଉଠିଲେ, ‘‘କହିବୁ ତ ବାହାଘର ଦିନ ଠିକ କରିବାକୁ ଆସିଚୁ । ଏ ପ୍ରସଙ୍ଗ ଫ୍ରସଙ୍ଗ କଥା ଉଠଉଚୁ କାହିଁକି ? ଏଇ ନିର୍ବୁଦ୍ଧିଆ କଥାଗୁଡ଼ାକ ତୋର ଗଲାନି ଆଉ ।’’

 

ମୁଁ ଆଉ ସମ୍ଭାଳି ପାରିଲିନି । ଗୋକୁଳି ମଉସାଙ୍କ କଥାରେ କାଳେ ମାମୁଁ ଫିଡ଼ିକିଯିବେ ଆଶଙ୍କା କରି ମତ ଦେଲି, ‘‘ଭଲ ପ୍ରସ୍ତାବ ମାମୁଁ । ଗୋକୁଳି ମଉସାଙ୍କ ସାନ ପୁଅ ଜଗତ, ମୋ ସାଙ୍ଗ । ସମ୍ବଲପୁରରେ ଡେପୁଟି ମାଜିଷ୍ଟ୍ରେଟ ଅଛି ।’’

 

‘‘ତେବେ ଆମେ ତ ସେମିତି କିଛି ଦେଇନେଇ ପାରିବୁନି ।’’ ମାମୁଁ ଉତ୍ତର ଦେଲେ ।

 

‘‘ମୁଁ ତ ଦି’ଟା ଝିଅ ଗୋଟାଏ ପୁଅ ବାହାଘରରେ ଦେଇନି କି ନେଇନି ।’’’ କହି ସାରି ଗୋକୁଳି ମଉସା ନନ୍ଦ ମଉସାର ମତ ଲୋଡ଼ିଲେ, ‘‘ମୁଁ ଠିକ୍‌ କହିଲି ତ ନନ୍ଦ ?’’

 

‘‘ଆମର ଗୁଣର ଝିଅଟିଏ ଦରକାର । ବାସ ସେତିକି ।’’ ନନ୍ଦ ମଉସା ସ୍ପଷ୍ଟ କରି ଦେଇ ଜବାବ ମାଗିଲା, ‘‘ଆପଣ ରାଜି ତ ?’’

 

କାଳେ ମାମୁଁ ଆଉ କଣ ବିଗାଡ଼ି ବସିବେ, ସେହି ଆଶଙ୍କାରେ ମାଇଁ ଉପରେ ପଡ଼ି ଜବାବ ଦେଇ ବସିଲେ, ‘‘ଆମର ନାରାଜ ହବାର ଆଉ କଣ ରହିଲା । ସମରଠୁ ଆପଣଙ୍କ ପୁଅ କଥା ସବୁ ଶୁଣିଚୁ । ଆମ ଝିଅ ଭାଗ୍ୟରେ ଥିଲେ..... ।’’

 

‘‘ତେବେ କଥା ପକ୍‌କା ?’’ ନନ୍ଦ ମଉସା ଶେଷ ଜବାବ ଚାହିଁଲା ।

 

‘‘ଆରେ ଜଗୁଟାକୁ ଟିକିଏ ପଚାରିବାନି ?’’ ଗୋକୁଳି ମଉସାଙ୍କର ପୁଅ କଥା ହଠାତ୍‌ ମନେ ପଡ଼ିଗଲା ।

 

‘‘ସେ ମତେ ସବୁ ଭାର ଦେଇ ଯାଇଚି । ନିର୍ବନ୍ଧ ଦିନ ଠିକ କରି ତା ପାଖକୁ ଟେଲିଗ୍ରାମଟାଏ କରି ଦେବା ।’’ ନନ୍ଦ ମଉସା ଜଣେଇ ଦେଲା ।

 

ଏମିତି ଜଗୁ ଓ ସୁମୀର ବାହାଘର ଠିକଣା ହୋଇଗଲା । କଥା ବି ଛିଣ୍ଡିଲା–ମାମୁଁ କଟକ ଛାଡ଼ିବା ପୂର୍ବରୁ ନିର୍ବନ୍ଧ କାମଟା ସାରି ଦେଇ ଯିବେ ।

 

ଜଗତ ଡକା ହୋଇ ଆସିଲା ସପ୍ତାହକପରେ । ରାଜୁ ଭାଇନା ଓ ବିଜୁ ଭାଇନାଙ୍କୁ ଖବରଟା ଆଗ ଟେଲିଗ୍ରାମ ଓ ପଛକୁ ପଛ ଚିଠି ଦ୍ୱାରା କେବଳ ଜଣେଇ ଦିଆଗଲା ।

 

ବଡ଼ ମାମୁଁ-ମାଇଁଙ୍କୁ ମୁଁ ଯାଇ ଡାକି ଆଣିଲି ଅଜା ଘରୁ । କାଳୀ ମନ୍ଦିରରେ ନିର୍ବନ୍ଧର ବ୍ୟବସ୍ଥା ଚାଲିଲା । ନନ୍ଦ ମଉସାର ନିର୍ଦ୍ଦେଶରେ ମୁଁ ଗୋକୁଳି ମଉସାଙ୍କ ତରଫରୁ ଓ ବଡ଼ ମାମୁଁ-ମାଇଁଙ୍କ ଆଦେଶରେ ମାମୁଁ ମାଇଁଙ୍କ ପକ୍ଷରୁ ସବୁ ଯୋଗାଡ଼ର ଦାୟିତ୍ୱ ବାଧ୍ୟ ହୋଇ ମୁଣ୍ଡେଇଲିକାହିଁକି କେଜାଣି ବିକାଶକୁ ଏ ଭିତରକୁ ଟାଣିବା ସକାଶେ ମନ କହିଲା ନାହିଁ ।

 

ନିର୍ବନ୍ଧ ଦିନ ସୁବିମଳ ବାବୁ ଅଭ୍ୟାସ ମୁତାବକ ଠିକ ଦିନ ଦଶଟାକୁ ଦାବା ଖେଳିବା ପାଇଁ ଆସି ପହଞ୍ଚିଗଲେ । ଗୋକୁଳି ମଉସା ଓ ସେ ଦାବା ପାଲି ମେଲେଇ ବସିଗଲେ ସବୁ ଦିନ ପରି । ତେବେ ଗୋଟାଏ କଥାରେ ବ୍ୟତିକ୍ରମ ଘଟିଗଲା ।

 

ନନ୍ଦ ମଉସା ଆଜି ମଧ୍ୟ ଦାବା ଖେଳର ଆୟୋଜନ ଦେଖି ଶୁଣେଇ ଦେଲା, ‘‘ଖେଳି ବସୁଚ, ବସ । ଚାହା ପାନ ପାଇଁ ପାଟି କରିବନି । ମତେ ସୁବିଧା ଯେତେବେଳେ ହବ ଆଣି ଦେବି-।’’

 

‘‘ତେବେ ତ ଖେଳର ମୋ ଲୟ ରହିବ ନାହିଁ ।’’ ଗୋକୁଳି ମଉସା କହି ଉଠିଲେ ।

 

‘‘ଆଜି ଦିନଟା ଏବେ ନ ରହୁ ।’’

 

‘‘ତା ମାନେ, ମୁଁ କେମିତି ଖେଳରେ ହାରିବି, ସେଇ ବ୍ୟବସ୍ଥା ତୁ କରୁଚୁ । ଦେଖୁଚୁ, ଘରେ ଗୋଟାଏ ଶତ୍ରୁ ମୁଁ ପୋଷିଚି ।’’ ଗୋକୁଳି ମଉସାଙ୍କ ସ୍ୱଭାବ ଆଜି ବି ବଦଳିଲା ନାହିଁ ।

 

‘‘ଆଜିକ ଖେଳ ବନ୍ଦ କରିଦିଅ ତେବେ ।’’

 

‘‘ଖରାବେଳଟା ସାରା ତା ହେଲେ କରିବି କଣ ?’’

 

‘‘ଆସ, ଆମ ସାଙ୍ଗରେ ମିଶି ସବୁ ଯୋଗାଡ଼ଯନ୍ତ୍ର କରିବ ।’’

 

‘‘ମାନେ ତୁ ଅର୍ଡ଼ର ଦବୁ, ଆଉ ମୁଁ କାମ କରିବି ! ନା, ଅସମ୍ଭବ ମୁଁ ତା କରି ପାରିବିନି ।’’ କହି ସାରି ଟିକିଏ ଚିନ୍ତା କରି ସେ ଉପାୟ ବାହାର କଲେ, ‘‘ତୁ ଗୋଟେ କାମ କର ତାହେଲେ ।’’

 

‘‘କଣ ?’’

 

‘‘ସୁମୀକୁ ଡାକିଆଣ । ସେ ମତେ ଚାହା-ପାନ ଯୋଗେଇବ । ତେଣିକି ତୁ ତୋ କାମ କର ।’’

 

‘‘କି କଥା କହୁଚ । ଝିଅଟାକୁ ଆଜି କେମିତି ଡାକି ଆଣିବି ଭଲା ! ଅନ୍ୟମାନେ କଣ କହିବେ ?’’

 

‘‘ମୋ ବୋହୂକୁ ମୁଁ ଡକେଇବି ସେଥିରେ ଆଉ କାହାର କଣ ଯାଏ, ଆସେ ? ଗୋକୁଳି ମଉସା ଦାବୀ କଲେ ।

 

ନନ୍ଦ ମଉସା ଯୁକ୍ତି ନ କରି ସୁମୀକୁ ଡାକି ଆଣିବାକୁ ଗଲା ବାଧ୍ୟ ହୋଇ । ବଡ଼ ମାଇଁ ଏ କଥାରେ ପ୍ରତିବାଦ ଉଠେଇଲେ । ମୁଁ ତାଙ୍କୁ ଡାକି ନେଇ ନିରୋଳାରେ ସବୁ କଥା ବୁଝେଇ ଦେଲାରୁ ସେ ଆଉ କିଛି କହିଲେ ନାହିଁ ।

 

ସେଦିନ ବି ଗୋକୁଳି ମଉସା ଓ ସୁବିମଳ ବାବୁ ଖେଳ ସାରି ପାର୍କକୁ ବୁଲି ବାହାରିଲେ । ସେଠୁ ସନ୍ଧ୍ୟା ସାତଟାକୁ ଯାଇ ପହଞ୍ଚିଲେ କାଳୀ ମନ୍ଦିରରେ । ସୁବିମଳ ବାବୁ ମନ୍ଦିରରେ ପହଞ୍ଚି ଅଧଘଣ୍ଟାଏକାଳ ଆଗ ଅଧିଆ ପଡ଼ିଲେ ଠାକୁରାଣୀଙ୍କ ଆଗରେ । ଆଉ ଆଳତି ପରେ ଠାକୁରାଣୀଙ୍କୁ ମନ କଥା ଜଣେଇ ବାହୁଡ଼ି ଗଲେ ବସାକୁ ।

 

ଗୋକୁଳି ମଉସା ତାଙ୍କୁ ଅଟକେଇବାକୁ ଚେଷ୍ଟା କଲେ ନାହିଁ । ମୁଁ ବାହାରିଲାରୁ ମତେ ମଧ୍ୟ ବାରଣ କଲେ ।

 

ସୁରୁଖୁରୁରେ ନିର୍ବନ୍ଧ କାମ ଶେଷ ହେଲା । କିନ୍ତୁ ବାହାଘରର ତିଥି ବାର ଧାର୍ଯ୍ୟ ହୋଇପାରିଲା ନାହିଁ । ଗୋକୁଳି ମଉସା ଅବଶ୍ୟ ସବୁ କାମ ଏକାବେଳକେ ଛିଣ୍ଡେଇ ଦେବାକୁ ବସିଥିଲେ; କିନ୍ତୁ ନନ୍ଦ ମଉସା ରାଜି ହେଲା ନାହିଁ । ସୁତରାଂ ସମସ୍ତଙ୍କୁ ପଚାରି ବୁଝି ପରେ ଦିନ ଧାର୍ଯ୍ୟ ହେବ ବୋଲି କଥା ରହିଲା ।

 

ତେଣିକି ଖୋଲିଲା ନନ୍ଦ ମଉସାର ଘରୋଇ ଦପ୍ତର । ପ୍ରତିଦିନ ରାତିରେ ମତେ ହିଁ ଚିଠିପତ୍ର ଲେଖିବାକୁ ପଡ଼ିଲା ନନ୍ଦ ମଉସା ଦିର୍ଦ୍ଦଶରେ ଗୋକୁଳି ମଉସାଙ୍କ ବନ୍ଧୁ ବାନ୍ଧବମାନଙ୍କ ପାଖକୁ । ତିଥି ବାର ଆଦି ବି ଠିକଣା ହୋଇଗଲା ମାସକ ପରେ । ଗୋକୁଳି ମଉସା ରୋକଠୋକ କହିଦେଲେ ଯେ ସବୁ ବ୍ୟବସ୍ଥା ମତେ ହିଁ କରିବାକୁ ପଡ଼ିବ । କାହିଁକିନା ପୁଅ-ବୋହୂ, ଝିଅ-ଜୋଇଁ କେହି ଆସି ମାସେ ଦୁଇମାସ ରହି ଏସବୁ ଯୋଗାଡ଼ଯନ୍ତ୍ର କରିବା ସମ୍ଭବ ନୁହେଁ । ଅଗତ୍ୟା ମୁଁ ନନ୍ଦ ମଉସାର ନିର୍ଦ୍ଦେଶ ଅନୁଯାୟୀ ବ୍ୟବସ୍ଥାରେ ଲାଗିଲି ।

 

ଗୋକୁଳି ମଉସାଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ କିନ୍ତୁ କୌଣସି ପରିବର୍ତ୍ତନ ଘଟିଲା ନାହିଁ-। ଆଗପରି ସେ ବଡ଼ିସକାଳୁ ଉଠି ପାର୍କରୁ ବୁଲି ଆସିବା ପରେ ନନ୍ଦ ମଉସାର ସାଧାରଣ ଜ୍ଞାନ ବୃଦ୍ଧି କରିବାର ପ୍ରୟାସଠାରୁ ନେଇ ଖରାବେଳେ ଦାବା ଖେଳିବା ଓ ସନ୍ଧ୍ୟାରେ କାଳୀ ମନ୍ଦିରକୁ ଯିବାରେ ଟିକିଏ ବି ବ୍ୟତିକ୍ରମ କଲେ ନାହିଁ । ଖାଲି ଯାହା ଖେଳବେଳେ ଗୋକୁଳି ମଉସାଙ୍କୁ ଚାହା ଯୋଗେଇଦେବା ଭାରଟା ପଡ଼ିଲା ମଙ୍ଗୁଳି ଉପରେ । ଆଉ ନନ୍ଦ ମଉସା ପ୍ରତି ଅଧଘଣ୍ଟାକୁ ଅଧଘଣ୍ଟା ପାନ ଖଣ୍ଡେ ଖଣ୍ଡେ ଭାଙ୍ଗି ଆଣି ଯୋଗେଇଦେବା ବଦଳରେ ଏକାଥରକେ ଦଶବାର ଖଣ୍ଡ ପାନ ଭାଙ୍ଗି ଥୋଇଦେଲା ଖରାବେଳ ସାରା ସକାଶେ ।

 

ତେବେ ମୁଁ ଲକ୍ଷ୍ୟ କଲି ଯେ ଏଇ ସାମାନ୍ୟ ବ୍ୟତିକ୍ରମ ଟିକକ ବି ଗୋକୁଳି ମଉସାଙ୍କର ପସନ୍ଦ ନୁହେଁ । ମଙ୍ଗୁଳି ତାଙ୍କୁ ଚାହା-ପାନ ଯୋଗେଇ ଦେଲାବେଳେ ସେ କେମିତି ଟିକିଏ ବିରକ୍ତ ହେଲା ପରି ମନେହୁଏ ତଥାପି ପାଟି ଫିଟେଇ କିଛି କୁହନ୍ତିନି । ଧୈର୍ଯ୍ୟ ଧରି ସହି ନିଅନ୍ତି । ବୋଧହୁଏ ବୟସ ବଢ଼ିଲେ ମଣିଷ ମାତ୍ରେଇ ତା ଜୀବନଧାରାରେ ସାମାନ୍ୟତମ ପରିବର୍ତ୍ତନକୁ ପସନ୍ଦ କରେ ନାହିଁ । କେବଳ ନିଜର ଅପାରଗତା ଦୃଷ୍ଟିରୁ ବାଧ୍ୟ ହୋଇ ସହିଯାଏ ସବୁ କିଛି ।

 

ଏ ଭିତରେ ବିକାଶ ସହିତ ମୋର ଦେଖାସାକ୍ଷାତ ଆଗ ଅପେକ୍ଷା ଅନେକ ପରିମାଣରେ କମିଯାଇଛି । ଏକେତ ତା ନିର୍ବନ୍ଧ ଭାଙ୍ଗି ଯାଇଥିବା ଦୃଷ୍ଟିରୁ ମୁଁ ତାକୁ ଜଗତ ବାହାଘର ଆୟୋଜନ ଭିତରକୁ ଟାଣିବାକୁ ଇଚ୍ଛା କରିନାହିଁ । ସାଙ୍ଗକୁ ଗଲା ଏକମାସ ଧରି ସେ ରାଜ୍ୟ ଫୁଟବଲ ଦଳ ତାଲିମ ଶିବିରରେ ଯାଇ ରହୁଚି । ଫଳରେ ମତେ ଦିନକୁ ଅନ୍ତତଃ ଦୁଇଓଳି ଯାଇ ମାଉସୀଙ୍କ ଖବର ବୁଝିବାକୁ ପଡ଼ୁଚି ।

 

ମାଉସୀ ଅବଶ୍ୟ ବିକାଶର ଅନୁପସ୍ଥିତିରେ ମୋ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନାହାନ୍ତି । ତାଙ୍କ ମାନସିକ ସ୍ଥିତି ବେଶ ସୁଦୃଢ଼ ରହିଚି । ତେଣୁ ମୋ ମନରେ ବିଶ୍ୱାସ ଜନ୍ମିଛି ଯେ ବିକାଶ ମାଉସୀଙ୍କୁ ଏକା ଛାଡ଼ି ଆମେରିକା ଚାଲିଗଲେ ମଧ୍ୟ ମୁଁ ତାଙ୍କୁ ଠିକ୍‌ ସମ୍ଭାଳି ନେଇ ପାରିବି ।

 

ମାସକ ପରେ ଦିନେ ମାଉସୀଙ୍କ ଭଲମନ୍ଦ କଥା ବୁଝିସାରି ଉଠିବାକୁ ବସୁଚି ହଠାତ୍ ବିକାଶ ବ୍ୟାଗ୍‌ ଖଣ୍ଡେ ଧରି ଫେରି ଆସିଲା ଘରକୁ ।

 

ପୁଅକୁ ଦେଖି ମାଉସୀ ପଚାରିଲେ, ‘‘ଆଉ ଯିବୁନି ତ ?’’

 

‘‘ସପ୍ତାହକ ପରେ ପୁଣି ଯିବି ।’’

 

‘‘ଆଉ କେତେଦିନ ରହିବୁ ?’’

 

‘‘ମାସେ ।’’

 

‘‘ତୁ ରହିବୁ ରେ ସମର । ରାତିରେ ଦିହେଁ ସାଙ୍ଗ ହେଇ ଖାଇବ ।’’ ମାଉସୀ ଭିତରକୁ ଚାଲିଗଲେ ।

 

ମୁଁ ଏଥର ପଚାରିଲି, ‘‘ଟ୍ରେନିଂ ସରିବ କେବେ ?’’

 

‘‘ଟିମ ତ ବଛା ହୋଇଗଲା । ସପ୍ତାହକ ପରେ ପୁଣି ପନ୍ଦର ଦିନ ଆମେ ସବୁ ଅଭ୍ୟାସ କରିବୁ ଏକାଠି । ତାପରେ ମାଳୟେସିଆର ଷ୍ଟେଟବ୍ୟାଙ୍କ ଦଳ ସାଙ୍ଗେ ବାରବାଟୀ ଷ୍ଟାଡ଼ିୟମରେ ଗୋଟାଏ ମ୍ୟାଚ ଖେଳି କେରଳ ବାହାରିଯିବୁ ଜାତୀୟ ପ୍ରତିଯୋଗିତାରେ ଯୋଗ ଦେବାକୁ ।’’

 

‘‘ସେଠୁ ଫେରିବ ?’’

 

‘‘ଅକ୍ଟୋବର ଶେଷ ଆଡ଼କୁ ।’’

 

‘‘ତେବେ ଠିକ୍‌ ଅଛି । ଜଗତ ବାହାଘରକୁ ତୁ ଫେରି ଆସିଥିବୁ ।’’

 

‘‘କେବେ ହଉଚି ତା ବାହାଘର ?’’

 

‘‘ନଭେମ୍ବର ଷୋହଳ ।’’

 

‘‘ଆରେ ହଁ, ତୋ ଗୋକୁଳି ମଉସା କେମିତି ଅଛନ୍ତି ?’’

 

‘‘ଠିକ୍‌ ଆଗପରି । କୌଣସି ପରିବର୍ତ୍ତନ ହେଇନି ।’’

 

‘‘ତେବେ ପୁଅ ବାହାଘର ବ୍ୟବସ୍ଥା କରୁଚି କିଏ ?’’

 

‘‘ନନ୍ଦ ମଉସା ଆଉ ମୁଁ ।’’ କହୁ କହୁ ମୋର ହଠାତ୍‌ ମନେ ପଡ଼ିଯିବାରୁ କହିଲି, ‘‘ଆରେ ଆଉ ଗୋଟେ କଥା ।’’

 

‘‘କଣ କହ ।’’

 

‘‘ଗୋକୁଳି ମଉସା ୟା ଭିତରେ ଥରେ ଦି’ଥର ମତେ କହିଲେଣି ତାଙ୍କର ପିଠା ଖାଇବାକୁ ମନ ବୋଲି ।’’

 

‘‘ଠିକ୍ ଅଛି । ମା’କୁ କହିବି କରିଦବ ।’’

 

ତାପରେ ଆମେ ଘଣ୍ଟାଏ ଖଣ୍ଡେ ଏଣୁ ତେଣୁ ଗପି ଖିଆପିଆ ସାରି ଉଠିଲୁ ।

 

ଦୁଇଦିନ ପରେ ବିକାଶ ଟିଫିନ୍‌ କ୍ୟାରିଅରରେ ଉପରଓଳି ଚାରିଟା ବେଳକୁ ପିଠା ଧରି ଆସି ପହଞ୍ଚିଲା । ମୁଁ ସାଙ୍ଗେ ସାଙ୍ଗେ ଟିଫିନ୍‌ କ୍ୟାରିଅରଟା ନେଇ ଚାଲିଲି ଗୋକୁଳି ମଉସାଙ୍କ ପାଖକୁ ।

 

ମୋ ହାତରେ ଟିଫିନ୍‌ କ୍ୟାରିଅରଟା ଦେଖିବାମାତ୍ରେ ଗୋକୁଳି ମଉସା ଆନନ୍ଦରେ ପାଟି କରି ଉଠିଲେ, ‘‘ଏତେଦିନକେ ମନେ ପଡ଼ିଲା । ଆରେ ଏ ନନ୍ଦ, ଦି’ଚାରିଟା ପ୍ଲେଟ ଶୀଘ୍ର ନେଇଆ ତ ।’’ ତାପରେ ମତେ ପଚାରିଲେ, ‘‘ତୁମର ସେଇ ସାଙ୍ଗ ?’’

 

‘‘ମୋ ବସାରେ ବସିଚି ।’’

 

‘‘ଡାକ ତାକୁ ।’’

 

‘‘କାହିଁକି ?’’

 

‘‘ସେ ବି ଖାଇବ ଆମ ସାଙ୍ଗେ ।’’

 

‘‘ସେ ଘରେ ଖାଇ ସାରିଚି । ଏତିକି ଆପଣଙ୍କ ପାଇଁ ଆସିଚି ।’’

 

‘‘ସେ କଥା ହବନି । ସେ ଏଇଠି ବସି ମୋ ସାଙ୍ଗେ ନ ଖାଇଲେ ମୁଁ ଖାଇବନି । ତୁମେ ନେଇଯାଅ ।’’ ଗୋକୁଳି ମଉସା ଅଡ଼ି ବସିଲେ ।

 

ବାଧ୍ୟ ହୋଇ ବିକାଶକୁ ଡାକି ଆଣିଲି ।

 

ନନ୍ଦ ମଉସା ତିନିଟା ପ୍ଲେଟରେ ପିଠା ପରଷି ଦେଲା ଆମ ଆଗରେ ।

 

ଗୋକୁଳି ମଉସା ତରବରରେ ଗୋଟାଏ ପ୍ଲେଟ ନିଜ ଆଡ଼କୁ ଟାଣି ନେଇ ଖାଇବା ଆରମ୍ଭ କରିଦେଇ କହିଲେ, ‘‘ଭାରି ବଢ଼ିଆ ଲାଗୁଚି । ଖାଅ, ଖାଅ ଆରମ୍ଭ କରିଦିଅ । ତୁମ ମା’ ଦୀର୍ଘଜୀବୀ ହୋଇଥାଆନ୍ତୁ । ଆଉ ଆମକୁ ଏମିତି ପିଠା କରି ଖୁଆଉଥାନ୍ତୁ ମଝିମଝିରେ ।’’ ତାପରେ ଆଉ ଖଣ୍ଡେ ପିଠା ପାଟିକୁ ନଉ ନଉ ପଚାରିଲେ, ‘‘ଖାଇବ ସୁବିମଳ ? ସେଦିନ ଯୋଉ ପିଠା ଖାଇଥିଲ ?’’

 

ଉତ୍ତରରେ ସୁବିମଳ ବାବୁ ଖେଳ ବନ୍ଦ କରି ଚାହିଁ ରହିଲେ ବିକାଶକୁ ବୋକାଙ୍କ ପରି । ଦୁଇ ଚକ୍ଷୁ ସ୍ଥିର; କିନ୍ତୁ କୋମଳ । ମନେହେଲା, ତାଙ୍କ ମନ ଗହୀରର ଭାବନା କୂଳ ଉଛୁଳି ପଡ଼ିବା ଉପରେ । ଖାଲି ଯାହା କଠୋର ସଂଯମ ଦ୍ୱାରା ସେ ତାକୁ ଚାପି ଦଉଚନ୍ତି ।

 

ବିକାଶ ନିଜ ପ୍ଲେଟଟା ତାଙ୍କ ଆଡ଼କୁ ବଢ଼େଇଦେଇ ଅନୁରୋଧ କଲା, ‘‘ନିଅନ୍ତୁ, ମା ଘରେ କରିଚି ।’’

 

ସୁବିମଳ ବାବୁ ପ୍ଲେଟଟି ନେଲେ ।

 

‘‘ଆରେ ଆଉ ଗୋଟେ ପ୍ଲେଟ ଆଣରେ ନନ୍ଦ ।’’ ଖାଉ ଖାଉ ଗୋକୁଳି ମଉସା ଡାକ ଛାଡ଼ିଲେ ।

 

‘‘ଥାଉ, ଆଉ ଦରକାର ନାହିଁ । ଆମର ଏଇ ଗୋଟାକରେ ଚଳିଯିବ ।’’ ମୁଁ ମନା କଲି । ପିଠାଖିଆ ପର୍ବ ସରିବାକୁ ଅଧଘଣ୍ଟାଏଯାଏ ଲାଗିଲା । ତାପରେ ଆମେ ଦୁହେଁ ଉଠିଲୁ ସେଠୁ । ବସାରେ ପାଦ ଦଉ ନ ଦଉଣୁ ବିକାଶ ପଚାରିଲା, ‘‘ସେ ଆର ଭଦ୍ରଲୋକଟି କିଏ ?’’

 

‘‘ଗୋକୁଳି ମଉସାଙ୍କ ସାଙ୍ଗ ।’’ ଉତ୍ତର ଦେଇସାରି ଜାଣିବାକୁ ଚାହିଁଲି, ‘‘କାହିଁକି ପଚାରିଲୁ ?’’

 

‘‘ଲୋକଟାର ଚାହାଣୀ କେମିତି ଅନ୍ୟ ପ୍ରକାରର ମନେ ହେଲା ।’’

 

‘‘ହଁ । ସାମାନ୍ୟ ପାଗଳ ଧରଣର ।’’

 

‘‘ପାଗଳ ପରି ତ ମତେ ଲାଗୁନି ।’’

 

‘‘ତୁ ଥରେ ଦି’ଥର ଦେଖିଲୁ ବୋଲି ଜାଣିପାରୁନୁ । ସେଦିନ ତୁ ପିଠା ଆଣିଥିଲୁ, ମନେ ଅଛି ।’’

 

‘‘ହଁ ।’’

 

‘‘ତୋରି ଆଗରେ ତ ସେ ପିଠା ଖାଇଥିଲେ ।’’

 

‘‘ହଁ ।’’

 

‘‘ଏବେ ଦିନେ ମୋ ମାମୁଁଙ୍କ ଝିଅ ସୁମୀ, ଜଗତକୁ ଯିଏ ବାହା ହବମ...’’

 

‘‘ବୁଝିଲି, କହ ।’’

 

‘‘ସୁମୀ ଏଇଠି ପିଠା କରିଥିଲା ଗୋକୁଳି ମଉସାଙ୍କ ପାଇଁ । ସେଦିନ ଯେତେ ଯାଚିଲେ ବି ଛୁଇଁଲେନି । ଆଉ ଆଜି ଦେଖ ଯାଚିଲାମାତ୍ରେ ପିଠା ଖାଇଲେ । ଏଇଥିରୁ ବୁଝୁଥିବୁ ।’’

 

‘‘ମୋ ପ୍ରତି ଏତେ ମାୟା ?’’

 

‘‘ମାୟା ନୁହଁରେ, ଏକପ୍ରକାର ପାଗଳାମୀ । ଦେଖିବୁ, ତୁ ଯଦି ଏଇଲେ ବଜାରରୁ ବରା ପିଆଜି କିଣିଆଣି ଦବୁ, ସେ ଖାଇଦେବେ ।’’

 

‘‘କାରଣ ?’’

 

‘ପାଗଳର ମନ ଦୁର୍ବଳ । ଆଉ ଦୁର୍ବଳ ମାତ୍ରେଇ ସବୁକଥା କେମିତିକା ବଙ୍କା ଆଖିରେ ଦେଖେ । ହୁଏତ ତତେ ଦେଖି ସେ ଆଉ କିଏ ବୋଲି ଠଉରେଇ ବସିଚନ୍ତି ।’’

 

‘‘ଛାଡ଼ ଭାଇ ଛାଡ଼ । ନିଜ ସମସ୍ୟାର ସମାଧାନ ନାହିଁ । ପର କଥାରେ ମୁଣ୍ଡ ପୂରେଇ ଲାଭ କଣ !’’ ବିକାଶ ଏ ନେଇ ଆଉ ଆଲୋଚନା କରିବାକୁ ମନ ବଳେଇଲା ନାହିଁ ।

 

ଆମେ ତାପରେ ଅନ୍ୟ କଥା ପକେଇଲୁ ।

 

ଜାତୀୟ ଫୁଟବଲ ପ୍ରତିଯୋଗିତାକୁ ରାଜ୍ୟ ଦଳ ଯିବା ଆଗରୁ ପ୍ରସ୍ତାବିତ ପ୍ରଦର୍ଶନୀ ଖେଳର ଆୟୋଜନ ହେଲା ମାଳୟେସିଆର ଷ୍ଟେଟ ବ୍ୟାଙ୍କ ଦଳ ସହିତ । ଏଇ ଦଳଟି ଆମ ଦେଶକୁ ଖେଳିବାକୁ ଆସି ଦିଲ୍ଲୀ ଓ ବମ୍ବେର ଦୁଇଟି କପ୍‌ ପ୍ରତିଯୋଗିତାରେ ବିଜୟ ଲାଭ କରିଥାଏ-। ନିଜ ଦେଶକୁ ଫେରିଯିବା ବାଟରେ ସେମାନେ ରାଜି ହୋଇଥାଆନ୍ତି ଏଇ ପ୍ରଦର୍ଶନୀ ଖେଳରେ ଅଂଶ ଗ୍ରହଣ କରିବାକୁ । ଟିକଟ ଲବ୍‌ଧ ଧନତକ ରାଜ୍ୟ ରେଡ଼କ୍ରସ ପାଣ୍ଠିକୁ ଯିବ ।

 

ଏ ଧରଣର ଖେଳ ଚାଲିଲା ବେଳେ ଖେଳ ପଡ଼ିଆରେ ଜଣେ ଡାକ୍ତରଙ୍କ ଉପସ୍ଥିତି ପ୍ରୟୋଜନ । କାରଣ ଖେଳିବା ସମୟରେ ଦୁର୍ଘଟଣା ଘଟିଲେ ପ୍ରାଥମିକ ଚିକିତ୍ସା ସେହିଠାରେ ହିଁ କରିବାକୁ ପଡ଼ିବ । ସି.ଡ଼ି. ଏମ.ଓ ମତେ ସେ ଦାୟିତ୍ୱ ତୁଲେଇବାକୁ ନିର୍ଦ୍ଦେଶ ଦେଲେ ସେଦିନ । ତେଣୁ ଖରାବେଳେ ଖାଇ ସାରି ମୁଁ ବିଶ୍ରାମ ଟିକିଏ ନ ନେଇ ପୁଣି ବାହାରିଲି । ହସ୍ପିଟାଲ ବାଟ ପ୍ରାଥମିକ ଚିକିତ୍ସାର ସାଜସରଞ୍ଜାମ ଓ ସହକାରୀ ଦି’ଚାରି ଜଣଙ୍କୁ ନେଇ ଯିବାକୁ ପଡ଼ିବ ।

 

ଏତିକିବେଳକୁ ନନ୍ଦ ମଉସା ଆସି ଡାକିଲା, ‘‘ଆସ ।’’

 

‘‘କୁଆଡ଼େ ?’’

 

‘‘ସବୁ ଗଣ୍ଡଗୋଳ ହୋଇ ଗଲାଣି ତେଣେ । ମାମୀ ଲେଖିଚି ଆର ମାସକୁ ଛୁଟି ମିଳୁନି ବିଜୁକୁ । ସେଠି କଣ ସବୁ ନୂଆ ପ୍ରକାର ରୋଗବଇରାଗ ବାହାରିଚି ଯେ ସବୁ ଡାକ୍ତରଙ୍କ ଛୁଟି ବନ୍ଦ-।’’

 

‘‘ସନ୍ଧ୍ୟାକୁ ଯିବି ମଉସା । ଏ ଓଳି ମୋର ବହୁତ କାମ ।’’

 

‘‘ଦେଖା କରି କହି ଦେଇ ଚାଲି ଯିବୁ । ନ ହେଲେ ଏଇଲେ ପୃଥ୍ୱୀ ପ୍ରଳୟ କରି ଦେବେ-।’’

 

‘‘ହଉ ଚାଲ ।’’ କହି ମୁଁ ପେଣ୍ଟ-ଜାମା ପିନ୍ଧିଲି ।

 

ଟିକିଏ ପରେ ଗୋକୁଳି ମଉସାଙ୍କ ପାଖେ ପହଞ୍ଚି କହିଲି, ‘‘କଣ ହେଲା ମଉସା ?’’

 

‘‘ନେ ପଢ଼, ମାମୀ ଚିଠି, ଆଜି ପାଇଲି ।’’

 

‘‘କଣ ଲେଖିଚି କହୁ ନାହାନ୍ତି । ଆପଣଙ୍କ ଚିଠି ମୁଁ ପଢ଼ିବାଟା କଣ ସୁନ୍ଦର ହବ !’’

 

‘‘ତୁ ତ ଘର ପିଲା, କାହିଁକି ପଢ଼ିବୁନି ମୋ ଚିଠି ! ତତେ ଆଲବତ୍‌ ପଢ଼ିବାକୁ ହେବ ।’’

 

ଅଗତ୍ୟା ତାଙ୍କ ହାତରୁ ଚିଠିଟି ନେଇ ଉପରଠାଉରିଆ ଆଖି ବୁଲେଇଗଲି । ତାପରେ କହିଲି, ‘‘ରାତିକୁ ଏ ବିଷୟରେ କଥା ହବା ।’’

 

‘‘ନା, ନା, ଏଇଲେ ଆଲୋଚନା କରିଦେଲେ ରାତିକୁ ବସି ଚିଠି ଲେଖିବା ।’’ ଗୋକୁଳି ମଉସା ଅମାନିଆଙ୍କ ପରି ଉତ୍ତର ଦେଲେ ।

 

‘‘ମୋର ପରା ଡିଉଟି ଅଛି । ସମୟ ହୋଇଗଲାଣି । ହସ୍ପିଟାଲରେ ମତେ ଚାହିଁ ବସିଥିବେ ।’’

 

‘‘ଏଇଲେ କି ଡିଉଟି ? ଉପରଓଳି ଡିଉଟି ପରା ସନ୍ଧ୍ୟାକୁ !’’

 

‘‘ଆଜି କଣ ହଉଚିକି ଆଜି ?’’

 

‘‘ସେଠି କଣ ହଉଚିକି ଆଜି ?’’

 

‘‘ଆଜି ପରା ଆମ ରାଜ୍ୟ ଫୁଟବଲ ଦଳର ମାଳୟେସିଆ ଷ୍ଟେଟବ୍ୟାଙ୍କ ଦଳ ସାଙ୍ଗେ ମ୍ୟାଚ ହେବ ।’’

 

‘‘ତୋର ସେଇ ସାଙ୍ଗ....ନାଁଟା କଣଟି ତାର ?’’

 

‘‘ବିକାଶ ।’’

 

‘‘ହଁ ହଁ ବିକାଶ । ସେ ଆଜି ଖେଳୁଚି ?’’ ଗୋକୁଳି ମଉସା ଚିଠି କଥା ଭୁଲିଗଲେ ଏକପ୍ରକାର ।

 

‘‘ହଁ । ସେ ପରା ଆମ ରାଜ୍ୟଦଳର ଅଧିନାୟକ ।’’

 

‘‘ହଉ ତେବେ ଯା ’ ସେଠୁ ସିଧା ଚାଲି ଆସିବୁ ଏଠିକୁ । ଆଜି ରାତିରେ କଥାଭାଷା ହୋଇ ପୁଣି ଥରେ ଚିଠି ଲେଖିବାକୁ ପଡ଼ିବ ସମସ୍ତଙ୍କ ପାଖକୁ ।’’ ଗୋକୁଳି ମଉସା ମତେ ଆପାତତଃ ଛାଡ଼ିଦେଲେ ।

 

ଖେଳ ଆରମ୍ଭ ହବାକୁ ଆଉ ଦଶମିନିଟଯାଏ ଥାଏ । ଷ୍ଟାଡ଼ିୟମସାରା ଦର୍ଶକରେ ଭରପୂର । କୋଉଠି ବି ହେଲେ ଠିଆ ହବାକୁ ଜାଗା ଟିକିଏ ନାହିଁ । ମୁଁ ମୋ ଦଳ ଧରି ପଡ଼ିଆ ଭିତରେ ଆସୋସିଏସନର କର୍ମକର୍ତ୍ତାମାନଙ୍କ ପାଖରେ ବସିଚି । ଦୁଇ ପକ୍ଷର ଖେଳାଳୀମାନେ ଖେଳପଡ଼ିଆର ପରିସର ବାହାରେ କୁଦାକୁଦି କରି ନିଜ ନିଜ ଶରୀରକୁ ସଳଖ କରୁଥାଆନ୍ତି ।

 

ଏତିକିବେଳକୁ ପଛପଟୁ କିଏ ଜଣେ କହିଲେ, ‘‘ଆଜ୍ଞା ଦେଖନ୍ତୁ, କିଏ ଆସିଚନ୍ତି ।’’

 

ଫୁଟବଲ ଆସୋସିଏସନର ସଭାପତି ଶୁଭେନ୍ଦ୍ର ବାବୁ ପଛକୁ ବୁଲି ଚାହିଁ ଚୌକି ଉପରୁ ଧଡ଼ିପଡ଼ ହୋଇ ଉଠିପଡ଼ି ଆନନ୍ଦରେ କହି ଉଠିଲେ, ‘‘ବିମଳ.... ।’’ ଆବେଗର ଆତିଶଯ୍ୟରେ ତାଙ୍କ ମୁହଁରୁ ଆଉ କଥା ବାହାରିଲା ନାହିଁ ।

 

ମୁଁ ମୁହଁ ବୁଲେଇ ଚାହିଁଲି । ଗୋକୁଳି ମଉସା ଓ ସୁବିମଳ ବାବୁଚ ଠିଆ ହୋଇଛନ୍ତି ବୋକାଙ୍କ ଭଳି ।

 

ଶୁଭେନ୍ଦ୍ର ବାବୁ ଏଥର ନିଜକୁ ସମ୍ଭାଳି ସୁବିମଳ ବାବୁଙ୍କୁ ପାଛୋଟି ଆଣିବାକୁ ଆଗେଇ ଯାଉ ଯାଉ ପଚାରିଲେ, ‘‘ତୁମେ କୋଉଠୁ ପାଇଲ ତାଙ୍କୁ ମଦନ ?’’

 

ଆସୋସିଏସନର ବୁଢ଼ା ପିଅନ, ମଦନ ଉତ୍ତର ଦେଲା, ‘‘ଗେଟ ପାଖେ ଥିଲି । ଏତିକିବେଳକୁ ବିମଳ ବାବୁ ଆସି ଗେଟକିପରଙ୍କୁ କହିଲେ ଭିତରକୁ ଯିବେ ବୋଲି । ଶହେଟଙ୍କିଆ ନୋଟ ଖଣ୍ଡେ ବଢ଼େଇଲେ ଦବାକୁ । ଗେଟକିପର ତାଙ୍କୁ ଠେଲି ବାହାର କରିଦେଲା ବେଳକୁ ମୋ ନଜର ପଡ଼ିଗଲା ତାଙ୍କ ଉପରେ । ସେ ଫେରି ଯାଉଥିଲେ । ଦଉଡ଼ିଯାଇ ତାଙ୍କୁ ଧରି ଆଣିଲି ।’’

 

‘‘ଭାରି ଭଲ କଲ ମଦନ ।’’ କହି ପକେଟରୁ ଦଶଟଙ୍କିଆ ନୋଟ ଖଣ୍ଡେ କାଢ଼ି ମଦନକୁ ବକ୍‌ସିସ ଦଉ ଦଉ ଶୁଭେନ୍ଦ୍ର ବାବୁ ସୁବିମଳ ବାବୁଙ୍କ ହାତ ଧରି ପାଛୋଟି ଆଣି ବସେଇଲେ ପାଖରେ । ଗୋକୁଳି ମଉସା ବି ପାଖକୁ ଲାଗି ବସିଲେ ଆଉ ଗୋଟିଏ ଚୌକିରେ ।

 

ମୁଁ ନିଃସନ୍ଦେହ ହେଲି ଯେ ତାଙ୍କ ବେଳେ ସୁବିମଳ ବାବୁ ଖୁବ ନାମଜାଦା ଫୁଟବଲ ଖେଳାଳୀ ଥିଲେ ।

 

ଖେଳ ଆରମ୍ଭ ହେଲା । ମାଳୟେସିଆ ଦଳ ମୂଳରୁ ବଲ ଚପେଇ ରଖିଲେ ଆମ ପଟେ-। ଆମ ଦଳର ଖେଳାଳୀମାନେ ଏକପ୍ରକାର ଛିନ୍ନଛତ୍ର ହୋଇଗଲା ପରି ମନେହେଲା । ଗୋଲରକ୍ଷକଙ୍କ ଦକ୍ଷତା ଯୋଗୁ ଯାହା ଗୋଲ ହେଲା ନାହିଁ ଆମ ଉପରେ ପ୍ରଥମ ପନ୍ଦର ମିନିଟ କାଳ । ତାପରେ ସେମାନେ ଗୋଟିଏ ଗୋଲ ଦେଇ ଆଗେଇ ଗଲେ ।

 

ଏହାପରେ ବିକାଶ ପଛେଇ ଆସି ଦଳର ରକ୍ଷଣଭାଗକୁ ଯଥାସମ୍ଭବ ଦୃଢ଼ତାର ସହିତ ଖେଳିବାରେ ସାହାଯ୍ୟ କଲା । ଆଗ ଆଗ ଅବଶ୍ୟ ଏହାଦ୍ୱାରା ଦଳର ଖେଳରେ ସେପରି କିଛି ପରିବର୍ତ୍ତନ ଦେଖାଗଲା ନାହିଁ । କିନ୍ତୁ ଧୀରେ ଧୀରେ ଘରୋଇ ଦଳର ଖେଳାଳୀମାନେ ବିକାଶକୁ କେନ୍ଦ୍ର କରି ନିଜ ନିଜ ଭିତରେ ସମନ୍ୱୟ ରଖି ଖେଳି ଲାଗିଲେ । ଆଉ ହାଫ୍‌ଟାଇମ ବେଳକୁ ଦେଖାଗଲା ଯେ ଆମ ପିଲାଏ ବିପକ୍ଷ ଦଳ ସହିତ ତାଳ ଦେଇ ଖାଳିଲେଣି । ଏଥର ମ୍ୟାଚ ବେଶ୍ ଜମିଲା । ଦର୍ଶକମାନେ ଉତ୍ସାହର ସହ ଚିତ୍କାର କରି ଘରୋଇ ଦଳର ଖେଳାଳୀଙ୍କୁ ଅଧିକରୁ ଅଧିକ ଉତ୍ତେଜିତ କରିବାରେ ଲାଗିଲେ ।

 

ମୋର କିନ୍ତୁ ଖେଳ ଦେଖିବାରେ ମନ ନ ଥାଏ । ଘଡ଼ିକୁ ଘଡ଼ି ମୁଁ ବୁଲି ଚାହୁଁଥାଏ ଗୋକୁଳି ମଉସା ଓ ସୁବିମଳ ବାବୁଙ୍କୁ ।

 

ଏକ ଲୟରେ ସୁବିମଳ ବାବୁ ଖେଳର ଗତିବିଧି ଲକ୍ଷ୍ୟ କରୁଥାଆନ୍ତି ଜଣେ ସମାଲୋଚକଙ୍କ ଭଳି । ଅନ୍ୟମାନଙ୍କ ପରି ମନର ଉଦ୍‌ବେଗ ଆଦୌ ପ୍ରଦାଶ କରୁ ନ ଥାନ୍ତି ଭାବଭଙ୍ଗୀ ଦେଖେଇ କି ମୁହଁ ଖୋଲି ।

 

ଅନ୍ୟପକ୍ଷରେ ଗୋକୁଳି ମଉସା ବୋକାଙ୍କ ଭଳି ଚାହୁଁ ଥାଆନ୍ତି ଏଣେ ତେଣେ ଖେଳଆଡ଼େ ତାଙ୍କର ଟିକିଏ ବି ହେଲେ ଧ୍ୟାନ ଥିଲା ପରି ମନେ ହେଉ ନ ଥାଏ । ମତେ ଲାଗୁଥାଏ ସତେ ଯେମିତି ତାଙ୍କ ଜୀବନରେ ସେ ଏଇ ପ୍ରଥମ ଫୁଟବଲ ମ୍ୟାଚ ଦେଖୁଚନ୍ତି ।

 

ହାଫ୍‌ଟାଇମରେ ଶୁଭେନ୍ଦ୍ର ବାବୁ କହିଲେ, ‘‘ମନେ ପଡ଼ୁଚି ବିମଳ ୧୯୪୦ର ମୋହନବାଗାନ ସାଙ୍ଗେ ପ୍ରଦର୍ଶନୀ ଫୁଟବଲ ଖେଳ କଥା । ଏଇଠି ତାଟିଘେରା ପଡ଼ିଆରେ ଆମେ ଖେଳୁଥିଲେ ।’’

 

ସୁବିମଳ ବାବୁ ବୁଲି ଚାହିଁଲେ ତାଙ୍କ ଯୁବାବେଳର ଖେଳ ସାଥୀଙ୍କୁ ।

 

ସେକାଳର କଥା ମନେ ପକେଇ ଶୁଭେନ୍ଦ୍ର ବାବୁ ଗାଇ ଲାଗିଲେ, ‘‘ସେଦିନ ବି ଠିକ୍‌ ଏଇ ଅବସ୍ଥା ହୋଇଥିଲା ଆମର । ପ୍ରଥମ ପନ୍ଦର ମିନିଟ ଭିତରେ ଚାରିଚାରିଟା ନିଶ୍ଚିତ ଗୋଲ ଯେ ମୁଁ କେମିତି ଅଟକେଇଲି ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେସତ କହୁଚି ବିମଳ, ସେଦିନ ତୁମେ ଯଦି ବିକାଶ ପରି ସେଣ୍ଟର ଫରୱାର୍ଡ଼ରୁ ଆସି ସେଣ୍ଟର ହାଫ ପୋଜିସନରେ ଖେଳି ଦଳ ଭିତରେ ସମନ୍ୱୟ ଆଣି ନ ଥାନ୍ତ, ତେବେ ହୁଏତ ଡଜନେ ଗୋଲରେ ହାରିଥାଆନ୍ତେ ।’’

 

ଆଉ ଜଣେ ପାଖଲୋକ ମତ ଦେଲେ, ‘‘ବିକାଶ ସାଙ୍ଗକୁ ଜଣେ ଭଲ ଷ୍ଟପର ସେଣ୍ଟର ହାଫ୍‌ ଦରକାର ଶୁଭେନ୍ଦ୍ର ବାବୁ ! ନ ହେଲେ ଏ ଟିମ ନ୍ୟାସନାଲରେ ବେଶି ଦୂର ଯାଇ ପାରିବନି ।’’

 

‘‘ତା ପରି ଆଉ କେହି ତ ମିଳୁ ନାହାନ୍ତି । ବହୁତ ଖୋଜା ହେଲାଣି ।’’ ଶୁଭେନ୍ଦ୍ର ବାବୁ ଜବାବ ଦେଲେ ।

 

‘‘ତେବେ କ୍ୱାର୍ଟର ଫାଇନାଲକୁ ଉଠିବା ଆଶା ବି ଛାଡ଼ନ୍ତୁ ।’’

 

‘‘ଯାହା ଭାଗ୍ୟରେ ଥିବ ।’’ ଶୁଭେନ୍ଦ୍ର ବାବୁ ହତାଶ ସ୍ୱରରେ କହିଲେ ।

 

ପୁଣି ଖେଳ ଆରମ୍ଭ ହେଲା । ଏଥର ଘରୋଇ ଦଳ ପ୍ରଥମରୁ ବେଶ ତାଳ ଦେଇ ଖେଳିଲେ । ଗୋଲ ଦେବାର କେତୋଟି ସୁଯୋଗ ବିକାଶ ବୁଦ୍ଧି ଖଟେଇ ସୃଷ୍ଟି କଲା ଦଳର ଅନ୍ୟମାନଙ୍କ ପାଇଁ; କିନ୍ତୁ କେହି ସେଗୁଡ଼ିକୁ କାମରେ ଲଗେଇ ପାରିଲେ ନାହିଁ ।

 

ମ୍ୟାଚ ପ୍ରାୟ ଶେଷ ହେବାକୁ ବସିଲା । ଆମେ ସବୁ ଧରିନେଲୁ ଯେ, ଆଉ ଗୋଲ ସୁଝିବ ନାହିଁ । ଓଲଟି ବିପକ୍ଷ ଅଧିକରୁ ଅଧିକ ଚାପ ପକେଇ ଖେଳିବାକୁ ଲାଗିଲେ । ମନେହେଲା ସେମାନେ ହୁଏତ ଆଉ ଗୋଟେ ଯୋଡ଼େ ଗୋଲ ଦେଇ ଦେବେ । ହଠତ୍‌ ବିକାଶ ବିପକ୍ଷ ଖେଳାଳୀ ଜଣକ ଗୋଡ଼ରୁ ବଲଟା ଛଡ଼େଇ ନେଇ ଦଳଗତ ଭାବରେ ଏକ ଆକ୍ରମଣର ସୂତ୍ରପାତ କରି ନିଜେ ଆଗେଇ ଆସି ତାର ନେତୃତ୍ୱ ନେଲା । ନିଜ ନିଜ ମଧ୍ୟରେ ସୁନ୍ଦର ବୁଝାମଣା ରଖି ଆମ ଦଳର ଖେଳାଳୀମାନେ ଆଗେଇଲେ । ବିପକ୍ଷ ଦଳର ଖେଳାଳୀମାନେ ପଛେଇ ଆସି ନିଜ ନିଜକୁ ସଜାଡ଼ି ଆକ୍ରମଣର ମୁକାବିଲା କରିବାକୁ ଚେଷ୍ଟା କଲେ । ଆମେ କେହି ଭୁଲରେ ବି ଭାବି ପାରିଲୁନି ଯେ ଆକ୍ରମଣଟି ଫଳପ୍ରଦ ହେବ । ଓଲଟି ଧରିନେଲୁ, ଆଉ ଟିକିଏ ବାଟ ଆଗେଇଲା ପରେ ସବୁ ଫସର ଫାଟିଯିବ ଯେତେଦୂର ସମ୍ଭବ ।

 

ତା ପରେ ଆଖି ପିଛୁଳାକେ ଘଟିଗଲା ସବୁ କିଛି । ବିକାଶ କାହାକୁ ବଲଟା ପାଶ ନ ଦେଇ ନିଜେ ବିଜୁଳି ବେଗରେ ଆଗେଇଗଲା ବିପକ୍ଷ ଦଳର ଗୋଲଆଡ଼କୁ । ଆଉ ସେମାନେ ନିଜ ନିଜକୁ ଠିକ୍‌ ରୂପେ ସଜାଡ଼ି ନେଇ ତାକୁ ବାଧା ଦେବା ପୂର୍ବରୁ ସେ ଦୁଇ ଜଣ ଖେଳାଳୀଙ୍କୁ କଟେଇ ତିରିଶ ଚାଳିଶ ହାତ ଦୂରରୁ ବଲଟା ଗୋଲକୁ ମାରିଲା ଖୁବ୍‌ ଜୋରରେ ।

 

‘‘ଗୋଅଲ...’ ବୋଲି ଚିତ୍କାର କରି ହଜାର ହଜାର ଦର୍ଶକ ଏକାବେଳକେ ଆକାଶ ଥରେଇ ଦେବା ସହିତ ଛତା, ଜୋତା, ରୁମାଲ ଉଡ଼େଇ ଆନନ୍ଦରେ ନାଚି ଉଠିଲେ ।

 

ମୁଁ ମୁହଁ ବୁଲେଇ ଚାହିଁଲି ଖୁସିରେ ତାଳି ମାରୁ ମାରୁ ।

 

ସୁବିମଳ ବାବୁ ତାଙ୍କ ଚିରଦିନର ସାଥୀ, ପୁରୁଣା ଛତାଟିକୁ ଶୂନ୍ୟକୁ ଫୋପାଡ଼ି ‘ସାବାସ ପୁଅ ସାବାସ’ ବୋଲି ଉଚ୍ଚାରଣ କରି ନାଚୁଚନ୍ତି ।

 

ଆଉ ଗୋକୁଳି ମଉସା ବୋକାଙ୍କ ଭଳି ଆବାକାବା ହୋଇ ଚାହିଁ ରହିଚନ୍ତି ସୁବିମଳ ବାବୁଙ୍କୁ । ସୁବିମଳ ବାବୁ ଯେ ଜିଅନ୍ତା ମଣିଷ ଓ ମନ ଗହୀରର ଆନନ୍ଦ ପ୍ରକାଶ କରିବାର ଶକ୍ତି ତାଙ୍କର ଅନ୍ୟମାନଙ୍କ ଭଳି ଅଛି, ଏକଥା ବେଶ ବୁଝିପାରିଲି ମୁଁ ନିଃସନ୍ଦେହରେ ।

 

ପୁଣି ଖେଳ ଚାଲିଲା । ଏଥର ଷ୍ଟାଡ଼ିୟମଟା ପାଟିରେ କମ୍ପିଲା ପଡ଼ି । ଦୁଇପକ୍ଷ ଆଉ ଗୋଲ ଦେବାକୁ ଆପ୍ରାଣ ଲାଗିପଡ଼ିଲେ; କିନ୍ତୁ ସମୟ କାଳ ହେଲା ସେମାନଙ୍କୁ । ଦୁଇ ମିନିଟ ପରେ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହେଲା ।

 

ଖେଳ ସରିବା ସାଙ୍ଗେ ସାଙ୍ଗେ ଶୁଭେନ୍ଦ୍ର ବାବୁ ସୁବିମଳ ବାବୁଙ୍କୁ ଏକପ୍ରକାର କୁଣ୍ଢେଇ ଧରି ମନ ଆନନ୍ଦରେ ମନେ ପକେଇ ଦେଲେ, ‘‘ମନେ ପଡ଼ୁଚି ବିମଳ ! ସେଦିନ ମୋହବାଗାନ ସାଙ୍ଗେ ମ୍ୟାଚରେ ଠିକ୍‌ ଏମିତି ହୋଇ ନ ଥିଲା ! ଗୋଟାଏ ଗୋଲରେ ପଛୁଆ ଥାଇ ଆମେ ହାରିଗଲା ବେଳକୁ ତୁମେ ଠିକ୍‌ ଏଇ କାଇଦାରେ ଗୋଲଟା ସୁଝେଇ ଦେଇ ନଥିଲ !’’

 

ସୁଖର ଢେଉ ସୁବିମଳ ବାବୁଙ୍କ ଚେହେରାରୁ କୁଆଡ଼େ ଯେମିତି ଉଭେଇଗଲା । ସେ ଏକ ବ୍ୟଥିତ, ଆହତ ନିରାଶ୍ରୟ ପ୍ରାଣୀ ଭଳି ତାଙ୍କ ଖେଳ ସାଥୀଙ୍କୁ ଚାହିଁ ରହିଲେ । ଅତୀତରେ କୋଉ ଗୋଟାଏ ଦୁଃଖମୟ ସ୍ମୃତି ମନେ ପଡ଼ିଯାଇ ତାଙ୍କୁ ଅବଶ କରିଦେଲାଣି ସେତେବେଳକୁ ।

 

ବିକାଶକୁ ଅଭିନନ୍ଦନ ଜଣେଇବା ସକାଶେ ମୁଁ ଚାଲିଲି ଡ଼୍ରେସିଂ ରୁମକୁ । ପହଞ୍ଚିଲାବେଳକୁ ଆହୁରି ଅନେକ ଜୁଟି ଗଲେଣି ସେଠି । ତେଣୁ ଅପେକ୍ଷା କରିବାକୁ ପଡ଼ିଲା ପନ୍ଦର ମିନିଟ ଯାଏ । ତାପରେ, ମତେ ଦେଖି ସେ ଆଗେଇ ଆସିଲା ମୋ ପାଖକୁ ।

 

ମୁଁ ହାତ ବଢ଼େଇ ହାତରେ ହାତ ମିଳେଇ କହିଲି, ‘‘ସାବାସ !’’

 

ସେ ମୋ ପ୍ରଶଂସାଟାକୁ ଅଳ୍ପ ଟିକିଏ ହସିଦେଇ ଗ୍ରହଣ କରି ନଉ ନଉ ପଚାରିଲା, ‘‘ଜଗତ ବାହାଘର କୋଉଯାଏ ଗଲା ?’’

 

‘‘ବୋଧହୁଏ ଘୁଞ୍ଚିଯିବ ।’’

 

‘‘କାହିଁକି ?’’

 

‘‘ବିଜୁ ଭାଇନାଙ୍କୁ ଛୁଟି ମିଳୁନି ।’’

 

ଏତିକିବେଳକୁ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର ପଶି ଆସି ବିକାଶକୁ ଅଭିନନ୍ଦନ ଜଣେଇବା ସହିତ କହିଲେ, ‘‘ଆଉ ଗୋଟାଏ ସୁଖବର ବିକାଶ ।’’ ସେ ବିକାଶ ହାତରେ ହାତ ମିଳଉ ମିଳଉ ଶୁଣେଇଲେ, ‘‘ଆମେରିକା ଯିବାପାଇଁ ପ୍ରସ୍ତୁତ ହୋଇଯାଅ । ଶେଷ ନିଷ୍ପତ୍ତି ଆଜି ହୋଇଗଲା । ସପ୍ତାହକ ଭିତରେ ତୁମକୁ ଚିଠିରେ ଜଣେଇ ଦିଆଯିବ ସରକାରୀ ଭାବରେ ।’’

 

Unknown

ବିକାଶ

 

ଆଞ୍ଚଳିକ ମ୍ୟାନେଜରଙ୍କ କଥାଟା ଶୁଣିଲା ପରେ ମନଟା ମୋର କେମିତି ବିଷାଦରେ ଭରିଗଲା । ଆମ ଦଳର ମ୍ୟାନେଜର ଓ କୋଚଙ୍କ ଅନୁମତି ନେଇ ବସାକୁ ଚାଲିଆସିଲି ଦିନକ ପାଇଁ । ରାତି ସେତେବେଳକୁ ନଅଟା । ବଡ଼ କ୍ଳାନ୍ତ ଲାଗୁଥାଏ ମତେ । ମନଟା ଉଦାସ । ମୋ ଅନ୍ତର ଯେମିତି କହି ଉଠୁଥାଏ, ମୁଁ ବଡ଼ ଅଭାଗା ।

 

ଆମ ଭିତରୁ ଅନେକ ଭିତରେ ଭିତରେ ଆପ୍ରାଣ ଚେଷ୍ଟା ଚଳେଇଥିଲେ ଟ୍ରେନିଂରେ ଆମେରିକା ଯିବା ସକାଶେ । ଏକେତ ଆମେରିକା ବୁଲି ଆସିବାର ଲୋଭ; ସାଙ୍ଗକୁ ଫେରିବାମାତ୍ରେ ବଡ଼ ଧରଣର ପ୍ରମୋଶନଟାଏ ଥୁଆ । ସେମାନଙ୍କ ପଛରେ ବଡ଼ବଡ଼ିଆଙ୍କ ସୁପାରିଶ ବି ଥିଲା । କେବଳ ଫୁଟବଲ ଖେଳରେ ଦକ୍ଷତା ଯୋଗୁ ମୁଁ ସେମାନଙ୍କୁ ଟପି ପାରିଛି ।

 

ଏ ସୁଯୋଗର ସଦ୍‌ବ୍ୟବହାର ବୋଧହୁଏ ମୋ କପାଳରେ ଲେଖା ନାହିଁ । ଆମେରିକା ବାହାରିଲେ ମା’କୁ ଛାଡ଼ିଯିବି କାହା ପାଖେ ? ତା ଛଡ଼ା ମୋ ନିଜର ବା ଆଉ କିଏ ଅଛି ଏ ସଂସାରରେ ଏକା ନରୁ ମାମୁଁଙ୍କୁ ଛାଡ଼ି ଦେଲେ ।

 

ନରୁ ମାମୁଁ ବି ଠିକ୍‌ ମୋ ନିଜ ମାମୁଁ ନୁହନ୍ତି । ମା’ର ମାଉସୀ ପୁଅ ଭାଇ ସେ । କାହିଁକି ଯେ ମା’ ଜନ୍ମିତ ଭାଇ-ବନ୍ଧୁ–କୁଟୁମ୍ବଙ୍କ ସାଙ୍ଗେ ସମ୍ପର୍କ ତୁଟେଇ ଦେଇଚି, ତାର କାରଣଟା ମୁଁ ଏଯାଏ ସଠିକ ଜାଣିପାରି ନାହିଁ ।

 

ମା’ କୁ ଥରେ ପିଲାଦିନେ ପଚାରିଥିଲି ଏକଥା । ସେ ଉତ୍ତର ଦେଇଥିଲା ଯେ ସେମାନେ କୁଆଡ଼େ ମୋ ବାପାଙ୍କ ଶତ୍ରୁ । ତାଙ୍କରି ଯୋଗୁଁ ବାପା ମୋର ଆମ ପାଖେ ରହିପାରିଲେ ନାହିଁ । ଆଉ ମୋ ନିଜ ବାପାଙ୍କ ଆତ୍ମୀୟସ୍ୱଜନ ସବୁ ତାଙ୍କଆଡ଼ୁ ସମ୍ପର୍କ ତୁଟେଇ ଦେଲେ ଆମ ସହିତ ମୁଁ ଜନ୍ମ ହବା ଆଗରୁ ମୋ ଅଜାଙ୍କ ଡରରେ । ତେଣୁ କହିବାକୁ ଗଲେ ଆମେ ମା’-ପୁଅ ଏ ସଂସାରରେ ଗୋଠଖଣ୍ଡିଆ ।

 

ଘରେ ପହଞ୍ଚିବାମାତ୍ରେ ମା’ ପଚାରିଲା, ‘‘ଚାଲି ଆସିଲୁ ଯେ ! କହୁଥିଲୁ ପରା ସିଆଡ଼ୁ ସିଆଡ଼ୁ ଆଉ କୁଆଡ଼େ ଖେଳିବାକୁ ଯିବୁ । ଫେରିବାକୁ ମାସେ ଲାଗିବ ।’’

 

‘‘ମନଟା ଖରାପ ଲାଗିଲା । ରାତିକି ପାଇଁ ଚାଲି ଆସିଲି । କାଲି ପୁଣି ଫେରିଯିବି ।’’

 

‘‘ମୁହଁ–ହାତ ଧୋଇ ପକା । ଆ ଖାଇବୁ ।’’

 

ଖାଇବାକୁ ମୋଟେ ମନ ହଉ ନ ଥିଲା । ତେବେ ମୁଁ ନ ଖାଇଲେ ମା’ ଓପାସ ରହିବ ଏକଥା ଜଣାଶୁଣା । ତେଣୁ ହାତ-ମୁହଁ ଧୋଇ, ଲୁଗା ପାଲଟି ଖାଇ ବସିଲି ।

 

ମତେ ଚିନ୍ତିତ ଦେଖି ମା’ ପଚାରିଲା, ‘‘କଣ ଭାବୁଚୁ କିରେ ?’’

 

‘‘କିଛି ନୁହେଁ ।’’

 

‘‘ମତେ ଲୁଚଉଚୁ ?’’

 

‘‘ନାହିଁ ତ ।’’

 

‘‘ମୋ ମୁହଁକୁ ଚାହିଁଲୁ ?’’

 

ମୁହଁ ଟେକି ମା’କୁ ଚାହିଁଲି । ହସିଲି ବି ତାକୁ ଭୁଲେଇଦେବା ଉଦ୍ଦେଶ୍ୟରେ ।

 

ସେ କିନ୍ତୁ ଠିକ୍‌ ଧରି ପକେଇଲା । କହିଲା, ‘‘କଣ ହେଇଚି ତୋର ସତ କହିଲୁ ? ଆଜି ଭଲ ଖେଳି ପାରିଲୁନି କି ?’’

 

ଜୀବନର ଅଭିଜ୍ଞତାରୁ ମୁଁ ଜାଣେ, ମା’ଠାରୁ କୌଣସି କଥା ଲୁଚେଇବାକୁ ଚେଷ୍ଟା କରି ବି ମୁଁ ପାରି ଉଠି ନାହିଁ । ତା ମୁହଁକୁ ଚାହିଁ ମିଛ ବି କହି ପାରିନି କେବେହେଲେ । ବରଂ ତା ଆଗରେ ନିଜକୁ ସବୁବେଳେ ଛୋଟ ମନେ କରିଚି ।

 

ମା’ ପୁଣି ପଚାରିଲା, ‘‘କହୁନୁ କାହିଁକି କଣ ହେଇଚି ତୋର ?’’

 

‘‘ଆଜି ଆମ ଆଞ୍ଚଳିକ ମ୍ୟାନେଜର କହିଲେ ଆମେରିକାକୁ ଟ୍ରେନିଂରେ ଯିବାପାଇଁ ମୁଁ କୁମଡ଼େ ବଛା ହେଇଚି ।’’

 

‘‘ଆନନ୍ଦର କଥା । କେବେ ଯିବୁ ?’’

 

‘‘ଭାବୁଚି ମନା କରି ଦେବି ବୋଲି ।’’

 

‘‘କାହିଁକି ରେ ?’’

 

‘‘ତତେ ଏକୁଟିଆ ଛାଡ଼ିଯିବାକୁ ମନ ହଉନି ।’’ ବୁଲେଇ କରି ଉତ୍ତର ଦେଲି ।

 

‘‘ମତେ ଏକୁଟିଆ କାହିଁକି ଛାଡ଼ିଯିବୁ ?’’

 

‘‘କାହାପାଖେ ତେବେ ତୁ ରହିବୁ ?’’

 

‘‘ମୋ ବୋହୂକୁ ଧରି ମୁଁ ରହିବି ଏଇ ଘରେ ।’’

 

କାବା ହୋଇ ମା’କୁ ଚାହିଁ ଉଚ୍ଚାରଣ କଲି, ‘‘ତୋ ବୋହୂ !’’

 

‘‘ଦେଖିବୁ, ତୋ ଯିବା ଆଗରୁ ବାପା ତୋର ସବୁ ଠିକଣା କରି ଦେବେ । ଏତେ ବ୍ୟସ୍ତ ହଉଚୁ କାହିଁକି ?’’ ଦୃଢ଼ ବିଶ୍ୱାସର ସହ ମା’ ଆଶ୍ୱାସନା ଦେଲା ।

 

ଏ ଜୀବନରେ ବାପାଙ୍କୁ ଥରେ ହେଲେ ଦେଖି ନାହିଁ । ଦେଖିବାର ବି ଆଉ ଆଶା ନାହିଁ । ତଥାପି ଟିକିଏ କିଛି ଅସୁବିଧା ପଡ଼ିଲେ ମା’ ମୁହଁରୁ ସେଇ ଗୋଟିଏ କଥା ଜ୍ଞାନ ଲଭିବା ଦିନୁ ଶୁଣି ଆସୁଚି–‘ବାପା ମୋର ବଳେ ସବୁ ଠିକଣା କରି ଦେବେ’ ମନ ଭିତରେ ଏଇ ଅଖଣ୍ଡ ବିଶ୍ୱାସ ରଖି ମା’ ମତେ ଦମ୍ଭ ଧରି ଗଢ଼ି ଆଣିଚି ପିଲାଟିଦିନୁ । ଆଉ ଏ ବିଶ୍ୱାସ ତାର ନ ଥିଲେ ସେ ବୋଧହୁଏ ଭାଙ୍ଗି ପଡ଼ନ୍ତାଣି କେବେଠୁ । ଅବଶ୍ୟ ଜୀବନରେ କେବେ ହେଲେ କୌଣସି ଅସୁବିଧା ମୁଁ ଭୋଗି ନାହିଁ । କେମିତି କେଜାଣି ମା’ ସବୁ ବିପଦରୁ ମତେ ରକ୍ଷା କରି ଆଣିଚି ଏପର୍ଯ୍ୟନ୍ତ ।

 

‘‘ବିଶ୍ୱାସ କରୁନୁ ମୋ କଥାକୁ ? ଦେଖିବୁ ରହ ।’’ ମା’ ହସି ହସି ମତେ ଆଉ ଥରେ ଆଶ୍ୱାସନା ଦେଲା ।

 

‘‘ତୋ କଥାକୁ କେବେ ଅବିଶ୍ୱାସ କରିଚି ମା’ ?’’

 

ମୋ କଥାରେ ମା’ ମୁହଁ ଆନନ୍ଦରେ ଉଜ୍ଜ୍ୱଳ ଦିଶିଲା । ସେ ପୁଣି ଭରସା ଦେଲା, ‘‘ମୋଟେ ବ୍ୟସ୍ତ ହ’ନା ରେ ପୁଅ । ଦେଖିବୁ, ବଳେ ସବୁ ଠିକଣା ହୋଇଯିବ ।’’

 

ଖାଇସାରି ଶୋଇବାକୁ ଗଲି । ଦେଢ଼ ଘଣ୍ଟାକାଳ ଅବିଶ୍ରାନ୍ତ ଦୌଡ଼ି ଦୌଡ଼ି କ୍ଳାନ୍ତ ଲାଗୁଥିଲେ ବି କାହିଁକି କେଜାଣି ଭଲ ନିଦ ଆସିଲା ନାହିଁ । ଛାଇ ନିଦ ଟିକିଏ ଲାଗି ଆସିଲାବେଳକୁ ମୁଁ ପୁଣି ଚମକି ଉଠୁଥାଏ ଗୋଟାଏ ନା ଗୋଟାଏ ଦୁଶ୍ଚିନ୍ତାରେ । ବିଗତ ଦିନର କଥାଗୁଡ଼ାକ ତୁହାକୁତୁହା ମନ ଭିତରେ ଲହଡ଼ି ଭାଙ୍ଗୁଥାଏ ରହିରହିକା ।

ପିଲାଟିଦିନୁ ଦେଖି ଆସୁଚି ଏ ସଂସାରରେ ଆମେ ମା’-ପୁଅ ବୋଲି ଦିଜଣ । ଆମର ଭାଇ-ବନ୍ଧୁ-କୁଟୁମ୍ବ କେହି ନାହାନ୍ତି କୋଉଠି ମୋ ଜାଣିବାରେ । ଆତ୍ମୀୟସ୍ୱଜନ ଅବଶ୍ୟ ମୋର ନିଶ୍ଚୟ ଥିବେ । ମା’ ସେମାନଙ୍କୁ ଜାଣିଥିବ । ତେବେ କୌଣସି ନା କୌଣସି କାରଣରୁ ମୋ ମା’ ସେମାନଙ୍କ ସାଙ୍ଗେ ସବୁ ସମ୍ପର୍କ ତୁଟେଇ ଦେଇଚି । କେବେ ହେଲେ ସେମାନଙ୍କ ନାଁ ଧରିନି ମୋ ଆଗରେ । କେତେବେଳେ କେମିତି ଆଉ କିଏ ତାଙ୍କ କଥା ଉଠେଇଲେ ଏଣୁ ତେଣୁ ଉତ୍ତରଟାଏ ଦେଇ ପ୍ରସଙ୍ଗଟାକୁ ମୂଳରୁ ମାରି ଦେଇଚି ।

ମନେ ପଡ଼ିଲା ଦିନକର କଥା । ମୁଁ ସେତେବେଳେ ପଞ୍ଚମ ଶ୍ରେଣୀରେ ପଢ଼ୁଥାଏ ।

ନରୁ ମାମୁଁ ଦିନେ ହଠାତ୍‌ ସକାଳେ ଆସି ପହଞ୍ଚାଯାଇ କହିଲେ, ‘‘ଗାଁକୁ ଯିବା ଚାଲ ନାନୀ । ଶୀଘ୍ର ବାହାରିପଡ଼ ।’’

‘‘କାହିଁକି ?’’

‘‘ମଉସା ଚାଲିଗଲେ ଗଲା ଶୁକ୍ରବାର ।’’

ମା’ ଆକାଶକୁ ଚାହିଁ ମୁଣ୍ଡିଆଟାଏ ମାରି ପଚାରିଲା, ‘‘କଣ ହେଇଥିଲା ?’’

‘‘ଟେଲିଗ୍ରାମରେ କିଛି ଲେଖା ନାହିଁ ।’’

‘‘ତୁ ଯା’ ’’

‘‘ଆଉ ତୁ ?’’

‘‘ଯିବିନି’’

‘‘ଶୁଦ୍ଧିକୁ ଯିବୁନି ! ଲୋକେ କଣ କହିବେ ?’’

‘‘କୁହନ୍ତୁ । କେବେଠୁ ତ ଶୁଦ୍ଧି ହେଇ ସାରିଚି ଠାକୁରଙ୍କୁ ସାକ୍ଷୀ ରଖି ।’’

‘‘ଆଉ ଅଭିମାନ କରି କି ଲାଭ ନାନୀ ! ମଉସା ତ ଚାଲିଗଲେଣି ।’’

କେମିତିକା କୋହଭରା ସ୍ୱରରେ ମା’ ଉତ୍ତର ଦେଲା, ‘‘ମୁଁ ତ କହି ନ ଥିଲି ତାଙ୍କୁ ଏ ସଂସାରକୁ ମତେ ଆଣିବା ସକାଶେ । ନିଜ ଖୁସିରେ ଯଦି ଆଣିଥିଲେ ତେବେ ଏତେ ଦାଉ ସାଧିଲେ କାହିଁକି ?’’ ଆଉ କଥା ନ ବଢ଼େଇ ସେ ଗାଧୁଆ ଘରେ ଯାଇ ପଶିଲା ।

ନରୁ ମାମୁଁ ପୁଣି ଥରେ ଚେଷ୍ଟା କଲେ ଘଣ୍ଟାକ ପରେ ମା’କୁ ରାଜି କରେଇବା ସକାଶେ-। ମା’ କିନ୍ତୁ ନଇଁଲା ନାହିଁ । ତେଣୁ ସେ ଉପରଓଳି ଏକୁଟିଆ ବାହାରିଗଲେ ଅଜାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ।

ପର ଦୁଇ ଦିନ ମା’ ଛୁଟି ନେଇ ଘରେ ବସିଲା ଚୁପଚାପ, କାହାରିକୁ ପାଟି ନଫିଟେଇ । ରୋଷେଇ ବି କଲା ନାହିଁ । ନିଜେ ଖାଇଲା ନାହିଁ ମୋ କଥା ବି ଭୁଲିଗଲା ।

ମୁଁ ମଧ୍ୟ ଦୁଇ ଦିନଯାକ ଘରୁ କୁଆଡ଼କୁ ହେଲେ ଗୋଡ଼ କାଢ଼ିନାହିଁ । ଦିନରାତି ମା’ ପାଖେ ପାଖେ ଜଗି ବସିଚି ।

ଘରବାଲୀ ରାଧା ନାନୀ କେତେ ବୁଝେଇଚି ଆସି ମା’କୁ ଦିନରାତି । ମା’ ସବୁ ଶୁଣିଚି; କିନ୍ତୁ ଉତ୍ତର ଦେଇନି କୋଉ କଥାର । ଖାଲି ପଥର ପରି ବସି ରହିଲା ସେଇ ଗୋଟାକ ଜାଗାରେ କଣ ଭାବି ତାକୁ ଜଣା ।

ରାଧା ନାନୀଠୁ ଶୁଣିଚି, ବେଳେ ବେଳେ କାହିଁକି କେଜାଣି ମା’ ମୋର ଏମିତି ଭାଙ୍ଗିପଡ଼େ । ଦୁଇ ଚାରି ଦିନ କାଳ ଖାଏନି, ପିଏନି, କଥା ବି କୁହେନି କାହାକୁ । ଦିନରାତି କେବଳ ଠାକୁରଙ୍କ ପାଖେ ଦୀପ ଜାଳି ବସି ଭାଗବତ ପଢ଼େ । ମତେ ବି ଆଡ଼େଇଦିଏ ପାଖରୁ । ମୋ କଥା ଟିକିଏ ବି ହେଲେ ବୁଝେ ନାହିଁ । ପାଖରେ ଯାଇ ମୁଁ ଘଷି ହେଲେ ଓଲଟି ବିରକ୍ତ ହୁଏ ଏମିତିକା କଥା କହି ଯେ ମୁଁ ଭାବେ ମା’ ମତେ ବୋଧହୁଏ ଆଉ କିଏ ବୋଲି ଭାବୁଚି ।

 

ଏବେ ବି ମୋର ମନେ ଅଛି ସେଦିନର କଥାଟା । ମୁଁ ସ୍କୁଲରୁ ଫେରି ଆସି ଦେଖିଲି, ମା’ ମତେ ସବୁଦିନ ପରି ଚାହିଁ ବସି ନାହିଁ ଦୁଆର ମୁହଁରେ । ମା’ ମା’ ବୋଲି ଡାକ ପକେଇ ଘର ଭିତରକୁ ପଶିଯାଇ ଦେଖିଲି, ଠାକୁରଙ୍କ ପାଖେ ମା’ ଦୀପ ଜାଳି ଭାଗବତ ବୋଲୁଚି । ମୋ ଡାକ ତା କାନରେ ପଶୁ ନାହିଁ ।

 

ଛନକା ପଶିଗଲା ମନରେ । ବହିପତ୍ର ଫୋପାଡ଼ି ଦେଇ ମା’କୁ କୁଣ୍ଢେଇ ଧରି ଚିତ୍କାର କରି ଉଠିଲି, ‘‘ମାଆ....ମାଆ ଲୋ..କଣ ହେଲା ତୋର ? ତୁ କାହିଁକି କଥା କହୁନୁ ?’’

 

ସେ ମତେ ଚାହିଁଲା ଏଥର । କେମିତିକା ଅର୍ଥହୀନ ଚାହାଣୀ । ମା’ର ଏ ଗୋଟାଏ ନୂଆ ରୂପ ଦେଖିଲି ମୋ ଜୀବନରେ । ମନେହେଲା, ସେ ଆଉ ଏ ସଂସାରରେ ନାହିଁ; ଅଲଗା କୋଉ ଦୁନିଆକୁ ଚାଲିଗଲାଣି ।

 

ପୁଣି ପଚାରିଲି, ‘‘କଣ ହେଇଚି ମା’ ତୋର ?’’ କହୁ କହୁ କାନ୍ଦି ପକେଇଲି ବି ବଡ଼ ପାଟିରେ ।

 

‘‘ଚୁପ । ଏତେବେଳେ କଣ କୋଉ ସୁନାପୁଅ କାନ୍ଦେ ? ତୋ ବାପାଙ୍କ ଦେହ ଖରାପ ପରା । ଛାତିକୁ ପଥର କରି ଠାକୁରଙ୍କୁ ଡାକ ।’’ ବୁଝାଇ ସାରି ସେ ପୁଣି ଭାଗବତ ବୋଲିବାରେ ମନ ଦେଲା ।

 

ସେଥରକ ତିନି ଦିନକାଳ ମା’ ଅବିଶ୍ରାନ୍ତ ଭାଗବତ ବୋଲିଥିଲା ଦିନ ରାତି ଠାକୁରଙ୍କ ପାଖେ ଦୀପଟାଏ ଜାଳି, ମୋ ଭଲମନ୍ଦ ପ୍ରତି ନଜର ନ ଦେଇ ।

 

ଏତକ ଦିନ ଘରବାଲୀ ରାଧା ନାନୀ ମୋ ଖିଆ-ପିଆ କଥା ବୁଝିଚି ।

 

ତାପରେ ମା’ ପୁଣି ‘ବାପାଙ୍କ ଦେହ ଭଲ ହୋଇଗଲା’ ବୋଲି କହି ଆପେ ଉଠି ନିତିଦିନିଆ କାମରେ ମନ ଦେଲା ।

 

ସପ୍ତାହକ ପରେ ନରୁ ମାମୁଁ ଅଜାଙ୍କ ଶୁଦ୍ଧିକ୍ରିୟାରୁ ଫେରିଲେ । ସେ ଦିନଟା ସେ ରହିଲେ ଆମ ଘରେ ।

 

ଦିନଯାକ ମା’ କି ମାମୁଁ ଅଜାଘର ନେଇ କିଛି କଥା ହେଲେ ନାହିଁ ରାତିରେ ମୁଁ ଖାଇସାରି ଶୋଇବାକୁ ଗଲା ପରେ ଭାଇ-ଭଉଣୀ ଦୁହେଁ ଭିତର ବାରଣ୍ଡାରେ ବସି ଗପସପ ହେଲେ ।

 

ମାମୁଁ କହିଲେ, ‘‘ଯିବା ଆଗରୁ ମଉସା ଦିନରାତି ତତେ ଖୋଜୁଥିଲେ ।’’

 

ମା’ ନିରୁତ୍ତର ରହିଲା ।

 

ମାମୁଁ ଶୁଣେଇଲେ, ‘‘ନିଜେ ତୋ ପାଖକୁ ଆସିବେ ବୋଲି ବାହାରିଥିଲେ । ତେବେ ଦେହରେ ତ ଆଉ ବଳ ନ ଥିଲା । ଡାକ୍ତରମାନେ ବି ମନା କଲେ ।’’

 

ତଥାପି ମା’ ଆଗ୍ରହ ପ୍ରକାଶ କଲା ନାହିଁ ।

 

ମାମୁଁ ପୁଣି କହିଲେ, ‘‘ଚାଲିଯିବା ଆଗରୁ ତୁ ପିନ୍ଧୁଥିବା ଓ ତୋ ବାହାଘର ପାଇଁ ସେ ଗଢ଼େଇଥିବା ଗହଣାତକ ତତେ ଫେରେଇଦବା ତାଙ୍କର ଶେଷ ଇଚ୍ଛା ବୋଲି ସମସ୍ତଙ୍କୁ ବାରମ୍ବାର କହି ଯାଇଛନ୍ତି ।’’

 

ଏଥର ମା’ ଜବାବ ଦେଲା, ‘‘ମୋର ଆଉ ଦରକାର ନାହିଁ ରେ ସେସବୁ ।’’

 

‘‘ମଉସାଙ୍କ ଶେଷ ଇଚ୍ଛା ନାନୀ ।’’

 

‘‘ଯେତେବେଳେ ପିନ୍ଧିଥିବା ଗହଣାତକ ଉପରେ ଭରସା କରି ମୁଁ ମୋ ଭବିଷ୍ୟତ ନିଜେ ଗଢ଼ିବି ବୋଲି ଆଣ୍ଟ ବାନ୍ଧିଥିଲି, ସେତେବେଳେ ବାପା ମତେ କଣ କହିଥିଲେ ଜାଣୁ ?’’

 

‘‘ଗଲା କଥାଗୁଡ଼ାକ ଆଉ ଭାବି ଲାଭ କଣ ?’’

 

ମା’ ବୋଧହୁଏ ଅତୀତକୁ ଚାଲି ଯାଇଥିଲା । ତେଣୁ ଆବେଗ ସମ୍ଭାଳି ନ ପାରି କହି ଲାଗିଲା, ‘‘ବିକୁକୁ ମୋର ଅନାଥାଶ୍ରମକୁ ଦେଇ ଦେଲେ ଯାଇ ମୋ ଗହଣା ମତେ ଫେରେଇ ଦେବେ, ନ ହେଲେ ନାହିଁ ବୋଲି ନିଷ୍ପତ୍ତି ଶୁଣେଇ ଥିଲେ ପରା ! ତୋର କଣ ମନେ ନାହିଁ ?’’

 

‘‘ସିଏ ତ ରାଗବେଳ କଥା ନାନୀ । ଘରୁ ମୋ ହାତରେ ପଠେଇ ଦେଇଚନ୍ତି ସବୁତକ । କାଲି ଚାଲ ବ୍ୟାଙ୍କରେ ରଖି ଦେଇ ଆସିବା ।’’

 

‘‘ତୁ ନେଇଯା ସେଗୁଡ଼ା ।’’

 

‘‘କଣ କରିବି ନେଇ; ମୋର କିଏ ଅଛି ପିନ୍ଧିବ ?’’

 

ମା’ ନ ଶୁଣିପାରିଲା ଭଳି ନିଜ ମନକୁମନ ଗାଇଗଲା, ‘‘ସେଇତକ ଉପରେ ଆଶ୍ରା କରି ମୁଁ ମୋ ବିକୁକୁ ମଣିଷ କରିବି ବୋଲି କେଡ଼େ ଦମ୍ଭ ବାନ୍ଧି ନ ଥିଲି ରେ ନରୁ । ବାପା ନିଜେ ଜୋର କରି ମୋ ଦେହରୁ ସବୁ କାଢ଼ି ନେଇଗଲେ । ଭାଗ୍ୟକୁ ତୁ ଥିଲୁ ବୋଲି ସିନା ମତେ ଆଣି ପାଠ ପଢ଼େଇ ନିଜ ଗୋଡ଼ରେ ଠିଆ କରେଇଲୁ !’’ ତାପରେ ଦୀର୍ଘ ଶ୍ୱାସଟାଏ ନେଇ ମତ ଦେଲା, ‘‘ତୁ ରଖ ସେତକ ।’’

‘‘ଜାଣିଚୁ ତ ନାନୀ ମୁଁ ଏକା ଲୋକ । ଦରମାର ଚାରି ଭାଗରୁ ଭାଗେ ଖର୍ଚ୍ଚ କରିବାକୁ ମୋର ବେଳ ନାହିଁ । ଗହଣା ନେଇ କଣ କରିବି ? ଶେଷକୁ ସିନା ଭୂତ ଖାଇବ ସବୁ ।’’

‘‘ମୋର ବି ଆଉ କୋଉ କାମରେ ଲାଗିବ ? କୋଉ ଗରିବ ଦୁଃଖୀରଙ୍କୀଙ୍କୁ ନ ହେଲେ ଦେଇ ଦେ ।’’

‘‘ତୋ ବୋହୂକୁ ପିନ୍ଧେଇବୁନି ?’’

‘‘ତା ବାପା ଯଥେଷ୍ଟ ଦେବେ ରେ ଦେଖିବୁ ।’’

ତା ପରେ କେତେ ମିନିଟ କେହି କିଛି କହିଲେ ନାହିଁ ।

ଶେଷକୁ ନୀରବତା ଭାଙ୍ଗି ମାମୁଁ କହିଲେ, ‘‘ମୁଁ ତେବେ ରଖୁଚି ମୋ ପାଖେ । ବିକୁ ବୋହୂକୁ ଦେବି, ତା ଅଜା-ଆଈଙ୍କ ଉପହାର ହିସାବରେ ।’’

‘‘ତୋ ମନ, ଯାହା କରିବୁ କର । ମୁଁ ସେଗୁଡ଼ା ଛୁଇଁବିନି ।’’

‘‘ଦେଖିବୁନି ବି ଥରେ ସବୁତକ ଅଛି କି ନାହିଁ ।’’

‘‘ପାପ ହବ ଦେଖିଲେ ।’’

ମୁଁ ଶୋଇପଡ଼ିଲି ନିଦରେ ସେମାନଙ୍କ କଥାଭାଷା ଶୁଣୁ ଶୁଣୁ । ଭାଇଭଉଣୀଙ୍କ ଭିତରେ ଆଉ କଣ କଥା ହେଲା ତାପରେ ଜାଣେ ନାହିଁ ।

ନବମରୁ ଦଶମକୁ ଯୋଉ ବର୍ଷ ଉଠିଲି ସେଥର ଆମ ସ୍କୁଲର ଶ୍ରେଷ୍ଠ ଖେଳଓ୍ୱାର୍ଡ଼ ଭାବରେ କପ୍‌ ମିଳିଲା ମତେ । ମା’ ଗଲା ସେଦିନ ସ୍କୁଲ ପ୍ରାଇଜ ଦେଖିବାକୁ । ରାତିକୁ ମା’-ପୁଅ ଦୁହେଁ ଏକାଠି ବସାକୁ ଫେରିଲୁ ।

ପୁରସ୍କାର ପାଇ ମଧ୍ୟ ମୋ ମନଟା ନ ଥାଏ । ସାଙ୍ଗ-ସାଥୀମାନଙ୍କର ବାପାମାନଙ୍କୁ ଦେଖି ମୋ ବାପାଙ୍କ କଥା ମନେ ପଡ଼ୁଥାଏ ଖାଲି । ଜୀବନରେ ବୋଧହୁଏ ଏଇ ପ୍ରଥମ ବାପାଙ୍କୁ ମୁଁ ମନେ ପକେଇଲି । ଆଗରୁ କେବେ ହେଲେ ବାପାଙ୍କ ଅଭାବ କଥା ମୋ ମୁଣ୍ଡରେ ପଶି ନ ଥିଲା-

ଘରେ ପହଞ୍ଚି ମତେ ମା’ ପଚାରିଲା, ‘‘କଣ ଭାବୁଚୁ ?’’

ମା’ର ଏଇ ଅଦ୍‌ଭୁତ ଗୁଣଟା ପିଲାଦିନୁ ଦେଖି ଆସୁଚି । ମୋ ମନ ଦୁଃଖ ଯେତେ ଲୁଚେଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ସେ ଚଟକରି ଧରି ପକାଏ । ତେଣୁ ଉତ୍ତର ଦେବା ଆଗରୁ ପଚାରିଲି, ‘‘କହିବି ?’’

‘‘କହୁନୁ । ମା’କୁ କଥା ଲୁଚେଇବା ଭଲ ନୁହେଁ ରେ ପୁଅ ।’’

‘‘ମନ ଦୁଃଖ କରିବୁନି ତ ?’’

ଉତ୍ତର ନ ଦେଇ ମା’ ମତେ ମୁହଁ ଟେକି ସିଧାସଳଖ ଚାହିଁ ରହିଲା ।

ସେ ଚାହାଣୀରେ କଣ ଦେଖିଲି କେଜାଣି, ନିଜେ ନିଜକୁ ଦୋଷୀ ମନେ କରି ମାନିଗଲି, ‘‘ବାପା ମନେ ପଡ଼ୁଚନ୍ତି ।’’

ମା’ର ରୂପ ବଦଳିଗଲା ମୋର ଏଇ କଥା ପଦକରେ । ସ୍ୱପ୍ନରାଜ୍ୟରେ ବୁଲୁଥିଲା ପରି ସେ କହିଲା, ‘‘ବଡ଼ ଦୁଃଖୀ ରେ ତୋ ବାପା । ଆମେ ତ ହେଲେ ମା’-ପୁଅ ଦୁହେଁ ଏକାଠି ରହୁଚେ । ସେ ତ ଏକୁଟିଆ । ପାଖରେ କେହି ନାହାନ୍ତି ତାଙ୍କର ।’’

କାଳେ ମା’ ପୁଣି ବାୟାଣୀଙ୍କ ପରି ଠାକୁରଙ୍କ ପାଖେ ବାପାଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଦୀପ ଜାଳି ଅଖିଆଅପିଆ ଭାଗବତ ବୋଲି ବସିବ, ସେହି ଡରରେ ମୁଁ ଆଉ କଥା ବଢ଼େଇଲି ନାହିଁ । ମନର ସନ୍ଦେହ ମନରେ ମାରି ଚୁପ ରହିଲି । ତା ପରେ କେତେ ଥର ମନ କରିଚି ବାପାଙ୍କ ସମ୍ପର୍କରେ ମୋ ମନରେ ଥିବା ସନ୍ଦେହ ମା’କୁ ପଚାରି ଦୂର କରିବି ବୋଲି । କିନ୍ତୁ ସାହସ ପାଇନି ମୋର । କେତେବେଳେ କେମିତି ମା’ ସାଙ୍ଗେ ବସି ଗପସପ ହେଲାବେଳେ କଥା ଉଠେଇଚି । କିନ୍ତୁ ପ୍ରତିଥର ଲକ୍ଷ୍ୟ କରିଚି ବାପାଙ୍କ କଥା ଉଠିବାମାତ୍ରେ ମା’ର ରୂପ ଏକବାରେ ବଦଳିଯାଏ । ସେ ଦୁଃଖରେ ଭାଙ୍ଗପଡ଼ି କେମିତି ଆତ୍ମହରା ହୋଇପଡ଼େ । ମୋ ଉପସ୍ଥିତିକୁ ବି ଭୁଲିଯାଏ ।

 

ଆଉ ସେତିକିବେଳେ ମୋର ସନ୍ଦେହ ହୁଏ, ମା’ ତା ହେଲେ କଣ ସତରେ ପାଗଳୀ !

 

ମାଟ୍ରିକ ପରୀକ୍ଷା ପରେ ନରୁ ମାମୁଁ ଆସିଲେ ମୋ କଲେଜ ପଢ଼ାର ବ୍ୟବସ୍ଥା କରିବାକୁ-। ଆମ ଘରେ ପାଞ୍ଚଦିନକାଳ ରହିଲେ ସେଥର । ଭାଇଭଉଣୀଙ୍କ ଭିତରେ ମୋ ପାଠପଢ଼ା ନେଇ ଆଲୋଚନା ହେଲା ।

 

ମାମୁଁ ବୁଝେଇଲେ, ‘‘ବିକୁକୁ ଧରି ମୋ ସାଙ୍ଗେ ଚାଲ ଏଥର ନାନୀ ।’’

 

‘‘କୋଉଠିକୁ ?’’

 

‘‘ମୋ ପାଖେ ରହିବୁ କଲିକତାରେ । ବିକୁ ସେଇଠି କଲେଜରେ ପଢ଼ିବ ।’’

 

‘‘ନା, ମୁଁ ଯିବିନି ।’’

 

‘‘ଦେଖ ନାନୀ, ମୁଁ ତ ଏକୁଟିଆ ଲୋକ । ତୋର କିଛି ଅସୁବିଧା ହବନି ।’’

 

‘‘ତୋ ସ୍ତ୍ରୀ ତ ପୁଣି ଦିନେ ନା ଦିନେ ଆମେରିକାରୁ ଆସିବ ?’’

 

‘‘ଆଉ ଆସିବନି ।’’

 

‘‘କାହିଁକି ?’’

 

‘‘ଛାଡ଼ପତ୍ର ଦେଇ ସାରିଚି ମତେ, ଦେଶକୁ ଫେରିବାକୁ ମନ ନାହିଁ ବୋଲି ।’’

 

‘‘ପିଲାଏ !’’

 

‘‘ପିଲାପିଲା ହେଇ ନ ଥିଲେ ଆମର ।’’ କହିସାରି ମାମୁଁ ପଚାରିଲେ, ‘‘କଣ କହୁଚୁ ?’’

 

‘‘କୋଉ କଥା ?’’

 

‘‘ମୋ ସାଙ୍ଗେ ଯିବା କଥା ।’’

 

‘‘ନାହିଁ କଲି ପରା ।’’

 

‘‘ଅସୁବିଧାଟା କଣ ହବ ଶୁଣେ ?’’

 

‘‘ତାଙ୍କ ନାଁରେ କଳଙ୍କ ଲାଗିବ ।’’

 

‘‘କଣ ଯେ କହୁଚୁ ତୁ ନାନୀ !’’

 

‘‘ତୁ ବୁଝିବୁନି ରେ ନରୁ, କି କଷ୍ଟରେ ବିକୁ ପାଇଁ ସେ ବଞ୍ଚି ରହିଛନ୍ତି । ମନ ହଉଚି ଚାଲିଯିବି ତାଙ୍କ ପାଖକୁ ମାନ-ଅପମାନ ତେଜି ଦେଇ । କିନ୍ତୁ ଆମ ସମାଜ ବଡ଼ ନିଷ୍ଠୁର ! ଆମ ଉପରେ ରାଗତକ ସୁଝେଇବେ ମୋ ବିକୁକୁ ଜୀବନସାରା ହନ୍ତସନ୍ତ କରି ।’’

 

‘‘ନାନୀ, ତୁ ଏସବୁ କଣ ବକୁଚୁ ଶୁଣେ !’’

 

‘‘ମୋ ମନ କଥା ତତେ କହୁଚି, ତୁ ବୁଝିବୁ ବୋଲି ।’’

 

‘‘ଛାଡ଼ ସେ ସବୁ । କଲିକତା ଯିବା ଦରକାର ନାହିଁ । ବିକୁ ପଛେ ଏଇଠି ପଢ଼ିବ ।’’ ମାମୁଁ ପଛେଇଗଲେ ନିଜଆଡ଼ୁ ମା’ର ରଙ୍ଗଢଙ୍ଗ ଦେଖି ।

 

ତା ପରେ ମାମୁଁ ଉଠିଗଲେ ଶୋଇବାକୁ ।

 

ମା’ କିନ୍ତୁ ସେଇଠି ପିତୁଳାଟିଏ ପରି ବସି ରହିଲା ରାତିସାରା । ଆଢ଼ୁଆଳରେ ଥାଇ ମୁଁ ତାକୁ ଲକ୍ଷ୍ୟ କଲି । ପାଗଳୀଙ୍କ ପରି ସେ ଚାହିଁ ରହିଥାଏ ଆକାଶକୁ । ବେଳେ ବେଳେ ବେକରେ ପିନ୍ଧିଥିବା ପତଳା ସୁନା ହାରଟାରେ ଲାଗିଥିବା ଲକେଟଟାକୁ ଟେକି ନିଜ ଓଠରେ ଲଗାଉଥାଏ । ଆଉ ସେତିକି ବେଳେ କଣ ମନେ ପଡ଼ୁଥାଏ ତାର କେଜାଣି, ଆଖିରୁ ଦି’ଧାର ଲୁହ ଆପେ ଝରି ପଡ଼ୁଥାଏ ଦି’ଗାଲ ଦେଇ ତଳକୁ ।

 

ତା ପରଦିନ ମାମୁଁଙ୍କୁ ନିରୋଳାରେ ପାଇ କହିଲି, ‘‘ଗୋଟେ କଥା ପଚାରିବି ମାମୁଁ ?’’

 

‘‘ପଚାର ।’’

 

‘‘ସତ କହିବ ?’’

 

‘‘ଜାଣିଥିଲେ କହିବି ।’’

 

‘‘ମା କଣ ସତରେ ପାଗଳୀ ?’’

 

ହଠାତ୍‌ ଉତ୍ତର ନ ଦେଇ ମାମୁଁ ମୋ ମୁହଁକୁ ଆଗ ଚାହିଁ ରହିଲେ କେତେ ସମୟ । ତା ପରେ କହିଲେ, ‘‘ଏକପ୍ରକାର ।’’

 

‘‘ପିଲାଦିନୁ ?’’

 

‘‘ନା ।’’

 

‘‘କେବେଠୁ ତା ମୁଣ୍ଡ ବିଗିଡ଼ିଗଲା ?’’

 

‘‘ମାଟ୍ରିକ ପାଶ କଲା ପରେ ।’’

 

‘‘କାହିଁକି ?’’

 

‘‘ତୋ ମା’ କହିଲା କଲେଜରେ ପଢ଼ିବ ବୋଲି । ତୋ ଅଜା ଘରେ କେହି ରାଜି ହେଲେନି ।’’

 

‘‘କାହିଁକି ରାଜି ହେଲେନି ସେମାନେ ?’’

 

‘‘ସେତେବେଳେ ଝିଅମାନଙ୍କୁ ପାଠ ପଢେଇଲେ ବର ମିଳୁ ନ ଥିଲା । ଖୁବ ବେଶିରେ ଅ, ଆ ଦି’ ଅକ୍ଷର ଶିଖଉଥିଲେ କିଏ କେମିତି ଝିଅମାନଙ୍କୁ ।’’

 

‘‘ମା’ ତେବେ ମାଟ୍ରିକ ପାଶ କଲା କେମିତି ?’’

 

‘‘ଜିଦ କରି ପଢ଼ିଥିଲା । ଜମିଦାର ଘରର ଗୋଟିଏ ବୋଲି ଝିଅ ତ । ଭାରି ଗେଲବସରରେ ବଢ଼ିଥିଲା ତୋ ମା’ ପିଲାଟିଦିନୁ । ତେଣୁ ସେ ପାଠ ପଢ଼ିବାକୁ ଯେତେବେଳେ ଜିଦ ଧରିଲା ଘରେ ସମସ୍ତେ ମୁଣ୍ଡ ନୁଆଁଇ ଦେଲେ । ତାପରେ ଗାଁପାଖ ସ୍କୁଲରୁ ମାଟ୍ରିକ ପାଶ କରି କଲେଜରେ ଯାଇ ପଢ଼ିବାକୁ ମନ କଲାରୁ କେହି ରାଜି ହେଲେ ନାହିଁ ।’’

 

‘‘ସେଇଠୁ ?’’

 

‘‘ଅଜା-ଆଈ, ମାମୁଁ-ମାଇଁ ମିଶି ତୋ ମା’ର ବାହାଘର ଠିକଣା କଲେ । ମା’ ତ ତୋର ମୂଳରୁ ଜିଦଖୋର । ତା କଥା ରହିଲାନି ବୋଲି ରାଗରେ ଅସମ୍ଭବ କାଣ୍ଡଟାଏ କରି ବସିଲା । ସିଧାସଳଖ ଚିଠିଟାଏ ଲେଖିଦେଲା ଯାହା ସାଙ୍ଗେ ବାହାଘର ଠିକଣା ହୋଇଥିଲା, ତା ପାଖକୁ ।’’

 

‘‘ତାପରେ ?’’

 

‘‘ବାହାଘରଟା ଭାଙ୍ଗିଦବା ସକାଶେ ମିଛରେ ଲେଖିଦେଲା ଯେ ସେ ଆଉ ଗୋଟିଏ ପିଲାକୁ ଭଲ ପାଉଚି ବୋଲି । ସେଇଠୁ ବାହାଘର ଭାଙ୍ଗିଗଲା । କଥାଟା ବି ପ୍ରଚାର ହୋଇଗଲା ଚାରିଆଡ଼େ । ଫଳରେ ଆଉ କେହି ତୋ ମା’କୁ ବାହା ହବାକୁ ମଙ୍ଗିଲେ ନାହିଁ । ଅଜାଘରର ମାନମହତ ତଳେ ପଡ଼ିଗଲା । ସେଇଠୁ ଅଜାଘରେ ସମସ୍ତେ ମା’କୁ ତୋର ଏକପ୍ରକାର ନଜରବନ୍ଦୀ କରି ରଖିଲେ, କଲେଜରେ ପଢ଼ାଇବା କଥା ଦୂରେଥାଉ । ଝିଅ ବାହାଘର କଥା ବି ତୋ ଅଜା-ଆଈ କି ମାମୁଁ-ମାଇଁ କେହି ତୁଣ୍ଡରେ ଧରିଲେ ନାହିଁ । ଏମିତି ପନ୍ଦର ବର୍ଷ ବିତିଗଲା । ସେଇଠୁ କଣ ହେଲା କେଜାଣି ତୋ ମା’ର ବାହାଘର କଥା ପୁଣି ଠିକଣା ହେଲା ।’’ ଏକା ନିଃଶ୍ୱାସକେ କହି ପକେଇ ମାମୁଁ ଦମ୍‌ ନେଲେ ।

 

‘‘କିଏ ପୁଣି ଠିକଣା କଲା ?’’

 

‘‘କହିପାରିବିନି । ମୁଁ ସେତେବେଳେ ଆମେରିକାରେ । ଅଜା କରିଥିବେ ।’’

 

‘‘ତାପରେ କଣ ହେଲା ?’’

 

‘‘ତୋ ମା’କୁ ସେତେବେଳକୁ ହେଲାଣି ତିରିଶ ଉପରେ । ପୁଅର ବାପ-ମା’ଙ୍କୁ ବୋଧେ ଟଙ୍କା ସୁନା ଲୋଭ ଦେଖେଇ ତୋ ଅଜା ଆଉ ମାମୁଁ ରାଜି କରେଇ ନେଇଥିଲେ । ପିଲା ଜାଣି ନ ଥିଲା । ସେ ଯେମିତି ଜାଣିଗଲା ଯେ ତୋ ମା’ର ବୟସ ତିରିଶ ଉପରକୁ, ବାହା ହବାକୁ ଆସିଲା ନାହିଁ ।’’

 

‘‘ତେବେ ମୁଁ ଜନ୍ମ ହେଲି କେମିତି ।’’

 

‘‘ଅଜାଘର ଯୋଉ ଜୋଇଁ ଠିକଣା କରିଥିଲେ, ସେ ବାହାଘର ଦିନ ନ ଆସିଲାରୁ ଦିନଯାକ ଅପେକ୍ଷା କଲା ପରେ ପାଖ ଗାଁରୁ ଆଉ ଗୋଟାଏ ପିଲାକୁ ଧରିଆଣି ତୋ ମା’କୁ ବାହା କରେଇଦେଲେ ତା ସାଙ୍ଗେ ।’’ ଏତିକି କହି ମାମୁଁ ଟିକିଏ ସମୟ ତୁନୀ ରହି କହି ଚାଲିଲେ, ‘‘ଭଗବାନ ତା ମଧ୍ୟ ସହିଲେ ନାହିଁ । ବାହାଘରର ସାତଦିନ ପରେ ତୋ ବାପାଙ୍କ ଛୁଟି ସରିଗଲା । ସେ ବାହାରିଲେ ତାଙ୍କ କାମକୁ ।’’

 

‘‘କଣ କରୁଥିଲେ ସେ ?’’

 

‘‘କଲିକତାରେ କୋଉ କାରଖାନାରେ କାମ କରୁଥିଲେ ।’’

 

‘‘ତାପରେ ?’’

 

‘‘ତାପରେ କଣ ହେଲା ତାଙ୍କର କେହି ଜାଣନ୍ତିନି ।’’

 

‘‘ମାନେ ।’’

 

‘‘ଘରୁ ଗଲା ପରେ ସେ ଆଉ କାମରେ ଯୋଗ ଦେଇ ନାହାନ୍ତି ।’’

 

‘‘କୁଆଡ଼େ ଗଲେ ତେବେ ?’’

 

‘‘କିଏ କହୁଚି ତୋ ମୋ ପାଗଳୀ ବୋଲି ଜାଣିଲା ପରେ ଘର ଛାଡ଼ି ବାବାଜୀ ହୋଇ ପଳେଇଲେ । ତେବେ ପୁଲିସ କୁହେ ଯେ ମୁଦି, ହାର, ଘଣ୍ଟା ଲୋଭରେ କିଏ ତାଙ୍କୁ ମାରି ପୋତି ଦେଇଚି, ନ ହେଲେ ନଈରେ ଭସେଇ ଦେଇଚି ।’’

 

‘‘ମା’ କହୁଚି, ମୋ ବାପା ବଞ୍ଚିଛନ୍ତି ବୋଲି !’’

 

‘‘ବର୍ଷକ ପରେ ପୁଲିସ ସ୍ପଷ୍ଟ ଜଣେଇ ଦେଲା ଯେ ତୋ ବାପା ଆଉ ନାହାନ୍ତି । ସେ ପୁଲିସ କଥାକୁ ମୋଟେ ବିଶ୍ୱାସ କଲା ନାହିଁ । ଯିଏ ଯେତେ କହିଲେ ମଧ୍ୟ ବିଧବା ବେଶ ଧରିଲାନି-। ତାପରେ ତୁ ଯେତେବେଳେ ମୋଟେ ତିନିବର୍ଷର, ସେତେବେଳେ ଦିନେ ହଠାତ୍‌ ତତେ ଧରି ଘରୁ ଲୁଚି ପଳେଇବାକୁ ବସିଲା ।’’

 

‘‘କାହିଁକି ?’’

 

‘‘ସେତେବଳକୁ ତ ତା ମୁଣ୍ଡ ବିଗିଡ଼ି ଗଲାଣି । ତୋ ଅଜା ଆଉ ମାମୁଁ ଡରିଲେ କାଳେ ସେ ତୋର କଣ କ୍ଷତି କରି ବସିବ ବୋଲି ତେଣୁ ତତେ ତା ହେପାଜତରୁ କାଢ଼ି ନେଇ କଲିକତାରେ ଛୋଟ ଛୁଆଙ୍କ ବୋର୍ଡ଼ିଂରେ ରଖି ପଢ଼େଇବାକୁ ଚାହିଁଲେ । ଏକଥା ଶୁଣି ତୋ ମା’ ଜିଦ ଧରିଲା, ତତେ ନେଇ ଘରୁ ଚାଲିଯିବ । ସତକୁ ସତ ଦିନେ ତତେ ଧରି ରାତିରେ ଘରୁ ପଳେଇଥିଲା ବି । କଥାଟା ସାଙ୍ଗେ ସାଙ୍ଗେ ଜଣାପଡ଼ିଗଲାରୁ ଖୋଜାଖୋଜି କରି ବସଷ୍ଟାଣ୍ଡରୁ ନାନୀକୁ ପୁଣି ଧରି ଆଣିଲେ । ତାପରେ ଅଜା ନିଜେ ଜବରଦସ୍ତ ତୋ ମା’ ପିନ୍ଧିଥିବା ସୁନା ଅଳଙ୍କାର ସବୁ କାଢ଼ି ନେଇ ତାଙ୍କ ଟ୍ରେଜେରୀରେ ଚାବି ପକେଇ ଲୋକ ଜଗେଇଲେ ତେଣିକି ।’’ ପୁଣି ନରୁ ମାମୁଁ ତୁନୀ ରହିଲେ କେତେ ସମୟ ।

 

‘‘ମା’ ତେବେ ମତେ ଧରି ଏଠିକୁ ଆସିଲା କେମିତି ?’’ ମୁଁ ପଚାରିଲି ।

 

‘‘ସେତିକିବେଳକୁ ମୁଁ ଆମେରିକାରୁ ଫେରିଲି । ତୋ ଅଜା-ଆଈ, ମାମୁଁ-ମାଈଁଙ୍କ ସାଙ୍ଗେ ଦେଖା କରିବାକୁ ଯାଇ ଏସବୁ ଘଟଣା ଶୁଣିଲି । ସବୁ ଶୁଣିଲା ପରେ ମୋର ମନେ ହେଲା, ବାହାଘରର ସାତଦିନ ପରେ ଅଚାନକ ବିଧବା ହୋଇ ଯାଇଥିବାରୁ ନାନୀର ମୁଣ୍ଡ ଟିକିଏ ବିଗିଡ଼ି ଯାଇଚି । ସେଥିପାଇଁ ସେ ଭାବୁଚି ଯେ ତୋ ବାପା ମରିନାହାନ୍ତି, ବଞ୍ଚିଛନ୍ତି । ସାଙ୍ଗକୁ ସେ ତାର ଏକମାତ୍ର ସନ୍ତାନକୁ ମଧ୍ୟ ନିଜ ପାଖରୁ ଛାଡ଼ିବାକୁ ନାରାଜ । ଏଇଟା ଅବଶ୍ୟ ସ୍ୱାଭାବିକ । ତେଣୁ ତୋ ମା’ ସାଙ୍ଗେ କଥାଭାଷା ହୋଇ, ଅଜା-ଆଈ, ମାମୁଁ-ମାଇଁ ସମସ୍ତଙ୍କୁ ବୁଝେଇ ସୁଝେଇ ମୁଁ ତୁମ ଦୁହିଁଙ୍କୁ ସେଠୁ ନେଇ ଆସିଲି । ତାପରେ ମା’ ତୋର ଦି’ବର୍ଷ ଟ୍ରେନିଂ ନେଇ ମାଷ୍ଟ୍ରାଣୀ ହେଲା ।’’

 

ମା’ର ଓ ମୋର ଅତୀତ ଇତିହାସ ନରୁ ମାମୁଁଙ୍କଠୁ ଶୁଣିଲି ଏତେଦିନକେ । ସବୁ ଶୁଣିସାରି ମା’ ପ୍ରତି ମୋ ମନରେ ଶ୍ରଦ୍ଧା ଆହୁରି ବଢ଼ିଲା । ଏତେ ଦୁଃଖ ସତ୍ତ୍ୱେ ଯେ ମା’ ବିବାକ ପାଗଳୀ ହୋଇଯାଇ ନାହିଁ ବଡ଼ ଆଶ୍ଚର୍ଯ୍ୟର କଥା । ପୁଣି ନିଜର ମାନସିକ ସ୍ଥିତି ହରାଇବା ପରେ ମଧ୍ୟ ସେ ନିଜ ରୋଜଗାରରେ ମତେ ମଣିଷ କରି ଗଢ଼ି ତୋଳିଥିବାରୁ ମନେ ମନେ ଗର୍ବ ମଧ୍ୟ ଅନୁଭବ କଲି ।

 

ବରଗଡ଼ରୁ ହିଁ ମୁଁ ବି. ଏ. ପାଶ କଲି ସାଧାରଣ ଭାବରେ । ସେଥି ସହିତ ଚାକିରି ଖଣ୍ଡେ ବି ପାଇଗଲି ରାଉରକେଲାରେ ଭଲ ଫୁଟବଲ ଖେଳାଳୀ ବୋଲି । ମା’କୁ ବି ତାପରେ ବଦଳି କରେଇ ନେଲି ରାଉରକେଲାକୁ । ସାଧାରଣ କିରାଣୀ ଭାବରେ ରାଉରକେଲାରେ ଦୁଇବର୍ଷ ଚାକିରି କଲି । ବର୍ଷକୁ ପ୍ରାୟ ଅଧେ ଦିନ ମତେ ଅଫିସ ଯିବାକୁ ପଡ଼େ ନାହିଁ । ବର୍ଷସାରା ଫୁଟବଲ ଖେଳିବା ହିଁ ଥିଲା ମୋର ପ୍ରଧାନ କାମ । ସେତିକିବେଳେ କମ୍ପାନୀର ଜଣେ ବଡ଼ ଡାକ୍ତରଙ୍କ ସାଙ୍ଗେ ମା’ ସମ୍ପର୍କରେ ପରାମର୍ଶ କରିଥିଲି । ଆମୂଳଚୁଳ ସବୁ ଶୁଣି ସାରି ସେ କହିଥିଲେ ଯେ, ମୋ ମା’ର ମନ ବଡ଼ ଟାଣ । ଆଉ କିଏ ହୋଇଥିଲେ ଏ ଅବସ୍ଥାରେ ହୁଏତ ବଦ୍ଧ ପାଗଳ ହୋଇ ଯାଆନ୍ତାଣି କେବଠାରୁ ।

 

ସେଇଠି ଥିଲାବେଳେ ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେଲି ଜଣେ ଶୁଭାକାଂକ୍ଷୀଙ୍କ ପ୍ରରୋଚନାରେ । ଲିଖିତ ପରୀକ୍ଷା ପରେ ଯେତେବେଳେ ଦେଖା ସାକ୍ଷାତ ପାଇଁ ଡାକରା ମିଳିଲା ସେତେବେଳେ ଆଗ ବିଶ୍ୱାସ କରିପାରିଲି ନାହିଁ । ଚାକିରିଟା ପାଇଲା ପରେ ଜାଣିଲି ଯେ ଫୁଟବଲ ଖେଳରେ ମୋର ଦକ୍ଷତା ହିଁ ମତେ ଏତେ ବାଟ ଆଗେଇ ନେଇ ପାରିଲା ।

 

ରାଉରକେଲାରେ ଥିଲାବେଳେ ଥରେ କଥାପ୍ରସଙ୍ଗରେ ମା’କୁ ପଚାରି ଦେଲି, ‘‘ମା’ ତୁ ଏତେ ବୟସଯାଏ କାହିଁକି ବାହା ନ ହେଇ ବସିଥିଲୁ ?’’

 

‘‘ତୋ ବାପାଙ୍କୁ ଚାହିଁ ବସିଥିଲି ପରା ।’’ ଉତ୍ତରଟା ଦେଇ ସାରି ସେ ପୁଣି ହଜିଗଲା ତା ଅତୀତ ଜୀବନର କୋଉଠି । ତାପରେ ଦୁଇଦିନଯାଏ ସେ ମୂକ ପାଲଟିଗଲା ବିବାକ ।

 

ସେହିଦିନଠାରୁ ପ୍ରତିଜ୍ଞା କଲି ମା’କୁ ଆଉ ଏ ନେଇ କେବେ କିଛି ପଚାରିବି ନାହିଁ ।

 

ତେବେ ବେଳେବେଳେ ନିଜର ଅତୀତ ନେଇ ମନରେ ସନ୍ଦେହ ଆସେ । କାରଣ ମା’ର କଥା ଓ ନରୁ ମାମୁଁଙ୍କ ବର୍ଣ୍ଣନାରେ ପ୍ରଭେଦ ରହିଥିଲା ପରି ମୋର ମନେହୁଏ । ଜୀବନରେ କେବେହେଲେ ମା’ ମୁହଁରୁ ଶୁଣିନାହିଁ ଯେ କଲେଜରେ ପାଠ ପଢ଼ିବ ବୋଲି ଜିଦ କରି ସେ ଏତେକାଳ ବାହା ନ ହୋଇ ଘରେ ବସିଥିଲା । ଯେତେ ଯିଏ ମୋ ମା’ ନାଁରେ ଅପପ୍ରଚାର କଲେ ବି ଅଜା ଘରର ଯଥେଷ୍ଟ ଧନ ଓ ପ୍ରତିପତ୍ତି ଥିଲା ଭଲ ଜୋଇଁଟିଏ ଯୁଆଡ଼ୁ ହେଲେ କିଣିଆଣିବା ସକାଶେ । ତେବେ ବୟସ ବେଳେ କାହିଁକି ମା’ ବାହା ହେଲା ନାହିଁ ?

 

ଏ ପ୍ରଶ୍ନର ଉତ୍ତର ହୁଏତ ମୁଁ କେବେହେଲେ ପାଇବି ନାହିଁ । କାରଣ ଜୀବନସାରା ଲକ୍ଷ୍ୟ କରି ଦେଖିଚି ଯେ ବାପାଙ୍କ କଥା ଉଠିଲେ ମା’ କେମିତି ନିଜେ ନିଜକୁ ହରେଇଦିଏ । ଭୁଲିଯାଏ ସବୁ କିଛି, ମତେ ମଧ୍ୟ । ତେଣୁ ବେଳେବେଳେ ମା’କୁ ପଚାରି ସବୁ କଥା ଆଦାୟ କରିନବାକୁ ମନ ହେଲେ ମଧ୍ୟ ମୁଁ ନିଜେ ନିଜକୁ ଜୋର କରି ସମ୍ଭାଳିନିଏ । ଭୟ ଲାଗେ ମା’କୁ ବେଶି ବାଧ୍ୟ କଲେ ହୁଏତ ସେ ଏକବାରେ ପାଗଳୀ ହୋଇଯିବ ବାପାଙ୍କ କଥା ଭାବି ଭାବି । ନିଜେ ନିଜକୁ ସାନ୍ତ୍ୱନା ଦିଏ ଯେ ମା’ କେବେ ମତେ ମିଛ କହିବ ନାହିଁ । ତେଣୁ ସେମିତି କିଛି ଗୁପ୍ତ କଥା ଥିଲେ ସେ ମତେ କହି ସାରନ୍ତାଣି କେବେଠୁ ।

 

ତଥାପି ବେଳେବେଳେ ଦୁର୍ବଳ ମୁହୂର୍ତ୍ତରେ ମନ ହୁଏ ମା’କୁ ସବୁ କଥା ଖୋଳିତାଡ଼ି ପଚାରି ବୁଝିବା ସକାଶେ । କେତେ ଥର ଏଇ କଥା ମନରେ ଉଠିବାମାତ୍ରେ ମା’କୁ ପଚାରିବାକୁ ମନକରି ଚାହିଁଛି ତାକୁ । ଆଉ ତା ଆଖିରେ ଆଖି ପଡ଼ିଗଲାମାତ୍ରେ ନିଜକୁ ଅତି ନ୍ୟୂନ ମନେ କରିଚି, ସନ୍ତାନ ହୋଇ ମା’ର ଚରିତ୍ରକୁ ସନ୍ଦେହ କରୁଚି ବୋଲି । ସେତେବେଳେ ମନେହୁଏ ମୁଁ ପାପୀ, ହୀନ, ନରକର କୀଟ । ନ ହେଲେ ଏଡ଼େ ପବିତ୍ର, ସରଳ ନିଷ୍ପପଟ ମା’ ସମ୍ପର୍କରେ ମୋ ମନରେ ସନ୍ଦେହ ଉପୁଜନ୍ତା କାହିଁକି ?

 

ସମର

 

ଜାତୀୟ ଫୁଟବଲ ପ୍ରତିଯୋଗିତାରୁ ରାଜ୍ୟ ଫୁଟବଲ ଦଳ ଫେରିବାର ଚାରିଦିନ ପରେ ବିକାଶ ମୋ ପାଖକୁ ଆସିଲା । ସେତେବେଳକୁ ସମୟ ସନ୍ଧ୍ୟା ସାଢ଼େ ସାତଟା ହବ । ମୁଁ ହସ୍ପିଟାଲରୁ କାମ ସାରି ବାହାରୁଥାଏ ।

 

ତାକୁ ଦେଖିବାମାତ୍ରେ ମୋର ମନେ ହେଲା ସେ ବଡ଼ ବିବ୍ରତପଚାରିଲି, ‘‘କଣ ହେଇଚି ?’’

 

‘‘କିଛି ସ୍ଥିର କରି ପାରୁନି ।’’

 

‘‘କୋଉ କଥା ?’’

 

‘‘ଆଜି ପୁଣି ଆଞ୍ଚଳିକ ମ୍ୟାନେଜର ଫୋନ କରିଥିଲେ ।’’

 

‘‘ଆମେରିକା ଯିବା କଥା ତ ?’’

 

‘‘ହଁ, ଭାବୁଚି ମନାକରି ଦେବି ବୋଲି ।’’

 

‘‘ବଡ଼ ଭୁଲ କରିବୁ ତାହେଲେ ।’’

 

‘‘ଉପାୟ ନାହିଁ ସମର ! ମା’କୁ ଛାଡ଼ିଯିବି କାହା ପାଖେ କହ ?’’

 

‘‘ମୁଁ ଭାବୁଚି, ନରୁ ମାମୁଁଙ୍କ ପରାମର୍ଶ ନେଲେ ଭଲ ହୁଅନ୍ତା ।’’

 

‘‘କିଛି ଲାଭ ନାହିଁ ।’’

 

‘‘କେମିତି ଜାଣିଲୁ ?’’

 

‘‘କାହାରି ସାହାଯ୍ୟ ମା’ ଗ୍ରହଣ କରିବନି ।’’

 

‘‘ଠିକ ଅଛି । ତେବେ ଏଇଠି କଟକରେ ରହିବେ ମାଉସୀ ।’’

 

‘‘ସବୁ କିଛି ଜାଣି ବି ତୁ ଏ କଥା କହୁଚୁ ?’’

 

‘‘ଜାଣେ ବୋଲି ତ କହୁଚି । ମୁଁ ମାଉସୀଙ୍କ ଭାର ନେଲି । ତୁ ଯା’ ’’

 

ସେ ଟିକିଏ ସମୟ ମତେ ଏକଲୟରେ ଚାହିଁ ରହି କହିଲା, ‘‘ନା ସମର, ପାରିବିନି ।’’

 

‘‘କାହିଁକି ଶୁଣେ ?’’

 

‘‘ମୋ ମନ କହୁଚି, ସେଥିରେ ସେ ସୁଖୀ ହବନି ।’’

 

‘‘ତୁ ଯିବା ବ୍ୟବସ୍ଥା କଲୁ, ମୁଁ ବାକି ସବୁ ବୁଝିବି ।’’

 

‘‘କିନ୍ତୁ ମା’.....’’

 

‘‘ଓ ହୋ, ତୁ ଆମେରିକା ଯିବା ସକାଶେ ବ୍ୟବସ୍ଥା କର ତ । ମୁଁ କହୁଚି ତୁ ଗଲାବେଳକୁ ଦେଖିବୁ ସବୁ କିଛି ଠିକ ହେଇଯାଇଚି ।’’ ମୁଁ ତା ମୁହଁକୁ ଚାହିଁ ହସି ଦେଲି ।

 

ବିକାଶ ସାମାନ୍ୟ ଆଶ୍ୱସ୍ତ ହେଲା ପରି ମନେହେଲା ।

 

ମୁଁ ଡାକିଲି, ‘‘ଆ ଯିବା ମୋ ବସାକୁ ।’’

 

‘‘ଚାଲ ।’’

 

ଆମେ ଦୁହେଁ ସେଠୁ ମୋ ବସାକୁ ଆସିଲୁ । ତା ପରେ ଘଣ୍ଟାଏ ଯାଏ ଆଲୋଚନା କଲୁ ତାର ଆମେରିକା ଯିବା ସମ୍ପର୍କରେ । ମୁଁ ତାକୁ ଯଥାସାଧ୍ୟ ଉତ୍ସାହିତ କଲି ମାଉସୀଙ୍କ ସବୁ ଭାର ନିଜ ମୁଣ୍ଡକୁ ନେଇ । ସେଥିସହିତ ଏ କଥା ବି କହିଲି ଯେ ଆମେରିକା ଯିବା ପୂର୍ବରୁ ମାଉସୀଙ୍କ ମନଲାଖି ଝିଅଟିଏ ଯୋଉଠୁ ହେଲେ ଯୋଗାଡ଼ କରି ଦେବି ତା ସକାଶେ ।

 

ବିକାଶକୁ ଆଶ୍ୱାସନା ଦେଲି ସତ, ତେବେ କେମିତି ଓ କୋଉଠୁ ତା ସକାଶେ, ମାଉସୀଙ୍କ ମନକୁ ପାଇଲା ଭଳି, ସୁନ୍ଦର ଓ ଗୁଣର ଝିଅଟିଏ ବ୍ୟବସ୍ଥା କରିବି ଭାବି ପାରିଲିନି । ତଥାପି ମୋ ମନ ଭିତରୁ କିଏ ଯେମିତି କହି ଉଠିଲା, ମାଉସୀଙ୍କ ମନକଥା ନିଶ୍ଚୟ ପୂରଣ ହେବ ।

 

ଚିହ୍ନା ପରିଚୟ କେତେଜଣଙ୍କୁ କହିଲି ବିକାଶ ପାଇଁ ଭଲ ଘରୋଇ ଝିଅଟିଏ ଯୋଗାଡ଼ କରିଦବାକୁ । ସମସ୍ତେ ଶୁଣୁଶୁଣୁ ଏମିତି ଭାବରେ ଜବାବ ଦେଲେ, ସତେ ଯେମିତି ମୁହୂର୍ତ୍ତକ ଭିତରେ ମନଲାଖି ଝିଅଟିଏ ବ୍ୟବସ୍ଥା କରିଦେବେ । କିନ୍ତୁ କେହି ହେଲେ ଖବରଟାଏ ବି ଯୋଗେଇ ଦେଇ ପାରିଲେ ନାହିଁ, ଯୋଗାଡ଼ କରିଦେବା ତ ଦୂରର କଥା । ମତେ କିଛି ବୁଦ୍ଧିବାଟ ଦିଶିଲା ନାହିଁ କଣ କରିବି !

 

ଏମିତି ଅନିଶ୍ଚିତ ଅବସ୍ଥାରେ ଆଉ ମାସେ ବିତିଲା ପରେ ଦିନେ ଖରାବେଳେ ଡାକ୍ତରଖାନାରୁ ଫେରି ଦେଖିଲି, ଗୋକୁଳି ମଉସାଙ୍କ ଘରେ ହଇଚଇ । ଜାଣିଲି, କିଏ ସବୁ ନିଶ୍ଚୟ ଆସିଚନ୍ତି ବାହାରୁ । ପ୍ରାୟ ବର୍ଷେ ପାଖାପାଖି ରହିଲିଣି ଏଠି । ଗୋକୁଳି ମଉସାଙ୍କ ପାଖକୁ ପୁଅ-ଝିଅ-ଜୋଇଁମାନେ କେତେବେଳେ କେମିତି ଆସିଲେ ଏତେ ପାଟିତୁଣ୍ଡ ଶୁଭେ ନାହିଁ । ପୁଣି କଥାଭାଷାର ରଙ୍ଗଢଙ୍ଗରୁ ମନେ ହେଲା ଏମାନେ ଗୋକୁଳି ମଉସାଙ୍କ ଥଟ୍ଟା ପରିହାସଶ୍ରେଣୀର ଆତ୍ମୀୟ ।

 

ଉପରଓଳି ନନ୍ଦ ମଉସା ଆସି ପହଞ୍ଚିଗଲା ଜଗତ ବାହାଘର ଦପ୍ତର କାମ ଧରି ତା କହିବା ଅନୁଯାୟୀ ମାମୀ ନାନୀ ପାଖକୁ ଚିଠି ଖଣ୍ଡେ ଲେଖୁ ଲେଖୁ ପଚାରି ବୁଝିଲି ଯେ ଗୋକୁଳି ମଉସାଙ୍କ ସାନ ସଡ଼ୁ ଭୁବନ ବାବୁ, ସାନ ଶାଳୀ ନିର୍ମଳା ଦେବୀ, ତାଙ୍କ ଝିଅ କୁସୁମକୁ ସାଙ୍ଗରେ ଧରି ଆସିଛନ୍ତି । ଏଇଠି କନ୍ୟା ଦେଖା ହେବ । ପୁଅଘର ପସନ୍ଦ କଲେ ବାହାଘରଟା ବି ସାରିଦେଇ ଯିବେ ସେମାନେ ମାସେ-ପନ୍ଦରଦିନ ଭିତରେ ।

 

ଭୁବନ ବାବୁ ତାଙ୍କ ଗାଁ ହାଇସ୍କୁଲର ହେଡ଼ମାଷ୍ଟର । ଘରେ ଜମିଜମା ଅଛି ବର୍ଷକ ଆରାମରେ ଚଳିଯିବା ଭଳି । ପୁଅଟିଏ, ଝିଅଟିଏ । ଝିଅ-କୁସୁମ ବଡ଼, ଏମ. ଏ. ପାଶ । ପୁଅ-ରଞ୍ଜନ ଇଞ୍ଜିନିଅରିଂ କଲେଜରେ ପଢ଼ୁଚି ।

 

ପରଦିନ ସକାଳେ ମୁଁ କାମକୁ ବାହାରୁଚି ଗୋକୁଳି ମଉସା ମତେ ଡାକି ପଠେଇଲେ । ମୁଁ ପହଞ୍ଚିବାମାତ୍ରେ ମତେ କହିଲେ, ‘‘ତୁମେ ଆଜି ଛୁଟି ନେଇଯାଅ ।’’

 

‘‘କାହିଁକି ?’’

 

‘‘କନ୍ୟା ଦେଖାଅଛି ପରା । ପୁଅବାଲା ଆସିବେ ।’’

 

‘‘କାହା ଘର ?’’

 

‘‘ଅର୍ଜ୍ଜୁନ ବାବୁ, ତାଙ୍କ ସ୍ତ୍ରୀ, ପୁଅ ଆଉ ମଧ୍ୟସ୍ଥି ସନାତନ ବାବୁ ।’’

 

ଏତିକିବେଳକୁ କୁସୁମ ଦୁଇକପ୍‌ ଚାହା ଆଣି ଦେଇଗଲା । ତାକୁ ଦେଖି ମୁଁ ଚମକି ପଡ଼ିଲି । ମନେହେଲା ଜଗତର ମା’ ଯେମିତି ଆରପୁରୀରୁ ଫେରି ଆସିଚନ୍ତି ତାଙ୍କ ପିଲାବେଳର ରୂପ ଧରି ।

 

‘‘କେତେବେଳେ ଆସିବେ ସେମାନେ ?’’

 

‘‘ସନ୍ଧ୍ୟାକୁ ।’’

 

‘‘ତାହେଲେ ତ ମୁଁ ଉପରଓଳି ରହିଲେ ଚଳିବ ।’’

 

‘‘ଆଉ ସବୁ ବ୍ୟବସ୍ଥା ତ ପୁଣି କରିବାକୁ ଅଛି ।’’

 

ନନ୍ଦ ମଉସା ଏଇଠି କହି ଉଠିଲା, ‘‘ସେସବୁ ବ୍ୟବସ୍ଥା ମୁଁ କରି ସାରିଲିଣି । ଦିନଟାଯାକ ଛୁଟି ନେଇ ସମରର ଜଗି ବସିବା ଦରକାର ନାହିଁ ।’’

 

‘‘ତୁ ତ ମଫସଲିଆଙ୍କ ପରି ଏଣୁତେଣୁ କଣ ସବୁ କରିଥିବୁ । ଦେଖିବୁ ନେଇ, ତୋରି ଅବ୍ୟବସ୍ଥାରୁ ସବୁ ଶେଷକୁ ଫସର ଫାଟିବ ।’’ ଗୋକୁଳି ମଉସା ତାକୁ ଦାବି ଦବାକୁ ବସିଲେ ।

 

‘‘ମୁଁ ତ କହୁଥିଲି, କୋଉ ମନ୍ଦିରକୁ ଯାଇ ଦେଖାଚାହାଁ କାମ ସାରି ଦବାକୁ । ଏସବୁ କାମ କଣ ଘରେ ହୁଏ ? କୋଉ ଠିକଣା ଅଛି ସେମାନେ ଆମ ଝିଅକୁ ପସନ୍ଦ କରିବେ ବୋଲି !’’ ନନ୍ଦ ମଉସା ଜବାବ ଦେଲା ।

 

‘‘କଣା ହୋଇଥିଲେ ପସନ୍ଦ କରିବେନି ।’’ ଗୋକୁଳି ମଉସା ହାଣିଲା ପରି ମନ୍ତବ୍ୟ ଦେଲେ ।

 

‘‘ଶୁଣ, କହି ରଖୁଚି । ତୁମେ ମୋଟେ ପାଟି ଖୋଲିବନି ତାଙ୍କ ଆଗରେ । ଯାହା କଥାଭାଷା ଭୁବନ ବାବୁ କରିବେ ।’’ ନନ୍ଦ ମଉସା ତାଗିଦ କରିଦେଲା ।

 

‘‘ମୋ ଘରେ କନ୍ୟା ଦେଖାହେବ । ଆଉ ମୁଁ ମୁହଁ ବନ୍ଦ କରି ବସିବି ! ଭଲ ବୁଦ୍ଧି ମତେ ଶିଖଉଚୁ ତୁ !’’

 

‘‘ତୁମେ ପାଟି ଫିଟେଇଲେ ସେମାନେ ଫିଡ଼ିକିଯିବେ । ପିଲାଦିନୁ ତ ଶିଖିଲନି କାହା ସାଙ୍ଗେ କେମିତି କଥା କହିବାକୁ ହୁଏ ।’’

 

‘‘ମତେ କଥା କହି ଆସେନି ତ ଏତେଦିନକାଳ ସରକାରୀ କାମ କେମିତି ଚଳେଇ ଆସିଲି ଶୁଣେ ?’’ ଗୋକୁଳି ମଉସା ତର୍କ କରିବାକୁ ବାହାରି ପଡ଼ିଲେ ।

 

‘‘ମଉସା ମୁଁ ଏଥର ଉଠେ । ସମୟ ହୋଇଗଲାଣି । ଉପରଓଳିକୁ ରହିବି ।’’ ବାଧ୍ୟ ହୋଇ କହି ମୁଁ ଉଠିଲି । ନ ହେଲେ ଦୁଇ ମଉସାଙ୍କ କଥା କଟାକଟି ସରି ନ ଥାନ୍ତା ପନ୍ଦର ମିନିଟ କି ଅଧଘଣ୍ଟାଏଯାଏ ।

 

‘‘ଖରାବେଳେ ତାହେଲେ ଟିକିଏ ଶୀଘ୍ର କାମ ସାରି ଚାଲି ଆସିବୁ ।’’ ଗୋକୁଳି ମଉସା ପରାମର୍ଶ ଦେଲେ ।

 

‘‘ହଁ ।’’ ବୋଲି ଜବାବ ଦେଇ ମୁଁ ବାହାରିଗଲି ।

 

ସନ୍ଧ୍ୟାକୁ ଅର୍ଜ୍ଜୁନ ବାବୁ, ତାଙ୍କ ସ୍ତ୍ରୀ, ପୁଅ ମଦନ, ମଧ୍ୟସ୍ଥି ସନାତନ ବାବୁ ଓ ପୁଅର ଜଣେ ସାଙ୍ଗ ଆସି ପହଞ୍ଚିଲେ । ଗୋକୁଳି ମଉସା ସେମାନଙ୍କୁ ଖାତିର କରିବାରେ କୌଣସି ତ୍ରୁଟି କଲେ ନାହିଁ । ସେମାନଙ୍କ ହାବଭାବ ଓ କଥାବାର୍ତ୍ତାରୁ ମନେହେଲା ଯେ କୁସୁମ ତାଙ୍କର ପସନ୍ଦ । ହବାର ବି କଥା । ଏଡ଼େ ସୁନ୍ଦର ଝିଅ ବହୁତ କମ ଥିବେ ଏ ସଂସାରରେ । ସେମାନେ ଉଠିଲାବେଳକୁ ଗୋକୁଳି ମଉସା ସିଧାସଳଖ ପଚାରିଲେ, ‘‘ଆପଣମାନେ ରାଜି ହେଲେ କାଲିକୁ ନିର୍ବନ୍ଧ କାମଟା ବି..... ।’’

 

ମଧ୍ୟସ୍ଥି ସନାତନ ବାବୁ ବାଧା ଦେଲେ, ‘‘ଏତେ ତରବର କାହିଁକି ? ମୁଁ କାଲି ଆସିବି । କଥାଭାଷା ହେଇ ସେସବୁ ଠିକଣା କରିବା ।’’

 

ସନାତନ ବାବୁଙ୍କ ଉତ୍ତରଟା ମତେ ପସନ୍ଦ ଲାଗିଲା ନାହିଁ । ମନେହେଲା ଯେ ଝିଅର ରୂପ-ଗୁଣ ବଦଳରେ ସବୁ କିଛି ବୋଧହୁଏ ନେଣଦେଣ ଉପରେ ନିର୍ଭର କରୁଚି ।

 

ପରଦିନ ଅପରାହ୍ନକୁ ସନାତନ ବାବୁ ଠିକ୍‌ ଆସିଲେ । ଗୋକୁଳି ମଉସା ଓ ସୁବିମଳ ବାବୁ ସେତେବେଳକୁ ସେମାନଙ୍କର ନିତିଦିନିଆ ଖେଳରେ ବ୍ୟସ୍ତ ।

 

ନନ୍ଦ ମଉସା ସାଙ୍ଗେ ସାଙ୍ଗେ ଆସି ମତେ ଡାକି ନେଇଗଲା । ତାଗିଦ ବି କରିଦେଲା, ‘‘ଜଗିରଖି କଥା କହିବ । ବାବୁଙ୍କୁ ତ ଜାଣିଚ । ପାଟିରେ ବାଡ଼ବତା ନାହିଁ । ଶେଷକୁ ସବୁ ବିଗାଡ଼ି ବସିବେ ।’’

 

ମୁଁ ଯାଇ ପହଞ୍ଚିଲାବେଳକୁ ଗୋକୁଳି ମଉସା, ଭୁବନ ବାବୁ ଓ ସନାତନ ବାବୁ ଏକାଠି ବସିଗଲେଣି । ଗୋକୁଳି ମଉସା ଆଗ ଆରମ୍ଭ କଲେ, ‘‘କୁହନ୍ତୁ, ନିର୍ବନ୍ଧ କେବେ କରିବା ?’’

 

‘‘ସେ ତ ମିନିଟକ କଥା ।’’ ସନାତନ ବାବୁ ଉତ୍ତର ଦେଲେ ।

 

‘‘ଆଉ ତେବେ ?’’ ଗୋକୁଳି ମଉସାଙ୍କ ମୁହଁରେ ସନ୍ଦେହ ଦେଖାଦେଲା ।

 

‘‘ତା ପୂର୍ବରୁ ମୁଁ ଭାବୁଚି ନେଣଦେଣ କଥାଟା ତୁଟିଗଲେ ଭଲ ହୁଅନ୍ତା ।’’ ସନାତନ ବାବୁ ମତ ଦେଲେ ।

 

‘‘ଝିଅ ଯେତେବେଳେ ଦବୁ, ଆଉ କଣ ଖାଲି ହାତରେ ଛାଡ଼ିଦବୁ ! ଆମ ଶକ୍ତି ଅନୁସାରେ ଯେତେଦୂର ସମ୍ଭବ ନିଶ୍ଚୟ ଦବୁ ।’’ ଗୋକୁଳି ମଉସା ପ୍ରାଞ୍ଜଳ କରି କହିଲେ ।

 

‘‘ସେଇ କଥାଟା ଆଗରୁ ସ୍ପଷ୍ଟ ହୋଇଗଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଚି ।’’ ସନାତନ ବାବୁ ଭୁବନ ବାବୁଙ୍କୁ ଚାହିଁଲେ ।

 

ଭୁବନ ବାବୁ ଉତ୍ତର ଦେଲେ, ‘‘ଦେଖନ୍ତୁ, ଝିଅ ମୋର ଆଡ଼ହକ ନିଯୁକ୍ତି ପାଇ ସାରିଚି ସରକାରୀ କଲେଜରେ । ଲେକଚରର ନିଶ୍ଚୟ ହବ । ତା ରୋଜଗାର ତ ଆପଣମାନଙ୍କର । ବାକି ଟଙ୍କା ଚାଳିଶ ପଚାଶ ହଜାର ଭିତରେ ଅନ୍ୟ କାମ ସବୁ ଉଠେଇବି ।’’

 

‘‘ଏତିକିରେ କଣ ହବ ?’’ ସନାତନ ବାବୁ ନାପସନ୍ଦ କଲେ ।

 

‘‘ଆପଣମାନେ କଣ ଚାହୁଁଛନ୍ତି, କହୁନାହାନ୍ତି ?’’ ଗୋକୁଳି ମଉସା ଅଣ୍ଟାଭିଡ଼ି ବାହାରି ପଡ଼ିଲେ । ତାଙ୍କ ସ୍ୱରଟା ମୋ କାନକୁ ଭଲ ଶୁଭିଲା ନାହିଁ । ମନେହେଲା କିଛି ଗୋଟାଏ ଅଘଟଣ ହୁଏତ ସେ ଘଟେଇ ବସିବେ ।

 

‘‘ଦେଖନ୍ତୁ, ପିଲା ଆମର ଇଞ୍ଜିନିୟର । ଅନ୍ତତଃ ପନ୍ଦର କୋଡ଼ିଏ ଭରି ସୁନା, ବାକି ଲୋକାଚାରକୁ ଜଗି ଭାର ଥୋର ଯାହା ଦବାର ଦେବେ । ସାଙ୍ଗକୁ ପୁଅ କହୁଚି......’’ ସନାତନ ବାବୁ ନାଟକୀୟ ଭାବରେ ଅଟକିଗଲେ କହୁ କହୁ ।

 

‘‘କଣ କହୁନାହାନ୍ତି ।’’ ଗୋକୁଳି ମଉସା ଶୁଣିବାକୁ ବ୍ୟଗ୍ର ହୋଇ ପଡ଼ିଲେ ।

 

‘‘ଗୋଟାଏ ସ୍କୁଟର ଆଉ ରେଫ୍ରିଜରେଟର ।’’ ସନାତନ ବାବୁ ସାଧାରଣ ସ୍ୱରରେ କହିସାରି ଯୋଡ଼ିଲେ, ‘‘ସାମାନ୍ୟ କଥା ! କିଛି ବେଶି ନୁହେଁ । ଅନ୍ୟମାନେ ତ ଏ ସବୁ ବାଦ କଞ୍ଚା ଟଙ୍କା ଗଣି ଦେବାକୁ ପ୍ରସ୍ତୁତ ଅଛନ୍ତି । କେବଳ ଆପଣଙ୍କ ଝିଅ ଆମ ମନକୁ ପାଇଚି ବୋଲି...... ।’’

 

ବାଧା ଦେଇ ଗୋକୁଳି ମଉସା ଶାନ୍ତ ସ୍ୱରରେ ସବୁ ବୁଝିଲା ପରି କହି ଉଠିଲେ, ‘‘ବିଶେଷ କିଛି ନୁହେଁ ଅବଶ୍ୟ ଆପଣଙ୍କ ଦାବୀଟା । ତେବେ.....’’

 

ଭୁବନ ବାବୁ ଛାନିଆ ହୋଇ ବାଧା ଦେଲେ, ‘‘ଭାଇନା, ତୁମେ ଇଏ...’’

 

‘‘ତୁମେ ଚୁପ କର ଭୁବନ । କଥା ମୁଁ କହୁଚି ।’’ ସାନ ସଡ଼ୁଙ୍କୁ ଚୁପ କରେଇ ଦେଇ ଗୋକୁଳି ମଉସା ଆନ୍ତରିକତାର ସହ ଶୁଣେଇଲେ, ‘‘ତେବେ ଆମ ତରଫରୁ ସର୍ତ୍ତଟାଏ ଆପଣଙ୍କୁ ମାନିବାକୁ ପଡ଼ିବ ।’’

 

‘‘ହଁ, ବନ୍ଧୁ ବାନ୍ଧିବାକୁ ହେଲେ ପରସ୍ପରର ସୁଖ ଦୁଃଖରେ ଭାଗୀଦାର ହେବାଟା ସ୍ୱାଭାବିକ ।’’

 

‘‘କଥା କଣ କି ଦେଇ ନେଇ ଯେତେବେଳେ ଆମେ ଜୋଇଁ ଖରିଦ କରିବୁ, ସେତେବେଳେ ପୁଅ ଅକାରଣଟାରେ କାହିଁକି କଷ୍ଟ ସହି ଶୋଭାଯାତ୍ରା କରି ବାହା ହବାକୁ ଆସିବ । ବଦଳରେ ଆମ ଝିଅ ବାଜା ବଜେଇ ବାହା ହବାକୁ ଯିବ । ଆଉ ବାହାଘର ପରେ ସୁନା, ସ୍କୁଟର, ରେଫ୍ରିଜରେଟର ଆଦି ସେଠି ଥୋଇ ଦେଇ ପୁଅକୁ ନେଇ ଆସିବ ଘରକୁ ।’’ ଗୋକୁଳି ମଉସା ସ୍ପଷ୍ଟ କରିଦେଲେ ।

 

‘‘ଆପଣ ପାଗଳଙ୍କ ପରି ଏସବୁ କଣ କହୁଚନ୍ତି ?’’ ସନାତନ ବାବୁ ଏକପ୍ରକାର ରାଗିଗଲେ ।

 

‘‘ବନ୍ଧୁତାର ୟାଠାରୁ ବଳି ଭଲ ନିଦର୍ଶନ ଆଉ କଣ ହୋଇପାରେ କୁହନ୍ତୁ ତ ? ଆପଣଙ୍କ ଧନ ଲୋଡ଼ା, ଆମେ ଯୋଗେଇଲୁ । ଆମର ଜ୍ୱାଇଁଟିଏ ଲୋଡ଼ା ଆପଣ ଦେଲେ ।’’ ମଉସା ଶାନ୍ତ ଗଳାରେ ଉତ୍ତର ଦେଲେ ।

 

‘‘ଆପଣଙ୍କୁ ଭଦ୍ରାମୀ ଜଣାନାହିଁ ଦେଖୁଚି । କାହା ସାଙ୍ଗେ କେମିତି କଥା କହିବାକୁ ହୁଏ ଆପଣଙ୍କର ଶିଖିବା ଉଚିତ ।’’ ସନାତନ ବାବୁ ଉଠି ପଡ଼ିଲେ ।

 

‘‘ବଡ଼ ଅଭଦ୍ର ଲୋକ ଆଜ୍ଞା ମୁଁ ଆପଣମାନଙ୍କ ତୁଳନାରେ । ସେଥିସକାଶେ ପୁଅ ବିକି ପାରିନି କି ଜୋଇଁ ଖରିଦ କରି ପାରିନି ଜୀବନରେ ।’’

 

‘‘ନମସ୍କାର ।’’ ସନାତନ ବାବୁ ରାଗିଯାଇ ଚାହା କପ ଅଧା ରଖି ଉଠିଗଲେ ।

 

ନନ୍ଦ ମଉସା ଏଥର ଆସି ବିଗିଡ଼ିଲା, ‘‘କଣ କଲ ତୁମେ କହିଲ ?’’

 

‘‘ସଉଦା ପଟିଲାନି ରେ ନନ୍ଦ । ଗରାଖ ବଡ଼ ଲୋଭୀ ।’’ ଗୋକୁଳି ମଉସା ଉତ୍ତର ଦେଲେ ।

 

‘‘ତୁମ ମୁଣ୍ଡଗଣ୍ଡି । କହି ଜାଣିଥିଲେ, ସେ ବାଗକୁ ଆସି ନ ଥାନ୍ତେ ! ବୁଢ଼ାଟିଏ ହେଲ, ତଥାପି ଦୁର୍ବୁଦ୍ଧି ଗଲାନି !’’

 

‘‘ଅତି ଛୋଟ ଘର ରେ ନନ୍ଦ । ଦେଇ ନେଇ ଝିଅ ଦେଇଥିଲେ ବି ସୁଖ ପାଆନ୍ତାନି ଆମ ଝିଅ ସେ ଘରେ । ଜାଣୁ, ଲୋଭ ବଡ଼ କଦର୍ଯ୍ୟ ଜିନିଷ । ଥରେ ତାହା ମୁଣ୍ଡ ଟେକିଲେ ମଣିଷ ଆଉ ପଶୁ ଭିତରେ କିଛି ତଫାତ୍‌ ନାହିଁ ।’’ ଦାର୍ଶନିକଙ୍କ ଭଳି ଗୋକୁଳି ମଉସା ବୁଝେଇଲେ ।

 

‘‘ଏଇଲେ ପୁଣି ହବ କଣ ?’’ ନନ୍ଦ ମଉସା ପଚାରିଲା ।

 

‘‘ମଣିଷ ପିଲାଟେ ଖୋଜି ବାହାର କରିବାକୁ ପଡ଼ିବ କୁସୁମ ପାଇଁ’’

 

ଏତିକିବେଳକୁ ସୁବିମଳ ବାବୁ ଆରଘରୁ ଉଠିଆସି ପ୍ରସ୍ତାବ କଲେ, ‘‘ବିକାଶ ସାଙ୍ଗେ କଥା ପକେଇଲେ କେମିତି ହୁଅନ୍ତା ?’’

 

ହଠାତ୍‌ କେହି ଉତ୍ତର ଦେଇ ପାରିଲୁ ନାହିଁ । ଅନ୍ୟପକ୍ଷରେ ଆଶ୍ଚର୍ଯ୍ୟ ହୋଇଗଲୁ ସମସ୍ତେ । ସୁବିମଳ ବାବୁ ଯେ ସାମାଜିକ ବ୍ୟାପାର ନେଇ ସଚେତନ ଏକଥା ବୋଧହୁଏ ଆମେ କେହି କଳ୍ପନା କରି ନ ଥିଲୁ । ତା ପୁଣି ଦାବା ଖେଳରେ ମଗ୍ନ ଥାଇ ସେ ଆମ ଆଲୋଚନା ଶୁଣି ଉଠିଆସି ଏପରି ଏକ ପ୍ରସ୍ତାବ ଦେବାଟା ଅଲୌକିକ ଲାଗିଲା ।

 

ଗୋକୁଳି ମଉସା ଆଗ ନିଜକୁ ସମ୍ଭାଳି ନେଇ ଖୁସିରେ ନାଚି ଉଠିଲେ, ‘‘ବଢ଼ିଆ କଥାଟାଏ କହିଲେ ସୁବିମଳ ବାବୁ । ସୁନ୍ଦର ପ୍ରସ୍ତାବ । କଣ କହୁଚୁ ସମର ?’’

 

‘‘ଭଲ ହୁଅନ୍ତା ଯେ, ତେବେ ମାଉସୀ ରାଜି ହେଲେ ତ !’’ ମୁଁ ଉତ୍ତର ଦେଲି ।

 

‘‘ଉଠ ସମର ।’’ କହି ମଉସା ଉଠି ପଡ଼ିଲେ ଆଗ ।

 

‘‘କୁଆଡ଼େ ?’’ ମୁଁ ପଚାରିଲି ।

 

‘‘ଚାଲ ଯିବା ବିକାଶ ଘରକୁ ।’’

 

‘‘ସାଙ୍ଗେ ସାଙ୍ଗେ ?’’

 

‘‘ହଁ, କୁସୁମ କାଇଁ ? ଡାକ ତାକୁ । ଏ କୁସୁମ, କୁସୁମ ।’’

 

‘‘କଣ ମଉସା ?’’ କୁସୁମ ଆସିଲା ।

 

‘‘ଚାଲ ମୋ ସାଙ୍ଗେ ।’’

 

‘‘ସେ କାହିଁକି ଯିବ ଆମ ସାଥିରେ ?’’ ମୁଁ ପ୍ରତିବାଦ କଲି ।

 

‘‘ମୁଁ ଆଜି ସବୁ ଠିକଣା କରି ଦେଇ ଆସିବି ଏକାଥରକେ ।’’ ଗୋକୁଳି ମଉସା ବ୍ୟସ୍ତ ହୋଇ ଉଠିଲେ ।

 

ତେଣିକି ଆମେ ଯିଏ ଯେତେ ବୁଝେଇଲେ ବି ଗୋକୁଳି ମଉସା କାହା କଥାକୁ କାନ ଦେଲେ ନାହିଁ । ଅଗତ୍ୟା ତାଙ୍କୁ ଓ କୁସୁମକୁ ଧରି ମୁଁ ବାଟ କଢ଼େଇଲି ।

 

ବାଟଯାକ ଭାବିଲି, ମାଉସୀଙ୍କ ମନ ଯଦି ଠିକ ନ ଥିବ, ତେବେ ହୁଏତ ଓଲଟା ଫଳ ଫଳିବ । ପୁଣି ବିକାଶକୁ ମଧ୍ୟ ଏ କଥା ଆଗରୁ ଜଣେଇବା ଉଚିତ ହୋଇଥାଆନ୍ତା । ତେବେ ଗୋକୁଳି ମଉସା ଯେମିତିକା ଅଖାଡ଼ୁଆ ଲୋକ ତାଙ୍କୁ ଏଇଲାଗେ ସେଥିରୁ କ୍ଷାନ୍ତ କରିବାଟା ମଧ୍ୟ ଅସମ୍ଭବ ।

 

ବିକଶା ବସାରେ ପହଞ୍ଚି ଦେଖିଲୁ, ସଦର ଦରଜା ଭିତରୁ ବନ୍ଦ । କଡ଼ା ଖଡ଼ଖଡ଼ କରିବା ପରେ ମାଉସୀ ଠାକୁରଘରୁ ଉଠି ଆସି ଦରଜା ଖୋଲି ଅପଲକ ଆଖିରେ କେତେ ସମୟ ଆଗ କୁସୁମକୁ ଚାହିଁ ରହିଲେ । ତାପରେ ତା ହାତ ଧରି ଡାକି ନେଲେ, ‘‘ଆଲୋ ମା’....ଆ । ମୁଁ ଜାଣେ, ତୋରି ପରି ଲକ୍ଷ୍ମୀଟିଏ ସେ ମୋ ବିକୁ ପାଇଁ ନିଶ୍ଚେ ଯୋଗାଡ଼ କରି ଦେବେ ।’’ ମାଉସୀ ଆମଆଡ଼େ ଦୃଷ୍ଟି ନ ଦେଇ କୁସୁମକୁ ଧରି ଭିତରକୁ ଚାଲିଗଲେ ।

 

ଗୋକୁଳି ମଉସା ଓ ମୁଁ ଆବାକାବା ହୋଇ ପରସ୍ପରକୁ ଚାହିଁଲୁ । ଏଡ଼େ ସହଜରେ ଆମେ କଥା ଉଠେଇବା ଆଗରୁ ଆଶା ପୂରଣ ହୋଇଯିବ, ଏକଥା କଳ୍ପନା ବି କରି ନ ଥିଲୁ ।

 

ପ୍ରକୃତରେ ଆମକୁ କଥା ଉଠେଇବାକୁ ପଡ଼ିଲା ନାହିଁ । ମାଉସୀ ନିଜେ ତାଙ୍କ ଟ୍ରଙ୍କ ଖୋଲି କୋଉକାଳର ବଢ଼ିଆ ପାଟଶାଢ଼ୀ ଖଣ୍ଡେ କାଢ଼ିଆଣି କୁସୁମକୁ ପିନ୍ଧେଇ ଠାକୁରଙ୍କ ଆଗରେ ମୁଣ୍ଡିଆ ମାରିବାକୁ କହି ମନକୁମନ ମାଗୁଣି ଜଣେଇଲେ, ‘‘ଠାକୁରେ, ମୋ ଲକ୍ଷ୍ମୀ ମା’କୁ ଅଇସୁଲକ୍ଷଣୀ କର ।’’

 

ତାପରେ ମାଉସୀ ଦାଣ୍ଡଘରକୁ ଚାଲି ଆସି କହିଲେ, ‘‘ଆରେ ଏଯାଏ ଠିଆ ହେଇଚ ! ହଇ ରେ ସମର, ତୋର ଏ କି ବୁଦ୍ଧି କହିଲୁ ? ଏଯାଏ ତାଙ୍କୁ ଠିଆ କରେଇ ରଖିଚୁ ! ବସ ମୁଁ ମିଠା ଆଣେ ।’’

 

‘‘ଥାଉ ମାଉସୀ ଥାଉ । ଆମେ ଯୋଉ କାମରେ....’’

 

‘‘ମୁଁ ଜାଣେରେ ଜାଣେ, ବସ ମୁହଁ ମିଠାକରି ଯିବ ।’’ ତାପରେ ଗୋକୁଳି ମଉସାଙ୍କୁ କହିଲେ, ‘‘ଆପଣ ବସୁନାହାନ୍ତି ।’’

 

ମଉସା ଓ ମୁଁ ବସିଲୁ ।

 

ମାଉସୀ ପୁଣି ଭିତରକୁ ଚାଲିଗଲେ ।

 

ମଉସା ପଚାରିଲେ, ‘‘ବିକାଶର ମା’ ?’’

 

‘‘ହଁ ।’’

 

‘‘ଟିକିଏ ଆଡ଼ବାୟାଣୀ କି ?’’

 

‘‘ହଁ ।’’

 

‘‘କଣ ଜନ୍ମରୁ ?’’

 

‘‘ନା ।’’

 

‘‘କେବେଠୁ ତାହେଲେ ?’’

 

‘‘ବାହାଘର ପରେ ।’’

 

‘‘କେମିତି ?’’

 

‘‘ବାହାଘରର ସାତଦିନ ପରେ ସ୍ୱାମୀ ଦୁର୍ଘଟଣାରେ ଗତ ହୋଇଗଲେ । ତା ପରଠୁ ଏଇ ଅବସ୍ଥା ।’’

 

‘‘ବଡ଼ ଦୁଃଖୀ ତାହେଲେ !’’ ମଉସାଙ୍କ ଆଖି ଛଳଛଳ ହୋଇ ଉଠିଲା ।

 

କୁସୁମ ଆମ ପାଇଁ ଚାହା ମିଠେଇ ଧରି ଆସିଲା । ଆମେ ଖାଇଲୁ ।

 

ତାପରେ ମୁଁ କହିଲି, ‘‘ଆମେ ଆସୁଚୁ ଏଥର ମାଉସୀ ।’’

 

‘‘ମା’ ଲକ୍ଷ୍ମୀକୁ କେବେ ମୋ ଘରକୁ ପଠେଇବ ?’’

 

ଉତ୍ତର ନ ଦେଇ ମୁଁ ଗୋକୁଳି ମଉସାଙ୍କୁ ଚାହିଁଲି ।

 

ଗୋକୁଳି ମଉସା କୂଟନୀତିଜ୍ଞଙ୍କ ପରି ଜବାବ ଦେଲେ, ‘‘ବାହାଘର ପରେ ।’’

 

‘‘କେବେ ବାହାଘର କରିବେ ?’’

 

‘‘ଜାତକ ଦେଖା ସରୁ । ପୁଣି ନେଣଦେଶ କଥା ଅଛି....’’

 

ବାଧା ଦେଇ ମାଉସୀ କହିଉଠିଲେ, ‘‘ପୁଅ ମୋର, ଜାତକ ଦେଖିବା ଦାବୀ ମୋର ଉଠେଇବା କଥା । ହେଲେ ଝିଅ ଯେତେବେଳେ ମୋର ପସନ୍ଦ, ମୁଁ ଜାତକ ଦେଖିବିନି । ବାକି ରହିଲା ନେଣଦେଣ କଥା । ମୋର କିଛି ଦାବୀ ନାହିଁ । କହିବେ ତ ଦି’ ତରଫର ଖର୍ଚ୍ଚ ଦେଇ ମୁଁ ମୋ ଲକ୍ଷ୍ମୀକୁ ନେଇ ଆସିବି । ପୁଅ ମୋର କି ଟ୍ରେନିଂରେ ବର୍ଷକ ପାଇଁ ଆମେରିକା ଯିବ କହୁଚି । ତେଣୁ ପନ୍ଦରଦିନ ମାସେ ଭିତରେ ମୁଁ କାମ ସାରିଦେବାକୁ ଚାହେଁ ।’’

 

ମୁଁ ବୁଝେଇଲି, ‘‘ସେକଥା ଠିକ୍‌ ଯେ ମାଉସୀ, ବିକାଶକୁ ତ ପୁଣି ସେମାନେ ଦେଖିବେ । ନରୁ ମାମୁଁଙ୍କୁ ବି ଡକେଇବାକୁ ହବ..... ।’’

 

ଅସହିଷ୍ଣୁଙ୍କ ପରି ମାଉସୀ ବାଧା ଦେଇ କହି ଉଠିଲେ, ‘‘ତୁ ତେବେ ଆଜି ନରୁ ପାଖକୁ ଟେଲିଗ୍ରାମ କରିଦେ ।’’

 

‘‘ହଉ । ବିକାଶ ସାଙ୍ଗେ କଥାଭାଷା ହେଇ ଆଜି ରାତିରେ ଟେଲିଗ୍ରାମ କରିବି ।’’ ରାଜି ହୋଇସାରି ଅନୁମତି ଲୋଡ଼ିଲି, ‘‘ଆମେ ଏଥର ଆସୁ ତାହେଲେ ?’’

 

‘‘ହଉ ।’’ ବୋଲି କହି କୁସୁମକୁ ପାଖକୁ ଟାଣି ନେଇ ଟିକିଏ ସମୟ ଏକଲୟରେ ଚାହିଁ କପାଳରେ ତାର ଓଠ ଛୁଏଇଁ କହିଲେ, ‘‘ମାଆ ଲୋ ତୁ ଆସି ସଂସାର ସମ୍ଭାଳିଲେ ମୁଁ ଶାନ୍ତି ପାଇବି-।’’

 

‘‘ଟିକିଏ ରୁହ ମଉସା, ମୁଁ ଶାଢ଼ୀଟା ପାଲଟିଦିଏ ।’’ କୁସୁମ ଭିତରକୁ ଯିବାକୁ ବାହାରିଲା-

 

ମାଉସୀ ବାରଣ କଲେ, ‘‘ତୁ କଣ ତାହେଲେ ମୋ ବୋହୂ ହବୁନି ?’’ ମାଉସୀଙ୍କ ଚେହେରା ଯେମିତି କଳା ପଡ଼ିଗଲା ।

 

ମୁଁ ଡରିଗଲି ମାଉସୀଙ୍କ ରୂପ ଦେଖି । ଭୟ ହେଲା, ପୁଣି ହୁଏତ ତାଙ୍କ ପାଗଳାମୀ ବାହାରି ପଡ଼ିବ । ତେଣୁ ଗୋକୁଳି ମଉସା କିଛି କହିବା ଆଗରୁ ମତ ଦେଲି, ‘‘ଶାଢ଼ୀ ବଦଳେଇବା ଦରକାର ନାହିଁ । କଥା ତ ଛିଣ୍ଡିଲା, ମାଉସୀ ତ ତୁମକୁ ଶାଢ଼ୀ ପିନ୍ଧେଇ ଦେଲେ । ମୁଣ୍ଡିଆ ମାର, ଚାଲ ଯିବା ।’’

 

ଗୋକୁଳି ମଉସା, ମାଉସୀଙ୍କ ଉତ୍ସାହ ଦେଖି ସେତେବେଳକୁ ଏକପ୍ରକାର ମୂକ ପାଲଟିଗଲେଣି ।

 

ଗୋକୁଳି ମଉସା ଓ କୁସୁମକୁ ଧରି ମୁଁ ଫେରିଲି । ମାଉସୀ, କୁସୁମକୁ ଦେଖିବାମାତ୍ରେ ଏଡ଼େ ଅଧୀରା ହୋଇ ପଡ଼ିବେ ବୋଲି ମୁଁ ସ୍ୱପ୍ନରେ ଭାବି ନ ଥିଲି । ତେଣୁ ମୋ ମନରେ ସନ୍ଦେହ ହେଲା, ହୁଏତ ମାଉସୀଙ୍କର ଏଇ ଆଡ଼ବାୟାଣୀ ବ୍ୟବହାର ଦେଖି ଗୋକୁଳି ମଉସା ଫିଡ଼ିକିଯିବେ-। ତାପରେ ମାଉସୀଙ୍କ ଅବସ୍ଥା ଯେ କଣ ହେବ ସେକଥା କଳ୍ପନା କରିବା ସହଜ ନୁହେଁ-

 

କିନ୍ତୁ ବସାକୁ ଫେରିବାମାତ୍ରେ, ଗୋକୁଳି ମଉସା ସଗର୍ବେ ଘୋଷଣା କଲେ, ‘‘ହେଇଗଲା । କାମ ଫତେ । ଏଥର ଶୀଘ୍ର ବ୍ୟବସ୍ଥା କର ବାହାଘରର ।’’

 

ଭୁବନ ବାବୁ ଜାଣିବାକୁ ଚାହିଁଲେ, ‘‘କଣ ହେଇଗଲା ?’’

 

‘‘ସବୁ ଠିକ୍ । ପୁଅବାଲା ରାଜି ।’’

 

‘‘ପୁଅ ଦେଖିବାକୁ କେମିତି, କଣ କରୁଚି, ଘରଦ୍ୱାର ସ୍ୱଭାବ ଚରିତ୍ର ଏସବୁ କଥା କିଛି ନ ଜାଣି ରାଜି ହୋଇ....’’

 

ଆଉ ସମ୍ଭାଳି ନ ପାରି ଗୋକୁଳି ମଉସା କହି ଉଠିଲେ, ‘‘କିଛି ବୁଝିବାର ନାହିଁ ହେ ଭୁବନ । ପିଲାକୁ ଆମେ ସବୁ ଦେଖିଚୁ, ଜାଣିଚୁ । ସମରର ସାଙ୍ଗ, ବ୍ୟାଙ୍କରେ ପ୍ରୋବେଶନ ଅଫିସର । ରଜା ଛୁଆ ପରି ଦେଖିବାକୁ । ଚମତ୍କାର ଫୁଟବଲ ଖେଳେ । ଆଉ ଅଧିକ କଣ ଦରକାର କହ ?’’

 

‘‘ପିଲାର ବାପା କଣ କରନ୍ତି ?’’

 

‘‘ନାହାନ୍ତି ।’’

 

‘‘ମାନେ ?’’

 

ଗୋକୁଳି ମଉସା ଏଥର ମତେ ଚାହିଁଲେ ।

 

ମୁଁ ଉତ୍ତର ଦେଲି, ‘‘କାଳ ହୋଇ ଯାଇଚି ।’’

 

‘‘ଘରେ ଆଉ କିଏ ଅଛନ୍ତି ?’’ ଭୁବନ ବାବୁ ଜେରା କଲେ ।

 

‘‘ମା-ପୁଅ ଦି’ଜଣ ।’’ ମୁଁ ଜଣେଇଲି ।

 

ଭୁବନ ବାବୁ କେତେ ସେକେଣ୍ଡ ତୁନୀ ହୋଇ କଣ ଭାବିଲେ । କଥାଟା ବୋଧହୁଏ ତାଙ୍କ ମନକୁ ପାଇଲା ନାହିଁ । ସେ କଥା ଉଠେଇଲେ, ‘‘ଜାତକଟା ମଗେଇ ଆଣନ୍ତୁ ।’’

 

ମଉସା ଜବାବ ଦେଲେ, ‘‘ପୁଅବାଲା ତ ଜାତକ ଦେଖିବାକୁ ଚାହୁଁ ନାହାନ୍ତି । ଆମେ ଝିଅ ପକ୍ଷ ହୋଇ ଅକାରଣରେ କାହିଁକି ସେକଥା ଉଠେଇବା ଶୁଣେ ! ଦେଖ ଭୁବନ, ମୁଁ କହୁଚି ପିଲା ଭଲ । ନେଣଦେଣର ପ୍ରଶ୍ନ ବି ନାହିଁ । ମା’ ତାର କୁସୁମକୁ ଦେଖିବାମାତ୍ରେ ବୋହୂ ବୋଲି ସ୍ୱୀକାର କରିନେଇ ପାଟ ଶାଢ଼ୀ ପିନ୍ଧେଇ ଦେଲେ । ତେଣୁ ମୋ ମତରେ ଏଇଠି କରିଦେବାଟା ଭଲ ।’’

 

ମୁଁ ଦେଖିଲି କଥା ଛିଣ୍ଡିବ ନାହିଁ ଏଡ଼େ ତରବରରେ । ଭୁବନ ବାବୁଙ୍କ ପାଇଁ ବିକାଶ ଅପରିଚିତ । ତେଣୁ ବାପ ହିସାବରେ ସବୁ ଦିଗରୁ ଭାବିଚିନ୍ତି ନିଷ୍ପତ୍ତି ସେ ଗ୍ରହଣ କରିବାଟା ସ୍ୱାଭାବିକ । ଆଉ ସେଥିସକାଶେ ସମୟ ଟିକିଏ ଲୋଡ଼ା । ତେଣୁ କହିଲି, ‘‘ଏଇଲାଗେ ଏ ନେଇ ଆଲୋଚନା କରି କି ଲାଭ ? କାଲିକୁ ଭଲ ରୂପେ ଭାବିଚିନ୍ତି ଠିକ କରିବାଟା ଭଲ ହେବ ।’’

 

ସେଦିନ ସେଇଠି କଥା ଅଟକିଲା ।

 

ପରଦିନ ଏ ନେଇ ତନାଘନା ଆଲୋଚନା ଚାଲିଲା ଗୋକୁଳି ମଉସାଙ୍କ ଘରେ । ମୁଁ ବିକାଶ ସମ୍ପର୍କରେ ଯାହା ଜାଣେ କହିଲି । କିଛି ଲୁଚେଇଲି ନାହିଁ । ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ମାଉସୀ କେମିତି ଟିକିଏ ଆଡ଼ପାଗଳୀ ହୋଇ ଯାଇଥିବା କଥା ମଧ୍ୟ ଜଣେଇଦେଲି । ବିକାଶକୁ ମୋ ବସାକୁ ଡକେଇ ଆଣି ଭେଟାଭେଟି ବି କରେଇ ଦେଲି । ତଥାପି ଭୁବନ ବାବୁ ମନ ସ୍ଥିରକରି ପାରିଲେ ନାହିଁ ।

 

ଆରଦିନ ସକାଳୁ ଭୁବନ ବାବୁ ସସ୍ତ୍ରୀକ ଷ୍ଟେଟ ବ୍ୟାଙ୍କରେ କାମ କରୁଥିବା ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଗଲେ ପରାମର୍ଶ କରିବା ସକାଶେ । ସେଠୁ ଦି’ଘଣ୍ଟା ପରେ ଫେରିଆସି ମତ ଦେଲେ ଯେ ସେ ରାଜି ।

 

ଟେଲିଗ୍ରାମ ପାଇ ନରୁମାମୁଁ ଆସିଲେ ଚାରିଦିନ ପରେ । ସେଇଠୁ ସମସ୍ତେ ଏକାଠି ବସି ଦିନ ବାର ଠିକଣା ହେଲା । ନେଣଦେଣର ପ୍ରଶ୍ନ କୋଉ ତରଫରୁ ହେଲେ ଉଠିଲା ନାହିଁ । ସ୍ଥିର ହେଲା, ମାସକ ପରେ ବାହାଘର ହବ କଟକରେ ।

 

ତନାଘନାରେ ବାହାଘରର ଯୋଗାଡ଼ଯନ୍ତ୍ର ଚାଲିଲା । ଦୁଇ ତରଫ ଧ୍ୟରେ ଖାଲି ଯେ ମତେ ସମନ୍ୱୟ ରଖିବାକୁ ପଡ଼ିଲା ତା ନୁହେଁ, ବ୍ୟବସ୍ଥା ବି କରିବାକୁ ପଡ଼ିଲା ସବୁ କିଛି ।

 

ଗୋଟାଏ ନୂଆ କଥା ଅବଶ୍ୟ ମୁଁ ଲକ୍ଷ୍ୟ କଲି ତାପରେ । ଖରାବେଳର ଦାବା ଖେଳ ଏକବାରେ ବନ୍ଦ ହୋଇଗଲା । ତେବେ ସୁବିମଳ ବାବୁ ତାଙ୍କ ଅଭ୍ୟାସ ବଜାୟ ରଖି ରୋଜ ଠିକ ଦଶଟାକୁ ଆସି ପହଞ୍ଚିବାରେ ହେଳା କଲେ ନାହିଁ । କିନ୍ତୁ ଦାବା ପାଲି ଖୋଲି ବସିବା ବଦଳରେ ସେ ବିବାହର ବିଭିନ୍ନ ଆୟୋଜନ ସମ୍ପର୍କରେ ଆଲୋଚନା ବସି ବସି ଶୁଣିଲେ ଆମ ପାଖେ । ଅବଶ୍ୟ କୌଣସିଥିରେ ଟିକିଏ ବି ହେଲେ ଭାଗ ନେଲେ ନାହିଁ ନିଜଆଡ଼ୁ । କେତେବେଳେ କେମିତି ତାଙ୍କ ମତ ଲୋଡ଼ିଲେ ବି ପାଟି ଫିଟେଇଲେ ନାହିଁ । ବାହାଘରର ଦୁଇଦିନ ଆଗରୁ ମୁଁ ବସା ଖାଲି କରି ଦେଇ ଉଠି ଗଲି ଦି’ଚାରି ଦିନ ପାଇଁ ବିକାଶ ଘରକୁ ଭୁବନ ବାବୁଙ୍କ ବନ୍ଧୁ ବାନ୍ଧବମାନେ ଆସି ରହିବେ ବୋଲି । ସେଠି ଦେଖିଲି, ଆଉ ଗୋଟାଏ ନୂଆ କଥା । ମାଉସୀ ତାଙ୍କ ପୂଜାପାଠ କଥା ଏକବାରେ ଯେମିତି ଭୁଲି ଯାଇଛନ୍ତି । ବଦଳରେ ପୁରୁଣାକାଳିଆ ପ୍ରତିଷ୍ଠିତ ଘରର ଘରଣୀ ପରି ସେ ଟିକିନିଖି ସବୁ ଯୋଗାଡ଼ରେ ଲାଗିପଡ଼ିଚନ୍ତି ଦିନରାତି । ତାଙ୍କ କାର୍ଯ୍ୟକଳାପରୁ ମନେ ହେଲା ନାହିଁ ଯେ ସେ ଆଡ଼ବାୟାଣୀ ବୋଲି । ବରଂ ଲାଗିଲା ଅନ୍ୟମାନଙ୍କ ତୁଳନାରେ ସେ ବେଶ ସୁସ୍ଥ । ନ ହେଲେ ଆଭିଜାତ୍ୟ ମଫସଲ ଘରର ସବୁ କାଇଦା କଟକଣାକୁ ମନେ ପକେଇ ସେ ଅ ଠୁ କ୍ଷ ଯାଏ ଏତେ ସବୁ ବ୍ୟବସ୍ଥା କରିପାରନ୍ତେ ନାହିଁ ।

 

ବାହାଘରର ଦୁଇ ଦିନ ପୂର୍ବରୁ ନରୁମାମୁଁ ପ୍ରସ୍ତାବ କଲେ, ‘‘ନାନୀ, ମୁଁ କାଲି ଟ୍ୟାକ୍‌ସି କରି ଯାଇ ନବ ଭାଇନା ଓ ହରି ଭାଇନାଙ୍କୁ ଡାକି ଆଣୁଚି ।’’

 

’’ଦରକାର ନାହିଁ ।’’ ମଉସୀ ମନା କଲେ ।

 

‘‘ସେମାନେ ପରା ବିକୁର ନିଜ ମାମୁଁ ।’’

 

‘‘କେବେ ଥିଲେ ।’’

 

‘‘ଏଇଲେ କଣ ନାହାନ୍ତି ?’’

 

‘‘ବହୁ ଆଗରୁ ମୁଁ ସେମାନଙ୍କ ପାଇଁ ଶୁଦ୍ଧି ହୋଇ ସାରିଛି ।’’ ମାଉସୀ ନିଜ ଜିଦରେ ଅଟଳ ରହିଲେ ।

 

‘‘ନାନୀ ପଛ କଥାକୁ ଭୁଲି ଯା । ବିକୁର ବାପା ଯେତେବେଳେ ନାହାନ୍ତି, ନନ୍ଦ ଭାଇନା ବରକର୍ତ୍ତା ହବାଟା ବାହାରକୁ ସାଜିବ ।’’

 

‘‘ତୋ ଯୋଗୁ ଆଜି ବିକୁ ମଣିଷ । ତୁ ନ ଥିଲେ ତ ସେମାନେ ମୋ କୋଳରୁ ତାକୁ ଛଡ଼େଇ ନେଇ କୋଉ କିରସ୍ତାନ ଗୀର୍ଜାକୁ ଦେଇ ପକେଇ ଥାଆନ୍ତେ । ସେମିତିକା କଂସ ମାମୁଁଙ୍କୁ ଶୁଭକାମରେ ଡାକିଲେ ମୋ ପୁଅର ଅମଙ୍ଗଳ ହବ ।’’ ମାଉସୀ ତାଙ୍କ ଶେଷ ନିଷ୍ପତ୍ତି ଶୁଣେଇଲେ ।

 

‘‘ତେବେ ବରକର୍ତ୍ତା ହବ କିଏ ?’’

 

‘‘ବାହାଘର ଦିନ ଦେଖିବା ।’’ ମାଉସୀ ପ୍ରଶ୍ନଟାକୁ ଏଡ଼େଇଦେଲା ପରି ଲାଗିଲା ମତେ ।

 

ମାଉସୀଙ୍କ ମନୋଭାବ ଠଉରେଇ ନେଇ ନରୁମାମୁଁ କଥା ବଦଳେଇଲେ, ‘‘ତୋ ଗହଣାଗୁଡ଼ାକ ଆଣିଚି ।’’

 

‘‘କାହିଁକି ?’’

 

‘‘ବୋହୂକୁ ପିନ୍ଧେଇବୁନି ?’’

 

‘‘ତୋ ମନ ଯଦି ପିନ୍ଧା ।’’

 

‘‘ତୁ ତାହେଲେ ତୋ ବୋହୂକୁ କଣ ପିନ୍ଧେଇବୁ ?’’

 

‘‘ବିକୁ ବାପା ମତେ ଯାହା ପିନ୍ଧେଇଛନ୍ତି ।’’

 

ନରୁ ମାମୁଁ ଆଉ କଥା ବଢ଼େଇଲେ ନାହିଁ ମାଉସୀ ତାଙ୍କ ସ୍ୱାମୀଙ୍କ କଥା ଉଠେଇଲାରୁ ।

 

ପରଦିନ ବିକାଶ ମତେ ପଚାରିଲା, ‘‘ସବୁ ହେଲା ଯେ ବରକର୍ତ୍ତା କିଏ ହେବ ?’’

 

‘‘ମାଉସୀ ଯାହାକୁ କହିବେ ।’’

 

‘‘ତୁ ପଚାରି ନାହୁଁ ?’’

 

‘‘ପଚାରିଚି । ମାଉସୀଙ୍କୁ ବି କହିଥିଲି ତୋ ନିଜ ମାମୁଁ ନହେଲେ ଦଦେଇ କାହାକୁ ଡକେଇବା ସକାଶେ ।’’

 

‘‘କଣ କହିଲା ମା’ ?’’

 

‘‘ଆଗ ତ କିଛି କହିଲେ ନାହିଁ । କାଲି ପୁଣି ପଚାରିଲାରୁ କହିଲେ ଯେ ସେକଥା ତା ବାପା ବୁଝିବେ ବୋଲି ତାଙ୍କ ଆତ୍ମା କହୁଚି ।’’

 

ମୋ କଥା ଶୁଣି ବିକାଶର ମୁହଁ ଶୁଖିଗଲା ।

 

ମୁଁ ପଚାରିଲି, ‘‘କଣ ହେଲା ତୋର ?’’

 

ଟିକିଏ ସମୟ ଚୁପ ରହି ସେ କହିଲା, ‘‘ମୋର ବେଳେ ବେଳେ କଣ ମନେହୁଏ ଜାଣୁ-?’’

 

‘‘କଣ ?’’

 

‘‘ମୋ ବାପାଙ୍କ ପରିଚୟ ହୁଏତ ଚିରକାଳ ମୋ ପାଇଁ ଅଜଣା ରହିଯିବ ।’’

 

‘‘ଇଏ ତୁ କଣ କହୁଚୁ ବିକାଶ ! ନିଜ ମା’କୁ ଅବିଶ୍ୱାସ କରୁଚୁ !’’

 

‘‘ମତେ ଭୁଲ ବୁଝନା ସମର । ମା’କୁ ଅବିଶ୍ୱାସ କରିଥିଲେ ମୁଁ କେବେଠୁ ପାଗଳ ହୋଇ ଯାଆନ୍ତିଣି । ତେବେ ଗୋଟାଏ ପ୍ରଶ୍ନ ଚିରକାଳ ମତେ ଘାଣ୍ଟିବ । ବାପାଙ୍କ କଥା ଉଠିଲେ ମୋ ମା’ କାହିଁକି ପାଗଳୀଙ୍କ ପରି ହୁଏ !’’

 

‘‘ଆମ ସମାଜରେ ବାହାଘରର ସାତଦିନ ପରେ ସ୍ୱାମୀ ଚାଲିଗଲେ ନାରୀ ମନରେ କି ଦାରୁଣ ଆଘାତ ଲାଗେ ସେକଥା ଭୁକ୍ତଭୋଗୀ ହିଁ ଜାଣେ ।’’

 

‘‘କିନ୍ତୁ ମା’ ତ କୁହେ ମୋ ବାପା ଜୀବିତ ।’’

 

‘‘ମନ ଭିତରେ ସେଇ ବିଶ୍ୱାସ ଟିକକ ନ ରଖିଥିଲେ ସେ ହୁଏତ କୋଉ କାଳରୁ ଜୀବନ ହାରି ଦେଇଥାଆନ୍ତେ । ତତେ ମଣିଷ କରିବାକୁ ସୁଯୋଗ ପାଇ ନ ଥାନ୍ତେ ।’’

 

‘‘ହୁଏତ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ତୋ ଚିନ୍ତାଧାରା ଠିକ୍‌ । ତେବେ ମା’କୁ ମୁଁ ଯେତିକି ଜାଣେ, ସେଥିରୁ ଏତିକି କହିବି ଯେ ମୋ ମା’ ମତେ କେବେ ମିଛ କହିବନି ।’’

 

‘‘ତୋ ମୁଣ୍ଡ ଖରାପ ହୋଇଗଲାଣି କିରେ ?’’

 

‘‘ବୋଧହୁଏ ।’’ ଅନ୍ୟମନସ୍କ ଭାବରେ ମାନିଯାଇ ସେ ଯୋଡ଼ିଲା, ‘‘ଭାବୁଚି, ମା’କୁ ପଚାରିବି ମୋ ବାପା କୋଉଠି ଅଛନ୍ତି କହ ।’’

 

‘‘ବାହାଘର ସରିଯାଉ । ତା ପୁର୍ବରୂ ଏ ଦୁର୍ବୁଦ୍ଧି କରନା, କହି ରଖୁଚି ।’’ ତାପରେ ମୁଁ କଥା ବଦଳେଇ ମତ ଦେଲି, ‘‘ନରୁ ମାମୁଁ ବରକର୍ତ୍ତା ହେଲେ କେମିତି ହୁଅନ୍ତା ?’’

 

‘‘ତାଛଡ଼ା ଆଉ ଉପାୟ କଣ ଅଛି ? ମା’କୁ କହି ଦେଖ ।’’

 

‘‘ବାହାଘର ଦିନ ସକାଳେ ପ୍ରସ୍ତାବ ଉଠେଇବି । ଏଇଲାଗେ କହି ଲାଭନାହିଁ ।’’

 

‘‘ତୋ ଇଚ୍ଛା ।’’

 

ବାହାଘର ଦିନ ସକାଳେ ମୁଁ ପୁଣି କଥା ଉଠେଇଲି ବରକର୍ତ୍ତା କିଏ ହବ ବୋଲି ମାଉସୀଙ୍କ ପାଖେ । ସେ ନିର୍ବିକାର ସବୁ ଶୁଣିଗଲେ । କିନ୍ତୁ କିଛି ଉତ୍ତର ଦେଲେ ନାହିଁ । ମୁଁ ମୋ ତରଫରୁ ପ୍ରସ୍ତାବ ଦେଲି ନରୁ ମାମୁଁ ବରକର୍ତ୍ତା ହେବା ସକାଶେ । ତଥାପି ସେ କିଛି କହିଲେ ନାହିଁ । ଖାଲି ଟିକିଏ ହସି ଦେଲେ । ଭାବ ଭଙ୍ଗୀରୁ ମନେ ହେଲା, ସତେ ଯେମିତି ସେ ନିଜ ଚିନ୍ତାରେ ବିଭୋର ଓ ମୋ କଥାଗୁଡ଼ାକୁ ମୋଟେ ଶୁଣିପାରି ନାହାନ୍ତି । ତେଣୁ ଚୁପ ହୋଇଗଲି । ମାଉସୀଙ୍କୁ ଆଉ କହିବାକୁ ଦମ୍ଭ ପାଇଲା ନାହିଁ । ଭୟ ହେଲା, ହୁଏତ ଆଜି ପରା ଦିନରେ ସେ ମୋ ଯୋଗୁ ପୁଣି ଅଖିଆଅପିଆ ଠାକୁର ଘରେ ପଶି ଭାଗବତ ବୋଲି ଲାଗିବେ ।

 

ବର ଶୋଭାଯାତ୍ରା କିଛିବାଟ ଗଲାପରେ ଅଘଟଣଟା ଘଟିଲା । ନରୁ ମାମୁଁ ଛାତିରେ ଟିକିଏ କଷ୍ଟ ଅନୂଭବ କଲେ । ସେଇଠି ବାଟ ମଝିରେ ତାଙ୍କୁ ପ୍ରାଥମିକ ପରୀକ୍ଷା କଲା ପରେ ମୋ ମନରେ ସନ୍ଦେହ ହେଲା ଯେ ଘଟଣାଟା ସାମାନ୍ୟ ନୁହେଁ । ତେଣୁ ସାଙ୍ଗେ ସାଙ୍ଗେ ମୁଁ ତାଙ୍କୁ ଆଉ ଗୋଟାଏ ଗାଡ଼ିରେ ହସ୍ପିଟାଲ ନେଇଗଲି । ସେଠି ପହଞ୍ଚି ଭଲରୂପେ ପରୀକ୍ଷା କଲା ପରେ ଜଣାଗଲା ଯେ ନରୁ ମାମୁଁ ହୃଦରୋଗରେ ଆକ୍ରାନ୍ତ । ଅନ୍ତତଃପେକ୍ଷ ପନ୍ଦରଦିନଯାଏ ତାଙ୍କୁ ହସ୍ପିଟାଲରେ ରହିବାକୁ ହେବ । ତାଙ୍କ ଚିକିତ୍ସାର ବ୍ୟବସ୍ଥା କରି ଓ ମୋର ଜଣେ ବନ୍ଧୁଙ୍କୁ ତାଙ୍କ ପାଖରେ ଜଗେଇ ରଖି ମୁଁ ଫେରିଲି ଗୋକୁଳି ମଉସାଙ୍କ ବସାକୁ ।

 

ମତେ ଦେଖି ଗୋକୁଳି ମଉସା ପଚାରିଲେ, ‘‘ଅବସ୍ଥା କେମିତି ?’’

 

‘‘ଚିନ୍ତାର କାରଣ ନାହିଁ । ସାମାନ୍ୟ ଧରଣର ହୃଦରୋଗ । ତେବେ ପନ୍ଦରଦିନଯାଏ ହସ୍ପିଟାଲରେ ରହିବାକୁ ପଡ଼ିବ ।’’

 

‘‘ବରକର୍ତ୍ତା କିଏ ହେବ ତେବେ ?’’

 

‘‘ଆପଣଙ୍କୁ ସେ ବ୍ୟବସ୍ଥା କରିବାକୁ ପଡ଼ିବ ।’’

 

‘‘ଆଉ କେହି ବୟସ୍କ ଲୋକ ନାହାନ୍ତି ବରଯାତ୍ରୀଙ୍କ ଭିତରେ ?’’

 

‘‘ନା, ସମସ୍ତେ ଆମେ ଟୋକାଟୋକାଳିଆ ।’’

 

‘‘ତେବେ ତ ବଡ଼ ଅଡୁଆ ହେଲା ।’’ ଗୋକୁଳି ମଉସା କଣ କରିବେ କିଛି ଭାବି ପାରିଲେ ନାହିଁ ।

 

‘‘ମୁଁ ବରକର୍ତ୍ତା ହେଲେ ଚଳିବେ ?’’ ସୁବିମଳ ବାବୁ ଆମ ଦୁହିଁଙ୍କୁ ଆଚମ୍ବିତ କରିଦେଇ ନିଜଆଡ଼ୁ ପ୍ରସ୍ତାବ ଦେଲେ ।

 

ଆମେ ଦୁହେଁ ହତବାକ ହୋଇଗଲୁ ତାଙ୍କ କଥାରେ ।

 

ଗୋକୁଳି ମଉସା ପ୍ରଥମେ ନିଜକୁ ସମ୍ଭାଳି, ଖୁସି ହୋଇ କହିଲେ, ବଢ଼ିଆ ହବ । ଚାଲନ୍ତୁ, ଆଗ ନୂଆ ଲୁଗା ପିନ୍ଧିଲେ ।’’

 

‘‘ମୁଁ ବସାରୁ ମଠା ପନ୍ଧି ଆସୁଚି । ଆପଣ ବାହାଘର ବ୍ୟବସ୍ଥା ଆରମ୍ଭ କରନ୍ତୁ । ନ ହେଲେ ମୁହୂର୍ତ୍ତ ଗଡ଼ିଯିବ ।’’ ସୁବିମଳ ବାବୁ ଉତ୍ତରକୁ ଅପେକ୍ଷା ନ କରି ଚାଲିଗଲେ ବସାକୁ ।

 

ଅନ୍ୟାନ୍ୟ ବ୍ୟବସ୍ଥା କରି ବେଦୀ କାମ ଆରମ୍ଭ କଲାବେଳକୁ ସୁବିମଳ ବାବୁ ମଠା ପିନ୍ଧି, କାନ୍ଧରେ ମଠା ଚାଦର ପକେଇ ଆସି ହଜାର ହୋଇଗଲେ । ତାଙ୍କ ହାବଭାବ ଓ ଗିତିବିଧି ଦେଖି ମନେ ହେଲା ଯେମିତି ସେ ନିଜ ଜନ୍ମିତ ପୁଅକୁ ବାହା କରିବାକୁ ଯାଉଛନ୍ତି ।

 

ତିନିଘଣ୍ଟା ଭିତରେ ବାହାଘର କାମ ସରିଲା । ତାପରେ ବିକାଶ ଚାଲିଗଲା ନାରୀ ମହଲକୁ ବନ୍ଦାପନା ଲାଗି ।

 

ଆଉ ପ୍ରାୟ ଦଶ ପନ୍ଦର ମିନିଟ ପରେ ଭିତରୁ ସମାଲୋଚନା ଉଠିଲା, ‘‘ପୁଅ ଘରବାଲା କଣ ଝିଅକୁ କିଛି ପିନ୍ଧେଇବେନି ! ଏ ପୁଣି କେମିତିକା କଥା !’’

 

ସମାଲୋଚନା କାନରେ ବଜିବାମାତ୍ରେ ସୁବିମଳ ବାବୁ ବିଚଳିତ ହୋଇ ପଡ଼ିଲେ । ଅସହାୟଙ୍କପରି ସେ ଗୋକୁଳି ମଉସାଙ୍କୁ ଚାହିଁ ରହିଲେ ।

 

ଗୋକୁଳି ମଉସା ନିଜେ ଘର ଭିତରକୁ ଉଠି ଯାଇ କଥାଟାକୁ ଚାପି ଦେବାକୁ ଚେଷ୍ଟା କଲେ । ଫଳ କିନ୍ତୁ ବିପରୀତ ହେଲା । ସମାଲୋଚନା ମାତ୍ରା ଆହୁରି ବଢ଼ିଗଲା କଥର କଟାକଟିରୁ-

 

ମୋର ମନେ ପଡ଼ିଗଲା ନରୁମାମୁଁଙ୍କ କଥା । ବିକାଶର ବୋହୂକୁ ପିନ୍ଧେଇବା ପାଇଁ ମାଉସୀଙ୍କ ପିଲାବେଳର କଣ ସବୁ ଗହଣା ସେ ସାଙ୍ଗରେ ଆଣିଛନ୍ତି । ମୁଁ ସାଙ୍ଗେ ସାଙ୍ଗେ ଗୋକୁଳି ମଉସା ଡାକି ଆଣି କହିଲି, ‘‘ଗହଣା ତ ନରୁ ମାମୁଁଙ୍କ ପାଖେ ରହିଗଲା । ମୁଁ ଯାଇ ନେଇ ଆସୁଛି-।’’

 

ମଉସା ଶୁଣିଲା ମାତ୍ରେ ଭିତରକୁ ଫେରିଯାଇ ଶୁଣେଇ ଦେଲେ ଖବରଟା । ସାମୟିକ ଭାବେ ପାଟିତୁଣ୍ଡ କମିଗଲା ।

 

ମୁଁ ସ୍କୁଟର ଧରି ଚାଲିଲି ବିକାଶ ବସାକୁ ।

 

ମତେ ଦେଖିବାମାନେ ମାଉସୀ ପଚାରିଲେ, ‘‘ବାହାଘର ହେଇଗଲା ?’’

 

‘‘ହଁ । ଏଇଲେ ପୁଅ ଘର ତରଫରୁ ଝିଅକୁ ଗହଣା ପିନ୍ଧେଇବା କଥା ଉଠିଚି ।’’

 

‘‘ଆରେ ସତେତ ! ତା ବାପାଙ୍କ ପାଖେ କୋଉଠୁ ଗହଣା ଆସିବ ? ସେସବୁ ସିନା ମା’ର ଦେଖିବା କଥା !’’ ମାଉସୀ ପାଗଳୀଙ୍କ ପରି କହୁ କହୁ ବ୍ୟସ୍ତ ହୋଇପଡ଼ିଲେ ।

 

ମତେ ଲାଗିଲା ମୁଁ ପହଞ୍ଚିଲା ପୂର୍ବରୁ ମାଉସୀ ସ୍ୱପ୍ନ ଦେଖୁଥିଲେ ଯେ ସତକୁସତ ବିକାଶକୁ ତା ବାପା ବେଦୀରେ ବସି ବାହା ଦଉଛନ୍ତି । ମୁଁ ସୂଚନା ଦେଲି, ‘‘ନରୁମାମୁଁ ପରା...’’

 

‘‘ଚୁପ୍‌ କର । ସେଗୁଡ଼ାକ ପାପ ଜିନିଷ । ତାକୁ ପିନ୍ଧିଲେ ମୋ ବୋହୂର ଅମଙ୍ଗଳ ହେବ-।’’ ମତେ ଶାସନ କରି ସାରି ସେ ନିଜେ ପିନ୍ଧିଥିବା ଛୋଟ ଲକେଟ ଲଗା ସରୁ ହାରଟି ବେକରୁ କାଢ଼ି ଧରିଲେ । ତାପରେ ନିଜ କାନରୁ ହାଲୁକା ନାଲି ପଥର ବସା କାନଫୁଲ ଦୁଇଟି ବାହାର କରି ମୋ ହାତକୁ ବଢ଼େଇ ଦଉଦଉ ଅତୀତର କୋଉ ଅମଳକୁ ଚାଲିଯାଇ ମନକୁମନ କହି ଗଲେ, ‘‘ତା ବାପା ଆମ ବାହାଘର ଦିନ ମତେ ପିନ୍ଧେଇ ଥିଲେ ଠାକୁରଙ୍କୁ ସାକ୍ଷୀ ରଖି । ନେ ଦବୁ, ତାଙ୍କର ବୋହୂକୁ ପିନ୍ଧେଇ ଦେବେ ।’’

 

ଗହଣାତକ ହାତରେ ଧରି ମୁଁ କାଠ ପାଲଟି ଯାଇ ମାଉସୀଙ୍କୁ ଚାହିଁଲି । ସତରେ କଣ ସେ ପାଗଳୀ ହୋଇଗଲେ ! କିନ୍ତୁ ମୁହଁରେ ତ କୋଉଠି ଟିକିଏ ବିଲକ୍ଷଣ ଦିଶୁନି ପାଗଳାମୀର । ବରଂ ମନେ ହେଉଛି ସେ ଆଜି ପ୍ରକୃତରେ ସୁଖୀ ଓ ଦୃଢ଼ ବିଶ୍ୱାସର ସହିତ ମନ କଥା ଖୋଲି କହୁଚନ୍ତି ।

 

‘‘ଚାହିଁ ରହିଲୁ କଣ ଯେ ଚଞ୍ଚଳ ଯା’ ’’ ମାଉସୀ ଚେତେଇ ଦେଲେ ।

 

ମୋ ଜ୍ଞାନ ଫେରିଲା । ମାଉସୀଙ୍କ କଥା କାଲିକୁ ଦେଖିବି । ଆଗ ଏ କାମ ସରୁ । ‘‘ନା କିଛି ନୁହେଁ,’’ କହି ମୁଁ ଫେରିଲି ।

 

ଗୋକୁଳି ମଉସାଙ୍କ ବସାରେ ପହଞ୍ଚିଲା ବେଳକୁ ଏଇ ଗହଣା ପିନ୍ଧା ନେଇ ବ୍ୟାପାରଟା ଏକପ୍ରକାର ମାନ୍ଦା ପକେଇ ଦେଲାଣି ବାହାଘରର ଆବହାଓଆକୁ । ମୁଁ ଚଟାପଟ ସୁବିମଳ ବାବୁଙ୍କୁ ହାର ଓ କାନ ଫୁଲ ଦୁଇଟି ବଢ଼େଇ ଦେଲି ।

 

ହତବାକ ହୋଇ ସେ ମୋ ମୁହଁକୁ ଚାହିଁ ରହିଲେ ।

 

ମୁଁ କହିଲି, ‘‘ବିକାଶ ମା’ଙ୍କର । ନିଜେ ଦେହରୁ କାଢ଼ି ମତେ ଦେଲେ ଆପଣ ବୋହୂକୁ ପିନ୍ଧେଇ ଦେବେ ବୋଲି ।’’

 

ମୋ କଥା ବୋଧହୁଏ ସେ ଶୁଣି ପାରିଲେ ନାହିଁ । ଏକ ଅଜଣା ଶକ୍ତିର ପ୍ରଭାବରେ ସେ ପଥର ପାଲଟି ଯାଇଥିଲେ ସେତେବେଳକୁ । ମୋ ଉପରୁ ଆଖି ଫେରେଇ ସେ ହାର ଓ କାନ ଫୁଲ ଦୁଇଟିକୁ ଚାହିଁ ରହିଲେ କିଛି ସମୟ, ଆବେଗଭରା ଆଖିରେ ।

 

ମୁଁ ଡାକିଲି, ‘’ଆସନ୍ତୁ, ଝିଅକୁ ପିନ୍ଧେଇବେ ପରା ।’’

 

ମୁଁ ଆଗେ ଆଗେ ବାଟ କଢ଼େଇ ନେଲି । ସେ ମୋ ପଛେ ପଛେ ଆସିଲେ ମେସିନ ପରି ।

 

ଆମକୁ ଦେଖିବାମାତ୍ରେ ଅନ୍ଦର ମହଲର ଚାପା ଆଲୋଚନା ବିବାକେ ଥମିଗଲା । ସୁବିମଳ ବାବୁ କାନ ଫୁଲ ଦୁଇଟି କୁସୁମକୁ ଧରେଇ ଦେଇ ହାରଟି ପିନ୍ଧେଇ ଦେଲେ ।

 

ଗହଣାର ଆକାର ପ୍ରକାର ଦେଖଣାହାରୀଙ୍କ ମନକୁ ପାଇଲା ପରି ମତେ ଲାଗିଲା ନାହିଁ-। ତେବେ ଏ ନେଇ ପୁଣି କଥା ଉଠିବା ଆଗରୁ ମୁଁ ଜଣେି ଦେଲି, ‘‘ପୁଅର ବାପା ବାହାଘର ବେଳେ ଏଇ ଗହଣା ତା ମା’ଙ୍କୁ ପିନ୍ଧେଇ ଥିଲେ ।’’

 

ମୋ କଥାର ମର୍ମ ପ୍ରାୟ ସମସ୍ତେ ବୁଝିଗଲେ । ତେଣୁ ସମାଲୋଚନା କରିବାକୁ ଆଉ କେହି ବାହାରିଲେ ନାହିଁ ।

 

ସୁବିମଳ ବାବୁ ପୁଣି ମତେ ମୁହଁ ଟେକି ଚାହିଁଲେ । ଦି’ ଆଖି ଦେଇ ଦି’ଟୋପା ଲୁହ ଝରି ପଡ଼ିଲା ତାଙ୍କର । ତାପରେ ସେ ସେଠୁ ବାହାରି ଆସି ତାଙ୍କ ଚିରକାଳର ସାଥୀ ଛତାଟିକୁ କାଖରେ ଜାକି ଚାଲିଗଲେ ବସାକୁ ! ରାତିକୁ ଆଉ ଆସି ନାହାନ୍ତି ।

 

ରାତି ଖିଆପିଆ ଭାର ମୁଁ ଆଉ ଜଗତ ବୁଝୁଥିଲୁ । ତେଣୁ ସନ୍ଧ୍ୟା ସାତଟାରୁ ଆମେ ଦୁହେଁ ଅତି ମାତ୍ରାରେ ବ୍ୟସ୍ତ ରହିଲୁ । ରାତି ନଅଟା ବେଳକୁ ଅଧିକାଂଶ ନିମନ୍ତ୍ରିତ ଖାଇପିଇ ବାହାରିଗଲେ । ବାକି ରହିଗଲେ କେବଳ ଘର ଭିତରର ଲୋକେ । ଏହି ସୁଯୋଗରେ ମୁଁ ଜଗତ ଉପରେ ଭାର ଲଦି ଦେଇ ବାହାରକୁ ଚାଲିଗଲି ସିଗାରେଟଟାଏ ଫୁଙ୍କି ଦେଇ ଆସିବାକୁ । ଅମୁହାଁ ଗଳିଟାର ଗୋଟାଏ ଅନ୍ଧାରୁଆ ଜାଗାରେ ବାଗ ଉଣ୍ଡି ଆଢ଼ୁଆଳରେ ଠିଆ ହୋଇ ସିଗରେଟ ଧରେଇ କ୍ଲାନ୍ତି ଦୂର କରିବାକୁ ଚେଷ୍ଟା କଲି ।

 

ଏତିକିବେଳକୁ ନିମନ୍ତ୍ରିତ କିଏ ଦୁଇଜଣ ବୟସ୍କ ଲୋକ ମୋରି ଆଡ଼କୁ ଆଗେଇ ଆସୁ ଆସୁ ଦଶ ବାର ହାତ ଦୂରରେ ଠିଆ ହୋଇ ପଡ଼ିଲେ ।

 

ତାଙ୍କ ଭିତରୁ ଜଣେ କହିଲେ, ‘‘କଣ ଏମିତି ଗୁପ୍ତ କଥା ଯେ ଆପଣ….’’

 

‘‘ଶୁଣ କହୁଚି । କସୁମର ବାହାଘର କିଏ ଠିକଣା କଲା ଏଠି ?’’

 

‘‘ତା ବଡ଼ ମଉସା ଗୋକୁଳି ବାବୁ । ଭାଇନା ବଡ଼ ଆରାମରେ ଭଲ ଜୋଇଁଟିଏ ପାଇଗଲେ ।’’ ଆର ଜଣକ ଉତ୍ତର ଦେଲେ ।

 

‘‘ତୁମେ ପରା ଝିଅର ନିଜ କକା ମହେଶ ବାବୁ ?’’

 

‘‘ହଁ ।’’

 

‘‘ତୁମକୁ କିଛି ପଚାରି ନାହାନ୍ତି ?’’

 

‘‘ବାହାଘର ଠିକଣା କରିସାରି ଚିଠି ଦେଇଥିଲେ ଭାଇନା ।’’

 

‘‘ଆଉ ତୁମେ ଚୁପ ବସିଗଲେ ତାପରେ ।’’

 

‘‘କାହିଁକି ? କଣ ହେଇଚି କହୁନାହାନ୍ତି ଶ୍ରୀରାମ ବାବୁ ।’’

 

‘‘ପିଲାର ଇତିହାସ କିଛି ଜାଣିଚି ?’’

 

‘‘ଶୁଣିଚି ମା’ ଟିକିଏ ଆଡ଼ବାୟାଣୀ ବୋଲି ।’’

 

‘’‘ଖାଲି କଣ ସେତିକି ?’’

 

‘‘ଆଉ ତେବେ ?’’

 

‘‘ପାଗଳୀ ବୋଲି ତାକୁ କେହି ବାହା ହବାକୁ ରାଜି ହଉ ନ ଥିଲେ । ପ୍ରାୟ ତିରିଶି ବର୍ଷଯାଏ ସେ ଅବିବାହିତା ରହିଥିଲେ । ଏମିତିକି ଜମିଦାର ବାପ-ଭାଇଙ୍କ ଧନ ସମ୍ପତ୍ତିର ଲୋଭ ବି କାମ ଦେଲା ନାହିଁ ।’’ ଶ୍ରୀରାମ ବାବୁ ବୁଝେଇ ଦେଲେ ।

 

‘‘ସେଇଠୁ ?’’

 

‘‘ପାଗଳୀଟା ତା ଶେଷକୁ କେତେବେଳେ ସୁବିଧା ଉଣ୍ଡି ନିଜ କଲା କାମ କରିଦେଲା ।’’

 

‘‘ମାନେ ?’’

 

‘‘କାହା ସାଙ୍ଗେ ସମ୍ପର୍କ ରଖି କେଲେଙ୍କାରୀ ଅବସ୍ଥା ସୃଷ୍ଟି କଲା ।’’

 

‘‘କଣ କହୁଚ ?’’

 

‘‘ତୁମ ଆଗରେ ମିଛ କହି ଲାଭ ? ତୁମେ କଣ ମୋ ଶତ୍ରୁ ?’’

 

‘‘ତାପରେ ?’’

 

‘‘ବାପ-ଭାଇ କାହାକୁ କିଛି ନ କହି ସେଇ ପିଲା ସାଙ୍ଗେ ଚୁପଚାପ ବାହାଘର କରିଦେବେ ବୋଲି ଠିକଣା କଲେ । ପିଲା ଆଗ ହଁ ହାଁ ମାରି ବାହାଘର ଦିନ ଆଉ ଆସିଲାନି । ସେଇଠୁ ଆଉ ବାଟ ନପାଇ ପାଖ ଗାଁର କୋଉ ଗୋଟେ ପିଲାକୁ ଧରିଆଣି ତା ବାପ-ଭାଇ ଜବରଦସ୍ତ ଝିଅକୁ ବାହା କରିଦେଲେ । ପୁଅ ଯେମିତି ସବୁକଥା ବାହାଘର ପରେ ଜାଣିଗଲା, ସେଇଠୁ ଚାକିରିକୁ ଯାଉଚି କହି ଟଙ୍କା ସୁନା ତକ ଧରି ଯେ ଖସିଗଲା ଆଉ ତାର ପତ୍ତା ନାହିଁ । ପୁଲିସ ବହୁତ ଖୋଜାଖୋଜି ପରେ ମତ ଦେଲା ଯେ ଟଙ୍କା ସୁନା ଲୋଭରେ ତାକୁ କିଏ ଖତମ କରିଦେଇଛି ।’’

 

‘‘ତୁମେ ଏସବୁ କେମିତି ଜାଣିଲ ?’’ ମହେଶ ବାବୁ କାବା ହୋଇ ପଚାରିଲେ ।

 

‘‘ଗଲାବର୍ଷ ମୋ ଝିଅର ଆଉ ଛଅ ମାସ ତଳେ ଭାଣେଜୀର ପ୍ରସ୍ତାବ ପଡ଼ିଥିଲା ପରା ଏଇ ପିଲା ସାଙ୍ଗେ ।’’

 

‘‘କୋଉ ଭାଣେଜୀ ?’’

 

‘‘ଯିଏ ଟାଟାରେ ଅଛି ମ । କରୁଣାକରର ଝିଅ ସୁଶୀଳା ।’’

 

‘‘କିଏ ପ୍ରସ୍ତାବ ପକେଇଥିଲା ?’’

 

‘‘ପୁଅର ଜଣେ ଲେଖା ଯୋଖା ମାମୁଁ ।’’

 

‘‘ସେଇଠୁ ?’’

 

‘‘କାଳୀ ମନ୍ଦିରରେ ନିର୍ବନ୍ଧର ବ୍ୟବସ୍ଥା କରିସାରି ମତେ କରୁଣାକର ଗଲା ଡାକି ଆଣିବା ସକାଶେ । ସବୁ ପଚାରି ବୁଝି ମୁଁ ତ କାବା । ବିରକ୍ତ ହେଲି ତା ଉପରେ ଗୁଡ଼ାଏ ନବୁଝି ନସୁଝି ଏକାମ କରି ବସିଚି ବୋଲି ।’’

 

‘‘ତା ପରେ ?’’

 

‘‘ସେ ଦିନ ସନ୍ଧ୍ୟାକୁ ନିର୍ବନ୍ଧ । ଆଳ ଦେଖେଇ ଆଉ ଗଡ଼େଇବାର ଉପାୟ ନାହିଁ । ତେଣୁ ତାକୁ ପରାମର୍ଶ ଦେଲି ଚୁପଚାପ କାହାକୁ କିଛି ନ କହି ଖସିଯିବାକୁ ।’’

 

‘‘ମତେ ଟିକିଏ ଏ ଖବର ଆଗରୁ ଦେଲନି ?’’

 

‘‘ମୁଁ ତ କାଲି ନିମନ୍ତ୍ରଣପତ୍ର ପାଇଲି ସନ୍ଧ୍ୟାରେ । ସକାଳ ଦଶଟାରୁ ବାହାଘର । ସମୟ ଥିଲା କୋଉଠି ତୁମକୁ ଜଣେଇବା ସକାଶେ ।’’ ଶ୍ରୀରାମ ବାବୁ ସଫେଇ ଦେଇସାରି ପୁଣି ଲମ୍ବେଇଲେ, ‘‘ତା ପରେ ବି...’’

 

‘‘କହୁ ନାହାନ୍ତି ?’’

 

‘‘ମୋ ମତରେ ପିଲା ଜାରଜ ।’’

 

‘‘କଣ ଯେ ତୁମେ କହୁଚ !’’

 

‘‘ଠିକ୍‌ ତ କହୁଚି । ଅବିବାହିତା ମା’ ପେଟରେ ପିଲା ରହିଲାରୁ ବାପ-ଭାଇ ତାକୁ ପିଲାର ବାପ ସାଙ୍ଗେ ବାହା କରିଦେବାକୁ ବସିଲେ । କିନ୍ତୁ ସେ ପିଲା ଫାଙ୍କି ଦେଲାରୁ ଆଉ ଗୋଟାକୁ ଧରିଆଣି ଲୋକ ଦେଖାଣିଆକୁ ହାତଗଣ୍ଠି ପକେଇ ଦେଲେ । ତେଣୁ କାଗଜ କଲମରେ ଲେଖାଥିବା ବାପ ପିଲାର ପ୍ରକୃତ ବାପ ନୁହେଁ ।’’

 

‘‘ତୁମେ କଣ ଏ ବିଷୟରେ ନିଶ୍ଚିତ ?’’

 

‘‘ମୁଁ ପରା ନିଜେ ଏଇ ପିଲାର ଡେଲିଭେରି କରେଇଚି ଆନନ୍ଦପୁର ଡାକ୍ତରଖାନାରେ ଚାକିରି କଲାବେଳେ । ଝିଅର ବାପ-ଭାଇ ମତେ ଯଥେଷ୍ଟ ଟଙ୍କା ଯାଚିଥିଲେ ସେତିକିବେଳେ ପିଲାଟିକୁ ନଷ୍ଟ କରିଦେବା ସକାଶେ ।’’

 

‘‘ସେଇଠୁ ?’’

 

‘‘ଆଗ ଭାବିଥିଲି, ଜାରଜ ପିଲାଟିଏକୁ ସଂସାରକୁ ଆଣି ଜୀବନସାରା ତାକୁ କଷ୍ଟ ଦେବା ଅପେକ୍ଷା ମୂଳରୁ ଶେଷ କରିଦେବାଟା ଭଲ ହେବ । କିନ୍ତୁ..’’ ସେ ଅଟକି ଗଲେ ।

 

ମହେଶ ବାବୁ କହିଲେ,‘‘ବିବେକ ବାଧା ଦେଲା ବୋଧହୁଏ ?’’

 

‘‘ନା ।’’

 

‘‘ଆଉ ତେବେ ?’’

 

‘‘ପିଲାର ମା’ ତା ବାପ-ଭାଇଙ୍କ ମତଲବ ଠଉରେଇ ପାରି ମତେ ପିଲା ଜନ୍ମ ହବା ଆଗରୁ ଅନୁରୋଧ କଲା ଯେ...’’

 

‘‘କଣ କହିଲା ?’’

 

‘‘ମତେ ଡକେଇ ପଠେଇ ମୋ ହାତ-ଗୋଡ଼ ଧରି କହିଲା, ‘ଆପଣ ମୋ ସାନଭାଇ ପରି । ମୋ ପେଟରେ ପିଲା ନିରପରାଧ । ଭଗବାନ ଜାଣନ୍ତି ସେ କୁଳୀନ । କିନ୍ତୁ ସେ ଜନ୍ମ ନେଲେ ମୋ ବାପ-ଭାଇଙ୍କ ସମ୍ମାନ ଓ ସାମାଜିକ ପ୍ରତିପତ୍ତିରେ ଆଞ୍ଚ ଆସିବ ବୋଲି ସେମାନେ ତାକୁ ଏ ସଂସାରକୁ ଆଣିବାକୁ ଚାହାନ୍ତି ନାହିଁ । ମୋର ଏତିକି ଅନୁରୋଧ ଧନ ଲୋଭରେ ଯଦି ଆପଣ ତାକୁ ଏଇଠୁ ଶେଷ କରିଦେବାକୁ ଚାହାନ୍ତି, ତେବେ ମତେ ପଠେଇ ଦିଅନ୍ତୁ ତା ସାଙ୍ଗେ । ନହେଲେ ସେଠି ଏ ଅସହାୟ ପିଲାଟା ବୁଝିବ କିଏସେ ? ଦି’ଜଣଙ୍କୁ ଏକାଠି ଆର ପାରିକୁ ପଠେଇ ଦେଲେ ଆପଣଙ୍କର ଧର୍ମ ହେବ ଡାକ୍ତର ବାବୁ । କିନ୍ତୁ ଜଣକୁ ରଖି ଆଉ ଜଣକୁ ବିଦା କରିଦେଲେ ପାପ ହେବ । ଜୀବନସାରା ଆପଣ ସୁଖ ପାଇବେ ନାହିଁ । ଏଇ ମୋ ମା’ ମନର ଅଭିଶାପ । ...’’ ସେ ପୁଣି ଚୁପ ହୋଇଗଲେ ।

 

‘‘ତାପରେ କଣ ହେଲା ?’’

 

‘‘ରାତିସାରା ଅନେକ ଭାବିଲି । ଶୋଇ ବି ପାରିଲିନି ଦୁଶ୍ଚିନ୍ତାରୁ । ପାପ ଗର୍ଭ ପେଟରେ ଧରି ଅନେକ ଆସିଚନ୍ତି ମୋ ପାଖକୁ । ନିଜ ମାନ ସମ୍ମାନ ରକ୍ଷା କରି ବାହାସାହା ହୋଇ ଘର ସଂସାର କରିବା ଲୋଭରେ ସେମାନେ ନିଜ ପେଟର ପିଲାକୁ ନଷ୍ଟ କରିଦେବା ପାଇଁ ମୋ ଗୋଡ଼ ହାତ ଧରି କାନ୍ଦିଚନ୍ତି । ତାଙ୍କ ବାପ-ଭାଇମାନେ ଅପର୍ଯ୍ୟାପ୍ତ ଧନ ଲୋଭ ଦେଖେିଇଛନ୍ତି । କିନ୍ତୁ ନିଜ ପେଟର ଜାରଜ ସନ୍ତାନଟିକୁ ବଞ୍ଚେଇ ରଖିବାକୁ କେହି ହେଲେ କେବେ ଅନୁରୋଧ କରିନି ମୋତେ-। କି ବିଚିତ୍ର କଥା କୁହତ !’’ କଥାର ସ୍ୱରରୁ ମନେହେଲା, ନିଜ ମନର ସନ୍ଦେହ ଯେ ସତ୍ୟ ସେ ନେଇ ଶ୍ରୀରାମ ଏବେ ମଧ୍ୟ ନିର୍ମଳ ନୁହନ୍ତି ।

 

‘‘ସେଇଠୁ ?’’

 

‘‘ପରଦିନ ସକାଳେ ଯାଇ ଲୁଚିରହି ଝିଅଟିକୁ ବହୁ ସମୟ ଧରି ଲକ୍ଷ୍ୟ କଲି । ଯେତେ ଦେଖିଲି, ସତେ ମନେହେଲା ଯେ ବିଚାରୀ ହୁଏତ ନିର୍ଦ୍ଦୋଶ ନ ହେଲେ ପାଗଳୀ । କାହିଁକି କେଜାଣି ତା ପେଟର ପିଲାଟିକୁ ନଷ୍ଟ କରିଦେବା ସକାଶେ ହାତ ଗଲାନାହିଁ । ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲା ଦିନକ ପରେ ।’’

 

‘‘ଝିଅ ପରା ବାହା ହୋଇଥିଲା ?’’

 

‘‘ହଁ ।’’

 

‘‘ତେବେ ପିଲା ଜାରଜ ବୋଲି ତା ବାପ-ଭାଇ କାହିଁକି ତାକୁ ନଷ୍ଟ କରି ଦେବାକୁ ଚାହୁଁଥିଲେ ?’’

 

‘‘ବାହାଘର ଦିନକୁ ଚାହିଁଲେ, ପିଲା ନିର୍ଦ୍ଦିଷ୍ଟ ସମୟର ଦୁଇମାସ ପୂର୍ବରୁ ଜନ୍ମ ହେଲା ।’’

 

‘‘ଅର୍ଥାତ୍‌ ବାହାଘର ବେଳକୁ ମା’ ପେଟରେ ଦି’ମାସର ପିଲା ରହିଲାଣି !’’ ମହେଶ ବାବୁ ମନେ ମନେ ହିସାବ କରି ଉତ୍ତର ଦେଲେ ।

 

‘‘ହଁ ।’’

 

‘‘ସେଇଠୁ କଣ ହେଲା ?’’

 

‘‘ମାସକ ପରେ ଝିଅ ଘରବାଲା ଲାଗିପଡ଼ି ମତେ ସେଠୁ ରାଗରେ ବଦଳି କରେଇ ଦେଲେ କୋରାପୁଟ । ତାପରେ ଦଶବର୍ଷ ବିତିଗଲା । ତଥାପି ମୋ ମନରୁ ଏଇ ଘଟଣାଟା ମୋଟେ ଗଲା ନାହିଁ । ଶେଷକୁ ପୁଣି ଭେଟିଲି ମା’-ପୁଅଙ୍କୁ ବରଗଡ଼ରେ । ପୁଅ ଦେହ ଖରାପ ଥିଲା ବୋଲି ମା’ ତାକୁ ଧରି ଆସିଥାଏ ଡାକ୍ତରଖାନାକୁ । ମୁଁ ଦୋ ଦୋ ଚିହ୍ନା ହେଲି ଆଗ । ତା ପରେ କଥା ଛଳରେ ପଚାରି ଜାଣିଲି ମୋ ସନ୍ଦେହ ଠିକ । ଇଏ ସେଇ ମା’-ପୁଅ । ମା’ଟି ସେଇଠି ମାଷ୍ଟ୍ରାଣୀ କାମ କରି ତା ପିଲାକୁ ମଣିଷ କରୁଥାଏ । ତା ପରଠୁ ଆଉ କେବେ ଭେଟ ହେଇନି ମା’-ପୁଅଙ୍କ ସାଙ୍ଗେ । ଏବେ ବର୍ଷକ ତଳେ ମୋ ଝିଅ ସାଙ୍ଗେ ଷ୍ଟେଟ ବ୍ୟାଙ୍କରେ କାମ କରୁଥିବା ମୋର ଜଣେ ବନ୍ଧୁ ସେଇ ପୁଅର ବାହାଘର ପ୍ରସ୍ତାବ ପକେଇଲେ । ସେତିକିବେଳେ ଖବର ସଂଗ୍ରହ କରି ଜାଣିଲି ଯେ ଇଏ ସେଇ ପିଲା । ତେଣୁ ଚୁପଚାପ ଓହରି ଗଲି ସେଥିରୁ ଏଣୁତେଣୁ ଆଳ ଦେଖେଇ ।’’

 

‘‘ତାହେଲେ ପୁଅର ପ୍ରକୃତ ବାପ କିଏ ଆପଣ ବି ଜାଣନ୍ତିନି ?’’

 

‘‘ନା । ତେବେ ମନେହୁଏ ପୁଅର ସେଇ ଲେଖାଯୋଖା ମାମୁଁ ବୋଧହୁଏ ଏ ସବୁର ମୂଳରେ । ସେଥିପାଇଁ ଲୋକଟା ଏ ଯାଏ ବି ବାହାସାହା ହେଇନି ।’’

 

‘‘ବଡ଼ ମୁସ୍‌କିଲ ହେଲା ତାହେଲେ । କଥାଟା ଯଦି ପଦାକୁ ବାହାରି ପଡ଼େ !’’ ମହେଶ ବାବୁ ଚିନ୍ତିତ ହୋଇପଡ଼ିଲେ ।

 

‘‘ବାହାଘର ଆଗରୁ ସିନା ଏସବୁ କଥା ବୁଝିବାର ଥିଲା । ଏଇଲାଗେ ଆଉ କିଛି ବାଟ ନାହିଁମୁହଁ ବନ୍ଦକରି ବସିଯାଅ । ଆଗକୁ ଯାହା ହବ ଦେଖାଯିବ । ତାପରେ ବି ଏଠି ଏସବୁ କଥା କେହି ଜାଣନ୍ତିନି । ତେଣୁ କଥାଟା ପ୍ରକାଶ ପାଇବାର ଆାଶ କମ ।’’ ଶ୍ରୀରାମ ବାବୁ ଆଶ୍ୱସନା ଦେଲେ ।

 

ଗପିଗପିକା ସେମାନେ ପୁଣି ଫେରିଗଲେ ବାହାଘର ଭୋଜିକୁ ।

 

ମୁଁ ତାଙ୍କ ପଛେ ପଛେ ଫେରିଲି ।

 

ସେଦିନ ରାତି ସାରା ନ ଶୋଇ ମୁଁ ଖୁବ୍‌ ଭାବିଚି ଏ ସମ୍ପର୍କରେ । ମନ ଭିତରେ ବିତି ଯାଇଥିବା ଅନେକ ଘଟଣା ଗୁଡ଼େଇତୁଡ଼େଇ ବିଶ୍ଳେଷଣ କରିଛି । ତେବେ କାହିଁକି କେଜାଣି ବିକାଶ ଜାରଜ ବୋଲି ବିଶ୍ୱାସ କରିବାକୁ ମୋ ବିବେକ ମତେ ବାରଣ କରିଚି । ବରଂ ମୋ ମନ ଭିତରୁ କିଏ ଯେମିତି କହି ଉଠିଚି ଯେ ମାଉସୀ ଅଭାଗିନୀ । ତେଣୁ ବାପ-ଭାଇ-ସମାଜ ସମସ୍ତେ ମିଶି ଦାଉ ସାଧୁଛନ୍ତି ତାଙ୍କ ଉପରେ । ଆଉ ସେମାନଙ୍କ ପରି ଅନ୍ଧ ଭାବରେ ମୁଁ ବି ଯଦି ମାଉସୀଙ୍କୁ ଅବିଶ୍ୱାସ କରିବି ତେବେ ଘୋର ଅନ୍ୟାୟ ହେବ ଓ ସେ ଅନ୍ୟାୟଜନିତ ପାପରୁ ଜୀବନସାରା ହୁଏତ ମୁକ୍ତି ମିଳିବନି ।

 

ପରଦିନ ସକାଳ ଆଠଟା ସୁଦ୍ଧା ଝିଅ-ଜୋଇଁଙ୍କୁ ଘରେ ରଖିବାକୁ କଥା ଉଠଉଥିଲେ । ମୁଁ କିନ୍ତୁ ଗୋକୁଳି ମଉସା ଓ ନନ୍ଦ ମଉସାଙ୍କୁ ମତେଇ ଶୀଘ୍ର କାମଟା ହାସଲ କରେଇନେଲି । କାଣଣ ଝିଅ-ଜୋଇଁ ଘରେ ରହିଲେ ହୁଏତ ପୁଅର ପଛ କଥାକୁ ନାନା ରଙ୍ଗରେ ଚିତ୍ରଣକରି କିଏ କିଛି ଅଘଟଣ ଘଟେଇ ପାରେ ।

 

ସେଦିନ ଖରାବେଳେ ସୁବିମଳ ବାବୁ ଠିକ ଦଶଟାକୁ ଦାବା ଖେଳିବା ସକାଶେ ଆସି ପହଞ୍ଚିଲେ । କିନ୍ତୁ ଦାବା ପାଲି ମେଲେଇ ନ ବସି ମତେ ଡାକି କହିଲେ,’‘ଆସ ଟିକିଏ ବଜାରକୁ ଯିବା ।’’

 

ମନା କରିପାରିଲି ନାହିଁ । ସବୁ କାମଦାମ ପକେଇରଖି ବାହାରିଲି ତାଙ୍କ ସାଙ୍ଗେ । ସେ ରିକ୍‌ସା ଧରିବାକୁ କହୁଥିଲେ । ମୁଁ ମନାକରି ସ୍କୁଟରରେ ତାଙ୍କ ବସେଇ ନେଇଗଲି ।

 

ଆଗେ ଆମେ ବ୍ୟାଙ୍କକୁ ଗଲୁ । ମତେ ବାହାରେ ଠିଆ କରେଇ ସେ ଭିତରକୁ ଗଲେ । ଅଧଘଣ୍ଟାକ ପରେ ବାହାରି କହିଲେ, ‘‘ଗହଣା ଦୋକାନକୁ ଚାଲ ।’’

 

‘‘କୋଉ ଦୋକାନକୁ ?’’

 

‘‘ଚାଲ ମୁଁ ଯାଉଚି ।’’

 

ନୟାସଡ଼କରେ ଗୋଟାଏ ଗହଣାଦୋକାନ ଆଗରେ ସେ ମତେ ସ୍କୁଟର ରଖିବାକୁ କହିଲେ । ଦୁହେଁ ଆଗପଛ ହୋଇ ଦୋକାନକୁ ଉଠିଲା । ବେଶ ବଡ଼ ଦୋକାନଟାଏ । ଗ୍ରାହକ ପାଞ୍ଚ ସାତ ଜଣ ବି ଥାଆନ୍ତି । ସେମାନଙ୍କୁ ନେଇ ସେଲ୍‌ସ୍‌ମ୍ୟାନ ଚାରିଜଣ ବ୍ୟସ୍ତ । ତେଣୁ ଆମଆଡ଼କୁ ନଜର ଦେବାକୁ ଅବସର ନଥାଏ କାହାରି ।

 

ମାଲିକ ଗାରଟାଏ କୋଣକୁ ବସି କଣ ସବୁ ହିସାବକିତାବ ବୁଝୁଥିଲେ ଜଣେ କର୍ମଚାରୀଙ୍କଠାରୁ । ହଠାତ୍‌ ତାଙ୍କ ଆଖି ପଡ଼ିଗଲା ଆମ ଉପରେ । ସାଙ୍ଗେ ସାଙ୍ଗେ କାମ ଛାଡ଼ି ଉଠି ଆସି କହିଲେ, ‘‘ବିମଳ ନା...’’

 

‘‘ହଁ । କେମିତି ଅଛୁ ଘନଶ୍ୟାମ ?’’

 

ଜାଣିଲି ସେମାନେ ପୂର୍ବ ପରିଚିତ ।

 

‘‘କୁଆଡ଼େ ଆସିଲୁ ଆଗ କହିଲୁ ?’’

 

‘‘କିଛି ଗହଣା ନେବି ।’’

 

‘‘କାହା ପାଇଁ ?’’

 

‘‘ମୋ ବୋହୂ ।’’

 

‘‘ତୋ ବୋହୂ !’’

 

‘‘ବିଶ୍ୱାସ ହଉନି ! କାଲି ପରା ବେଦୀରେ ବସି ବାହା କଲି ପୁଅକୁ ।’’

 

‘‘ନିମନ୍ତ୍ରଣ ତ କରିନୁ ।’’

 

‘‘ହଠାତ୍‌ ସବୁ ହୋଇଗଲାରେ । ମୁଁ କଣ ଜାଣିଥିଲି !’’

 

ଘନଶ୍ୟାମ ବାବୁ ବୋଧହୁଏ ଠଉରେଇ ନେଲେ, ତେଣୁ ଆଉ କଥା ବଢ଼େଇଲେ ନାହିଁ-

 

ମୁଁ ମଧ୍ୟ ଜାଣିଲି ଯେ,ନିଜ ମନର ଦୁର୍ବଳତା ଯୋଗୁ ସୁବିମଳ ବାବୁ ବିକାଶକୁ ବେଦୀରେ ବସି ବାହା କଲା ପରେ ନିଜ ପୁଅକୁ ବାହା କଲେ ବୋଲି ଧରି ନେଇଛନ୍ତି । କଣ ବା ଆଉ ସେ କରନ୍ତେ ! ଜୀବନସାରା କାଳ୍ପନିକ ପୁଅ ନାଁରେ ଟଙ୍କା ଜମା କରି ରଖିଲା ପରେ ଏ ବୟସରେ ଯେ କୌଣସି ଉପାୟରେ ସେହି କଳ୍ପନାକୁ ରୂପ ଦେବାଟା ତାଙ୍କ ପକ୍ଷରେ ସ୍ୱାଭାବିକ ।

 

ଅଧଘଣ୍ଟାକ ଭିତରେ ଘନଶ୍ୟାମ ବାବୁଙ୍କ ପରାମର୍ଶ ଅନୁଯାୟୀ କୋଡ଼ିଏ ହଜାର ଟଙ୍କାର ଗହଣା ଧରି ସୁବିମଳ ବାବୁ ତାଙ୍କ ବସାକୁ ଫେରି ମତେ କହିଲେ, ‘‘ଆଉ ଗୋଟେ ଅନୁରୋଧ କରିବି ତୁମକୁ ।’’

 

‘‘ଏତକ ନେଇ ବୋହୂକୁ ପିନ୍ଧେଇ ଦେଇ ଆସିବ ମୋ ତରଫରୁ ।’’

 

‘‘ଆପଣ ଯାଇ ପିନ୍ଧେଇ ଦେଲେ ସୁନ୍ଦର ହୁଅନ୍ତା ।’’

 

ସୁବିମଳ ବାବୁ ହଠାତ୍‌ ମୋ କଥାର ଉତ୍ତର ଦେଲେ ନାହିଁ । ବରଂ ଟିକିଏ ଚିନ୍ତିତ ହୋଇପଡ଼ିଲେ । ତାପରେ ଆବେଗଭରା କଣ୍ଠରେ ଆଖି ଛଳଛଳ କରି କହିଲେ,‘‘ବୋହୂ ବେକରେ ପିନ୍ଧେଇ ଦେଇ ପାରିଲେ ଆତ୍ମା ଶାନ୍ତି ପାଆନ୍ତା । ତେବେ ଏ କ୍ଷେତ୍ରରେ ଆମ ସମାଜ ବରଦାସ୍ତ କରିବ ନାହିଁ ।’’

 

ମୁଁ ବୁଝି ପାରିଲିନି ତାଙ୍କ ମତାର ମର୍ମ । ତଥାପି ଅନ୍ୟ ବାଟରେ ତାଙ୍କୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ କହିଲି, ‘‘ମାଉସୀ ଯଦି ଗ୍ରହଣ କରିବାକୁ ମନା କରିବା ?’’

 

‘‘ନା, ମନା କରିବେନି ।’’ ଦୃଢ଼ ବିଶ୍ୱାସର ସହ ସେ ଉତ୍ତର ଦେଲେ ।

 

ଜାଣିଲି, ତାଙ୍କୁ ବୁଝେଇବାକୁ ଚେଷ୍ଟା କରି ଲାଭ ନାହିଁ, ତେଣୁ ଗହଣାତକ ଧରି ସେଠୁ ବିକାଶ ବସାକୁ ଗଲି । ମାଉସୀଙ୍କ ଆଗରେ ଗହଣାତକ ଥୋଇଦେଇ କହିଲି, ‘‘ସୁବିମଳ ବାବୁ ବୋହୂକୁ ଦେଇଛନ୍ତି ।’’

 

ମାଉସୀ ପୂଜା ଥାଳି ଧରି ଠାକୁର ଘରକୁ ଯାଉଥିଲେ । ମୋ କଥା ଶୁଣିବାମାତ୍ରେ ପୂଜା ଥାଳିଟା ଖସିପଡ଼ିଲା ତାଙ୍କ ହାତରୁ । ସେ ମିନିଟିଏ ଖଣ୍ଡେ ଗହଣାଗୁଡ଼ିକ ଅପଲକ ଆଖିରେ ଚାହିଁ ରହିଲେ, ପୂଜା ଥାଳିଆଡ଼କୁ ଦୃଷ୍ଟି ନ ଦେଇ । ବୋଧହୁଏ ତାଙ୍କ ଜୀବନର ଚିରସାଥୀ ଠାକୁରଙ୍କୁ ସେ ଭୁଲିଗଲେ । ତାପରେ ମତେ ପଚାରିଲେ, ‘‘ନିଜେ ଆସିଲେନି ବୋହୂକୁ ପିନ୍ଧେଇ ଦେବାକୁ ?’’

 

‘‘କହିଲି ଯେ ମନା କଲେ ।’’

‘‘କଣ କହିଲେ ?’’

‘‘ଆମ ସମାଜ ସହିବନି ।’’

ଛଳଛଳ ଆଖିରେ ମାଉସୀ ମନ୍ତବ୍ୟ ଦେଲେ, ‘‘କିଏ ଗଢ଼ିଥିଲା ଏ ପୋଡ଼ା ସଂସାରକୁ କେଜାଣି ମଣିଷକୁ ଖାଲି ଦହଗଞ୍ଜ କରିବା ସକାଶେ ?’’ ତାପରେ ଡାକିଲେ, ବୋହୂ ଏ ବୋହୂ !’’

କୁସୁମ ଆସି ଠିଆ ହେଲା ମୁହଁ ପୋତି । ମାଉସୀ ଗହଣାତକ ଗୋଟି ଗୋଟି କରି ପିନ୍ଧେଇଦେଲେ ବୋହୂକୁ । କୁସୁମ ଏତେ ଗହଣା ପିନ୍ଧି ପାରିବନି ବୋଲି କହିବାରୁ ମାଉସୀ ବୋହୂ ବାପଘରୁ ଆଣିଥିବା ଗହଣାରୁ କେତେଟା ଉତାରି ଦେଇ କହିଲେ, ‘‘ଏଗୁଡ଼ାକ ରଖିଦେବୁ ।’’ ତାପରେ ସେ କୁସୁମକୁ ଠାକୁରଙ୍କ ପାଖେ ମୁଣ୍ଡିଆ ମାରିବାକୁ କହିଲେ । ଆଉ କୁସୁମ ଠାକୁରଙ୍କ ପାଖେ ମୁଣ୍ଡିଆ ମାରିଲାବେଳେ ନିଜ ମନକୁ କହିଉଠିଲେ, ‘‘ଆଶୀର୍ବାଦ କର ତାକୁ ସେ ଅଇସୁଲକ୍ଷଣୀ ହଉ ।’’

ଆଉ କୁସୁମ ମୁଣ୍ଡିଆ ମାରି ଉଠିଗଲା ପରେ ନିଜେ ଠାକୁରଙ୍କ ଆଗରେ ଲମ୍ବ ହୋଇ ମୁହଁ ମାଡ଼ି ପଡ଼ିଯାଇ ମାଗୁଣି କଲେ, ‘‘ଏଥର ତାଙ୍କୁ ନେଇଯାଅ ଠାକୁରେ । ଆଉ କେତେ ଦୁଃଖ ଦେଲେ ତୁମ ମନ ମାନିବ ?’’

ମାଉସୀଙ୍କ ବେଆଡ଼ା ବ୍ୟବହାରରେ ଡରିଗଲି । ଆଶଙ୍କା ହେଲା ପୁଣି ହୁଏତ ପାଗଳାମୀ ବାହାର ପଡ଼ିବ ତାଙ୍କର । ଆଉ ସତକୁ ସତ ଏ ସମୟରେ ସେ ଯଦି ଠାକୁରଙ୍କ ଆଗରେ ଦୀପ ଜାଳି ଭାଗବତ ବୋଲିବା ଆରମ୍ଭ କରିଦେବେ ତେବେ ସବୁ ସରିଯିବ । ସମସ୍ତେ ନିଶ୍ଚୟ ଧରିନେବେ ଯେ, ମାଉସୀ ଆଡ଼ପାଗଳୀ ନୁହନ୍ତି ବରଂ ବଦ୍ଧପାଗଳୀ । ତାପରେ ଗୋକୁଳି ମଉସା କି ମୁଁ କେହି ହେଲେ ଭୂବନ ବାବୁ ଓ ତାଙ୍କ ଆତ୍ମୀୟସ୍ୱଜନଙ୍କୁ ମୁହଁ ଟେକି ଚାହିଁପାରିବୁ ନାହିଁ-

ଟିକିଏ ପରେ ମାଉସୀ ଆପେ ଉଠି ଠାକୁରଘରୁ ବାହାରିଆସି ମତେ କହିଲେ, ‘‘ବିକୁ ସାଙ୍ଗେ ଦେଖା ହେଲାଣି ?’’

‘‘କାଇଁ ତାକୁ ଦେଖୁନି ତ ।’’ ମୋ ମନର ଆଶଙ୍କା ସେତେବେଳକୁ ପ୍ରାୟ କଟିଗଲାଣି ।

‘‘ମୁଁ ବାଥ୍‌ରୁମ୍‌ରେ ଅଛି ମା’ !’’ ଭିତରୁ ବିକାଶ ଜବାବ ଦେଲା ।

‘‘ଠିକ୍‌ ଅଛି । ମୁଁ ପରେ ଆସିବି ମାଉସୀ ।’’

‘‘ରହିବୁନି ?’’ ମାଉସୀ ପଚାରିଲେ ।

‘‘ମୋ ବସା ଖାଲି ହୋଇଗଲାଣି ଖରାବେଳୁ ।’’ ମୁଁ ଉତ୍ତର ଦେଲି ।

‘‘ରାତିରେ ଆଜି ଏଇଠି ଖାଇବୁ ତାହେଲେ ।’’ ମାଉସୀ କହିଲେ ।

‘‘ହଉ ।’’ ରାଜି ହୋଇ ମୁଁ ବସାକୁ ଲେଉଟିଲି ।

ବିକାଶକୁ ବେଦୀରେ ବସି ବାହା କଲା ପରେ ପରେ ସୁବିମଳ ବାବୁ ବିବାକେ ବଦଳିଗଲେ । ଏଣିକି ସେ ଆଉ ରୋଜ ଖରାବେଳେ ଦାବା ଖେଳିବା ସକାଶେ ଆସିଲେ ନାହିଁ । ଦିନ ରାତି ଏକପ୍ରକାରେ ଘରଟା ଭିତରେ ପଡ଼ିରହି ଗୀତା-ଭାଗବତ-ପୁରାଣ ଧରି ସମୟ କଟେଇଲେ । ଫଳରେ ଗୋକୁଳି ମଉସାଙ୍କୁ ସମ୍ଭାଳିବା ନନ୍ଦ ମଉସା ଓ ମୋ ପାଇଁ ଏକ ସମସ୍ୟା ପାଲଟିଲା । ଆମେ ଦୁହେଁ ଏକପ୍ରକାର ଅତିଷ୍ଟ ହୋଇ ଉଠିଲୁ ।

ତାପରେ ଦିନେ ସୁବିମଳ ବାବୁ ଅଚାନକ ସନ୍ଧ୍ୟାବେଳେ ଆସି ପହଞ୍ଚିଲେ ।

ତାଙ୍କୁ ଦେଖିବାମାତ୍ରେ ଗୋକୁଳି ମଉସା ଖୁସି ହୋଇ ଦାବା ପାଲି କାଢ଼ିଲେ ଖେଳିବା ସକାଶେ ।

ସେ କିନ୍ତୁ କହିଲେ, ‘‘ମୋ ସାଙ୍ଗ ଟିକିଏ ଯାଇ ପାରିବ ?’’

‘‘କୋଉଠିକୁ ?’’

‘‘ଓକିଲଙ୍କ ବସାକୁ ।’’

‘‘କାହିଁକି ?’’

‘‘ଉଇଲ କରିବି । ଆପଣ ସାକ୍ଷୀ ପଡ଼ିବେ ।’’

କେତେ ସେକେଣ୍ଡ ଗୋକୁଳି ମଉସା ନିର୍ବାକ ହୋଇ ବୋକାଙ୍କ ଭଳି ଚାହିଁ ରହିଲା ପରେ କହିଲେ, ‘‘ସତରେ !’’

‘‘ହଁ ଗୋକୁଳି । ମୋ ମନ କହୁଚି ଏଥର ସବୁ କିଛି ବାକିଆ କାମ ତୁଟେଇ ଦବାକୁ-ବେଳ ପାଖେଇ ଆସିଲାଣି ।’’

‘‘ଖରାପ କଥାଗୁଡ଼ା କାହିଁକି ମନକୁ ଆଣୁଚ ଭଲା !’’

 

‘‘ଆଉ ବଞ୍ଚି ରହିବାକୁ ମନ ହଉନି ।’’

 

‘‘କାହିଁକି ଶୁଣେ ?’’

 

‘‘ଆଗ ବାହାରିଲ, ବାଟରେ କହିବି ।’’

 

ଗୋକୁଳି ମଉସା ସେଦିନ ସୁବିମଳ ବାବୁଙ୍କ ସାଙ୍ଗେ ଓକିଲଙ୍କ ଘରକୁ ଗଲେ । ସେଠୁ ଫେରୁ ଫେରୁ ରାତି ନଅଟା ହେଲା । ତାପରେ ବି ଦୁହେଁ ଏକାଠି ଆଉ କେତେଥର ଗଲେ ଓକିଲଙ୍କ ପାଖକୁ । ଶେଷକୁ ଦିନେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଇଲ କାମ ଓକିଲଙ୍କ ବସାରେ ସରିଲା ବୋଲି ଶୁଣିଲି । ତେବେ ସୁବିମଳ ବାବୁ କାହାକୁ ଉତ୍ତରାଧିକାରୀ ରୂପେ ବାଛିଲେ ଆମେ କେହି ଜାଣିପାରିଲୁ ନାହିଁ । ଗୋକୁଳି ମଉସାଙ୍କ ପରି କଥାକୁହା ଫୁଙ୍ଗୁଳା ଲୋକ ବି ନନ୍ଦ ମଉସାକୁ କହିଲେନି ଭିତିରି କଥା ।

 

ମୁଁ ଭାବିଥିଲି ଯେ ଉଇଲ କାମ ସରିଲା ପରେ ସୁବିମଳ ବାବୁ ପୁଣି ତାଙ୍କ ପୂର୍ବ ଅବସ୍ଥାକୁ ଫେରିଆସିବେ । ମୋ ଆଶା ସଫଳ ହେଲା ନାହିଁ । ବରଂ ଏଣିକି ସେ ଅଧିକରୁ ଅଧିକ ପୂଜାପାଠ ଓ ପୁରାଣ ପଢ଼ିବାରେ ମନ ଦେଲେ । ଏମିତିକି ନିଜ ଖିଆପିଆ ପ୍ରତି ମଧ୍ୟ ଆଗ ପରି ଦୃଷ୍ଟି ଦେଲେ ନାହିଁ । ରୋଷେଇ ନ କରି ଦିନଯାକ ପ୍ରାୟ ଉପବାସରେ କଟେଇ ସନ୍ଧ୍ୟାକୁ କିଛି ଫଳମୂଳ ଓ କ୍ଷୀର ଖାଇ ଦିନ କାଟିଲେ ।

 

ସେଦିନ ବିକାଶ ସସ୍ତ୍ରୀକ ବୁଲି ଆସିଥାଏ ଗୋକୁଳି ମଉସାଙ୍କ ଘରକୁ ମୁଁ ସେତେବେଳେକୁ ମଉସାଙ୍କ ରକ୍ତଚାପ ପରୀକ୍ଷା କରି ଦେଖୁଥାଏ । ସାପ୍ତାହିକ ପାଳି ନ ହୋଇଥିଲେ ବି । କାରଣ ସୁବିମଳ ବାବୁ ଆସିବା ବନ୍ଦ କଲା ପରଠାରୁ ଗୋକୁଳି ମଉସାଙ୍କ ରକ୍ତଚାପରେ ପ୍ରାୟ ଠିକ ଠିକଣା ରହି ନଥାଏ । ତେଣୁ ଦୈନିକ ତାଙ୍କୁ ପରୀକ୍ଷା କରିବାକୁ ପଡ଼ୁଥାଏ ମତେ ।

 

ବିକାଶକୁ ଦେଖି ଗୋକୁଳି ମଉସା କହିଲେ, ‘‘ସୁବିମଳଙ୍କ ଘରଆଡ଼େ ଯାଉଚୁ ତ ବିକାଶ-?’’

 

‘‘ସପ୍ତାହକ ତଳେ ଥରେ ଯାଇଥିଲି ।’’ ବିକାଶ ଉତ୍ତର ଦେଲା ।

 

‘‘ତୋର ତ ସନ୍ଧ୍ୟାବେଳେ ସମୟ ଥିବ । ଦୈନିକ ଟିକିଏ ଟିକିଏ ଯାଉନୁ ?’’ ଗୋକୁଳି ମଉସା ପରାମର୍ଶ ଦେଲେ ।

 

‘‘ମୁଁ କଣ ମନା କରୁଚି ମଉସା ! ହେଲେ କଣ କରିବି କହୁନ୍ତୁ ତ ? ପହଞ୍ଚିବାମାତ୍ରେ ମତେ ଠେଲିପେଲି ପୁଣି ପଠେଇ ଦଉଚନ୍ତି ବସାକୁ, କୁସୁମକୁ ଡର ଲାଗିବ ବୋଲି ।’’ ବିକାଶ ବୁଝେଇଲା ।

 

‘‘ତୁ ଶୁଣିବୁନି ତାଙ୍କ କଥା ମୋଟେ । ମନେରଖ ଏଣିକି ଦି’ଓଳି ଅଧ ଅଧ ଘଣ୍ଟାଏ ଯାଇ ତାଙ୍କ ପାଖେ ବସିବୁ । ତାଙ୍କ ଭଲମନ୍ଦ ବୁଝିବୁ । ତାଙ୍କ ଆଶୀର୍ବାଦରେ ତୋର ମଙ୍ଗଳ ହେବ ।’’

 

‘‘ସେ ଖରାପ ଭାବିବେନି ତ ? ଆଡ଼ପାଗଳା ଲୋକ । ଯଦି କିଛି ଭୂଲ ବୁଝି ବସିବେ !’’ ବିକାଶ ନିଜ ମନର ସନ୍ଦେହ ପ୍ରକାଶ କଲା ।

 

‘‘ନାହିଁରେ ଆଉ ଭୂଲ ବୁଝିବେନି । ଭଗବାନଙ୍କ ଦୟାରୁ ତୋ ଯୋଗୁ ସେ ମାନସିକ ଶାନ୍ତି ଫେରି ପାଇଛନ୍ତି ଶେଷ ଜୀବନରେ । ତୁ ମନ କଲେ ଏଥର ସେ ଶାନ୍ତିରେ ଆଖି ବୁଜିବେ ।’’ ମଉସା ବୁଝେଇଦେଲେ ।

 

ତେଣିକି ଦୈନିକ ଦୁଇଓଳି ସୁବିମଳ ବାବୁଙ୍କ ବସାକୁ ଯାଇ ଭଲ ମନ୍ଦ ବୁଝିବାର ଭାର ନେଲା ବିକାଶ । ମୁଁ ଜଗତ ବାହାଘର ଆୟୋଜନରେ ମାତିଲି । ବିଶେଷ କରି ନନ୍ଦ ମଉସାର ଘନଘନ ତାଗିଦା ଫଳରେ, ବିମଳୀ ନାନୀ ଆସି ପହଞ୍ଚିବା ପରଠୁ, ମତେ ଆଉ ବେଳ ମିଳିଲାନି କୁଆଡ଼େ ହେଲେ ମନ ଦେବାକୁ । ବାହାଘର ନେଇ ଦୈନିକ କିଛି ନା କିଛି ଯୋଗାଡ଼ର ବରାଦ ଆସି ପହଞ୍ଚିଲା ନନ୍ଦ ମଉସା ଜରିଆରେ ।

 

ଏଣେ ପୁଅ ବାହାଘର ପରଠାରୁ ମାଉସୀ ବିବାକେ ଓହରିଗଲେ ଘର କାମଦାମରୁ । କୁସୁମକୁ ଘର ଚାବିକାଠି ଧରେଇ ଦେଇ ସେ ରାତିଦିନ ଲାଗିଲେ ତାଙ୍କ ଠାକୁରଙ୍କ ସେବାରେ ଖିଆପିଆରେ ବି ତାଙ୍କର ଆଉ ଠିକ୍‌ଠିକଣା ରହିଲା ନାହିଁ । କେବଳ ଭାଗବତ ପଢ଼ିବା ହିଁ ହେଲା ତାଙ୍କର ମୁଖ୍ୟ କାମ । ସେଥି ସହିତ ଅଧ୍ୟାୟେ ପଢ଼ିଲା ପରେ ସେ ଠାକୁରଙ୍କୁ ସେହି ଗୋଟିଏ କଥା ବିଡ଼ ବିଡ଼ ହୋଇ ଜଣେଇ ଲାଗିଲେ-ହେ ଠାକୁରେ, ଏଥର ତାଙ୍କୁ ନେଇଯାଅ । ଆଉ କେତେ ଦୁଃଖ ଦେଲେ ତୁମ ମନ ମାନିବ !

 

ମାଉସୀଙ୍କୁ ନେଇ ବିକାଶ ଟିକିଏ ଚିନ୍ତିତ ହୋଇପଡ଼ି ଦିନେ ମତେ ଆସି କହିଲା, ‘‘ମା’ ର ବୋଧହୁଏ ପୁଣି ପାଗଳାମୀ ବାହାରିବ ।’’

 

‘‘କେମିତି ଜାଣିଲୁ ?’’

 

‘‘ଦି’ମାସ ହେଲା ଦିନରାତି ଖାଲି ଠାକୁରଘରେ ।’’

 

‘‘ଆଉ କିଛି ହବନି । ବଳେ ନାତି ନାତୁଣୀ ଆସିଗଲେ ସେ ଏକବାରେ ବାଗେଇଯିବେ, ଦେଖିବୁ ।’’

 

‘‘ତୁ ତ ଯାଇନୁ ଏଇ ଭିତରେ । ମା’କୁ ଦେଖିଲେ ଏ କଥା କୁହନ୍ତୁନି ।’’

 

‘‘ମୁଁ ଯାଇନି ବୋଲି କିଏ କହିଲା ?’’

 

‘‘କାହିଁ ମୁଁ ତ ଦେଖିନି ତତେ ?’’

 

‘‘ମୁଁ ମୋ ସମୟ କରି ଏ ଭିତରେ ଚାରିଥର ଯାଇ ଦେଖି ଆସିଲିଣି ମାଉସୀଙ୍କୁ । ସେ ବେଶ ଖୁସି ଅଛନ୍ତି ।’’

 

‘‘ତୁ ଭାବୁଚୁ ଆଉ ମା’ର ପାଗଳାମୀ....’’

 

‘‘ମୋଟେ ବାହାରିବନି ।’’

 

‘‘ତେବେ ସେ ଯୋଉ ଲଗେଇଚି-‘ତାଙ୍କୁ ଏଥର ନେଇଯାଅ ଠାକୁରେ’ ?’’

 

‘‘ଦେଖିବୁ, ଆଉ କେତେଦିନ ଏମିତି ଘୋଷି ହେଇ ହେଇ ଶେଷକୁ ଦିନେ ଧରିନେବେ ଯେ ତୋ ବାପା ଚାଲିଗଲେ । ତାପରେ ସବୁ ଠିକ୍‌ ହୋଇଯିବ । ଆଉ ସେକଥା ମୁହଁରେ ଧରିବେନି-।’’ ମୁଁ ବୁଝେଇଲି ।

 

‘‘ତୋ କଥା ହେଲେ ସତ ହୁଅନ୍ତା କି ?’’

 

‘‘ଅପେକ୍ଷା କର ବଳେ ଜାଣିବୁ ସତ କି ମିଛ ।’’

 

‘‘ଆଚ୍ଛା ଆଉ ଗୋଟେ କଥା ।’’

 

‘‘କଣ କହ ।’’

 

‘‘ସୁବିମଳ ବାବୁଙ୍କୁ ନେଇ କଣ କରିବି ?’’

 

‘‘ମାନେ ।’’

 

‘‘ଗୋକୁଳି ମଉସା ତ ମତେ ତାଙ୍କ କଥା ବୁଝାସୁଝା କରିବାକୁ ଭାଲୁ ଧରେଇ ଦେଇ ଖସିଗଲେ । ଏଣେ ସେ ଏକପ୍ରକାର ଖିଆପିଆ ଛାଡ଼ି ମରିବାକୁ ବସିଲେଣି ।’’

 

‘‘କଣ କହୁଚୁ ତୁ ?’’

 

‘‘ତୁମେ ସବୁ ତ ଗଲା ଦି’ ମାସ ଧରି ଜଗତ ବାହାଘରେ ଲାଗିଚ । କେହି ତାଙ୍କ ପାଖକୁ ଯାଉନ । ଯା ଦେଖିବୁ ! ଚେହେରା ଏକବାରେ ଅଧା ହୋଇଗଲାଣି । ଖିଆପିଆରେ କିଛି ଠିକଣା ନାହିଁ । କହିଲେ ବି ଶୁଣୁନାହାନ୍ତି’’

 

‘‘ତୋ କଥା ବି ରଖୁ ନାହାନ୍ତି ?’’

 

‘‘ନା, ଦିନରାତି ଗୀତା ଭାଗବତ ଧରି ବସୁଛନ୍ତି । ବାଧ୍ୟ କଲେ ଅସହାୟଙ୍କ ପରି କହୁଛନ୍ତି....’’

 

‘‘କଣ କହୁଛନ୍ତି ଶୁଣେ ?’’

 

‘‘ଯୋଉ ସକାଶେ ସାରାଜୀବନ ଏତେ ଦୁଃଖ ସହିଲି, ସେ କାମ ତ ସରିଗଲା । ଆଉ ବଞ୍ଚିରହି ଲାଭ କଣ ରେ ପୁଅ ? ଏଥର ଚାଲିଗଲେ ତୁମ ସମସ୍ତଙ୍କର ମଙ୍ଗଳ ।’’

ଏକଥା ଶୁଣି ମୁଁ ଚିନ୍ତିତ ହୋଇପଡ଼ିଲି ।

 

ସେ ଚେତେଇ ଦେଲା, ‘‘କଣ ଭାବୁଛୁ ?’’

 

‘‘କିଛି ନୁହେଁ ।’’

 

‘‘ମୁଁ କଣ କରିବି କହିଲୁ ?’’

 

‘‘କିଛି କରିବାର ନାହିଁ । କେବଳ ଅପେକ୍ଷା କରିବା କଥା ଶେଷଯାଏ ।’’

 

‘‘ତା ମାନେ.....’’

 

‘‘ଦେଖ, ମୁଁ ଗୋକୁଳି ମଉସାଙ୍କ କଥାରୁ ଯେତିକି ବୁଝିଚି, ସେତିକିରୁ ଏତିକି କହିବି ଯେ, ସୁବିମଳ ବାବୁ ବଡ଼ ଦୁଃଖୀ । ତାଙ୍କ ଦୁଃଖମୟ ଜୀବନର କାରଣଟା ଅବଶ୍ୟ ମୁଁ ଜାଣେନା । କେବଳ ଏତିକି ଅନୁମାନ କରୁଚି ଯେ, ଜୀବନରେ ସେ ଏମିତି ଗୋଟାଏ ଧକ୍‌କା ଖାଇଛନ୍ତି, ଯାହା ଫଳରେ କି ତାଙ୍କ ମାନସିକ ସ୍ଥିତି ଏକବାରେ ଦୋହଲି ଯାଇଛି । ହୁଏତ ସେ ବିବାକେ ପାଗଳ ହୋଇଯାଇ ଥାଆନ୍ତେ । କିନ୍ତୁ କୌଣସି ନ କୌଣସି କାରଣରୁ ସେ ହଠାତ୍‌ ଧରି ନେଲେ ଯେ ତାଙ୍କର ପୁଅଟିଏ ହେଇଚି । ତାପରେ ଜୀବନଟାସାରା ସେହି କାଳ୍ପନିକ ପୁଅଟି ପାଇଁ ଧନସମ୍ପତ୍ତି ସଞ୍ଚିବାରେ ଲାଗିଲେ-। ଆଉ ମୁଁ କହିବି, ସେହି ଧାରଣା ଯୋଗୁଁ ସେ ପାଗଳ ନହୋଇ ବଞ୍ଚି ରହିପାରିଲେ ଏପର୍ଯ୍ୟନ୍ତ । ତାପରେ ତତେ ବେଦୀରେ ବସି ବାହାଦେଲା ପରେ ଧରିନେଲେ ଯେ, ତାଙ୍କ ପୁଅକୁ ବାହା କଲେ ବୋଲି ।’’

 

‘‘କଣ ଯେ ତୁ ପାଗଳଙ୍କ ପରି କହୁଛୁ ?’’

 

‘‘ମୋ ଚିନ୍ତାଧାରା ଠିକ୍‌ ବୋଲି ମୁଁ ଭାବୁଛି ।’’

 

‘‘କାରଣ ?’’

 

‘‘ତୁ ବୋଧହୁଏ ଶୁଣିଲେ ଆଶ୍ଚର୍ଯ୍ୟ ହବୁ ଯେ ସୁବିମଳ ବାବୁ ତାଙ୍କ ବେଳେ ବଢ଼ିଆ ଫୁଟବଲ ଖେଳୁଥିଲେ ।’’

 

‘‘ସତରେ !’’

 

‘‘ହଁ । ଯୋଉଦିନ ତ ମାଳୟେସିଆ ଫୁଟବଲ ଦଳ ସାଙ୍ଗେ ଖେଳୁଥିଲୁ, ସେଦିନ ମୁଁ ଏକଥା ଜାଣିଲି । ଗୋକୁଳି ମଉସା ଓ ସୁବିମଳ ବାବୁ ସେଦିନ ଖେଳ ଦେଖି ଯାଇଥିଲେ । ଆଉ ସେଇଠି ମୁଁ ଜାଣିଲି ଯେ, ତୁ ସେଦିନ ଯୋଉ କୌଶଳ ପ୍ରୟୋଗ କରି ଦଳକୁ ପରାଜୟରୁ ରକ୍ଷାକଲୁ, ସୁବିମଳ ବାବୁ ତାଙ୍କ ବେଳେ ଠିକ୍‌ ସେହି କୌଶଳରେ ମୋହନବାଗାନ ଦଳଠାରୁ ନିଜ ଦଳକୁ ପରାଜୟରୁ ରକ୍ଷା କରିଥିଲେ । ଆଉ ସେଦିନ ତୁ ଗୋଲଟା ସୁଝେଇ ଦେଲା ପରେ ସେ ପିଲାଙ୍କ ପରି ଶୂନ୍ୟକୁ ତାଙ୍କ ଛତା ଫୋପାଡ଼ି, ‘ସାବାସ ପୁଅ ସାବାସ’, ବୋଲି ପାଟିକରି ଖୁସିରେ ଯେମିତି ନାଚି ଉଠିଥିଲେ ନ ଦେଖିଲା ଲୋକ କେବେ ବିଶ୍ୱାସ ଯିବ ନାହିଁ ।’’

 

‘‘ତୁ ତ ମତେ ଏକଥା କେବେ କହିନୁ ?’’

 

‘‘ସେତେବେଳେ ଏତେ ଗୁରୁତ୍ୱ ଦେଇ ନ ଥିଲି କଥାଟାରେ । ଆଜି ବୁଝୁଛି ତୋ ଫୁଟବଲ ଖେଳ ହିଁ ତାଙ୍କ ମନରେ ଆଗ ପ୍ରଭାବ ପକେଇଲା । ଆଉ ତାପରେ ଘଟଣାଚକ୍ରରେ ପଡ଼ି ତତେ ବେଦୀରେ ବସି ବାହା ଦେଲା ପରେ ସେ ବୋଧହୁଏ ଧରିନେଲେ ଯେ, ତୁ ତାଙ୍କର ସେହି କାଳ୍ପନିକ ପୁଅ । ଆଉ ମନେ ମନେ ଯାହାକୁ ସେହ ଏତେକାଳ ଚାହିଁ ବସିଥିଲେ, ତାକୁ ପାଇଗଲା ପରେ ତାଙ୍କ ଜୀବନର ଲକ୍ଷ୍ୟ ପୂରଣ ହୋଇଗଲା । ତେଣୁ ସେ ଆଉ ବଞ୍ଚିବାକୁ ଚାହାନ୍ତି ନାହିଁ ।’’

 

‘‘ତେବେ ଉପାୟ !’’

 

‘‘ଶେଷଯାଏ ଅପେକ୍ଷା କରିବାକୁ ପଡ଼ିବ । ତା ଛଡ଼ା ଆଉ ବାଟ ନାହିଁ ।’’

 

‘‘ଆଜି ଆଗରେ ଜଣେ ଜାଣୁ ଜାଣୁ ନିଜ ଜୀବନଟାକୁ ଶେଷ କରିଦେବେ ଆଉ ମୁଁ ଅସହାୟଙ୍କ ପରି ବସି ଦେଖୁଥିବି ! ନା ଭାଇ, ପାରିବିନି । କିଛି ବାଟ ବତା ତାଙ୍କୁ କେମିତି ବାଗକୁ ଆଣି ହବ ।’’

 

‘‘ଦେଖ ବିକାଶ ଏ ଧରଣର ମାନସିକ ବ୍ୟାଧିର ଔଷଧ ନାହିଁ ।’’

 

‘‘ତେବେ ମତେ ଏଥିରୁ ମୁକ୍ତି ଦିଅ । ତୁ ପଛେ ଏଣିକି ତାଙ୍କ ତାଙ୍କ ବୁଝ ।’’

 

‘‘ମୋର ଆପତ୍ତି ନାହିଁ । ତେବେ ଏତିକି ମନେରଖ, ତୁ ପାଖରେ ଥିଲେ ସେ ଶାନ୍ତିରେ ଆଖି ବୁଜିବେ । ମୁଁ କି ଆଉ କିଏ ଦିନରାତି ତାଙ୍କ ପାଖରେ ରହି ଯେତେ ସେବା କଲେ ବି ତାଙ୍କୁ ରକ୍ଷା ତ କରିପାରିବୁ ନାହିଁ, ସେ ଶାନ୍ତି ମଧ୍ୟ ପାଇବେ ନାହିଁ । ଆହୁରି ଚଞ୍ଚଳ ଚାଲିଯିବେ । ଏଣିକି ତୋ ଇଚ୍ଛା ।’’

 

‘‘ମୁଁ କିଛି ବୁଝିପାରୁନି କଣ କରିବି ! ମନ ହଉଚି ଆଉ ଯିବନି ବୋଲି ତାଙ୍କ ପାଖକୁ । ତଥାପି ନିଜକୁ ସମ୍ଭାଳି ପାରୁନି ସକାଳେ ସନ୍ଧ୍ୟାରେ । ସବୁ କାମଦାମ ଛାଡ଼ି ଦୌଡ଼ି ଯାଉଚି ତାଙ୍କ ପାଖକୁ । ଜାଣେନା କାହିଁକି ?’’

 

‘‘ଦେଖ ବିକାଶ, ଜୀବନଟାଯାକ ସେ କେବଳ ଦୁଃଖ ଭୋଗିଚନ୍ତି । ତେଣୁ ଶେଷ ଅବସ୍ଥାରେ ଯଦି ତୁ ତାଙ୍କ ପାଖରେ ଥିଲେ ସେ ଶାନ୍ତିରେ ଏ ସଂସାର ଛାଡ଼ି ଚାଲିଯାଇ ପାରିବେ, ତେବେ ସେତକ କରିପାରିଲେ ତୋର ପୁଣ୍ୟ ହେବ ।’’

 

‘‘ଠିକ୍‌ ଅଛି ।’’ କହି ସେ ମତ ଦେଲା, ‘‘ମୋ ଜୀବନଟା ବୋଧହୁଏ କେବଳ ଅଧା ପାଗଳାଙ୍କ ଗହଣରେ ବିତିବ ବୋଲି କପାଳରେ ଲେଖାଅଛି । କାହା ଅଭିଶାପରୁ ଯେ ଏ ଅବସ୍ଥାରେ ମୁଁ ପଡ଼ିଚି ପିଲାଟିଦିନୁ ।’’

 

‘‘ଏ ଦୁନିଆଟା ବଡ଼ ଆଜ୍ଜବରେ ବିକାଶ ! ଆଉ ସବୁଠୁ ବିଚିତ୍ର ଏଇ ମଣିଷ ଜୀବନ । ପ୍ରକୃତି ଆଗରେ ସେ ନିରୂପାୟ ବୋଲି ଜାଣିସୁଦ୍ଧା ପାଗଳଙ୍କ ପରି ଲଢ଼ି ଚାଲିଚି ଜୀବନସାରା ।’’

 

ବିକାଶକୁ ବୁଝେଇ ବିଦାୟ ଦେଲି ସତ, ତଥାପି ମୋ ମନ ମାନିଲା ନାହିଁ । ସେହିଠାରୁ ମୁଁ ମଧ୍ୟ ଦୈନିକ ନିଜେ ଦୁଇଓଳି ଯାଇ ସୁବିମଳ ବାବୁଙ୍କ ଭଲମନ୍ଦ ବୁଝିବାକୁ ଲାଗିଲି । ଚେଷ୍ଟା ବି କଲି ବଞ୍ଚି ରହିବା ସକାଶେ ତାଙ୍କ ମନୋବଳ ଫେରାଇ ଆଣିବା ସକାଶେ ବିକାଶକୁ ଧରି; କିନ୍ତୁ ହାର ମାନିଲି । କାରଣ ସୁବିମଳ ବାବୁ ସେତେବେଳେକୁ ବଞ୍ଚି ରହିବାର ମୋହ ବିବାକେ ତୁଟେଇ ଦେଲେଣି ନିଜ ମନ ଭିତରୁ । ତେଣୁ କାହାରି ପରାମର୍ଶ ସେ ଘେନିବାକୁ ନାରାଜ ।

 

ଜଗତ ବାହାଘରରେ ବିକାଶ ବରଯାତ୍ରୀ ଦଳରେ ଯିବାକୁ ବାହାରିଲା ।

 

ଏକଥା ଶୁଣି ସୁବିମଳ ବାବୁ କହିଲେ, ‘‘ଏ ଅବସ୍ଥାରେ ମତେ ଛାଡ଼ି ଚାଲିଯିବୁ ?’’ ଆଖି ଦୁଇଟିରେ ହତାଶର ସ୍ପଷ୍ଟ ଛାୟା ।

 

‘‘ଦିନକ ପାଇଁ ତ ମୋଟେ, ଯିବି ଆଉ ଆସିବି ।’’ ବିକାଶ ବୁଝେଇଲା ।

 

‘‘ତୋ ଧର୍ମ ।’’ କହି ସୁବିମଳ ବାବୁ ପୁଣି ଭାଗବତରେ ମନ ଦେଲେ ।

 

ବିକାଶ ମୋ ପରାମର୍ଶ ଲୋଡ଼ିଲା, ଯିବ କି ନାହିଁ ବରଯାତ୍ରୀ ହୋଇ ।

 

ମୁଁ ପଚାରିଲି, ‘‘ତୋ ମନ କଣ କହୁଚି ?’’

 

ଉତ୍ତର ନ ଦେଇ ସେ ଚିନ୍ତା କଲା ଆଗ ଟିକିଏ ସମୟ । ତାପରେ କହିଲା, ‘‘ସାମାଜିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୋର ଯିବା ଉଚିତ୍‌ । କିନ୍ତୁ ସୁବିମଳ ବାବୁଙ୍କ ଅବସ୍ଥା ଦେଖି ମନରେ ଦୟା ଆସୁଚି । ଭାବିପାରୁନି କଣ କରିବି ?’’

 

‘‘ତୁ ତାହେଲେ ରହିଯା ।’’

 

‘‘ଗୋକୁଳି ମଉସା ହୁଏତ ଭୂଲ ବୁଝିବେ ।’’

 

‘‘ମୁଁ ବୁଝେଇଦେବି ତାଙ୍କୁ । ମା’କୁ ପଚାରିଚୁ ?’’

 

‘‘ନା, କହିନି ।’’

 

‘‘ପଚାରି ନେଇଥା ।’’

 

ବିକାଶ ଗଲା ନାହିଁ ବରଯାତ୍ରୀ ଦଳରେ । ସୁବିମଳ ବାବୁଙ୍କ ଦେଖାଚାହାଁ କରିବାକୁ ରହିଲା । ଗୋକୁଳି ମଉସା ଓ ମାଉସୀ ଦୁହେଁ ମଧ୍ୟ ସେଇ ପରାମର୍ଶ ଦେଲେ ।

 

ବାହାଘର ଦିନ ରାତିରେ ହିଁ ବରଯାତ୍ରୀ ଦଳ ଫେରି ଆସିଲେ । ମାମୁଁ ମତେ କହୁଥିଲେ ରହିଯାଇ ପରଦିନ ଝିଅ-ଜୋଇଁଙ୍କୁ ଧରି ଫେରିବା ସକାଶେ । ଛୁଟି ନେଇ ନଥିବାରୁ ମୁଁ ନାରାଜ ହେଲି । ରାତି ବାରଟାକୁ ଆମେ ସବୁ କଟକରେ ପହଞ୍ଚିଲୁ । ବସାରେ ପହଞ୍ଚି ଖବର ପାଇଲି ଯେ ବିକାଶ କହିଚି ତା ସାଙ୍ଗେ ସକାଳେ ଯାଇ ଦେଖା କରିବାକୁ ।

 

ପରଦିନ ସକାଳ ସାତଟାକୁ ବିକାଶ ପାଖକୁ ଗଲି ।

 

ମତେ ଦେଖି ସେ କହିଲା, ‘‘ବଡ଼ ବିଷମ ସମସ୍ୟା ।’’

 

‘‘କଣ ହେଇଚି ?’’

 

‘‘କାଲି ସୁବିମଳ ବାବୁ ମତେ କହିଲେ କଣ ଟିକିଏ ଭଲମନ୍ଦ ଖାଇବା ସକାଶେ ତାଙ୍କ ମନ ହଉଚି ।’’

 

‘‘ବେଶ ତ ଦିଆଯିବ !’’

 

‘‘କିନ୍ତୁ ତାଙ୍କର ବର୍ତ୍ତମାନ ଯୋଉ ଅବସ୍ଥା, ସେଥିରେ...’’

 

‘‘ମୁଁ ଅଛି । ତୁ ବ୍ୟସ୍ତ କାହିଁକି ହଉଚୁ ?’’ ତାକୁ ଆଶ୍ୱସନା ଦେଇ କଥା ଉଠେଇଲି, ‘‘କିଏ ତାଙ୍କୁ ଭଲମନ୍ଦ ରୋଷେଇ କରିଦେବ ?’’

 

‘‘କୁସୁମକୁ କହିଲେ ରାନ୍ଧିଦବ । ତେବେ କଣ ଖାଇବେ ସେ କହିଲୁ ?’’

 

‘‘ନିଦ୍ଦିଷ୍ଟ କିଛି କହି ନାହାନ୍ତି ତତେ ?’’

 

‘‘ନା ।’’

 

‘‘ତେବେ ଓଷା-ଉପବାସରେ ଆମଘରେ ଯେମିତି ସବୁ ନିରାମିଷ ରାନ୍ଧଣା ହୁଏ, ସେଇ ବ୍ୟବସ୍ଥା କଲେ ହବ ବୋଲି ମୁଁ ଭାବୁଚି ।’’

 

‘‘ଦିନେ ଦି’ଦିନେ ଯାଉ ତା ହେଲେ । କୁସୁମ ଫେରିଆସୁ ଗୋକୁଳି ମଉସାଙ୍କ ଘରୁ ବାହାଘର କାମ ସାରି ।’’

 

‘‘ମୁଁ ଭାବୁଚି ଡାକିଆଣି ଆଜି ବ୍ୟବସ୍ଥା କରିଦେଲେ ଭଲ ହୁଅନ୍ତା ।’’

 

‘‘ଗୋକୁଳି ମଉସା ଛାଡ଼ିଲେ ତ ?’’

 

‘‘ମୁଁ ବୁଝେଇ ଦେବି ।’’

 

ଏତିକିବେଳକୁ ମାଉସୀ ଠାକୁରଘରୁ ଉଠିଆସି ପଚାରିଲେ, ‘‘କାହାକୁ ଆଣିବା କଥା ପକେଇଚ ?’’

 

ବିକାଶ ଉତ୍ତର ଦେଲ, ‘‘କୁସୁମକୁ ।’’

 

‘‘ସେ ତ ତା ଭାଇ ବାହାଘରକୁ ଯାଇଚି । ତାକୁ କାହିଁକି ଡାକି ଆଣିବ ?’’

 

ମୁଁ ବୁଝେଇଲି, ‘‘ସୁବିମଳ ବାବୁ ଭଲମନ୍ଦ ଟିକିଏ ଖାଇବେ ବୋଲି ମନ କରୁଚନ୍ତି ଯେ ରାନ୍ଧି ଦବ ତାଙ୍କ ପାଇଁ ।’’

 

‘‘ପିଲାଟା, ସେ କଣ ରାନ୍ଧିବ । ଆସ ଚିଠା ଲେଖି ଦଉଚି, ଜିନିଷ ନେଇ ଆସ, ମୁଁ ରାନ୍ଧିଦେବି ।’’ କହି ମାଉସୀ ପୁଣି ଭିତରକୁ ଚାଲିଗଲେ ।

 

ଆମେ ଦୁହେଁ ନିର୍ବାକ ବସିଗଲୁ କେତେ ମିନିଟ ।

 

ବିକାଶ କହିଲା, ‘‘ଚାରିମାସ ପରେ ମା’ ପୁଣି ରୋଷେଇ କରିବାକୁ ମନ କଲା ।’’

 

‘‘ଶୁଭଲକ୍ଷଣ । ତୁ ଶୀଘ୍ର ସବୁ ବ୍ୟବସ୍ଥା କରି ଦେ ।’’ ମନେ ମନେ ଧରି ନେଲି ଯେ ମାଉସୀଙ୍କ ବାଇଆ ମନ ଏଥର ବୋଧହୁଏ ବାଟକୁ ଆସିଗଲା ।

 

ଉପରଓଳି ପାଞ୍ଚଟା ବେଳକୁ ମାଉସୀ ରୋଷେଇ ସାରି ଟିଫିନ୍‌କ୍ୟାରିଅର ସଜେଇ ପୁଅ ହାତକୁ ବଢ଼େଇ ଦଉ ଦଉ କହିଲେ, ‘‘ସବୁତକ ବସି ବସି ତାଙ୍କୁ ଖୁଏଇ ଦବୁ ରେ ।’’

 

ଆମେ ଦୁହେଁ ଏଥର ସୁବିମଳ ବାବୁଙ୍କ ବସାକୁ ଚାଲିଲୁ । ସେଠି ଟିଫିନ ବାଟିଗୁଡ଼ାକ ଖୋଲି ଦେଖିଲୁ ଯେ ଜଣେ ସୁସ୍ଥ ସବଳ ଲୋକ ଖାଇପାରିଲା ଭଳି ପରିମାଣ ର ଜିନିଷ ମାଉସୀ ବାଢ଼ି ଦେଇଛନ୍ତି । ତେଣୁ ସବୁଥିରୁ ଅଧେ ଅଧେ ମୋ ନିର୍ଦ୍ଦେଶରେ ବିକାଶ ହାତ ଧୋଇ ବାଢ଼ି ଦେଲା ।

 

ମନ ଆନନ୍ଦ ସୁବିମଳ ବାବୁ ସେତକ ଧୀରେ ସୁସ୍ଥେ ଖାଇସାରି ମତେ ପଚାରିଲେ, ‘‘ଡାକ୍ତର, ଆଉ ଖାଇ ପାରିବି ?’’

 

‘‘ଆପଣଙ୍କ ମନ କଣ କହୁଚି ?’’

 

‘‘ସବୁତକ ଖାଇଦବାକୁ ।’’

 

‘‘ତେବେ ଖାଆନ୍ତୁ ।’’ ବିକାଶକୁ ଇଶାରା କଲି ବାକିତକ ବାଢ଼ି ଦବା ସକାଶେ ।

 

ବିକାଶ ଟିକିଏ ଇତସ୍ତତଃ ହେଲା ।

 

ମୁଁ କହିଲି, ‘‘ଦେ । ଡରୁଚୁ କାହିଁକି ?’’

 

ସେ ବାକିତକ ବାଢ଼ି ଦେଲା ।

 

ସୁବିମଳ ବାବୁ ତୃପ୍ତିର ସହିତ ଖାଇସାରି କହିଲେ, ‘‘କେଜାଣି କେତେ ଯୁଗ ପରେ ପୁଣି ଏ ରାନ୍ଧଣା ଖାଇବାକୁ ମିଳିଲା ! ଭଗବାନ ତୁମେ ବଡ଼ଲୋକ ।’’

 

ବିକାଶ ଓ ମୁଁ ମିଶି ବାସନ-କୁସନତକ ଧୋଇଦେଲୁ । ତାପରେ ସୁବିମଳ ବାବୁଙ୍କୁ ବିଶ୍ରାମ ନେବାକୁ ଅନୁରୋଧ କରି ଫେରିଲୁ ।

 

ରାସ୍ତାରେ ଗୋଡ଼ ଦେଲାମାତ୍ରେ ବିକାଶ କହିଲା, ‘‘ଡାକ୍ତର ହେଇ ତୁ କଣ କଲୁ କହିଲୁ ? ଆଜି ଅଧାଖାଇ କାଲି ସକାଳକୁ ବାକି ଅଧକ ଖାଇଥିଲେ ହେଇ ନ ଥାନ୍ତା ! ତାଙ୍କର କଣ ଆଉ ଶକ୍ତି ଅଛି....’’

 

‘‘ଆଉ ବେଶୀ ବେଳ ନୁହେଁ ରେ ବିକାଶ । ଡାକରା ଆସିଗଲାଣି । ନ ହେଲେ ଏତେଦିନ କାଳ ଖିଆପିଆରେ ନାହିଁ ନ ଥିବା ସଂଯମ ରଖିଲା ପରେ ଏ ବୟସରେ ଏ ଏପରି ଅବସ୍ଥାରେ ଭଲମନ୍ଦ ଖାଇବାକୁ ମନ କରି ନ ଥାନ୍ତେ ।’’ ବାଧା ଦେଇ ମୁଁ ମୋ ମନକଥା ଖୋଲି କହିଲି ।

 

ସେ ଆଉ କଥା ନ ବଢ଼େଇ ତୁନୀ ରହିଲା ।

 

ପରଦିନ ମୁଁ ଆଉ ସୁବିମଳ ବାବୁଙ୍କ ପାଖକୁ ଯିବାପାଇଁ ସୁବିଧା କରି ପାରିଲି ନାହିଁ । ସନ୍ତୋଷ ଭାଇନାଙ୍କ ନିର୍ଦ୍ଦେଶରେ ଜଗତର ଚଉଠି ଭୋଜି ବ୍ୟବସ୍ଥାରେ ସକାଳୁ ଲାଗିଲି । ରାତିରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ଅଛି, ବିମଳୀ ନାନୀ ମତେ ଡକେଇ ପଠେଇଲା ।

 

ଅଗତ୍ୟା ଭିତରକୁ ଯାଇ ପଚାରିଲି, ‘‘କଣ ହେଲା ନାନୀ ?’’

 

‘‘ଶୀଘ୍ର ଆ ତ ।’’ ବିମଳୀ ନାନୀ ବାଟ କଢ଼େଇ ନେଲା ଭିତରକୁ ।’’

 

ଯାଇ ଦେଖିଲି, ମାଉସୀ ବିଡ଼ ବିଡ଼ ହୋଇ ମନକୁ ମନ ଭାଗବତ ବୋଲିବାରେ ଲାଗିଚନ୍ତି । ଆଉ କୁଆଡ଼କୁ ହେଲେ ତାଙ୍କର ଧ୍ୟାନ ନାହିଁ । ନିଜ ଚିନ୍ତାରେ ସେ ବିଭୋର । ଚେହେରାରୁ ମନେ ହେଲା ସେ ଆଜି ଶାନ୍ତ, ସୁଖୀ; ମୋଟେ ବିବ୍ରତ ନୁହନ୍ତି ।

 

ଆଗେଇଯାଇ ମାଉସୀଙ୍କ ହାତ ଧରି ଠିଆ କରେଇ କହିଲି, ‘‘ଆସ ଯିବା ଠାକୁରଘରକୁ-।’’

 

ସେ କିଛି ନ କହି ଅନବରତ ବିଡ଼ ବିଡ଼ ହୋଇ ଭାଗବତ ବୋଲୁ ବୋଲୁ ମୋ ପଛେ ପଛେ ଚାଲିଲେ ।

 

ପଛପଟୁ କିଏ ଜଣେ ମନ୍ତବ୍ୟ କଲେ, ‘‘ପାଗଳୀ କି ?’’

 

ମୁହଁ ବୁଲେଇ ମୁଁ ଜବାବ ଦେଲି, ‘‘ନା, ସଂପୂର୍ଣ୍ଣ ସୁସ୍ଥ ।’’

 

ମାଉସୀ ଓ କୁସୁମକୁ ରିକ୍‌ସାରେ ଚଢ଼େଇଦେଇ ମୁଁ ସ୍କୁଟରରେ ପିଛା ଧରିଲି । ଘର ଭିତରକୁ ପଶିବାମାତ୍ରେ ମାଉସୀ ହାତଗୋଡ଼ ଧୋଇ ମଠା ପାଲଟି ଠାକୁରଘରେ ପଶିଲେ ମନଆନନ୍ଦରେ ଭାଗବତ ବୋଲୁ ବୋଲୁ । ତାପରେ ଠାକୁରଙ୍କ ପାଖେ ଦୀପଟିଏ ଜାଳି ଚକାମାଲି ପକେଇ ହାତଯୋଡ଼ି ଆଖିବୁଜି ଅନର୍ଗଳ ବୋଲି ଚାଲିଲେ ।

 

କୁସୁମ ସେତେବେଳକୁ ଏକପ୍ରକାର ଛାନିଆ ହୋଇଗଲାଣି । ତେଣୁ ମୁଁ ଆଉ ଗୋକୁଳି ମଉସାଙ୍କ ଘରକୁ ଫେରି ନ ଯାଇ ସେଇଠି ଜଗି ବିସିଲି । କାହିଁକି କେଜାଣି ମତେ ମନେ ହେଲା ଏହା ପରଠୁ ମାଉସୀଙ୍କର ଏ ବେମାରୀ ସଂପୂର୍ଣ୍ଣ ଉଭେଇଯିବ । ନ ଦେଖିଲା ଲୋକେ ବିଶ୍ୱାସ ବି କରିବେ ନାହିଁ ଯେ ବେଳେବେଳେ ମାଉସୀ ଏମିତି ସୃଷ୍ଟିଛଡ଼ା କାମ କରି ବସୁଥିଲେ ବୋଲି ।

 

ଅଧଘଣ୍ଟାଏ ପର୍ଯ୍ୟନ୍ତ ସେ ଅବିଶ୍ରାନ୍ତ ଭାଗବତ ବୋଲିଲେ ଆଖିବୁଜି ବସିରହି । ତାପରେ ଝଲକାଏ ପବନରେ ଦୀପଟା ଲିଭିଗଲା । ମାଉସୀ ବି ସାଙ୍ଗେ ସାଙ୍ଗେ ଭାଗବତ ବୋଲା ବନ୍ଦ କରି କହି ଉଠିଲେ, ‘‘ଠାକୁରେ, ଏତେଦିନକେ ମୋ ଡାକ ଶୁଣିଲ !’’ ସେ ଉଠିପଡ଼ି କାହାକୁ କିଛି ନ କହି ସିଧାସଳଖ ପଶିଗଲେ ଗାଧୁଆ ଘରେ ।

 

କୁସୁମ କାନ୍ଦ କାନ୍ଦ ହୋଇ ପଚାରିଲା, ‘‘କଣ ହେଲା ମା’ଙ୍କର ?’’

 

‘‘କିଛି ହେଇନି ।’’ ଆଶ୍ୱାସନା ଦେଲି ।

 

‘‘ତେବେ ମା’ ଏମିତି ପାଗଳୀଙ୍କ ପରି....’’

 

‘‘ଆଜି ଗୋଟାଏ ଶୁଭଦିନ କୁସୁମ । ମାଉସୀ ବୋଧହୁଏ ତାଙ୍କ ଅଭିଶପ୍ତ ଜୀବନରୁ ମୁକ୍ତି ପାଇଲେ ।’’ ହସ ହସ ମୁହଁରେ ମୁଁ ବୁଝେଇ ଦେଲି ।

 

ପ୍ରାୟ ଦଶମିନିଟ ପରେ ବିକାଶ ଅସ୍ତବ୍ୟସ୍ତ ହୋଇ ଆସି ମତେ ଡାକିଲା, ‘‘ଶୀଘ୍ର ଆ ।’’

 

‘‘କଣ ହେଲା ?’’ ମୁଁ ପଚାରିଲି ।

 

‘‘ତୁ ଆଗ ଆସିଲୁ ।’’

 

ମତେ ତା ସହିତ ବାହାରିବାର ଦେଖି କୁସୁମ କହିଲା, ‘‘ଆପଣ ଦୁହେଁ ଚାଲିଯିବେ । ଆଉ ମୁଁ ଏକୁଟିଆ...’’

 

‘‘ଭୟ କରିବାର କିଛି ନାହିଁ ଆଉ । ତୁମେ ଥାଅ, ଆମେ ଆସୁଚୁ ।’’ ବୋଲି କହି ମୁଁ ବାହାରିଲି ।

 

ବିକାଶ ମତେ ସେଠୁ ସୁବିମଳ ବାବୁଙ୍କ ବସାକୁ ନେଇଗଲା । ପହଞ୍ଚିଲା ପରେ ସେ ପକେଟରୁ ଚାବି କାଢ଼ି ଦାଣ୍ଡ ଦରଜାରୁ ତାଲା ଖୋଲିଲା । ଆଗପଛ ହୋଇ ଦୁହେଁ ଭିତରକୁ ପଶିଲୁ-

 

ମୁଁ ଜୋତା ଖୋଲି ଶୋଇବା ଘରକୁ ଯାଇ ଦେଖିଲି, ସୁବିମଳ ବାବୁ ମଶିଣା ଉପରେ ଚିତ ହୋଇ ଆଖିବୁଜି ପଡ଼ିଛନ୍ତି । ତାଙ୍କର ଶାନ୍ତ ଓ ତୃପ୍ତ ମୁହଁଟି ଦେଖି ମନେହେଲା ସତେ ଯେମିତି ଆନନ୍ଦ ମନରେ ସେ ଶୋଇ ପଡ଼ିଚନ୍ତି ସବୁଦିନ ସକାଶେ ଜୀବନର ଶେଷ ଆଶା ଟିକକ ମେଣ୍ଟିଗଲା ପରେ ।

 

ବସିପଡ଼ି ଆଗ ନାଡ଼ି ପରୀକ୍ଷା କଲି । ତାପରେ ଷ୍ଟେଥୋ ଲଗେଇ ଛାତି ଦେଖିଲି । ଜୀବନର ସତ୍ତା ଆଉ ଥିଲା ପରି ମନେ ହେଲା ନାହିଁ । ଉଠିପଡ଼ି ବିକାଶକୁ ଚାହିଁ ପଚାରିଲି, ‘‘କେତେବେଳେ ଚାଲିଗଲେ ?’’

 

‘‘ପନ୍ଦର କୋଡ଼ିଏ ମିନିଟ ହବ ।’’

 

‘‘ଜ୍ଞାନ ଥିଲା ଶେଷଯାଏ ?’’

 

‘‘ହଁ, ବେଶ କଥା କହୁଥିଲେ ।’’

 

‘‘ଭୋଜିକୁ ଯିବାପାଇଁ ମନ କରି ନାହାନ୍ତି ?’’

 

‘‘ମତେ କହିଥିଲେ ସନ୍ଧ୍ୟାକୁ ଆସି ତାଙ୍କୁ ନେଇଯିବା ସକାଶେ । ହାରଟାଏ ବି ଜଗତ ବୋହୂକୁ ଦେବେ ବୋଲି ମତେ ପଠେଇ କିଣେଇ ଆଣିଥିଲେ ଖରାବେଳେ ।’’ ସେ କଥାରୁ ଗହଣା ବାକ୍‌ସଟା ଖୋଲି ମତେ ହାର ଦେଖେଇଲା ।

 

‘‘ତାପରେ ?’’

 

‘‘ମୁଁ ସନ୍ଧ୍ୟାକୁ ଆସିଲି ତାଙ୍କୁ ଡାକିନବା ସକାଶେ । ଲୁଗାପଟା ପିନ୍ଧି ବାହାରିଲେ ମୋ ସାଙ୍ଗେ । ଦାଣ୍ଡ ଦରଜାଯାଏ ଆସି କହିଲେ ଯେ ତାଙ୍କ ଛାତିରେ କେମିତି ଟିକିଏ କଷ୍ଟ ହଉଚି । ମୁଁ ତାଙ୍କୁ ଫେରେଇ ଆଣି ଶୁଏଇଦେଲି । ଅଧଘଣ୍ଟାଏଯାଏ ଏଇଠି ଆଖିବୁଜି ପଡ଼ି ରହିଲେ । ଶେଷକୁ ମୁଁ ଆଉ ସମ୍ଭାଳି ନ ପାରି ତତେ ଡାକି ଆଣିବାକୁ ବାହାରିଲାରୁ ମତେ ବାରଣ କରି କହିଲେ ଯେ ବେଳ ପାଖେଇ ଆସିଲାଣି । ଆଉ କାହାକୁ ଡାକି ଲାଭ ନାହିଁ । ତାପରେ ମତେ ଠାକୁରଘରୁ ଭାଗବତ ଆଣି ବୋଲିବାକୁ ଅନୁରୋଧ କଲେ ।’’ ଏକା ନିଃଶ୍ୱାସକେ ଏତକ କହି ସେ ଦମ୍ ନେଲା-

 

ମୁଁ ପଚାରିଲି, ‘‘ସେଇଠୁ ?’’

 

‘‘ଭାଗବତ ଆଣି ମୁଁ ପଢ଼ିଲି । ସେ ଆଖିବୁଜି କେତେ ସମୟ ପଡ଼ି ରହି ଶୁଣୁ ଶୁଣୁ ହଠାତ୍ ଆଖି ଖୋଲି ମତେ ଚାହିଁ କହିଲେ ଯେ ତାଙ୍କ ଉଇଲଟା ବ୍ୟାଙ୍କରେ ଅଛି । ଗୋକୁଳି ମଉସା ଓ ବ୍ୟାଙ୍କ ମ୍ୟାନଜର ସାକ୍ଷୀ ପଡ଼ିଛନ୍ତି । ରେଜେଷ୍ଟ୍ରୀ ବି କରି ଦେଇଚନ୍ତି ସେ । ଏସବୁ କଥା ଶୁଣି ମତେ ଛାନିଆ ଲାଗିଲା । ମୁଁ ତାଙ୍କୁ ଚୁପଚାପ ପଡ଼ି ରହି ଭାଗବତ ଶୁଣିବାକୁ ମନେ ପକେଇ ଦେଲାରୁ ମତେ ମନା କଲେ । କହିଲେ...’’

 

‘‘କଣ କହିଲେ ?’’

 

‘‘ଡାକରା ଆସିଗଲାଣି ଉପରୁ । ଅଭିଶାପ କଟିଥିଲେ ଆର ଜନ୍ମକୁ ପୁଣି ଏକାଠି ହବୁ ଆମେ । ତାପରେ ସେ ମତେ ଅନୁରୋଧ କଲେ ଏଇ ବୋତଲରୁ ଗଙ୍ଗା ଜଳ ଟିକିଏ ତାଙ୍କ ପାଟିରେ ଦେବାକୁ । ମୁଁ ବୋତଲରୁ ଠିପି ଖୋଲି ଗଙ୍ଗଜଳ ଟିକିଏ ତାଙ୍କ ପାଟିରେ ଢାଳି ଦେଲି । ଢୋକେ ପିଇସାରି ସେ ମତେ ଆଶୀର୍ବାଦ କଲେ, ‘ଠାକୁରେ ତତେ ସୁଖ ଶାନ୍ତିରେ ରଖନ୍ତୁ‘, ବାସ ସେତିକି ।’’

 

ଶୁଣିସାରି କେତେ ସମୟ ପାଇଁ ମୁଁ ନିର୍ବାକ ହୋଇଗଲି । କଣ କରିବି କିଛି ଭାବିପାରିଲି ନାହିଁ । ତାପରେ ବିକାଶକୁ ସେଠି ଜଗେଇ ରଖି ମୁଁ ଗୋକୁଳି ମଉସାଙ୍କ ପାଖକୁ ଗଲି । ଭୋଜି ଭାତର ଭିଡ଼ ସେତେବେଳକୁ ଏକପ୍ରକାର କମି ଆସିଲାଣି । ମଉସାଙ୍କୁ ଡାକି ନେଇ ନିରୋଳାରେ ସବୁକଥା କହିଲି ।

 

ଶୁଣିଲା ପରେ ସେ ଦଶମିନିଟଯାଏ କିଛି ନ କହି ବସି ପଡ଼ିଲେ । ତାପରେ ନନ୍ଦ ମଉସାକୁ ମୋ ହାତରେ ଡକେଇ ଜଣେଇ ଦେଲେ, ‘‘ସୁବିମଳ ଚାଲିଗଲେ ରେ ।’’

 

‘‘କେତେବେଳେ ?’’

 

‘‘ଘଣ୍ଟାଏ ହବ ।’’

 

‘‘କଣ କିଛି ବ୍ୟବସ୍ଥା କଲଣି ?’’

 

‘‘କୋଉ କଥା ?’’

 

‘‘ତୁମର ପରା ଭାରି ସାଙ୍ଗ । ସମସ୍ତେ ଥାଉ ଥାଉ କଣ ବାସି ମଡ଼ା କରିବ ?’’

 

‘‘ତାଙ୍କ ପରିବାର ଲୋକଙ୍କୁ ତ ପୁଣି ଖବର ଦବା ।’’

 

‘‘କାହାକୁ ଜାଣିଚ ଯେ ଖବର ଦବ ?’’

 

‘‘ପଚାରାଉଚରା କଲେ ହୁଏତ...’’

 

‘‘ୟା ବୋଲି କଣ ମାସେଯାଏ ମଡ଼ା ସାଇତି ରଖିବ ଘରେ । ତୁମର ଯୋଉ ବୁଦ୍ଧି !’’ ସମାଲୋଚନା କରିସାରି ନନ୍ଦ ମଉସା ପ୍ରସ୍ତାବ ଦେଲା, ‘‘ଉଠ ଚାଲ । ମୁଁ ସନ୍ତୋଷ, ରାଜୁ, ବିଜୁକୁ ଡାକେ । ସକାଳ ହବା ଆଗରୁ କାମ ସାରିବାକୁ ପଡ଼ିବ ।’’

 

ସେଇ ରାତିରେ ସବୁ ବ୍ୟବସ୍ଥା ହେଲା । ଆମେ ସବୁ ଭାବୁଥିଲୁ ଗାଡ଼ିରେ ପକେଇ ମଶାଣିକୁ ନେଇଯିବୁ ବୋଲି । ନନ୍ଦ ମଉସା ମୋଟେ ରାଜି ହେଲା ନାହିଁ । କୋକେଇ ବାନ୍ଧି ରୀତିମତ ସାମାଜିକ କାଇଦାରେ ସବୁ କରେଇଲା ଆମକୁ ଧରି ।

 

ଗୋକୁଳି ମଉସା ବିକାଶକୁ ମୁଖାଗ୍ନି ଦେବାକୁ କହିଲେ ।

 

ପ୍ରତିବାଦ ନ କରି ବିକାଶ ରାଜି ହେଲା ।

 

ମଶାଣିରେ ସବୁ କାମ ସରିଲାବେଳକୁ ସକାଳ ହୋଇଗଲା । ଫେରିଲା ବାଟରେ ଗୋକୁଳି ମଉସା ପରାମର୍ଶ ଦେଲେ ବିକାଶକୁ, ‘‘ସଜ କ୍ରିୟା ଧରିବୁରେ ପୁଅ ।’’

 

ନନ୍ଦ ମଉସା ପ୍ରତିବାଦ କଲା, ‘‘ସେ କାହିଁକି କ୍ରିୟା ଧରି ଘାଣ୍ଟି ହବ ବାରଦିନକାଳ ? ତାଙ୍କର କେହି ନ ଥିଲେ ବୋଲି ସିନା ମୁଖାଗ୍ନିଟା ଦେଇଦେଲା....’’

 

‘‘ଆରେ ଗଧ, ପୁଅ କ୍ରିୟା ଧରିବନି ତ ଆଉ କିଏ ବାହାର ଲୋକ....’’ ଅଭ୍ୟାସ ମୁତାବକ ନନ୍ଦ ମଉସା କଥାକୁ ଉଡ଼େଇ ଦବାକୁ ଯାଇ, ସତେ ଯେମିତି ଗୋଟାଏ ମାରାତ୍ମକ ଗୁପ୍ତ କଥା ପଦାରେ ପକେଇଦେଲା ଭଳି ଭାବପ୍ରକାଶ କରି, ପୁଣି ନିଜକୁ ସମ୍ଭାଳି ନେଇ ଗୋକୁଳି ମଉସା କଥା ବୁଲେଇଲେ, ‘‘ତୁ ଜାଣିନୁ ରେ ନନ୍ଦ, ବେଦୀରେ ବସି ବିକାଶକୁବାହା ଦେଲା ପରଠୁ ସୁବିମଳ ପରା ତାକୁ ପୁଅ ବୋଲି ଧରି ନେଇଚନ୍ତି ! ତାଙ୍କର ସବୁକିଛି ସେ ଲେଖିଦେଇ ଯାଇଚନ୍ତି ତା ନାଁରେ । ତେଣୁ କ୍ରିୟା ଧରିବାଟା ତା ଧର୍ମ ।’’ କହିସାରି ନନ୍ଦ ମଉସା ପୁଣି ପାଟି ଖୋଲିବାକୁ ଯାଉଚି ଦେଖି ସେ ତରବରରେ ସାବଧାନ କରେଇ ଦେଲେ, ‘‘ଘରକୁ ଚାଲ, ବୁଝେଇ କହିବି ସବୁ-।’’

 

ଆମେ ଚୁପ ହୋଇଗଲୁ । ଆଉ ଟିକିଏ ବାଟ ଗଲା ପରେ ସେମାନଙ୍କୁ ରିକ୍‌ସାରେ ଉଠେଇ ଦେଇ ବିକାଶ ଓ ମୁଁ ଚାଲି ଚାଲି ଫେରିଲୁ ।

 

ବାଟରେ ବିକାଶ ପଚାରିଲା, ‘‘ମା’କୁ କଣ କହିବି ?’’

 

‘‘କୋଉ କଥା ?’’

 

‘‘ମୁଖାଗ୍ନି ଦବା କଥା ?’’

 

‘‘ସତ କହିବୁ । କିଛି ଲୁଚେଇବୁନି ।’’

 

‘‘ତା ମନରେ ପ୍ରତିକ୍ରିୟା ସୃଷ୍ଟି ହବନି ତ ?’’

 

‘‘ହଉ ପଛେ । କିନ୍ତୁ ମିଛ କହି ପରେ ଧରା ପଡ଼ିଗଲେ ଫଳ ଆହୁରି ଖରାପ ହେବ ।’’

 

‘‘ତୁ ମୋ ସାଙ୍ଗେ ଚାଲ ଘରଯାଏ ।’’

 

ବିକାଶ ବସାରେ ପହଞ୍ଚି ଆଗ ଆମେ କେତେ ସମୟ ଚୁପଚାପ ଠିଆ ହୋଇ ରହିଲୁ । କେହି ହେଲେ ସାହସ କରି କବାଟ ଖୋଲିବା ସକାଶେ ଘଣ୍ଟି ଦେଲୁ ନାହିଁ । ଶେଷକୁ ମୁଁ ଦମ୍ଭ ବାନ୍ଧି ଘଣ୍ଟି ଟିପିଲି ।

 

ଟିକିଏ ପରେ ମାଉସୀ ନିଜେ ଆସି କବାଟ ଖୋଲି ଦେଇ ପୁଅକୁ କହିଲେ, ‘‘ଯା ଗାଧୁଆ ଘରେ ଲୁଗା ରଖି ଦେ । ମୁଁ ଧୋବଣୀକୁ ଡକେଇ ପଠେଇଚି ।’’

 

କାବା ହୋଇ ଆମେ ଦୁହେଁ ମାଉସୀଙ୍କୁ ଚାହିଁ ରହିଲୁ ।

 

ସେ ସେତେବେଳକୁ ତାଙ୍କ ସଧବା ରୂପ ଛାଡ଼ି ବିଧବା ବେଶ ଧରି ସାରିଲେଣି ।

Image